Unknown

 

 

 

 

 

 

 

 

 

 

 

ଏଇ ପଥ

ଦାଶରଥି ନନ୍ଦ

 

କେତେକ ଶିକ୍ଷିତ ବେକାର ଯୁବକ ଏକ ନିଭୃତ ଆଦିବାସୀ ଅଞ୍ଚଳରେ ଆତ୍ମନିଯୁକ୍ତିର କ୍ଷେତ୍ର ପ୍ରସ୍ତୁତ କରି ସ୍ୱସମୃଦ୍ଧି ସଙ୍ଗେ ସଙ୍ଗେ ସମଗ୍ର ଅଞ୍ଚଳକୁ କିପରି ପ୍ରଗତି ପଥରେ ଆଗେଇ ନେଇଛନ୍ତି, ତା’ର ଏକ ମନୋରମ ନିଖୁଣ ଚିତ୍ର ଉପନ୍ୟାସଟିରେ ଉପସ୍ଥାପିତ ହୋଇଛି । ଚରିତ୍ରଚିତ୍ରଣ ଓ ଘଟଣାପ୍ରବାହ ଭିତରେ ଏକ ମଧୁତିକ୍ତ ଅନୁଭବୀର ହୃଦୟ ତଥା ଶାଣିତ ରାଜନୈତିକ ଓ ସାମାଜିକ ବ୍ୟଙ୍ଗ ପ୍ରକଟିତ ହୋଇଛି ।

 

–ସମାଜ

 

ଏଇ ପଥ ବର୍ତ୍ତମାନର ଅଣନିଃଶ୍ଵାସୀ ଓ ବିଶୃଙ୍ଖଳ ଯୁବଗୋଷ୍ଠୀ ତଥା ଛାତ୍ରମାନଙ୍କ ପାଇଁ ଏକ ଅନୁକରଣୀୟ ବାର୍ତ୍ତା ବହନ କରିଛି ।

 

–ପ୍ରଜାତନ୍ତ୍ର

 

ଉପନ୍ୟାସଟି ପାଠ କଲେ କର୍ମଯୋଗ ଓ ଜ୍ଞାନଯୋଗର ଏକ ପ୍ରୟୋଗାତ୍ମକ ପୃଷ୍ଠଭୂମିକା ଥିବାର ଜଣାଯାଏ । ପାଠକର ନିଜ ଅନ୍ତର୍ନିହିତ ଶକ୍ତି ଉପରେ ଭରସା ଆସେ । ଚରିତ୍ର ଗୁଡ଼ିକ ଆଭାସମୂଳକ ଓ ରୁଚିକର ମନେହୁଏ ।

 

–ମାତୃଭୂମି

 

ଏଇ ପଥର ସୂଚିତ ପଥ ବେକାରି ବିଲୋପ ଓ ସୁଦୂରପ୍ରସାରୀ ପ୍ରଗତିର ନିୟାମକ । ପ୍ରଗତିକାମୀ ସରକାରଙ୍କ ପାଖରେ ଏକ ନୂତନ ଦିଗ୍‌ଦର୍ଶନ । ଉପହାର ପାଇଁ ଶ୍ରେଷ୍ଠ ।

 

–ଟେକ୍‌ନୋଭଏସ୍

Image

 

କୃତଜ୍ଞତା

 

ଏହି ଉପନ୍ୟାସର ଆତ୍ମପ୍ରକାଶ ପାଇଁ ନାନା ଦିଗରୁ ସହଯୋଗ ପାଇଥିବାରୁ ଲେଖକ ନିମ୍ନଲିଖିତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କଠାରେ କୃତଜ୍ଞ ।

 

ଆମେରିକା ସୂଚନା ସଂସ୍ଥା, କଲିକତା ଋଷ୍ ଦୂତାବାସ, ନୂଆଦିଲ୍ଲୀ ଓଡ଼ିଶା ଇଂଜିନିୟରିଂ କଂଗ୍ରେସ ଶବରୀ ସାଂସ୍କୃତିକ ସଂସଦ ।

 

ପରମାରାଧ୍ୟ ପିତା ଶ୍ରୀ ଗଙ୍ଗାଧର ନନ୍ଦ

 

ଓଡ଼ିଶାର ପୂର୍ବତନ ରାଜ୍ୟପାଳ, ଇଂଜିନିୟର ଡଃ ଅଯୋଧ୍ୟାନାଥ ଖୋସଲା ଔପନ୍ୟାସିକ ଶ୍ରୀ ଗୋପୀନାଥ ମହାନ୍ତି ଚିଫ୍ ଇଂଜିନିୟର ଶ୍ରୀ ଆର୍ତ୍ତବନ୍ଧୁ ମହାନ୍ତି ଗାଳ୍ପିକ ଅଧ୍ୟାପକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ।

 

‘ଏଇ ପଥ’ରେ ବର୍ଣ୍ଣିତ ସ୍ଥାନ, ଚରିତ୍ର ଓ ଘଟଣାବଳୀ ସଂପୂର୍ଣ୍ଣ କଳ୍ପନାପ୍ରସୂତ ।

 

ପ୍ରକାଶିକା/ଲେଖକଙ୍କ ବିନାନୁମତିରେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ଉପନ୍ୟାସର ବିଷୟବସ୍ତୁକୁ ଉପଯୋଗ କରି ବ୍ୟାବସାୟିକ ଦୃଷ୍ଟିରୁ ଚଳଚ୍ଚିତ୍ର କିମ୍ବା ନାଟକ କରିପାରିବେ ନାହିଁ । ଉପନ୍ୟାସର ପ୍ରଚ୍ଛଦପଟକୁ ଅନ୍ୟଠାରେ ଅନୁକରଣ କରାଯାଇପାରିବ ନାହିଁ ।

Image

 

ଯନ୍ତ୍ର ଯୋଗେଶ୍ୱରଃ କୃଷ୍ଣୋ ଯନ୍ତ୍ର ପାର୍ଥୋ ଧନୁର୍ଦ୍ଧରଃ

ତନ୍ତ୍ର ଶ୍ରୀର୍ବିଜୟୋଭୂତିର୍ଧ୍ରୁବା ନୀତିର୍ମତିର୍ମମ ॥ ଗୀତା ॥

 

Where ever is Shri Krishna, the Lord of Yoga, and where ever is Arjuna, the wielder of the Gandiva bow, assured are there prosperity, victory, glory and righteousness : this is my firm conviction. (Bhagbad Geeta)

 

ସଂଜୟ କହିଲେ, “ହେ ରାଜନ୍, ଯେଉଁଠାରେ ଯୋଗେଶ୍ୱର ଶ୍ରୀକୃଷ୍ଣ ମନ୍ତ୍ରଣା ଦିଅନ୍ତି ଏବଂ ବୀରଶ୍ରେଷ୍ଠ ଅର୍ଜୁନ ତାକୁ କାର୍ଯ୍ୟକାରୀ କରନ୍ତି, ସେ ପାଖରେ ଯେ ବିଜୟ ସୁନିଶ୍ଚିତ ଏହା ମୋର ଦୃଢ଼ ଧାରଣା ।”

 

ଯେଉଁଠି ବିଜ୍ଞାନୀ ଓ ଅଭିଜ୍ଞ ଲୋକେ ଯୋଜନା ପ୍ରଣୟନ କରନ୍ତି, ଉତ୍ସାହୀ ତଥା ସଚ୍ଚୋଟ ନେତା ଓ କର୍ମଠ କର୍ମଚାରୀମାନେ ଯୋଜନା କାର୍ଯ୍ୟକାରୀ କରନ୍ତି ସେଠି କ୍ଷୁଧା, ଦାରିଦ୍ର୍ୟ କିମ୍ବା ଯେକୌଣସି ସମସ୍ୟା ବିରୁଦ୍ଧରେ ଯୁଦ୍ଧ ଜୟଯୁକ୍ତ ହେବା ନିଶ୍ଚିତ । ମଣିଷ ତଥା ଦେଶର ପ୍ରଗତି ପାଇଁ ଉଭୟ ଜ୍ଞାନଯୋଗ ଓ କର୍ମଯୋଗ ସାଧନା ଅବଶ୍ୟମ୍ଭାବୀ ।

Image

 

ଏକ

 

ତା’ର ଖାଲି ମୁଣ୍ଡ ପଛପଟଟା ଯାହା ଝାପ୍‌ସା ଦେଖାଯାଉଥିଲା । ଦେହର ଆଉସବୁ ଅଂଶ ଧୂଳିର ପାଟଳ ଏବଂ ବୈଶାଖୀ ତାତିରେ କୁହୁଳିଉଠୁଥିବା ହାହାକାରମୟ ଆକାଶର ଶରୀରରେ ଲୁଚିଯାଇଥିଲା ।

 

ଉଦୁଉଦିଆ ଖରାବେଳେ ଗାଁରୁ ନଈଆଡ଼କୁ ଛିନ୍‌ଛତର ହୋଇ ପଳେଇ ଗଲାବେଳେ ସେଇ ଦଗାବାଜ୍ ଖଣ୍ଡିଆଭୂତ ଆଗରୁ ମାଡ଼ିଆସୁଥିଲା । ରୌଦ୍ରତାପ, ଧଳିର ସମୁଦ୍ର କିମ୍ବା ଖଣ୍ଡିଆଭୂତ କେହିହେଲେ ବୁଢ଼ା ପୋଷ୍ଟମାଷ୍ଟରଠାରୁ କିଛି ସମୟ ତଳେ ଶୁଣି ଆସିଥିବା ବଚନିକାକୁ ତା’ମନରୁ ପୋଛି ପାରୁନଥିଲେ । ଏ ଯାଏଁ ବି ଲଫାପା ଉପରେ ଷ୍ଟାମ୍ପ୍ ମାରିବାର ଠପାସ୍ ଠପାସ୍ ଶବ୍ଦ ତା’ ମୁଣ୍ଡଭିତରେ ଦୁଲୁକି ଉଠୁଥିଲା । ସତେକି ଏଇ ଷ୍ଟାମ୍ପ୍ ମରା ଶବ୍ଦ ପୋଷ୍ଟମାଷ୍ଟରଙ୍କ ଉପଦେଶ ଗୀତି ସଂଗୀତରେ ତାଳ ଯୋଗାଉଥିଲା ।

 

–“କ’ଣ ପତ୍ରିକାରେ ଛପେଇବାକୁ ଗପ ପଠାଉଛ କିଓ ଦେବବ୍ରତ ? ହଉ ହଉ, ପଠାଅ-। ବଡ଼ ବଡ଼ ଅକ୍ଷରରେ ନାଁ ବାହାରିବ, ଯଶ ଖ୍ୟାତି ବଢ଼ିବ; ନା କ’ଣ ? (ଠପାସ୍ ଠପାସ୍) ହେଲେ ସେ ବୁଢ଼ା ବାପା କଥା ଟିକେ ଭାବୁଛଟି ? (ଠପାସ୍) ଇଂଜିନିୟରିଂ ପଢ଼ା ଶେଷ କରି ଦୁଇବର୍ଷ ହେଲା ଘରେ ବସିଛି, ସେ ଦିଗରେ ଟିକେ ମୁଣ୍ଡ ଲଗା । (ଠପାସ୍ ଠପାସ୍) ଗପ ଲେଖିଲେ କ’ଣ ପେଟ ପୂରେ ? କା’ ଉପରେ ବୋଝ ହୋଇ ବସିବା ଅପେକ୍ଷା ପିଲାଙ୍କୁ ଅ ଆ ପଢ଼େଇଲେ ବରଂ ଦି’ ପଇସା ମିଳିବ । (ଠପାସ୍) ଆରେ ଯାଃ, ମୁହଁଟାକୁ ଶୁଣ୍ଠା କରିଦେଲ ଯେ ! କ’ଣ ମାନସମ୍ମାନ ତଳେ ପଡ଼ିଗଲା କିଓ ବାବୁ ? (ଠପାସ୍ ଠପାସ୍) ହିଃ ହି ହି… ?”

 

ନାକଟିପର ଚଷମା ତଳୁ ଲଣ୍ଡାମୁଣ୍ଡିଆ ବୁଢ଼ା ପୋଷ୍ଟମାଷ୍ଟର ଏବେ ବି ସତେଯେପରି ତାକୁ ନିରେଖି ଚାହିଁ ଦାନ୍ତ ନେଫୋଡ଼ୁଥିଲା ।

 

ଗୋଟାଏ ଅସହ୍ୟ ଜ୍ୱାଳାରେ ଅତିଷ୍ଠ ହୋଇ ସେ ବାରମ୍ବାର ମନ ଭିତରେ ଚିତ୍କାର କରୁଥିଲା, “ଓଃ, ତୁମେସବୁ ପାଟି ବନ୍ଦ କର । ଉପଦେଶଗୁଡ଼ାକ ମୋ ଉପରେ ଆଉ ଗରଳ ପରି ଢାଳ ନାହିଁ । ଗପଟାକୁ ମୁଁ ତ ଚିରି ସାରିଲିଣି, ଆଉ କାହିଁକି ?”

 

ସତକୁସତ, ପୋଷ୍ଟମାଷ୍ଟରଙ୍କ କଥାରେ ବ୍ୟଥିତ ହୋଇ ଷ୍ଟାମ୍ପମରା ଲଫାପାକୁ ତାଙ୍କର ହାତରୁ ଝାମ୍ପିଆଣି ନଈତଟକୁ ସେ ଆକତା–ମାକତା ହୋଇ ଦୌଡ଼ୁଥିଲା । ଗଲାବେଳେ ଦଶଦିନ ପରିଶ୍ରମର ଫଳ ସେଇ ଗପସମେତ ଲଫାପାଟିକୁ ସେ ଟୁକୁଡ଼ା ଟୁକୁଡ଼ା କରି ଚିରି ପକାଇଥିଲା । ଲଫାପାକୁ ପ୍ରଥମେ ଫଡ୍ କରି ଚିରିଦେଲାବେଳେ, ତା’ ହାତକୁ ସତେଯେପରି ସାନ ଭଉଣୀ ଆରତି ଜାବୁଡ଼ି ଧରି ଲୁହ ଟଳଟଳ ଆଖିରେ କହୁଥିଲା–“ଦେବଭାଇନା ! ଚିରନା, ଚିରନା ତାକୁ । କେତେ ଭାବି ଭାବି ଲେଖିଥିଲ, ଆଉ ମୁଁ କେତେ କଷ୍ଟ କରି ତାକୁ ଗୋଲଗୋଲ ଅକ୍ଷରରେ ଉତାରିଥିଲି । ମୋ ରାଣ, ତୁମେ ଏତେ ନିର୍ଦ୍ଦୟ ହୁଅନା ।”

 

–“ଆଲୋ ଏ ହୁଣ୍ଡି, ଛାଡ଼୍ ମୋ ହାତ । ଜଣେ ବେକାର ପୁଣି ଗପ ଲେଖାପରି ବିଳାସକୁ ସ୍ଥାନ ଦେଇପାରେ ? ଏଁ ? ତୁ ବାୟାଣୀ ହେଲୁ କି ଲୋ ? ଦେଖିଲୁ ତ ବୁଢ଼ା କେମିତି ମୋ ଉପରେ ବାନ୍ତି କଲା !”

 

ସେ ଫଡ଼୍ ଫାଡ଼୍ କରି ଚିରିପକାଇଥିଲା ଲଫାପାକୁ । ତଥାପି ତା’ ଚାରିପଟୁ ଗୁଞ୍ଜରି ଉଠୁଥିଲା ଆରତିର ନାହିଁ ନାହିଁ ଶବ୍ଦ । ସେହି ବିକଳ ନାହିଁ ନାହିଁରେ ସେ କାବାହୋଇ କାଗଜ ଟୁକୁରାଗୁଡ଼ାକ ଫିଙ୍ଗି ପାରିନଥିଲା । ସେଗୁଡ଼ାକ ଏବେଯାଏଁ ବି ସେ ତା’ର ଝାଳୁଆ ହାତରେ ଜାବୁଡ଼ି ଧରିଥିଲା ।

 

ନଈଆଡ଼କୁ ଗଲାବେଳେ ସେ ପୋଷ୍ଟମାଷ୍ଟରଙ୍କୁ ମନେମନେ କାଟି ସଂପି ଯାଉଥିଲା । ହଠାତ୍ ପବନର ରାଉଁ ରାଉଁ ଶବ୍ଦ ପୋଷ୍ଟମାଷ୍ଟର ସ୍ୱର ନେଇ ଚିତ୍କାର କଲା–“କିରେ ବୁଦ୍‌ଧୁ, ଭଲ କଥା ଶୁଣି ତୋ ଦିହରେ ଚିଆଁ ଲାଗିଗଲା ? ହଉ ହେଲା ଏବେ, ମୋ କଥା ସିନା ପିତା ଲାଗୁଛି, ହେଲେ ତୋ ବୋପା, ମା’, ଭାଇ, ଭଉଣୀ, ସାଙ୍ଗ, ସାଥି ସମସ୍ତଙ୍କୁ ଫାଙ୍କି ମାରିଦବୁ ? ହେଇ ଦେଖି ତୋ ପଛରେ । ଫାଙ୍କି ମାରିବୁ ପରା, ମାର ସେମାନଙ୍କୁ, ଦେଖିବା ତୋ ପାରିଲା ପଣ !”

 

ବିକଳ ଆଖିରେ ସେ ପଛକୁ ଚାହିଁଲା, ଚାରିଆଡ଼େ ଖାଲି ଧୂଳିମୟ ! ସେଇ ଧୂଳିର ଦିଗ୍‌ବଳୟରୁ, ତା’ର ମନେହେଲା, ସତକୁସତ ଅନେକ ଲୋକ ତା’ ଆଡ଼କୁ ରେ–ରେ–କାର ରବ ଦେଇ ଦୌଡ଼ିଆସୁଛନ୍ତି ।

 

ଚ୍ୟାଉଁ କଲା ତା’ର ଛାତି । କିଏ ଯେପରି ମାରିଲା ତା’ ବେକରେ ଗୋଟାଏ ନିର୍ଘାତ ତଣ୍ଟିଆ । ଆଉ ସାମନାରୁ କିଏ ଯେପରି ଗୋଟିଏ ପଘା ତା’ ବେକରେ ଲଗାଇ ନଈକୂଳରେ ବରଗଛ ଆଡ଼କୁ ଟାଣୁଥିଲା ।

 

ଠିକ୍ ଏଇ ସମୟରେ ହାବୁଡ଼ିଗଲା ସେଇ ବଜ୍ଜାତ୍ ଖଣ୍ଡିଆଭୂତ । ସିଁ ସିଁ ହୋଇ ତୀରବେଗରେ ଧୂଳିମିଶା ତତଲା ପବନ ମାଡ଼ି ଯାଉଥିଲା । ସର୍‌ର୍ ସାର୍‌ର୍ ଗର୍ଜନ କରି କୁଟା, କାଠି, ଶୁଖିଲା ପତ୍ରଗୁଡ଼ାକ ଅସହାୟ ଭାବରେ ତାକୁ କେନ୍ଦ୍ରକରି ଉଡ଼ିଯାଉଥିଲେ । ଗୋଟାଏ ପାହୁଣ୍ଡ ଆଗକୁ କାଢ଼ିଲାବେଳକୁ ଠାଇ ଠାଇ କରି କଷି ଦେଇଗଲା ଝାଞ୍ଜିପବନ, ତା’ର ସୂର୍ଯ୍ୟଦଗ୍‌ଧ ହାତ, ଗୋଡ଼, ବେକ ଓ ଗାଲରେ । ତା’ର କାନ, ଆଖି, ନାକର ଗାତଗୁଡ଼ିକ ଖୁନ୍ଦି ହେଇଗଲା ଧୂଳିରେ ।

 

ସେ ଆଖି ବୁଜିଲା । ସେତିକିରେ ବି ତା’ର ତ୍ରାହି ନଥିଲା । ନିବୁଜ ଆଖି ଭିତରେ ସେ ସ୍ପଷ୍ଟ ଦେଖିପାରିଲା, ପଛରୁ ଦୌଡ଼ି ଆସୁଥିବା ଲୋକମାନେ ତାକୁ ଚାରିପଟେ ଘେରିଗଲେଣି । ତାକୁ ମଝିରେ ରଖି ଗୋଟିଏ ଗୋଲାକାର ପରିଧିରେ ହାତକୁ ହାତ ଛନ୍ଦି ସେମାନେ ଛିଡ଼ା ହେଲେଣି । ଆଉ ତା’ର ଖସିଯିବାକୁ ଯୁ ନାହିଁ ।

 

ସେମାନଙ୍କ ଭିତରେ ଥିଲେ ତା’ର ବାପ, ମା’, ଭାଇ, ବନ୍ଧୁ ଏବଂ ଆହୁରି ଅନେକ ଚିହ୍ନା–ଅଚିହ୍ନା ରାମା–ଦାମାମାନେ । ଆଶ୍ଚର୍ଯ୍ୟ ! ସେମାନେ ସମସ୍ତେ ଅଙ୍ଗାର ପରି କଳା ପଡ଼ିଯାଇଥିଲେ । ସେମାନଙ୍କର ଓଠଟିମାନ ସାବ୍‌ଜା–ନୀଳ ଏବଂ ଦାନ୍ତଗୁଡ଼ିକ ଧଳା ଚକ୍ ଚକ୍ ଦେଖାଯାଉଥିଲା ।

 

ତା’ର ଆଖିପତା ଭିତରେ ସେମାନେ ଖିଲି ଖିଲି ହୋଇ ହସିଲେ । ତା’ ଚାରିପଟେ ଲାଖିରହିଥିବା ଖଣ୍ଡିଆଭୂତର ଛତରଛାଉଳିଆ ରଡ଼ିପରି ସେ ହସ ଶୁଭୁଥିଲା । ତା’ପରେ ସେ କଳା କିଟିକିଟି ନରନାରୀମାନେ ଜଣ ଜଣ କରି ପାଟି ଫିଟାଇଲେ । ବାପାପରି ଦେଖାଯାଉଥିବା ଲୋକଟା କହିଲା, “ସଭାଜନେ ! ମୋର ଭେଣ୍ଡିଆ ପୁଅକୁ ଦେଖ । କିନ୍ତୁ ଖବରଦାର, ତାକୁ କେହି ବେକାର କହିବନି । ତମ ବୋପା ଧନ ଖାଉନି ଯେ ତମେ ତାକୁ ବାପର ଗଳଗ୍ରହ ବୋଲି ଡାକିଦବ-। ମୋ ପରି ମାଷ୍ଟର୍ କମ୍ ଦରମା ପାଏ ବୋଲି ଯେ ସେ ଗଣ୍ଡା ଗଣ୍ଡା ଭେଣ୍ଡା ପୁଅଝିଅଙ୍କୁ ପୋଷିପାରିବନି, ସେ ଚିନ୍ତା କରିବାକୁ ତୁମେ ହକ୍‌ଦାର ନୁହଁ । ତୁମେ ତାକୁ ଚାକିରି ପାଇଁ ଉପଦେଶ ଦେଇପାର, କିଛି ସଜେଷ୍ଟ କରିପାର ମାତ୍ର ।”

 

–“କ’ଣ ହେଲା ମାଷ୍ଟ୍ରେ ? କହିବୁନି ? ପୋଥି କହୁଛି ଅଭାବେ ସ୍ୱଭାବ ନଷ୍ଟ । କାମ ନ ଥିଲେ ବାଜେ ଚିନ୍ତା ଗୁଡ଼େ ମୁଣ୍ଡରେ ତୁକେଇ ସର୍ବନାଶ କରିପାରେ । ପର ଝିଅ, ପର ବୋହୂ ଉପରେ ଆଖିପକେଇ ସମୟ ଗଡ଼େଇପାରେ । ନ ହେଲେ ନକ୍‌ସଲାଇଟ୍ ହୋଇ ନରହତ୍ୟା କରିବା ମଧ୍ୟ ବିଚିତ୍ର ନୁହେଁ ।”

 

–“ହଇରେ ହେ ! କାହିଁକି ପିଲାଟା ସାଙ୍ଗରେ ଗଡ଼ର ଗଡ଼ର ଲଗେଇଛ ମ ? ତମ ଆଗରେ କାଆଲି ପରା ଦେବ ଲଙ୍ଗଳା ହୋଇ ବୁଲୁଥିଲା, ତାକୁ ଚିହ୍ନିନା ? ଚାକିରି ବିଷୟରେ କିଏ ଗାଳି କଲେ ବି ସେ ତୁଣ୍ଡ ଫିଟୋଉ ନାହିଁ । ଆହା, କେଡ଼େ ଉଦାସ, କେଡ଼େ ଶାନ୍ତ, ଆଉ ସୁଧାର ପିଲାଟା !”

 

–“ଡିମ୍ବଟା ଶ୍ୟାନ୍ତ ! ଶଳା ମାଇଚିଆ, ଦେଶସେବା ନାଁରେ ଇଞ୍ଜିନିଅର ହୋଇ ମାଗଣା ଗାଡ଼ିରେ ଚଢ଼ିବ, ସରକାରୀ ଚାକିରି କରି କିଛି ଉପୁରି ମାରିନବ ବୋଲି ହେଣ୍ଡି ମାରୁଥିଲା । ଶଳାର ପାପୀ ମନକୁ ଏବେ ଠିକ୍ ହୋଇଛି । ଫାଷ୍ଟ ଡିଭିଜନ୍‌ରେ ପାଶ୍ କଲା ବୋଲି ଇନ୍ଦ୍ରଚଂଦ୍ର ମାନୁନଥିଲା-। ହେଲେ ଭଗବାନ ଠିକ୍ କରିଛନ୍ତି । ଶଳାକୁ ଦୁଇବର୍ଷ ହେଲା ଚାକିରି ନ ଦେଇ ଘଣା ପେଲଉଛନ୍ତି-।”

 

–“ଆଜି ଖବରକାଗଜରେ ଖଣ୍ଡିଏ ଅମୀନ ଚାକିରି ପାଇଁ ବିଜ୍ଞାପନ ବାହାରିଛିରେ ଦେବ-। କେତେଥର ତ ଏପ୍ଲାଇ କଲୁଣି, ଏଟାକୁ ଛାଡ଼ିବୁ କାହିଁକି ? ଦେ ବାପା ଦେ, ଏପ୍ଲାଇଟେ କରିଦେଇ ଥା । ଏଥର ରାଜଧାନୀ ଆଡ଼େ ଆଉଥରେ ଧପାଲି ଯା ।’ ଧରାଧରି ଯୁଗ ତ; ଏମିତି ଅନ୍ଧାର କୋଣରେ ମନମାରି ପଡ଼ିରହିଲେ କ’ଣ ହେବ ?”

 

–“କିରେ, ତୁଣ୍ଡ ବେଶି ବଢ଼ି ବଢ଼ି ଯାଉଛି, ନାଇଁ ? ମାଙ୍କଡ଼ ମୁହାଁ, ରଇଜଳା; ମୋ ଦେହକୁ ଛଗୁଲେଇ କହିବା ଆଉଥରେ ଶୁଣିଲେ ତମ ଦାନ୍ତଗୁଡ଼ାକ ଯଦି ନ ଝଡ଼େଇଛି ତେବେ ମୋ ନାଁରେ କୁତି ପୋଷିବ । ଇରେ ! ମୋ ଦେବଟାକୁ ତମେ ସବୁ କ’ଣ ପାଇଲ କିରେ ? ଆ ବାପା ଆ-!”

 

ମା’ ଭଳିଆ ଛାଞ୍ଚରେ ଗଢ଼ା ଗୋଟିଏ କାଳିଆ ମାଇକିନା ତାକୁ ନିଜ ଛାତି ଆଡ଼କୁ ଟାଣି ନେଉଥିଲା । ଛାତିରେ ତା’ ମୁଣ୍ଡକୁ ଗୁଞ୍ଜି ଦେହ ମୁଣ୍ଡରେ ହାତ ଶାଉଁଳାଇ ସେ ନାରୀମୂର୍ତ୍ତିଟି କହୁଥିଲା–“ଭାବି ଭାବି ତୋ ଦେହକୁ ତୁ ଖାଇଲୁଣିରେ ବାପା । ତୋର ଖିଲି ଖିଲି ହସକୁ କୁଆଡ଼େ ପୋଡ଼ି ପକାଇଲୁରେ ଧନ ! ଆଉ ଚାକିରି ପାଇଁ ବାଇ ହ’ ନା, ଏ ଗାଁ ଲୋକଙ୍କ ସଙ୍ଗରେ ମିଶ ନା’ ରେ ବାପା । ଖଣ୍ଡିଗୁଣିଆଗୁଡ଼ାକ ଅକାରଣରେ ତୋ ଅବସ୍ଥା ଦେଖି ଆହା ଆହା ଚୁଚୁ କରି ତୋର ରକତମାଉଁସ ଶୋଷାଡ଼ି ନେବେ । ଘରେ ର, ଖରାଟାରେ କୁଆଡ଼େ ଯାଆନା ଲୋ ମୋ ବାଇଆ । ତୁ ଟିକେ ତୋ ନିଜ ଦେହକୁ ଦେଖିଲୁ ଆଗ, କ’ଣ ହେଲୁଣି ।”

 

ଗୋଟିଏ କଅଁଳ ଛୁଆପରି ତା’ର ଏଇ ନୂତନ କାଳିକାରୂପିଣୀ ମା’ର ଥନଭୁଣ୍ଡିରେ ମୁହଁ ଜାକି ରହିବାରେ ତା’ର ଛାତି ରୁନ୍ଧି ହୋଇଯାଉଥିଲା । ଛାଟିପିଟି ହୋଇ ରାକ୍ଷସୀ ବୁକୁରୁ ଦୁଲକରି ତଳେ କଚାଡ଼ି ପଡ଼ି ପୂର୍ବ ସ୍ଥାନରେ ଯାଇ ସେ ଛିଡ଼ାହେଲା । ତା’ ଚାରିପଟର କଳାକଳା ଲୋକମାନେ ଘିର୍ ଘିର୍ ହୋଇ ବୁଲିଲେ । ତାଳି ମାରିମାରିକା ବିକଟାଳ ରଡ଼ି ଛାଡ଼ି ଗୀତ ଗାଇଲା ଭଙ୍ଗୀରେ କହୁଥିଲେ–

 

–‘ଆମ ଦେବ ବେକାର, ସେ ଏବେ ଲେଖୁଚି ଗପ ।’

 

–‘ତା’ର ବେକାରିଆ ଚାଲି, ବେକାରିଆ ହସ ।’

 

–‘ତା’ର ବଳ ନାହିଁ, ତେଜ ନାହିଁ କି ଆନନ୍ଦ ନାହିଁ ।’

 

–‘ସରକାରୀ ଇସ୍ତାହାର କହୁଛି, ପଇସା ନାହିଁ, ଚାକିରି ନାହିଁ ।’

 

–‘ଆପ୍ଲାଇ ଆପ୍ଲାଇ ନୋ ରିପ୍ଲାଇ ।’

 

–‘ତା’ର ଚାରିଆଡ଼େ ସବୁ ଖାଲି ଖାଲି ।’

 

ଜଣେ ଲୋକ ତାକୁ ଆହ୍ଵାନ ଦେଲା–‘ଆବେ ଶଳା କୋଢ଼ି, ଏତେ କଥା ଶୁଣି ଲାଜ ଲାଗୁନି ? ଆ’ ବାହାରି ପଡ଼, ମୋ ପିଛା ଧର, ଚାଲ ବିପ୍ଳବ କରିବା, ଚାକିରି ବାକିରୀ ନ ମିଳିଲେ ସମସ୍ତଙ୍କୁ କତଲ୍ କରିବା । ଭାଙ୍ଗିଦେବା, ରୁଜିଦେବା ।’

 

ଏହି ସମୟରେ ତିନୋଟି କଳା ମୂର୍ତ୍ତି ପଛକୁ ପଛ ହୋଇ ଛିଡ଼ାହେଲେ । ସେମାନେ ତା’ର ଭାଇ, ଭଉଣୀମାନେ । ଭେଟେରିନାରୀ ଶେଷ ବର୍ଷରେ ପଢ଼ୁଥିବା ତୁନୁମୁନିଆ ଶ୍ରୀକାନ୍ତ, ତିନିଥରରେ ମାଟ୍ରିକ୍ୟୁଲେସନ୍ ପାଶ୍ କରିଥିବା ନବଘନ ଏବଂ ସବା ସାନ ଆରତି ତୁନିତାନି ଫୁସ୍‌ଫାସ ହେଲେ, “ତୁମେ ଆମର ଅଗ୍ରଜ, ଆମମାନଙ୍କର ଦାୟିତ୍ୱ ତୁମ ଉପରେ । ବିପ୍ଳବ, ଭଙ୍ଗାରୁଜା ଆଦି କାର୍ଯ୍ୟକଳାପରୁ କ୍ଷାନ୍ତ ହୁଅ । ତୁମେ ଗୁଣ୍ଡାଗିରି କଲେ ଆମକୁ ଲୋକେ ହସିବେ । ଆରତି ବାହା ହୋଇପାରିବନି । ହେ ଭ୍ରାତା ! ମସ୍ତକ ଅବନତ କର । ସର୍ବଂସହା ହୁଅ ।”

 

ତା’ପରେ ଶୁଣାଗଲା ଆକାଶରେ ଖିଲିଖିଲି ହସ । ସେ ମନ ଭିତରେ ଉପରକୁ ଚାହିଁଲା-। ସେଠି ତା’ ଚାରିପଟେ ଘେରି ରହିଥିଲା ନରକଙ୍କାଳର ସମୁଦ୍ର । ସେମାନେ ସବୁ ବିକିଟାଳ ହସରେ ପବନ ଥରାଇ କହୁଥିଲେ, “ବଡ଼ ବଡ଼ ଗଲେ ଫସରଫାଟି, ଇୟେ ଆସିଛନ୍ତି ବେଶର ବାଟି-। ହାଃ ହାଃ ହାଃ । ଇଏ କୁଆଡ଼େ ଦୁର୍ଭିକ୍ଷ ସମୟରେ ପାଣି ଯୋଗାଇ ଆମକୁ ମୃତ୍ୟୁମୁଖରୁ ଟାଣିବାକୁ ଅଣ୍ଟା ଭିଡ଼ିଥିଲା । ହାଃ ହାଃ ହାଃ….” ନିର୍ମାଣ କୁଆଡ଼େ ଗଲା, ଏବେ ବାବୁ ଗପ ଲେଖୁଛନ୍ତି । ଫିଙ୍ଗ୍, ଫିଙ୍ଗ୍ ସେ ଟୁକୁଡ଼ାଗୁଡ଼ାକ ।”

 

ଏଥର ତଳର କଳା ମଣିଷ ଓ ଉପରର କଙ୍କାଳମାନେ ତା’ ଚାରିପଟେ ଘୂରିବାକୁ ଲାଗିଲେ । କିଳିକିଳା ରଡ଼ିରେ ଗଗନ ପବନ କଂପୁଥିଲା । ତା’ର ମୁଣ୍ଡ ଘୂରିଗଲା । ସେ ଅନୁଭବ କଲା ସେ ମଧ୍ୟ ନିଜ ସ୍ଥାନରେ ଚକ୍‍କର ମାରି ଚିତ୍କାର କରୁଛି–“ପିଲାଖାଇ ଡାଆଣୀ ଲୋ, ମୋ ପିଲାକୁ ଖା । ହେଇ ଦେଖ, ତମ ଆଗରେ ଉଡ଼ାଇ ଦେଉଛି ଚିରା ଲଫାପାର ଟୁକୁଡ଼ାଗୁଡ଼ାକ, ୟା ପାଇଁ ଏତେ ଲୋଭ କାହିଁକି ? ମୋ ପିଲାକୁ ଖଣ୍ଡ ଖଣ୍ଡ କରି ତମ ଆଗରେ ଫୋପାଡ଼ି ଦେଉଛି । ନିଅ ଖାଅ, ଯେତେ ଇଛା ସେତେ । ଆହୁରି ଦରକାରପଡ଼ିଲେ ମୋ ବେକଟାକୁ ବି ମୋଡ଼ ।”

 

ସେ ଗୋଡ଼ ହାତ ଛାଟି ଘିର୍ ଘିର୍ ହୋଇ ନାଟ କରୁଥିଲା । ହଠାତ୍ ତା’ର ନତ୍ୟରତ ଦେହ ଗୋଟିଏ ଢିମା ରେନ୍ଥଡ଼ା ପଥରରେ ଠାଇକରି ବାଡ଼େଇହେଲା । ସେ ଆଖି ଖୋଲିଲା । ଏତେବେଳ ଯାଏଁ ରାସ୍ତା ମଝିରେ ଆଖି ବନ୍ଦ କରି ଦେଖୁଥିବା ସ୍ୱପ୍ନରେ ସେ ନିଜକୁ ନିଜେ ଚମକିଗଲା । ସେତେବେଳେ ଅଦୃଶ୍ୟ ହୋଇଯାଇଥିଲା ଧୂଳିଝଡ଼ ଓ ଖଣ୍ଡିଆଭୂତ ।

 

ଅଦୂରରେ ଚନ୍ଦ୍ରାବତୀ ନଈର କାଠପୋଲ ଓ ତା’ ପାଖରେ ଥିବା ବରଗଛ ସ୍ପଷ୍ଟ ଦେଖାଯାଉଥିଲା । ବରଗଛ ଗୋଟିଏ ଥୁଣ୍ଟା ଡାଳରେ ଡାମରା କାଉଟାଏ ଥଣ୍ଟ ମେଲାକରି କା କା ରଡ଼ି ଛାଡ଼ୁଥିଲା । ଧୂଳି ଓ ଝାଳରେ ଜୁଡ଼ୁ ବୁଡ଼ୁ, ଛାତି ଦୁଡ଼ୁ ଦୁଡ଼ୁ ଦେବବ୍ରତ, ଗୋଟିଏ ମଇଳା ଗନ୍ଧିଆ ରୁମାଲରେ ମୁହଁ ପୋଛୁପୋଛୁ କେଉଁ କାଳରୁ ଛିଡ଼ା ହୋଇଥିବା ଧତଡ଼ା କାଠପୋଲକୁ ଦେଖି ରାଗରେ ପାଚିଗଲା । ପୋଷ୍ଟମାଷ୍ଟରଙ୍କ ବାଣୀ ଓ ପ୍ରେତନୃତ୍ୟର ରାଗିଣୀ ତା’ ମନରେ ଯେଉଁ ଗରଳତକ ଭରି ଦେଇଥିଲେ, ସେ ସବୁକୁ ପୋଲଟି ଉପରେ ସେ ବାନ୍ତି କରିଦେଲା । ଜଣେ ଅସହାୟ ଧର୍ଷିତା ନାରୀର ସ୍ଵର ପରି ତା’ର ପାଟି ଶୁଭିଲା ।

 

“ରେ ବଜ୍ଜାତ୍ କାଠପୋଲ ! ମୋତେ ଛଇଛଟକ ଦେଖାଇ, ଭଲେଇଭାଲେଇ, ବାରବର୍ଷ ଘଣାପେଲାଇ, ଇଞ୍ଜିନିୟର କରି ଏବେ କେଉଁ ସାହସରେ ମୋ ବେକାରି ଜୀବନର ହନ୍ତସନ୍ତ ଦେଖୁଛୁ ? ଲାଜ ଲାଗୁନି ତୋ ପୋଡ଼ା ମୁହଁକୁ ? ତୁ…ତୁ ପୋଡ଼ିଯା, ଜଳିଯା’ ରଟରାଟ୍ ହୋଇ ଭଙ୍ଗିଯା, ଚୁନ୍‌ଚୁନା ହୋଇ ନଦୀରେ ପଡ଼ିଯା ।”

 

ତା’ କଥାକୁ ବେଖାତିର କରି ଦରଭଙ୍ଗା କାଠପୋଲଟା ପେଚା ପରି ତାକୁ ଚାହିଁଥିଲା ।

 

ଦୁଇ

 

କାଠପୋଲକୁ ଦେଖିବା ମାତ୍ରେ ସେ ସ୍ମୃତି ମେଞ୍ଚାକ ତା’ ମୁଣ୍ଡରେ ବିଛେଇ ହୋଇପଡ଼େ-

 

ବାରବର୍ଷ ତଳେ, ଯେତେବେଳେ ଦେବ ସପ୍ତମ ଶ୍ରେଣୀରେ ପଢ଼ୁଥାଏ, ଦିନେ ଏଇ ପୋଲବାଟେ ଖଣ୍ଡିଆଭୂତ ପରି ଗୋଟିଏ ଜିପ୍‌ଗାଡ଼ି ଗାଁ ଭିତରକୁ ଚାଲିଗଲା । ସୁଜନପୁର ଭଳି ନିପଟ ମଫସଲ ଗାଁକୁ ମଟରଗାଡ଼ି ଆଗମନ କ୍ୱଚିତ୍ । ଗାଁର ସବୁ ଛୁଆଙ୍କ ସାଙ୍ଗରେ ଦେବ ବି ମଟରଗାଡ଼ି ପଛେ ପଛେ ଦୌଡ଼ି ଯାଇଥିଲା । ଇସ୍କୁଲ ଘର ଆଗରେ ଗାଡ଼ି ଅଟକାଇ ପ୍ୟାଣ୍ଟ୍ ସାର୍ଟ ପିନ୍ଧା ହାକିମ ଜଣକ ବାପାଙ୍କ ସହିତ କ’ଣ ସବୁ କଥାବାର୍ତ୍ତା ହେବାର ସେ ଦେଖିଥିଲା । ବାପାଙ୍କୁ ସେ ଗାଡ଼ିରେ ବସାଇ କୁଆଡ଼େ ନେଇଯିବେ କି ? ସତେ ତ । ହେଇଟି, ବାପା ଯାଇ ଗାଡ଼ିରେ ବସିଲେଣି । ଏକମୁହାଁ ହୋଇ ଘରକୁ ଦୌଡ଼ିଆସି ତା’ ବୋଉକୁ ଖବରଟା ଦେଇଦେଲା । ସାନ ଭାଇ ଯୋଡ଼ିକ–ଶ୍ରୀକାନ୍ତ ଆଉ ନବଘନ, ସବା ସାନ ଭଉଣୀଟି ଆରତି–ସେମାନଙ୍କୁ ଡାକପକାଇ ତା’ ଆଶଙ୍କା ବିଷୟ କହିଲା ।

 

ଶୁଣୁ ଶୁଣୁ ଆରତି ଭେଁ କରି ଆସିଲା ବେଳକୁ ତାଙ୍କ ବାପା ନିତ୍ୟାନନ୍ଦ ଘରକୁ ଲେଉଟି ଆସିଲେ । ସଙ୍ଗେ ସଙ୍ଗେ ପିଲାମାନେ ଅସଂଖ୍ୟ ପ୍ରଶ୍ନ ବାଣରେ ତାଙ୍କୁ ପୋତିପକାଇଲେ ।

 

ନିତ୍ୟାନନ୍ଦ କହୁଥିଲେ–“ଆମ ଦେଶ ସ୍ଵାଧୀନ ହେଲା ପରେ ଜନମଙ୍ଗଳ ସରକାର ଲୋକଙ୍କର ଉନ୍ନତି ପାଇଁ ଉନ୍ନୟନମୂଳକ ଯୋଜନାମାନ କରୁଛନ୍ତି । ରାସ୍ତାଘାଟ ହେବ, ଜମିରେ ପାଣି ମଡ଼ାହେବ, ଶିକ୍ଷାର ପ୍ରସାର ହେବ, ଏମିତି କେତେ କ’ଣ । ତା’ପାଇଁ ପ୍ରଥମେ ଗାଁଗଣ୍ଡା ମାପଚୁପ କରିବାକୁ ହେବ । କେଉଁଠି କେଉଁ ସୁବିଧା ଅସୁବିଧା ଅଛି ଦେଖିନେବାକୁ ପଡ଼ିବ । ଆଜି ଯେଉଁ ବାବୁଜଣକ ଆସିଛନ୍ତି, ସେ ଜଣେ ଇଞ୍ଜିନିୟର । ଆମ ଗାଁରେ ତମ୍ବୁ ପକାଇ ରହିବେ । ଗୋଟିଏ ଜଳସେଚନ ଯୋଜନା ମାପଚୁପ କରିବେ ।”

 

–“ବାପା, ଇଂଜିନିୟରମାନେ କି କାମ କରନ୍ତି ?”

 

–“ସମସ୍ତ ଗଢ଼ାଗଢ଼ି କାମ ଇଂଜିନିୟରମାନେ କରନ୍ତି । ପ୍ରାକୃତିକ ପଦାର୍ଥଗୁଡ଼ିକୁ ଛାଡ଼ିଦେଲେ ଯାହାସବୁ ପ୍ରତିଦିନ ଆମେ ଦେଖୁ, ତାକୁ କେହି ନା କେହି କାରିଗର କରିଛନ୍ତି । କୋଣାର୍କ, ପୁରୀ ମନ୍ଦିର ମଧ୍ୟ ସେକାଳରେ ଇଂଜିନିୟର କରିଥିଲେ । ଆଜି ବିଦ୍ୟା ଏତେ ବଢ଼ିଯାଇଛି ଯେ ଯାନ୍ତ୍ରିକ ଉପାୟ ଛଡ଼ା ବଞ୍ଚିରହିବା ମଧ୍ୟ କଷ୍ଟକର । ସେ ବିଷୟରେ ତୁ ପଢ଼ିଲେ ଜାଣିବୁ ।”

 

ସେଇଦିନଠୁ ରୋଜ୍ ସପ୍ତମ ଶ୍ରେଣୀର ଗ୍ରନ୍ଥ ଦେବବ୍ରତ ଚାଲିଲା କୋଟ୍, ସାର୍ଟ ପିନ୍ଧା ନୂତନ ଆଗନ୍ତୁକ ଇଞ୍ଜିନିୟର ଯୋଗେସଚନ୍ଦ୍ରଙ୍କ ପାଖକୁ ସକାଳୁ ସକାଳୁ ବହୁ ଶ୍ରମିକଙ୍କ ମେଳରେ ଯୋଗେଶବାବୁ ଦୂର ଜଙ୍ଗଲକୁ ଯାଆନ୍ତି । ପ୍ରଚଣ୍ଡ ଖରାରେ ନିର୍ବିକାର ଭାବେ ସେ କାମ କରୁଥାନ୍ତି । କାମରୁ ଫେରିଲାବେଳେ ତାଙ୍କର ଝାଳ ସାଲୁବାଲୁ ମୁଁହରେ କିନ୍ତୁ ଅବସାଦର ଛାଇ ପଡ଼େନାହିଁ ।

 

ଦେବକୁ ଦେଖିଲେ ଇଞ୍ଜିନିୟର ବାବୁ କହନ୍ତି– “କଷ୍ଟ କର । କଷ୍ଟ କଲେ ଯାଇ ତୁମର ଓ ଦେଶର ଉନ୍ନତି ହେବ ।”

 

ଯୋଗେଶ ବାବୁଙ୍କ କଥା ଓ ବ୍ୟକ୍ତିତ୍ଵରେ କି କିମିଆ ଥିଲା କେଜାଣି, ଦେବ ମନ୍ତ୍ରମୁଗ୍‌ଧ ହୋଇ ତାଙ୍କ କଥା ଘଣ୍ଟା ଘଣ୍ଟା ଧରି ଶୁଣୁଥିଲା । କେତେ କଥା ଡାଇରିରେ ଟିପି ରଖୁଥିଲା ।

 

ଦିନେ ଯୋଗେଶ ବାବୁ କହିଥିଲେ–“ଦେଖ, ତୁମ ଗାଁରେ ଲୋକେ ଚଳନ୍ତି କିପରି ? ତୁମ ବାପା ମାଷ୍ଟର । କିନ୍ତୁ ପାଖାପାଖି ପନ୍ଦରଟି ଗାଁରେ ଗୋଟିଏ ବୋଲି ସ୍କୁଲ । ଏଠି ତେଣୁ ଚାକିରି କରନ୍ତି ମୋଟେ ପାଞ୍ଚ ଛ ଜଣ ମଣିଷ । ଆଉ ସମସ୍ତେ ଖାଲି ଜମି ଉପରେ ନିର୍ଭର କରନ୍ତି । ଚାଷ ବା କ’ଣ ? ବାପା ଅଜା ଅମଳରେ ଯେମିତି କରୁଥିଲେ ଏବେ ବି ସେମିତି । ବର୍ଷକରେ ଯେଉଁ ଥରେମାତ୍ର ଚାଷ କରାଯାଏ, ତା’ ପାଇଁ ମଧ୍ୟ ଆକାଶକୁ ଚାହିଁ ରହିବାକୁପଡ଼େ । ଭଲ ନ ବରଷିଲେ, ସଫା ଦୁର୍ଭିକ୍ଷ । ଭାଉ ବଢ଼ିବ ମହାଜନମାନେ ଗରିବ ଚାଷୀଙ୍କ ଉପରେ ଜୁଲୁମ କରିବେ-। ଯେମିତି ଗତବର୍ଷ ହୋଇଥିଲା… ।”

 

ସତେ ତ । ଗଲାସନ ଆଷାଢ଼ ମାସରେ ଯାହା ମନ୍ଦାଏ ବର୍ଷା ହୋଇଥିଲା । ସେଇଠୁ ଆଉ ନାହିଁ । ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ କେତେ ହୋମ–ଯଜ୍ଞ, ସଂକୀର୍ତ୍ତନ କଲେ; ସୁନା ଡଙ୍ଗା, ରୁପା ଡଙ୍ଗା ଭସେଇଲେ । ତଥାପି କିଛି ହେଲାନାହିଁ । ବିଲରେ ଧାନଗଛ ସବୁ ଘାସ ପରି ଜଳି ପୋଡ଼ିଗଲା । ଯାହାର ପଇସା ଥିଲା ସେମାନେ ପଦାରୁ ଧାନ କିଣି ଆଣିଲେ । ଅନ୍ୟମାନଙ୍କ ଘରେ ଚୁଲି ଜଳିଲା ନାହିଁ ।

 

ଯୋଗେସଚନ୍ଦ୍ର କହିଦେଲା– ‘ଇନ୍ଦ୍ରଦେବତା ଯେଉଁ ପାଣି ପୃଥିବୀ ଉପରେ ପକାନ୍ତି, ସେ ପାଣିରେ କିଛି ଫରକ ନ ଥାଏ । ଛାତ ଉପରେ ଯେଉଁ ପାଣି ପଡ଼େ, ସେଇ ପାଣି କ୍ଷେତରେ ପଡ଼େ, ଆଉ ସେଇ ପାଣି ବଣ ପାହାଡ଼ରେ ପଡ଼େ । ତା’ ଭିତରୁ କେତେ ପାଣି ଭୂଇଁ ଭିତରେ ରହିଯାଏ, ବାକିତକ ନଦୀରେ ବହିଯାଏ । ….ଆଚ୍ଛା, ତମ ଗାଁ ପାଖରେ ତ ନଈଟିଏ ବହିଯାଉଛି । ପାଣି ପାଇଁ ଆମେ ଆଉ ଆକାଶକୁ ଚାହିଁବା କାହିଁକି ? ନଈକୁ ବାନ୍ଧି ଅଟକାଇଦେଇ ସେଠୁ କେନାଲଦ୍ୱାରା ପାଣିକୁ ଆମେ ଗହୀରଯାକ ମଡ଼େଇ ପାରିବା ।”

 

ସୁଉଟ୍ କରି ଦିନେ ଏଇ ପୋଲବାଟ ଦେଇ ଯୋଗେଶ ବାବୁ ସୁଜନପୁରକୁ ଆସି, କିଛିଦିନ ପରେ ଫୁର୍ କରି ଉଡ଼ିଗଲେ ପୋଲ ସେପାରିର କେଉଁ ଏକ ଅଜଣା ରାଇଜକୁ । ତାଙ୍କର କଥା ଓ କାର୍ଯ୍ୟ ଦେବର କଅଁଳ ମୁଣ୍ଡରେ ଅନିଭା ଛାପ ପକାଇଦେଇଥିଲା । ଗଜୁରି ଉଠିଥିଲା ଗୋଟିଏ ସ୍ୱପ୍ନ–ସେ ବଡ଼ ହେଲେ ଇଞ୍ଜିନିୟର ହେବ । ଶାରୀରିକ ଓ ମାନସିକ ଗୁଣାବଳୀର ବିକାଶ ସାଧନାରତ ରହିଲା । ଅଳ୍ପଦିନ ମଧ୍ୟରେ ତା’ର କୃତିତ୍ୱ ସବୁ ସ୍ତରରେ ମହକିଉଠିଲା । ପଢ଼ାରେ ପ୍ରଥମ, ଦୌଡ଼ରେ ପ୍ରଥମ, ଚିତ୍ରାଙ୍କନ, ଗଳ୍ପଲିଖନ କିମ୍ବା ଫୁଟବଲ୍ ଖେଳ, ପ୍ରତ୍ୟେକଟି କାର୍ଯ୍ୟରେ ସେ ହେଲା ଅଗ୍ରଣୀ ।

 

ସୁନେଲୀ ଭବିଷ୍ୟତର ଦିଗ୍‌ବଳୟକୁ ଅନାଇ ସେ ହେଉଥିଲା ଆତ୍ମହରା । ସେଥିପାଇଁ ଇଂଜିନିୟରିଂର ଶେଷବର୍ଷ ପର୍ଯ୍ୟନ୍ତ ଦେବବ୍ରତ ଥିଲା ସଦା ଚଞ୍ଚଳ, କଥାକୁହାଳି ଏବଂ କୌତୁକ–ପ୍ରିୟ । ଟିକିଏ କଥାରେ ପାଟି ମେଲାକରି, ଛାମୁଦାନ୍ତ ଆଗରେ ବିଶି ଆଙ୍ଗୁଠି ଥୋଇ ସେ ଫିଁ ଫିଁ ହସି ଗଡ଼ିଯାଏ । ପାନଖିଆ ତୁଣ୍ଡର ଆକର୍ଣ୍ଣପ୍ରସାରିତ ହସ, ବେଳେବେଳେ ଲାଳ ଗଡ଼ାଇ ପିନ୍ଧିଥିବା ହାୱାନିକୁ ବର୍ଣ୍ଣାଢ଼୍ୟ କରିଦିଏ । ପାଞ୍ଚ ଫୁଟ୍ ଛ ଇଞ୍ଚର ଡେଙ୍ଗା, ପତଳା, ସାବନା ଦେବବ୍ରତ ବେଳେବେଳେ ହଠାତ୍ ଗମ୍ଭୀର ହୋଇଯାଏ । ଆଖି ଦାର୍ଶନିକର ଆଖିପରି, ଭୂରୁ କୁଞ୍ଚିତ, ଲଲାଟ ଚିନ୍ତାଗ୍ରସ୍ତ । ସେତେବେଳେ ତା’ କଥା ଶୁଭେ ଗୋଟିଏ ପାକେଲା ବୁଢ଼ାର କଥାପରି ।

 

ଅତୀତ କଥା ଭାବିଲାବେଳକୁ ଦେବର ଛାତିଭିତର ରୁନ୍ଧି ହୋଇଯାଏ । ସେ ଦୀର୍ଘନିଃଶ୍ଵାସ ଛାଡ଼େ । ପିଲାଦିନର ସମସ୍ତ ଘଟଣା ତାକୁ ନିହାତି ବାୟାମୀ ଜଣାପଡ଼େ ।

 

ସୁଜନପୁର ଗାଁର ଦକ୍ଷିଣକୁ ଅଧମାଇଲ ଦୂରରେ ବହିଯାଉଥିଲା ଚନ୍ଦ୍ରାବତୀ ନଈ ତା’ର କଳ କଳ ସଙ୍ଗୀତ ଗାଇ ଗାଇ । ନଈଖଣ୍ଡିରେ କେଉଁକାଳୁ ଛିଡ଼ାହୋଇ ରହିଥିଲା ଝଙ୍କାଳିଆ ବରଗଛଟିଏ । ତା’ର ପତ୍ରମାନଙ୍କର ଟିକି ଟିକି ବୀଣାରେ ରୁଣୁଝୁଣୁ ଝଙ୍କାର ଉଠୁଥାଏ । ସଞ୍ଜ ବୁଡ଼ିଥାଏ । ଦେବ ଯାଇ ତା’ର ସେହି ଚିହ୍ନା ଗଛମୂଳେ ବସିଲା । ସାମ୍ନାକୁ ଚାହିଁଲା । ପଶ୍ଚିମ ଦିଗ୍‌ବଳୟର ଫିକା ନାଲିକୁ ଅନ୍ଧାର ଗ୍ରାସ କରୁଛି । ଦୀର୍ଘଶ୍ଵାସ ପକାଇ ସେ ମୁହଁ ବୁଲେଇଦେଲା । ଦି’ ଆଣ୍ଠୁ ମଝିରେ ମୁଣ୍ଡ ମାଡ଼ିଦେଇ ଅନାଇଁ ରହିଲା ଚନ୍ଦ୍ରାବତୀ ନଈର ଚହଲା ପାଣି ସୁଅକୁ ।

 

ପାହାଡ଼ିଆ ନଈ ଚନ୍ଦ୍ରାବତୀର ପ୍ରସ୍ତ ଦୁଇଶହ ଫୁଟରୁ ବେଶି ହେବ ନାହିଁ । ବଇଶାଖୀ ଝାଞ୍ଜିରେ ନଈ ଶୁଖି ସରୁ ଧାର ହୋଇଯାଇଛି । ଖାଲି ବାଲି, ଆଉ ବାଲି । ବଡ଼ ବଡ଼ ରେଞ୍ଚେଡ଼ା ପଥର ଆଗୁଳମାନ ଏଡ଼ି ଏଡ଼ି ଛୋଟିଆ ନଈ ସୁଅର ଗତି । କଷ୍ଟ, କିନ୍ତୁ ଅବିରାମ, ଅବାରିତ । ତା’ର ଛୁଆଁ ଲାଗି ତତଲା ପବନ ବି ଶୀତଳ ହୋଇଯାଉଥିଲା ।

 

ଦେବର ଆଖି ବୁଜି ହୋଇଗଲା । କେତେବେଳେ ଗଲା । ସେ ଆଖି ଖୋଲି ବଲ ବଲ କରି ଚାରିଆଡ଼କୁ ଅନାଇଲା । ଆଶ୍ଚର୍ଯ୍ୟ, ଏ ଯେ ତା’ ଆଖିଆଗରେ ସଂସାରଟା ଦୌଡ଼ୁଛି । ଯାହା ଦେଖୁଛି, ସବୁ ଖାଲି ଦୌଡ଼ି ପଳାଉଛି । ପବନ, ଜହ୍ନ, ବଉଦ ଖଣ୍ଡମାନ, ନଈ ପାଣି ସମସ୍ତେ । ସେଦିନ ଦଶମୀ ତିଥି । ମୁଣ୍ଡ ଉପରେ ଝାପ୍‌ସା ଝାପ୍‌ସା ହୋଇ ଜହ୍ନ । ନଈପାଣି ଦିଶୁଥାଏ ରୁପେଲି, ସାନ ସାନ ଢେଉ କୁଲୁରୁଥାନ୍ତି, ପବନ ସିଟି ମାରୁଥାଏ । ସମସ୍ତେ କିନ୍ତୁ ଆଗେଇ ଚାଲିଛନ୍ତି ।

 

ଦେବବ୍ରତ ଦେଖୁଥିଲା, ଏଇ ଚାଲିବା ସହିତ ଅତି ନିବିଡ଼ ଭାବେ ଛନ୍ଦି ହୋଇ ରହିଛି ସଂଘର୍ଷ ଆଉ ଉନ୍ମାଦନା ।

 

କେତେ ବନ୍ଧୁର ଉପଳଖଣ୍ଡମାନଙ୍କରେ ବାଡ଼େଇ ହୋଇ ଆଗେଇ ଚାଲିଛି ଚନ୍ଦ୍ରାବତୀର କ୍ଷୀଣ ତନୁ ସାଗର ଆତ୍ମହରା ହୋଇ ମିଶିଯିବା ପାଇଁ ନିଜର ସତ୍ତା ଲୁପ୍ତ ହେଉ ପଛେ, ସାଗରସଙ୍ଗମର ମଧୁଚନ୍ଦ୍ରିକା ତୋଳିବା ପାଇଁ କି ଉନ୍ମାଦନା ତା’ର !

 

କେତେ ଗିରି କନ୍ଦର ଡେଇଁ ପବନ ଧାଇଁଛି, ପୃଥିବୀର ଏପଟରୁ ସେପଟ ଯାଏଁ, ଅଗଣିତ ପଶୁପକ୍ଷୀ, ବୃକ୍ଷଲତା, କୀଟ ପତଙ୍ଗର ସୁଖ ପାଇଁ । ପୃଥିବୀ ଓ ଆକାଶକୁ ଦ୍ୟୁତିମୟ କରିବା ପାଇଁ ଅସଂଖ୍ୟ ମେଘକୁ ପରାସ୍ତ କରି କରି ଜହ୍ନମାମୁଁ ଧାଉଁଛି । ସଂଘର୍ଷ ଭିତରେ ବି ତା’ମୁହଁର ହସ କେବେ ଲିଭି ନାହିଁ ।

 

ଦେବର ଦେହରେ ଏକ ଶିହରଣ ଖେଳିଗଲା । ସେ ଉପଲବ୍‌ଧି କଲା, ଏ ବିଶ୍ୱ ସଂଘର୍ଷମୟ । ଆଗକୁ ଅଗ୍ରସର ହେବା ହିଁ ମଣିଷର ଧର୍ମ ।

 

ପରିଣତି ଯାହାହେଉ ପଛେ, ବାଟରେ ଯେତେ ବାଧାବିଘ୍ନ ଆସୁ ପଛେ, ଆଦର୍ଶକୁ ଆଖିରେ ରଖି ଆଗେଇଯିବା ଉଚିତ । ଗତାନୁଗତିକ ଭାବେ ପନିପରିବା ଭଳି ଦିନ କାଟିବାରେ ଜୀବନର ସ୍ୱାଦ ନାହିଁ କିମ୍ବା ଚାକିରି ପାଇଁ ଆଁ ମେଲାଇ ବସିବାରେ ଲାଭ ନାହିଁ । ଦେବର ମନେହେଉଥିଲା ସେ ଯେପରି ଗୋଟାଏ ନୂତନ ଶକ୍ତିକୁ ମୁଠେଇ ଧରିଛି । ବହୁଦିନରୁ ଶୁପ୍ତ ଆତ୍ମବଳ ସେ ଫେରିପାଇଛି ।

 

ଦେବବ୍ରତ ଭାବିଲା ସେ ମଧ୍ୟ ଅଗ୍ରସର ହେବ । କେଉଁ ଦିଗରେ ଅଗ୍ରସର ହେବ ? ପ୍ରଥମେ ତା’ର ମନେପଡ଼ିଲା ବାପାଙ୍କ ସାଙ୍ଗ ବିଶ୍ୱନାଥ ପଣ୍ଡିତେ ଗାଁ ସ୍କୁଲର ଶିକ୍ଷକତା ଭିତରେ ମୁଣ୍ଡ ଗୁଞ୍ଜିଦେବାକୁ ବାରମ୍ବାର ପ୍ରବୋଧନା ଦେଉଛନ୍ତି । ଅନ୍ନଚିନ୍ତା ବଡ଼ ଚିନ୍ତା । ପ୍ରଥମେ ଉଦର ପୋଷଣ ପାଇଁ ସଂସାରରେ କିଛି ଅର୍ଥ ଉପାର୍ଜନ କରିବା ଉଚିତ୍ ।

 

ଖାଇପିଇ ସାଧାରଣ ମଣିଷ ଭାବେ ଚଳିବାକୁ ହେଲେ ନିଜର ଶାରୀରିକ ବଳ ଉପରେ ବି ନିର୍ଭର କରି ହେବ । ସେ କୌଣସି କାମ କରିବାକୁ ଲଜ୍ଜାବୋଧ କରେ ନାହିଁ । ଶିକ୍ଷକତା ତ ଆହୁରି ବଡ଼ ଦାୟିତ୍ୱପୂର୍ଣ୍ଣ କାମ ଓ ଏଥିରେ ସେ ପ୍ରଚୁର ଆନନ୍ଦ ମଧ୍ୟ ପାଇବ । କିନ୍ତୁ ତା’ର ଜୀବନର ଲକ୍ଷ୍ୟ କ’ଣ ଏଇଆ ? ଦୀର୍ଘ ବାରବର୍ଷ ଧରି ସେ କେଉଁ ସ୍ୱପ୍ନରେ ମତୁଆଲା ହୋଇଉଠିଛି ?

 

ଦେବର ମନ ଅସ୍ଥିର ହେଲା । ବରଗଛ ମୂଳେ ଚିତ୍ ହୋଇ ଶୋଇ ଆକାଶର ଜହ୍ନକୁ ଦେଖିଲା । ସେତେବେଳେ ଯୋଗେଶ ବାବୁଙ୍କ କଥା ଗୋଟି ଗୋଟି ହୋଇ ତା’ର ମନେପଡ଼ିଲା । ବାରବର୍ଷ ତଳେ ଦେଶର ବିଶେଷକରି ପଲ୍ଲୀଗ୍ରାମଗୁଡ଼ିକର ଯେଉଁସବୁ ସମସ୍ୟା ଯେମିତି ରହିଥିଲା ଆଜି ମଧ୍ୟ ସେମିତି ଅଛି । ଏବେ ମଧ୍ୟ ବହୁ ଶିଳ୍ପାନୁଷ୍ଠାନ, ବହୁ ନିର୍ମାଣ କାର୍ଯ୍ୟ କରିବାକୁ ବାକି ପଡ଼ିଛି । ଏତେଗୁଡ଼ାଏ କାମ କରିବାକୁ ବାକି ଥାଇ ମଧ୍ୟ କାହିଁକି ସରକାରୀ ଚାକିରି ନାହିଁ ? ବୋଧହୁଏ ପୂର୍ବ ଯୋଜନାଗୁଡ଼ିକ ଲାଭପ୍ରଦ ହେଲାନାହିଁ । ଦେବବ୍ରତ ପୁଣି ଭାବିଲା, ସରକାରୀ ଚାକିରି ପ୍ରତି ଏତେଟା ଲୋଭ ରଖିବା ଉଚିତ୍ ନୁହେଁ । ବ୍ୟକ୍ତିବିଶେଷଙ୍କ କୌଣସି ଉନ୍ନତ ଚିନ୍ତା ସରକାରୀ ଚାକିରି ଭିତରେ କାର୍ଯ୍ୟକାରୀ କରିହୁଏନି ବୋଲି ସେ ଶୁଣିଛି । ବହୁ ଲୋକଙ୍କର ଚାକିରି କରିବା ପରେ ଉଦାସୀନତା ଚାଲିଆସେ, ଦେଶସେବା ମନରୁ ପୋଛି ହୋଇଯାଏ ।

 

ସେ ପାଠ ପଢ଼ିଛି, ଜ୍ଞାନ ଆହରଣ କରିବା ପାଇଁ, ଯାତ୍ରା ପଥରେ ଯେଉଁସବୁ ସମସ୍ୟା ଦେଖାଦେବ ତା’ର ଆଶୁ ସମାଧାନ କରିବା ପାଇଁ । ଜ୍ଞାନ ଯଦି ଆତ୍ମବଳ ଓ ମନକୁ ଶକ୍ତି ଯୋଗାଇ ନ ପାରିଲା, ତେବେ ସେ ପଢ଼ାରେ କି ଲାଭ ? ତେଣୁ ନିଜେ କିଛି ଧନ୍ଦା କଲେ ବରଂ ମାନସିକ ଶାନ୍ତି ମିଳିବ । ନିଜେ ତା’ହେଲେ କ’ଣ କରିପାରିବ ? ହାତରେ ଟଙ୍କା ନାହିଁ; ଟଙ୍କା ଥିଲେ ଉପାୟମାନ ଆପେ ଦେଖାଦିଅନ୍ତି । ଟଙ୍କା କଥା ଭାବିଲା ବେଳକୁ ସବୁକିଛି ଗୋଳମାଳ ହୋଇଗଲା ।

 

ହଠାତ୍ ଗୋଟିଏ କଥା ତା’ର ମନେପଡ଼ିଲା । ବିଦ୍ୟୁତ୍ ଇଞ୍ଜିନିୟର ବନ୍ଧୁ ବିଜୟ ସେଦିନ କହୁଥିଲା–“ଆମେ ଯଦି କେତେଜଣ ମିଶି ଗୋଟାଏ ସମବାୟ ସଂସ୍ଥା ଗଠନ କରିବା, ତେବେ ବ୍ୟାଙ୍କରୁ ଋଣ ସୂତ୍ରରେ ଟଙ୍କା ଆଣି ଯେକୌଣସି ଧନ୍ଦା କରିପାରିବା । କିନ୍ତୁ ଏହା ନିର୍ଭର କରେ ଏକ ଉନ୍ନତ ବିଧିବଦ୍ଧ ଯୋଜନା ଉପରେ ।”

 

ଏହା ଶୁଣି ବନ୍ଧୁ ଅନାଦି ପରିହାସ କରିଥିଲା । ହସ ଓ ଥଟ୍ଟାରେ ସେ କଥାକୁ ଏମିତି ଉଡ଼ାଇଦେଲା ଯେ କେହିହେଲେ ବିଜୟକୁ କର୍ଣ୍ଣପାତ କଲେନାହିଁ । ଅନାଦି ବଡ଼ ଲୋକର ପୁଅ, ସେ ପରିଶ୍ରମକୁ ଡରେ । ତା’ର ଝୁଙ୍କ୍ ସେ ସରକାରୀ ଚାକିରି କରିବ, ବିଳମ୍ବରେ ହେଉପଛେ । ଛାଡ଼ ତା’ କଥା ।

 

ବର୍ତ୍ତମାନ ପରିସ୍ଥିତିରେ ବିଜୟର କଥା ଉପରେ ହିଁ ଗୁରୁତ୍ୱ ଦେବାକୁ ପଡ଼ିବ । ତା’ହେଲେ କେଉଁ ଧନ୍ଦା ଲାଭପ୍ରଦ ହେବ ? କ’ଣ କଲେ ନିଜର ଜୀବିକାର୍ଜ୍ଜନ କରିବା ସଙ୍ଗେ ସଙ୍ଗେ ଲୋକଙ୍କର ବି କିଛି ଉନ୍ନତି କରିହେବ ?

 

କୌଣସି ଏକ ଶିଳ୍ପ କଥା ଧରାଯାଉ । କାରଖାନା କରିବାକୁ ହେଲେ ପ୍ରଥମେ କଞ୍ଚାମାଲ ଉପରେ ଦୃଷ୍ଟି ଦେବାକୁ ହେବ, ତା’ପରେ ବଜାର । କଞ୍ଚାମାଲର ଅସୁବିଧା ନାହିଁ । ପ୍ରଧାନ ସମସ୍ୟା ହେଲା କାରଖାନାରୁ ଉତ୍ପାଦିତ ଜିନିଷ ପାଇଁ ବଜାର । ଆଜିକାଲି ଲୁହା, କାଚ ଇତ୍ୟାଦିର ଯେଉଁ ଦରକାରୀ ଓ ସୌଖିନ ଜିନିଷ ସବୁ ଉତ୍ପାଦନ କରାଯାଉଛି, ସେଗୁଡ଼ିକ କେତେଜଣ କିଣି ପାରୁଛନ୍ତି ? ଦେଶର ପ୍ରାୟ ୮୦ ଭାଗ ଲୋକ ହେଲେ ଖଟିଖିଆ ଚାଷୀ, ସେମାନଙ୍କର କ୍ରୟଶକ୍ତି ଏତେ କମ୍ ଯେ ସେମାନେ ଶିଳ୍ପଜାତ ଦ୍ରବ୍ୟ କିଣି ପାରନ୍ତି ନାହିଁ । କାରଖାନାଗୁଡ଼ିକରୁ ଯାହାସବୁ ଉତ୍ପାଦନ କରାଯାଏ, ପ୍ରଧାନତଃ ସେଗୁଡ଼ିକ ବଳକା ୨୦ ଭାଗ ଲୋକଙ୍କ ଭିତରେ ହିଁ ସୀମିତ ରହେ । ତେଣୁ ବର୍ତ୍ତମାନ ୮୦ ଭାଗ ଲୋକଙ୍କର ଯାହା ନିତାନ୍ତ ଦରକାର ସେଗୁଡ଼ିକ ଉତ୍ପାଦନ କରିପାରିଲେ ହୁଏତ ଲାଭ ହେବ ।

 

ଏହି ୮୦ ଭାଗ ଲୋକଙ୍କର ପ୍ରଧାନ ଜୀବିକା ହେଲା କୃଷି । କୃଷିର ଉନ୍ନତି ଦିଗରେ କିଛି କରିପାରିଲେ ତଥା ଆମର ଉତ୍ପାଦନ ବଢ଼ାଇ ଦେଶକୁ ଖାଦ୍ୟ ଦିଗରେ ସ୍ଵାବଲମ୍ବୀ କରାଇପାରିଲେ କୃଷକଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବା ସଙ୍ଗେ ସଙ୍ଗେ ଦେଶର ବି ପ୍ରଭୂତ ଉପକାର ସାଧିତ ହୋଇପାରିବ । ସେମାନଙ୍କର କ୍ରୟଶକ୍ତି ବଢ଼ିଲେ ଅନ୍ୟାନ୍ୟ ଶିଳ୍ପ ମଧ୍ୟ ଲାଭଜନକ ହେବ ।

 

ଦେବ ମନେମନେ ସ୍ଥିର କଲା ଯେ, ସେ ନିଶ୍ଚୟ ନିକଟରେ ରାଜଧାନୀକୁ ଯିବ । ସେଠାରେ ବିଜୟ ଓ ଅନ୍ୟ ସାଙ୍ଗମାନଙ୍କ ସହିତ ମିଶି ଗୋଟିଏ କୃଷି ସମବାୟ ଯୋଜନା ପ୍ରସ୍ତୁତ କରିବ ।

 

ଦୀର୍ଘ ସମୟ ପରେ ଘରକୁ ଫେରିଆସିବା ବେଳେ ଦେବବ୍ରତର ମନେହେଉଥିଲା, ସତେଯେମିତି ସେ ଜମିରେ ଚାଷ ସାରି ଗୋଟିଏ ଟ୍ରାକ୍‌ଟର ଚଳାଇ ଗାଁ ଭିତରକୁ ପଶି ଯାଉଛି । ସାମନାରୁ ଆରତି ନାଚି କୁଦି ତା’ଆଡ଼କୁ ଧାଇଁଆସୁଛି । ତା’ପଛରେ ରହିଛନ୍ତି ଗ୍ରାମର ଅନେକ ଲୋକ । ସମସ୍ତଙ୍କ ମୁହଁରେ ହସ ଓ ଦେବବ୍ରତକୁ ପାଛୋଟି ନେବାର ଭଙ୍ଗୀ । କେତେ ରକମର ଚିତ୍ର ଦେବବ୍ରତର ମୁଣ୍ଡ ଭିତରେ ଉଂକିମାରିଲା ।

 

ଘର ଭିତରେ ପଶିଗଲାବେଳେ ସେ ଲକ୍ଷ୍ୟକଲା ତା’ର ଅଲକ୍ଷ୍ୟରେ ସେ କେତେବେଳୁ ଗୁଣୁ ଗୁଣୁ ହୋଇ ଗୀତ ଗାଉଛି । ସେ ଜିଭ କାମୁଡ଼ି ସିଧା ରୋଷେଇଘର ପର୍ଯ୍ୟନ୍ତ ମାଡ଼ିଗଲା ।

 

ଆରତି ରୋଷେଇ କରୁଥିଲା । ଦେବବୋଉ ଠାକୁରଘରେ ପୁରାଣ ପଢ଼ୁଥିଲେ । ଦେବ ଆରତି ପାଖକୁ ଲାଗିଯାଇ ତା’ କାନରେ କହିଲା–“ରତି ଲୋ, ଶୁଣ । ମୁଁ ଆଜି ଗୋଟିଏ ଧନ୍ଦା କଥା ଭାବିଛି । ଅବଶ୍ୟ କିଛି ଗୋଟାଏ ସଠିକ୍ ଧନ୍ଦା ଖୋଜି ପାଇନି । କିନ୍ତୁ ଗୋଟିଏ ଆଇଡ଼ିଆ କରିସାରିଲିଣି । ମୋର କାହିଁକି ମନେହେଉଛି ତୁ ମଧ୍ୟ ଅନେକ କାମ କରିପାରିବୁ ।”

 

ଆରତି ହସି ହସି ଗଡ଼ିଗଲା । କହିଲା, “ତୁମେ ଇଞ୍ଜିନିୟର ଲୋକ । ଚାହିଁଲେ ଶୂନ୍ୟରେ ଘର କରିପାରିବ । କିନ୍ତୁ ମୋ ହାତରେ ଖଡ଼ା ସିଝିବନି ଯେ ।”

 

–“ଆଚ୍ଛା କଥା, ଆଜିକାଲି ପରା ଝିଅମାନେ ପୁଅମାନଙ୍କ ପରି ସବୁ କାମ କରୁଛନ୍ତି । ତୁ କାହିଁକି ପାରିବୁନି ? କେବଳ ଇଞ୍ଜିନିୟର, ଡାକ୍ତର ଦୁନିଆଟାକୁ ଟେକି ଧରିନାହାନ୍ତି ମ ।”

 

–“ତୁମେ କ’ଣ କହୁଛ ମୁଁ ବୁଝିପାରୁନି । କି କାମ କଥା କହୁଛ ଯେ ?”

 

–“କହିବି, ସବୁ କହିବି । ମୁଁ ପ୍ରଥମେ ରାଜଧାନୀକୁ ଯାଏ, ତା’ପରେ ସବୁ । ଏଇଲାଗେ ପରା ଚନ୍ଦ୍ରାବତୀ କୂଳରେ ମୁଁ ସ୍ୱପ୍ନ ଦେଖି ଆସିଲି । ମୁଁ ଠିକ୍ ଠିକ୍ ଦେଖିଛି, ତୁ ଅନେକ କାମ କରିଯାଉଛୁ ।”

 

କିଛି ନ ବୁଝି ମଧ୍ୟ ଆରତିର ମୁହଁ ପାହାନ୍ତିତରା ପରି ଝଲସିଉଠିଲା । ବଡ଼ ବଡ଼ ଆଖି କରି ଉଚ୍ଚସ୍ୱରରେ ସେ କହିଲା, “ସତେ ? ଆଲୋ ବୋଉ, ଶୁଣୁଛୁ ?”

 

ତିନି

 

–“ଏଇ ଯେ ସିଂ ବାବୁ ! ଜୁହାର ଆଜ୍ଞା । ଇହିଃ… ଦୁଆର ମୁହଁରେ ପିଲାଟି ହଗିଦେଇଛି ଆଜ୍ଞା, ଟିକିଏ ଦେଖିଚାହିଁ ଆସନ୍ତୁ । ଆବେ ବିମା, ଶଳା କେତେ ଯୁଗ ଧରି ଘର ମଇଳା କରି ରଖିଥିବବେ ।”

 

କେନ୍ଦୁପଦର ଏମ୍. ଏଲ୍. ଏ. ଶ୍ରୀମାନ ବଳଭଦ୍ର ସିଂ ମୁଣ୍ଡନୁଆଁଇ ବ୍ରଜମୋହନର ଘର ଭିତରକୁ ଝପଟି ଆସୁଥିଲେ । ମଇଳା ଶବ୍ଦ ଶୁଣି ସେ ଡେଇଁପଡ଼ିଲେ, ଯଦିଓ ଜାଣିଥିଲେ ଯେ, ସେ ମଇଳା କ୍ଷେତ୍ରକୁ ପାର ହୋଇସାରିଛନ୍ତି । ତା’ପରେ ଶ୍ରୀମୁଖରେ ମୃଦୁ ହସର ଲୀଳା ଖେଳାଇ ଝୁଲହାତୀ ଭଳି ପାହୁଣ୍ଡ ପକାଇଲେ । ଚୌକିରେ ବସିଲା ପରେ ଦୀର୍ଘ ନିଃଶ୍ଵାସ ଛାଡ଼ିଲେ ।

 

–“ଗୁଡ଼ାଏ ମାରଣା ଜନ୍ତୁଙ୍କ ହାବୁଡ଼ରେ ପଡ଼ିଛି ହାତରେ କଲମ । କ’ଣ ବିପଦ ଗାରେଇଦେଲେ କଲକଟର ପାଖକୁ ।”

 

ପିତୃପୁରୁଷଙ୍କୁ ପିଣ୍ଡଦେବା ଭଙ୍ଗୀରେ ସେ ଗୋଟିଏ ହାତରେ କଲମ ଓ ଅନ୍ୟ ହାତରେ ଧଳା କାଗଜ ଖଣ୍ଡେ ବ୍ରଜ ଉଦ୍ଦେଶ୍ୟରେ ଟେକିଧରିଲେ । ବଳଭଦ୍ର ସିଂଙ୍କର ଏତାଦୃଶ ଅଭିନୟ ବ୍ରଜ ପାଖରେ ନୂତନ ନୁହେଁ । ଟିକିଏ କଥାରେ ସିଂ ବାବୁ ଉପରକୁ ଡହଳବିକଳ ହୁଅନ୍ତି ସିନା, ଭିତରଟା କିନ୍ତୁ ଫମ୍ପା । କାଗଜ କଲମ ନେଇ ବ୍ରଜ ପଚାରିଲା, “କେଉଁ କଥା ଲେଖିବି ?”

 

–“ଲେଖିଦିଅ, କେନ୍ଦୁପଦର ଗାଁର ସମସ୍ତ କୂଅ, ପୋଖରୀ ନଈ ନାଳରୁ ଉଠାଜଳସେଚନ ବ୍ୟବସ୍ଥା କରି ପରିମିତ ଇଞ୍ଚ ପରିମିତ ଜମିକୁ ତୁରନ୍ତ ପାଣି ଯୋଗାଇ ଦିଆଯାଉ-। ନ ହେଲେ ମରୁଡ଼ିରେ ଲୋକେ ପୋକମାଛି ପରି ମରିଯିବେ… ଏକ ସପ୍ତାହ ଭିତରେ-।”

 

–“କିନ୍ତୁ କଲେକ୍ଟର ତ ପାଣି ଦିଅନ୍ତି ନାହିଁ ।”

 

–“ଓହୋ, ତମେ ଲେଖ ତ ! ଲୋକେ ସନ୍ତୋଷ ହୋଇଯାଆନ୍ତୁ । ଶଳା ମଣିଷ ଆଚ୍ଛା ମେଲେ ହେଲା ହୋ । ରାଜଧାନୀରୁ ଆସି ଗାଁରେ ପାଦ ନ ଦେଉଣୁ ଲୋକେ ହାଜର । କାହାର ଖାଇବାକୁ ନାହିଁ ତ, କାହାର ଭଣଜା ପୁତୁରାର ବଦଳି, କାହାର ପ୍ରମୋଶନ ତ କାହାର ଘରପୋଡ଼ି, କାହାର ପୁଣି ଜମିରେ ପାମ୍ପୁ ଦରକାର । ପାପିଷ୍ଠ ୟାପେ, ପୂର୍ବ ଜନ୍ମରେ ତ ଅଘୋର ପାପ କରିଥିଲ, ଏ ଜନ୍ମରେ ସୁଖ ପାଇଁ ବାଡ଼େଇପିଟି ହେଲେ କଣଟେ ମିଳିବ ? କନ୍ଦମୂଳ ?”

 

ବ୍ରଜ ହସିପକାଇଲା । “ଆଜ୍ଞା ଥୟ ଧରନ୍ତୁ । ଦେଶ ପାଇଁ ଏତେ କାମ କଲେ ଚଳିବ ? ଆପଣା କଥା ବି ତ ଦେଖିବା ଚାହି । ଏଇ ଦେଖନ୍ତୁ, ଦେଶ ପାଇଁ ଖରାତରାରେ ବୁଲି ଦେହକୁ କେମିତି କଳାକାଠ କରିସାରିଲେଣି । ତେଣେ ଆପଣଙ୍କର ଜମି… ।”

 

“ଛାଡ଼ ହେ, ଦେହ ନା ଫେହ । ଜୀବନ ରହିଛି ବଡ଼ କଥା । ଆଉ ଜମି ନାଁ ଯାହା ଧରିଲ-। ଶହେଟା ଏକର ବୋଲି ତ ଜମି । ଡମ୍ବ ହାଡ଼ି କଥା ବୁଝୁ ବୁଝୁ ଏତକ ଟିକିଏ ଜମିର ବି ଦେଖା ଚାଁ ହେଇ ପାରୁନି ।”

 

–“ଆଜ୍ଞା, ଟିକେ ଚା ହେଉ ।”

 

ଖଣ୍ଡେ, ଖବରକାଗଜ ସିଂ ବାବୁଙ୍କ ହାତକୁ ବଢ଼ାଇଦେଇ ବ୍ରଜ ଘର ଭିତରକୁ ଚାଲିଗଲା-

 

ବଳଭଦ୍ର ସିଂ କେନ୍ଦୁପଦରର ତିନୋଟି ନିର୍ବାଚନରେ ନିର୍ବାଚିତ ପ୍ରତିନିଧି । ସେଇଥିପାଇଁ କହନ୍ତି ସିଂ ବାବୁ ପ୍ରକୃତରେ ସିଂହ । ତାଙ୍କର କିନ୍ତୁ ଥରେ ମନ୍ତ୍ରୀ ହେବା ପାଇଁ ଭାରି ଇଚ୍ଛା, ଦିନଟିଏ ହେଉ ପଛେ । ସେଇଦିନ ହିଁ ପରଲୋକ ଗମନ କଲେ ସେ ବିଶେଷ ତୃପ୍ତ ହୁଅନ୍ତେ । କାରଣ ପରଲୋକରୁ ସେ ଦେଖିବାକୁ ଚାହାନ୍ତି, ତାଙ୍କର ଜଡ଼ ଦେହକୁ ଦେଶ କିପରି ସମ୍ମାନ ଦେଉଛି । ପୋଲିସ୍‌ବାଲାଏ କିପରି ସଲାମ ଠୁଙ୍କୁଛନ୍ତି, ଖବରକାଗଜମାନ କିପରି ତାଙ୍କର ଗୁଣ କୀର୍ତ୍ତନ କରୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ମୁହଁରେ ମନ୍ତ୍ରୀତ୍ଵର ଥୋପ ପକେଇଛନ୍ତି । ଶୃଗାଳ ବଳଭଦ୍ର ସିଂ ଅଙ୍ଗୁର ଲୋଭରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଚାଟି ଚାଟି ଦିନ କାଟୁଛନ୍ତି ।

 

ମନ୍ତ୍ରୀ ନ ହେବାରୁ ଖଳ ପ୍ରକୃତିର ଲୋକେ କହନ୍ତି ବଳଭଦ୍ର ବାବୁଙ୍କର ବୟସ ହୋଇଗଲାଣି । ଦେଶ ଯେତେବେଳେ ଯୁବ ନେତୃତ୍ୱ ଚାହୁଁଛି ସେତେବେଳେ ସିଂ ବାବୁ ପଚାଶ ପାଖେଇଲେଣି । ବୁଢ଼ା, କଖାରୁଆ ପେଟା, ମୁଣ୍ଡ ଚନ୍ଦା, ଛୋଟ ଛୋଟ ଆଖି, ସମଗ୍ର ମୁହଁ ନିଶ ଦାଢ଼ି–ବିବର୍ଜିତ । ହସିଲାବେଳେ ପାଞ୍ଚଫୁଟର ସିଂ ବାବୁଙ୍କ ପେଟ ଲଥ ଲଥ ହୋଇ ଡେଇଁଉଠେ । ସିଂ ବାବୁ ବଡ଼ ସରଳ । ହାତେ ମାପି ସେ ଚାଖଣ୍ଡେ ଚାଲନ୍ତି । ଚିକ୍‌କଣ କଥା କହନ୍ତି । ଭାବନ୍ତି ଏକ ପ୍ରକାର କଥା, କହନ୍ତି ଅନ୍ୟ ପ୍ରକାରେ । ଏ ପ୍ରକାର ମଣିଷ କି କେବେ ମନ୍ତ୍ରୀ ହୁଏ ?

 

ସିଂ ବାବୁ ମନ୍ତ୍ରୀ ନ ହେବାର ଅନ୍ୟ ଏକ କାରଣ ହେଉଛି ଯେ, ସେ ପାଠଶାଠ ବିଶେଷ ପଢ଼ିନାହାନ୍ତି । ପାଠ ବୋଇଲେ ତୃତୀୟ ଶ୍ରେଣୀ । ଏତିକି କମ୍ ପାଠରେ ସେ ମନ୍ତ୍ରୀ ହୋଇ କିପରି ଫାଇଲରେ ଅର୍ଡ଼ର ଦେବେ ସେତକ କେବଳ ସମସ୍ୟା । ପାଠ କଥା ଭାବିଲା ବେଳକୁ ସିଂ ବାବୁଙ୍କ ପାଟି ଖଟା ଖଟା ଲାଗେ । ଜିଭ ପଦାକୁ ବାହାର କରି ସେ ଓଠ ଚାଟନ୍ତି । କ’ଣ ବା ସେ କରିବେ ? ଯାହା ନ ହୋଇଛି ବାଳୁତ କାଳେ, ତାହା କି ହେବ ଏ ପାଚିଲା ବାଳେ । ସିଂ ବାବୁଙ୍କ ପଢ଼ା ପାଇଁ ତାଙ୍କ ବାପା ପିଲାଦିନେ ମାଷ୍ଟ୍ର ବି ଖଞ୍ଜିଥିଲେ । କିନ୍ତୁ କପାଳରେ ନାହିଁ । ସେତେବେଳେ ଭଗବାନ ତାଙ୍କୁ ଏପରି ବୁଦ୍ଧିମାନ ଦେଉଥିଲେ ଯେ, ସେ ବହିଗୁଡ଼ିକରେ ମୁତୁଥିଲେ ଏବଂ ମାଷ୍ଟ୍ରଙ୍କ ଉପରେ ଲାଉ ହେଉଥିଲେ । ପାଠ ନ ହେବାରୁ ବାପା ବିଲବାଡ଼ି ଦେଖା ଚାରି ଭାର ଦେଇଥିଲେ । ତା’ ପରେ ତ ଆରମ୍ଭ ହୋଇଗଲା ସଂସାର ।

 

ସଂସାର ବୋଇଲେ ମାମୁଁ ମାଇଁ ଦୁଇପ୍ରାଣୀ । ବଳଭଦ୍ର ବାବୁ ନିଃସନ୍ତାନ । ପୁତ୍ର ମୁଖ ଚାହିଁବା ପାଇଁ ସେ ବହୁ ଚେଷ୍ଟା କରି ନିରାଶ ହୋଇଛନ୍ତି । ବହୁ ଦାନ, ଧର୍ମ କରିଛନ୍ତି । ବିଦ୍ୟା ପରି ପୁତ୍ର କନ୍ୟା ମଧ୍ୟ ତାଙ୍କ ଦେଇ ହେଲା ନାହିଁ ।

 

ଶ୍ରୀ ବଳଭଦ୍ର ସିଂ ଦାନ କରନ୍ତି, କିନ୍ତୁ ଦେଖି ଚାହିଁ । ତାଙ୍କର ଦୃଢ଼ ଧାରଣା ଯେ ଏ ମର ସଂସାରରେ ସବୁ ଅସାର, କେବଳ କ୍ଷମତା ହିଁ ସାର । ଆଉ ଆଜିକାଲି କ୍ଷମତା ବୋଇଲେ ଟଙ୍କା ପଇସା । ହାତରୁ ଲକ୍ଷ୍ମୀ ଗଲେ ମଣିଷ ଶ୍ରୀହୀନ ହୋଇଯିବ । ତେଣୁ ହିସାବ ନିକାସ କରି ସିଂ ବାବୁ ଦାନ ଧର୍ମ କରନ୍ତି । ସ୍ଥଳ ଦେଖି ଏପରି ମଧ୍ୟ ଦାନ କରନ୍ତି, ଯେଉଁ ଦାନ ଆଉ କିଛି ଟଙ୍କା ଗୋଟାଇ ନିଜ ଘରକୁ ଫେରିଆସିବ । କ୍ଷମତା ତାଙ୍କର ପ୍ରଭୁ, ତାଙ୍କର ବାପ ମା’ ଆଉ ପୁତ୍ର ସନ୍ତାନ । ସେଥିପାଇଁ ସେ ବହୁ କଷ୍ଟ ସ୍ୱୀକାର କରନ୍ତି । ଖରାତରା ଶୀତ ବର୍ଷା ସବୁ ସହିଯାନ୍ତି । ନିଜ ଇଲାକାରେ କୌଣସି ଲୋକ ମୁଣ୍ଡ ଟେକିଲେ ସେ କଳେବଳେ କୌଶଳେ ତାକୁ ଅକ୍ତିଆର କରନ୍ତି ।

 

ବ୍ରଜ ଭିତରୁ ଚା ଦୁଇ କପ୍ ଧରି ଆସୁଥିଲା । କପ୍ ପିଆଲାର ଝଣ ଝାଣ ଶବ୍ଦରେ ସିଂ ବାବୁ ମୁଣ୍ଡ ଟେକିଲେ । ବ୍ରଜର ହସ ହସ ମୁହଁକୁ ଦେଖିଲେ ସିଂ ବାବୁଙ୍କର ପେଟ ପୂରିଯାଏ । ନିଃସନ୍ତାନ ସିଂ ବାବୁଙ୍କ ହୃଦୟ ଭିତରେ ପିତୃସ୍ନେହର ଫଲ୍‌ଗୁ ବୋହିଯାଏ । ବ୍ରଜମୋହନ ଅଠେଇଶ ବର୍ଷର ଭେଣ୍ଡିଆ ଟୋକା । ମାଟିଆ ରଙ୍ଗର ବଳି ଦେଲା ପରି ଦେହ । ଟାଣ ଟାଣ ମାଂସପେଶୀରେ ଶକ୍ତି ଖୁନ୍ଦି ହୋଇଛି । ନାକତଳେ ପ୍ରଜାପତିଆ ନିଶ, ସମଗ୍ର କେନ୍ଦୁପଦରରେ ସେଇ ଜଣେ ଉତ୍ସାହୀ କର୍ମଠ ଯୁବକ । ଅକାଳେ ସକାଳେ କାହାର କେଉଁଠାରେ ଆପତ୍ତି ବିପତ୍ତି ପଡ଼ିଲେ ସେ ଅଣ୍ଟା ଭିଡ଼ି ଡେଇଁପଡ଼େ । ସେ କର୍ମ କରିଯାଏ, ଫଳ ଉପରେ ତା’ର ବିଶେଷ ଆଶା ଭରସା ନାହିଁ । ଏହାର କାରଣ ହେଲା ତା’ର ବହୁ କର୍ମର ଫଳପ୍ରାପ୍ତି ହୋଇନାହିଁ ।

 

ବ୍ରଜମୋହନ କେନ୍ଦୁପଦରର ଜଣେ ଚାଷୀ । ତା’ର ନିଜସ୍ୱ ତିରିଶ ଏକର ଜମି । ସେ ମାଟ୍ରିକ୍ୟୁଲେସନ ପାଶ୍ ପରେ କୃଷି କଲେଜରେ ପଢ଼ୁଥିଲା । ଦୁଇଟି ବର୍ଷ ପରେ ଫେଲ୍ ହେଲା । ସେଇ ବର୍ଷ ହିଁ ତା’ର ବାପା ମରିଯିବାରୁ ବାଧ୍ୟହୋଇ ପଢ଼ା ଛାଡ଼ି ତାକୁ ଗାଁରେ ଚାଷ କରିବାକୁ ପଡ଼ିଲା । ବ୍ରଜର କିନ୍ତୁ ଭାରି ଇଚ୍ଛା ଥିଲା ପାଠ ପଢ଼ି ଚାକିରି କରିବାକୁ । ରାଜଧାନୀରେ ରହି ସେ ସହର ଜୀବନ ପ୍ରତି ଲୋଭାତୁର ହୋଇଉଠିଥିଲା । ତେଣୁ ଗାଁ ଭିତରେ ପଡ଼ିରହି ସେ ଅନ୍ୟ ସମୟରେ ସହରର ସ୍ଵପ୍ନ ଦେଖେ । ସେହି ସ୍ଵପ୍ନ ଚରିତାର୍ଥ କରିବା ପାଇଁ ଏସେମ୍ୱ୍ଲି ବସିଲାବେଳେ ବଳଭଦ୍ରଙ୍କ ସହିତ ରାଜଧାନୀକୁ ଚାଲିଯାଏ ।

 

ବ୍ରଜର ସ୍ୱର୍ଗତ ପିତୃଦେବ ବଳଭଦ୍ରଙ୍କର ବନ୍ଧୁ ଥିଲେ । କୃଷି କଲେଜରେ ପଢ଼ିଲାବେଳେ ହୋଷ୍ଟେଲରେ ସ୍ଥାନ ନ ମିଳିବାରୁ ବ୍ରଜ ସିଂ ବାବୁ ଏମ: ଏଲ: ଏ: ଫ୍ଲାଟ୍‌ରେ ରହୁଥିଲା । ବ୍ରଜ ଅନେକ ସମୟରେ ଏସେମ୍ୱ୍ଲିର ଦର୍ଶକ ଗ୍ୟାଲେରିରେ ବସି ହଟ୍ଟଗୋଳ ଶୁଣିବାକୁ ଭଲପାଉଥିଲା । ସେ ଆବିଷ୍କାର କଲା ଯେ ବଳଭଦ୍ର ବାବୁ ପଛ ବେଞ୍ଚରେ ବସି ପ୍ରତିଦିନ ଘୁମାଉଛନ୍ତି । ଏପରି ଦୃଶ୍ୟରେ ସେ ନିଜକୁ ଅପମାନିତ ମନେକଲା । ବହୁ ଚିନ୍ତା କରି ଯେଉଁଦିନ ଦେଶର ଦୁର୍ଭିକ୍ଷ ଓ ଖାଦ୍ୟାଭାବ ଉପରେ ଆଲୋଚନା ଚାଲିବାର କାର୍ଯ୍ୟସୂଚୀ ରହିଥିଲା, ସେଦିନ ଗୋଟିଏ ପ୍ରଶ୍ନ ଖଣ୍ଡିଏ କାଗଜରେ ଲେଖି ବଳଭଦ୍ର ବାବୁଙ୍କୁ ଦେଲା । ଗରମାଗରମ ଆଲୋଚନା ଚାଲିଥିଲାବେଳେ ବଳଭଦ୍ର ବାବୁ ନିଜ ଆସନରୁ ଉଠିପଡ଼ି ଏକ ନିଃଶ୍ୱାସରେ ବ୍ରଜ ଲିଖିତ ପ୍ରଶ୍ନଟି ପଢ଼ିପକାଇଲେ–

 

“ଦେଶରେ ଦାରୁଣ ଦୁର୍ଭିକ୍ଷ ଓ ଖାଦ୍ୟାଭାବ ପଡ଼ିଥିଲାବେଳେ ମାନ୍ୟବର ଦୁର୍ଭିକ୍ଷ ଓ ଅନାଟନ ମନ୍ତ୍ରୀ କହିପାରିବେ କି, ଏ ବର୍ଷ ଖାଦ୍ୟାଭାବ ବିଷୟରେ ଦେଶରେ ଯେଉଁଠି ଯେତକ ସରକାରୀ ଓ ବେସରକାରୀ ଆଲୋଚନା ହୋଇଛି, ସେଥିରେ କେତେ ପ୍ଲେଟ୍ ସୁସ୍ଵାଦୁ ଜଳଖିଆ ମନ୍ତ୍ରୀ ତଥା ଅଫିସରମାନେ ଖାଇଛନ୍ତି ? ଉକ୍ତ ମିଟିଂଗୁଡ଼ିକରୁ ଆମ ଦେଶରେ ଖାଦ୍ୟାଭାବ ଉତ୍କଟ ହୋଇଛି ବୋଲି, ଆମେରିକା ପରି ଦେଶମାନଙ୍କର ହୃଦ୍‌ବୋଧ ହେବ କି ? ଯଦି ଦ୍ଵିତୀୟ ପ୍ରଶ୍ନର ଉତ୍ତର ନାହିଁ ହୁଏ, ତେବେ ମାନ୍ୟବର ଅନାଟନ ମନ୍ତ୍ରୀ ଦୟା କରି ଆଦେଶ ଦେବେ କି, ଅନାଟନ ସମ୍ବନ୍ଧୀୟ ଆଲୋଚନା ସଭାରେ ଉପସ୍ଥିତ ଅଫିସର ତଥା ମନ୍ତ୍ରୀମାନେ ଦାମିକା ଜଳଖିଆ ପରିବର୍ତ୍ତେ ଏଣିକି ବାରମ୍ବାର ଗୋଳିଆ ପାଣି ପିଇବେ ।”

 

ପ୍ରଶ୍ନ ଶେଷ ହେବା ପୂର୍ବରୁ ଏସେମ୍ୱ୍ଲି ଗୃହରେ ହାସ୍ୟରୋଳ ଖେଳିଗଲା । ବିରୋଧି ଦଳର ସଭ୍ୟମାନେ ଟେବୁଲ ଉପରେ ଯୋରଦାର ବିଧାମାନ ପିଟିବାକୁ ଲାଗିଲେ । କିନ୍ତୁ ପ୍ରଶ୍ନର ବାସ୍ତବିକତାକୁ ମନେପକାଇ ପ୍ରବୀଣମାନେ ଗମ୍ଭୀର ହୋଇଗଲେ । ସେମାନଙ୍କର ମନେହେଲା, ଖାଦ୍ୟାଭାବଜନିତ ସମସ୍ୟା ଆଲୋଚନା ସଭାଗୁଡ଼ିକରେ ସେମାନେ ଯେତେ ପକୋଡ଼ି ପେଟରେ ପକାଇଛନ୍ତି ସେଗୁଡ଼ିକ ହଠାତ୍ ବେଙ୍ଗ ପାଲଟି ଯାଇ ପେଟ ଭିତରେ ଡିଆଁ ଡେଇଁ ଆରମ୍ଭ କଲେଣି-। ଏ ପ୍ରଶ୍ନରେ ବେଶି ହତବାକ୍ ହୋଇଗଲେ ମୁଖ୍ୟମନ୍ତ୍ରୀ ଶୈଳାଧିରାଜ ରାୟଚୁଡ଼ାମଣି । ଶୈଳାଧିରାଜ କଟମଟ କରି ବଳଭଦ୍ରଙ୍କୁ ଚାହିଁଲେ । କିନ୍ତୁ ବଳଭଦ୍ର ବାବୁ ତାଙ୍କ ଦିବ୍ୟ ଚକ୍ଷୁରେ ନେତାଙ୍କର ଏମନ୍ତ ରୋଷକଷାୟିତ ଚକ୍ଷୁ ତଳେ ପ୍ରଶ୍ନ ବାଣର ଆଘାତକୁ ସ୍ପଷ୍ଟ ବାରିପାରି ଗମ୍ଭୀର ହୋଇଗଲେ । ତତ୍‍କ୍ଷଣାତ୍ ମହାମାନ୍ୟ ଶୈଳାଧିରାଜ କଷ୍ଟେମଷ୍ଟେ ମୁହଁରେ ବିରାଟ ଦନ୍ତପଂକ୍ତିକୁ ଦେଖାଇ ସହାସ୍ୟ ବଦନରେ ଉତ୍ତର ଦେଲେ–

 

–“ଚା ଜଳଖିଆ ସହିତ ଖାଦ୍ୟର କୌଣସି ସମ୍ପର୍କ ନାହିଁ । ଚାଉଳର ଅଭାବ ନେଇ ଏଠାରେ ଆଲୋଚନା ଚାଲିଛି ସିନା, ଚା ପାନର ନୁହେଁ । ଦେଶରେ ଚା ଜଳଖିଆର ଅଭାବ ନାହିଁ-।”

 

କୁଆଡ଼ୁ କିପରି ବଳଭଦ୍ର ବାବୁଙ୍କ ମୁଣ୍ଡରେ ସରସ୍ଵତୀ ବିଜେକଲେ କେଜାଣି, ସେ ମଧ୍ୟ ଉଠିପଡ଼ି ଝଣାତ୍‌କିନା ପୁଣି ଏକ ପ୍ରଶ୍ନ ଅଜାଡ଼ିଦେଲେ, “ତା’ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଗୃହରେ ଦୟାକରି ଘୋଷଣା କରନ୍ତୁ ଯେ, ସେ ଗାଁ ଗଣ୍ଡାରେ ପ୍ରଚୁର ବରା, ଗୁଲୁଗୁଲା, ପକୋଡ଼ି ଓ ଚା ପାଇଁ ଆବଶ୍ୟକୀୟ ସରଞ୍ଜାମ ତୁରନ୍ତ ଯୋଗାଇ ଦେବେ ।”

 

ସେଇ ଗୋଟିଏ ଦିନର ଘଟଣାରେ ଭୂଇଁ ତଳର ବଳଭଦ୍ର ସିଂ ଆକାଶକୁ ଉଠିଗଲେ । ଖବରକାଗଜଗୁଡ଼ିକରେ ବଳଭଦ୍ରଙ୍କର ଫଟୋଚିତ୍ର ଛପାହେଲା । ଯେଉଁଆଡ଼େ ଗଲେ ସେଠି କୁଢ଼ କୁଢ଼ ପ୍ରଶଂସା ପାଇଲେ । ମୁଖ୍ୟ ନେତାଙ୍କ ସୁଦୃଷ୍ଟି ତାଙ୍କ ଉପରେ ପଡ଼ିଲା, ନଚେତ୍ ସେ ଖସି ଯାଇ ପାରନ୍ତି । ବଳଭଦ୍ର ବାବୁଙ୍କର ମଧ୍ୟ ବ୍ରଜମୋହନ ପାଖରେ ଦୁର୍ବଳତା ରହିଗଲା ।

 

ଚା’ ପାନବେଳେ ବ୍ରଜ ପଚାରିଲା–“କଲେକ୍ଟରଙ୍କ ପାଖକୁ ତ ଦରଖାସ୍ତ ଲେଖାଯିବ । ରାଜଧାନୀ କଥା ଟିକିଏ କୁହନ୍ତୁ । ଖବକାଗଜରୁ ଦେଖିଥିଲି ଗୁଡ଼ାଏ ବେକାର ଯୁବକ କୁଆଡ଼େ ଚାକିରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରିଥିଲେ ?”

 

–“ହଁ ହଁ ସତେ ତ, ମନେପଡ଼ିଲା । ମହା ମାରଣା ଜନ୍ତୁ ୟାପେ । ମୁଁ ମଧ୍ୟ ସେଦିନ ଅଠାକାଠିରେ ପଡ଼ିଥିଲି ହୋ ବର୍‌ଜ ବାବୁ । ସୂତା ଖିଅକରେ ବଂଚିଗଲି ।” ନିଜେ ବସିଥିବା ଚୌକିକୁ ବଳଭଦ୍ର ବାବୁଙ୍କ ପାଖକୁ ଟାଣିନେଇ ବ୍ରଜ ଉଦ୍‌ଗ୍ରୀବ ହୋଇ ପଚାରିଲା–“କ’ଣ ହେଲା ଟିକିଏ କୁହନ୍ତୁ ଆଜ୍ଞା । ସେ ଦିନର ଖବର କୁଆଡ଼େ ଆମେରିକା ପର୍ଯ୍ୟନ୍ତ ଚାଲିଗଲାଣି ।”

 

ଗୋଟିଏ ଦୀର୍ଘ ବକ୍ତୃତା ଦେବା ପାଇଁ ପ୍ରସ୍ତୁତ ହେଲାଭଳି ସିଂ ବାବୁ ଝାଡ଼ିଝୁଡ଼ି ହୋଇ ବସିଲେ । ତାଙ୍କର ସ୍ୱଭାବସୁଲଭ ଭଙ୍ଗୀରେ ଥଙ୍ଗେଇ ଥଙ୍ଗେଇ କଥା ଆରମ୍ଭ କଲେ–“କି କହିବି ସେ କଥା ହୋ ବର୍‌ଜ ବାବୁ । କୁହା ନାହିଁ ପୁଛା ନାହିଁ, ବେତାଳ ଭଳି ମୁଖ୍ୟମନ୍ତ୍ରୀଙ୍କ ଦୁଆର ମୁହଁକୁ କ୍ଷେପିଗଲେ, ପଲ ପଲ ଗଜା ଟୋକା । ମୁଁ ସେତେବେଳେ ଦୁର୍ଯୋଗକୁ ମନ୍ତ୍ରୀଙ୍କ ପାଖରେ ବସି ରସୋଗୋଲା ଦୁଇଟା ଖାଉଥିଲି । ସେ ଶେଯ ଉପରେ ଅଳସ ଭାଙ୍ଗୁଥିଲେ । ଆର ପାଖରେ ଜଣେ ଖଣି ମାଲିକ ବସିଥିଲେ । ସେ ମହାଶୟ ଆମ ରାଜ୍ୟରୁ କିଛି ଖଣି ପଟ୍ଟା ନେବା ପାଇଁ ଆସିଥିଲେ ନା କ’ଣ । ଏ ସମୟରେ ଘୋର କୋଳାହଳ ଶୁଣାଗଲା । ମଝିରେ ମଝିରେ ଶୁଭୁଥାଏ…’ଆମେ ଚାକିରି ଚାହୁଁ, ଆମର ଦାବି ଖଣ୍ଡିଏ ରୁଟି ।’ ଏମନ୍ତ ରଡ଼ିମାନ ବାଟୁଳି ପରାୟେ ଆମ କାନରେ ଆସି ବାଜିଲା । ସେ ରଡ଼ିରେ ମୁଁ ତ ଦୋହଲି ଗଲି । ରସଗୋଲା ଉପରୁ ଆଖି ଫେରାଇ ଝରକା ଭିତରେ ଟିକିଏ ଦେଖିଦେଇଛି କି ନାହିଁ ଚାଲିଲା ଗାଳି ମୋ ଉପରକୁ । ମୁଁ ଏକାମୁଁହା ହୋଇ ଗେଟ୍ ପାଖରେ ପୋଲିସ ଓ ନିଆଁଗିଳାଙ୍କ ଭିତରେ ଠେଲାପେଲା ଦେଖୁଥାଏ । କି କହିବି ସେମାନଙ୍କ ରୂପ ହୋ ବର୍‌ଜ ବାବୁ । ମୁଣ୍ଡଟିମାନ ଲାଉ କଖାରୁ ପରି । ଜନ୍ମରୁ କ୍ଷିଅର ନ ହେଲା ଭଳି ଏହୁଁ ଏହୁଁ ଝାଂପୁରା ବାଳ, ପଟା ପଟା କଲି, ଚାଖଣ୍ଡେ ଚାଖଣ୍ଡେ ଦାଢ଼ି । ବାଳର ଜଟା ଜାଲ ଭିତରୁ ରଡ଼ ନିଆଁ ପରି ଆଖିମାନ ଜଳୁଥିଲା । ଗୋଡ଼ରେ ଚିପି ଧରିଲା ପରି ନଳି ପେଣ୍ଟ୍ । ଫୁଲପକା ପରଦା କନାର ଅଙ୍ଗି । ହାତ ଗୋଡ଼ ହଲେଇ–କି ଡିଆଁ, କି ଉତ୍ପାତ ତାଙ୍କର ଦେଖିବ; ଆବା, ଆବା, ଆବା । ଭୂତ ନାଟ ଦେଖୁ ଦେଖୁ ଦୁଲ୍‌କିନା ଗୋଟାଏ ଇଟା ମୁଁ ଠିଆ ହୋଇଥିବା ଝରକା ତଳେ ଆସି ବାଡ଼େଇ ହେଲା । ମୁଁ ଝରକା ବନ୍ଦ କରି କୁରୁଚିରେ ବସିପଡ଼ିଲି । ଦେହରୁ ଝାଳ ବୋହିପଡ଼ିଲା । ଆମ ନେତାଙ୍କ ମୁହଁକୁ କାକୁତି ହୋଇ ଚାହିଁଦେଲି । ହେଲେ ମୁଁ କ’ଣ ମାହାଳିଆଟାରେ ଆମ ନେତାଙ୍କୁ ମହାର୍ଜା ବୋଲି ଡାକେ କିହୋ ବର୍‌ଜ ବାବୁ । ଆଖି ଆଗରେ ଅଗ୍ନିକାଣ୍ଡ ହେଉଛି, ହେଲେ ତାଙ୍କର ଟିକିଏ ଦକା ଥାନ୍ତା, ଦବକ ଥାନ୍ତା ? ସେମିତି ମୁରୁକି ହସ, ସତେଯେମିତି ଦାଣ୍ଡ ଦୁଆରେ ସ୍ଵର୍ଗରୁ ଫୁଲ ବରଷୁଛି ।

 

ଡେବିରି ହାତରେ ବୁଢ଼ା ଆଙ୍ଗୁଠିକୁ ଦାଣ୍ଡ ଆଡ଼କୁ ଦେଖାଇ ମୁଁ ମାତ୍ର ପଦୁଟେ କହିପାରିଲି–‘ଆଜ୍ଞା….. ।’ ପାଟିରେ ଗୋଟିଏ ଅଙ୍ଗୁର କୋଳି ପକାଇ ସେ ହସି ହସି କହିଲେ, ‘ତୁମେ ବଳଭଦ୍ର, ଭାରି ଦୁର୍ବଳ ।’

 

ମୁଁ କହିଲି ‘ଆଜ୍ଞା…..’

 

ସେ କହିଲେ, ‘ଗୋଟାଏ ଇଟା ପାଇଁ ଏତେ ଡର ? ନିର୍ବାଚନ ସଭାମାନଙ୍କରେ କେତେ ଇଟା ପବନରେ ଉଡ଼ିବା ନ ଦେଖିଛ ?’ ମୁଁ କହିଲି, ‘ହେଲେ ଆଜ୍ଞା, ଏଇଟା ବିରୋଧି ଦଳର ଲୋକଙ୍କ ପାଖରୁ ନୁହେଁ । ଆମ ପୁଅ ପୁତୁରାଙ୍କ ପରି ଏମାନେ ଦେଖାଯାଉଛନ୍ତି ।’ ହୋ ହୋ ହସି ସେ ଗଡ଼ିଗଲେ । ତା’ପରେ କହିଲେ–‘ତୁମେ କିପରି ଜାଣିଲ ଯେ, ଆମ ବିରୋଧି ଲୋକେ ସରକାରଙ୍କୁ ବଦନାମ କରିବା ପାଇଁ ଏମାନଙ୍କୁ ପଠେଇ ନାହାନ୍ତି ? ତୁମେ ନିଜେ ଯାଇ ସେମାନଙ୍କଠୁ ବୁଝିଆସ, ସେମାନେ ଯାହା କହୁଛନ୍ତି ତା’ର ଅର୍ଥ ବୁଝିଛନ୍ତି ନା ନାହିଁ । ମୋ ପିଳେହି ପାଣି ହୋଇଗଲା । କଷ୍ଟେମଷ୍ଟେ ଭିଡ଼ି ମୋଡ଼ିହେଲି ସିନା, ଉଠିଲି ନାହିଁ । ମୁଖ୍ୟ ମୋ ବିକଳ ଅବସ୍ଥା ଦେଖି ପୂର୍ବ ପରି ହସି ହସି କହିଲେ–‘ମୁଁ ଜାଣେ ତୁମେ ପାରିବନି । ଟ୍ରେନିଂ ଦରକାର, ଟ୍ରେନିଂ ।’

 

ମୁଁ କ’ଣ ତୁଚ୍ଛାଟାରେ ମହାର୍ଜା ବୋଲି ଡାକେ କିହୋ ବର୍‌ଜ ବାବୁ । ଧନ୍ୟ ତାଙ୍କ ଧଇର୍ଯ୍ୟକୁ ।

 

ଅଧ ଘଣ୍ଟା ପରେ ଟହଲି ଟହଲି ସେ ସାମନା ଗେଟ୍ ପାଖକୁ ଗଲେ । କହିଲେ–‘ଏତେ ଜଣକ କଥା ମୁଁ ଶୁଣି ପାରିବି ନାହିଁ । ତୁମର କ’ଣ ଅଭିଯୋଗ ବା ଦାବି ଅଛି, ତୁମ ଭିତରୁ ଜଣେ କିମ୍ବା ଦୁଇଜଣ ଆଗକୁ ଆସି କୁହ ।’

 

କିଏ ଦୁଇଜଣ ଆସିବେ ? ଏଥିପାଇଁ ତ କେହି ରେଡ଼ି ନ ଥିଲେ । ଗୋଟିଏ କୋଳାହଳ ଉପୁଜିଗଲା । ଶେଷରେ ଗୋଟିଏ ଡେଙ୍ଗା ମାଢ଼ିଆ ପିଲା ଆଗକୁ ଝପଟି ଆସିଲା । ଟାଇଁ ଟାଇଁ ଶବ୍ଦ କରି କହିଲା, “ଆମେମାନେ ସବୁ ଏମ. ଏ., ବି.ଏ., ଇଂଜିନିୟର, ଡାକ୍ତର ଇତ୍ୟାଦି ଇତ୍ୟାଦି । ଚାରି ବର୍ଷ ହେଲା ପାଶ୍ କରି ଘରେ ବସିଛୁ । ଆମକୁ ଚାକିରି ଦିଆଯାଉ ।”

 

ମୁଖ୍ୟ କହିଲେ, ‘ଓହୋ, ତୁମେ ବେକାର ସମସ୍ୟା କଥା କହୁଛ ? ଏ ସମସ୍ୟା କେବଳ ଆମର ନୁହେଁ, ସମଗ୍ର ଦେଶର । ଆମର ତ କୋଡ଼ିଏ ହଜାର ପିଲା ବେକାର କିନ୍ତୁ ତୁମେ ଜାଣି ନ ଥିବ ବୋଧହୁଏ ଆମ ପଡ଼ୋଶୀ ରାଜ୍ୟମାନଙ୍କରେ କେଉଁଠି ଲକ୍ଷେ, କେଉଁଠି ଦୁଇ ଲକ୍ଷ, କେଉଁଠି ତା’ ଠୁ ବି ଅଧିକ । ଏମିତି ସମଗ୍ର ଦେଶରେ ଛପନ ଲକ୍ଷ । ସେ ତୁଳନାରେ ଆମର ବହୁତ କମ୍ ଲୋକ ବେକାର । ତେବେ ତୁମେ ହତୋତ୍ସାହ ହୁଅନି । ଆମେ ଚେଷ୍ଟା କରୁଛୁ । ଅବିକା ପଇସା ନାହିଁ ବୋଲି ନୂଆ ଚାକିରି ସୃଷ୍ଠି କରିପାରୁନୁ ।’

 

ଗହଳି ଭିତରୁ ଗୋଟିଏ ହୁଣ୍ଡା ଡେଇଁ ଡେଇଁକା ମାଡ଼ି ଆସିଲା–‘ପଇସା ନାହିଁ ତ, ବଡ଼ ବଡ଼ ଅଢ଼େଇ ହଜାର ଦରମାବାଲା ଚାକିରିମାନ ସୃଷ୍ଟି ହେଉଛି କିପରି ? ଗତ ଦୁଇ ବର୍ଷ ଭିତରେ ଏମିତି ଅଢ଼େଇ ହଜାର ତିନି ହଜାର ଦରମାର କେତେ ଚାକିରି ସୃଷ୍ଟି ହୋଇଛି ? ଖୋଦ୍ ବେକାର ସମସ୍ୟା ସମାଧାନ କରିବା ପାଇଁ ଯେଉଁ ବୋର୍ଡ଼ ଗଢ଼ିଛନ୍ତି, ସେଠି କେତେ ହଜାରେ, ଦୁଇ ହଜାର, ତିନି ହଜାର ଦରମାବାଲା ଅଛନ୍ତି ? ଏମାନେ କ’ଣ କରୁଛନ୍ତି ? କେଉଁଠୁ କେତେ ଜଣ ବେକାର ଅଛନ୍ତି ଗଣୁଛନ୍ତି ନା ଆଉ କିଛି କରୁଛନ୍ତି ?’

 

ମୁଖ୍ୟ ଉତ୍ତର ଦେଲେ, ‘ସେଥିରୁ ତୁମର କେତେ ଯାଏ ଆସେ ? ସେମାନେ ତୁମ ପାଇଁ କ’ଣ କରୁଛନ୍ତି ଜାଣ ? ଆମ ରାଜ୍ୟରେ କେତେ ନୂତନ ଯୋଜନା, କଳକାରଖାନା ଗଢ଼ିବା ପାଇଁ ନିବେଦନ କରି କେନ୍ଦ୍ର ତଥା ଅନ୍ୟ ଦେଶର ସରକାରଙ୍କ ପାଖକୁ ଅନବରତ ଚିଠିମାନ ଲେଖୁଛନ୍ତି । କିନ୍ତୁ କ’ଣ କରିବା । ଆମେରିକା ସରକାର ଆମର ଏଠି କଳକାରଖାନା ଦେଉନାହାନ୍ତି । ତୁମେମାନେ ଏଥିପାଇଁ ଲାଗୁନାହଁ ? ଆମର ତ ରିପୋର୍ଟ ପଠାଯାଇଛି, ସେଠୁ ପଇସା ମିଳିଗଲେ, ଏଠି କଳକାରଖାନା ହେବ । ତୁମେମାନେ ଚାକିରି ପାଇବ ।’

 

ଜଣେ କେହି ଭିତରୁ ପାଟି କଲା, ‘ସତେଯେମିତି ଆମ ରାଜ୍ୟର ସବୁ କଳକାରଖାନା ଓ ଯୋଜନାରେ ଆମ ଲୋକ ଚାକିରି ପାଇ ଯାଉଛନ୍ତି ?’ ମୁଖ୍ୟ କହିଲେ, ‘ଦେଖ ବାବୁମାନେ, ତୁମେ ପର ନୁହଁ । ତୁମ ଅବସ୍ଥା ଦେଖିଲେ ଆମକୁ ବି ଖରାପ ଲାଗେ । ଆମେ ତ ଲାଗିଛୁ, ଆମେରିକାରୁ ଟଙ୍କା ଆଣିବାକୁ । ଆଉ ମୋତେ ଦୋଷ ଦେଇ ଲାଭ ନାହିଁ ।’ ଏତକ କହିଦେଇ ମୁଖ୍ୟ ଚାଲିଗଲେ-। ପୁଣି ଚାଲିଲା ତାଙ୍କ ଉପରେ ଗାଳି ବର୍ଷଣ । କିଛି ସମୟ ପରେ ବେତାଳ ପଞ୍ଝାକ ଉଠିଲେ । ଏଥର ତାଙ୍କର ସ୍ୱର ବଦଳିଗଲା । ମୁଖ୍ୟମନ୍ତ୍ରୀଙ୍କଠୁ ରାଗ ଯାଇ ଆମେରିକା ଉପରେ ପଡ଼ିଲା । ଆମେରିକାକୁ ଶୋଧଣି ଦେଇ ଧୂଳି ଉଡ଼ାଇ ମାରଣା ଜନ୍ତୁଏ ଚାଲିଗଲେ ।

 

ମୁଁ କ’ଣ ମିଛରେ ଆମ ମୁଖ୍ୟଙ୍କୁ ମାହାର୍ଜା କହୁଛି କିହୋ ବରଜ ବାବୁ ! ଦେଖିଲ ତ କରାମତି ?”

 

ବଳଭଦ୍ର ନିଜର ବକ୍ତବ୍ୟ ଶେଷ କରି ବ୍ରଜ ମୁହଁକୁ ଚାହିଁଲେ ।

 

–“ତା’ହେଲେ ଗୋଟିଏ ବିପଦରୁ ଖସିଗଲେ ।”

 

–“ଖସିଗଲି ନୁହେଁ ଯେ ତ୍ରାହି ପାଇଗଲି ।”

 

–“ମୁଁ କିନ୍ତୁ ଭାବୁଛି ଅଗ୍ନି ନିର୍ବାପିତ ହୋଇନାହିଁ । ସେଦିନର ଘଟଣା ଏକ ମହା ପ୍ରଳୟର ପୂର୍ବାଭାସ ମାତ୍ର । ଆଜି କୋଡ଼ିଏ ହଜାର ବେକାର ଅଛନ୍ତି କିନ୍ତୁ ଯେଉଁଭଳି ବର୍ଷକୁ ବର୍ଷ ବେକାର ସଂଖ୍ୟା ବଢ଼ିବାରେ ଲାଗିଛି, ଅଳ୍ପ କେତେକ ବର୍ଷ ପରେ ଏ ସଂଖ୍ୟା କାହିଁ ଆକାଶରେ ଯାଇ ଲାଗିବ-। ଆଜିର ନିଆଁଝୁଲମାନ ବିରାଟ ହୁଳାରେ ପରିଣତ ହୋଇ ସଂସାରକୁ ଜାଳିଦେବ ।”

 

–“ମୁଁ ତ ସେଥିପାଇଁ କହି ଆସୁଛି ଗାଁ ଗାଁରେ ସହର ମଫସଲରେ ଏତେ ସଂଖ୍ୟାରେ ଇସ୍କୁଲ କଲେଜ କରିବା କି ଦରକାର ? ବିଦ୍ୟାଳୟଗୁଡ଼ିକରେ ଯୋଉ ପଢ଼ା ହେଉଛି ତ ଛାଡ଼ । ଖାଲି ମାରଣା ଷଣ୍ଢ ପଇଦା କରିବା ସାର ହେଉଛି ନା ନାହିଁ ?”

 

–“ଏ ସମସ୍ୟା କିନ୍ତୁ ଆପଣଙ୍କ ପରି ରାଜନୀତିଜ୍ଞ ଓ ଏମ.ଏଲ.ଏ.ମାନଙ୍କ ପ୍ରତି ଏକ ବିପଦ ।”

 

–“ଏଁ ??”

 

–“ହେଇ ଦେଖନ୍ତୁ, ଆପଣ ହେଲେ ଜଣେ ବଡ଼ ଜମି ମାଲିକ । ଭୋକିଲା ଶିକ୍ଷିତ ଲୋକେ ମୋଟେ ସହି ପାରିବେ ନାହିଁ । ପାଠ ପଢ଼ି ଯେଉଁ ବୁଦ୍ଧିତକ ଅର୍ଜନ କରିଛନ୍ତି, ତାକୁ ପ୍ରଥମେ ଉପଯୋଗ କରିବେ ଆପଣଙ୍କଠୁ ଧନ ଦରବ ମାରିନେବା ପାଇଁ । ଧାନ ପାଚିଲା ବେଳକୁ ସବୁ କାଟିନେବେ । ଯଦି ଘରକୁ ଆଣି ଖମାରରେ ରଖିବେ ତ ଚୋରେଇ ନେବେ । ନାହିଁ ଯଦି ବେଶି କଟକଣା କର, ତେବେ ବେଳକାଳ ଉଣ୍ଡି ଏକୁଟିଆ ଦେଖି ମୁଣ୍ଡଗଣ୍ଡି ଦି’ଗଡ଼ କରିଦେବେ ।”

 

ସିଂ ବାବୁଙ୍କ ଆଖି ଦୁଇଟା ମୁଣ୍ଡ ଉପରକୁ ଖୋସି ହୋଇଗଲା ଯେପରି । ଖାଲି “ଏଁ !!!” ବୋଲି ଏକ ଅସ୍ପଷ୍ଟ ଚିତ୍କାର ଶୁଣାଗଲା ।

 

–“ସେପରି ଖବରମାନ ତ ପ୍ରତିଦିନ ଖବରକାଗଜରେ ଦେଖିବାକୁ ମିଳୁଛି । ବିଶେଷ କରି ଆପଣ ଟିକେ ହୁସିଆର ହୋଇ ଚଳନ୍ତୁ । କାରଣ ନେତାଙ୍କ ଉପରେ ସମସ୍ତଙ୍କର ଆଖି ।” ସିଂ ବାବୁ ଛେପ ଢୋକି କହିଲେ–‘ଆଉ କ’ଣ ହୁସିଆର ହେବି ହୋ ବର୍‌ଜ ବାବୁ ! ଯାହା କପାଳରେ ଥିବ ଭୋଗିବା । ବୋଇଲା ପରା, କପାଳ ଲିଖନ କେ କରିବ ଆନ ।”

 

ତା’ପରେ କାକୁତିମିନତି ହୋଇ ସିଂ ବାବୁ କହିଲେ–‘ଗୋଟିଏ ଭଲ ଉପାୟ ତୁମେ କୁହତ ବରଜ ବାବୁ ।’ ସିଂ ବାବୁ ଜାଣନ୍ତି, ବ୍ରଜ ଧୂରନ୍ଧର ଉପାୟମାନ ଆଖି ପିଛୁଳାକେ ବତାଇଦେବ-

 

–“ମୁଁ କହୁଥିଲି କ’ଣ କି, ଆପଣ ଏଇ ବେକାର ସମସ୍ୟା ସମାଧାନ ପାଇଁ ଏସେମ୍ବ୍ଲିରେ ପ୍ରଶ୍ନମାନ ପଚାରନ୍ତୁ । ଶୀଘ୍ର ଧନ୍ଦା ଯୋଗାଇବା ପାଇଁ ସରକାରଙ୍କ ଉପରେ ଚାପ ପକାଇଲା ଭଳି କେତୋଟି ବିବୃତି ଖବରକାଗଜରେ ମାସେ ଅନ୍ତରରେ ପ୍ରକାଶ କରନ୍ତୁ । ଯେକୌଣସି ସ୍ଥାନରେ ବେକାର ଲୋକେ ଦାବି ହାସଲ ପାଇଁ ଅନଶନ ବା ସତ୍ୟାଗ୍ରହ କରୁଥିବା ଦେଖିଲେ ନିଜେ ସେଠାକୁ ଯାଇ ବକ୍ତୃତା ଦିଅନ୍ତୁ । ଏପରି କଲେ ଆପଣଙ୍କୁ ସେମାନେ ନିଜର ବୋଲି ମଣିବେ । ଆପଣ ଅନ୍ତତଃ ଜମି ମାଲିକ ଶ୍ରେଣୀରୁ ମୁକ୍ତି ପାଇବେ ।”

 

ସିଂ ବାବୁଙ୍କ ମନଗହନ ପୁଲକିତ ହୋଇଗଲା–“ଆଜି ତମେ ମଞ୍ଜି କଥାମାନ କହୁଚ ହେ । ଏଥର ସେମିତି କରିବା । ସେ ଉଠା ଜଳସେଚନ କଥା ପଛକୁ ଥାଉ ପଛେ, ବେକାର ସମସ୍ୟା ପାଇଁ ଫାଳେ ଗାରେଇ ଦେଲ କଲକଟରକୁ ଦେବା ।”

 

–“କଲେକ୍ଟର ନୁହେଁ, ଖବରକାଗଜ ।”

 

ଚାରି

 

ଦେବକୁ ଦେଖି ବିଜୟ ବୋଉ ଆଶ୍ଚର୍ଯ୍ୟ ହେଲେ । ଆଗରୁ କୁହା ନାହିଁ ପୁଛା ନାହିଁ ଚାରିଶହ ମାଇଲ ଅତିକ୍ରମ କରି ରାତି ଦଶଟାରେ ଦେବ ରାଜଧାନୀରେ ପହଞ୍ଚି ସିଧା ବିଜୟ ଘରକୁ ଚାଲି ଆସିଛି । ବିଜୟ ବୋଉକୁ ପଦେ କଥା କୁହାଇ ନ ଦେଇ ଖାଲି ବିଜୟକୁ ଖୋଜିଲା । କଥାବାର୍ତ୍ତାରୁ ସେ ଜାଣି ପାରିଲା ବିଜୟ ଆଜିକାଲି ପମ୍ପବିକା ଧନ୍ଦାରେ ପଶି ଘରେ ପ୍ରାୟ ରହୁନି । ଏ ଗାଁରୁ ସେ ଗାଁ ବୁଲି ବାର ଲୋକଙ୍କୁ ଖୋସାମତ କରି ପମ୍ପ ବିକୁଛି । ପଇସା ପଇସା ବୋଲି ବାୟା ହେବା ଉପରେ ।

 

ତଥାପି ଦେବ ନିଜେ ରାଜଧାନୀକୁ ଆସିବାର ଉଦ୍ଦେଶ୍ୟ ନ କହି ଖାଲି ବିଜୟ, ବିଜୟ ହେଲା । ଦେବର ହାବଭାବ ଦେଖି ବିଜି ବୋଉ ଭାବିନେଲେ ଯେ ଦେବବ୍ରତ ବିଜୟ ସହିତ ଆରତିର ବିବାହ ପ୍ରସ୍ତାବ ନେଇ ଆସିଛି । ଆରତି ଭାରି ଭଲ ଝିଅଟିଏ । ଘରର ସବୁ କାମ କରେ-। ମାଟ୍ରିକ ଯାଏଁ ପାଠ ବି ପଢ଼ିଛି । ସତରେ କେମିତି ହୁଅନ୍ତା…….ଆରତିକୁ ବୋହୂ କରି ଆଣିଲେ ?

 

ବିଜି ବୋଉଙ୍କ ମନ ଭିତରେ ଦୋହଲିଗଲା ଆରତିର ଛବି । ସୁଜନପୁର ଗାଁ ଯାକର ଝିଅ ଆରତି । ଦେଖିବାକୁ ବିଶେଷ ସୁନ୍ଦରୀ ନ ହେଲେ ମଧ୍ୟ ଅସୁନ୍ଦର କହି ହେବ ନାହିଁ । ଗୋରା ହୃଷ୍ଟପୁଷ୍ଟ ବଳି ଦେଲା ପରି ତନୁ । ଆଜିକାଲିକା ସୁନ୍ଦରୀ ଝିଅଙ୍କ ପରି ସେ ତନୁପାତଳୀ ନୁହେଁ । ତା’ ବୋଲି ମୋଟୀ ବୋଲି କହି ହେବନି । ମଧ୍ୟମ ଧରଣର ଉଚ୍ଚତା । ବେଶଭୂଷା କିମ୍ବା ଆଚାର ବ୍ୟବହାରରେ ବିଶୃଙ୍ଖଳା ମୋଟେ ଦେଖିବାକୁ ମିଳେ ନାହିଁ । ସବୁବେଳେ ସଞ୍ଜତ । ଯେଉଁଠି ଯେତିକି ଦରକାର ତା’ଠାରୁ ବେଶି ଗପେ ନାହିଁ । ଆରତିର ବଡ଼ ବଡ଼ ଆଖି, ଗାଢ଼ ଭ୍ରୂଲତା, ନାକ ଚେପ୍‌ଟା । ଅଳ୍ପ ଦୂରରେ ପାହୁଣ୍ଡ ପକାଇ ସେ ଅତି ଜୋରରେ ଚାଲେ । ଆରତି ପିଲା ମେଳରେ ପିଲା, ବୟସ୍କା ମେଳରେ ବୟସ୍କା । ବହୁତ କମ୍ ସେ ହସେ । ତାକୁ ଥଟ୍ଟା ପରିହାସ କରିବା ପାଇଁ କେହି ସାହସ କରନ୍ତି ନାହିଁ ।

 

–“ମୁଁ ବାହାରୁ ଟିକିଏ ବୁଲିଆସେ ମାଉସୀ ।”

 

ଦେବର କଥାରେ ପ୍ରକୃତିସ୍ଥ ହୋଇ ବିଜୟବୋଉ କହିଲେ, “କ’ଣ ଦିଟା ଖାଇଦେଇ ଯା-।”

 

–“ମୁଁ ବାଟରେ ଖାଇସାରିଛି, ତା’ଲାଗି ବ୍ୟସ୍ତ ହୁଅନି !” ଏତକ କହିଦେଇ ସେ ପଦାକୁ ବାହାରିପଡ଼ିଲା ।

 

ବିଜିବୋଉ ଆବାକାବା ହୋଇ ଦେବର ଯିବା ବାଟକୁ ଚାହିଁ ରହିଲେ । ଦେବ ଓ ବିଜୟ ତା’ ହେଲେ ଗୋଟିଏ ଉପାଦାନରେ ଗଢ଼ା । କାହିଁ ଆଗରୁ ତ ଏପରି ନ ଥିଲେ । ଭଲ ଗୁଣର ଓ ଭଲ ପଢ଼ନ୍ତି ବୋଲି ସମସ୍ତେ ଏମାନଙ୍କୁ ପ୍ରଶଂସା କରନ୍ତି । କେଡ଼େ ଆନନ୍ଦରେ ଥିଲେ ଏ ଦୁହେଁ । କିନ୍ତୁ ଇଞ୍ଜିନିୟରିଂ ପଢ଼ି ଆସିଲା ଦିନୁ କ’ଣ ହେଲା ଏମାନଙ୍କର ? ମୁଁହର ହସ କୁଆଡ଼େ ଲୁଚିଗଲା-?

 

ବିଜୟ ବୋଉ ଦୁଆରବନ୍ଧକୁ ଆଉଜି କାଠ ପିତୁଳା ପରି ଠିଆହୋଇ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ତାଙ୍କର ମନେହେଲା ପରଲୋକଗତ ସ୍ୱାମୀ ଚିରାଚରିତ ହାଫ୍ ସାର୍ଟ ଓ ଧୋତିଟିଏ ପିନ୍ଧି ହାତରେ ବ୍ୟାଗ୍ ଖଣ୍ଡିଏ ଧରି ଘର ଭିତରକୁ ପଶି ଆସୁଛନ୍ତି । ବଜାର ବ୍ୟାଗ୍‌ଟାକୁ ପିଣ୍ଡା ଉପରେ ରଖିଦେଇ, ପକେଟରୁ ଖଣ୍ଡିଏ ଲଫାପା ବାହାର କରି କହୁଛନ୍ତି–“ଶୁଣୁଛ, ଆମ ବିଜି ଏ ବର୍ଷ ପାଶ୍ କରିଛି, ଆଉ ଦେବ ମଧ୍ୟ ପ୍ରଥମ ହୋଇଛି । ତମ ପୁଅ ଇଞ୍ଜିନିୟର୍ ହେବାକୁ ଆଉ ରହିଲା ଦୁଇବର୍ଷ-। ଆମେ ଶହେ ଟଙ୍କିଆ କିରାଣି ହେଲେ କ’ଣ ହେଲା, ଆମ ପୁଅ ତ ହାକିମ ହେବ । ଜୀବନ ସାର୍ଥକ ହେଲା ବୋଲି ଜାଣ । ଏମିତି କଷ୍ଟେମଷ୍ଟେ ଆଉ ଦୁଇ ବର୍ଷ କଟାଇଦେଲେ ଦୁଃଖ ଯିବ-।”

 

ବିଜି ପାଇଁ ତାଙ୍କ ସ୍ଵାମୀ କେତେ କଷ୍ଟ ସହୁନଥିଲେ ସତେ, କିନ୍ତୁ କ’ଣ ହେଲା ? ନା ଦେଖିଲେ ସେ ବିଜିର ଇଞ୍ଜିନିୟରିଂ ଶେଷ ହେବା, ନା ଦେଖିଲେ ତା’ର ଏଇ ବେକାରି ଜୀବନର ହନ୍ତସନ୍ତ ।

 

ବିଜୟ ବୋଉ ଆଖିରୁ ଲୁହ ପୋଛିଲେ । ଛାଡ଼, ଯାହା ଭାଗ୍ୟରେ ଅଛି ତାକୁ ଭୋଗ କରିବାକୁ ହିଁ ହେବ । ତେବେ ଦେବ ଯଦି ନ ଥାନ୍ତା ବିଜୟ ଅବସ୍ଥା ଯେ ଆହୁରି କ’ଣ ହୁଅନ୍ତା ଭାବିହୁଏ ନାହିଁ । ଦେବ ଆଉ ବିଜୟ ଦୁହେଁ ସତେଯେମିତି ଗୋଟିଏ ବୃନ୍ତର ଦୁଇଟି କଳିକା । କଲେଜରେ ପଢ଼ୁଥିଲା ବେଳେ ଗୋଟିଏ ବହିରେ ଦୁହେଁ ପାଠ ପଢ଼ନ୍ତି । ଜଣକର ଆପଦ ବିପଦ ବେଳକୁ ଅନ୍ୟ ଜଣକ ପଛରେ ନିଶ୍ଚୟ ଛିଡ଼ା ହୋଇଯାଏ ।

 

ବିଜୟ ବୋଉ ଘର ଭିତରକୁ ଆସି ଭାତ ବାଢ଼ି ବସିଲେ । ଦୁଇ ଦିନର ବାସି ଭାତ । ତରକାରୀ ନାହିଁ, ଲଙ୍କା ଲୁଣ ଓ ପିଆଜ ହେଉଛି ତରକାରୀ । ଖାଇ ବସିଲାବେଳେ ବିଜିବୋଉ ଭାବିଲେ, ଏଥର ସଂସାର ଚଳାଇବା ବଡ଼ ଦୁରୂହ ହେଲାଣି । ଜୀବନରେ କେବେ ଭଲ ଗଣ୍ଡେ ଖାଇ ପାରିଲେନି କି ଭଲ ଖଣ୍ଡେ ପିନ୍ଧି ପାରିଲେନି । ତାଙ୍କ ସ୍ଵାମୀଙ୍କ ନିଜସ୍ଵ ବୋଲି ଘର ଖଣ୍ଡେ ନାହିଁ । କିରାଣି ଚାକିରି କରି କେତେ ସଞ୍ଚୟ କରିଥାନ୍ତେ ? ଯାହା ବା କରିଥାନ୍ତେ, ସେତକ ବିଜି ପଢ଼ାରେ ଗଲା । ସ୍ୱାମୀ ମଲା ପରେ ସରକାରଙ୍କଠୁ ଯାହା ତିନି ହଜାର ଟଙ୍କା ମିଳିଥିଲା ସେଥିରେ ବିଜୟ କଣ୍ଟ୍ରାକ୍ଟରୀ କରି ଚଳି ଆସୁଛି । ଏତିକି ଟଙ୍କାରେ କ’ଣ ବା ଲାଭ ମିଳିବ ? ଏଣେ ଘରଭଡ଼ା ମାସକୁ ପଚାଶ ଟଙ୍କା । ବଜାର ଦର ବଢ଼ି ବଢ଼ି ଆକାଶରେ ଯାଇ ଲାଗିଲାଣି । ନାଃ, ଆଉ ଭାବି ଲାଭ ନାହିଁ ।

 

ଦେବ ବିଜୟ ଘରୁ ସିଧା ଡାକ୍ତର ନରେଶ ପାଖକୁ ଗଲା । ନରେଶ ଦେବଠୁ ବର୍ଷେ ଜୁନିଅର । ସେ ମଧ୍ୟ ଚାକିରି ପାଇନାହିଁ । ମଧ୍ୟବିତ୍ତ ପରିବାରର ସନ୍ତାନ ହେତୁ ବେକାରି ଜୀବନର ହିନସ୍ତା ତାକୁ ହଟହଟା କରି ନାହିଁ ବୋଧହୁଏ ।

 

ଦେବର ଅନୁରୋଧକ୍ରମେ ନରେଶ ପାର୍କକୁ ବୁଲି ବାହାରିଲା । ଅନ୍ଧକାର ରାତି । ପାର୍କ ନିରୋଳା । ମୁଁହକୁ ମୁଁହ ଦିଶୁ ନାହିଁ । ଗୋଟିଏ ବେଞ୍ଚରେ ଦୁହେଁ ଲଗାଲଗି ହୋଇ ବସିଲେ । ଦେବ ପ୍ରଥମ କଥା ଆରମ୍ଭ କଲା–“ଶୁଣିଲି ତୁମ ଲାଇନ୍‌ରେ ମଧ୍ୟ ଚାକିରି ମିଳୁନି । କିନ୍ତୁ ଖୁସି ଲାଗିଲା ଯେ ତୁମେ ବର୍ତ୍ତମାନ ଘରୋଇ ଚିକିତ୍ସା କରୁଛ । ମତେ ଆଜି ତୁମ ଅନୁଭୂତିରୁ କିଛି କୁହ ।”

 

ନରେଶ ଥତମତ ହୋଇ କହିଲା, “ହଃ, ନାଁକୁ ମାତ୍ର ଘରୋଇ ଚିକିତ୍ସା । ମୋଟେ ଭଲଲାଗୁନି ।”

 

–“କାହିଁକି ?”

 

–“ପ୍ରଧାନ କଥା ହେଲା, ପ୍ରାଇଭେଟ୍ ପ୍ରାକ୍‌ଟିସ୍ ପାଇଁ କେତେକ ଡାକ୍ତର ଆଗରୁ ନାଁ କରିଗଲେଣି । ଆମେ ଫ୍ରେସ୍ ହ୍ୟାଣ୍ଡ୍, ଅଭିଜ୍ଞତା ନାହିଁ । ତେଣୁ କେହି ଲୋକ ଆମ ପାଖରେ ଚିକିତ୍ସା କରାଇବାକୁ ଇଚ୍ଛା କରୁ ନାହାନ୍ତି । ଯେକୌଣସି ସହରରେ ଏଇ ଅବସ୍ଥା । ନାମକୁ ଡାକ୍ତର ସିନା, ଆମ ଦୁରବସ୍ଥା କହିଲେ ନ ସରେ ।”

 

–“ଭବିଷ୍ୟତ ପାଇଁ କ’ଣ ଭାବୁଛ ?”

 

–“କ’ଣ ଆଉ ଭାବିବି । ଏମିତି ପଡ଼ି ରହିବା ହିଁ ସାର ହେଲା ପରି ଦେଖାଯାଉଛି । ମୁଁ କିନ୍ତୁ ଭାବେ, ଯେଉଁ ଦେଶର ମାଟି ଓ ପାଣିରେ ମୁଁ ବଢ଼ିଲି, ଯେଉଁ ଦେଶବାସୀଙ୍କ ଲହୁଲୁହାଣ ସ୍ଥାପିତ କଲେଜରେ ପଢ଼ି ଡାକ୍ତର ହେଲି ସେମାନଙ୍କର ଯଦି କିଛି ଉପକାର କରି ନ ପାରିଲି ତେବେ ମୋ ପାଠପଢ଼ା ବୃଥା । ଏ କଥା ଶୁଣି ଆପଣ ହସି ପାରନ୍ତି ।”

 

–“ନା, ନା ହସିବି କାହିଁକି ? ମୁଁ କେବଳ ଜାଣିବାକୁ ଚାହୁଁଥିଲି ତୁମେ ରାଜଧାନୀରେ ଘରୋଇ ଚିକିତ୍ସା କରିପାରୁଛ ନା ନାହିଁ । ବର୍ତ୍ତମାନ ଭାବୁଛି ତୁମ ଆମ ଅବସ୍ଥା ସମାନ । ତୁମେ ବର୍ତ୍ତମାନ ଯାହାସବୁ କହିଗଲ, ସେଥିରେ ମୁଁ ମଧ୍ୟ ଏକମତ । ନିଜ ବ୍ୟବସାୟ ସଙ୍ଗେ ଦେଶବାସୀଙ୍କର ବି ଉପକାର କରିବା ସମସ୍ତଙ୍କର କର୍ତ୍ତବ୍ୟ । ତୁମେ ଯଦି ରାଜି ହୁଅ, ତେବେ ଆମେ ସମସ୍ତେ ମିଶି ଗୋଟାଏ କିଛି ଉତ୍ପାଦନକ୍ଷମ ଧନ୍ଦାରେ ହାତ ଦେବା । କେତେକ ବ୍ୟାଙ୍କ ଋଣ ସୂତ୍ରରେ ଟଙ୍କା ସାହାଯ୍ୟ ଦେବେ ବୋଲି ମୁଁ ଶୁଣୁଥିଲି ।”

 

–“ମୁଁ ମଧ୍ୟ ଶୁଣିଛି । ଆପଣ କହୁନାହାନ୍ତି, କେଉଁ ଯୋଜନା କଥା ଭାବିଛନ୍ତି ।”

 

–“ମୁଁ କୌଣସି ନିର୍ଦ୍ଦିଷ୍ଟ କଥା ଭାବି ନାହିଁ । ଆମେ କେତେଜଣ ମିଶି ଗୋଟିଏ ଯୋଜନା ପ୍ରସ୍ତୁତ କରିବା ।”

 

ତା’ ପରେ ଦେବ ଆଗରୁ ଯାହା ଭାବିଥିଲା, ଗୋଟି ଗୋଟି କରି କହିଗଲା । ଶେଷରେ କହିଲା, “ଅନେକ ପ୍ରକାର ବ୍ୟବସାୟ କରାଯାଇପାରେ । କିନ୍ତୁ ଆମେ ଆମ ଦେଶର ନିତାନ୍ତ ଆବଶ୍ୟକୀୟ ଜିନିଷ ଉତ୍ପାଦନ କରିବାକୁ ଯୋଜନା କରିବା, ଯେଉଁଥିରେ ଦେଶର ସାଧାରଣ ଲୋକଙ୍କ ଚାହିଦା ମେଣ୍ଟିବ ଏବଂ ସେମାନଙ୍କ ଅର୍ଥନୈତିକ ମାନଦଣ୍ଡ ମଧ୍ୟ ବଢ଼ିବ । ସେଥିପାଇଁ ଦେଶର ସମସ୍ୟାଗୁଡ଼ିକ ଉପରେ ନଜର ଦେବାକୁ ପଡ଼ିବ ।”

 

ନରେଶ କହିଲା, “ମୁଁ ଦେଖୁଛି ସ୍ଵାଧୀନତା ପରେ ଆମ ଦେଶରେ ବହୁତ ଯୋଜନା ହେଲା । ଅନେକ କ୍ଷେତ୍ରରେ ଉତ୍ପାଦନ ଦୁଇ ଚାରି ଗୁଣ ବଢ଼ିଗଲା । କେତେକ କ୍ଷେତ୍ରରେ ଶହ ଶହ ଗୁଣ ବି । ଚାରିଆଡ଼େ କଲେଜ ସ୍କୁଲ ବସିଲା । ପକ୍କା ରାସ୍ତା ହେଲା, ବିଜୁଳି ଆଲୁଅ ଜଳିଲା । ହେଲେ କ’ଣ ହେଲା ? ଆଜି ପର୍ଯ୍ୟନ୍ତ ଆମେ ଶୁଣୁଛୁ ଦରଦାମ ବୃଦ୍ଧି, ଚାରିଆଡ଼େ ହା–ହୁତାଶ । ସମସ୍ତେ କହୁଛନ୍ତି ସେମାନେ ଇଂରେଜ ଅମଳରେ ହିଁ ଭଲ ଥିଲେ । ଏ ଅବସ୍ଥାରେ ଆମେ କେଉଁ ବେଉସା କରିବା ?”

 

–“ତୁମେ ଯେଉଁ ସମସ୍ୟାଗୁଡ଼ିକ କହିଲ, ପ୍ରଥମେ ତା’ର କାରଣ ନିର୍ଣ୍ଣୟ କରିବାକୁ ପଡ଼ିବ ।” କହିଲାବେଳେ ଦେବର ଆଖି ଉଜ୍ଜ୍ୱଳ ହୋଇ ଉଠୁଥିଲା । “ଆମର ପୂର୍ବ ଯୋଜନାଗୁଡ଼ିକ ବିଫଳ ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ଅଦୂରଦର୍ଶିତା ଓ ଜନସାଧାରଣଙ୍କ ସମସାମୟିକ ଅବସ୍ଥାକୁ ଚାହିଁ କରାଯାଇ ନ ଥିବାରୁ ବର୍ତ୍ତମାନ ଅସୁବିଧା ଉପୁଜିଛି । ମୋଟାମୋଟି ଦେଖିବାକୁ ଗଲେ–ସ୍ଵାଧୀନତା ପ୍ରାପ୍ତି ପରେ ଭାରତବାସୀ ଖୁବ୍‍ଶୀଘ୍ର ପ୍ରଗତିଶୀଳ ହୋଇ ଉନ୍ନତ ଦେଶମାନଙ୍କ ସହିତ ରାତାରାତି ସମତୁଲ ହୋଇଯିବାକୁ ଚେଷ୍ଟା କଲେ । ବହୁ ବର୍ଷର ସାଧନା ଓ ଅଧ୍ୟବସାୟର ଭିତ୍ତିରେ ଯାହା ଆଜି ମାତ୍ର କେତୋଟି ଉନ୍ନତ ଦେଶରେ ସାଧିତ ହୋଇଛି, ବିନା କଷ୍ଟରେ ସେ ସ୍ତରକୁ ଆମେ ଚାଲିଯିବାକୁ ଉଦ୍ୟମ କଲୁ । ବାହାର ଦେଶର ପ୍ରଚୁର ଅର୍ଥ ସାହାଯ୍ୟରେ କଳକାରଖାନାମାନ ବସାଇଲୁ । ବହୁ ଲୋକ ସରକାରୀ ଚାକିରି ପାଇଲେ । ବିନା କଷ୍ଟରେ ଅର୍ଥ ଉପାର୍ଜନ ସମସ୍ତଙ୍କୁ ସାହେବି କାଇଦାରେ ପକାଇଦେଲା । ଖାଦ୍ୟଶସ୍ୟ ଉତ୍ପାଦନ ଦିଗରେ କେବଳ ମଳିମୁଣ୍ଡିଆ ଗରିବ ଚାଷୀ ରହିଲେ । ଭୂମିରୁ ଉତ୍ପାଦନ ସମସ୍ତରରେ ରହିଲା । ମୁଷ୍ଟିମେୟ ଜମି ମାଲିକଙ୍କ ଜମିରେ ହୁଏତ ଅଧିକ ଉତ୍ପାଦନ ହେଉଛି । କି ଲାଭ ସେଥିରୁ ? ତେଲିଆ ମୁଣ୍ଡରେ ତେଲ ।”

 

ନରେଶ କହିଲା, “ସାଧାରଣ ଦୃଷ୍ଟିରେ ଦେଖିବାକୁ ଗଲେ, ଆମେ ଯାହା କରିଛୁ ସେଗୁଡ଼ାକ ମନ୍ଦ ହୋଇନି । ଆମେ ଜାଣୁ ପୁରାତନ ପ୍ରଣାଳୀରେ ଚାଷ କଲେ ବିଶେଷ କିଛି ଅଧିକା ଉପାର୍ଜନ ହେବ ନାହିଁ । ଉନ୍ନତ ଯାନ୍ତ୍ରିକ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ହିଁ ଦୁଇ ଚାରି ଗୁଣ ଅଧିକା ଉତ୍ପାଦନ ହୋଇପାରିବ । ଏଥିପାଇଁ ଇସ୍ପାତ କାରଖାନା, ସାର କାରଖାନା, ବିଦ୍ୟୁତ୍ ଶକ୍ତି, କୃଷି କଲେଜ, ଗବେଷଣାଗାର ଇତ୍ୟାଦି ଦରକାର । ଆମେ ଠିକ୍ ଏହା ହିଁ କରିଛୁ ।”

 

–“ତୁମ କଥାରେ ମୁଁ ଏକମତ । କିନ୍ତୁ ଯେଉଁ ପ୍ରଣାଳୀରେ ଏ ସବୁ କରାଗଲା ତାହା ଠିକ୍ ହୋଇନି ବୋଲି ମୁଁ କହୁଥିଲି । କେତେକ ଅଗ୍ରଗାମୀ ଦେଶର ପ୍ରଗତିର ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯିବ–ପ୍ରଥମେ ପ୍ରାକୃତିକ ସମ୍ପଦର ବିନିଯୋଗ କରି ଉତ୍ପାଦନ ବଢ଼ାଇବାକୁ ପଡ଼େ । ଏହାର ଅର୍ଥ ନୁହେଁ ଯେ ଦେଶର ସବୁଗୁଡ଼ାକ ପ୍ରାକୃତିକ ସମ୍ପଦର ପସରା ମେଲା କରିଦେବା । ଅର୍ଥନୈତିକ ଅବସ୍ଥାକୁ ଚାହିଁ, କ୍ରମେ ଗୋଟିଏ ଗୋଟିଏ ପ୍ରାକୃତିକ ସମ୍ପଦର ବିକାଶ କରିବା ଉଚିତ୍ । ସହଜଲବ୍‌ଧ ପ୍ରାକୃତିକ ସମ୍ପଦ ହେଲା ଭୂମି, ଜଳ ଓ ବାୟୁ । ଏଗୁଡ଼ିକ ଉପଯୋଗ କରି ପ୍ରଥମେ ଖାଦ୍ୟ ପଦାର୍ଥ ଉତ୍ପାଦନ ବୃଦ୍ଧି କରିବା ଉଚିତ । ଖାଦ୍ୟ ପଦାର୍ଥ ଯଥେଷ୍ଟ ଉତ୍ପାଦନ ହେଲେ ବହୁତ ଶିଳ୍ପ ଗଢ଼ିଉଠେ । ଉଚ୍ଚ ଯୋଜନା କାର୍ଯ୍ୟକାରୀ କରିହୁଏ ।”

 

ଟିକିଏ ରହି ଦେବ କହିଲା, “ମୁଁ ଏଠି ଗୋଟିଏ ଉଦାହରଣ ଦେଉଛି । ଧରାଯାଉ କୌଣସି ଏକ ଅଞ୍ଚଳ କମଳା ଚାଷ ପାଇଁ ଉପଯୁକ୍ତ ବିବେଚିତ ହେଲା । ସେ ସ୍ଥଳରେ ଆମେ କ’ଣ କରୁ ? ଯେହେତୁ ଅଞ୍ଚଳଟି କମଳା ଚାଷ ପାଇଁ ଉପଯୁକ୍ତ, ଆମ ଭାବନାକୁ ସଙ୍ଗେ ସଙ୍ଗେ କମଳା ରସ ତିଆରି କାରଖାନାର ରୂପରେଖ ଚାଲିଆସେ । କାଗଜ କଲମରେ ବିରାଟ ଯୋଜନା ରିପୋର୍ଟ ସଙ୍କଳନ କରାଯାଏ । ବାହାରୁ ଋଣ ଆଣି କାରଖାନା ନିର୍ମାଣ କଲାବେଳକୁ ଏଣେ କମଳାଗଛ ହାତେ ଉଚ୍ଚାର ହୋଇଥାଏ । କାରଖାନା ଚାଲୁ ହେଲା ବେଳକୁ କମଳା ଫଳିନଥାଏ କିମ୍ବା ଉତ୍ପାଦନ ଯଥେଷ୍ଟ ହୋଇନଥାଏ । ଏଥିରେ ଯୋଜନା କ୍ଷତିଗ୍ରସ୍ତ ହେବ ନା ନାହିଁ ? ଅନେକ ଯୋଜନା ଏହି ପ୍ରକାରେ କ୍ଷତିଗ୍ରସ୍ତ ହେବା ତୁମେ ଦେଖିଥିବ ।

 

“ଏହି ଯୋଜନାକୁ ଅନ୍ୟ ପ୍ରଣାଳୀରେ କାର୍ଯ୍ୟକାରୀ କରି ଦେଖାଯାଉ । ଯେଉଁ ଅଞ୍ଚଳ କମଳା ଚାଷ ପାଇଁ ଉପଯୁକ୍ତ ସେଠି କାରଖାନା ବଦଳରେ କମଳା ଚାଷକୁ ହିଁ ଯୋଜନାର ବିଶିଷ୍ଟ ଅଙ୍ଗ ଭାବେ କାର୍ଯ୍ୟକାରୀ କରାଯାଉ । ଉତ୍ପାଦନ ପରିମାଣ ପ୍ରଥମେ ବର୍ଷେ ଦୁଇ ବର୍ଷ ପାଖାପାଖି ଅଞ୍ଚଳରେ ବିକ୍ରି ହୋଇଯିବ । ବେଶି ହେଲେ, ଭବିଷ୍ୟତ ପାଇଁ ମହଜୁଦ କରି ରଖିବାକୁ ଆଗ୍ରହ ବଢ଼ିବ । ଫଳତକ ସତେଜ ରଖି ଭବିଷ୍ୟତରେ ବ୍ୟବହାର କରିବା ପାଇଁ ଶୀତଳ ଭଣ୍ଡାର ଦରକାର ପଡ଼ିବ । ଆହୁରି ବେଶି ଉତ୍ପାଦନ ହେଲେ ଆପେ ଆପେ କମଳା ରସ କାରଖାନା କରିବା ପାଇଁ ମନ ବଳିବ । ଏ କ୍ଷେତ୍ରରେ କାରଖାନା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଖୁବ୍ କମ । ଦୁଇ ବା ତତୋଽଧିକ ସ୍ଥାନରେ ଏକ ପ୍ରକାର ଖାଦ୍ୟଶସ୍ୟ ଉତ୍ପାଦନ ହେଲେ, ଚାଷୀମାନେ ସେଥିରୁ ବହୁ ପ୍ରକାର ଛୋଟ ଛୋଟ କାରଖାନା କରିପାରିବେ । ପ୍ରଗତିଶୀଳ ଦେଶଗୁଡ଼ିକରେ ଏପରି ଦେଖାଯାଏ-।”

 

–“ଯଦି ଚାଷକୁ ଆମେ ବ୍ୟବସାୟ ରୂପେ ବାଛି ନେବା ତା’ହେଲେ ବର୍ତ୍ତମାନ ଯାହା ସବୁ ସୁବିଧା ସୁଯୋଗ ଅଛି ତାକୁ କାର୍ଯ୍ୟରେ ଲଗାଇବା ଉଚିତ । ଏଇ ଯେମିତି ତେଣ୍ଡା ବଦଳରେ ପମ୍ପ, ଲଙ୍ଗଳ ବଦଳରେ ଟ୍ରାକ୍ଟର… ।”

 

–“ଅଳ୍ପ ସମୟ ଭିତରେ ଆମେ ବହୁତ ଦୂର ଆଗେଇ ଗଲେଣି । ଆମେ କେବଳ ଦେଶ କଥା ଚିନ୍ତା କରୁଥିଲେ । ତା’ ଭିତରୁ ଯେତେବେଳେ କୃଷି ବ୍ୟବସାୟଟି ଆପେ ଆପେ ବାହାରି ଆସୁଛି ତେବେ ତାକୁ ଆଖି ଆଗରେ ରଖି ଭାବିଲେ ମନେପଡ଼େ ଶିକ୍ଷା–ଦୀକ୍ଷା–ହୀନ ମଳିମୁଣ୍ଡିଆ ଚାଷୀ ଭାଇଙ୍କ କଥା । ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଏମାନଙ୍କର ଅର୍ଥନୈତିକ ଅବସ୍ଥାକୁ ସୁଧାରିବାରେ ଆମେ ଯଦି ସକ୍ଷମ ହୁଅନ୍ତୁ ତେବେ ତ ଅତି ଉତ୍ତମ କାର୍ଯ୍ୟ ହୁଅନ୍ତା ।”

 

–“ଆତ୍ମନିଯୁକ୍ତି ପାଇଁ ବହୁ କ୍ଷେତ୍ର ରହିଛି, କିନ୍ତୁ ଅନେକ ପ୍ରତିବନ୍ଧକ । ଅର୍ଥ, ନେତୃତ୍ଵ, ସାହସ ଆଦିର ଅଭାବରେ ଆମେମାନେ ଆଗେଇ ପାରୁନୁ । ଅଭିଜ୍ଞ ଲୋକ ପଥପ୍ରଦର୍ଶକ ହୋଇ ବାହାରିଲେ ଅନେକ ବେକାର ବ୍ୟକ୍ତି ଧନ୍ଦା ପାଇଯାନ୍ତେ ।”

 

–“କାଲି ମୁଁ ନିଜେ ବିଭିନ୍ନ ଅଫିସକୁ ଯାଇ କେତେକ ଆତ୍ମନିଯୁକ୍ତି କ୍ଷେତ୍ରରେ ଥିବା ସୁବିଧା ଅସୁବିଧା କଥା ବୁଝିନେବି । ଏଠାରେ ଯୋଗେଶଚନ୍ଦ୍ର ଦାସ ବୋଲି ଜଣେ ବଡ଼ ଇଂଜିନିୟର ଅଛନ୍ତି । ପିଲାଦିନେ ତାଙ୍କଠୁ ମୁଁ ବହୁତ ପ୍ରେରଣା ପାଇଥିଲି । ତାଙ୍କ ପାଖକୁ ପ୍ରଥମେ ଯାଇ ଆଲୋଚନା କରିବି । ଅନ୍ୟାନ୍ୟ ଯେଉଁ ଧନ୍ଦା ଆମ ଦେଇ ହୋଇପାରିବ ସେ ସବୁର ବିଶଦ ବିବରଣୀ ସଂଗ୍ରହ କରିବି । ପହରି ଦିନ ଆମେ ଏକାଠି ବସି ଯାହା କିଛି ସ୍ଥିର କରିବା । ଏ ଭିତରେ ବିଜୟ ବି ଚାଲି ଆସିଥିବ ।”

 

ପାଞ୍ଚ

 

ବୁଧବାର ଦିନ ଏଗାରଟାବେଳେ ବିଜୟର ଏକ–ବଖୁରିଆ ବସାଘରେ ଗୋଟିଏ ପୁରୁଣା ସତରଞ୍ଜି ଉପରେ ଜାକିଜୁକି ହୋଇ ବସିଥିଲେ ଚାରିଜଣ ବନ୍ଧୁ–ଦେବବ୍ରତ, ନରେଶ, ରବି ଓ ଶ୍ରୀକାନ୍ତ । ଦେବବ୍ରତ ଆଗରେ କେତେଖଣ୍ଡ କାଗଜ, ଗୋଟିଏ ଛୋଟ ବହି, କେତୋଟି ନକ୍‌ସା ଥୁଆ ହୋଇଥିଲା । ସତରଞ୍ଜି ପଡ଼ିଥିବା ସ୍ଥାନକୁ ଛାଡ଼ିଦେଲେ ସମଗ୍ର ବଖରାରେ ଆଉ ଟିକିଏ ବି ଖାଲି ସ୍ଥାନ ନ ଥିଲା । ଗୋଟିଏ ଅଂଶରେ ପେଡ଼ି ପୁଟୁଳାର ଥାକ ଏବଂ ତା’ ଉପରେ ଗୋଟିଏ ଛୋଟ ଦଉଡ଼ିରେ ଲଟକି ରହିଥାଏ ବିଜୟ ଓ ବିଜି ବୋଉଙ୍କର କେତେଖଣ୍ଡ ଲୁଗାପଟା । ତା’ ପାଖକୁ ଲାଗି କାନ୍ଥ ଆଲମିରାରେ ଥାକ ଥାକ ବହି ଅଳନ୍ଧୁରେ ଭରପୂର । ତା’ ତଳକୁ ଗୁଡ଼ାଏ ଖବରକାଗଜ ସ୍ତୂପ । ଘରସାରା ଧୂଆଁ ଭର୍ତ୍ତି ।

 

ଗୁଡ଼ାଏ କାଗଜକୁ ଏପଟ ସେପଟ କରି ଦେବ ଆଲୋଚନା ଆରମ୍ଭ କଲା–“ମୁଁ ଗତକାଲି ବିଭିନ୍ନ ଅଫିସକୁ ଯାଇ ଆତ୍ମନିଯୁକ୍ତି ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଛି । ପ୍ରଥମ କଥା ହେଲା ଆମେ ବିଭିନ୍ନ ବିଷୟରେ ତାଲିମପ୍ରାପ୍ତ ବ୍ୟକ୍ତିମାନେ ଏକତ୍ରିତ ହୋଇଛୁ । ତେଣୁ ଆମ ଯୋଜନା ଏପରି ହେବା ଦରକାର ଯେଉଁଠି ପ୍ରତ୍ୟେକେ ନିଜର ତାଲିମକୁ ବ୍ୟବହାର କରିପାରିବେ-

 

ଯେତେଗୁଡ଼ାକ ଯୋଜନା ମୁଁ ଅନୁଧ୍ୟାନ କରିଛି ସେଗୁଡ଼ିକ ବ୍ୟକ୍ତିଗତ ଭାବେ କିମ୍ବା ଏକ ସଂସ୍ଥା ଜରିଆରେ କାର୍ଯ୍ୟକାରୀ କରାଯାଇପାରେ । ସମବାୟ ସଂସ୍ଥା କରିବାକୁ ଗଲେ ଅନ୍ୟୂନ ଦଶ ଜଣ ସଭ୍ୟ ଆବଶ୍ୟକ । ଅବଶ୍ୟ କେତୋଟି ସମବାୟ ସଂସ୍ଥା ଆଗରୁ କରାଯାଇଛି, କିନ୍ତୁ ସେଗୁଡ଼ିକ ବିଶେଷ ଲାଭପ୍ରଦ ହେଉନାହିଁ । ଏହାର କାରଣ ହେଉଛି ଏକତା ଓ ବଳିଷ୍ଠ ନେତୃତ୍ଵର ଅଭାବ । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଛୋଟ ଛୋଟ କାମ କରା ଯାଇ ପାରେ । କିନ୍ତୁ ଏଥିପାଇଁ ଯଥେଷ୍ଟ ପୁଂଜି, ଶ୍ରମ ଓ ଜନବଳ ଦରକାର ହେବ । ମୁଁ ଆପାତତଃ ‘ବ୍ୟକ୍ତିଗତ ପ୍ରଚେଷ୍ଟା’କୁ ବାଦ୍ ଦେଉଛି । କାରଣ ଆମେ ଏପରି ଯୋଜନା ପ୍ରସ୍ତୁତ କରିବା ଚାହି ଯାହାର ଅନ୍ତିମ ଫଳ ଅତ୍ୟନ୍ତ ମହତ୍ ଓ ବୃହତ୍ ହୋଇପାରୁଥିବ ଏବଂ ଏଇ ଲକ୍ଷ୍ୟ ସୁବିଧାରେ ହାସଲ ହୋଇପାରିବ ସମବେତ ଚେଷ୍ଟା ଦ୍ଵାରା ।

 

“ମୁଁ ଗତକାଲି ଇଂଜିନିୟର ଯୋଗେଶ ଚନ୍ଦ୍ର ଦାସଙ୍କ ସାଙ୍ଗରେ ଏ ବିଷୟରେ ଅନେକ ସମୟ ଆଲୋଚନା କରିଥିଲି । ଇଂଜିନିୟର ଜେ.ସି. ଦାସଙ୍କ ମତରେ ଆମେ କେତେଜଣ ମିଶି କଂଟ୍ରାକ୍ଟରୀ କରିବା ସବୁଠାରୁ ଭଲହେବ । କାରଣ ବୈଜ୍ଞାନିକ ଯୁଗରେ ଜଟିଳ ନିର୍ମାଣ କାର୍ଯ୍ୟ ସବୁ ହେଉଛି । ଶିକ୍ଷିତ ବୈଷୟିକ ଲୋକ ନିର୍ମାଣ କାର୍ଯ୍ୟକୁ ଉଚିତ ମାର୍ଗରେ ଠିକଣା ସମୟରେ କରିପାରିବେ । ତଦ୍ଦ୍ୱାରା ସରକାରୀ ଇଂଜିନିୟରମାନେ ମଧ୍ୟ ଅନେକ ବାଜେ ଚିନ୍ତା ଓ ଧନ୍ଦାରୁ ମୁକ୍ତ ହେବେ । ସେ କହନ୍ତି କି ଗୋଟିଏ ସୋସାଇଟି ଜରିଆରେ କାମ ନେଲେ ‘ଏ’ କ୍ଲାସ କଂଟ୍ରାକ୍‍ଟର ପରି ସୁବିଧା ଆମେ ପାଇବା । ବଡ଼ ବଡ଼ କାମ ହାତକୁ ନେଇପାରିବା । ସରକାର ଇଂଜିନିୟରମାନଙ୍କ ପାଇଁ ଟେଣ୍ଡରରେ ଶତକଡ଼ା ପାଞ୍ଚ ଭାଗ ରିହାତିର ବନ୍ଦୋବସ୍ତ କରିଛନ୍ତି । ଦାସବାବୁ ମୋତେ ଏପରି ପ୍ରତିଶ୍ରୁତି ଦେଲେ ଯେ, ସେ ନିଜ ଆଡ଼ୁ ଯଥାଶକ୍ତି ସାହାଯ୍ୟ କରିବେ ।”

 

ରବି ଏ ପ୍ରସ୍ତାବରେ ଖୁବ୍ ଖୁସି ହୋଇଗଲା ବୋଧହୁଏ । କହିଲା, “ଜଣେ ବଡ଼ ଇଂଜିନିୟରଙ୍କ ବ୍ୟାକିଂ ରହିଲେ ଅସାଧ୍ୟ ସାଧନ ହୋଇପାରିବ । ତୁରନ୍ତ ଏ ଧନ୍ଦାରେ ପଶିଯିବା ଭଲ ।”

Unknown

 

ବାକ୍ୟ ଶେଷ କରିବାକୁ ନ ଦେଇ ଦେବ କହିଲା–“ଆମେ ଯଦି ଇଣ୍ଟିରିୟର ଅଞ୍ଚଳରେ ବଡ଼ ବଡ଼ କାମ ନେବା ତେବେ ଆହୁରି ଲାଭବାନ ହେବାର ଚାନ୍‌ସ୍ ଅଛି । ଆମ ଭିତରୁ କେହି ଶ୍ରମ ଓ ଶ୍ରମିକ, କେହି ନିର୍ମାଣ, କେହି ନିର୍ମାଣ ସାମଗ୍ରୀ ଯୋଗାଣ ଆଦି ବିଭିନ୍ନ ରକମର ଦାୟିତ୍ଵ ନେଇପାରିବ ।”

 

ଦେବ ସହିତ ସମସ୍ତେ ହସିଉଠିଲେ । ସେହି ହାସ୍ୟରୋଳ ସମୟରେ ଢୋ କରି ଏକ ଶବ୍ଦ କରି ଦରମେଲା ଦାଣ୍ଡ କବାଟ ମେଲା ହୋଇଗଲା । କାର୍ତ୍ତିକ ମାସ ଝଡ଼ ତୋଫାନର ଦଲକାଏ ପାଣି ମିଶା ପବନ ପରି ବିଜୟ ଭିତରକୁ ପଶି ଆସିଲା । ହଠାତ୍ ନିଜ ଘରେ ଚାରିଜଣ ବନ୍ଧୁଙ୍କୁ ଆବିଷ୍କାର କରି ସେ ପ୍ରଥମେ ଅବାକ୍ ହୋଇଗଲା । ଅଜଣା ଆଶଙ୍କାରେ ତ୍ରସ୍ତ ହୋଇ ଦୁଇ ପାଦ ପଛକୁ ହଟି ଆସି ସେ ଇତସ୍ତତଃ ଆଖି ବୁଲାଇଲା । ପରିସ୍ଥିତିକୁ ଅନୁଧ୍ୟାନ କଲା । କିନ୍ତୁ ସମସ୍ତଙ୍କର ହସ ହସ ମୁହଁ ଦେଖି ମନ ଭିତରେ ଗଢ଼ି ଉଠୁଥିବା ଶଙ୍କାତୁର ଭାବକୁ ଦୂରକୁ ଫୋପାଡ଼ି ଦେଇ ସେ ମଧ୍ୟ ହସି ହସି ପାଦ ବଢ଼ାଇଲା । “ଆରେ ଦେବ, କେବେ ଆସିଲୁ ଭାଇ !”

 

କରମର୍ଦ୍ଦନ କରୁ କରୁ ଦେବ କହିଲା, “ଦୁଇ ଦିନ ହୋଇଗଲାଣି । ତୋର କାହିଁ ଦେଖାଚାହାଁ ନାହିଁ ? କୁଆଡ଼େ ଯାଇଥିଲୁ ଯେ ମାଉସୀ ମଧ୍ୟ କହି ପାରିଲେନି । ସାଧବ ଘର ପୁଅ ବଣିଜ କଲାପରି ଛ’ ସାତ ମାସ ଉଭେଇ ଯାଉଛୁ !”

 

–“ଓଃ, ଡ୍ୟାମ୍ ଇଟ୍ । ସେ କଥା ଛାଡ଼ ଭାଇ । ଆରେ ଏ, ଗରିବ ଦୁଆରେ ତୁମେମାନେ ମଧ୍ୟ ? ନରେଶ ଓ ଶ୍ରୀକାନ୍ତ, ପାଖରେ ଏ ବାବୁଙ୍କୁ ମୁଁ ଜାଣି ପାରିଲିନି ଯେ ।”

 

ନରେଶ କହିଲା, “ତାଙ୍କ ନାଁ ରବି । ଅର୍ଥନୀତିରେ ଏମ. ଏ. ପାଶ୍ କରିଛନ୍ତି । ଆଇ.ଏସ୍‌ସି ପରେ ବି.ଏ.ରେ ମନସ୍ତତ୍ଵ ନେଇଥିଲେ ।” ବିଜୟ ଯେପରି ଡେଇଁ ପଡ଼ିଲା–’ଓ ଆଇ ସି ! ଭେରି ଗ୍ଲାଡ୍ ଟୁ ମୀଟ୍ ୟୁ । ଆପଣ ବହୁ ଡଙ୍ଗାରେ ପାଦ ଦେଇଛନ୍ତି ତା’ହେଲେ ।”

 

ବିଜୟ ହଠାତ୍ ଦେବ ଆଡ଼କୁ ଚାହିଁ କହିଲା, “ମନେହୁଏ କିଛି ଗୁରୁତର ଆଲୋଚନାରେ ବାଧା ଦେଲି । ବାଇ ଦି ବାଇ, ଆଲୋଚନାର ବିଷୟବସ୍ତୁ ମୋତେ ଜଣାଇଲେ କିଛି କ୍ଷତି ଅଛି କି-?”

 

ଦେବ କହିଲା, “ନା ନା କ୍ଷତି କ’ଣ ? ଏ ଆଲୋଚନାରେ ତୁ ତ ପ୍ରଥମେ ଭାଗୀଦାର ହେବା କଥା । ତୋର ଆସିବା ପୂର୍ବରୁ ଆମେ ଧରି ନେଇଥିଲୁ ଯେ ତୁ ମଧ୍ୟ ଏଠାରେ ଉପସ୍ଥିତ ଅଛୁ-।”

 

ହୋ ହୋ ହସି ବିଜୟ କହିଲା, “ଏକ୍‌ସଲେଣ୍ଟ୍ ! କି ବିଷୟରେ ଶୁଣେ ?”

 

–“ଖୋଦ୍ ଜୀବନତରୀ ଚାଳନା ବିଷୟ । ଆମେ ଏଠାରେ ଆମ୍ଭମାନଙ୍କର ଆତ୍ମନିଯୁକ୍ତି ପାଇଁ ଗୋଟିଏ ଯୋଜନା ତୟାର କରୁଛୁ । ଏ ଦୁଇ ଦିନରେ କେତେ ରିସର୍ଚ୍ଚ ହୋଇଗଲାଣି । ତୁ ସଫାସୁତୁରା ହୋଇ ଆସେ, ସବୁ ଶୁଣିବୁ । ଦୁଇ ଦିନ ହେଲା ତୁ ଗାଧେଇନୁ ବୋଧହୁଏ ।”

 

ଆତ୍ମନିଯୁକ୍ତି କଥା ଶୁଣିଲା ବେଳୁ ବିଜୟ ଗମ୍ଭୀର ହୋଇଯାଇଥିଲା । “ସଫାସୁତୁରା କଥା ଛାଡ଼୍ ଭାଇ । କହ କହ କୋଉ ବ୍ୟବସାୟ କଥା ପକେଇଥିଲ ।” ଏତକ କହି ଦୁଇ ଗୋଡ଼କୁ ଲମ୍ବେଇ ଦେଇ କବାଟ ପାଖ କାନ୍ଥ ମୂଳରେ ବସିପଡ଼ିଲା ବିଜୟ ।

 

କିଛି ସମୟ ତାକୁ ନିରୀକ୍ଷଣ କରି ଦେବ କହିଲା, “ମାଉସୀ କହିବା କଥା ପ୍ରକୃତରେ ସତ । ତୋର କ’ଣ ହୋଇଛି ? ତୁ ଏତେ ଝଡ଼ି ଯାଇଛୁ କାହିଁକି ? ଆଉ ଏ ବିଚିତ୍ର ବେଶ ପୋଷାକ କେବେଠୁ ଆରମ୍ଭ କଲୁଣି ?”

 

ବାସ୍ତବିକ ବିଜୟ ଦେଖିବାକୁ ପୂର୍ବର ବିଜୟ ପରି ନୁହେଁ । ଛ’ ଫୁଟ ଉଚ୍ଚାର ଗୋଟିଏ ଲମ୍ବା, ପତଳା, ମାଢ଼ିଆ ମଣିଷ ହେଉଛି ବିଜୟ । ପରିଧାନ ଚିପା ପ୍ୟାଣ୍ଟ୍, ‘ହରେକୃଷ୍ଣ, ହରେରାମ’ ଛାପମରା ପଞ୍ଜାବୀ ଓ ଜହରକୋଟ । ଛିଣ୍ଡା ଚପଲ ଉପରେ ଇଞ୍ଚେ ବହଳର ଧୂଳି । ମୁଣ୍ଡର କୁଞ୍ଚୁ କୁଞ୍ଚିଆ ବାଳ ଧୂଳିରେ ମାଟିଆ ରଙ୍ଗ ଧରିଛି । ମୁଁହରେ ଦାଢ଼ି, କାନ ପାଖରୁ କଲି ଆରମ୍ଭ ହୋଇ ଥୋଡ଼ି ମୂଳର ଛୋଟ ଛୋଟ ଦାଢ଼ି ସହିତ ମିଶିଯାଇଛି । ଏହି ଅର୍ଦ୍ଧଚନ୍ଦ୍ରାକାର କୃଷ୍ଣ କେଶ ମଝିରେ ସରଳ ରେଖା ପରି ଧାରେ ବହଳିଆ ନିଶ ।

 

ଦେବର ମନ୍ତବ୍ୟ ଶୁଣି ବିଜୟ ଟିକିଏ ତା’ ଦେହ ଉପରେ ଆଖି ବୁଲାଇଲା । ପଞ୍ଜାବିକୁ ଦୁଇ ତିନିଥର ଝାଡ଼ିଲା । ରାଢ଼ୁଆ ମୁଁହ ଉପରେ ଥରେ ହାତ ବୁଲାଇ, ଖୋଲା ହାତକଟା ଜାକେଟ୍‌କୁ ଦୁଇ ହାତରେ ଝାଙ୍କି ଦେଇ କହିଲା, “କହିଲି ପରା, ମୋ ଚେହେରା ଉପରେ ମନ୍ତବ୍ୟ ଅନାବଶ୍ୟକ-। ଆଚ୍ଛା, ବନ୍ଧୁଗଣ, ଆଲୋଚନା ଚାଲୁ ହେଉ । ମୋ ମୁହଁକୁ ବଲବଲ କରି ଚାହାଁ ନାହିଁ । ମାଇଣ୍ଡ ଇଓର୍ ବିଜିନେସ୍ ।”

 

ନରେଶ କହିଲା, “ଅମେ କେତେଜଣ ମିଶି ଗୋଟିଏ ସମବାୟ ସଂସ୍ଥା ଜରିଆରେ କିଛି ଧନ୍ଦା କରିବାକୁ ଆଲୋଚନା କରୁଥିଲୁ । ଗତକାଲି ଦେବ ବାବୁ ବିଭିନ୍ନ ଅଫିସକୁ ଯାଇ କେତେକ ତଥ୍ୟ ସଂଗ୍ରହ କରୁଛନ୍ତି । ଏଠି ଆଲୋଚନାରେ ଯାହା ସ୍ଥିର ହେବ କରିବା ।”

 

ତା’ପରେ ନରେଶ ଆରମ୍ଭ କଲା କଂଟ୍ରାକ୍ଟରୀ ବିଷୟ । ଇଞ୍ଜିନିୟର ଜେ. ସି. ଦାସ ସାହାଯ୍ୟ କରିବାକୁ କିପରି ସମ୍ମତ ତାହା ମଧ୍ୟ ସେ ଜଣାଇ ଦେଲା ।

 

କଥା ଶୁଣୁ ଶୁଣୁ ବିଜୟ ମୁଁହ ଲାଲ ପଡ଼ି ଯାଉଥିଲା । ଓଠ ଦୁଇଟି ଚାପି ଧରି, ଦାନ୍ତ କଟମଟ କରି ତୀକ୍ଷ୍‌ଣ କଣ୍ଠରେ ସେ ଚିତ୍କାର କଲା–“ନନ୍‌ସେନ୍‌ସ୍ ! କଂଟ୍ରାକ୍ଟରୀ ନା ଛତୁଟା କରିବ-।”

 

ହତବାକ୍ ହୋଇ ସମସ୍ତେ ବିଜୟଆଡ଼କୁ ଚାହିଁଲେ । ବିଜୟଠାରୁ ଏପରି ଉତ୍ତର କେହି ଆଶା କରି ନ ଥିଲେ ।

 

ସାମାନ୍ୟ ବକ୍ର ହସି ବିଜୟ କହିଲା, “ତୁମେମାନେ ଏତେ ପାଠ ପଢ଼ି ଜାଣିପାରୁନା, ଦେଶର ଶାସନ ଡୋରି ଯେଉଁମାନଙ୍କ ହାତରେ ସେମାନଙ୍କୁ କିଏ ବସେଇଛନ୍ତି ? ସେଇ ବିଚକ୍ଷଣ ଲୋକଙ୍କ ସହିତ ତୁମ ପରି ମୁର୍ଦ୍ଦାରମାନେ କମ୍ପିଟ୍ କରିପାରିବେ ? ତୁମେ ଖୋସାମତ କରିପାରିବ-? ତୁମେ କଳାକୁ ଧଳା କରିପାରିବ ? ଏ ବ୍ୟବସାୟ ତୁମ ଆମ ଦେଇ ହୋଇପାରିବନି ।”

 

ଦେବ ମଧ୍ୟ ଉଚ୍ଚ ସ୍ୱରରେ କହିଲା, କଥାଟାକୁ ସମ୍ପୂର୍ଣ୍ଣ ନ ଶୁଣି ପାଟିଟେ କାହିଁକି କରୁଛୁ ବିଜୟ ? ତୁ କାହିଁକି ଭାବୁଛୁ ଯେ ଆମ ଦେଇ କେବଳ ପାଠ ହେବ, ଶାଠ ହେବ ନାହିଁ ? ଦରକାର ବେଳେ ଆମେ ବି…….. ।”

 

ଦେବକୁ ଅଧିକା କହିବାକୁ ନ ଦେଇ ବିଜୟ ଧଡ଼ାସ୍‌ କରି ଉଠିପଡ଼ି କହିଲା, “ଯା ଯା, ଭାରି କଲାବାଲା । ତୁମେ ସବୁ ଏଠି ପୋଥିବାଇଗଣ ତୋଳିବାକୁ ବସିଛ । “ତା’ପରେ ତମ ତମ ହୋଇ ପଦାକୁ ଯାଇ ‘ଥୁ’ କରି ବଡ଼ ପାଟିରେ ଛେପ ଦୁଇ ତିନିଥର ପକାଇ ପୁଣି ଘରକୁ ଲେଉଟିଲା-। କ୍ରୋଧରେ ସେ ଯେମିତି ଫାଟି ପଡ଼ୁଥିଲା, ତା’ ମୁହଁଟା ଯେପରି ଥରି ଉଠୁଥିଲା ।

 

ବିଜୟର ହାବଭାବ ଦେଖି ଦେବ କଅଁଳେଇ କହିଲା, “ଭାଇ ବିଜୟ, ତୋର ଏତେ ରାଗିବାର କ’ଣ ଅଛି ? ମୋତେ ପରା ଦାସ ବାବୁ ଚାରି ପାଞ୍ଚୋଟି ନିର୍ମାଣ କାର୍ଯ୍ୟର ନାଁ ବି କହିସାରିଲେଣି । ଏ ଭିତରେ ଚଞ୍ଚଳ ଆମ ସଂସ୍ଥାକୁ ରେଜିଷ୍ଟ୍ରି କରିନେଲେ କାମ ପାଇଯିବା ଏକ ପ୍ରକାର ନିଶ୍ଚିତ ।”

 

–“ଡୋଣ୍ଟ୍ ଟକ୍ ରବିଶ୍ । ଅଲ୍ ବ୍ଳଡ଼ି ନନ୍‌ସେନସ୍ । ଆରେ ଗଧ, ତୁ ବୋଧହୁଏ ଜାଣିନୁ ଏ ମଧ୍ୟରେ ମୁଁ ମଧ୍ୟ କଂଟ୍ରାକ୍ଟରୀରେ ହାତ ଦେଇଥିଲି । ବିଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡ଼ରେ ହାତ ଦେଲିରେ ଦେବ ।”

 

ଉତ୍ତେଜନା ଓ ଅପମାନରେ ତା’ ଆଖି ଦୁଇଟି ଆର୍ଦ୍ର ହୋଇ ଉଠୁଥିଲା । ଦେବ ବିସ୍ଫାରିତ ଚକ୍ଷୁରେ ପ୍ରଶ୍ନ କଲା–“ରିୟଲି ? କାହିଁ ମୁଁ ତ ଜାଣିନି ।”

 

ବିଜୟ ଟିକିଏ ଶାନ୍ତ ସ୍ୱରରେ କହିଲା, “ସରକାରୀ ବିବୃତିରେ ବିଶ୍ୱାସ କରି ସେଦିନ ମୁଁ ଦଉଡ଼ା ଦଉଡ଼ି କରି ‘ସି’ କ୍ଲାସ କଂଟ୍ରାକ୍ଟରଟେ ହୋଇଗଲି । ଗୋଟିଏ ରାସ୍ତା କାମ ପାଇଁ ପଚାଶ ହଜାର ଟଙ୍କାର ଟେଣ୍ଡର ମଗା ଯାଇଥିଲା । ଇଂଜିନିୟରମାନଙ୍କ ଏଷ୍ଟିମେଟ ହେଲା ପଚାଶ ହଜାର ଟଙ୍କା । ମୁଁ ଟେଣ୍ଡର ସ୍ତରରୁ ହିଁ ସେ କାମ ପାଇଲି ନାହିଁ । କାରଣ ଜଣେ ପ୍ରତିଷ୍ଠିତ କଂଟ୍ରାକ୍ଟର ମତେ ମୂଳରୁ ଡାଉନ କରିବା ପାଇଁ ତିରିଶ ହଜାର ଟଙ୍କାରେ ସେ କାମ ନେଲା ।”

 

ସଙ୍ଗେ ସଙ୍ଗେ ଦେବ କହିଲା, “ପଚାଶ ହଜାର ଟଙ୍କାର କାମ କିପରି ସେ ତିରିଶ ହଜାର ଟଙ୍କାରେ କରିପକାଇଲା ? ନିହାତି ବାଜେ କାମ ହେଉଥିବ ତ ?”

 

“ସବୁ ସମ୍ଭବ ଭାଇ, ସବୁ ସମ୍ଭବ । ଯୁବକମାନଙ୍କୁ ହତୋତ୍ସାହ କରିବା ପାଇଁ ସିନା ସେମାନେ ଥରେ ଦି ଥର କମ୍ ଟେଣ୍ଡର ଦିଅନ୍ତି, ଅନ୍ୟ ସମୟରେ ଅଟକଳ ମୂଲ୍ୟର ଦୁଇଗୁଣ ପଇସାରେ କାମ ପାଆନ୍ତି । ଆଉ ଭାଗ୍ୟକୁ ଏକ୍‌ଷ୍ଟ୍ରା କ୍ଲେମ୍ ବାଜିଗଲା ତ ପ୍ରଚୁର ପଇସା ଏକାଥରରେ ପକେଟରେ ପଡ଼ିଲା ।”

 

ନରେଶ କହିଲା, “ତା’ହେଲେ ଏତେ ପାଠ ପଢ଼ି ଲାଭ କ’ଣ ?”

 

ଠୋ ଠୋ ହସି ବିଜୟ କହିଲା–“ପାଠ ! ଫାୟାର ଇଓର ଲର୍ଣ୍ଣିଂସ ! ! ସେଇ ପାଠ ଓ ଡିଗ୍ରୀ ହିଁ କାଳ । ମାଙ୍କଡ଼ ଲାଙ୍ଗୁଡ଼ ଭଳି ଗୋଟିଏ ଲମ୍ବା ଚଉଡ଼ା ଡିଗ୍ରୀ ଧାରଣ କଲେ ଯେ କି ବିପଦ ତା’ ମୁଁ ଅଙ୍ଗେ ନିଭେଇଛି ଭାଇ । ଏଇ ଡିଗ୍ରୀ ଯୋଗୁଁ ଏକେ ତ ଶାଠ ତ ଆମ ଦେଇ ହେବ ନାହିଁ, ଲାଜ ଲାଗିବ । ଅଫିସରମାନେ ମଧ୍ୟ ଉପରକୁ ଭାଇ ଭାଇ ବୋଲି କଥାରେ କଇଁ ଫୁଟାଉଥିବେ ସିନା, ଭିତରେ ପଚା ପଙ୍କ ରଖୁଥିବେ । ମୁଁ ଅନ୍ୟ ଏକ କାମ ନେଇ ଏଇ ଡିଗ୍ରୀ ଯୋଗୁଁ ଏକ ହଜାର ଟଙ୍କା ନଷ୍ଟ ସହିଲି ପରା ।”

 

ରବି ଫିସ୍‌ ଫିସ୍ କରି କହିଲା–“ଦେଶରେ ବିପ୍ଳବ ଦରକାର ।”

 

ପୁଣିଥରେ ବିଜୟ ବକ୍ର ହସି କହିଲା–“ବିପ୍ଳବ !! କିଏ କରିବ ଏ ରାଜ୍ୟରେ ବିପ୍ଳବ ? ସେଦିନ ପରା ବେକାର ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇଥିଲୁ ଯେ, ସେ ଏ ସମସ୍ୟାକୁ ନାକରୁ ମାଛି ଉଡ଼ାଇଲା ପରି ଉଡ଼ାଇ ଦେଲେ । ନିଜ ରାଜ୍ୟର ସମସ୍ୟାକୁ ଆମେରିକା ଆଡ଼କୁ ମୁହାଁଇ ଦେବାରୁ ସମସ୍ତେ ଆମେରିକାକୁ ନିନ୍ଦା କରି କରି ନିଜର ଦାବିକୁ ଭୁଲିଗଲେ । ତୁମେ କ’ଣ କଲେଜ ଷ୍ଟ୍ରାଇକ୍ କଥା ଜାଣିନ ? ହୋଷ୍ଟେଲ ଗୃହରେ ପଙ୍ଖା ଦି’ଟା, ଷ୍ଟିଲ୍ ବାସନ ଦି’ଟା ଦେଇଦେଲେ ମୂଳ ସମସ୍ୟାକୁ ଭୁଲି ଦାବି ପୂରଣ ହୋଇଗଲା ବୋଲି ପିଲେ ଭାବନ୍ତିନି କି ? ଆଚ୍ଛା ଛାଡ଼, ବିପ୍ଲବ କଥା ପକାଅନି । ଆମେ ସବୁ ସମୁଦ୍ର ତଳର ଅନ୍ଧାରରେ ରହିବା ଜନ୍ତୁ । ଆମେ ପୁଣି ସୂର୍ଯ୍ୟାଲୋକ ପାଇଁ ଦାବି କରିପାରୁ ? ମହମବତୀଟିଏ ଟେକିଧରିଲେ ଆମେ ସୂର୍ଯ୍ୟାଲୋକକୁ ଭୁଲି ମିଞ୍ଜି ମିଞ୍ଜି ଆଲୁଅରେ ଆତ୍ମସନ୍ତୋଷ ଲାଭ କରୁ ନା ନାହିଁ ?

 

ଏ ରାଜ୍ୟରେ ଛୋଟ ବଡ଼ ଯାହା କିଛି ହେବ ପଲିଟିସିଆନ୍‌ମାନଙ୍କୁ ନେଇ । ଆଉ ସେମାନଙ୍କର ଅବସ୍ଥା…… । ଆରେ ଶୁଣ, ଗୋଟେ ମଜା କଥା ମନେପଡ଼ିଲା । କଂଟ୍ରାକ୍ଟରୀର କେତେକ ନିୟମ ବଦଳାଇବା ଓ ବେକାର ସମସ୍ୟା ସମାଧାନ ପାଇଁ ଆମେ କେତେଜଣ ମିଶି ଛୋଟ, ବଡ଼ ଓ ଅତି ବଡ଼ ଅଫିସରମାନଙ୍କୁ ସାକ୍ଷାତ୍ କରିଥିଲୁ । ସମସ୍ତେ ମନ ଧ୍ୟାନ ଦେଇ ଶୁଣନ୍ତି ଆମ କଥା । ଶେଷରେ ମନ୍ତବ୍ୟ ଦିଅନ୍ତି, ‘ସରକାରୀ ନିୟମ ଆମେ ପାଳନ କରିବାକୁ ବାଧ୍ୟ ।’ ଆମେ ଭାବୁ–ନିୟମ କରୁଛି କିଏ ? ମଣିଷ ନା ଭଗବାନ ? ଜଣେ ଦୁଇଜଣ ମନ୍ତ୍ରୀଙ୍କୁ ଦେଖା କଲୁ-। ସେମାନେ କହିଲେ–‘ଆମେ ପାଞ୍ଚୋଟି ବର୍ଷ ପାଇଁ ଆସୁଛୁ । ଆଗରୁ ହୋଇଥିବା ନିୟମରେ ତ ସଂସାର ଚାଲିଛି । ସେଥିରେ ହାତ କାହିଁକି ଦେବା । ଇଚ୍ଛା ଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କର । ଅଫିସରମାନଙ୍କୁ ଦେଖା କର । ଆମ ପାଖକୁ ଫାଇଲଟିମାନ ଆସିଲେ ବିନା ଦ୍ଵିଧାରେ ଦସ୍ତଖତଟିମାନ କରିଦେବୁ ।’ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ–‘ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ କାମ ହାସଲ କର’ ।

 

ପୁଣିଥରେ ହସ ଉଠିଲା ।

 

“–ଏଥର ବିରୋଧି ଦଳ ଲୋକଙ୍କ କଥା ଶୁଣ । ସେମାନେ ସରକାରଙ୍କର ସାତ ପୁରୁଷକୁ ଶ୍ରାଦ୍ଧ କରି ଉତ୍ତେଜିତ ସ୍ୱରରେ ଆମକୁ ଉପଦେଶ ଦେଲେ–‘ସରକାରକୁ ଡରନା । ତୁମେ ଯୁବକ । ଏ ଦେଶର ଶ୍ରେଷ୍ଠ ସମ୍ପଦ । ତୁମ ଦେହରେ ଗରମ ରକ୍ତ ପ୍ରବାହିତ ହେଉଛି । ବୃଥା ସମୟ ନଷ୍ଟ ନ କରି ବିପ୍ଳବ କର । ଯୁଦ୍ଧ କରି ବିଜୟୀ ହୁଅ । ମେଣ୍ଢା ପରି ମେଁ ମେଁ ହୋଇ ଜୀବିକା ଭିକ୍ଷା କରନା । ଜନ୍ମଗତ ଅଧିକାର ଭଳି ଡିମାଣ୍ଡ କର ।’ ଆମେ କହିଲୁ–‘ଆପଣମାନେ ଲିଡ଼୍ ନିଅନ୍ତୁ, ଆମେ ଅନୁସରଣ କରିବୁ ।’ ସେ କହିଲେ–'ତୁମେ ଭୀରୁ; ନାଟକର ସଂଳାପ ପରି କଥା କହି ଜାଣ, ନାଟକ କରି ଜାଣନା । କିନ୍ତୁ ବତ୍ସମାନେ ! କେତେଦିନ ଏମିତି ଶୋଇରହିବ ? ଉଠ । ଜାଗିଉଠ ! କ’ଣ, ଆମର ଏ ବକ୍ତବ୍ୟରେ ମଧ୍ୟ ତୁମେ ରୋମାଞ୍ଚିତ ହେଉନାହଁ ? ପଖାଳ ଖାଇ ଖାଇ ଯଦି ଦେହରେ ଉଷ୍ମତା ଆସୁନାହିଁ ତେବେ ଅଣ୍ଡା ଖାଅ । ମାଂସ ଖାଅ । ଆମେ ଯାହା କହୁଛୁ କରିଯାଅ । ଖବକାଗଜରେ ତୁମ୍ଭ କାର୍ଯ୍ୟର ତାରିଫ୍ କରିବା କାମ ଆମର । କାର୍ଯ୍ୟ ସଫଳ ହେବାର ସଙ୍କେତ ପାଇଲେ ଆମକୁ ଲିଡ୍ ନେବାକୁ ଡାକିବ । ନିର୍ଭୟ ହୁଅ ଯୁବକବୃନ୍ଦ, ମୁଣ୍ଡିମାରିବା କାମ ଆମର’ ।”

 

ସାମାନ୍ୟ ହାସ୍ୟରୋଳ ଗୁଞ୍ଜରି ଉଠିଲା ।

 

ବିଜୟ କିନ୍ତୁ ହସିଲା ନାହିଁ । କହିଲା–“ନା ମନ୍ତ୍ରୀ, ନା ଅଫିସର, ନା କିରାଣି, ନା ବ୍ୟବସାୟୀ, ନା କୃଷକ; ସମସ୍ତିଙ୍କ କାମରେ ଗଲତି । ଚାରିଆଡ଼େ ଲାଞ୍ଚ, ମିଛ, ଖୋସାମତି, କଳାବଜାରୀ । … ତଥାପି ଶାସନ ଚାଲିଛି, ଆମେ ବଞ୍ଚିଛୁ । ତେଣୁ ମୁଁ କହେ, ଏ ଦେଶରେ ପ୍ରକୃତ ଚାଳକ ହେଉଛନ୍ତି ସ୍ଵୟଂ ଭଗବାନ । ଅତଏବ ତୁମେମାନେ କିଛି ନୂଆ ଜିନିଷ କରିବାକୁ ଚେଷ୍ଟା କରନା । ଯାହାର ଯାହା ହେବାର ଅଛି ହେବ । ଏଇ ଦେଖ, ମୋ କଥା ଯେପରି, କଂଟ୍ରାକ୍ଟରୀରୁ ବିଦାୟ ନେଇ ମୁଁ ଏକ ଅଦ୍ଭୁତ ଧନ୍ଦାରେ ଏବେ ଲାଗିଛି । ଗାଁ ଗାଁ ବୁଲି ପମ୍ପ୍ ସପ୍ଲାଇ କରୁଛି । ହଜାରେ ଖୋସାମତ କରୁଛି । ତା’ ଛଡ଼ା ମଫସଲରେ କାହାର ହାତ ହତିଆର ସଜାଡ଼ି ଦେଉଛି ତ ଆଉ କାହାର ପମ୍ପ୍ ମରାମତି କରିଦେଉଛି । ଏଥିରୁ ଦୁଇ ଚାରି ପଇସା ମିଳିଯାଏ । ଏମିତି କରି ମାସକୁ ଦେଢ଼ଶ ଦୁଇଶ ଟଙ୍କା ପାଏ । ଦୁଃଖେକଷ୍ଟେ ମାଡ଼ିମକଚି ଚଳିଯିବା କଥା ।”

 

ଶେଷ କେତୋଟି ବାକ୍ୟ କହିଲାବେଳେ ବିଜୟ ଏକ ଅବ୍ୟକ୍ତ ବେଦନାରେ ଭାରାକ୍ରାନ୍ତ ହୋଇ ଉଠୁଥିଲା, ଯାହାକି ତାର ଆର୍ଦ୍ର ହୋଇ ଆସୁଥିବା ଆଖି ଦୁଇଟିରୁ ସ୍ପଷ୍ଟ ବାରି ହୋଇ ଯାଉଥିଲା ।

 

–“ମୁଁ ପାଞ୍ଚ ମିନିଟ୍ ଭିତରେ ଆସୁଛି ।” କହି ବିଜୟ ଘର ଭିତରକୁ ଖାଇବାକୁ ଚାଲିଗଲା-

 

ଅନ୍ୟମାନେ ଗୁମ୍‍ମାରି ବସି ରହିଲେ । ସମସ୍ତଙ୍କୁ ଜଣା ଯାଉଥିଲା ସତେଯେମିତି ଚତୁର୍ଦ୍ଦିଗ ଅନ୍ଧକାରମୟ । କାହା ଦେଇ କୌଣସି କାମ ଯେପରି ହୋଇପାରିବ ନାହିଁ । ବିଜୟ ଖାଉ ଖାଉ ଭିତରୁ କହିଲା–“ଏମିତି ଗୁମ୍‍ମାରି ବସିଲ କାହିଁକି ? ତୁମ ଆଲୋଚନା ଆରମ୍ଭ କର, ଦେବ ! ଆଉ କେଉଁ ଯୋଜନା କଥା ଭାବୁଛ କହୁନୁ ? ଆରେ, ମୁଁ ପାରିଲିନି, ତା’ବୋଲି କ’ଣ ତୁ ପାରିବୁନି-। କଂଟ୍ରାକ୍ଟରୀ ମଧ୍ୟ ମନ୍ଦ ନୁହେଁ, କିନ୍ତୁ ବର୍ତ୍ତମାନ ଆମ ପରି ଗରିବଗୁରୁବାଙ୍କ ପାଇଁ ସମୟ ଆସିନି । ହୁଁ, ଆରମ୍ଭ କର । ମୁଁ ଏଠାରୁ ଭଲ ଶୁଣି ପାରୁଛି ।”

 

–“ତା’ହେଲେ ତୁ କହୁଛୁ, ବର୍ତ୍ତମାନ ଅବସ୍ଥାରେ ଆମେ ଏପରି ଧନ୍ଦା କରିବା ଯୋଉଥିରେ ଖୋସାମତ, ଧରାଧରିର ପ୍ରଭାବ ନ ଥିବ । ନିଜ ବୁଦ୍ଧି ଓ ପରିଶ୍ରମ ଅନୁଯାୟୀ ଫଳପ୍ରାପ୍ତି ହେଉଥିବ, ନୁହେଁ ?”

 

–“ଏକ୍‌ଜାକ୍ଟଲି ।”

 

ତା’ପରେ ଆହୁରି କିଛିକ୍ଷଣ ନୀରବତାରେ କଟିଗଲା । ଭାତ ଖାଇସାରି ବିଜୟ ଦେବ ପାଖରେ ଆସି ବସିଲା ।

 

ଦେବ ଆରମ୍ଭ କଲା–“ଧର, ଆମେ ଦଶ ଜଣ ମିଶି ଯଦି ଗୋଟାଏ ବହୁମୁଖୀ କୃଷୀ ଫାର୍ମ କରନ୍ତେ । କୃଷୀ କର୍ମରେ ମୂଳରୁ ବର୍ଷେ ଦୁଇ ବର୍ଷ ଆମର ଲାଭ ହେବାର ସମ୍ଭାବନା ନାହିଁ । ତେଣୁ କୃଷି ସହିତ ଗୋପାଳନ, କୁକୁଡ଼ା ଫାର୍ମ ଆଦି ଆନୁସଙ୍ଗିକ କାର୍ଯ୍ୟ ହାତକୁ ନେବାକୁ ହେବ । ବୈଜ୍ଞାନିକ ପ୍ରଣାଳୀରେ କୃଷି କଲେ ଆମେ ସମସ୍ତେ ନିଜର ତାଲିମକୁ ବ୍ୟବହାର କରିପାରନ୍ତେ । ଗୃହ ନିର୍ମାଣ, ଜଳସେଚନ ଆଦି କାର୍ଯ୍ୟ ମୁଁ କରନ୍ତି । ଗୋଟିଏ ଛୋଟ ୱାର୍କସପ୍ କୁ ତୁ ଚାଲନ୍ତୁ । ୱାର୍କସପରେ ପାଣି ପମ୍ପ୍, ଟ୍ରାକ୍ଟରର ରକ୍ଷଣାବେକ୍ଷଣ ଆଦି ହେବା ସଙ୍ଗେ ସଙ୍ଗେ ସାଧାରଣ କୃଷକର ବ୍ୟବହାର୍ଯ୍ୟ ହାତ ହତିଆର ମରାମତି ମଧ୍ୟ ହୋଇପାରନ୍ତା । ଡାକ୍ତର ନରେଶଙ୍କ ତତ୍ତ୍ୱାବଧାନରେ ଗୋଟିଏ ଛୋଟ ଚିକିତ୍ସାଳୟ ଖୋଲା ଯାଇ ପାରନ୍ତା । କୌଣସି ଏକ ନିଭୃତ ପଲ୍ଲୀରେ କର୍ମକ୍ଷେତ୍ର ବାଛିନେଲେ ଆମର ଉନ୍ନତି ହେବ । ସଙ୍ଗେ ସଙ୍ଗେ ଗାଁଲୋକେ ବି ଉପକୃତ ହୁଅନ୍ତେ ।”

 

ବିଜୟ କୌଣସି ଆଗ୍ରହ ପ୍ରକାଶ ନ କରି କହିଲା–“ଜମି କେଉଁଠୁ ପାଇବୁ ? ଏତେ ବଡ଼ ଯୋଜନା ପାଇଁ ପୁଞ୍ଜି କାହିଁ ?”

 

ଆମର ସର୍ବମୋଟ ପଚାଶରୁ ଅଶୀ ଏକର ଜମି ଦରକାର । ଚାଷ ଜମି କ୍ରୟ କରିବାକୁ ଆମର ସମ୍ବଳ ନାହିଁ । ତେଣୁ ଦେଖି ଚାହିଁ କେଉଁଠି ଅନାବାଦୀ ଜମି ସରକାରଙ୍କଠୁ ଲୀଜ୍‌ରେ ନେବାକୁ ହେବ । ସମବାୟ ସଂସ୍ଥା କରି ସରକାରଙ୍କୁ ଦରଖାସ୍ତ କଲେ କମ୍ ଟଙ୍କାରେ ଜମି ଲୀଜ୍‌ରେ ମିଳୁଛି । ଅବଶ୍ୟ ସେପରି ଜମିକୁ ଚାଷୋପଯୋଗୀ କରିବାକୁ ପୁଣି ପୁଞ୍ଜି ଓ ଶ୍ରମ ଦରକାର । କ୍ରମେ ତାହା ଅବସ୍ଥାକୁ–ଚାହିଁ କରାଯାଇପାରେ । ଏଠାରେ ଜମିର ସ୍ଥାନ ନିରୂପଣ ଏକ ସମସ୍ୟା ରୂପେ ଦେଖାଯାଉଛି । ଏହି କଥା ଯୋଗେଶ୍ ବାବୁଙ୍କ ସହିତ ମୁଁ ଆଲୋଚନା କରିଥିଲି । ତାଙ୍କର ମତ ହେଲା କୌଣସି ଏକ ଭାରୀ ଜଳସେଚନ ଯୋଜନାର ସେଚିତ ଅଞ୍ଚଳରେ ଜମି ନେବା ଏକାନ୍ତ ଆବଶ୍ୟକ ।

 

ଆମ ରାଜ୍ୟରେ ବହୁ ଛୋଟ ବଡ଼ ଜଳସେଚନ ଯୋଜନାର ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇ ରିପୋର୍ଟ ସଙ୍କଳନ ସରିଛି । ସେଗୁଡ଼ିକ ଭବିଷ୍ୟତରେ କ୍ରମେ କାର୍ଯ୍ୟକାରୀ ହେବ । ଏହି ଯୋଜନାଗୁଡ଼ିକର ଜଳସେଚିତ ଅଞ୍ଚଳରେ ଆମେ ଅନେକ ଅନାବାଦୀ ଜମି ପାଇପାରିବା ।

 

କୃଷି, ଗୋପାଳନ ଇତ୍ୟାଦି ପାଇଁ ପାଣିର ଆବଶ୍ୟକତା ବେଶି । ପ୍ରଥମାବସ୍ଥାରେ ହୁଏତ କୂଅ ଖୋଳି କିମ୍ବା ନଦୀରୁ ପମ୍ପ୍ କରି ପାଣି ପାଇପାରିବା । ଏହା ଶ୍ରମସାଧ୍ୟ ଓ ଖର୍ଚ୍ଚବହୁଳ । ପ୍ରଥମ କେତୋଟି ବର୍ଷ ଏପରି ଚଳେଇ ନିଆଯାଇପାରେ । କିନ୍ତୁ ସବୁଦିନ ପାଇଁ ନୁହେଁ । କିଛିଦିନ ପରେ ଜଳସେଚନ ଯୋଜନା ଉପରେ ହିଁ ନିର୍ଭର କରିବାକୁ ପଡ଼ିବ । ସ୍ଥାନ ନିରୂପଣ ସମୟରେ ବଜାର ଓ ପରିବହନର ସୁବିଧାକୁ ମଧ୍ୟ ଦେଖିବାକୁ ପଡ଼ିବ ।

 

ଏ ସବୁକୁ ବିଚାର କଲେ ଚନ୍ଦ୍ରାବତୀ ଯୋଜନା ସବୁଠାରୁ ଉତ୍ତମ ହେବ । ଦରିଦ୍ର ଓ ଆଦିବାସୀ ବହୁଳ ଅଞ୍ଚଳରେ ଏ ଯୋଜନା ହେବାକୁ ଯାଉଛି । ଅନୁସନ୍ଧାନାଦି ପ୍ରାରମ୍ଭିକ କାର୍ଯ୍ୟମାନ ଶେଷ ହୋଇଛି । ଦ୍ଵିତୀୟତଃ ଏ ଅଞ୍ଚଳରେ ସୁବିଧାରେ ବେଶି ଅନାବାଦୀ ଜମି ମିଳିପାରିବ । ତୃତୀୟରେ ଆଜିକାଲି ଏ ଅଞ୍ଚଳ ପାଖାପାଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ଯୋଜନା କାର୍ଯ୍ୟକାରୀ ହେଉଛି, କିନ୍ତୁ କୌଣସିଟି ଖାଦ୍ୟ ଉତ୍ପାଦନ ସମ୍ବନ୍ଧୀୟ ନୁହେଁ । ତେଣୁ ଅତି ସହଜରେ ବଜାର ସମସ୍ୟା ସମାଧାନ ହୋଇପାରିବ । ଚତୁର୍ଥ କାରଣ ହେଉଛି ହଠାତ୍ ଏକ ଅଶିକ୍ଷିତ ଅଞ୍ଚଳରେ ଜଳସେଚନ ଯୋଜନା କରିଦେଲେ ଲୋକେ ପାଣିର ଉପଯୋଗିତା ଜାଣିପାରନ୍ତି ନାହିଁ । ଅନେକ ଜଳ ନଷ୍ଟ ହୁଏ । ତା’ଛଡ଼ା ଜଳସେଚନ ଯୋଜନା ଆରମ୍ଭ କାଳରେ ବାହାରୁ ବୁଦ୍ଧିଆ ଲୋକେ ଆସି କମ୍ ପଇସାରେ ଆଦିବାସୀମାନଙ୍କଠୁ ଜମି ଠକି ନିଅନ୍ତି । ଆମେ ସେଠି ଆଗରୁ ଥିଲେ ଏକେ ତ କୃଷକଙ୍କୁ ମୂଳରୁ ଜଳର ସଦୁପଯୋଗିତା ବୁଝାଇପାରନ୍ତେ ଏବଂ ଆମ ଭୟରେ ତାଙ୍କୁ ବାହାର ଲୋକ ଠକି ଜମି କ୍ରୟ କରିପାରିବେନି । ଏ ଉକ୍ତିର ସତ୍ୟାସତ୍ୟ ରାଜ୍ୟରେ ହୋଇଯାଇଥିବା ଅନ୍ୟାନ୍ୟ ଜଳସେଚନ ଯୋଜନାମାନଙ୍କରୁ ମିଳିବ ।”

 

ତଳେ ଥୁଆ ହୋଇଥିବା ରାଜସ୍ଵ ବିଭାଗୀୟ ଗ୍ରାମ୍ୟ ନକ୍‌ସା ଉପରେ ଆଙ୍ଗୁଠି ଚଲେଇ ଦେବ ବୁଝାଇଲା–“ଏଇ ଯେଉଁ ଚାରିଟି ସ୍ଥାନରେ ନାଲି ଚିହ୍ନ ଦିଆଯାଇଛି, ସେଗୁଡ଼ିକ ଫାର୍ମ ପାଇଁ ନିର୍ବାଚିତ ଅଞ୍ଚଳ । ପ୍ରଥମଟି ହେଉଛି କେନ୍ଦୁପଦରକୁ ଦେଢ଼ ମାଇଲ ଛାଡ଼ି ଚନ୍ଦ୍ରାବତୀ ନଈ କୂଳରେ । ପାଖରେ ଗୋଟିଏ ଛୋଟ ପାହାଡ଼ରୁ ନାଳଟିଏ ବାହାରି ଚନ୍ଦ୍ରାବତୀ ନଈରେ ପଡ଼ିଛି । ଏହାର କ୍ଷେତ୍ରଫଳ ପ୍ରାୟ ଶହେ ଏକର ହେବ । ନିକଟସ୍ଥ ସହର ହେଲା ଜୟନ୍ତୀନଗର, ପନ୍ଦର ମାଇଲ ଦୂରରେ ।

 

ଅନ୍ୟାନ୍ୟ ତିନୋଟି ସ୍ଥାନ ତିନି ଚାରି ମାଇଲ ଅନ୍ତରରେ ଅବସ୍ଥିତ । ଫାର୍ମ ସଂପ୍ରସାରଣ ଓ ନୂତନ ଫାର୍ମ ପ୍ରତିଷ୍ଠା ପାଇଁ ଯଥେଷ୍ଟ କ୍ଷେତ୍ର ରହିଛି । ଏ ଅଞ୍ଚଳରେ ଆଲୁମିନିୟମ୍ ଓ ଅଭ୍ର କାରଖାନା ଏବଂ କାଗଜ କଳ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି ।

 

ଦାସ ବାବୁ କହିଛନ୍ତି କି, ଫାର୍ମ ପ୍ରତିଷ୍ଠା କଲେ ଏଥିରେ ମଧ୍ୟ ସେ ସାହାଯ୍ୟ କରିବେ । ତାଙ୍କର କେତେକ କୃଷି ବିଶାରଦ ବନ୍ଧୁ ଅଛନ୍ତି । ସେମାନଙ୍କ ସାହାଯ୍ୟରେ ମାଟି ପରୀକ୍ଷା, ଫସଲ ପର୍ଯ୍ୟାୟ ନିରୂପଣ ଇତ୍ୟାଦି ସୁଚାରୁରୂପେ କରାଇ ହେବ ।”

 

–“ସ୍ଥାନଟା ଆମ ପାଇଁ ଦୂର ହୋଇଯିବ, ତଥାପି ମନ୍ଦ ନୁହେଁ ।” ନରେଶ ମନ୍ତବ୍ୟ ଦେଲା ।

 

–“ଟଙ୍କା ପଇସା କଥା କହିଲୁ ନାହିଁ । ଖାଲି କାଗଜ କଲମ ଯୋଜନା କରି ଲାଭ ନାହିଁ-।” ଗଭୀର ଚିନ୍ତାରେ ମଗ୍ନ ଥିଲା ପରି ବିଜୟ କହିଲା ।

 

–“ଟଙ୍କା ପଇସା ବିଷୟରେ ବର୍ତ୍ତମାନଠୁ କହିବା ମଧ୍ୟ ସଙ୍ଗତ ହେବନାହିଁ । ଏଠି ଆମେ ବିଭିନ୍ନ ତାଲିମପ୍ରାପ୍ତ ଲୋକ ଅଛୁ । ଯିଏ ଯୋଉ କାମରେ ତାଲିମ ପାଇଛି, ସେ ତା’ ବିଭାଗର ଅଟକଳ ପ୍ରସ୍ତୁତ କରିବ । ଏପରି ଯୋଜନା କରାଯିବ ଯେ ପ୍ରଥମାବସ୍ଥାରେ ଯେତେ କମ୍ ଖର୍ଚ୍ଚରେ କାମ ଚାଲୁହେବ କେବଳ ସେତିକି ମାତ୍ର ଟଙ୍କା ଆମ ନିଜସ୍ଵ ଅଟକଳରେ ସ୍ଥାନ ପାଇବ ଯେପରି କି ଗୃହ ବ୍ୟବସ୍ଥା କଲାବେଳେ ପ୍ରଥମାବସ୍ଥାରେ କେବଳ ଝାଟିମାଟି ଘର ହିଁ ଅଟକଳରେ ସ୍ଥାନ ପାଇବ । କ୍ରମେ ଲାଭ ହେଲେ ସେଥିରୁ ପକ୍‌କା ଘର କରାଯିବ । ଏପରି ପ୍ରତ୍ୟେକ ଅଂଶର ଅଟକଳକୁ ମିଶାଇ ସମଗ୍ର ଯୋଜନାର ରୂପ ଦେବା ।

 

କିନ୍ତୁ ଅନାବାଦୀ ଜମି ଖରିଦ, ଜମି ମରାମତି, ବିହନ କ୍ରୟ, ପ୍ରଥମ ଛ’ମାସର ଖାଦ୍ୟ ଆଦି ଅନ୍ୟୂନ ପନ୍ଦର ହଜାର ଟଙ୍କା ଦରକାର । ତା’ପରେ ଜମି ବନ୍ଧକ ଦେଇ ବ୍ୟାଙ୍କ୍‌ରୁ ଋଣ ଆଣିପାରିବା ।

 

ଏହି ଖର୍ଚ୍ଚ ନିଜ ହାତରୁ ବହନ କରିବାକୁ ପଡ଼ିବ । ମୁଁ ଏଥିପାଇଁ ଗୋଟିଏ ଉପାୟ ପାଞ୍ଚିଛି । ଆମର ଯୋଜନା ପ୍ରକୃତରେ ଆରମ୍ଭ ହେବାକୁ ସାତ ଆଠ ମାସ ସମୟ ଲାଗିଯିବ । ଏ ଭିତରେ ଆମେ କିଛି କିଛି ଉପାର୍ଜନ କରି ପ୍ରତ୍ୟେକେ ଦେଢ଼ ହଜାର ଟଙ୍କା ଲେଖାଏଁ ଗଚ୍ଛିତ କରିପାରିବା । ଯଥା–ମୁଁ ଆମ ଗାଁ ସ୍କୁଲରେ ଏତିକି ଦିନ ପାଇଁ ଶିକ୍ଷକତା କରିବାକୁ ସ୍ଥିର କରିଛି ।”

 

–“କେଉଁ ଦଶଜଣ ଆମ ସଂସ୍ଥାର ସଭ୍ୟ ହେବେ ?” ରବି ପଚାରିଲା ।

 

–“ଏଠି ତ ଆମେ ପାଞ୍ଚଜଣ ଅଛେ । ବିଜୟ ଗଲେ ମାଉସୀ ମଧ୍ୟ ଯିବେ । ତୁମର ଯଦି ଆପତ୍ତି ନ ଥାଏ ତେବେ ମୋର ସାନ ଭାଇ ନବଘନ ଓ ଭଉଣୀ ଆରତୀ ଏଥିରେ ଯୋଗଦେବେ । ଶେଷ ଦୁଇଜଣଙ୍କୁ କେନ୍ଦୁପଦରରୁ ନବା । ସ୍ଥାନୀୟ ଲୋକେ ଆମର ଅନେକ ଉପକାରରେ ଆସିବେ । ମୋର ଜଣେ ବାଲ୍ୟବନ୍ଧୁ ବ୍ରଜମୋହନ କୃଷି କଲେଜରେ ପଢ଼ୁଥିଲେ । ସେ ବର୍ତ୍ତମାନ କେନ୍ଦୁପଦରର ଜଣେ ଚାଷୀ । ମୁଁ ଭାବୁଛି କୁହାପୁଚ୍ଛା କଲେ ସେ ବି ଜଣେ ସଭ୍ୟ ହୋଇଯିବେ । ଶେଷ ଜଣକ ଗାଁର ଜଣେ ଶ୍ରମିକ ବା କୃଷକ ଶ୍ରେଣୀର ଲୋକ ହେଲେ ସୁବିଧା ହୁଅନ୍ତା ।”

 

ଛଅ

 

ମାଛି ମାଛିଆ ଅନ୍ଧାରବେଳେ ବାଡ଼ିପଟ ରୋଷେଇ ଘରକୁ ଲାଗି ଛୋଟିଆ ବାରଣ୍ଡା ଉପରେ ଠିଆ ହୋଇ ନବଘନ କାନରୁ ମଇଳା ବାହାର କରୁଥିଲା । ଦିଆସିଲ କାଠିର ମସୃଣ ଗୋଲେଇ ଓ ସ୍ପର୍ଶକାତର କାନର ଘର୍ଷଣଜନିତ ଆନନ୍ଦୋଲ୍ଲାସରେ ତା’ର ଆଖି ଦୁଇଟି ବୁଜି ହୋଇ ଯାଉଥିଲା, ପାଟି ମେଲା ହୋଇ ରହିଥିଲା ।

 

ଦେବଠାରୁ ଚାରି ବର୍ଷ ସାନ ଶ୍ରୀକାନ୍ତ ତଳକୁ ନବଘନ । ନବ ବୋଲି ଡାକିଦେଲାକ୍ଷଣି କେଉଁଠି ଥାଉ ପଛେ ହନୁମାନ ପରି ଡେଇଁ ଡେଇଁକା ସେ ଆସି ଉଭା ହୁଏ । ଦେଖିବାକୁ ସିନା ବାଙ୍ଗରା, କଥା କହୁଥିବ ଟାଣ ଟାଣ, ମରମକୁ ଭେଦିଗଲା ପରି । ତା’ କଥାରେ ଆଦି ନ ଥିବ କି ଅନ୍ତ ନ ଥିବ । ଫଁ ଫଁ ହୋଇ ସେ ଗର୍ଜେ, ଖିଲ୍ ଖିଲ୍ ହୋଇ ହସେ, ବନେଇ ଚୂନେଇ ଭାଷଣ ଝାଡ଼େ । କିନ୍ତୁ ସାମାନ୍ୟ ଧମକରେ ଦବିଯାଏ । ନବଘନର ଦେହ ତୁଳନାରେ ମୁଣ୍ଡ ବଡ଼ । ପରିବାର ନିୟନ୍ତ୍ରଣର ପ୍ରତୀକ ତ୍ରିଭୁଜ ପରି ମୁହଁ । କପାଳ, ନାକ, ତୁଣ୍ଡ ଏକ ସରଳ ରେଖାରେ ଲେସିଦେଲା ପରି ଗଠିତ । ସବୁବେଳେ ତା’ର ହାକିମି ମିଜାଜ୍‌ କିନ୍ତୁ କାମ କଥା ପଡ଼ିଲେ ଛୁ’ ମାରେ । ନବଘନ ମଧ୍ୟ ବେକାର ।

 

ନବଘନ ସେମିତି ଛିଡ଼ା ହୋଇଥିଲା । ଦାଣ୍ଡଘରୁ ବାପା ଓ ବଡ଼ ଭାଇଙ୍କ ଟୁପୁରୁଟାପର କଥା ତା’ର ଏ କାନରେ ପଶି ସେ କାନରୁ ବାହାରି ଯାଉଥିଲା । ହଠାତ୍ ନିଜ ନାମ ସହିତ ଡାଲି ଚାଉଳକୁ ମିଶାଇ ଗୋଟିଏ ବାକ୍ୟ ସେ ଶୁଣିବାକୁ ପାଇଲା । ଦିଆସିଲ କାଠି ଦୂରକୁ ଫିଙ୍ଗି ଦେଇ ଦାଣ୍ଡ ଘରୁ ଆସୁଥିବା ଶବ୍ଦ ବିନ୍ୟାସ ଆଡ଼କୁ ସେ କାନ ଡେରିଲା ।

 

ବାପା କହୁଥିଲେ–“ତା’ହେଲେ, ତୁ କହୁଛୁ ନବ ଡାଲି ଚାଉଳ ଦୋକାନ କରିବ ?”

 

ଦେବ କହିଲା–“ହଁ, କାହିଁକି ନୁହେଁ ? ଯୋଜନା ଆରମ୍ଭ ହେଲା ବେଳକୁ ଅନ୍ୟୂନ ଆଠ ମାସ ଲାଗିଯିବ । ବର୍ଷେ ବି ହୋଇପାରେ । ଏ ଭିତରେ ଆମକୁ ଦଶ ବାର ହଜାର ଟଙ୍କା ପ୍ରାଥମିକ ପୁଞ୍ଜି ସଂଗ୍ରହ କରିବାକୁ ପଡ଼ିବ । ତେଣୁ ଆମେ ଯେଉଁମାନେ ସଭ୍ୟ ରହିବୁ, ପ୍ରତ୍ୟେକ କିଛି କିଛି ଉପାର୍ଜନ କରିବାକୁ ସ୍ଥିର କରାଯାଇଛି । କେବଳ ନବ ନୁହେଁ, ମୁଁ ମଧ୍ୟ ଏଠା ସ୍କୁଲରେ ଶିକ୍ଷକ କାମ କରିବି ବୋଲି ଭାବିଛି ।”

 

ଓଃ, ଅସହ୍ୟ ଏ କଥାଗୁଡ଼ାକ । କ’ଣ ବୋଲି ଭାବିଛନ୍ତି ନବଘନକୁ ? ଡାଲି ଚାଉଳ ଦୋକାନ ପରି ଛୋଟଲୋକ କାରବାର ତା’ ଜରିଆରେ କରିବାକୁ ଚାହାନ୍ତି ଏମାନେ ? ନା ଅସମ୍ଭବ !

 

ନବ ଛିଡ଼ା ହୋଇପଡ଼ିଲା । ପ୍ୟାଣ୍ଟ୍ ପକେଟରେ ଦୁଇଟିଯାକ ହାତ ପୂରେଇ ବାଡ଼ିପଟର ଅନ୍ଧକାର ଆଡ଼କୁ ଚାହିଁଲା । ହାୟ ହାୟ, ଆଜି ପର୍ଯ୍ୟନ୍ତ ତା’ର ବହୁମୁଖୀ ପ୍ରତିଭାକୁ କେହି ଚିହ୍ନି ପାରିଲେନି !

 

ମୁଣ୍ଡ ନୁଆଇଁ ନବଘନ ପାଦରେ ରେଖାମାନ ଟାଣିଲା । ଭାବିଲା, ଏମାନେ ତା’ଠାରୁ ପ୍ରକୃତରେ କ’ଣ ଚାହାଁନ୍ତି ? ଡାଲି ଚାଉଳ ଦୋକାନ କାରିବାର ପଛରେ ମତଲବ କ’ଣ ଥାଇପାରେ-? ଟଙ୍କା ? ତେବେ ଟଙ୍କା ପାଇଁ ବ୍ୟବସାୟ କରିବ ତ ଡାଲି ଚାଉଳ ଦୋକାନ ପରି ଗୋଟାଏ ଛୋଟଲୋକ କାରବାର କାହିଁକି ? ଗୋଟାଏ କିଛି ବଡ଼ ବ୍ୟବସାୟ କଥା ଭାବ । ଯେପରି କି…….

 

ପାଖ ସହର ଜୟନ୍ତୀନଗରର ବଡ଼ ବଡ଼ ଦୋକାନ ସବୁ ମାନସ–ପଟରେ ଲୁଚକାଳି ଖେଳିଲେ । ସବୁଠାରୁ ମେନ୍ ରୋଡ଼ରେ ଅବସ୍ଥିତ ଶେଠ ଗୋବିନ୍ଦରାମ ମାରୱାଡ଼ି ଦୋକାନ ଭାରି ଲୋଭନୀୟ । କଲେ ସେପରି ଏକ ଦୋକାନ କରାଯାଇପାରେ ।

 

–“ଭାଇନା ।”

 

ନବଘନ ପଛକୁ ଚାହିଁଲା । ଆରତି ଛିଡ଼ା ହୋଇଛି । “ବାପା ଡାକୁଛନ୍ତି ଦାଣ୍ଡ ଘରକୁ ଚାଲ ।”

 

–“କାହିଁକି ?”

 

–“ଇଲୋ ମା ! ତୁମେ ଜାଣିନ ? ଓହୋ, ଦିନ ସାରା ତୁମେ ଘରେନଥିଲ ପରା ।”

 

“ଚୁପ୍, କ’ଣ ହୋଇଛି କହ ।”

 

“ଦେବ ଭାଇନା କ୍ୟାପିଟାଲ ଯାଇନଥିଲେ ? ସେଠାରୁ ସେ ଦଶ ଦିନ କାଳ ଧନ୍ଦି ହୋଇ ଗୋଟାଏ ଯୋଜନା ନେଇ ଆସିଛନ୍ତି । ଆଉ ଆଠ ଦଶ ମାସ ଗଲେ ଦେବ ଭାଇନା, ଶ୍ରୀକାନ୍ତ ଭାଇନା, ତୁମେ, ମୁଁ, ବିଜୟ ବାବୁ ଓ ଆହୁରି କେତେଜଣ ମିଶି କେନ୍ଦୁପଦର ପାଖରେ ଗୋଟାଏ କ’ଣ ଫାର୍ମ କରିବା । ପ୍ରତିଦିନ କୁଆଡ଼େ ଘୁ ଘୁ କାମ ଚାଲିବ । ଏତେ ଟଙ୍କା ଲାଭ ହେବ ଯେ, ନିଜ ଗୁଜୁରାଣ ମେଣ୍ଟାଇ ଗାଁ ଲୋକଙ୍କୁ ପଇସା ବାଣ୍ଟି ହେବ ।”

–“ଧେତ୍ ତେରିକା ! ଦେବ ଭାଇନାଙ୍କୁ କିଏ ଏପରି ବୁଦ୍ଧି ଦେଉଛନ୍ତି କେଜାଣି ! ଫାର୍ମ କରିବ ? ମାନେ ହଳ କରିବ । ଅର୍ଥାତ୍ ଏମାନେ ହଳୁ ହେବାକୁ ଚାହାନ୍ତି, ବୁଝିଲୁ ।”

–“ଖାଲି ତୁମେ ନୁହଁ, ଫାର୍ମ ନା ଶୁଣି ବାପା ମଧ୍ୟ ଖରାବେଳେ ବିରକ୍ତ ହେଲେ । ଦେବ ଭାଇନା ଯେତେ ବୁଝାଇଲେ ବି ବାପା ମୋଟେ ଆଗ୍ରହ ଦେଖାଇଲେ ନାହିଁ । କହିଲେ, ବୟସ କମ୍ ଥିଲାବେଳେ ମଣିଷ ବଡ଼ ବଡ଼ କଥା ଚିନ୍ତା କରେ କିନ୍ତୁ କାର୍ଯ୍ୟରେ କିଛି ହୁଏ ନାହିଁ । ତୁମମାନଙ୍କର ଅନୁଭୂତି ନାହିଁ । ଏତେବଡ଼ ଯୋଜନା ସଦ୍‌ଭାବର ସହିତ ଗୁଡ଼ାଏ ଲୋକଙ୍କ ଦେଇ ହୁଏନି । ତା’ପରେ ଯୋଜନାର ସଫଳତା ନେଇ କୌଣସି ବିଶେଷଜ୍ଞଙ୍କ ମତ ନିଆଯାଇ ନାହିଁ । ଦେବ ଭାଇନା ବହୁତ ଦବିଗଲେ । ଝିଅଙ୍କ ଭଳି କାନ୍ଦ କାନ୍ଦ ହୋଇଗଲେ ।”

–“ହେବେ ନାହିଁ ? କିଓ, ଯିଏ ଜାଣିଛି ତାକୁ ନ ପଚାରି ନିଜେ ନିଜେ ଶୂନ୍ୟରେ କୋଠା ପିଟୁଚ ? କେହି ନ ହେଲା ନାହିଁ, ମୁଁ ପୁଣି ତ ଜଣେ ମଣିଷ ଏଠି ଅଛି । ରତି ଲୋ, ତୁ କହ । କୋଉ ବିଦ୍ୟାଟା ମୋ ପାଖରେ ଅଜଣା ? ଦେଖିଲୁ ପରା ସେଦିନ, ରାବଣବଧ ନାଟକ ମୋତେ ନ ପଚାରି ଗାଁ ଟୋକାଏ କରିବାକୁ ବସିଲେ । ହେଲେ ହେଲା କି ? ଶେଷରେ ସେ ନାଇକ ଘରର ରାହାସ ପିଲା କେମିତି ମୋ ଗୋଡ଼ ହାତ ଧରିଲା ! କି ବିକଳରେ ଡାକୁଥାଏ, ‘ଘନ ଭାଇ, ତୁମେ ନ ଆସିଲେ ହେବନି । ଘନ ଭାଇ, ତୁମେ ନ ଆସିଲେ ହେବନି ।’ ମୁଁ ବି ସେ କଥା ଜାଣେ । କିଓ ‘ରାବଣ ବଧ’ ନାଟକ କରୁଛଟି ? ମର୍କଟ ରଡ଼ି, ମାନେ ହନୁମାନ, ଜାମ୍ବବାନ ଆଦି ମାଙ୍କଡ଼ମାନେ କିପରି ରଡ଼ି ପକାନ୍ତି ଏ ଖଣ୍ଡ ମଣ୍ଡଳରେ କିଏ ଜାଣେ ? ଯଦି କେହି ଜାଣିଥାଏ, ତ ଜଣେ । ଏକମାତ୍ର ନବଘନ । ମନେପଡ଼ୁଛି ତୋର ? ମୁଁ ନ ଯାଇଥିଲେ ହେଇଥାନ୍ତା ସେ ଡ୍ରାମା ? ଅବଶ୍ୟ ସେଦିନ ସର୍ଦ୍ଦି ହୋଇଗଲା ବୋଲି ଗଳାଟା ମୋର ଟିକିଏ ଅବାଗିଆ ହୋଇଗଲା । ମାଙ୍କଡ଼ ରଡ଼ି କୁଆଡ଼େ ଗଧ ରଡ଼ି ଭଳି ଶୁଭୁଥିଲା । ତଥାପି ଚଳେଇ ଦେଲି ନା ! ସେମିତି ଫାର୍ମ ଯଦି କରିବାର ଅଛି, ମୋତେ ଥରୁଟେ ପଚାରିଥାନ୍ତେ । ହେଲେ, ବାପା ଠିକ୍ ଧରିଛନ୍ତି । ଅଭିଜ୍ଞ ଲୋକଙ୍କୁ ନ ପଚାରି ଧାଁ ଦଉଡ଼ କରୁଥା, ଯୋଜନା ବାଡ଼ିପଟରୁ ହେଉଥିବ ।”

–“ନାଇଁ ମ ଭାଇନା ! ଦେବ ଭାଇନା କ’ଣ ଗୁଡ଼ାଏ କାଗଜ, ନକ୍‍ସା, ସ୍କେଲ ବାହାର କରି ବାପାଙ୍କୁ ଦେଖାଇଲେ । ଯୋଗେଶ ବାବୁ ବୋଲି ଜଣେ କିଏ ବଡ଼ ଇଞ୍ଜିନିୟର ଯୋଜନାକୁ ଭାରି ପ୍ରଶଂସା କରିଛନ୍ତି । ଏଠା ଜିଲା କୃଷି ଅଫିସର, ପଶୁ ଡାକ୍ତର, ଇଞ୍ଜିନିୟର ଆଦି ବହୁ ଅଫିସର କୁଆଡ଼େ ସାହାଯ୍ୟ କରିବେ ।”

–“ଧେତ୍ତେରେ ! ତୁ ଏ ସବୁରେ ବିଶ୍ୱାସ କରୁଛୁ ? ସେଦିନ… ।” ଆଉ କିଛି କହିବାକୁ ଆରତି ଦେଲା ନାହିଁ । କାରଣ ସେ ଜାଣେ ନବ ଭାଇନା କହୁଥିଲେ କହୁଥିବେ । “ସେତିକିବେଳୁ ତ ବାପାଙ୍କର ବିଶ୍ୱାସ ଆସିଯାଇଛି ଯେ, ଲଗେଇଛନ୍ତି ଦୁହେଁ ଗପ ।”

ଭିତରୁ ନିତ୍ୟାନନ୍ଦ ପାଟି କଲେ–“ଏତେବେଳ ଯାଏଁ କ’ଣ କରୁଛୁ ? କହିଲି ପରା ନବକୁ ଡାକି ଦେବା ପାଇଁ ।”

ଆରତି ଦୌଡ଼ି ପଳାଇଲା ରୋଷେଇ ଘରକୁ । ରହିଗଲା ନବଘନ ଏକୁଟିଆ । ଗୋଟିଏ ପାଦ ଆଗକୁ ବଢ଼େଇ ପୁଣି ଥଙ୍ଗିଗଲା । ହାୟ, ହାୟ; ଏଡ଼େ ବଡ଼ ପ୍ରତିଭା ଡାଲି ଚାଉଳ ଦୋକାନୀ ବନିବା ପ୍ରସ୍ତାବରେ ମୁଣ୍ଡ ନୁଆଇଁବାକୁ ଯାଉଛି । ବିକଳ ହୋଇ ଚାରିପଟେ ସେ ଚାହିଁଲା-। ରୋଷେଇ ଘରେ ମିଟି ମିଟି ହୋଇ ଜଳୁଥିବା ଡିବିରି ପାଖରେ ତା’ ଦୃଷ୍ଟି ସ୍ଥିର ହୋଇଗଲା ।

ଦୀପଶିଖା କ୍ଷଣକେ ରୂପାନ୍ତରିତ ହୋଇଗଲା ଶେଠ ଗୋବିନ୍ଦରାମର ଫୁଲକା ମୁହଁରେ-। ଗୋବିନ୍ଦରାମଜୀ । ବସିଛନ୍ତି ଯେପରି ଫୁଟେ ବହଳର ଗଦି ଉପରେ । ସୁନା ଫ୍ରେମ୍ ଦିଆ ଚଷମା ତଳେ ମୁଦ୍ରିତ ଚକ୍ଷୁ ଦିଓଟି । ବିରାଡ଼ି ପେଟ ଉପରେ ହାତ ସାଉଁଳେଇ, ଦୁଇଟି ବିଶାଳ ତକିଆରେ କହୁଣି ଥାପି ଗୋବିନ୍ଦରାମଜୀ ଉଠିବାକୁ ଚେଷ୍ଟା କରୁଛନ୍ତି । ଏଡ଼େ ବଡ଼ ପେଟ, ଏଡ଼େ ବଡ଼ ନାକ, ସାକ୍ଷାତ ଗଣେଶ ମୂର୍ତ୍ତି । ନବଘନ ଦେଖୁଥିଲା ନିଜେ ଫଟାଫଟ ଉଠି ଯାଉଛି ଗୋବିନ୍ଦରାମଙ୍କ ଦୋକାନ ଉପରକୁ । ସମଗ୍ର ଦେହ କଳା ପୋଷାକରେ ଆବୃତ; ଆଖିରେ କଳା ଚଷମା । ଦୁଇ ହାତରେ ଦୁଇଟି ପିସ୍ତଲ ଗୋବିନ୍ଦରାମଙ୍କୁ ଆଁ କରି ଲାଳ ଗଡ଼ାଉଛି । ଗୋବିନ୍ଦରାମ ଭୟରେ କଳା ପଡ଼ିଗଲେଣି । ଉପରକୁ ହାତ ଟେକିବା ପାଇଁ ଗଭୀର ପ୍ରଚେଷ୍ଟା କିନ୍ତୁ ସେତକ ବି ହେଉନି । ବିଦ୍ୟୁତ୍ ବେଗରେ ନବଘନ ଗୋଟିଏ ଗୋଇଠା ମାରୁଛି ଗୋବିନ୍ଦରାମଙ୍କୁ । ଫୁଟବଲ ପରି ଗଡ଼ି ଯାଉଛନ୍ତି ରାମଜୀ । ତା’ପରେ ନବଘନ ଦେଖୁଥିଲା ନିଜକୁ ଗୋବିନ୍ଦରାମଙ୍କ ସ୍ଥାନରେ । ବହଳ ଗଦି ଉପରେ ସେ ଖୁସିରେ ଗୋଡ଼ ପିଟୁଥିଲା ।

–“ଘଣ୍ଟାଏ ହେଲା ଡାକିଲିଣି, କୁଆଡ଼େ ଗଲା ସେ ନବ ?” ନିତ୍ୟାନନ୍ଦ ବଡ଼ପାଟିରେ ଡାକିଲେ ।

ଉଭେଇଗଲା ନବଘନର ସ୍ଵପ୍ନ । ଗୋବିନ୍ଦରାମଙ୍କ ଫୁଟେ ବହଳର ଗଦି ଉପରୁ ଯେପରି ସେ ଲମ୍ଫ ପ୍ରଦାନ କରିଛି ନିଜର ଗୋବରଲିପା ଭୂଇଁ ସନ୍ତ ସନ୍ତ ଘର ଅଗଣାକୁ ।–ଧୁତ୍ତେରେ । ଏମାନେ ଟିକିଏ ଭାବିବାକୁ ବି ଦେବେନି । ଏଇଥିପାଇଁ ତ ଦେଶରେ ଅଧୋଗତି । କିଏ ଟିକିଏ ଉଚ୍ଚ ଚିନ୍ତା କଲା ତ, ଦିଅ ଟାଣି ତାକୁ ପଛକୁ ।

ଦାଣ୍ଡଘର କବାଟ କୋଣରେ ମୁଣ୍ଡ ରାମ୍ପି ରାମ୍ପି ନବ ଛିଡ଼ା ହେଲା ।

 

ନିତ୍ୟାନନ୍ଦ କହିଲେ–“କିରେ, ସକାଳୁ ଦେଖାନାହିଁ ? କୁଆଡ଼େ ଯାଇଥିଲୁ ?” ନବ ଧୀର ଗଳାରେ ଉତ୍ତର ଦେଲା–”ଯାଇଥିଲି ଗୋପାଳ ପାଖକୁ । ପି.ୟୁ.ର ଲଜିକ୍‌ ବହି ଆଣିବାପାଇଁ । ବସି ବସି ଖରାପ ଲାଗୁଛି । ଭାବୁଛି ପ୍ରାଇଭେଟରେ ପି.ୟୁ. ଟା ଦେଇଦେବି । ସକାଳ ଏଗାରଟା ବେଳକୁ ଗୋପାଳ ଘରକୁ ଗଲି । ଗୋପାଳ ତା’ ମାମୁଁ ଘରକୁ ଚାଲି ଯାଇଥିଲା । ମାମୁଁ ଘରେ ଦେଖିଲା ବେଳକୁ ମାମୁଁ ଭଣଜା ଦୁହେଁ ତାସ୍‌ ଖେଳୁଛନ୍ତି । ମୁଁ ଗୋପାଳକୁ ପାଖକୁ ଡାକି କହିଲି–‘ଆରେ ବାବୁ, ଦିନଟାରେ ତାସ୍‌ ଖେଳି ସମୟ ନଷ୍ଟ କାହିଁକି କରୁଛ ? ତାସ୍‌ ଖେଳି କେହି ବଡ଼ ଲୋକ ହୋଇନାହିଁ । ଏ ମନ୍ଦ ବୁଦ୍ଧି ଛାଡ଼ । ପଢ଼ା ଶୁଣା…. ।”

 

ନିତ୍ୟାନନ୍ଦ ବିରକ୍ତ ହେଲେ–“ଥାଉ ଥାଉ । ସେ ନୀତି ଗୁଡ଼ାକ ପ୍ରଥମେ ନିଜକୁ ଦେ । ତୋର ଆଉ ବେଶି ପଢ଼ିବା ଦରକାର ନାହିଁ । ବରଂ ବର୍ତ୍ତମାନଠୁ ଗୋଟାଏ କିଛି ବ୍ୟବସାୟରେ ଲାଗ୍ ।”

 

–“ମୁଁ ମଧ୍ୟ ସେୟା ଭାବୁଥିଲି । ଆଜିକାଲି ପଢ଼ିବା ଅର୍ଥ ବହୁମୂଲ୍ୟ ସମୟ ନଷ୍ଟ କରିବା-। ମୋତେ ବି ବସି ବସି ଭଲ ଲାଗୁନି । ଭାବୁଛି ଚଞ୍ଚଳ କିଛି ବ୍ୟବସାୟରେ ମୁଣ୍ଡ ପୂରେଇ ଦିଏ । ଆଜିକାଲି ଯୋଉ କମ୍ପିଟିସନ୍‌ ମାର୍କେଟ୍, ସେଥିରେ ପ୍ରତିଷ୍ଠା ନ କରିଥିଲେ… ।”

 

–“ତୁ ତେବେ ଗୋଟିଏ ଡାଲି ଚାଉଳ ଦୋକାନ କରି ବସ ।”

 

–“ଡାଲି–ଡାଲି । ହଁ, ହବ, ହଉ ।”

 

ଏଥର ଦେବ କହିଲା–“କ’ଣ, ଭଲ ଲାଗୁନି ?”

 

–“ଭଲ ଲାଗୁଛି ଯେ, ହେଲେ ଡାଲି ଚାଉଳ ଦୋକାନ ଛୋଟଲୋକି କାରବାର ହେଇଗଲା । ମୋ ଦେଇ ହବ କି ନାହିଁ, ଭାବୁଥିଲି ।”

 

–“ଆଉ ତୋ ଦେଇ କ’ଣ ହବ କହୁନୁ ।”

 

–“ଡାଲି ଦୋକାନ ତ ରଘୁଆ କରୁଛି । ମୁଁ ଆଉ ରଘୁଆ କ’ଣ ସମାନ ? ତୁମେ ଚାହୁଁଛ ମୁଁ ବ୍ୟବସାୟ କରେ । ଠିକ୍ ଅଛି । କିନ୍ତୁ କରିବା ତ ଜୟନ୍ତୀନଗରର ଶେଠ ଅଗରୱାଲଙ୍କ କପଡ଼ା ଦୋକାନ ପରି ଖଣ୍ଡେ କାହିଁକି କରିବା ନାହିଁ । ମୁଁ ନିଜେ ଦେଖିଛି ଗୋବିନ୍ଦରାମ ରଘୁଆଠୁ କମ୍ ପରିଶ୍ରମୀ । ସେତକ କ’ଣ ମୋ ଦେଇ ହବନି ?”

 

–“ସେମିତି ଖଣ୍ଡେ ଦୋକାନ ପାଇଁ ଅନ୍ୟୂନ ଲକ୍ଷେ ଟଙ୍କା ଦରକାର । ଏତେ ଟଙ୍କା ଆଣିବୁ କୁଆଡ଼ୁ ?”

 

–“ଆଜିକାଲି ବ୍ୟାଙ୍କ୍‍ରୁ ମିଳୁଛି ।”

 

ଚିପା ଗଳାରେ ଦେବ କହିଲା–“ନବ ! କିଛି ନ ଜାଣି ବଡ଼ ବଡ଼ କଥା କହିବା ତୋର ଗତିରେ ପଡ଼ିଗଲାଣି । କିରେ, ଶେଠ ଗୋବିନ୍ଦରାମ କ’ଣ ଆପଣାଛାଏଁ ଏତେ ବଡ଼ ଦୋକାନର ମାଲିକ ହୋଇଗଲା ? ସେଦିନ ପରା ବାପା କହୁଥିଲେ ପନ୍ଦର ବର୍ଷ ତଳେ ଯେତେବେଳେ ଗୋବିନ୍ଦରାମ କେଉଁ ଅଜଣା ରାଇଜରୁ ଜୟନ୍ତୀନଗର ଆସିଲା ସେଦିନ ତା’ ହାତରେ ଫଟା ପାହୁଲା ସୁଦ୍ଧା ନ ଥିଲା । ହାତଠେଲା ଗାଡ଼ିରେ ସାହିକି ସାହି ବୁଲି ଗୁପ୍‌ଚୁପ୍ ବିକେ । ସେତେବେଳେ ତାକୁ ଡାକୁଥାନ୍ତି ଗୋବିନ୍ଦା । ପରିଶ୍ରମ ଓ ଅଧ୍ୟବସାୟ ବଳରେ ଦୈନିକ ପାଞ୍ଚ ଟଙ୍କାର ପକୋଡ଼ି ବିକା ଗୋବିନ୍ଦରାମ ଆଜି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟୀ । ଆମ୍ଭେମାନେ ଆଗରୁ ଯେମିତି ଦଶ ପଇସାରେ ପକୋଡ଼ି ଖାଉଥିଲୁ, ଆଜି ମଧ୍ୟ ସେହି ଅବସ୍ଥା । ବରଂ ତା’ଠାରୁ ନ୍ୟୂନ ।”

 

ନିତ୍ୟାନନ୍ଦ ମଧ୍ୟ ଯୋଗଦେଲେ–“ବ୍ୟାଙ୍କ୍ ଟଙ୍କା ଏମିତି ସହଜରେ ମିଳିଯାଏ ନାହିଁ । ତେଣୁ ସମ୍ବଳକୁ ଚାହିଁ ଦୋକାନ କରିବାକୁ କୁହାଯାଉଛି । କୌଣସି କାମ ମନଦେଇ କଲେ ଆନନ୍ଦ ମିଳେ । ପାଶ୍ଚାତ୍ୟ ଦେଶରେ ମଧ୍ୟ ଉଚ୍ଚ ଶିକ୍ଷିତ ଲୋକେ ଗୁଜୁରାଣ ମେଣ୍ଟାଇବା ପାଇଁ ବଳକା ସମୟରେ ହୋଟେଲରେ ପ୍ଲେଟ୍ ସଫା କରନ୍ତି, ରେଳ ଷ୍ଟେସନରୁ ଜିନିଷ ବୋହିନିଅନ୍ତି ।”

 

ଦେବ କହିଲା–“ସବୁଦିନ ତୋତେ ଡାଲି ଚାଉଳ ଦୋକାନ କରିବାକୁ କୁହାଯାଉ ନାହିଁ । ଏଇ ଛ’ ମାସ; ବେଶି ହେଲେ ବରଷେ । ଡାଲି ଚାଉଳ ସହିତ ଅନ୍ୟାନ୍ୟ ଛୋଟକାଟର ଆବଶ୍ୟକୀୟ ସାମଗ୍ରୀ ରଖିବୁ । ଏ ବର୍ଷ ପରେ ଆମେ ସବୁ ମିଶି ଗୋଟାଏ ଫାର୍ମ କରିବା । ସେଠି ତୋ ପାଇଁ ବହୁ ବଡ଼ ବଡ଼ କାମ ରହିଛି ।”

 

ନବଘନ ଆଉ କିଛି କହିବା ପୂର୍ବରୁ ବୋଉ ଖାଇବା ପାଇଁ ଡାକ ଛାଡ଼ିଲେ । ଧଡ଼ପଡ଼ ହୋଇ ନିତ୍ୟାନନ୍ଦ ବାବୁ ଉଠିପଡ଼ିଲେ । ନବଘନ ମଧ୍ୟ ଖସିଲା ।

 

କିନ୍ତୁ ଆରତି ରୋଷେଇ ଘରୁ ଦେବ ପାଖକୁ ଆସି ପଚାରିଲା–“ମୋ କଥା ଆରମ୍ଭ ହେଲା ନାହିଁ ଯେ ? ସଂକ୍ଷେପରେ ମତେ କ’ଣ ସବୁ କରିବାବୁ ହେବ କହିଲ ।”

 

–“ତୋ ଲାଗି କିଛି କାମ ନାହିଁ । ରୋଷେଇରେ ତ ତୁ ଏକ୍‌ସପର୍ଟ ହୋଇଗଲୁଣି । ଆଉ କି ଅଭିଜ୍ଞତା ତୋର ଦରକାର ? ହଁ, ଗୋଟିଏ କାମ ଏ ଭିତରେ ତୁ କରିପାରୁ । ଖରାବେଳେ ଛୋଟ ଛୁଆଙ୍କ ପାଇଁ ସୁନ୍ଦର ଜାମା ସବୁ କରୁନୁ । ଏଠି ନ ହେଲେ ବି ସହରରେ ତା’ର ଭାଉ ବେଶି-।”

 

–“ଠିକ୍ ଅଛି । କନା ଆଣିଦିଅ । ଜାମାଗୁଡ଼ାକ ବଜାରକୁ ପଠାଇବା ଭାର ତୁମର ।”

 

ବହୁକାଳ ଧରି ପୃଥିବୀ ଓ ଆକାଶ ଯେମନ୍ତ ଧୂଳିରେ ଭରି ରହିଥିଲା । ଧୂଳି ଝଡ଼ର ଅବସାନ ପରେ ଗୋଟିଏ ଦୀପ୍ତ ଦିଗନ୍ତ ଯେମିତି ଆଖିରେ ପଡ଼ିଲା ଏବଂ ସେଇ ଆଡ଼କୁ ସେମାନେ ଛୁଟିଲେ ।

 

ଯେକୌଣସିମତେ ପ୍ରାଥମିକ ପୁଞ୍ଜି ଗଚ୍ଛିତ କରିବାକୁ ହେବ । ଦେବବ୍ରତ ଶିକ୍ଷକ କାମ ପାଇଗଲା । ପିଲାଙ୍କୁ ସେ ଗଣିତ ଓ ବିଜ୍ଞାନ ପଢ଼ାଏ । ବାହାର ଲୋକଙ୍କ ଟାହି ଟାପରାକୁ ସେ ଖାତିର କରେନାହିଁ । ସେ ଭଲ ପଢ଼ାଇବାକୁ ଚେଷ୍ଟା କରେ । ମଝିରେ ମଝିରେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କର ପଢ଼ାରେ ସାହାଯ୍ୟ କରେ ।

 

ନବଘନ ସତକୁସତ ଡାଲି ଚାଉଳ ଦୋକାନ ଆରମ୍ଭ କରିଦେଲା । ଦୋକାନରେ ଡାଲି ଚାଉଳ ପଛକୁ କିଛି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବି ସ୍ଥାନ ପାଇଲାଣି । ନବଘନ ଦିନରାତି ଦୋକାନ କାମରେ ମଜ୍ଜିଯାଏ । ଏପରିକି ଡାଲି ଚାଉଳ ସାଙ୍ଗରେ ପକୋଡ଼ି, ଗୁଲୁଗୁଲା, ପାମ୍ପଡ଼ ବିକ୍ରୟ ହୁଏ । ନବଘନର ଆଦର୍ଶ ହେଲା ଶେଠ ଗୋବିନ୍ଦରାମ । ଦୋକାନରେ ବସିଲାକ୍ଷଣି ତା’ ମନ ଭିତରେ ଉଙ୍କିମାରେ ଗୋବିନ୍ଦରାମଙ୍କ ମୁଁହ ।

 

–“ଘନ ଭାଇ, ତୁ ଶେଷରେ ଦଣ୍ଡି ଧରିଲୁ ? କି ଦୁଃଖ ।” କେବେ କିଏ ଅଧେ ସାଙ୍ଗ ପିଲା ତାକୁ ଚିଡ଼ାନ୍ତି । ନବଘନ ବି ହଟିଯାଏ ନାହିଁ । ଗୋବିନ୍ଦରାମଙ୍କୁ ଆଖିରେ ରଖି ସେ ଚାଉଳ ବିକାରୁ ହାତୀରେ ବସିଲା ପର୍ଯ୍ୟନ୍ତ କାହାଣୀ ଗପେ ।

 

ଆରତିର ମଧ୍ୟ ଫୁରୁସତ୍‌ ନ ଥାଏ । ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଡିଜାଇନ୍‌ର ଜାମା ତିଆରିରେ ସେ ବ୍ୟସ୍ତ ରହେ । ଜୟନ୍ତୀନଗର ବଜାରରେ ଏଗୁଡ଼ିକର ଚାହିଦା ଖୁବ ବେଶି । ସକାଳେ ଓ ସନ୍ଧ୍ୟାରେ ସେ ଆଠଜଣ ପିଲାଙ୍କୁ ଟ୍ୟୁସନ କରେ ।

 

ରାଜଧାନୀରେ ବିଜୟ ପମ୍ପବିକା କାରବାର ଛଡ଼ା ଆଉ ଏକ ଧନ୍ଦାରେ ମୁଣ୍ଡ ପୂରାଇଲାଣି । ମାସରେ ବେଶି ହେଲେ ଦଶଦିନ ଗାଁ ଗଣ୍ଡା ବୁଲି ପମ୍ପବିକା ଓ ମରାମତି କାମ କରିବାକୁ ହୁଏ । ବଳକା ଦିନରେ ଗୋଟିଏ ପ୍ରିଣ୍ଟିଂ ପ୍ରେସ୍‌ରେ କଂପୋଜିଂ କାମ କରେ । କଂପୋଜିଂ ଶିକ୍ଷା କରିବାକୁ ମାସେ ଖଣ୍ଡେ ଲାଗିଗଲା । ତେଣିକି ପରିଶ୍ରମ ଅନୁଯାୟୀ ଆୟ । ଦିନକୁ ଏଇ ଧନ୍ଦାରେ ଦଶ ପନ୍ଦର ଟଙ୍କା ମିଳିଯାଏ । ବିଜୟ ତ ଖାମ୍‍ଖିଆଲି ମଣିଷ । ମନ ଯେଉଁଥିରେ ପାଇଥିବ, ଦିନରାତି ଭୁଲି ସେହି କାମରେ ଲାଗିଥିବ ।

 

ଅଳ୍ପଦିନ ହେଲା ଡାଃ ନରେଶ ମାଇକ୍ରୋସ୍କୋପଟିଏ କିଣି ନିଜ ଘରର ସାମ୍‌ନା ରୁମରେ ମଳମୂତ୍ର ପରୀକ୍ଷାଗାର ଖୋଲିଛି ।

 

ରବି ଗୋଟିଏ ଘରୋଇ ଅନୁଷ୍ଠାନରୁ ଟାଇପ୍ ଓ ସଟହ୍ୟାଣ୍ଡ୍ ଶିକ୍ଷା କଲା । ବୁଲି ବୁଲି ଗୋଟିଏ ମାରୱାଡ଼ି ଦୋକାନରେ ଶହେ ଟଙ୍କାର ଖଣ୍ଡେ ଚାକିରି ଯୋଗାଡ଼ କଲା । କାମ ହେଲା ଦୋକାନର ଆୟ ବ୍ୟୟ ଲେଖିବା । କଂପାନୀଗୁଡ଼ିକୁ ମାଲ୍ ପାଇଁ ଚିଠି ଲେଖିବା ଓ ଜିନିଷପତ୍ର ନିଆଅଣା କରିବା । ଆଜି ରେଳ ଷ୍ଟେସନ୍‌ରୁ ମାଲ ଖଲାସ କରାଯିବ ତ କାଲି ପୋଷ୍ଟ ଅଫିସ୍‌ରୁ ପାର୍ଶଲ ମୁକୁଳାଇବାକୁ ପଡ଼ିବ । ତା’ ସାଙ୍ଗକୁ ଟଙ୍କା ପଇସାର ହିସାବ ନିକାଶ । ବାସ୍ତବିକ୍ କାମ ତୁଳନାରେ ମାରୱାଡ଼ି ରବିକୁ ବହୁତ କମ୍ ଟଙ୍କା ଦିଏ । ଦୁଇମାସରେ ରବି ଟାଇପ୍ ଶିଖିଗଲା ପରେ ସନ୍ଧ୍ୟାରେ ଗୋଟିଏ ବେସରକାରୀ ଅଫିସରେ ସାମୟିକ କ୍ଲର୍କ–କମ୍–ଟାଇପିଷ୍ଟ କାମ ପାଇଲା । ମାସକୁ ଦରମା ପଚାଶ ଟଙ୍କା । ରବିର ଏ ସବୁ କାମରେ କିନ୍ତୁ ଆଦୌ ଇଚ୍ଛା ନ ଥାଏ । କେତେକ ବେସରକାରୀ କଲେଜକୁ ଅଧ୍ୟାପକ ଚାକିରି ପାଇଁ ଦରଖାସ୍ତ ଦିଏ ।

 

ଶ୍ରୀକାନ୍ତର ଶେଷ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ଅନ୍ୟ ଧନ୍ଦାରେ ସେ ହାତ ଦିଏ ନାହିଁ-

 

ସମସ୍ତେ ନିଜ କାମ ସଙ୍ଗେ ସଙ୍ଗେ ଫାର୍ମ ଯୋଜନାରେ ମଧ୍ୟ କିଛି କିଛି ସମୟ ଖର୍ଚ୍ଚ କରନ୍ତି । ସବୁଠାରୁ ବେଶି ଦାଇତ୍ୱ ଦେବର । ସ୍ଥାନ ନିରୂପଣ ବ୍ୟତୀତ ଯୋଜନାର ସମସ୍ତ ଅଙ୍ଗକୁ ସମନ୍ଵୟ କରି ଏକ ରିପୋର୍ଟ ତୟାର କରିବା ଭାର ଦେବବ୍ରତର ।

 

ସନ୍ଧ୍ୟା ପାଞ୍ଚଟାବେଳକୁ ଦେବବ୍ରତ ସ୍କୁଲରୁ ଫେରି ଚାନ୍ଦ୍ରବତୀ ନଦୀକୂଳ ବରଗଛ ମୂଳେ ଘଣ୍ଟାଏ ଖଣ୍ଡେ ବସେ । ତା’ପରେ ଘରକୁ ଆସି ତା’ର ଛୋଟିଆ ବଖରାରେ ବସି ରାତି ବାର ଯାଏ କ’ଣ ସବୁ ଲେଖେ, ପଢ଼େ, ନକ୍ସା ଆଙ୍କେ, ସ୍ଲାଇଡ଼୍ ରୁଲ ଧରି ଅଙ୍କ କଷେ, ନବଘନର ଦୈନିକ ହିସାବ ଦେଖେ । ନବଘନ ଓ ଆରତିର ଅଭାବ, ଅସୁବିଧା, ଆପର୍ତ୍ତି ଓ ଅଭିଯୋଗଗୁଡ଼ିକର ସମାଧାନ କରେ । କିଛି ସମସ୍ୟା ପଡ଼ିଲେ ମୁହଁକୁ ଲାଉ ଭଳି ଲମ୍ବାଇ ଥାଏ ଏବଂ ସମସ୍ୟା ସମାଧାନ ହୋଇଗଲେ ହାତ ଗୋଡ଼ ଛାଟି ଗୁଣୁ ଗୁଣୁ ହୋଇ ଗୀତ ଗାଏ ।

 

ପ୍ରାୟ ପ୍ରତି ରବିବାର ଦିନ ଦେବ କେନ୍ଦୁପଦର ଯାଏ । ବ୍ରଜ ସହିତ ଦେଖାହୁଏ । ଦୁହିଁଙ୍କର ଆଗରୁ ବନ୍ଧୁତା ରହିଛି । ପ୍ରଥମେ ଯେଉଁଦିନ ଦେବ ପ୍ରସ୍ତାବିତ ଫାର୍ମରେ ବ୍ରଜର ଯୋଗଦାନ ବିଷୟ ଉତ୍‌ଥାପନ କଲା, ବ୍ରଜ ସଫା ସଫା ମନା କଲା । କାରଣ ଏକେ ତ ବ୍ରଜ ଜଞ୍ଜାଳୀ ଲୋକ, ଦ୍ୱିତୀୟରେ ତା’ର ନିଜର ତିରିଶ ଏକର ଜମି ରହିଛି, ସେତକ ସମ୍ଭାଳିବାକୁ ସେ ନାକେଦମ୍ ହେଉଛି । ଦୁଇ ତିନୋଟି ଫସଲ ଗୋଟିଏ ବର୍ଷରେ ଅମଳ ହେବାର ସେ ଜାଣେ । କିନ୍ତୁ ଏଥିପାଇଁ ପାଣି କାହିଁ ?

 

ଦେବ କ୍ରମେ ସେଇ ପାଣିରୁ କଥା ଆରମ୍ଭ କଲା । ଫାର୍ମ କଲେ ବିଭିନ୍ନ ଉପକରଣ ଓ ଅଭିଜ୍ଞ ଲୋକଙ୍କ ପରିଶ୍ରମ ଜରିଆରେ ଅଧିକ ଉପାର୍ଜନ କିପରି ହେଇପାରିବ ତାହା ଦେବ ବୁଝାଇଦେଲା । ବ୍ରଜ ବୁଝିପାରିଲା ଯେ ତିରିଶ ଏକର ଜମି ଯେପରି ସମ୍ପଦ, ଫସଲ ପାଇଁ ପାଣି, ଜମି ପାଇଁ ଟ୍ରାକ୍‌ଟର ଏବଂ ବୈଷୟିକ ବନ୍ଧୁ ପାଇବା ବି ଏକ ଏକ ସମ୍ପଦ । ଶେଷରେ ଏପରି ସ୍ଥିର କରାଗଲା ଯେ, ବ୍ରଜ ନିଜର ଜମି ନିଜେ ଚାଷ କରିବ । ଫାର୍ମରୁ ଏଥିପାଇଁ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସୁବିଧା ଭଡ଼ା ସୂତ୍ରରେ ପାଇବ । ତା’ ଛଡ଼ା ସେ ଫାର୍ମର ଏକ ସଭ୍ୟ ରହିବ । ଫାର୍ମ କାମ ସହିତ ନିଜ ଜମି କଥା ବୁଝିବା ସଙ୍ଗେ ଗ୍ରାମବାସୀଙ୍କ ସହ ସମନ୍ଵୟ ଓ ଯୋଗସୂତ୍ର ସ୍ଥାପନର ଭାର ବ୍ରଜ ନେବ ।

 

ଗାଁର ଆଉଜଣେ ଆଦିବାସୀ କୃଷକ ବିଡ଼୍‌କା ଜାନିକୁ ସଭ୍ୟଭୁକ୍ତ କରାଗଲା । ବିଡ଼୍‍କା ଜାନିର ବୟସ ପଇଁତ୍ରିଶ୍ । ତା’ର ବି ନିଜର ପାଞ୍ଚ ଏକର ଜମି ରହିଛି ।

 

ସମୁଦାୟ କେନ୍ଦୁପଦରରେ ତିନୋଟି ଅଞ୍ଚଳ ପରୀକ୍ଷା କରାଗଲା । ପ୍ରତ୍ୟେକଟିର ଅବସ୍ଥିତି, ନିକଟସ୍ଥ ଗ୍ରାମଗୁଡ଼ିକୁ ସଂଯୋଗ ସୁବିଧା, ମାଟିର ଗଭୀରତା ଓ ଗୁଣ, ଜଳାଶୟର ନିକଟତା ଆଦି ଗୋଟିଏ ଗୋଟିଏ କରି ପରୀକ୍ଷା କରିବାକୁ ବହୁତ ଦିନ ଲାଗିଲା । ରେଭେନ୍ୟୁ ଇନ୍‌ସପେକ୍ଟର ଓ କୃଷି ଅଫିସରମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

 

ଶେଷରେ ଯେଉଁ ସ୍ଥାନ ନିରୂପିତ ହେଲା ତା’ର କ୍ଷେତ୍ରଫଳ ହେଉଛି ଅଶୀ ଏକର । ସ୍ଥାନଟି ଛୋଟ ଛୋଟ ଗଛ ଲଟାରେ ପୂର୍ଣ୍ଣ । ଗୋଟିଏ ପ୍ରାନ୍ତ ଚନ୍ଦ୍ରାବତୀ ନଈକୁ ଲାଗିଛି । କୂଳରେ ପାଞ୍ଚ ଏକର ଜମିରେ ବାଲିଚର ପରିମାଣ ବେଶି । ବୋଧହୁଏ ବନ୍ୟାରେ ବେଳେବେଳେ ବାଲିଚର ହୋଇଯାଉଛି । ଅନ୍ୟ ପ୍ରାନ୍ତରେ ପଚାଶ ଫୁଟ୍ ଉଚ୍ଚର ଗୋଟିଏ ଛୋଟ ପାହାଡ଼ ।

 

ମାଟି ପରୀକ୍ଷାରୁ ଜଣାପଡ଼ିଲା ଯେ ଅନେକ ସ୍ଥଳରେ ଅନ୍ତତଃ ଦଶଫୁଟ ଗଭୀର ଯାଏ ପଥର ନାହିଁ । ପାହାଡ଼ ପାଖାପାଖି ଦୁଇ ତିନି ଏକର ଜମିରେ କମ୍ ଗଭୀରରେ ପଥର ଅଛି ।

 

ଉତ୍ତର ଦକ୍ଷିଣ ହୋଇ ଚନ୍ଦ୍ରାବତୀ ନଈ ବହିଯାଉଛି । ନଈର ବାଁ ପଟ ଅର୍ଥାତ୍ ପୂର୍ବରେ ରହିଛି ପ୍ରସ୍ତାବିତ ଫାର୍ମର ଅଶୀ ଏକର ଜମି । ଏହି ଜମିର ଉତ୍ତରକୁ ଦୁଇ ମାଇଲ ଦୂରରେ କେନ୍ଦୁପଦର ଗାଁ । କେନ୍ଦୁ ପଦର ଓ କୁନ୍ଦୁଲିକୁ ସଂଯୋଗକାରୀ ରାସ୍ତା ଫାର୍ମଠାରୁ ଅଳ୍ପ ଦୂରରେ । କେନ୍ଦୁପଦରରୁ ଜୟନ୍ତୀନଗର ପର୍ଯ୍ୟନ୍ତ ଗୋଟିଏ ଖରାଦିନିଆ ରାସ୍ତା ନିର୍ମାଣ କରାଯାଇଛି ।

 

ଦେବ ପ୍ରତିଦିନ ରାଜଧାନୀରୁ ଚିଠି ପାଏ । ବିଜୟ ବିଭିନ୍ନ କଳକାରଖାନା ନିର୍ମିତ ଆବଶ୍ୟକୀୟ ଯନ୍ତ୍ରପାତି ତଥ୍ୟ ଯୋଗାଏ । ପମ୍ପ୍, ଟ୍ରାକ୍ଟର ପାଇଁ ବିଭିନ୍ନ ଅଂଶ, ୱାର୍କସପ୍ ପାଇଁ ଆବଶ୍ୟକୀୟ ସାମଗ୍ରୀର ବିବରଣୀ ମୂଲ୍ୟସୂଚୀ ସହ ପଠାଏ । କେଉଁ ଜିନିଷ କିଣିବା ଯୋଗ୍ୟ ତାହା ମଧ୍ୟ ଉଲ୍ଲେଖ କରିଥାଏ । ସେପରି ଶ୍ରୀକାନ୍ତ ଗାଈ ଓ କୁକୁଡ଼ା ଏବଂ ବ୍ରଜ କୃଷି ସମ୍ବନ୍ଧୀୟ ଯୋଜନା ଓ ଅଟକଳ କରନ୍ତି ।

 

ସାତ

 

ପ୍ରାଚୁର୍ଯ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଜୀବନ ମଧ୍ୟ ଦୁର୍ବିସହ ହୋଇପଡ଼ନ୍ତା ଯଦି ମଣିଷର କିଛି ନା କିଛି ଆଦର୍ଶ ବା ସ୍ଵପ୍ନ ନ ଥାନ୍ତା । ଆଦର୍ଶ ଫଳବତୀ ହୁଏ ବା ନ ହୁଏ, ସ୍ଵପ୍ନ ସାର୍ଥକ ନ ହେଉ ପଛେ, ଏ ଦୁଇଟିହିଁ ମଣିଷକୁ ସୁନେଲି ଭବିଷ୍ୟତର ନିଶାରେ ବିଭୋର କରି ଆଗେଇନିଏ ।

 

ସେହିପରି ଗୋଟିଏ ନିଶା, ନିଜେ ବଞ୍ଚି ରହି ଅନ୍ୟକୁ ବଞ୍ଚେଇବାର ଏକ ମିଠା ସ୍ଵପ୍ନରେ ବିଭୋର ହୋଇ ସିନା ସେମାନେ ଏକ ଦିଗରେ ମାଡ଼ି ଚାଲିଛନ୍ତି, ତା’ ନ ହେଲେ ଦେବ, ବିଜୟ, ନବଘନ ପରି ଭିନ୍ନ ଧର୍ମ, ଭିନ୍ନ ଧାରଣାର ଯୁବକମାନେ ଏକାଠି ଗୋଡ଼ରେ ଗୋଡ଼ ବାନ୍ଧି ଏତେଦୂର ଚାଲି ଆସିବାର ଆଉ କି ଅର୍ଥ ଥାଇପାରେ ?

 

ରାଜଧାନୀରେ ବିଜୟ ବୋଉଙ୍କୁ ମିଶାଇ ପାଞ୍ଚଜଣ ସଭ୍ୟ, ସୁଜନପୁର ଓ କେନ୍ଦୁ ପଦରରେ ପାଞ୍ଚ ଜଣ । ରାଜଧାନୀରୁ ରବି ଓ ସୁଜନପୁରରୁ ଦେବ ମୁଖ୍ୟତଃ ଚିଠିପତ୍ର ଆଦାନପ୍ରଦାନ କରନ୍ତି । ଜଣେ ସେଠାକାର ମତ ଅନ୍ୟ ଜଣକୁ ଜଣାଏ । ସୋସାଇଟି ରେଜିଷ୍ଟ୍ରେସନ୍ ବେଳେ ସ୍ଥିର ହେଲା ଯେ, ଏଇ ଯେଉଁ ଫାର୍ମଟି ମିଳିତ ପ୍ରଚେଷ୍ଟାରେ ହେବାକୁ ଯାଉଛି ତାହା ସମବାୟ ଯୁଗ୍ମ ଫାର୍ମ ହେବ । ଫାର୍ମ ପାଇଁ ଯେଉଁ ଜମି ବ୍ୟବହୃତ ହେବ ସେଥିରେ ପ୍ରତ୍ୟେକ ସଭ୍ୟର ସମାନ ଅଂଶ ରହିବ । ସଭ୍ୟଙ୍କ ଭିତରୁ ନିର୍ବାଚିତ କମିଟି ପରିଚାଳନା ଭାର ନେବ । ବର୍ଷକୁ ବର୍ଷ ନୂଆ ନିର୍ବାଚନ ହୋଇପାରେ ।

 

ନିୟମ ଅନୁସାରେ ରେଜିଷ୍ଟ୍ରେସନ କରି ଟଙ୍କା ଋଣ ନେବାପାଇଁ ସଂସ୍ଥାର କେତେକ ଉପବିଧି ପ୍ରସ୍ତୁତ କରିବାକୁ ପଡ଼ିଲା । କେତେକ ପରିବାରରୁ ଦୁଇ ବା ତତୋଽଧିକ ସଭ୍ୟ ରହିଥିଲେ ମଧ୍ୟ ସେମାନେ ପୃଥକ କାର୍ଯ୍ୟ ନିର୍ବାହ କରିବା ତଥା ସ୍ଵତନ୍ତ୍ର ଭାବେ ସଭ୍ୟଭୁକ୍ତ ଓ ଦାୟିତ୍ଵ ନେଇଥିବା ଦୃଷ୍ଟିରୁ ଅସୁବିଧା ହୋଇନଥିଲା । ମୋଟାମୋଟି ଏହା ଏକ ସସୀମ ଦାୟିତ୍ଵ ବିଶିଷ୍ଟ କୃଷି ସହଯୋଗ ସମିତିର ରୂପ ନେଲା । କୃଷି ଏହି ସମବାୟ ସଂସ୍ଥାର ମୁଖ୍ୟ କାମ । କାର୍ଯ୍ୟକାରୀ ସୀମା ସମଗ୍ର ରାଜ୍ୟବ୍ୟାପୀ ହୋଇପାରେ । ସମିତିର କେତେକ ଉପବିଧି ହେଲା–

ଏକ ଆଦର୍ଶ ସଘନ ଫାର୍ମ ପ୍ରତିଷ୍ଠା କରି ଗ୍ରାମବାସୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷର ଉପକାରିତା ହୃଦୟଙ୍ଗମ କରାଇ, ସେମାନଙ୍କୁ ଏଥିରେ ଅନୁପ୍ରାଣିତ କରିବା । ଆବଶ୍ୟକ ସ୍ଥଳେ ସେମାନଙ୍କୁ ସଂସ୍ଥାରେ ସଭ୍ୟଭୁକ୍ତ କରାଇ କିମ୍ବା ପ୍ରତ୍ୟକ୍ଷ ଭାବେ ସେମାନଙ୍କ ଚାଷର ଉନ୍ନତି ବିଧାନ କରିବା ।

ପାଣି ପମ୍ପ ସାହାଯ୍ୟରେ ଫାର୍ମରେ ଜଳସେଚନ କରିବା ଓ ଆବଶ୍ୟକୀୟ ଯନ୍ତ୍ରପାତି ଖରିଦ କରିବା । ନିଜ ଜମିରେ ଜଳସେଚନ କରିବା ସଙ୍ଗେ ଯେକୌଣସି ଗ୍ରାମବାସୀଙ୍କୁ ଭଡ଼ା ସୂତ୍ରରେ ପାଣି ଯୋଗାଇବା । ଏଥିପାଇଁ ଉପଯୁକ୍ତ ଜଳଭଣ୍ଡାର, କେନାଲ ବ୍ୟବସ୍ଥା, ବର୍ଷା ଜଳ ନିୟନ୍ତ୍ରଣ କରିବାକୁ ବନ୍ଧ ପ୍ରସ୍ତୁତ କରିବା ଏବଂ ଫାର୍ମ ତଥା ଅନ୍ୟ ଜମିରେ ଜଳ ଯୋଗାଣ, ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ କରିବା ।

ଜମିର ଉନ୍ନତି ସାଧନ, ସାର ବଣ୍ଟନ, ଖତ ପ୍ରସ୍ତୁତିକରଣ, ମୃତ୍ତିକା ସଂରକ୍ଷଣ, ଗୋପାଳନ, କୁକୁଡ଼ା ଫାର୍ମ ପ୍ରତିଷ୍ଠା, ଛୋଟ ବଡ଼ ଶିଳ୍ପର ପ୍ରସାର, ଗାଁ ଗହଳିରେ ବିଦ୍ୟୁତ୍ ଶକ୍ତିର ବିନିଯୋଗ ଇତ୍ୟାଦି ଆନୁସଙ୍ଗିକ କାର୍ଯ୍ୟ ହେବ ।

ଜଳସେଚନର ସୁବିଧା ନିମନ୍ତେ ଆବଶ୍ୟକ ହେଉଥିବା ଜମି ଖରିଦ କରିବା କିମ୍ବା ଖଜଣା ଓ ପଟ୍ଟା ସୂତ୍ରରେ ଆଣିବାକୁ ଚେଷ୍ଟା କରିବା । ସଭ୍ୟମାନଙ୍କୁ ମିତବ୍ୟୟିତା, ଆତ୍ମନିର୍ଭରଶୀଳତା ଓ ସହଯୋଗିତା ଶିକ୍ଷା ଦେବା ।

 

ସପ୍ତାହକୁ କିମ୍ବା ମାସକୁ ଥରେ କାର୍ଯ୍ୟକାରୀ ସମିତି ଯୋଜନାର ଅଗ୍ରଗତି ସମ୍ବନ୍ଧେ ଆଲୋଚନା କରିବେ ।

 

କେହି ସଭ୍ୟ ଯଦି ଫାର୍ମରୁ ଚାଲିଯିବାକୁ ମନସ୍ଥ କରେ ତେବେ ସେ ଫାର୍ମର କୌଣସି ଜମି, ବୃକ୍ଷ, ଶସ୍ୟ ପଶୁ ପକ୍ଷୀ ଆଦି ନେଇପାରିବ ନାହିଁ । ନିର୍ବାଚିତ କମିଟିର ସମୀକ୍ଷାନୁଯାୟୀ ତତ୍‌କାଳୀନ ଫାର୍ମ ସମ୍ପତ୍ତିର ଏକ ଅଂଶ, ସେ ଟଙ୍କା ଆକାରରେ ପାଇବ । ଅବସ୍ଥାକୁ ଦେଖି ଏକ ସଙ୍ଗରେ କିମ୍ବା କିସ୍ତିରେ ତା’ର ପ୍ରାପ୍ୟ ଦିଆଯିବ ।

 

ଫାର୍ମର ନାମ ରହିବ–“ପ୍ରଗତି ଫାର୍ମ ।”

 

ଉପବିଧିଗୁଡ଼ିକ ବହି ଆକାରରେ ସରକାରଙ୍କ ସମବାୟ ବିଭାଗକୁ ପେଶ କରାଗଲା । ବିଭାଗୀୟ ଅଫିସରଙ୍କ ସହିତ ଯୋଜନାର ଭବିଷ୍ୟତ ନେଇ ଦୀର୍ଘ ଆଲୋଚନା କରି ହୃଦ୍‌ବୋଧ କରାଇବାକୁ ପଡ଼ିଲା ଯେ, ସଂସ୍ଥାଟି ସୁଚାରୁରୂପେ କାର୍ଯ୍ୟ କରିବ, ଉଦ୍‌ଯୋଗ ଲାଭଜନକ ହେବ । ରେଜିଷ୍ଟ୍ରୀକରଣ ଶେଷ ହେଲା ।

 

ତା’ ସଙ୍ଗେ ସଙ୍ଗେ ଚାଲିଥିଲା ଯୋଜନା ପ୍ରଣୟନ । ବିଭିନ୍ନ ବିଷୟରେ ତଥ୍ୟ ସଂଗ୍ରହ କରୁ କରୁ ଚାରିମାସ ଚାଲିଗଲା । ପିନ୍ କଣ୍ଟାରୁ ଆରମ୍ଭ କରି ଘର ତିଆରି ଓ ଟ୍ରାକ୍‌ଟର କିଣା ପର୍ଯ୍ୟନ୍ତ କୌଣସି ଜିନିଷ ଯେପରି ବାଦ୍‌ ନ ଯାଏ । ପ୍ରତ୍ୟେକ ବିଷୟରେ ଗୋଟିଏ ଗୋଟିଏ ସ୍ଵୟଂ ସମ୍ପୂର୍ଣ୍ଣ ଚିଠା, ପ୍ରାରମ୍ଭିକ ସ୍ତରରୁ ଶେଷ ପର୍ଯ୍ୟନ୍ତ । ତା’ ପାଇଁ କେତେ ଅନିଦ୍ରା, କେତେ ଲେଖାପଢ଼ା, କେତେ ଗଣିତ ପୁଣି କେତେ ନକ୍‌ସା ପ୍ରସ୍ତୁତ କରିବାକୁ ପଡ଼ୁଥିଲା ।

 

ଯୋଜନା ପ୍ରଣୟନ ପାଇଁ ସରକାରୀ ଅଫିସରମାନେ ମଧ୍ୟ ଦେବକୁ ଅନେକ ସମୟରେ ସାହାଯ୍ୟ କରିଥିଲେ; ଦରକାରୀ ଜିନିଷ ଓ ତଥ୍ୟ ଯୋଗାଉଥିଲେ । କେନ୍ଦୁପଦରର ବୟସ୍କ ଲୋକଙ୍କଠାରୁ ଶୁଣିଥିବା ସ୍ଥାନୀୟ ସମସ୍ୟାମାନ କମ ସାହାଯ୍ୟ କରିନଥିଲା ।

 

କେଂଦୁପଦର ଅଞ୍ଚଳରେ ବିଶେଷ ଥଣ୍ଡା ହୁଏ, ବୃଷ୍ଟିପାତ ମଧ୍ୟ ବେଶି । କୃଷି ବିଶେଷଜ୍ଞଙ୍କ ମତ ଯେ କିଛି ଜମିରେ କଫି, ଗୁଜୁରାତି, ଗୋଲମରିଚ, ସପୁରି, ଅମୃତଭଣ୍ଡା, କମଳା, ଲେମ୍ବୁ, ଅଙ୍ଗୁର ପରି ଅର୍ଥକାରୀ ବୃକ୍ଷ ରୋପଣ କରାଯାଇପାରେ । ଆଖପାଖରେ ଭବିଷ୍ୟତରେ ଏପରି ବୃକ୍ଷମାନ ରୋପଣ କରାଗଲେ ଅନେକ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଫଳରସ ଛଡ଼ା ଅମୃତଭଣ୍ଡା ଗଛର କ୍ଷୀରରୁ ପ୍ରସ୍ତୁତ ପେପିନ୍‌ ଔଷଧ, ବସ୍ତ୍ର ଓ ଚମଡ଼ା ଶିଳ୍ପରେ ବ୍ୟବହୃତ ହେବ । କଫି ସବୁଠାରୁ ଉତ୍ତମ, କାରଣ କଫି ମଞ୍ଜି କଞ୍ଚା ମାଲ ହିସାବରେ ମଧ୍ୟ ବହୁଦିନ ରଖିହେବ । ଫଳଗଛ ଲଗାଇଲେ ଶ୍ରମ ଓ ଶ୍ରମିକ ସଂଖ୍ୟା କମିଯିବ ଏବଂ କେତେକ ଦୁଶ୍ଚିନ୍ତାରୁ ତ୍ରାହି ମିଳିବ ।

 

ଆଦିମ କାଳରୁ ଭୂମି କର୍ଷିତ ହୋଇନଥିବା ଯୋଗୁଁ ପ୍ରଥମ ବର୍ଷରେ ସାର ପ୍ରୟୋଗ ନିଷ୍ପ୍ରୟୋଜନ । ପରବର୍ତ୍ତୀ ବର୍ଷଠାରୁ ଅନାବନା ଗଛ, ପତ୍ର, କୁକୁଡ଼ା ଓ ଗାଈ ମଳକୁ ନେଇ କମ୍ପୋଷ୍ଟ କରାଯିବ ।

 

ତଥ୍ୟ ସଂଗ୍ରହ ପରେ ଦେବ ଯୋଜନାକୁ ରୂପରେଖ ଦେବାରେ ଲାଗିଲା । ଯୋଜନାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ଯଥା : ନିର୍ମାଣ ଓ ଯାନ୍ତ୍ରିକ ବ୍ୟବସ୍ଥା, କୃଷି ଓ ଗୋପାଳନ, ଚିକିତ୍ସା ଓ ଗ୍ରାମୋନ୍ନତି କାର୍ଯ୍ୟକ୍ରମ ।

 

ଫାର୍ମର ଅଶୀ ଏକର ଜମିରୁ ପାଞ୍ଚ ଏକରରେ କଫି, ପାଞ୍ଚ ଏକରରେ ଆମ୍ବ, ପାଞ୍ଚ ଏକରରେ କମଳା ଓ ଲେମ୍ବୁ, ପାଞ୍ଚ ଏକରରେ ଅମୃତଭଣ୍ଡା ଓ ପାଞ୍ଚ ଏକରରେ କଦଳୀ ଗଛ ଲଗାଯିବ । ରହିବା ପାଇଁ ଘର, ୱାର୍କସପ୍, ପମ୍ପ୍ ହାଉସ୍, ଗୋଶାଳା, ବଗିଚା, କୁକୁଡ଼ା ଫାର୍ମ, ମାଛ ଚାଷ ପାଇଁ ପୋଖରୀ, ରାସ୍ତା, ଜଳସେଚନ ପାଇଁ ଛୋଟ ଛୋଟ ନାଳ ପନ୍ଦର ଏକରରେ ସୀମାବଦ୍ଧ ରହିବ । ବଳକା ଚାଳିଶ ଏକରରେ ଧାନ, ଗହମ, ମାଣ୍ଡିଆ, ପନିପରିବା ଆଦି ପର୍ଯ୍ୟାୟକ୍ରମେ କରାଯିବ ।

 

ପ୍ରଥମ ବର୍ଷରେ କିନ୍ତୁ ରହିବା ଘର, ୱାର୍କସପ୍‍କୁ ଛାଡ଼ିଦେଲେ ବଳକା ସବୁ ଜମିରେ ଦୁଇଟି ତିନି ମାସିଆ ଫସଲ କରାଯିବ । ପ୍ରଥମ ଫସଲ ହୋଇପାରେ ମାଣ୍ଡିଆ ଓ ଧାନ । ଚାରି ମାସ ପରେ ଆଳୁ, ଗହମ, ବିରି, ମୁଗ, ହରଡ଼ ଓ ପନିପରିବା ଲଗାଯିବ । ଦ୍ଵିତୀୟ ଫସଲ ପରେ ଦୁଇ ମାସ ଧରି ଜମିକୁ ବିଭିନ୍ନ ଉଚ୍ଚତାରେ ସମତଳ କରାଯିବ । ତା’ପରେ ଯାଇ କଫି, ଆମ୍ବ ପରି ଦୀର୍ଘସ୍ଥାୟୀ ଗଛ ଲଗା ହେବ । ଏଗୁଡ଼ିକ ବଢ଼ିଗଲା ପରେ, ତା’ ଛାଇରେ ସପୁରୀ ପଣସ, ଗୁଜରାତି, ଲବଙ୍ଗ, ଗୋଲମରିଚ ଆଦି ଲଗାଯିବ । କୃଷି କାର୍ଯ୍ୟକ୍ରମର ଦାୟିତ୍ୱରେ ରହିବ ବ୍ରଜ । ତାକୁ ସାହାଯ୍ୟ କରିବେ ଜାନି, ଦେବ, ରବି ଓ ବିଜୟ ।

 

ପ୍ରଥମାବସ୍ଥାରେ ତିନୋଟି ଜର୍ସି ଗାଈ, ତିନୋଟି ଭଲ ଦେଶୀ ଗାଈ ଓ ଦୁଇଶହ କୁକୁଡ଼ା ରହିବେ । ଏମାନେ ମୂଳରୁ ଖାଦ୍ୟ ଓ ଅର୍ଥ ଯୋଗାଇବେ । ପରେ ଛେଳି ଓ ବିଦେଶୀ ଘୁଷୁରି ପାଳିତ ହେବ । ଶ୍ରୀକାନ୍ତ ପଶୁପକ୍ଷୀଙ୍କ ତତ୍ତ୍ଵାବଧାନରେ ରହିବ ।

 

ବିଭିନ୍ନ ପର୍ଯ୍ୟାୟରେ ଫାର୍ମର ନିର୍ମାଣ କାର୍ଯ୍ୟ କରାଯିବ । ପ୍ରଥମେ ୱାର୍କସପ୍‌କୁ ଛାଡ଼ିଦେଲେ ସମସ୍ତ ଘର ଝାଟି ମାଟିରେ ତୟାର ହେବ । ନିକଟସ୍ଥ ଜଙ୍ଗଲରୁ ବଡ଼ ବଡ଼ ଖୁଣ୍ଟି ଓ ବାଉଁଶ ଯୋଗାଡ଼ ହୋଇପାରିବ । ବାଉଁଶ ବାଡ଼ିରେ ତିନି ଇଞ୍ଚର ମାଟି ଛାଟି କାନ୍ଥ ତିଆରି ହେବ । ତା’ ଉପରେ ଗୋବର ଲିପା ହେବ । ଜଙ୍ଗଲରୁ ବଡ଼ ବଡ଼ ଘାସ ଯୋଗାଡ଼ କରି ଛାତ ଛପର ହେବ-। ଏହି ପ୍ରଣାଳୀରେ ଗୋଟିଏ ବଡ଼ ଓ ତିନୋଟି ଛୋଟ ଘର ନିର୍ମିତ ହେବ । ବଡ଼ ଘରେ ରହିବ ପାଞ୍ଚୋଟି ବଖରା ଏବଂ ସାମ୍‌ନାରେ ଦଶ ଫୁଟ ଓସାରର ଗୋଟିଏ ଲମ୍ବା ବାରଣ୍ଡା । ଏଥିରେ ରହିବ ରୋଷେଇ ଘର, ଅଫିସ୍, ବୈଠକଖାନା, ଷ୍ଟୋର, ପ୍ରାର୍ଥନା ଗୃହ ଏବଂ ଦୁଇଟି ଶୋଇବା ଘର-। ଆରତି ଓ ବିଜୟ ବୋଉଙ୍କ ପାଇଁ ଗୋଟିଏ ବଖରା ଏବଂ ଦେବ, ରବି ଓ ନରେଶ ପାଇଁ ଅନ୍ୟଟି-। ଖିଆପିଆ ହେବ ବାରଣ୍ଡାରେ । ଏହି ଘର ସାମ୍‌ନାରେ ଗୋଟିଏ କୂଅ ଖୋଳାଯିବ । ପରେ ସମସ୍ତଙ୍କ ପାଇଁ ସ୍ଵତନ୍ତ୍ର ପକ୍‌କା ଘର କରାଯିବ । ତା’ଛଡ଼ା ଏଠି ରହିବ ଗୋଟିଏ ସୁନ୍ଦର ବଗିଚା ଏବଂ ଗୋଟିଏ ଶସ୍ୟାଗାର ।

 

ୱାର୍କସପ୍ ମଧ୍ୟ କାଠରେ ନିର୍ମିତ ହେବ କିନ୍ତୁ ଏହାର ପାର୍ଶ୍ୱ ଓ ଛାତ ଟିଣ ସିଟ୍‍ରେ ନିର୍ମିତ ହେବ । ୱାର୍କସପ୍‍କୁ ଲାଗି ବିଜୟ ଓ ତା’ର ସହାୟକମାନଙ୍କ ପାଇଁ ଘର । ତା’ର ଅଳ୍ପ ଦୂରରେ ଗୋଶାଳା ଓ କୁକୁଡ଼ା ଘର । ଏ ଦୁଇଟି ଇଟା, ସିମେଣ୍ଟ ଦ୍ୱାରା ମୂଳରୁ ପକ୍‌କା କରାଯିବ । ତାକୁ ଲାଗି ଶ୍ରୀକାନ୍ତ ଓ ନବଘନଙ୍କ କୁଡ଼ିଆ । ୱାର୍କସପ୍ ଓ ଗୋଶାଳା ମଧ୍ୟବର୍ତ୍ତୀ ସ୍ଥାନରେ ଶସ୍ୟ ଅମଳ ହେବ । ସେଠି ଗୋଟିଏ ଶସ୍ୟାଗାର ନିର୍ମିତ ହେବ । ନଦୀକୁ ଲାଗି ପମ୍ପ୍‍ହାଉସ୍ ରହିବ । ସେଥିରୁ ପାଣିପମ୍ପ୍ କରି ମାଟି ନାଳ ଜରିଆରେ କିଛି ଜମି ଜଳସେଚିତ ହେବ । ଭବିଷ୍ୟତରେ ପାହାଡ଼ରୁ ବହି ଆସୁଥିବା ନାଳର ତିନୋଟି ସ୍ଥାନରେ ଛୋଟ ଛୋଟ ବନ୍ଧ ବାନ୍ଧି ବିଭିନ୍ନ ଉଚ୍ଚତାରେ ପାଣି ମଡ଼ାଯିବ । ବନ୍ଧଗୁଡ଼ିକର ଉପର ମୁଣ୍ଡରେ ମାଟି ଖୋଳି ପୋଖରୀ କରାଯିବ । ଏଥିରେ ମାଛ ଚାଷ ହେବ । ନିର୍ମାଣ ଦାୟିତ୍ୱରେ ରହିବ ଦେବ ।

 

ଛୋଟ ଛୋଟ ଯନ୍ତ୍ରପାତି ଛଡ଼ା ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ପମ୍ପ୍ ରଖାଯିବ । ଆବଶ୍ୟକତା ଅନୁସାରେ ଟ୍ରାକ୍ଟରରେ ମାଟି ଖୋଳା, ଚାଷକରା, ବିହନ ବୁଣା ଯନ୍ତ୍ର ଖଞ୍ଜାଯିବ । ଇଚ୍ଛୁକ ଚାଷୀର ଜମିରେ ଉଠା ଜଳସେଚନ ଓ ଜମି କର୍ଷଣ, ଭଡ଼ା ସୂତ୍ରରେ କରାଯିବ । ଗ୍ରାମବାସୀଙ୍କ ବ୍ୟବହୃତ ସାଇକଲ, ଲଙ୍ଗଳ ଆଦିରେ ମରାମତି ୱାର୍କସପ୍‌ରେ ହୋଇପାରୁଥିବ । ଭବିଷ୍ୟତରେ ବିଜୁଳି ଶକ୍ତି ମିଳିଲେ ୱାର୍କସପ୍‌ର ପରିସର ବୃଦ୍ଧି କରାଯିବ । ଏ କାର୍ଯ୍ୟକ୍ରମର ଦାୟିତ୍ୱରେ ରହିବ ବିଜୟ ।

 

ଗାଁରେ ଯେଉଁ ଔଷଧ ବିତରଣ କେନ୍ଦ୍ର ଖୋଲାଯିବ ତା’ ପାଇଁ ପ୍ରଥମେ ଗୃହ ନିର୍ମାଣ ହେବନାହିଁ । ବଳଭଦ୍ର ବାବୁଙ୍କ ଏକ ପରିତ୍ୟକ୍ତ ଗୃହରେ କାର୍ଯ୍ୟାରମ୍ଭ କରାଯିବ । ଚିକିତ୍ସା ଛଡ଼ା ନରେଶ ଗ୍ରାମବାସୀଙ୍କ ସହିତ ସମନ୍ଵୟ ରକ୍ଷା କରିବ । ରବି ତାହାକୁ ସାହାଯ୍ୟ କରିବା ସଙ୍ଗେ ଅଫିସ୍ ପରିଚାଳନା ଓ ଆକାଉଣ୍ଟ ରଖିବା ଭାର ଗ୍ରହଣ କରିବ । ଏପରି ପ୍ରତ୍ୟେକ କ୍ଷେତ୍ରରେ ପରିକଳ୍ପନା କରାଗଲା । ଫାର୍ମର ବାର୍ଷିକ ଓ ପଞ୍ଚବାର୍ଷିକ ଯୋଜନାମାନ ମଧ୍ୟ ଲିପିବଦ୍ଧ ହେଲା । ଅନ୍ୟାନ୍ୟ ବେକାର ଯୁବକଙ୍କୁ ଘେନି ଆଖପାଖରେ ଆଉ କେତୋଟି ଫାର୍ମ ପ୍ରତିଷ୍ଠା କରିବାର ସମ୍ଭାବନା ମଧ୍ୟ ଉଲ୍ଲେଖ କରାଗଲା । କର୍ମ ଯୋଗାଣରେ ଫାର୍ମର ଦଶଜଣ ବ୍ୟତୀତ ଆଉ ପନ୍ଦର ଜଣ ଶ୍ରମିକ ପ୍ରତିଦିନ କାମ ପାଇପାରିବେ ।

 

ଯୋଜନାର ଅନ୍ୟ ପ୍ରଧାନ ଅଂଶ ହେଲା ଅଟକଳ । ଜମି ଖରିଦକୁ ଛାଡ଼ି, ପ୍ରାରମ୍ଭିକ ଅଟକଳ ହେବ ଏହିପରି–କଚ୍ଚା ଗୃହ ନିର୍ମାଣ (କୁକୁଡ଼ା ଓ ଗାଈ ଗୁହାଳ ସମେତ), ଟ୍ରାକ୍ଟର (ଅନ୍ୟାନ୍ୟ ଉପକରଣ ସହ), ପମ୍ପ, ଔଷଧ ପାଇଁ ଯଥାକ୍ରମେ ଖର୍ଚ୍ଚ ହେବ କୋଡ଼ିଏ ହଜାର, ପନ୍ଦର ହଜାର, ଚାଳିଶ ହଜାର ଓ ଅନ୍ୟ ଦୁଇଟି ପ୍ରତ୍ୟେକରେ ପାଞ୍ଚ ହଜାର ଟଙ୍କା । ଖୁଚୁରା ନିର୍ମାଣ କାମ, ପ୍ରାରମ୍ଭିକ ଚଳପ୍ରଚଳ (ଛଅ ମାସ ପାଇଁ) ଏବଂ ଅନ୍ୟାନ୍ୟ ପାଇଁ ରହିଲା ପ୍ରତ୍ୟେକରେ ପାଞ୍ଚ ହଜାର ଟଙ୍କା । ମୋଟ ଖର୍ଚ୍ଚ ହେବ ଏକ ଲକ୍ଷ ଟଙ୍କା ।

 

ପ୍ରଥମ ବର୍ଷର କୃଷିରେ ଧାନ, ମାଣ୍ଡିଆ, ଗହମ, ଆଳୁ ଓ ପନିପରିବା ପାଇଁ ଖର୍ଚ୍ଚ ହେବ କୋଡ଼ିଏ ହଜାର ଟଙ୍କା । ଅମଳ ହେବ ତିରିଶ ହଜାର ଟଙ୍କାର ଶସ୍ୟ । ଗାଈ ଓ କୁକୁଡ଼ାରୁ ଆଦାୟ ହେବ ମାସିକ ଏକ ହଜାର ଟଙ୍କା । ଅଟକଳରେ ଥିବା ପ୍ରଥମ ନିର୍ମାଣ ଓ ଯନ୍ତ୍ରପାତିର ମୂଲ୍ୟ ବ୍ୟାଙ୍କ୍ ଜରିଆରେ ଆସିବ ଓ କୃଷି ସମ୍ବନ୍ଧୀୟ ଖର୍ଚ୍ଚ ଶସ୍ୟ ଋଣ (କ୍ରପ୍ ଲୋନ୍)ଜରିଆରେ ଯୋଗାଡ଼ କରାଯିବ ।

 

ସଭ୍ୟମାନେ ରିପୋର୍ଟ ପ୍ରସ୍ତୁତ କରି ସାରିଲା ପରେ ଯୋଗେଶ ବାବୁ ସମଗ୍ର ବହିକୁ ଆମୂଳଚୂଳ ପଢ଼ି ସ୍ଥାନେ ସ୍ଥାନେ ସାମାନ୍ୟ ପରିବର୍ତ୍ତନ କଲେ । ତା’ପରେ ସରକାର ଓ ବ୍ୟାଙ୍କ୍‌କୁ ରିପୋର୍ଟ ପଠାଗଲା ।

 

ଇତ୍ୟବସରେ ପ୍ରଗତି ଫାର୍ମକୁ ଜମି ଦେବା ଲାଗି ସମବାୟ ବିଭାଗ ସୁପାରିଶ କଲେ । ବର୍ତ୍ତମାନ କେନ୍ଦୁପଦରର ରେଭିନ୍ୟୁ ଅଫିସରଙ୍କୁ ଆବେଦନ କରି ଉକ୍ତ ଜମି ଶହେବର୍ଷ ପାଇଁ ଲିଜ୍ ନେବାକୁ ପଡ଼ିବ । ଜମି ଖରିଦ ପାଇଁ ଆଠରୁ ଦଶ ହଜାର ଟଙ୍କା ଲାଗିବ । ଏହି ଟଙ୍କା ସଭ୍ୟମାନେ ଜମା କରି ସାରିଲେଣି । ଜମି କ୍ରୟ ହେଲେ, ତାକୁ ସମ୍ପତ୍ତି ଭାବେ ଦେଖାଇ ଅଧିକ ଟଙ୍କା ବ୍ୟାଙ୍କ୍‌ରୁ ଋଣ ଆଣିହେବ । ଯୋଜନା ଅନୁମୋଦନ ପରେ କୃଷି ଅର୍ଥ ଯୋଗାଣ କର୍ପୋରେସନ ଜରିଆରେ ସମବାୟ ଭୂ-ଉନ୍ନୟନ ବ୍ୟାଙ୍କ୍‌ରୁ କୃଷି ପାଇଁ ଅଧିକ ଟଙ୍କା ଋଣ ମିଳିବ ।

 

ଜମି ପାଇଁ ରେଭିନ୍ୟୁ ବିଭାଗୀୟ ଅଫିସଗୁଡ଼ିକୁ ଦୌଡ଼ାଦୌଡ଼ି ପାଲା ଲାଗିଲା । ଅଫିସିଆଲ୍ ଚ୍ୟାନେଲ ଓ ନାଲିଫିତାର କାରସାଦି ଏମନ୍ତ ଯେ, ପ୍ରତି ଅଫିସରେ ଫାଇଲ୍ ପଛେ ପଛେ ଦୌଡ଼ିବାକୁ ପଡ଼େ । ଅଯଥା ଲୋକଶକ୍ତି ଓ ଧନ ଖର୍ଚ୍ଚ ହୁଏ । ଫାଇଲ୍‌କୁ ଜାବୁଡ଼ି ଧରିଥିବା ବାବୁଙ୍କୁ ହଜାରେ ଖୋସାମତ କରିବାକୁ ହୁଏ । ପଛରୁ ନ ଠେଲିଲେ ଫାଇଲ୍ ନ ଘୁଞ୍ଚେ ।

 

ଦେବକୁ ଗୋଡ଼ାଣିଆ ଭାବ ଭଲ ଲଗିଲାନି । ବ୍ରଜ ସମୟ କରି, ଅଫିସରୁ ଅଫିସ୍ ଦୌଡ଼ି ତିନି ମାସରେ ଫାଇଲକୁ ରାଜଧାନୀରେ ପହଞ୍ଚାଇଦେଲା । ସେଠି ମଧ୍ୟ ଘଟଣାର ଶେଷ ନୁହେଁ । ରେଭିନ୍ୟୁ ବୋର୍ଡ଼ ଓ ରେଭିନ୍ୟୁ ବିଭାଗର ମଞ୍ଜୁରି ଆବଶ୍ୟକ । ଜମି ପରେ ଯୋଜନା ସ୍ଵୀକୃତି, ତା’ପରେ କର୍ପୋରେସନ୍‌ରୁ ଟଙ୍କା ମଞ୍ଜୁରି, ତା’ପରେ ଯାଇ ବ୍ୟାଙ୍କ୍‌ରୁ ଅର୍ଥ ଅଣାଯିବ ।

 

ଚାରିଆଡ଼େ ଖାଲି ଚ୍ୟାନେଲ୍‌ । ଖଜୁରି ଗଛର ଗଣ୍ଡି ପରି ।

 

ଆଠ

 

ବ୍ରଜ ଶୁଭ ମନାସି ଘରୁ ଗୋଡ଼ କାଢ଼ିଲା ବେଳକୁ ଦେବ ସୁଜନପୁରରୁ ଆସି ତା’ଆଗରେ ଉଭା ହେଲା । ତରତର ହୋଇ ଦେବ ଜଣାଇଲା ଯେ, ଫାର୍ମ କରିବା ଆଶା କ୍ଷୀଣ । କାରଣ ଯେଉଁ ଯୋଜନା ସରକାରଙ୍କ ଠାରେ ପେଶ୍ କରାଯାଇଛି ତାକୁ ସ୍ଵୀକୃତି ଦେବାରେ ଅଯଥା ବିଳମ୍ବ ହେଉଛି-

 

ରବି ଲେଖିଛି, ଗତ ଚାରି ମାସ କୁଆଡ଼େ ସାନ ବାବୁ, ବଡ଼ ବାବୁ ଏବଂ ସାନ ବଡ଼ ଅଫିସରଙ୍କ ହାତକୁ ହାତ ହୋଇ ରିପୋର୍ଟ ଓ ଫାଇଲ କାନ୍ଥ ଘଡ଼ିର ପେଣ୍ଡୁଲମ ଭଳି ଝୁଲୁଛି ।

 

ବ୍ରଜ ଦେବକୁ ଆଶ୍ୱାସନା ଦେଇ କହିଲା ଯେ, ସେ ରାଜନୈତିକ ଚାପ ପକାଇ କାର୍ଯ୍ୟ ହାସଲ କରିବ ।

 

–“ଏଡ଼େ ଛୋଟ କଥା ପାଇଁ ପଲିଟିକାଲ୍‌ ପ୍ରେସର୍ ?” ଦେବ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

–“ୟାଠାରୁ ଛୋଟ କାମ ପାଇଁ ମଧ୍ୟ ପଲିଟିକାଲ୍‌ ପ୍ରେସର୍ ଆବଶ୍ୟକ । ସରକାରୀ କଳରେ କୌଣସି ପ୍ରସ୍ତାବ, ଦାବି ବା ସାଧାରଣ ଚିଠାଟାଏ ପଡ଼ିଲେ ପେଶୀ ହୋଇ ଭିତରେ ହିଁ ରହିଯାଏ । ରାଜନୈତିକ ହାତ ବାରିସିରେ ଢୋ ଢୋ ପିଟିଲେ ଛେଳି ଲେଣ୍ଡି ପରି କ’ଣ ଟିକିଏ ବାହାରେ ।”

 

–“ଆମ ଭଳି ଶିକ୍ଷିତ ଲୋକଙ୍କ ଅବସ୍ଥା ଯଦି ଏପରି, ଗାଁ ଗଣ୍ଡାରେ ଦରିଦ୍ର କୃଷକ ଓ ଆଦିବାସୀଙ୍କ ଅବସ୍ଥା କ’ଣ ହେବ ? ସେମାନେ କାହାକୁ ଧରିବେ ?”

 

–“ସେ ସବୁ ଚିନ୍ତା କରି ଲାଭ ନାହିଁ । ଆମର ପ୍ରଥମେ କାମ ହେବା ଦରକାର । ରିପୋର୍ଟ ପ୍ରସ୍ତୁତ କରିବା ଯେତିକି କଷ୍ଟ, ସରକାରୀ କଳରୁ ସ୍ଵୀକୃତି ଆଣିବା ତା’ଠାରୁ ଆହୁରି କଷ୍ଟ । ଏଥିପାଇଁ ସ୍ଵତନ୍ତ୍ର ଆର୍ଟ ଦରକାର ।”

 

ଟିକିଏ ନୀରବ ରହି ପୁଣି ଆରମ୍ଭ କଲା ବ୍ରଜ–“ମୁଁ ବର୍ତ୍ତମାନ ବଳଭଦ୍ର ବାବୁଙ୍କ ଘରକୁ ଯାଉଥିଲି । ଆଜି ତାଙ୍କ ପାର୍ଟିର ଉପସଭାପତି ଆସିଛନ୍ତି । ନିର୍ବାଚନ ସମୟ ପାଖେଇ ଆସିଲାଣି ନା, ଗାଁ ଗଣ୍ଡାରେ ସଭାସମିତିମାନ କରାଯିବ । ତୁ ତ ଜାଣୁ, ବଳଭଦ୍ର ବାବୁଙ୍କ ପାର୍ଟି ବର୍ତ୍ତମାନ ସରକାର ଗଢ଼ିଛନ୍ତି । ଉପସଭାପତି ମନ୍ତ୍ରୀ ନ ହେଲେ ମଧ୍ୟ ଭାରି ଶକ୍ତିଶାଳୀ, ତାଙ୍କୁ ଧରି କାମ ହାସଲ କରିବାକୁ ହେବ ।”

 

ଖାଇସାରି ଦୁହେଁ ବାରଟା ବେଳକୁ ସିଂ ବାବୁଙ୍କ ଘରକୁ ଗଲେ । ବଳଭଦ୍ର ବାବୁଙ୍କ ଘର ଜନାକୀର୍ଣ୍ଣ । ଗାଁ ଗଣ୍ଡାରୁ ବହୁ ଲୋକ ଆସି ଦାଣ୍ଡରେ ରୁଣ୍ଡ ହୋଇଥିଲେ । ସେ ତ ଚାଲୁ ନ ଥିଲେ ବରଂ ତାଙ୍କର ଟିମା ଦେହଟା ଫିଙ୍ଗ୍‍ପଙ୍ଗ୍ ପରି ଟୁଂ ଟାଂ ହୋଇ ଡେଇଁ ବୁଲୁଥିଲା ।

 

ବ୍ରଜକୁ ଦେଖି ବଳଭଦ୍ର ସିଂ ଗୋଟିଏ ଖେପାରେ ତା’ପାଖକୁ ଆସି କହିଲେ–“ଦଶୁଟାରେ ଆସିବ ବୋଲି କହି ଏତେ ଉଛୁରୁ କଲ କିହୋ ବର୍‌ଜ ବାବୁ ।”

 

–“ଖାଇ ପିଇ ଆସିବାରେ ଡେରି ହେଲା ଆଜ୍ଞା ।”

 

–“କିସ ପାଇଁ ଖାଇଲ ହେ । ଏଠି ତ ରନ୍ଧା ହେଇଥିଲା, ଭୋଜନ କରିଥାନ୍ତ ।”

 

ଦେବ ସିଂ ବାବୁଙ୍କୁ ନମସ୍କାର ଜଣାଇଲା । ବଳଭଦ୍ର ବିନୀତ ଭାବରେ ଦେବର ହାତ ଦୁଇଟିକୁ ଧରି ପକାଇଲେ । ମନ ଭିତରେ ତାଙ୍କର ଆନନ୍ଦର ଗୋଟିଏ ବିରାଟ ଊର୍ମି ଉଠିଗଲା, “ଓଃ, କି ଭାଗ୍ୟ କରିଥିଲି ହୋ ବର୍‌ଜ ବାବୁ । ଭଉତୁ ଦିନ ପରେ ଦେବ ବାବୁଙ୍କ ଦର୍ଶନ ପାଇଲି । ମୋର ଆଜି ବଡ଼ ଭାଗ୍ୟ ଏକା । ଆସ ଆସ, ଆଜି ତୁମକୁ ଛାଡ଼ିବି ନାହିଁ ।”

 

ଦୁହେଁ ହସି ହସି ଘର ଭିତରକୁ ପଶିଲେ । କିଛିକ୍ଷଣ ପରେ ସଂଲଗ୍ନ କୋଠରିର କବାଟ ମେଲିଲା । ଉତ୍ତେଜିତ କଣ୍ଠରେ ଉପସଭାପତି କହି କହି ଆସୁଥିଲେ–“ହେଉନାହିଁ, ହେଉନାହିଁ ! କ’ଣ ହେଉନାହିଁ ? ଆମ ପାର୍ଟି ଶାସନ କରିବା ଦିନୁ ସଲିଡ଼୍ କାମ ସବୁ ହୋଇଛି । ଶାସନ ପୂରାପୂରି ନିର୍ମଳ । ଯେଉଁଠି ଦେଖ ରାସ୍ତା, କୋଠା, ବିଜୁଳି । ଆଉ କେତୁଟା ବର୍ଷ ରହିଲେ ଦେଶରେ କ୍ଷୀର ମହୁ ଭସେଇ ଦବୁ ।”

 

ଦେବ ନେତାଙ୍କୁ କଣେଇ ଚାହିଁଲା । ଉପସଭାପତିଙ୍କ ରାଉଁ ରାଉଁ କଥା, ବିଶାଳ ଦେହ, ହାତ, ଗୋଡ଼, ନାକ ସବୁ ବିରାଟ । ପେଟଟା ସତେଯେମିତି ଏକ କୁଇଣ୍ଟାଲ ଚାଉଳ ଧରିବା ପାଇଁ ବଙ୍କର । ସବୁବେଳେ ପେଟକୁ ପୋଷା ଗାଈ ପରି ସେ ଆଉଁସିବାରେ ବ୍ୟସ୍ତ । ସଁ ସଁ ହୋଇ ନିଃଶ୍ୱାସ ବାହାରୁଛି । ଚନ୍ଦନ ଚର୍ଚ୍ଚିତ ପ୍ରଶସ୍ତ କପାଳ ।

 

–“ଆଜ୍ଞା, ଟିକିଏ ଲଣ୍ଡାପଦରର ଅବସ୍ଥା ଦର୍ଶନ କରନ୍ତୁ, ମହାପ୍ରୁ ।”

 

–“ନିଶ୍ଚୟ, ନିଶ୍ଚୟ ।”

 

କେନ୍ଦୁପଦରର ଦକ୍ଷିଣ ପୂର୍ବ ସୀମାରେ ସାତ ମାଇଲ ଦୂର ଗୋଟିଏ ଛୋଟ ପାହାଡ଼ ଉପରେ ଲଣ୍ଡାପଦର ଅବସ୍ଥିତ । ପାହାଡ଼ ପାଦ ଦେଶ ପର୍ଯ୍ୟନ୍ତ ରାସ୍ତା, ତା’ପରେ ଚାଲି ଚାଲି ପାହାଡ଼ ଉପରକୁ ଉଠିବାକୁ ପଡ଼େ ।

 

ଗୋଟି ଗୋଟି କରି ଲୋକେ ଉପସଭାପତିଙ୍କଠୁ ବିଦାୟ ନେବାରେ ଲାଗିଲେ । ଗଲାବେଳେ ସମସ୍ତଙ୍କ ମୁହଁରେ ଚେନାଏ ଲେଖାଏ ହସ ଉକୁଟି ଉଠୁଥିଲା । ଶେଷରେ ବଳଭଦ୍ର ସିଂ ଦେବ ଓ ବ୍ରଜଙ୍କୁ ନେତାଙ୍କ ସହିତ ପରିଚୟ କରାଇ ଦେଲେ–‘ମୁଁ ଆଜ୍ଞା କିଛି ସମୟ ପୂର୍ବରୁ ଯେଉଁ ବରଜ କଥା କହୁଥିଲି, ସେ ହେଉଛନ୍ତି ଇଏ । ଆଉ ଏ ବାବୁ ଜଣକ ତାଙ୍କ ସାଥି ଦେବବର୍‌ତ-। ସୁଜନପୁରର ଆମର ନିତିଆ ମାଷ୍ଟରଙ୍କ ପୁଅ । ସେ ଇଞ୍ଜିନିୟରିଂ ପାଶ୍ କରି ବେକାର ଅଛନ୍ତି । ଏବେ ଏ ବାବୁ ଇସ୍କୁଲରେ ମାଷ୍ଟର ଅଛନ୍ତି ।”

 

ଉଭୟ ନେତା ଥୋଡ଼େ ହସିଲେ । ଉପସଭାପତି ମନ୍ତବ୍ୟ ଦେଲେ “ଇଞ୍ଜିନିୟରିଂ ଆଉ ଶିକ୍ଷକତା ! ବେଶ୍ ବେଶ୍ ! ଦେଶସାରା ବେକାର । ଆମ ପାର୍ଟି କିନ୍ତୁ ବହୁତ ଚେଷ୍ଟା କରିଛି ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ । ଏକ ସ୍ଵତନ୍ତ୍ର ବୋର୍ଡ଼ ମଧ୍ୟ ବସାଇଛୁ । ଜଣେ ଆଇଏଏସ୍ କମିଶନର ଏହାର ଚେୟାରମ୍ୟାନ । ବହୁ ପାମ୍ପଲେଟ୍ ଛାପିଲେଣି ଆତ୍ମନିଯୁକ୍ତି ନିମନ୍ତେ । ପିଲାଏ ଆପେ ଆପେ ଉପାର୍ଜନ କରିବା ପାଇଁ ଚେଷ୍ଟା କଲେ ସରକାର ସବୁ ସାହାଯ୍ୟ ଦିଅନ୍ତେ ।

 

ମୁଁ ତ କହୁଛି, କିଛି ନ ହେଲେ ଘରେ ବସି ଫିନାଇଲ କର, ବ୍ୟାଟେରୀ କର, ଛାପାଖାନା କର, ଟାଇଲ କର । କମ ପଇସାରେ ଏଗୁଡ଼ା ହୋଇଯିବ । ପିଲାମାନେ ଆଗେଇ ଆସିଲେ ସରକାର ସାଙ୍ଗେ ସାଙ୍ଗେ ଯୋଜନାକୁ ମଞ୍ଜୁର କରି ଟଙ୍କା ଦିଅନ୍ତେ । ଛାଡ଼, କାହାର ତ ଉଦ୍‌ଯୋଗ ନାହିଁ ।”

 

ନେତାଙ୍କ ଉପଦେଶ ସହିତ ରାଜଧାନୀରେ ନିଜ ଯୋଜନାର ସ୍ଵୀକୃତି ଅବସ୍ଥା ମନେପକାଇ ଦେବ ପାଟି ମେଲାଇ କେତୋଟି ଦାନ୍ତ ଦେଖାଇଲା ସିନା, ମୋଟେ ହସିପାରିଲା ନାହିଁ ।

 

–“ତଥାପି ତୁମେ ହତୋତ୍ସାହ ହୁଅନି । ସରକାରୀ ଚାକିରି ଯୋଗାଇବାକୁ ଆମେ ଚେଷ୍ଟା ଚଲେଇଛୁ । ବାତ୍ୟା, ବନ୍ୟା, ମରୁଡ଼ି ତ ଆମ ଦେଶରେ ଲାଗି ରହିଛି । ତା’ଛଡ଼ା ବାହାରୁ ଟଙ୍କା ଆସୁନାହିଁ । ତେଣୁ ପ୍ରଗତିମୂଳକ ଯୋଜନା ହାତକୁ ନେଇ ଚାକିରି ସୃଷ୍ଟି କରାଯାଇ ପାରୁନାହିଁ । କିନ୍ତୁ ଆରଥରକୁ ଆମେ ପାୱାରକୁ ଆସିଲେ ନିଶ୍ଚୟ କିଛି ଗୋଟାଏ କରିବୁ । ଆମ ଇଲେକ୍‌ସନ୍ ମେନିଫେଷ୍ଟୋରେ ଏହି ପଏଣ୍ଟ ରହିଛି ।”

 

ଟିକିଏ ତୁନି ରହି ନେତା କହିଲେ–“ଆପଣମାନେ ଆମ ସହିତ ଲଣ୍ଡାପଦର ଚାଲନ୍ତୁ । ଗାଡ଼ି ତ ଅଛି ।”

 

ଦୁହେଁ ଯନ୍ତ୍ରବତ୍ ହଁ ଭରିଲେ ।

 

ଅଧଘଣ୍ଟା ପରେ ଲଣ୍ଡାପଦର ପାହାଡ଼ ପାଖରେ ସେମାନେ ପହଞ୍ଚିଲେ । ପାହାଡ଼ ତଳେ ଗାଡ଼ି ରଖି ଅଙ୍କା ବଙ୍କା ରାସ୍ତାରେ ଉପରକୁ ଉଠିଲେ । ଦେବ ଓ ବ୍ରଜ କାନ୍ଧରେ ହାତ ରଖି ଡହଳବିକଳରେ ଲଣ୍ଡା ପଦରରେ ପହଂଚିଲେ ସେମାନେ ।

 

ଲଣ୍ଡାପଦର ବୋଧହୁଏ ଯୁଗ ଯୁଗ ଧରି ନାମର ସାର୍ଥକତା ରକ୍ଷା କରିଛି । ଟାଙ୍ଗରା ଭୂଇଁରେ ଇତସ୍ତତଃ କେତୋଟି କୁଡ଼ିଆରେ ସମାବେଶ ମାତ୍ର ।

 

ବଳଭଦ୍ର ବାବୁ ବଡ଼ ତୃଷାର୍ତ୍ତ ଥିଲେ । ଉପସଭାପତି ମଧ୍ୟ ହାଲିଆ ହୋଇ ଗୋଟିଏ କୁଡ଼ିଆ ଦୁଆରେ ବସିଲେ । ସେତେବେଳେ ଗାଁ ସାରା ନିଛାଟିଆ । କେବଳ କୁଡ଼ିଆ ଭିତରୁ ବେଳେବେଳେ ଗୋଟିଏ ଛୁଆର କ୍ଷୀଣ କରୁଣ କାନ୍ଦ ଶୁଭୁଥିଲା ।

 

ପିଇବା ପାଣି ଉଦ୍ଦେଶ୍ୟରେ ଦେବ ବାଉଁଶ ତାଟିର କବାଟକୁ ଠେଲିଦେଇ ଘର ଭିତରକୁ ପଶିଲା । ଘର ଭିତର ଅନ୍ଧାର । ଗୋଟିଏ ହେଲେ ଝରକା ନାହିଁ କି ଦ୍ୱିତୀୟ କବାଟ ନାହିଁ-। ବଣ ମଣିଷର ଗୁମ୍ଫା ପରି ।

 

ଦେବ ଆଉ ଟିକିଏ ଭିତରକୁ ପଶିଲା । କ୍ଷୀଣ ଆଲୁଅରେ ଗୋଟିଏ କଡ଼ରେ କାନ୍ଦୁଣି ମାନ୍ଦୁଣି ହୋଇ ଗଡ଼ୁଥିବା ଛୁଆକୁ ଦେଖିଲା । ନାକରୁ ସିଙ୍ଘାଣି ବହିଯାଉଛି । ବାଳ ଝାଂପୁରା । ବୟସ ଦୁଇବର୍ଷ ପାଖାପାଖି । କିନ୍ତୁ ଏ କ’ଣ ? କାନ୍ଦି କାନ୍ଦି ସେ କାହା ଉପରେ ମୁଣ୍ଡ ବାଡ଼ଉଛି ? ଟିକିଏ ଆଗକୁ ଯାଇ ଦେବ ଏକ ପ୍ରକାର ଚିତ୍କାର କଲା । ତା’ ଆଗରେ ଯେ ଗୋଟାଏ ମଡ଼ା ପଡ଼ିଛି-! ସଂପୂର୍ଣ୍ଣ ଉଲଗ୍ନ ଏକ ନାରୀ ମୂର୍ତ୍ତି । କଳା ମଚ ମଚ ଦେହ । ବାଳଗୁଡ଼ାକ ଇତସ୍ତତଃ ବିଚ୍ଛୁରିତ-। ଆଖି ବନ୍ଦ, ଛାତି ଉଠ ପଡ଼ ଜଣାଯାଉନି । ହଲଚଲ ବି ନାହିଁ । ଏହି କିମାକାର ଡାକିନୀର ସ୍ତନ ଦୁଇଟିକୁ ଛୁଆ ଟାଣୁଛି । ସ୍ତନ ତ ନୁହେଁ ପବନ ନ ଥିବା ଫୁଟବଲ ବ୍ଲେଡ଼ର ଦି’ଟା ।

 

ଦେବ ଭୀଷଣ ଡରିଗଲା । କ୍ଷଣକେ ତା’ ଦେହ ଝାଳରେ ଜୁଡ଼ୁବୁଡ଼ୁ ହୋଇଗଲା । ବାହାରକୁ ଦୌଡ଼ି ଆସି ଖବର ଦେଲା ଯେ ଭିତରେ ଜଣେ ସ୍ତ୍ରୀ ମରି ପଡ଼ିଛି ।

 

–“ଏଁ । ମରି ପଡ଼ିଛି ? ଚାଲ ଚାଲ ବଳଭଦ୍ର ବାବୁ ! ଏଠାରୁ ଚଞ୍ଚଳ ପଳେଇବା । ଗାଁରେ କେହି ନାହାନ୍ତି । ଆମକୁ ଏ ଅବସ୍ଥାରେ ଦେଖିଲେ ସନ୍ଦେହ କରିବେ । ଏଲେକ୍‌ସନ ପାଖ….. ।”

 

ଏତିକିବେଳେ ଘର ଭିତରୁ ଠୋ ଠୋ ମାଡ଼ ଶବ୍ଦ ଶୁଣାଗଲା । ଅତି ବିକଳରେ ବଡ଼ ପାଟି କରି ପିଲାଟି କାନ୍ଦିଲା ।

 

–“ବଡ଼ ଗ୍ରହାଚାର ପଡ଼ିଲା ହୋ ବର୍‌ଜ ବାବୁ । ଦିନ ଦିପହରେ ଭୂତ ଉପଦ୍ରବ, ଚାଲ ଚାଲ ।”

 

ବ୍ରଜ ସମସ୍ତଙ୍କୁ ବୁଝେଇ ଶୁଝେଇ ଛୁଆଟିର ଯତ୍ନ ନେବା ପାଇଁ ଓ ପ୍ରକୃତ କଥା ବୁଝିବା ପାଇଁ ଦେବ ସହିତ ଘର ଭିତରେ ପଶିଲା । ସେମାନେ ଦେଖିଲେ, ଗୋଟାଏ ସ୍ତ୍ରୀ ଲୋକ ବସିଛି । ସେ ଉଦାସ ଆଖିରେ ସେମାନଙ୍କୁ ଚାହିଁଲା । ପୂର୍ବପରି ଛେଚି ବାଡ଼େଇ ହୋଇ ପିଲା କାନ୍ଦୁଥିଲା । ଦେବକୁ ସବୁ ଅଦ୍ଭୁତ ଜଣାଯାଉଥିଲା ।

 

–“ଆମକୁ ଭାରି ଶୋଷ ଲାଗୁଛି । ପାଣି ମୁନ୍ଦେ ଦେ ।”

 

ଗୋଟିଏ ଦୀର୍ଘ ହୁଁ ଶବ୍ଦ କରି ମାଇକିନାଟା ସମ୍ମତି ଜଣାଇଲା ।

 

ସ୍ତ୍ରୀ ଜଣକ ଅସଂଯତ ଅବସ୍ଥାରେ ଥିବାରୁ ଦେବ ଓ ବ୍ରଜ ବାରଣ୍ଡାକୁ ଚାଲିଗଲେ । କିଛି ସମୟ ପରେ ଗୋଟିଏ ମାଟି ଗିଲାସରେ ପାଣି ଧରି ସେ ବାହାରକୁ ଆସିଲା ।

 

ବଳଭଦ୍ର ଓ ସଭାପତି ମହାଶୟଙ୍କ ମୁଁହରେ ହସ ଉକୁଟିଲା । ମଡ଼ା ଓ ଭୂତ ପର୍ବର ଅବସାନ ହେଲା ।

 

ସତରେ ମହିଳା ଜଣକ ଦେଖିବାକୁ ପ୍ରେତଭଳି । କଳା ମଚ ମଚ ଦେହ, ପତଳା ଓ ଡେଙ୍ଗା, ବୟସ ପଚାଶରୁ ତିରିଶ ଭିତରେ, ଅଣ୍ଟାରେ ହାତେ ଓସାରର ଏକ ବସନ, ବିଭିନ୍ନ ରଙ୍ଗର ପଥରମାଳି ବକ୍ଷ ଆବୃତ କରିଛି । ଚକ୍ଷୁ କୋଟରଗତ ।

 

ସଭାପତି ପଚାରିଲେ–“ତମ ନାଁ କ’ଣ ?”

 

–“ଗୁରୁବାରୀ ।”

 

–“ତୁମ ଗାଁର ହାରିଗୁହାରି ବୁଝି ଅସୁବିଧା ଦୂର କରିବାକୁ ଆମେ ଆସିଛୁ ।”

 

ଗୁରୁବାରୀ କୌଣସି ଉତ୍ତର ଦେଲା ନାହିଁ । କେବଳ ବଲ ବଲ କରି ଚାହିଁ ରହିଲା ।

 

କେନ୍ଦୁପଦରର ଅବସ୍ଥା ଅନୁଧ୍ୟାନ କରିବା ପାଇଁ ସମସ୍ତେ ଗୁରୁବାରୀର କୁଡ଼ିଆ ଭିତରୁ ପଶିଲେ । ଏକ ବଖୁରିଆ ଘର । ଦେଖିଲା ଭଳି କିଛି ଜିନିଷ ନ ଥିଲା । ଗୋଟିଏ କୋଣରେ ଛୋଟ କନାବୁଜୁଳାଟିଏ । ରସ କଂସା ଗୋଟିଏ ଓ ଦୁଇଟି ଗିନା; ଚୁଲି ଉପରେ ଗୋଟିଏ ମାଟି ହାଣ୍ଡି । ତା’ପାଖକୁ ଲାଗି ଗୋଟିଏ ବଡ଼ ହାଣ୍ଡି । ନଡ଼ାରେ ଆବୃତ ଛାତସାରା ଅଳନ୍ଧୁ ।

 

କଥାବାର୍ତ୍ତାରୁ ଜଣାଗଲା ଯେ ଲଣ୍ଡାପଦରରେ ଖରାଦିନେ କିଛି ମିଳେନାହିଁ । ବଣ ଜଙ୍ଗଲରେ ଶିକାର କରି ଯାହା ମିଳେ ସେତକରେ କିଛିଦିନ ଚଳିଯାଏ । ଭବିଷ୍ୟତ ପାଇଁ ଗଚ୍ଛିତ ରଖିବାକୁ ଏକମାତ୍ର ଖାଦ୍ୟଶସ୍ୟ ହେଲା ମକା, ତେନ୍ତୁଳି ମଞ୍ଜି, ବନ୍ୟ କନ୍ଦା ଓ ଶିକାର ମାଂସ । ଗୁରୁବାରୀ ଦୁଇଦିନ ହେଲାଣି ଉପାସ ରହିଲାଣି । ତେଣୁ ଛାତିରେ କ୍ଷୀର ନାହିଁ । ସବୁବେଳେ ଛୁଆ କାନ୍ଦୁଛି । ତା’ ସ୍ଵାମୀ ଯଦି ଆଜି ମଧ୍ୟ ବଣରେ କିଛି ନ ପାଏ, ତେବେ ଆଉ ଦିନେ ଉପବାସ । ଉପ ସଭାପତି ଆଶ୍ଚର୍ଯ୍ୟ ହୋଇ ଇଂରେଜୀରେ କହିଲେ ଯେ, ସେ ମଣିଷର ଏପରି ଅବସ୍ଥା ଆଗରୁ କେବେ ଦେଖିନଥିଲେ ।

 

ସୂର୍ଯ୍ୟାସ୍ତ ବେଳକୁ ଗୋଟିଏ ସଭା କରାଗଲା । ତା’ପୂର୍ବରୁ ସିଂ ବାବୁ ଲୋକ ଜମା କରିବାରେ ବ୍ୟସ୍ତ ରହିଥିଲେ । ଅସ୍ଥିକଙ୍କାଳସାର କେତେଜଣ ପୁରୁଷ ଓ ସ୍ତ୍ରୀଙ୍କ ଗହଣରେ ଦେବ ଓ ବ୍ରଜ ବସି ନେତାଙ୍କ ବାଣୀ ଶୁଣିଲେ । ଦେବ କିନ୍ତୁ ନେତାଙ୍କ ଉନ୍ମାଦିତ ବିଶାଳ ବପୁ ଓ ମୁଖ ସଞ୍ଚାଳନ ପ୍ରତି ଦୃଷ୍ଟି ନ ଦେଇ ତା’ପାଖରେ ବସିଥିବା ନରନାରୀଙ୍କ ଦୟନୀୟ ଅବସ୍ଥାକୁ ଦେଖୁଥିଲା-। ଉପସଭାପତି ଭାଷଣ ଦେଲେ–“ମୁଁ ତୁମର ଦୁରାବସ୍ଥା ବହୁକାଳରୁ ଜାଣିଛି । ଥରେ ତୁମମାନଙ୍କର ଦର୍ଶନ ଲାଭ କରିବାର ଆଶାରେ ଆସିଛି । ମୁଁ ଜାଣେ, ତୁମେ ବଡ଼ କଦର୍ଯ୍ୟ ଅବସ୍ଥାରେ ଅଛ । ଖାଇବାକୁ ଦାନା ନାହିଁ, ପିନ୍ଧିବାକୁ କନା ନାହିଁ ! ଏସବୁ କେତେଦିନ ରହିବ ? କେତେଦିନ ତୁମେ କଷ୍ଟ ସହିବ ? ତୁମ ଦୁଃଖ ଦେଖିଲେ ମୋ ଆଖିରେ ଲୁହ ଜକେଇ ଆସୁଛି ।”

 

ନେତାଜୀ ଚଷମା ବାହାର କରି ଆଖି ପୋଛିଲେ । ଶ୍ରୋତାମାନେ ଧୀରେ କହିଲେ–“ହାୟ୍, ହାୟ୍ ।”

 

ହଠାତ୍ ଗର୍ଜନ କଲେ ଉପସଭାପତି–“ନା, ବେଶି ଦିନ ନୁହେଁ । ଆମେ ତୁମକୁ ନିଶ୍ଚୟ ସାହାଯ୍ୟ କରିବୁ । ତୁମେ ଖାଇବ, ପିଇବ, ଟାଇଲ ଘରେ ରହିବ । ଆମେ ଏଇ ସରକାର ଅମଳରେ ଅନେକ ଦାନ କରିଛୁ । ରାଜଧାନୀରୁ ଯେଉଁ ଟଙ୍କା ପଠାଇଛୁ ମାତ୍ର ପାଞ୍ଚଟି ବର୍ଷ ଭିତରେ ଏଠାରେ ପହଞ୍ଚିବା ଅସମ୍ଭବ । ବୋଧହୁଏ ବାଟରେ ଥିବ । ତାହା ଏଠାକୁ ଆଣିବାକୁ ହେବ । ନଚେତ୍ ବାଟରେ କୁକୁର ବିଲେଇ ଝାମ୍ପିନେବେ । ତେଣୁ ଟାଣି ଆଣିବାକୁ ହେଲେ ଆସନ୍ତା ଚାରି ମାସ ପରେ ହେଉଥିବା ନିର୍ବାଚନରେ ଆମ ପ୍ରାର୍ଥୀ ଶ୍ରୀମାନ୍‌ ବଳଭଦ୍ର ସିଂଙ୍କୁ ନିର୍ବାଚିତ କରାଇବ ।”

 

–“ସତ୍, ସତ୍ ।”

 

ସଭା ଶେଷରେ ଘର ଲେଉଟାଣିବେଳେ ଉପସଭାପତି ଦେବକୁ କହିଲେ–”ଆପଣ ତ ଅବିକା ବେକାର ଅଛନ୍ତି । ଲଗାନ୍ତୁନା ଆମ ପାର୍ଟି କାମରେ, ଅନ୍ତତଃ ନିର୍ବାଚନ ପର୍ଯ୍ୟନ୍ତ ।”

 

Unknown

ଦେବ ଅଥୟ ହୋଇ କହିଲା–“କ୍ଷମା କରିବେ ସାର୍, ବର୍ତ୍ତମାନ ମୁଁ ଜଣେ ଶିକ୍ଷକ । ତା’ ଛଡ଼ା ଆମେ ଦଶ ଜଣ ମିଶି ଆତ୍ମନିଯୁକ୍ତି ବିଷୟକ ଗୋଟିଏ ଯୋଜନାରେ ହାତ ଦେଇଛୁ । ସରକାରଙ୍କ ପାଖରେ ଆମ ରିପୋର୍ଟ ପଡ଼ି ରହିଛି । ଆପଣ ଦୟା କଲେ… ।”

 

–“ହଉ, ତୁମ ଯୋଜନା କଥା ବୁଝିବା । ତୁମେ ତ ଏବେ ଶିକ୍ଷକ । ତଥାପି ତୁମେ… । ଆଚ୍ଛା ଆଚ୍ଛା, ମୁଁ ଡିନର୍ ପରେ କହିବି ।”

 

କେନ୍ଦୁପଦର ଆସି ଯାଇଥିଲା । ବଳଭଦ୍ରଙ୍କ ଘର ପାଖରେ କାର୍‍ର ବ୍ରେକ୍ କଷୁ କଷୁ ସଭାପତି କହିଲେ–“ତୁମେ ଦୁହେଁ ମୋ ସହିତ ରାତ୍ରି ଭୋଜନ କରିବ ।”

 

ରାତ୍ରି ଭୋଜନବେଳେ ବ୍ରଜ ଫାର୍ମ ରିପୋର୍ଟ କଥା ଉଠାଇଲା । ଉପସଭାପତି ସବୁ ହୋଇଯିବ ବୋଲି ଅଭୟ ଦେଲେ । ରାଜଧାନୀରେ ତାଙ୍କୁ କେହି ମନେପକାଇ ଦେବାକୁ କହିଲେ । ବ୍ରଜ ରାଜଧାନୀକୁ ଯାଇ ଯୋଜନା ଫାଇନାଲ କରିବାକୁ ସ୍ଥିର ହେଲା । ନେତାଜୀ କିନ୍ତୁ ଗୋଟିଏ କଣ୍ଡିସନ୍ ରଖିଲେ । ପିଲାଙ୍କର କାମ ସେ କରିଦେବେ, ଯଦି ବ୍ରଜ ଓ ଦେବ ଦୁହେଁ ତାଙ୍କ ପାର୍ଟି ପାଇଁ କାମ କରିବେ । ଯାହା କରିବାକୁ ହେବ, ମନ୍ତ୍ରଣା ନେଲା ପରେ ଦେବ ଓ ବ୍ରଜ ଫେରିଆସିଲେ ।

 

ଦେବର ଆନନ୍ଦ କହିଲେ ନ ସରେ । ଗୁଣୁ ଗୁଣୁ ଗୀତ ଗାଇ ସେ ଶେଯ ଧରିଲା । କିନ୍ତୁ ଟିକିଏ ଆଖି ବୁଜିଛି କି ନାହିଁ ଗୁରୁବାରୀର ବର୍ଣ୍ଣବିଭା ତା’ର ମାନସପଟରେ ଉଙ୍କି ମାରିଲା । ଯୁବତୀ ନାରୀର କଙ୍କାଳସାର ଉତ୍କଟ ଦୃଶ୍ୟ ତା’ର ହୃଦୟକୁ ଖିନ୍‌ଭିନ୍ କରିବାରେ ଲାଗିଲା । ସ୍ଵାଧିନତା ଏ ଦେଶକୁ ବହୁତ କିଛି ଦେଇଛି ।

 

ଓଟ ଦଳର ନେତା କହୁଛନ୍ତି, ଦେଶ ଢେର୍ ଅଗ୍ରଗତି କଲାଣି । ଶିଳ୍ପ, ରାସ୍ତା, ଜଳସେଚନ, ଶିକ୍ଷା, ସ୍ଵାସ୍ଥ୍ୟ ସବୁ ଦିଗରେ ଅଗ୍ରଗତି । ଏଇ ପ୍ରଗତି ସହିତ ତାଳଦେଇ ଗାଁ ମାଷ୍ଟର ପୁଅ ଦେବ ମଧ୍ୟ ଇଂଞ୍ଜିନିୟର ହୋଇପାରିଛି । ଅନ୍ତତଃ ମୁଣ୍ଡରେ ବୁଦ୍ଧି ଓ ଛାତିରେ ଦମ୍ଭ ସେ ପାଇଛି-। କିନ୍ତୁ ଲଣ୍ଡାପଦର ପରି ଲକ୍ଷ ଲକ୍ଷ ପଲ୍ଲୀର ଅସ୍ଥିସାରବତ୍ ଲୋକଙ୍କୁ କ’ଣ ଦେଇପାରିଲା ଯୋଜନା-? ଏ ସ୍ୱାଧୀନତା କାହାପାଇଁ ?

 

କଡ଼ ଲେଉଟାଇ ଦେବ ଭାବିଲା, କେଉଁ ଏକ ଖ୍ୟାତନାମା ନଗରୀରେ ହଜାର ଫୁଟ ବିଶିଷ୍ଟ ଅଟ୍ଟାଳିକା ଗଢ଼ି ବାହାବା ନେବା ହୁଏତ ସହଜ କିନ୍ତୁ ଗୁରୁବାରୀଙ୍କୁ ପେଜ ମୁନ୍ଦାଏ ଦେବା କଷ୍ଟକର ।

 

କିପରି ଏହା କରାଯାଇପାରେ ? ଦେବ ଛଟପଟ ହେଲା । ମଣିଷ କେଡ଼େ କେଡ଼େ ସମସ୍ୟାର ସମାଧାନ କରୁଛି । ଚନ୍ଦ୍ରକୁ ମଣିଷ ପଠେଇପାରୁଛି । ଅଥଚ ଗୁରୁବାରୀମାନଙ୍କୁ ସାମାନ୍ୟ ପେଜ ଦେଇ ହେବନି ? ନିଶ୍ଚୟ ହେବ । ଆଜି ନ ହେଲେ ବି କାଲିକି ହେବ । ଚନ୍ଦ୍ରାବତୀ ନଦୀ ଏମାନଙ୍କୁ ପେଜ ଦେବ । ଦିନେ ତା’ର ପାଣି ଧଳା ପେଜ ପାଲଟି ଯିବ । ତାକୁ ଲଣ୍ଡାପଦରବାଲା କେତେ ଖାଇବେ ଖାଅନ୍ତୁ । ଫାର୍ମ ପ୍ରତିଷ୍ଠା ହେଲେ ସେ ଓ ତା’ର ସାଥି ସଭ୍ୟମାନେ ଏବଂ ଓଟ ମାର୍କା ଦଳର ସର୍କାର ଏହା କରିପାରିବେ । ହେ ପ୍ରଭୁ, ଓଟର ଜୟ ହେଉ । ତା’ର ପେଟ ଭୋଟ କାଗଜରେ ପୂର୍ଣ୍ଣ ହେଉ ।

 

ଦେବର ମଧ୍ୟ କର୍ତ୍ତବ୍ୟ ଅଛି ବୋଲି ଉପସଭାପତି କହିଛନ୍ତି । ଫାର୍ମ କରୁ କରୁ ରାଜନୀତିରେ ମୁଣ୍ଡ ପ୍ରବେଶ ! ଆଶ୍ଚର୍ଯ୍ୟ ଲାଗେ । ଗରିବ ମାଇପ ସବୁରି ଶାଳୀ ପରି ବେକାରମାନଙ୍କୁ ଲଗେଇ ଦେଉଛନ୍ତି ଯେ ଯାହା ଯାହା କାମରେ । ନେତା କହୁଥିଲେ ଯେ ସୁଜନପୁରରେ ସେ ଗୋଟିଏ ଗ୍ରାମମଙ୍ଗଳ ସମିତି କିମ୍ବା ଯୁବସଂଘ ଗଢ଼ିପାରେ । ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଏକାଠି ବସେଇପାରେ । ମୁଖ୍ୟ ବକ୍ତା କିମ୍ବା ପ୍ରଧାନ ଅତିଥି ଭାବେ ନାମଜାଦା ଲୋକଙ୍କୁ ଡକା ଯାଇପାରେ । ସେଇ ହିସାବରେ ହୁଏତ ଓଟ ମାର୍କା ନେତାଙ୍କ ମୁଁହ ଜନତାଙ୍କୁ ଦେଖାଇ ହେବ ।

 

ଛାତ୍ରମାନଙ୍କୁ ଘରକୁ ଡାକି କିମ୍ବା ଛୁଟି ପରେ ଫୁଟବଲ ପଡ଼ିଆ ପାଖରେ ଦେଶ କଥା ଆଲୋଚନା ଛଳରେ ଓଟର ମନୋରମ ଚାଲି, ବିଶାଳ ବପୁ, ପ୍ରଭୁଭକ୍ତି ଆଦିର ବର୍ଣ୍ଣନା କରାଯାଇପାରେ । ମରୁଭୂମିର ଜ୍ୱଳନ୍ତ ବାଲୁକା ଉପରେ ସେ ଗଭୀର ସାଗରର ରାଜହଂସ ପରି ଚାଲିପାରେ । ଓଟ ଯେତେବେଳେ ଏତେ ଭୀମ ଅଥଚ କାନ୍ତ ମଧ୍ୟ, ତାକୁ ନିଜର ମାର୍କା କରି ବୁଲୁଥିବା ଲୋକଙ୍କ ମୁଣ୍ଡରେ କେତେ ମସଲା ଖୁନ୍ଦି ହୋଇଥିବ ସହଜରେ ଅନୁମେୟ । ପିଲେ ବୁଝିଗଲେ ଓ ଲାଗିଗଲେ ଭୋଟ ମିଳିବା ବଡ଼ ସହଜ ବୋଲି ମଧ୍ୟ ସେ କହୁଥିଲେ । ଧ୍ୟାତ୍ ! ଏତେବର୍ଷ ଇଂଜିନିୟରିଂ ପଢ଼ି ଶେଷରେ ଏ ପ୍ରକାରେ ଲକ୍ଷ୍ୟ ହାସଲ ହେବ ?

 

ଜୋଛନା ଧୁଆ ଶାନ୍ତ ପୋଖରୀ ବକ୍ଷରେ ଚନ୍ଦ୍ରମାର ମନୋରମ ପ୍ରତିଫଳନକୁ ଲକ୍ଷ୍ୟ କରି କେହି ଯେପରି ଡବ୍ କରି ଟେକାଟିଏ ଫୋପାଡ଼ି ଦେଲା ।

 

ନଅ

 

ସଞ୍ଜବେଳକୁ ଦେବବ୍ରତ ସ୍କୁଲରୁ ଫେରିଲା । ଘର ଭିତରେ ପାଦ ଦେଉ ନ ଦେଉଣୁ ଆରତି ଖବରକାଗଜ ଖଣ୍ଡେ ତା’ ହାତକୁ ବଢ଼େଇ ଦେଲା କହିଲା, “ଫାର୍ମ ବିଷୟରେ ଲେଖା ବାହାରିଛି । ଚତୁର୍ଥ ପୃଷ୍ଠାର ତୃତୀୟ କଲମ ଦେଖ । ବିଜୟ ବାବୁ ଲେଖିଛନ୍ତି ।”

 

ଖବରକାଗଜରେ ଫାର୍ମ ସମ୍ବାଦ ଶୁଣି ଦେବ ଚିହିଁକି ଉଠିଲା । ଦରଖୋଲା ସାର୍ଟ ଦେହରେ ସେ ପଢ଼ିବାକୁ ଆରମ୍ଭ କଲା–

 

“ଆମ ସରକାରଙ୍କ ତୁଣ୍ଡ ଅଛି, କିନ୍ତୁ ଆଖି ନାହିଁ କି କାନ ନାହିଁ । ବେକାର ସମସ୍ୟା ସମାଧାନ ପାଇଁ ନିଜେ ତ କିଛି କରୁନାହାନ୍ତି ପରନ୍ତୁ ଆତ୍ମନିଯୁକ୍ତି ନାମରେ ଯାହା କରିବାକୁ ଲୋକଙ୍କୁ କୁହାଯାଉଛି, ତାହା ବି କରିବାକୁ ଚେଷ୍ଟା କଲେ କରାଇ ଦେଉନାହାନ୍ତି ।

 

ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ଉକ୍ତିକୁ ଏକ ଉଦାହରଣ ଜରିଆରେ ପ୍ରମାଣ କରୁଛି । ଦେଶର ବହୁ ବେକାର ଯୁବକଙ୍କ ପରି ମୁଁ ମଧ୍ୟ ଆତ୍ମନିଯୁକ୍ତି ଜରିଆରେ କୌଣସି ଏକ ଧନ୍ଦାର ଗଣ୍ଡି ଭିତରେ ପଶିଯିବାକୁ ବିଗତ ଦୁଇବର୍ଷ ହେଲା ଯତ୍ନ କରିଆସିଛି । ଇଂଜିନିୟର, ଡାକ୍ତର, କୃଷି, ଭେଟେରିନାରୀ ଓ ସାଧାରଣ ଗ୍ରାଜୁଏଟ, ଏପରି ଦଶଜଣ ଯୁବକଙ୍କୁ ନେଇ ଆମେ ଏକ ସଘନ କୃଷି ଫାର୍ମ କରିବାକୁ ବର୍ଷାଧିକ କାଳ ଚେଷ୍ଟାକରି ଆସିଛୁ । ସରକାରୀ ନିୟମ ଅନୁସାର ଏକ ସମବାୟ ସଂସ୍ଥା କରି ତାକୁ ଚାରି ମାସ ତଳେ ରେଜିଷ୍ଟ୍ରି ଭୁକ୍ତ କରାଯାଇଛି । ଏ ସମ୍ବନ୍ଧୀୟ ଯୋଜନା ସରକାରଙ୍କ ହସ୍ତଗତ ହୋଇ ମଧ୍ୟ ପ୍ରାୟ ଚାରି ମାସ ବିତିଗଲାଣି କିନ୍ତୁ ଆମର ରିପୋର୍ଟ ଉପରେ ସରକାର କୌଣସି କାର୍ଯ୍ୟକ୍ଷେପ ଗ୍ରହଣ କରୁନାହାନ୍ତି । ଅଫିସରୁ ଅଫିସ୍ କିମ୍ବା ମନ୍ତ୍ରୀମାନଙ୍କ ପାଖକୁ ଦୌଡ଼ି ଦୌଡ଼ି କିଛି ଲାଭ ହେଉନାହଁ ।

 

ସରକାରଙ୍କ ଉପରୋକ୍ତ ବ୍ୟବହାର ତାଙ୍କ ଘୋଷିତ ‘ଆତ୍ମନିଯୁକ୍ତି’ ନୀତିର ବିରୁଦ୍ଧାଚରଣ କରୁନାହିଁ କି ?

 

ତେଣୁ ମୋର ଅନୁରୋଧ, ଆତ୍ମନିଯୁକ୍ତି ସମ୍ବନ୍ଧେ ବେକାର ଯୁବକମାନେ ଯେଉଁ ଯୋଜନା ସରକାରଙ୍କଠାରେ ପେଶ୍ କରୁଛନ୍ତି, ତାହା ଅବିଳମ୍ବେ କାର୍ଯ୍ୟକାରି କରିବାପାଇଁ ସରକାରୀ କଳକୁ ତତ୍ପର କରନ୍ତୁ । ନଚେତ୍ ଅଦୂର ଭବିଷ୍ୟତରେ ଯେଉଁ ବିପ୍ଳବର ନିଆଁ ଜଳିଉଠିବ ସେଥିପାଇଁ ସରକାର ଦାୟୀ ରହିବେ ।

 

ଏଥିସହିତ ମୁଁ ରାଜ୍ୟର ବେକାର ଯୁବକମାନଙ୍କୁ ଆହ୍ୱାନ ଜଣାଉଛି ଯେ, ଯଦି ସେମାନଙ୍କର ଏପରି ଯୋଜନାମାନ ଭଣ୍ତୁର କରାଯାଏ ତେବେ ସେମାନେ ସଙ୍ଗଠିତ ହୋଇ ବିପ୍ଳବ ଜରିଆରେ ନିଜ ନିଜର ଦାବି ହାସଲ କରନ୍ତୁ ।

 

ବିଜୟ ରାୟ,

ସଭ୍ୟ, ପ୍ରଗତି ସମବାୟ ସଂସ୍ଥା”

 

ଦେବବ୍ରତ ସମଗ୍ର ବିବୃତିକୁ ପଢ଼ିସାରି ଦୀର୍ଘ ନିଃଶ୍ୱାସ ପକାଇଲା ।–“ମୁର୍ଖ, ଦେଲା ଖାଇ ଯୋଜନାକୁ ।” ଧୀରେ ଧୀରେ ଦେବ ନିଜକୁ ନିଜେ କହିଲା ।

 

–“କିନ୍ତୁ ଭାଇ, ମୁଁ ସମ୍ବାଦଟା ପଢ଼ିଲା ପରେ ଭାବୁଥିଲି, ଏଥର ଆମର ଯୋଜନା ନିଶ୍ଚୟ ଆରମ୍ଭ ହେବ ।” ଆରତି କହିଲା ।

 

ଦେବ ଟିକିଏ ହସିଲା । ତା’ପରେ ଖବରକାଗଜକୁ ଲୋଚା କୋଚା ଅବସ୍ଥାରେ ତଳେ ପକେଇଦେଇ କହିଲା,–“ନାଇଁ, ନାଇଁ ଏ ସବୁ ବିଷୟରେ ଏମିତି କାର୍ଯ୍ୟ ହାସଲ କରାଯାଏ ନାହିଁ । ଏମିତି ହଜାର ହଜାର ଧମକପୂର୍ଣ୍ଣ ବିବୃତି ଖବରକାଗଜରେ ପ୍ରକାଶିତ ହୁଏ । ସରକାର କ’ଣ ସେ ସବୁ କରିଦିଅନ୍ତି ? ବିଜୟ ଠିକ୍ କାମ କଲା ନାହିଁ ।”

 

–“ଏତେଦିନ ଧରି ଯୋଜନା ନ ହେବାରେ ବୋଧହୁଏ ବିଜୟ ବାବୁ ତପେ ବର ନ ହେଲେ କୋପେ ବରର ଆଶ୍ରା ନେଇଛନ୍ତି । ତାଙ୍କ ଆଗରେ ଆଉ କୌଣସି ଉପାୟ....”

 

ଦେବ ରାଗିଯାଇ କହିଲା–“କାମ ଏମିତି ହାସଲ କରାଯାଏ ନାହିଁ । ଏଥିପାଇଁ ଅନ୍ୟ ଉପାୟ ଅଛି । ଅଫିସର, ମନ୍ତ୍ରୀ–ଏମାନେ ହେଲେ ମୋଟା ଚମଡ଼ାବାଲା ଜନ୍ତୁ । ଏମାନଙ୍କୁ ତେଲାତେଲି କରି ପଛରେ ଗୋଡ଼େଇ କାମ ହାସଲ କରିବାକୁ ହୁଏ । ବିଜୟ ହାତରେ ଏ କଥା ହେଲା ନାହିଁ । କିମିତି ହବ ? ତା’ର କେହି ବ୍ୟାକିଂ ନାହାଁନ୍ତି । ତେବେ ତା’ ଦେଇ ନ ହେଲା ବୋଲି ଆଉ କାହା ଦେଇ ହବନି ? ଆମେ ଅଛୁ ଦଶ ଜଣ । କାହାଦ୍ଵାରା କ’ଣ ହୋଇପାରିବ ଜାଣି ସେମିତି ଦାୟିତ୍ଵ ଦିଆଯିବ । ଏ ପରିସ୍ଥିତିରେ ବ୍ରଜ ସବୁଠାରୁ ପାରିବା ଲୋକ । ତା’ର ଏମ.ଏଲ.ଏ., ମନ୍ତ୍ରୀଙ୍କ ସହିତ ପରିଚୟ ଅଛି । ତେଣୁ ସେ ଏହି ଦାୟିତ୍ଵ ନେବ ବୋଲି କହିଥିଲା । ବ୍ରଜ ଏବେ ରାଜଧାନୀକୁ ଖୋଦ ଏଥିପାଇଁ ଯାଇଛି । ସେ ନିଶ୍ଚୟ ତା’ ଚେଷ୍ଟାରେ ଲାଗିଥିବ । କିନ୍ତୁ ଚଣ୍ଡାଳଟା ଏପରି ବିବୃତି ଛପେଇ ସବୁ ବିଗାଡ଼ି ଦେଲା । ମନେମନେ ନେତା ହୋଇ ଯାଚ୍ଛାତା ଲେଖିଦେଉଛି-।”

 

ଏହି ଘଟଣାର ତିନିଦିନ ପରେ ଦେବ ବିଜୟଠାରୁ ଗୋଟିଏ ଚିଠି ପାଇଲା । ଲେଖା ଥିଲା–

 

“ଅଳ୍ପଦିନ ତଳେ ଆମ ଫାର୍ମ ସମ୍ବନ୍ଧେ ଦେଇଥିବା ମୋର ଏକ ବିବୃତି ଖବରକାଗଜରେ ପଢ଼ିଥିବୁ । ଯୋଜନା ମଞ୍ଜୁରି ପାଇଁ ଖୋସାମତି, ଅଫିସରଙ୍କ ପଛରେ ଧାଁ ଦୌଡ଼ ତ କାମ ଦେଲା ନାହିଁ । ମନ୍ତ୍ରୀ ଶୁଣିଲେନି, କାରଣ ନିର୍ବାଚନ ପାଖେଇ ଆସୁଛି । ସ୍ଵ ସ୍ଵ ନିର୍ବାଚନମଣ୍ଡଳୀର ଟାଉଟରଙ୍କୁ ନେଇ ସେମାନେ ବ୍ୟସ୍ତ । କାମ ନ ହେଉ ପଛେ, ଅନେକ ଯୋଜନାର ଶୁଭ ଦେବାରେ ଅବିକା ସେମାନେ ବ୍ୟଗ୍ର ।

 

ବ୍ରଜ ବାବୁଙ୍କ ସହିତ ବି ଦେଖା ହୋଇଥିଲା । ତାଙ୍କ ସହିତ କଥାବାର୍ତ୍ତା ପରେ ମୋର ମନେହେଲା, ସେ ବାବୁ ନିଜର ଆଖିରେ ରାଜନୈତିକ ଅଞ୍ଜନ ବୋଳିଛନ୍ତି । ସେ ଭାବୁଛନ୍ତି ସଂସାରର ପ୍ରତ୍ୟେକ ଘଟଣା ମନ୍ତ୍ରୀ, ଏମ୍. ଏଲ୍. ଏ.ଙ୍କ ଯୋଗୁଁ ହିଁ ଘଟେ । ତାଙ୍କର ତେଣୁ ବୋଧହୁଏ ମତ ଯେ, କୌଣସି କାମ କାରାଇବାକୁ ହେଲେ ଏମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଖୋସାମତ କରିବାକୁ ପଡ଼ିବ । ଅବଶ୍ୟ ଅତୀତରେ ମୋର ବି ଦିନେ ଏହି ଭୁଲ୍‍ ଧାରଣା ଥିଲା ।

 

କଥା ପ୍ରସଙ୍ଗରେ ବ୍ରଜ ବାବୁ କହିଲେ ଯେ, ଓଟ ମାର୍କା ଦଳର ଉପସଭାପତି କୁଆଡ଼େ ଫାର୍ମ କାଗଜପତ୍ର ସଜାଡ଼ି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିବଦଳରେ ବ୍ରଜ ବାବୁ ଓ ତୁ କୁଆଡ଼େ ନିର୍ବାଚନରେ ତାଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବ ।

 

ମୁଁ ବ୍ରଜବାବୁଙ୍କୁ କହିଛି, ସେ ଯେପରି ପ୍ରଚାର ଫ୍ରଚାର ନ କରନ୍ତି । ବିଶେଷ କରି ତୋତେ ମୋର କହିବାର କଥା, କଦାପି ତୁ ଜାଣିଶୁଣି ନିଆଁରେ ହାତ ପୂରେଇବୁ ନାହିଁ ।

 

ରାଜନୀତି ଦେଶବାସୀଙ୍କୁ ଅନେକ ଦଳରେ ବିଭକ୍ତ କରିଛି । ଦେଶପ୍ରୀତି, ଏକତା, ସ୍ନେହ ସୌହାର୍ଦ୍ଦ୍ୟ ବଦଳରେ ଆମେ ଦେଖୁ ବିଭେଦ, ପରଶ୍ରୀକାତରତା ଓ ଘୃଣା । ପ୍ରତ୍ୟେକ ଗାଁ ଆଜି ଶ୍ରୀହୀନ, ଖଣ୍ଡ ବିଖଣ୍ଡିତ । ଗୋଟିଏ ଦଳର ଶ୍ରୀ ଅନ୍ୟମାନେ ଦେଖିପାରୁ ନାହାନ୍ତି । ତେଣୁ ତୁ ରାଜନୀତିରେ ନିଜେ ଭାଗନେଲେ କେବଳ ଗୋଟିଏ ଦଳର ସ୍ନେହଭାଜନ ହେବୁ । ତା’ ସଙ୍ଗେ ସଙ୍ଗେ ଅନ୍ୟ ଦଳର ଶତ୍ରୁ ତାଲିକାରେ ବିନା ଦୋଷରେ ସ୍ଥାନ ପାଇବୁ । ଦଳେ ଶତ୍ରୁ ହୋଇ ବାହାରିଲେ ଗାଁର ଅର୍ଥନୈତିକ ସମୃଦ୍ଧି ଆମେ କରିପାରିବା କି ? ପୁନଶ୍ଚ କୋମଳମତି ବାଳକ ବାଳିକାଙ୍କୁ ନିର୍ବାଚନବେଳେ ସ୍ଵାର୍ଥସିଦ୍ଧି ପାଇଁ କୁପଥରେ ନେବା ମହାନ ପାପ ବୋଲି ମୁଁ ଭାବେ ।

 

ମନ୍ତ୍ରୀ ବା ରାଜନୀତି କଲାବାଲା ଗୋଟାଏ ଗୋଟାଏ ମଣିଷ ଛାଲରେ ଆବୃତ ବାଘ । ନିରୀହ ଅବସ୍ଥା ଦେଖିଲେ ଉପକାର ନାଁରେ ଡରେଇ ନିଜ ସ୍ୱାର୍ଥ ହାସଲ କରିଥାନ୍ତି । ତୋର ବେକାର ଅବସ୍ଥା ଦେଖି ସେମାନଙ୍କ ତୁଣ୍ଡରୁ ଲାଳ ବୋହୁଥିବ । କିନ୍ତୁ ଏମାନଙ୍କର ବାହ୍ୟ ରୂପରେ ଡରିଯିବୁ ନାହିଁ, ଦରକାର ବେଳେ ଖୋସାମତି କରି କାର୍ଯ୍ୟ କରଯାଇପାରେ । ଆଉ ବେଳେବେଳେ ତାଙ୍କରି ଉପରେ ସବାର ହୋଇ କାମ କରିହୁଏ । କାରଣ ମଣିଷ କାମ କରେ ପ୍ରଲୋଭନରେ ପଡ଼ି କିମ୍ବା ଡରି ମରି ।

 

ଅବସ୍ଥା ଓ ସମୟକୁ ଭାବିଚିନ୍ତି ସେଇ ବିବୃତିକୁ ଛାପିଲି । ନିର୍ବାଚନ ପୂର୍ବରୁ ସରକାର ବିରୁଦ୍ଧରେ ବିପ୍ଲବ ତାଙ୍କ ପ୍ରତି ଗୋଟିଏ ବଜ୍ର । ସରକାରର ପ୍ରାରମ୍ଭିକ କାଳରେ କେହି କାହା କଥା ଶୁଣେନାହିଁ । ଶେଷବେଳକୁ ଅର୍ଜିତ ପାପ, ପ୍ରତିଶ୍ରୁତି ଓ ଦୁଷ୍କାର୍ଯ୍ୟଗୁଡ଼ିକୁ ଆଖି ଆଗରେ ଥୋଇଲେ ଏମାନେ ଡରି କାମ କରନ୍ତି । ବର୍ତ୍ତମାନ ଯଦି ଆମ କାର୍ଯ୍ୟ ନ ହୁଏ, ମୁଁ ସତକୁସତ ବେକାରମାନଙ୍କୁ ନେଇ ଗୋଟିଏ ସଂଘ ଚଢ଼ିବି ।

 

ଭାବୁଛି, ଆସନ୍ତା ଦୁଇମାସ ମଧ୍ୟରେ ଫାର୍ମ ସମ୍ବନ୍ଧୀୟ ଫାଇଲ କାମ ଶେଷ ହୋଇଥିବ-। ତେଣୁ ତୁ ସେପରି କାର୍ଯ୍ୟକ୍ରମ ଆଗରୁ ସ୍ଥିର କରି ରଖିଥା । ଜୁନ୍‌ଠାରୁ ବୋଧହୁଏ ତୋତେ କେନ୍ଦୁପଦରରେ ରହିବାକୁ ପଡ଼ିବ ।”

 

ଚିଠିକୁ ଦୁଇ ଚାରିଥର ପଢ଼ି ଦେବ ଭାବିଲା–ବିଚରା ବିଜୟ ! କୁଆଡ଼େ ଗଲା ତା’ର ତେଜୋଦୀପ୍ତ, କାନ୍ତିମୟ ଅଙ୍ଗ ସୌଷ୍ଠବ ? ଆଜି ସେ ହେବାକୁ ଯାଉଛି ସର୍ବହରା, ନିଷ୍ପେଷିତ ବେକାର ଦଳର ନେତା ! ଗୁଡ଼ାଏ ଦାଢ଼ି ବଢ଼େଇ, ହତଶ୍ରୀ ଅଙ୍ଗାବୟବକୁ ଘେନି ଧନହୀନ, ଜନହୀନ ଅବସ୍ଥାରେ ୟେ ପୁଣି ଖଣ୍ଡେ ଦନ୍ଥଡ଼ା ଛୁରିରେ ଲୌହ ଅଟ୍ଟାଳିକାକୁ ଭେଦ କରିବ !

 

ଦଶ

 

ସେଠି ଆଉ କିଛି ନାହିଁ, ଅଛି ଖାଲି ରୂପ ଓ ରଙ୍ଗ । ନାନା ଜାତି ରୂପ ପୁଣି ନାନାପ୍ରକାର ରଙ୍ଗ । ଘଡ଼ିକୁ ଘଡ଼ି ସେ ରୂପ ବଦଳିଯାଏ, ସେ ରଙ୍ଗ ଅନ୍ୟ ରଙ୍ଗରେ ରଞ୍ଜିତ ହୁଏ ।

 

ସେଠି କଳା ପାତାଳପୁରୀ ଗୋଡ଼ ପାଖରେ, ଧୂଳି ଧୂସରିତ ମର୍ତ୍ତ୍ୟଲୋକ ଦେହକୁ ଲଗାଲଗି ଏବଂ ବର୍ଣ୍ଣ ବର୍ଣ୍ଣିକା ସ୍ଵର୍ଗ ମୁଣ୍ଡ ଉପରେ ।

 

ସେଠି ସକାଳେ ଚନ୍ଦ୍ରାବତୀ ନଈ ନାଲି ପାଣିରେ ହୋରି ଖେଳେ । ଘଷାମଜା ହୋଇ ସଫେଦ ହୁଏ । ଦିନରୁ ରାତି ଯାଏ ନୀଳ, ନାଲି, ବାଇଗଣି ଆଦି ଅନେକ ରଙ୍ଗର ଶାଢ଼ି ପିନ୍ଧେ । କଳା ପରଦା ଢାଙ୍କି ହାତ ଗୋଡ଼ ଛାଟି ସର୍ ସର୍ ନିଶ୍ୱାସ ମାରି ରାତିରେ ବିଶ୍ରାମ ନିଏ । ତା’ର ଚଳଚଞ୍ଚଳ ତନୁପାତଳୀ ଦେହକୁ ଜାବୁଡ଼ି ଧରିଛନ୍ତି ଦୁଇପଟେ ଦୁଇଟା ସବୁଜ ଉପତ୍ୟକା । ତଥାପି ସେ ବଙ୍କେଇ ଟଙ୍କେଇ ନାଚି କୁଦି ଅଗେଇ ଚାଲିଛି । ନିଜ ରୂପରେ ମୋହିତ କରି ଦୁଇ ପଟର ଉପତ୍ୟକାକୁ ମୂକ କରି ଦେଇଛି । ଚନ୍ଦ୍ରାବତୀ ତା’ର ମୋହିନୀ ରୂପ ଦେଖାଇ ରସଘନ ଗୀତ ଗାଇ ରସାଳ ପ୍ରେମିକ ଦୁଇଟିକୁ ମୁହାଁ ମୁହିଁ କରି ସବୁ ରସତକ ଟାଣିନିଏ ଏବଂ ତାଙ୍କୁ କଛିଦିନ ପାଇଁ କରିଦିଏ ଚର୍ମଲୋଳିତ ଜରାଜୀର୍ଣ୍ଣ ବୃଦ୍ଧ ।

 

ସେଠି ଖରାଦିନେ ସବୁ ଶୁଷ୍କ । ସମଗ୍ର ଉପତ୍ୟକା ଧୂସରିତ । ବର୍ଷାଦିନେ ସେ ସବୁଜ ରଙ୍ଗର ପୋଷାକ ପିନ୍ଧେ । ଶାଗୁଆ ଗଛ ତଳେ ଗହଳ ଘାସ ବ୍ୟାପିଯାଏ । ଛୋଟ ଛୋଟ ନାଳ ଝଣଝାଣ ଶବ୍ଦ କରି ଭୂଇଁରୁ ପୁଳାଏ ଲେଖା ମାଟି ଖାଇ ଏପଟ ସେପଟ ଧାଁ ଦଉଡ଼ କରନ୍ତି । ସାରା ଉପତ୍ୟକାର ମାଟି ନରମ ହୋଇଯାଏ । କେଉଁଠି କଳା ମୁଗୁନି ପଥର ଦେହରେ ପାଣି ଚକ୍ ଚକ୍ କରେ ତ କେଉଁଠି କାଦୁଅ ପଚ୍ ପଚ୍ ହୁଏ । ପ୍ରତିଦିନ ଅନେକ ସ୍ତ୍ରୀ ପୁରୁଷ ପତର ଗୋଟାଇବାକୁ ଅଥବା ପାଚିଲା କେନ୍ଦୁ ସଂଗ୍ରହ କରିବାକୁ ଏଇ ଉପତ୍ୟକା ଲଙ୍ଘନ କରି ଦୂର ପାହାଡ଼ ଭିତରେ ଲୁଚିଯାଅନ୍ତି । ସୋମବାରେ ଦୁଇ ମାଇଲ ଦୂରର କୁନ୍ଦୁଲି ହାଟକୁ ମଣିଷର ଛୋଟ ଛୋଟ ଧାଡ଼ି ଲମ୍ବେ, ସେଇ ଲଣ୍ଡା ପାହାଡ଼ର ପଛ ପଟରେ ଥିବା ପାଦଚଲା ରାସ୍ତାରେ । ରାସ୍ତା ସେପଟେ ଗାଈ ଗୋଠ ଧରି ଗଉଡ଼ ପିଲେ ସକାଳୁ ସଞ୍ଜଯାଏ ଧାଁ ଦଉଡ଼ କରନ୍ତି । ତଳ ମୁଣ୍ଡକୁ ଦୁଇ ମାଇଲ ଦୂରରେ କେନ୍ଦୁପଦର ଗାଁର ଆମ୍ବଗଛ କେଇଟା ଦେଖାଯାଏ ।

 

ଉପତ୍ୟକାର ଧାରେ ଧାରେ ଉଚ୍ଚା ଉଚ୍ଚା ପର୍ବତ । ଆଦିମ କାଳରୁ ନଈ ଓ ଉପତ୍ୟକାର ପ୍ରୀତି ଓ ସଂଘର୍ଷ ସେମାନେ ଦେଖି ଆସୁଛନ୍ତି । କିଏ ବସି, କିଏ ଲଇଁ, କିଏ ଅବା ଛିଡ଼ାହୋଇ ପ୍ରେମ ଉପରେ ଗବେଷଣା କରୁ କରୁ ଶୋଇପଡ଼ିଛନ୍ତି ଯେପରି ।

 

ଚନ୍ଦ୍ରାବତୀର ଡାହାଣ ଦିଗକୁ ଦୂରର ସେଇ ଦୁଇଟି ବଡ଼ ପାହାଡ଼ ସନ୍ଧିର ବହଳ ଗଛଲତା ଦେହରେ ପଟା ପଟା କୃଷ୍ଣକଳା ଛାଇ । ତା’ଭିତରୁ ଓଟାରି ଆସୁଥିବା ସନ୍ତସନ୍ତିଆ ନାଳଟି ଟିକିଏ ବଙ୍କେଇ ଯାଇଛି । ତା’ପରେ ଭୂଇଁରେ ଗଭୀର ଦାଗ ଦେଇ ଦୌଡ଼ିଆସୁଛି ନଈ ପର୍ଯ୍ୟନ୍ତ । ତା’ ଛଡ଼ା ଚାରିଆଡ଼େ ଖାଲି ବାଲି, ମାଟି, ପଥରର କୁଡ଼ । ଭୂଇଁ ଉପରେ ମାଟିର ଛୋଟ ଛୋଟ ଉର୍ମିମାଳା । କେଉଁଠି ଉଚ୍ଚା, କେଉଁଠି ନୀଚା । କେବଳ ଲଣ୍ଡା ପାହାଡ଼ଠୁ ନଈଯାଏ ଟିକିଏ ସମତଳ ଭୂଇଁ ।

 

ଦଶଦିନ ତଳେ ଖୁବ୍ ଜୋର ଅସରାଏ ବର୍ଷା ହୋଇଥିଲା । ଏତକ ବର୍ଷାରେ ଉପତ୍ୟକାର ମଉଚ୍ଛବ କେତେ ? ଚାରିମାସ ଖରା ଉତ୍ତାପର ଦୌରାତ୍ମ୍ୟ କୁଆଡ଼େ ଲୁଚିଗଲା । ଛୋଟ ଛୋଟ ନାଳରେ ପାଣି ବୋହିଲା । ସମଗ୍ର ଉପତ୍ୟକା ହେଲା ପାଣିରେ ସନ୍ତ ସନ୍ତ । ଦୂର ପାହାଡ଼ ସନ୍ଧିରୁ ଥଣ୍ଡା କୋହଲା ପବନ ସାଇଁ ସାଇଁ ରଡ଼ି କରି ଉପତ୍ୟକାରେ ପିଟିହେଲା । ଜୁନ ପନ୍ଦରର ଏପରି ଏକ କୋହଲା ପାଗରେ ଲଣ୍ଡା ପାହାଡ଼ ପାଖ କୁନ୍ଦୁଲିହାଟ ରାସ୍ତାରେ ତିନୋଟି ଯୁବକ ସାଇକଲ ଛୁଟାଉଥିଲେ । ପାହାଡ଼ ପାଖରେ ସାଇକଲରୁ ଓହ୍ଲାଇ ଚାଲି ଚାଲି ସେମାନେ ପାହାଡ଼ ଉପରକୁ ଚଢ଼ିଲେ । ସେଠାରେ ନକ୍‌ସା ତଳେ ଥୋଇ ଘଣ୍ଟାଏ ଖଣ୍ଡେ ଆଲୋଚନା କଲେ । ଲଟାବୁଦା ଆଡ଼େଇ ବକ୍ର ଗତିରେ ଉପତ୍ୟକା ଭିତରେ ପଦଚାରଣ କରି ପହଂଚିଲେ ଚନ୍ଦ୍ରାବତୀ ନଈ କୂଳରେ । ସେଠି ମଧ୍ୟ ଆଲୋଚନା ଚାଲିଲା । ତା’ପରେ ପାହାଡ଼ ପାଖଦେଇ ବହି ଆସୁଥିବା ନାଳ କଡ଼େ କଡ଼େ ସେମାନେ ପୁଣିଥରେ ଚାଲିବାକୁ ଆରମ୍ଭ କଲେ । ଗଲାବେଳେ ମଝିରେ ମଝିରେ ଫିତା ସାହାଯ୍ୟରେ କ’ଣ ସବୁ ମାପଚୁପ କରୁଥିଲେ । ଚାଲିଥାଏ ଟୁପୁରୁଟାପର କଥାବାର୍ତ୍ତା-

 

ତା’ ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ପହଂଚିଲେ ତିନିଜଣ ଯୁବକ । ପ୍ରତ୍ୟେକର ସାଇକଲ ପଛରେ ଗଇଁତି, କୁରାଢ଼ି ଓ ଫାଉଡ଼ା ବନ୍ଧା ହୋଇଥାଏ । ଘଣ୍ଟାଏ ପରେ ଆସିଗଲେ ଆହୁରି ସତର ଜଣ ଯୁବକ । ସେମାନେ ମଧ୍ୟ କୁରାଢ଼ି, ଫାଉଡ଼ା ଆଦି ଆଣିଥାନ୍ତି । ତା’ଛଡ଼ା ଗୋଟିଏ ଗୋଟିଏ ଗଣ୍ଠିଲି । ଏଇ କୋଡ଼ିଏ ଜଣ ଲୋକଙ୍କ ଭିତରେ ଥାନ୍ତି ଜାନି, ନବଘନ, ଶ୍ରୀକାନ୍ତ, ଦେବ ଓ ରବି । ଅନ୍ୟମାନେ କେନ୍ଦୁପଦରର ଅଧିବାସୀ–ଆଦିବାସୀ ଯୁବକ । ଆଗରୁ ପ୍ରସ୍ତାବିତ ଫାର୍ମର ସୀମା ଚିହ୍ନଟ ହୋଇ ସାରିଥାଏ । ଚନ୍ଦ୍ରାବତୀ ନଈ କୂଳକୁ ଲାଗି ତିନି ଶହ ଫୁଟ ଯାଏ ଲଟାବୁଦା ବିଶେଷ ନାହିଁ । ସେଇ ଆଡ଼ରୁ ଆରମ୍ଭ ହେଲା ଜଙ୍ଗଲ ସଫା କାମ ।

 

କାମ ଆରମ୍ଭ ପୂର୍ବରୁ ସମସ୍ତଙ୍କୁ ପାଞ୍ଚ ଭାଗରେ ବିଭକ୍ତ କରାଗଲା । ପ୍ରତ୍ୟେକ ସଭ୍ୟକୁ ତନିଜଣ ଶ୍ରମିକ ଓ ଗୋଟିଏ ନିର୍ଦ୍ଦିଷ୍ଟ ଅଂଶର ଦାୟିତ୍ଵ ଦିଆଗଲା । ଗଛର ମୂଳ ସମେତ ତାଡ଼ି ସଫା କରିବାକୁ ପଡ଼ିବ । କେତୋଟି ନିର୍ଦ୍ଦିଷ୍ଟ ଖାଲୁଆ ସ୍ଥାନରେ କଟା ହୋଇଥିବା ଲଟାବୁଦା ଜମା କରିବାକୁ ପଡ଼ିବ । ଶକ୍ତ ଗଛଗୁଡ଼ିକୁ ଏକ ସ୍ଵତନ୍ତ୍ର ସ୍ଥାନରେ ଜମା କରାଯିବ ।

 

ଲାଗିଲା କାମ । କାହାର ପାଟିରୁ ପଦେହେଲେ କଥା ନାହିଁ । ଖାଲି ଶୁଭୁଥାଏ ଠପ୍ ଠାପ୍, ମଚ୍ ମାଚ୍, ଢୁ ଢା । ପ୍ରଗତି ଫାର୍ମର ସଭ୍ୟମାନେ ନିଜେ କୁରାଢ଼ି ଧରି କାମରେ ଲାଗିଥାନ୍ତି ।

 

ତିନିଜଣ ଶ୍ରମିକଙ୍କୁ ଧରି ଦେବବ୍ରତ ନିକଟସ୍ଥ ଜଙ୍ଗଲକୁ ଗଲା । ଘଣ୍ଟାଏ ପରେ ଗଛ ଚିହ୍ନଟ କରି ତିନୋଟି ଶକ୍ତ ବହ୍ଲା ଓ ତିନି ଖଣ୍ଡ ବାଉଁଶ ଯୋଗାଡ଼ କଲା । ଫାର୍ମ ନିକଟସ୍ଥ ନାଳ ପାଖରେ ସେଗୁଡ଼ିକୁ ରଖି ଦୁଇଜଣଙ୍କୁ ପୁଣି ବାଉଁଶ ଓ ବହ୍ଲା ଆଣିବାକୁ ପଠେଇଦେଲା । ବ୍ୟାଗରୁ ସେ ଗୋଟିଏ ନକ୍‌ସା, ପେନ୍‌ସିଲ ଓ ଫିତା ବାହାର କଲା । ଅନ୍ୟ ଏକ ଶ୍ରମିକ ସହିତ ଗୁଡ଼ାଏ ମାପଚୁପ କଲା । ଭୂଇଁ ଉପରେ ଓ ନାଳ ଦେହରେ କେତୋଟି ଚିହ୍ନ ଦେଲା । ଉଦ୍ଦେଶ୍ୟ ହେଲା, ଗୋଟିଏ ଛୋଟ ପୋଲ ଶୀଘ୍ର ନିର୍ମାଣ କରାଯିବ । କାରଣ କୁନ୍ଦୁଲି ହାଟ ରାସ୍ତାରୁ ଫାର୍ମକୁ ଆସିବାକୁ ହେଲେ ଏହି ନାଳଟି ପାର ହେବାକୁ ପଡ଼ିବ । ଟିକିଏ ବର୍ଷା ହେଲେ ନାଳରେ ପାଣି ଚାଲିବ । ସେତେବେଳେ ଲଙ୍ଗଳ ଟ୍ରାକ୍ଟର ତ ଦୂରର କଥା, ଲୋକେ ବି ଯା’ ଆସ କରିପାରିବେ ନାହିଁ ।

 

ନାଳର ଓସାର ଦଶଫୁଟ, ଗଭୀର ପାଞ୍ଚ ଫୁଟ । ଉପରକୁ ପନ୍ଦର ଫୁଟ ଛାଡ଼ି ସମତଳ ଭୂମି । ନାଳରେ ସର୍ବାଧିକ କେତେ ପାଣି ଏବଂ କେତେ ଫୁଟ ଉଚ୍ଚାରେ ତାହା ପ୍ରବାହିତ ହେବ ଆଗରୁ ହିସାବ ହୋଇ ସେ ଅନୁସାରେ ନକ୍ସା ପ୍ରସ୍ତୁତ ହୋଇଥାଏ । ନାଳ ଉପରେ ରାସ୍ତାର ଉଚ୍ଚତା ଭୂମିଠାରୁ ଦୁଇ ଫୁଟ ଅଧିକା ରଖିବାକୁ ହେବ । ଉଭୟ ପଟରେ ପଥର ଓ ବାଲି ଦେଇ ଉଚ୍ଚା କରାଯିବ । ସମୁଦାୟ ଛଅଟି ଚାରିଫୁଟ ଗହୀରର ଗାତ ଖୋଳାଗଲା । ବାର ଫୁଟ ଓସାରର ନିର୍ମିତ ହେବାକୁ ଯାଉଥିବା ରାସ୍ତାର ଉଭୟ ପଟେ ତିନୋଟି ଲେଖାଏଁ ଗାତ । ନାଳ ମଝିରେ ଯେଉଁ ଦୁଇଟି ଖୁଣ୍ଟ ପୋତାଯିବ, ତାକୁ ସୁଦୃଢ଼ କରିବାକୁ ପ୍ରତ୍ୟେକଟିରେ ପୁଣି ଦୁଇଟି ଲେଖାଏଁ ଖୁଣ୍ଟି ଟିକିଏ ବଙ୍କେଇ ଡେରିବାକୁ ହେବ ।

 

ଏଣେ ଚନ୍ଦ୍ରାବତୀ ନଈ କୂଳରେ ଗଛ କଟା ଚାଲିଥାଏ । ନବଘନକୁ ଭାରି ଖରାପ ଲାଗିଲା । ଏଣେତେଣେ ଚାହିଁ ସମୟ କଟାଉଥାଏ । ମଝିରେ ମଝିରେ ଶ୍ରୀକାନ୍ତ ଓ ରବି କାମ କରୁଥିବା ଦିଗକୁ ଚାହୁଁଥାଏ । ଦେଖୁଥାଏ ତା’ ଭଳି କିଏ ବିବ୍ରତ ହେଲେଣି ନା ନାହିଁ ।

 

ଏପରି ଦୁଇ ଘଣ୍ଟା କଟିଗଲା ପରେ ‘ଧୂତ୍ତେରେ’ କହି କୁରାଢ଼ିକୁ ଭୂଇଁରେ ଫୋପାଡ଼ି ଦେଇ ବସିପଡ଼ିଲା । ଚାରିଦିଗକୁ ଦୃଷ୍ଟି ପକାଇଲା । ତା’ ଅଧୀନରେ କାମ କରୁଥିବା ତିନିଜଣ ଆଦିବାସୀ ଯୁବକ ଛୋଟ ଛୋଟ ଗଛ କାଟୁଛନ୍ତି ।

 

ହାୟ, ହାୟ, ତା’ର ପ୍ରତିଭା ଲୋକଲୋଚନର ଆଢ଼ୁଆଳରେ ରହିଯିବ ! ଆଚ୍ଛା ଜନ୍ଦା ପିମ୍ପୁଡ଼ି ହାବୁଡ଼ରେ ସେ ଆସି ପଡ଼ିଲା । କେଡ଼େ ସୁସ୍ଥିରେ ସେ ଗାଁରେ ଡ୍ରାମା, ଯାତ୍ରା ପାର୍ଟି କରି ସମୟ କାଟୁଥିଲା । ଛାଡ଼, ସ୍ଵଜାତି ଗୁଣ । ତା’ର ସୃଜନୀ ଶକ୍ତିର ଉନ୍ମେଷ ଦେଖି ଈର୍ଷାରେ ଏମାନେ ଜଳୁଛନ୍ତି । ଦେହରେ ଜୋକ ପରି ଲାଗି ରହି ତାକୁ ଦିନକେତେ ଡାଲି ଦୋକାନରେ ବସେଇ ଦଣ୍ଡି ଧରେଇଲେ । ତଥାପି ତା’ର ପ୍ରତିଭାକୁ କେହି ଦବେଇ ପାରିଲେନି । ଏମିତ ଲାଭ ଉଠେଇଲା ଯେ, ଶେଠ ଗୋବିନ୍ଦରାମ ଓ ଘନ ଭାଇର ବ୍ୟବଧାନ ଗଣି ଦେଲା ପରି କେତୋଟି ମାସରେ ଆସି ପହଂଚିଗଲା । ତା’ର ଏଇ ନୂତନ ଶିରୀକୁ ମଧ୍ୟ ବାପ ଭାଇ ଦେଖିପାରିଲେନି । ଏବେ ହାତରୁ ଦଣ୍ଡି ଛଡ଼ାଇ, ତା’ ବଦଳରେ ଦେଲ କ’ଣ ନା ଫାଉଡ଼ା, ଗଇଁତି ! ଛି, ଛି, ଛି ! ଦଣ୍ଡି ହେଲେ ଟିକେ ଭଲ ଲାଗୁଥିଲା ହାତକୁ, ଏ କୁରାଢ଼ି ଧରା କାମ ଅତି କଦର୍ଯ୍ୟ । ଦେହରୁ ଝାଳ ନ ବୁହାଇ ଛାଡ଼ୁନି !

 

ଗୋଟିଏ ଦୀର୍ଘ ନିଃଶ୍ଵାସ ପକାଇ ବଲ ବଲ କରି ଚାରିଆଡ଼େ ସେ ଚାହିଁଲା । ହଠାତ୍ ଚନ୍ଦ୍ରାବତୀ ନଦୀର ସେପଟେ ଥିବା ପାହାଡ଼ ଉପରେ ସେ ଜିକ୍ ଜିଜ୍ ହୋଇ କ’ଣ ଗୋଟାଏ ଦେଖିଲା । ପାଟିକୁ ଆଁ ମେଲାଇ ସେ ଦିଗକୁ ଚାହିଁ ରହିଲା ।

 

ସିନେମାର ରୁପେଲି ପର୍ଦ୍ଦା ଉପରେ ଭାସି ଯାଉଥିବା ଚଳନ୍ତା ଚିତ୍ର ପରି ନବଘନ ଦେଖୁଥିଲା–ଗୋଟିଏ ମନୋରମ ଉଦ୍ୟାନ । ସେଠି ହରେକ ଫୁଲ, ହରେକ ଫଳ । ନବଘନ ଉଦ୍ୟାନ ଭିତରେ ଚାଲୁଛି । ପୁଲକିତ ହୋଇ କେତେ ଯେ ଫୁଲ ସେ ଛିଣ୍ଡାଇ ସାରିଲାଣି । ତା’ପରେ ପଡ଼ୁଛି ଗୋଟିଏ ପୁଷ୍କରିଣୀ । ସେଠି ନାନା ରଙ୍ଗର ଓ ନାନା ପ୍ରକାରର ପକ୍ଷୀ । ସମସ୍ତେ ଏକ ଲୟରେ ଗୀତ ଗାଇ ନବକୁ ସ୍ଵାଗତ କରୁଛନ୍ତି । ପୁଷ୍କରିଣୀର ସେପଟେ ଗୋଟିଏ ବିସ୍ତୃତ ଫଳ ବଗିଚା । କେତେ ଆମ୍ବ, କେତେ କଦଳୀ, କେତେ ଲେମ୍ବୁ, ପୁଣି ବାଇଗଣ ଓ ଭେଣ୍ଡି । ଫଳ ବଗିଚାକୁ ଲାଗି ଦିଗନ୍ତବ୍ୟାପୀ ଧାନ କ୍ଷେତ । ଚାରିଆଡ଼େ ଖାଲି ପାଚିଲା ଧାନର ସ୍ଵର୍ଣ୍ଣିଳ ଲହଡ଼ି । ସବା ଶେଷରେ ଗୋଟିଏ ବିଶାଳ ହର୍ମ୍ୟ ।

 

ହେଇ ତ ଗୋବିନ୍ଦରାମଜୀ ! ହାତ ଦୁଇଟିକୁ ପେଟ ଉପରେ ଥାପି କୁଆଡ଼େ ଯାଉଛନ୍ତି ସେ ? “ହେ ଗୋବିନ୍ଦରାମଜୀ ।” ......“ହୋ ଗୋବିନ୍ଦରାମ !!” .........“ଗୋବିନ୍ଦା ରେ !!!” .....ତୃତୀୟ ଡାକରେ ଶେଠଜୀ ପଛକୁ ଚାହିଁଲେ । ଆଖିରେ ତାଙ୍କର ଧାର ଧାର ଲୁହ, ହାତ ଦୁଇଟି ବନ୍ଧା । ଦଉଡ଼ିର ଅନ୍ୟପଟ ସେଇ ଅଟ୍ଟାଳିକା ଭିତରକୁ ଚାଲିଯାଇଛି । ତା’ ଭିତରୁ କେହି ଗୋବିନ୍ଦରାମଙ୍କୁ ଟାଣି ଟାଣି ନେଉଛି ।

 

ଶେଠଜୀଙ୍କ ଦୁଃଖରେ ଦୁଃଖିତ ହୋଇ ନବଘନ ଦଉଡ଼ି ଫିଟେଇବାକୁ ଯାଉଛି, ଏ ସମୟରେ କୋଠା ଦେହରୁ ଗମ୍ଭୀର ଏକ ସ୍ଵର ଭାସି ଆସୁଛି–“ସାବଧାନ, ମୁଁ କୁବେରଙ୍କ ଚପରାଶି କହୁଛି, ତାକୁ ମୁକ୍ତି ଦିଅନି ।”

 

“କୁବେର !” ସାହସ ସଞ୍ଚୟ କରି ନବ କହୁଛି, “ଆଚ୍ଛା ଚପରାଶି ଭାଇ, ଶେଠଜୀ କି ଦୋଷ କରିଛନ୍ତି ?”

 

–“ସେ ଧାନ, ଗହମ, କପା ଆଦି କୁବେରଙ୍କ ଘରୁ ଚୋରେଇ ନେଇ ସଂସାରରେ ଗୋଡ଼ି ମିଶେଇ ଭେଜାଲ ଜିନିଷ ବିକୁଥିଲା ।”

 

–“ସଂସାରରେ ? ଏ କ’ଣ ଆଉ ସ୍ଵର୍ଗ ?”

 

–“ହଁ, ହଁ ।”

 

–“ଆରେ ବାପ୍‍ରେ !” ନବଘନର ଆଖି ବୁଜି ହୋଇଗଲା ।

 

–“ବାବୁ ନିଆଁ ପେଡ଼ି ଅଛି ?”

 

–“କିଏ ବେ ?” ନବ ଚେଇଁକି ଉଠିଲା । ଆଗରେ ଜଣେ ଶ୍ରମିକ ଛିଡ଼ା ହୋଇ ତାକୁ ବଲବଲ କରି ଚାହୁଁଥିଲା । ସେତେବେଳକୁ ଅନ୍ୟ ଦୁଇଜଣ ଶ୍ରମିକ ଟିକିଏ ଦୂରରେ ବେଶ୍ ଆରାମ କରୁଥିଲେ ।

 

–ଯାଃ ଶଳା । କୁବେରକୁ ଭଲା ଟିକେ ଦେଖିଥାନ୍ତି । ରାସ୍‌କେଲଟା ସବୁ ମର୍ଡ଼ର କଲା । ନବଘନ ମନେମନେ ବିରକ୍ତ ହେଲା ।

 

–“ବାବୁ ନିଆଁ ପେଡ଼ି ଅଛି ? ଧୁଙ୍ଗିଆ ଲଗେଇଥାନ୍ତି ।”

 

–“କିବେ ମୁଁ କ’ଣ ବିଡ଼ି ଖାଇ ମୁହଁ ଗନ୍ଧଉଛି ? ଯାଅ ଯାଅ, କାମ କର । ମୋ ପାଖରେ ନିଆଁ ପେଡ଼ି ନାହିଁ ।”

 

ଶ୍ରମିକ ଚାଲିଗଲା । ପୁଣିଥରେ ନବ ସେଇ ପାହାଡ଼ ଶିଖରକୁ ଚାହିଁଲା । କୁଆଡ଼େ ଗଲେ କୁବେର ? ବାରେ ଦେଖା ଦିଅ ପ୍ରଭୁ ! ମୁଁ ପାପୀ । ହସି ହସି ମୋତେ ପଛେ ଶ୍ରୀମୁଖ ନ ଦେଖାଅ । ଅଭିଶାପ ଦେଲା ପରି ବିକୃତ ମୁହଁରେ ମୋତେ ଗାଳି ଦିଅ !”

 

–“ବାବୁ !”

 

–“ଧେତ୍ତେରି ! ପୁଣି ୟେ ଗୋଟିଏ ଜୋକ ଦେହରେ ଲାଗିଲାଣି……. କ’ଣ ବେ ।” ଏଥର ଜଣେ ନୁହଁ; ତିନିଜଣଯାକ ଶ୍ରମିକ ନବ ଆଗରେ ଉଭା ହେଲେ ।

 

–“ହଜୁର୍ !”

 

ନବଘନର ମନରେ ପୁଲକ ଖେଳିଗଲା । ବାପ ଭାଇ ସିନା ଚିହ୍ନିଲେନି, ଏବେ ଡେରିରେ ହେଲେ ଜନତା ତା’ର ପ୍ରତିଭାକୁ ଜାଣିଲାଣି । ତେଣୁ ଏହି ଆଜ୍ଞା, ହଜୁର୍ । ଜନତାମାନେ ତ ଏମିତି ଶ୍ରମିକ, କୃଷକ ଆଉ....

 

ଶ୍ରମିକଙ୍କ ପ୍ରତି ତା’ର ମନ ନରମ ହୋଇଆସିଲା । ଭୁଲିଗଲା ସେମାନଙ୍କର କାମ । ଆଉ ନିଜ କର୍ତ୍ତବ୍ୟ ତ ଦୁଇ ଘଣ୍ଟା ପୂର୍ବରୁ ଭୁଲି ଯାଇଥିଲା । ନବ ଗମ୍ଭୀର ଭାବରେ କହିଲା–“କ’ଣ-?”

 

–“ଲଟାବୁଦା ସଫା କରୁଛୁ ଯେ, ଏଠି କିସ କରିବ ବାବୁ ?”

 

ଏ ଏକ ଜଟିଳ ପ୍ରଶ୍ନ । ଅବଶ୍ୟ ଚେଷ୍ଟା କଲେ ବୁଝେଇପାରିବ । କିନ୍ତୁ ସମୟ ଦରକାର-

 

“ତମେ ବାବୁମାନେ ସେଠି ଟିକେ ବସିପଡ଼ । ମୁଁ ବୁଝେଇଦଉଛି । ହଁ ବସିଲ ? ଟିକିଏ ପାଖକୁ ଲାଗିଆସ ! ହେଲା ହେଲା, ପାଖକୁ ମାନେ ଆଉ ମୋ ମୁଣ୍ଡ ଉପରେ ଚଢ଼ିବ କି ? ହଁ ଶୁଣ, ଏଠି ଗୋଟାଏ ଫାର୍ମ ହେବ । ଫାର୍ମ, ବୁଝିଲ, ଫାର୍ମ । ବୁଝିଲନି ? ମାନେ ଫାରମ୍……..ଓଃ ତୁମେ ତ ସବୁ ଅବୁଝା ମଣିଷ, ତୁମକୁ ଅଉ କେମିତି ପଢ଼େଇ ହବ ? ତେବେ ମନେରଖ ଫାରମ୍ ।

 

ସମସ୍ତେ ବଲବଲ କରି ଚାହିଁଲେ, ନବଘନ ମଧ୍ୟ ନ ବୁଝେଇ ପାରି ଅସହାୟ ଆଖିରେ ଚାରିଆଡ଼େ ଦେଖିଲା । ପୁଣିଥରେ ଆଖିରେ ପଡ଼ିଗଲା ସେଇ ପାହାଡ଼ର ଶିଖର । ନବ ଏଥର ନୂଆରେ ଆରମ୍ଭ କଲା,–“ବୁଝି ପାରିଲନି ପରା ! ହଉ ବୁଝେଇଦଉଛି । ହେଇ ଦେଖ, ସେଇ ପାହାଡ଼, ତା’ ଉପରେ ଅଛି ସରଗ । ସେଠି ଅଛନ୍ତି କୁବେର । କୁବେର ମହାପ୍ରଭୁ, ଯିଏ ଟଙ୍କା, ସୁନା, ଧନ, ଦରବ ଦିଅନ୍ତି । ଆମେ ସେଇ ପାହାଡ଼ ଶିଖରରୁ ଏ ସ୍ଥାନଯାଏଁ ଗୋଟିଏ ସେତୁ ମାନେ ବ୍ରିଜ୍, ମାନେ ବନ୍ଧ କରିବୁ । ପାହାଡ଼ ଉପରୁ କୁବେର ଏଠାକୁ ଧାନ, ମାଣ୍ଡିଆ, ଆମ୍ବ, କଦଳୀ, ଟଙ୍କା, ସୁନା ସବୁ ଗଡ଼େଇବେ । ବ୍ରିଜରେ ସୁଟ୍ ସାଟ୍ ଖସି ସେଗୁଡ଼ିକ ଏଠି ପଡ଼ିବ । ଲଟାବୁଦା ଥିଲେ, ସେ ସବୁ ଦେଖାଯିବ ନାହିଁ । ତେଣୁ...... ।”

 

–“ନବ !” ଗୋଟିଏ ଲଟା ଆଢ଼ୁଆଳରୁ ଦେବର କର୍କଶ ଚିପା ସ୍ଵର ଶୁଭିଲା । ନବଘନକୁ ଜଣାଗଲା ଯେପରି ଗୋଟିଏ ମହାବଳ ବାଘ ତା’ଆଡ଼କୁ ଚାହିଁ ହେଣ୍ଟାଳ ଛାଡ଼ୁଛି ।

 

–“ଏପଟେ ଆ । ଆଉ ତୁମେମାନେ ଯାଅ ଖାଇବ । ବେଳ ହେଲାଣି ।”

 

ଶ୍ରମିକମାନେ ଖାଇବାକୁ ଚାଲିଗଲେ । ନବ ଡରିମରି ଦେବ ପାଖରେ ପହଞ୍ଚିଲା । ଦେବ ମନେମନେ ରାଗରେ ଫାଟି ପଡ଼ୁଥାଏ । ତଥାପି ସେ କିଛି କହିଲା ନାହିଁ । ଦୁହେଁ ଖାଇବାକୁ ଗୋଟିଏ ସ୍ଥାନକୁ ଗଲେ । ସେଠାରେ ଆଗରୁ ଶ୍ରୀକାନ୍ତ, ରବି ଓ ଜାନି ଅପେକ୍ଷା କରିଥିଲେ । ତିନୋଟି ଟିଫିନ୍ କ୍ୟାରିଅର୍ ଖୋଲି ସମସ୍ତେ ଖାଇବାକୁ ବସିଲେ । ଗୋଟାଏରୁ ଦୁଇଟା ପର୍ଯ୍ୟନ୍ତ ବିଶ୍ରାମ । ଏ ସମୟରେ ଦେବ ନବଘନର କାମ ଦେଖିବାକୁ ଗଲା । ସେତକ ଦେଖିସାରିଲା ପରେ ନବଘନ ସହ ଅନ୍ୟମାନଙ୍କ କାମ ଦେଖିବାକୁ ଗଲା । ଜଣାଗଲା ଯେ, ଅନ୍ୟମାନେ ଯେତେ କାମ କରିଛନ୍ତି ତା’ର ଅଧେ ବି ନବ କରିପାରି ନାହିଁ । ଦେବ ନବକୁ କହିଲା–“ଦେଖ୍ ନବ ! ଅନ୍ୟମାନେ ତୋ କାମରେ ଅସନ୍ତୁଷ୍ଟ । ସେ ଯାହାହେଉ, ତୁ ଜାଣି ରଖିବା ଉଚିତ୍ ଯେ ତୋର ଉତ୍ତମ ଭବିଷ୍ୟତ ପାଇଁ କେବଳ ମୁଁ ତୋତେ ଏ ଭିତରେ ପୂରେଇଛି । ଆମେ ଏଠି ଯାହା କରୁଛେ ଓ କରିବାକୁ ଯାଉଛେ, ସେ ସବୁ ପିଲାଖେଳ ନୁହେଁ । କାଠ ହାଣିବା, କୋଡ଼ି ଧରିବାଠୁ ଆରମ୍ଭ କରି ହିସାବ ରଖିବା, ଟ୍ରାକ୍ଟର ଚଳାଇବା ପର୍ଯ୍ୟନ୍ତ ସବୁଗୁଡ଼ାକ ନିଜେ ହିଁ କରିବାକୁ ପଡ଼ିବ । ନହେଲେ ଆମର କ୍ଷତି ହେବ ।

 

ଶ୍ରମିକମାନଙ୍କ ସହିତ ଗପ କରି ସମୟ କଟାଇବା ନିହାତି ବୋକାମି । ସେମାନେ ପ୍ରତ୍ୟେକେ ଦିନକୁ ତିନି ଟଙ୍କା କରି ପାରିଶ୍ରମିକ ନେବେ । କାମ ହୁଏ ବା ନ ହୁଏ, ତୋ ଅଧୀନରେ ଯେଉଁ ତିନିଜଣ ଲୋକ କାମ କରୁଛନ୍ତି, ସେମାନେ ସନ୍ଧ୍ୟାବେଳକୁ ନ’ ଟଙ୍କା ନେବେ । ମାସକୁ ହେଲା ପ୍ରାୟ ତିନି ଶହ । ତୁ ଡାଲି ଦୋକାନ କରି ମାସରେ ଲାଭ ପାଉଥିଲୁ ଦେଢ଼ଶ ଟଙ୍କା । ତେବେ ସେଇ ଶ୍ରମର ମୂଲ୍ୟ ବାଏଁ ବାଏଁ ଉଡ଼ି ଯିବାକୁ ତୁ ଦେବୁ ନାହିଁ ବୋଲି ମୋର ବିଶ୍ଵାସ ।”

 

ଏତକ ଏକ ନିଃଶ୍ଵାସରେ କହିଦେଇ ଦେବ ଚାଲିଗଲା । ନବଘନ ଘଡ଼ିଏ ସେଠାରେ ଛିଡ଼ାହେଲା–ସତେ ତ, ଦିନସାରା ଦୋକାନରେ ବସି ପ୍ରଚୁର ପରିଶ୍ରମ କରି ସେ ଦିନକୁ ମାତ୍ର ପାଞ୍ଚ ଟଙ୍କା ପାଉଥିଲା । ଏବେ ଟିକିଏ ଫୂର୍ତ୍ତି ମାରିଲେ ତା’ର ଦୁଇଗୁଣ ପଇସା ପାଣିରେ ପଡ଼ିବ । ନବ ମନରେ ଅନୁତାପ କରିବାକୁ ଲାଗିଲା । ଆଉ ସେ ପାହାଡ଼ ଉପରକୁ ଦେଖିଲା ନାହିଁ । କୁରାଢ଼ି ଧରି ଏକ ପ୍ରକାର ଦୌଡ଼ି ଦୌଡ଼ି ସେ ଲୁଚିଗଲା ଗହନ ଲତା ଭିତରେ ।

 

ଦଶ ଦିନ ଭିତରେ କଚ୍ଚା କାଠ ପୋଲ ତୟାର ହୋଇଗଲା । ଛଅଟି ଶକ୍ତ ବହ୍ଲା ଉପରେ ଦୁଇଟି ବହ୍ଲା ନାଳର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଯୋଡ଼ି ହୋଇଛି । ତା’ଉପରେ ବାଉଁଶଗୁଡ଼ିକ ଲଗାଲଗି ହୋଇ ଉକ୍ତ ଦୁଇଟି ବହ୍ଲାକୁ ଯୋଖାଯାଇଛି । ଯୋଡ଼ା ଯୋଡ଼ିରେ କେତେ କାରିଗରି । ଉଭୟ ପଟୁ ଦଶ ଫୁଟ ଯାଏଁ ଛୋଟ ବଡ଼ ପଥର ଉପରେ ବାଲି ଦେଇ ଦୁଇ ଫୁଟ ଉଚ୍ଚା କରି ପୋଲ ଉଚ୍ଚତା ସହିତ ସମାନ କରି ଦିଆଯାଇଛି । ଘର ତିଆରି ପାଇଁ ମଧ୍ୟ ମାପଚୁପ ଚାଲିଛି-

 

ଫାର୍ମ ଅଞ୍ଚଳର ଲଟାବୁଦା ସଫା ହୋଇଯାଇଛି । ବଡ଼ ଗଛର ମୂଳ ଓ ଶୁଖିଲା ଡାଳପତ୍ରକୁ ପୋଡ଼ି ଦିଆଯାଇଛି । ତା’ପରେ ଚାଷକାମ ଅରମ୍ଭ ହେଲା । ପନ୍ଦର ଦିନ ଧରି ଜମିରେ ଲଙ୍ଗଳ ଚାଲିଲା । ପ୍ରତିଦିନ ପାଞ୍ଚୋଟି ଲଙ୍ଗଳ ବୁଲେ । ହୁଡ଼ା ନଥିବାରୁ ପାଞ୍ଚ ଏକରରେ ଧାନ ଓ ପଚିଶ ଏକରରେ ମାଣ୍ଡିଆ ବୁଣାଗଲା । ଅନ୍ୟ ଜମି ପଡ଼ିଆ ପଡ଼ିଲା ।

 

କେଉଁ ଦିନରୁ ଆଦିମ ମାଟି ପ୍ରାକୃତିକ ଖତ ଓ ସାରରେ ଭରି ରହିଥିଲା । ଧୂସ୍ ଧାସ୍ ଧାନ ଆଉ ମାଣ୍ଡିଆ ଗଛ ବଢ଼ିବାରେ ଲାଗିଲା । ଅଗଷ୍ଟ ପନ୍ଦର ବେଳକୁ ସବୁ ଗଛର ଉଚ୍ଚତା ଚାଖଣ୍ଡେରୁ ଫୁଟେ ଯାଏଁ ହୋଇଗଲା ।

 

ଧାନ ରୁଆ ପରେ ଦେବ ସହିତ ଅନ୍ୟ ସମସ୍ତେ ଲାଗିଗଲେ ଘର କାମରେ । ତିନିଜଣ ଜଙ୍ଗଲକୁ ଯାଇ ବାଉଁଶ, ବହ୍ଲା ସଂଗ୍ରହ କରନ୍ତି । ଅନ୍ୟମାନେ ଘର ନିର୍ମାଣ କାମରେ ଲାଗିଥାନ୍ତି । ଏହି ଘର ଚନ୍ଦ୍ରାବତୀ ନଈ କୂଳରୁ ଦୁଇଶହ ଗଜ ଦୂରରେ, ଫାର୍ମର ପ୍ରାୟ ମଧ୍ୟସ୍ଥିତ ଏକ ଉଚ୍ଚ ଜମିରେ ଅବସ୍ଥିତ । ନଈରେ ବନ୍ୟା ହେଲେ ଘରର ଯେପରି କ୍ଷତି ନ ହୁଏ । ଯୋଜନା ଅନୁଯାୟୀ ଏହା ଶେଷରେ ପରିଣତ ହେବ ୱାର୍କସପ୍ ସଂଲଗ୍ନ ବିଜୟର ରହିବା ଘରରେ ।

 

ଗୃହ ନିର୍ମାଣ ପାଇଁ ଆଗରୁ ସାମାନ୍ୟ କିଛି ଇଟା ଓ ସିମେଣ୍ଟ ସଂଗ୍ରହ ହୋଇଥିଲା । କେତେକ ଛ’ରୁ ନ ଇଞ୍ଚ ଗୋଲେଇର ଲମ୍ବା ଶକ୍ତ ବହ୍ଲାଦେହରେ ଉଇ ପ୍ରତିଷେଧକ ରାସାୟନିକ ପଦାର୍ଥ ଦେଇ ତା’ଉପରେ ଆଲକାତରା ପାଲିସ୍ କରାଗଲା । ଯେଉଁ ଗାତଗୁଡ଼ିକରେ ଏହି ବହ୍ଳାମାନ ଯୋଡ଼ାଗଲା ତା’ର ତଳଦେଶର ଗୋଡ଼ି ସିମେଣ୍ଟ ଓ ବାଲିର ସାମାନ୍ୟ କଂକ୍ରିଟ୍ ଦିଆଗଲା-। ଝାଟି ମାଟିରେ କାନ୍ଥ ତଳେ ଛ’ ଇଞ୍ଚ ଓସାର ଓ ଫୁଟେ ଗଭୀରର ଗାତ କରି ସେଥିରେ ଆଗରୁ ମାପିଥିବା ବାଉଁଶମାନ ପୋତାଗଲା । ବାଉଁଶ ତାଟିର ଉଭୟ ପଟୁ ଦୁଇ ଇଞ୍ଚ ବହଳର ମାଟି ଛାଟି କାନ୍ଥ ତିଆରି ହେଲା । ଝରକା କବାଟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା । ସମଗ୍ର ଚଟାଣଟି ପଥର, ମାଟି, ବାଲିରେ ପୂର୍ଣ୍ଣ କରି ତା’ଉପରେ ସିମେଣ୍ଟ ପ୍ଲାଷ୍ଟର ହେଲା । ଛାତରେ ମଧ୍ୟ ବଡ଼ ବଡ଼ ବହ୍ଲା ଓ ବାଉଁଶ ବ୍ୟବହାର କରି ତା’ଉପରେ ଛଣ ଛପର କରାଗଲା ।

 

ବ୍ରଜର ଗୋଟିଏ ପରିତ୍ୟକ୍ତ ବଡ଼ ବଖରାରେ ସମସ୍ତେ ରହନ୍ତି । ତା’ପାଖ ବଖରାରେ ଷ୍ଟୋର । ସେଠାରେ ଗଇଁତି, କୁରାଢ଼ି, ସାଇକଲ୍, ସିମେଣ୍ଟ ଆଦି କେତେକ ଜିନିଷ ରହେ । ପଛପଟ ବାରଣ୍ଡାକୁ ଲାଗିଥିବା ଗୋଟିଏ ଛୋଟ ବଖରାରେ ସଭ୍ୟମାନେ ରୋଷେଇ କରନ୍ତି । ଭାତ, ଡାଲି ଏବଂ ଗୋଟିଏ ତରକାରୀ ହେଲେ କାମ ଶେଷ । ସକାଳ ଚାରିଟାରେ ଚୁଲି ଲଗେଇଲେ ପାଞ୍ଚଟାବେଳକୁ ଚାରିଜଣଙ୍କ ପାଇଁ ରନ୍ଧା ସରିଲା ।

 

ବର୍ଷା ଯୋଗୁଁ ଘର କାମ ଟିକିଏ ପଛେଇଗଲା । ସେପ୍ଟେମ୍ବର ଶେଷ ବେଳକୁ କେବଳ ଛଣ ଛପର ରହିଥିଲା । ଏପରି ଏକ ସମୟରେ ଦିନେ ଗାଁ ଲୋକେ କହିଲେ ଯେ, ଦୁଇ ମାଇଲ ଦୂରରେ ବିଲବାଡ଼ିକୁ ସେମିତି ଛାଡ଼ି ଦେବା ଉଚିତ୍ ନୁହେଁ । ଆଉ ମାସେ ପରେ ବିଲରେ ଫସଲ ହେବ । ସେତେବେଳେ ସେଠାରେ କେହି ଦିନ ରାତି ନ ରହିଲେ ନିକଟସ୍ଥ ବଣ ପାହାଡ଼ରୁ ହରିଣ, କିଆଦ, ବଣ ମଇଁଷି ଆଦି ଆସି ଫସଲ ଖାଇଯିବେ । ଚୋର ଉପଦ୍ରବର ଆଶଙ୍କା ମଧ୍ୟ ରହିଛି ।

 

ଯୋଜନାରେ ବଣ୍ୟ ପଶୁ ଓ ଚୋର ନିୟନ୍ତ୍ରଣ ପାଇଁ କିଛି ଉପାୟ ରଖାଯାଇନଥିଲା । ଏବେ ଜଣାଗଲା ଯେ ଏହା ମଧ୍ୟ ଆବଶ୍ୟକ । ଫାର୍ମର ବିଭିନ୍ନ ଅଂଶରେ ଯେଉଁ ତିନୋଟି ଗୃହ ନିର୍ମାଣ କରାଯିବ ସେଥିରୁ ପ୍ରତ୍ୟେକଟିରେ ଜଣେ ସଭ୍ୟଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଚାଳନାରେ ସିଦ୍ଧ ହେବାକୁ ପଡ଼ିବ ।

 

ବିଭିନ୍ନ ସ୍ଥାନ ପାଇଁ ବିଜୟ, ରବି ଏବଂ ନବଘନ ଏପରି ଶିକ୍ଷା ପାଇବେ । ଆଗରୁ ବିଜୟ କଲେଜ ଏନ୍. ସି. ସି. ରେ ଭଲ ନାମ କରିଥିଲା । ତାକୁ ବନ୍ଧୁକ ମାରିବା କାଇଦା ଜଣା ଅଛି-। ରବି ମଧ୍ୟ ସାମାନ୍ୟ ଜାଣେ । ଦେବ କଲେଜ ଜୀବନରେ ଏନ୍. ସି. ସି. କ୍ଳାସକୁ ଯାଉନଥିଲା । ବର୍ତ୍ତମାନ ଏନ୍. ସି. ସି. ତାଲିମର ଉପଯୋଗିତା ସେ ହୃଦୟଙ୍ଗମ କରୁଛି । ଅନ୍ୟମାନଙ୍କ ଭିତରୁ ଜାନି ଧନୁଶର ବିଦ୍ୟାରେ ସିଦ୍ଧହସ୍ତ । ତା’ଠାରୁ ଅନ୍ୟମାନେ ଏହା ଶିଖିପାରିବେ ।

 

ତା’ ପୂର୍ବରୁ ପ୍ରଥମେ ଫାର୍ମ ଭିତରେ ହିଁ ସଭ୍ୟମାନଙ୍କୁ ରହିବାକୁ ପଡ଼ିବ । ଯେକୌଣସିମତେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଫାର୍ମ ଗୃହ ନିର୍ମାଣ କରି ସେଠାରେ ଅନ୍ତତଃ ତିନି ଜଣ ରହିବେ ।

 

ନଭେମ୍ବର ମାସରେ ଫସଲ ଅମଳ ହେବ । ଏଇ ଅମଳରେ ଅବଶ୍ୟ ବିଶେଷ ଲାଭ ହେବାର ଆଶା ନାହିଁ । କାରଣ ଜମି ମରାମତି ହୋଇନାହିଁ । ଅନ୍ୟାନ୍ୟ ଜରୁରୀ କାମ ଭିତରେ ସାମାନ୍ୟ ପରିଶ୍ରମ କରି ଧାନ ଓ ମାଣ୍ଡିଆ ବୁଣାଯାଇଛି । ତଥାପି କିଛିଟା ଲାଭ ନିଶ୍ଚୟ ହେବ । ଏହା ଭିତରେ ଦୁଇଥର ଘାସ ବଛାଯାଇଛି । ରୋଗ ପ୍ରତିଷେଧକ ଔଷଧ ପକାଯାଇଛି ।

 

ନଭେମ୍ୱର ଭିତରେ ବିଜୟ ଟ୍ରାକ୍ଟର ସହିତ ଚାଲି ଆସିବାକୁ କୁହାଗଲା । ଏପ୍ରିଲ ସୁଦ୍ଧା ସମଗ୍ର ଜମିକୁ ବିଭିନ୍ନ ଉଚ୍ଚତାରେ ମାଟି କାଟି ସଜାଡ଼ିବାକୁ ପଡ଼ିବ । ତା’ ପୂର୍ବରୁ ନଦୀ ତଟର କୋଡ଼ିଏ ଏକର ଜମିକୁ ଠିକଣା କରିଦେଲେ ଏପ୍ରିଲ ଭିତରେ ଏଠାରୁ ଆଉ ଏକ ଶସ୍ୟ ଉତ୍ପାଦନ କରାଯାଇପାରିବ । ତା’ପରେ ଛୋଟ ପାହାଡ଼ ତଳୁ ମାଟି କାମ ଆରମ୍ଭ କରାଯିବ । ଏଣେ ମାଟି କାମ ଚାଲୁଥିବ, ତେଣେ ରହିବାପାଇଁ ଘର ଓ ଗୋଶାଳା ନିର୍ମିତ ହେବ ।

ବ୍ୟାଙ୍କରୁ ଶସ୍ୟ ଋଣ ଅଣାଯାଇ ଏହି ମାଣ୍ଡିଆ ଓ ଧାନ ଚାଷ କରାଯାଇଛି । ସମବାୟ ବ୍ୟାଙ୍କରୁ ଅସଲ ଫାର୍ମ ସମ୍ବନ୍ଧୀୟ ଋଣ ଏ ଯାଏଁ ଆସିନାହଁ । ଏହି ଟଙ୍କା ମିଳିଲା ପରେ ବିଜୟ ଟ୍ରାକ୍ଟର ଓ ପମ୍ପ୍ କିଣି ଆଣିବ । ଗାଈ ଓ କୁକୁଡ଼ା ପାଇଁ ବରାଦ ଦିଆ ସରିଲାଣି । ଟଙ୍କା ମିଳିଲେ ଜୟନ୍ତୀନଗରରୁ ପଶୁପକ୍ଷୀ ଆଣିବା ସ୍ଥିର ହୋଇଛି ।

 

ଧାନ, ମାଣ୍ଡିଆ ଅମଳ ପରେ ଉତ୍ପାଦିତ ଶସ୍ୟର ପରିମାଣ ଯଦି ଆଶାନୁରୂପ ହୁଏ, ତେବେ ଡିସେମ୍ବର ପୂର୍ବରୁ ଋଣ ଶୁଝି ଆଳୁ ଓ ପନିପରିବା ଚାଷ ପାଇଁ ପୁଣିଥରେ ବ୍ୟାଙ୍କରୁ ଶସ୍ୟ ଋଣ ଆଣିହେବ ।

 

ପ୍ରକୃତରେ ଆରବର୍ଷ ଜୁନ୍‍ଆଡ଼କୁ ଫାର୍ମର ରୀତିମତ କାମ ଆରମ୍ଭ ହେବ । ସେତେବେଳକୁ ନରେଶ ଓ ଆରତି ମଧ୍ୟ ଆସିପାରିବେ ।

 

ଏଗାର

 

ଲଙ୍ଗଳା ଓ ଅଧା ଲଙ୍ଗଳା ପିଲାମାନେ ହୋ ହା ରଡ଼ି ପକାଇ ଟ୍ରାକ୍ଟର ଆସିବା ଦିଗକୁ ଦୌଡ଼ିଲେ । ଧୁସ୍ ଧାସ୍ ଧୂଆଁ ଛାଡ଼ି ଗୋଟିଏ ନାଲିଆ ଗାଡ଼ି ସେମାନଙ୍କ ଆଡ଼କୁ ମୁହଁ କରି ଆସୁଥିଲା । ବୁଢ଼ା ହଡ଼ା, ସ୍ତ୍ରୀ ପୁରୁଷ ସମସ୍ତେ ଦାଣ୍ଡ ଦୁଆରେ ଠୁଳ ହୋଇ ଅପଲକ ନେତ୍ରରେ ନାଲିଆ ଗାଡ଼ିର ମଣିଷେ ଉଚ୍ଚା ଦାନ୍ତୁରା ଚକ ଓ ସେଥିରୁ ବାହାରୁଥିବା କଳା ଧୂଆଁ ଆଡ଼କୁ ଦେଖୁଥିଲେ ।

 

ନିର୍ବାଚନ ବେଳେ ନା, ନେତାଏ କେତେ କ’ଣ ନାଲି ନେଳି ଜିନିଷରେ ଭେଳିକି ଦେଖାଇବେ । ଏହି ଯନ୍ତ୍ରଟି ଦେଖି କେଉଁ ଚିହ୍ନରେ ଭୋଟ ଦେବାକୁ ହେବ କେଜାଣି ? କିଛି ଶୁଣିବା ପାଇଁ ଯନ୍ତ୍ରାରୂଢ଼ ମଣିଷ ଦୁହିଁକୁ ମଧ୍ୟ ସମସ୍ତେ ଆଶାୟୀ ହୋଇ ଚାହିଁ ରହିଲେ ।

 

ସେମାନେ କିଛି ତ କହୁନାହାନ୍ତି ବରଂ ଲୋକଙ୍କୁ ଦେଖି ମୁରିକି ହସୁଛନ୍ତି । ଜଣେ ବୋଧହୁଏ ସ୍ତ୍ରୀ । ଧଳା ଲୁଗାଟିଏ ମୁଣ୍ଡରୁ ଗୋଡ଼ଯାଏ ଗୁଡ଼େଇ ଜାକିଜୁକି ହୋଇ ବସିଛି । ସମଗ୍ର ଦେହ ଭିତରୁ ଦେଖାଯାଉଛି କେବଳ ଆଖି, ନାକ, ଗାଲ, କପାଳରୁ ଫାଳେ ଓ କେତୋଟି ଦାନ୍ତ । ତା’ପାଖରେ ବସିଛି ଗୋଲାକାର ଲୁହା ଦଣ୍ଡକୁ ଧରି ଜଣେ ମର୍କଟାକାର ପୁରୁଷ । ହୋଲି ଖେଳରେ ମୁହଁସାରା ଆଲକାତରା ବୋଳିଦେଲା ପରି ଘଞ୍ଚ ନିଶ, ଦାଢ଼ି ଓ କଲି । ଲୋମଶ ହାତଗୋଡ଼ । ମୁଣ୍ଡ ଉପରେ ଖାଲି କନାର ଗୋଟିଏ ମଙ୍କି କ୍ୟାପ୍ । ମୁହଁ ସାମନାକୁ କ୍ୟାପର ଚାରି ଆଙ୍ଗୁଳ ଓସାରର ଗୋଟିଏ ଅଂଶ ବାହାରି ଆସିଛି । ପିନ୍ଧିଛି ଖାକି କନାର ହାୱାଇନ ଓ ସେଇ ରଙ୍ଗର ହାପ୍ ପ୍ୟାଣ୍ଟ୍ ।

 

ଏ ଦୁହେଁ ହେଲେ ବିଜୟ ଓ ବିଜୟ ବୋଉ ।

 

ଗାଡ଼ିର ବେଗ କମାଇ ବ୍ରଜ ଘରର ଅବସ୍ଥିତି ଗାଁ ବାଲାଙ୍କଠୁ ବୁଝି ବିଜୟ ସେ ଦିଗକୁ ଆଗେଇଲା ।

 

ବ୍ରଜ ଘର ଦ୍ୱାର ମୁହଁରେ ଟ୍ରାକ୍ଟର ବନ୍ଦ ହେଲା । ଜୋତା ମଚ୍ ମଚ୍ ଶବ୍ଦ କରି ଦାଣ୍ଡ ଘର ଡେଇଁ ଗୋଟିଏ ପ୍ରଶସ୍ତ ଅଗଣାରେ ବିଜୟ ପହଂଚିଲା । ଏଡ଼େ ବଡ଼ ଘରେ କେହି କୁଆଡ଼େ ଦେଖାଯାଉନଥିଲେ । ବିଜୟ ଅଗଣା ଚାରିପଟେ ଆଖି ବୁଲେଇଲା । ଗୋଟିଏ ପଟେ ଧାନ ଖମାର । ଆରପଟେ ଢେଙ୍କିଶାଳ ପାଖରେ ଅନେକ ଅନାବନା ଜିନିଷ ଗଦା ହୋଇଥିଲା । ଡାହାଣ କଡ଼ ବଖରା କାହା ସହିତ ସଂପୃକ୍ତ ନୁହେଁ । ସେଇ ଆଡ଼କୁ ବିଜୟ ଧପଶିଲା । ବଖରାର ଗୋଟିଏ କୋଣରେ ଦଉଡ଼ିବୁଣା ଖଟିଆ ଉପରେ ଘୋଡ଼ି ଘାଡ଼ି ହୋଇ ଶ୍ରୀକାନ୍ତ ଶୋଇଥିଲା । ଆଖି ଦୁଇଟି ମୁଦ୍ରିତ, କିନ୍ତୁ ତା’ର କଲିଜାକୁ ଦୋହଲାଇ ଦଲକା ଦଲକା ଉହୁଃ ଉହୁଃ ଶବ୍ଦ ଭାସି ଅସୁଥିଲା । ଶ୍ରୀକାନ୍ତର ମୁହଁ କଳା ଓ ବିଭତ୍ସ ଦେଖାଯାଉଥିଲା ।

 

–“ହ୍ୟାଲୋ ଶ୍ରୀକାନ୍ତ । ହାଉ ଡୁ ୟୁ ଡୁ ?”

 

ଶ୍ରୀକାନ୍ତ ବଲ ବଲ କରି ଚାହିଁଲା । ବହୁତ କଷ୍ଟରେ ଅଳ୍ପ ହସିଲା ।

 

–“ତୋତୋ କ’ଣ ହୋଇଛି କିରେ ? ଏମିତି କଂପୁଛୁ କାହିଁକି ?” । ଶ୍ରୀକାନ୍ତ କେବଳ ଚାହୁଁଥିଲା ।

 

–“ଇଡ଼ିୟଟ୍ । ଚାହୁଁଛୁ କ’ଣ ବେ ? କୁଛ ତ ବୋଲେ ।” ତା’ପରେ ସେ ଆଗକୁ ଯାଇ ଶ୍ରୀକାନ୍ତ ଦେହରେ ହାତ ମାରିଲା ।

 

–“ଆଃ, ଏତେ ଟେମ୍ପରେଚର ! ହାତପୋଡ଼ି ଯାଉଛି । କେବେଠୁ ଜର ହେଲାଣି ? ଅନ୍ୟମାନେ ଗଲେ କୁଆଡ଼େ ? ରାସ୍କେଲସ୍ ।”

 

ବିଜୟ ବୋଉ ଅଗଣାରେ ଠିଆ ହୋଇଥିଲେ । ଜ୍ୱର ଶବ୍ଦ ଶୁଣି ଭିତରକୁ ପଶିଆସିଲେ-। ଶ୍ରୀକାନ୍ତର ଖଟରେ ବସି ତା’ ମଥାରେ ହାଇ ମାରୁ ମାରୁ କହିଲେ–“ପିଲାଟା ଜରରେ କଂପୁଛି, କେହି ଟିକିଏ ଦେଖା ଚାଁ କରିବାକୁ ନାହାନ୍ତି ?”

 

–“ସମସ୍ତେ ଇଡ଼ିୟଟ୍ ପରା ।”

 

ଏଥର ଶ୍ରୀକାନ୍ତ ପାଟିଖୋଲିଲା–“ମ୍ୟାଲେରିଆ ଭୀଷଣ ହୋଇଥିଲା । ଏବେ ଛାଡ଼ି ଆସୁଛି । ବ୍ରଜବାବୁ ବି ଜ୍ଵରରେ ପଡ଼ିଛନ୍ତି । ନବ ଏଠାରେ ଥିଲା, ଅଳ୍ପ ସମୟ ହେଲା ଜମିକୁ ଯାଇଛି-। ଜମିରେ ବହୁତ କାମ । ଧାନ ମାଣ୍ଡିଆ କଟା ହେଉଛି ।”

 

ଏତିକିବେଳେ ବ୍ରଜ ଗୋଟିଏ ଶାଲ୍ ଘୋଡ଼େଇ ହୋଇ ବୀମା ସହିତ ଆସିଲା ।

 

–“ହ୍ୟାଲୋ ମିଷ୍ଟର ବ୍ରଜ, ହାଉ ଡୁ଼ ୟୁ ଡୁ ?” ଅଭ୍ୟାସବଶତଃ ଏତକ ବଡ଼ ପାଟିରେ କହିଦେଇ ପରକ୍ଷଣରେ ଜିଭ କାମୁଡ଼ି ଧୀରେ ଧୀରେ ଆରମ୍ଭ କଲା–”ଏବେ କିମିତି ଅଛନ୍ତି ? ଜର ଛାଡ଼ିଲାଣି ତ ?”

 

–“ହଁ, ଛାଡ଼ୁଛି । ଅପଣମାନେ ଏଇଲାଗେ ଆସିଲେ ବୋଧହୁଏ । ନମସ୍କାର ମାଉସୀ ! ଆରେ ଆପଣ ଏଇଠି ବସିଲେ ଯେ ! ଚାଲନ୍ତୁ ଘର ଭିତରକୁ । ଶ୍ରୀକାନ୍ତ ପାଇଁ ବ୍ୟସ୍ତ ହୁଅନ୍ତୁନି, ବୀମା ଅଛି । ସେ ପ୍ରାୟ ସବୁବେଳେ ଏଠି ରହେ । ଆଉ ବିଜୟ ବାବୁ, ଆପଣ ବି ଚାଲନ୍ତୁ । ଗାଧୁଆ ପାଧୁଆ କରି ଟିକିଏ ବିଶ୍ରାମ ନିଅନ୍ତୁ ।” ଦ୍ଵାର ବାହାରେ ବ୍ରଜର ସ୍ତ୍ରୀ ଅପେକ୍ଷା କରିଥିଲେ । ତାଙ୍କ ସହିତ ପରିଚୟ ହୋଇଗଲା । କଥାବାର୍ତ୍ତାରୁ ଜଣାଗଲା ଯେ ସଭ୍ୟମାନେ କ୍ଷେତରେ ରହିଛନ୍ତି-। ସନ୍ଧ୍ୟାରେ ନବ ଏବଂ ଜାନି କଟା ଧାନ ଶଗଡ଼ରେ ବୋଝେଇ କରି କେନ୍ଦୁପଦର ଆସନ୍ତି-। ସକାଳେ ଫେରିଯାଆନ୍ତି । ପୁନଶ୍ଚ, ଗାଁର ଅଧିକାଂଶ ଲୋକ ବର୍ଷକେ ଥରେ ମ୍ୟାଲେରିଆରେ ଆକ୍ରାନ୍ତ ହୁଅନ୍ତି । କେନ୍ଦୁପଦରରେ ଡାକ୍ତରଖାନା ନଥିବାରୁ ଜୟନ୍ତୀନଗରରୁ ଔଷଧ ଆସେ-। ସୁତରାଂ, ସମସ୍ତେ ଡାଃ. ନରେଶର ଅସିବା ପଥକୁ ଆଗ୍ରହୀ ହୋଇ ଚାହିଁ ରହିଛନ୍ତି-

 

–“ଆଉ ଖବର କ’ଣ ? ବଳଭଦ୍ର ସିଂ ଛିଡ଼ା ହୋଇଛନ୍ତି ପରା ? ତାଙ୍କ ଅବସ୍ଥା କିମିତି-?” ବିଜୟ ପଚାରିଲା ।

 

–“ଭଲ ଥିଲା । କିନ୍ତୁ ନିର୍ବାଚନ ଦୁଇ ମାସ ଘୁଞ୍ଚିଗଲା, ଏ ଭିତରେ କ’ଣ ହେଉଛି କେଜାଣି ।”

 

ବିଜୟ ମନେମନେ ଖୁସି ହେଲା । ବଳଭଦ୍ର ଜିଣନ୍ତୁ ବା ହାରନ୍ତୁ, ବ୍ରଜବାବୁ କିନ୍ତୁ ରାଜନୀତି ନ କରନ୍ତୁ । ବଳଭଦ୍ରଙ୍କ ପକ୍ଷଭୁକ୍ତ ହୋଇ ଗାଁ ଗାଁ ନ ବୁଲନ୍ତୁ । ଏତିକି କେବଳ ବିଜୟ ଚାହେଁ ।

 

ତା’ପରେ ବିଜୟ ବୀମା ସହିତ ଟ୍ରାକ୍‌ଟରରୁ ଗୁଡ଼ାଏ ଜିନିଷ ଘଣ୍ଟାଏ ଲାଗି ଘର ଭିତରକୁ ବୋହିବାରେ ଲାଗିଲା । ସେଥିରେ ଥିଲା ପାଣି ଉଠାଇବା ପମ୍ପ, ଟ୍ରାକ୍‌ଟରର ଅନ୍ୟ ଯନ୍ତ୍ରପାତି, ନିଜର ଦୁଇଟି ବଡ଼ ଟ୍ରଙ୍କ୍ ଓ ଦୁଇଟି ବ୍ୟାଗ୍ ।

 

ବିଜୟ ବୀମା ସହିତ ଫାର୍ମଆଡ଼େ ଯିବାପାଇଁ ବାହାରିଲା । ଖାଇ ପିଇ ବିଶ୍ରାମ ନେବାକୁ ବ୍ରଜ ଯେତେ କହିଲେ ବି ଶୁଣିଲା ନାହିଁ । ଦିନ ଗୋଟାଏ ବେଳେ ସେମାନେ ଫାର୍ମ ନିକଟସ୍ଥ ପାହାଡ଼ ପାଖରେ ପହଂଚିଲେ । ଫାର୍ମ ଅଞ୍ଚଳ ଆଖିରେ ପଡ଼ିବା ମାତ୍ରେ ବୀମାକୁ ସାଇକଲ ସହ କେନ୍ଦୁପଦର ପଠାଇଦେଲା । ବୀରଦର୍ପରେ ଫାର୍ମ ଆଡ଼େ ସେ ଚାଲିଲା ।

 

ପାହାଡ଼ ସେପଟୁ କୁନ୍ଦୁଲି ରାସ୍ତା ଯେଉଁଠି ଡାହାଣକୁ ମୋଡ଼ି ହୋଇଛି, ସେଇଠୁ ଫାର୍ମ ଅଳ୍ପ ଦେଖାଯାଏ । ଯେଉଁ ପାଖରେ ଛୋଟ ନାଳ ଦେହରେ କାଠ ପୋଲ ନିର୍ମିତ ସେଠାରୁ ସମଗ୍ର ଫାର୍ମ ସ୍ପଷ୍ଟ ଦିଶେ । ଦୂରରେ ହଳଦିଆ ଧାନ କିଆରିରେ କେତେଜଣ ଲୋକ କାମ କରିବା ବିଜୟ ଦେଖିପାରିଲା । ଆନନ୍ଦରେ ମଙ୍କି କ୍ୟାପକୁ ଦୁଇ ଚାରିଥର ଏପଟ ସେପଟ କରି ନିଶ ଓ ଦାଢ଼ିରେ ହାତ ବୁଲେଇ ଆଣି ବ୍ୟାୟାମ କଲା ଭଙ୍ଗୀରେ ଡେଇଁ ଡେଇଁ ସେ ଆଗେଇଲା । ପୋଲ ପଛରେ ପଡ଼ିଗଲାଣି । ଟିକିଏ ଆଗକୁ ଯାଇ, ହଠାତ୍ ଥମିଗଲା । ବୁଲିପଡ଼ି କିଛିଦୂର ପଛେଇ ଆସିଲା । ପୋଲ ପାଖରେ ଏପଟ ସେପଟ ତଳ ଉପର କିଛି ସମୟ ଅନେଇଲା । କାଠ ବହ୍ଳାଗୁଡ଼ିକୁ ହାତରେ ମାପିଲା, ବଳ ପ୍ରୟୋଗ କରି ଝିଙ୍କିଲା । ବାଃ ! ଦୋରସ୍ତ ! ତେବେ ଆହୁରି ଟିକିଏ ଶକ୍ତ କରିବା ଆବଶ୍ୟକ । ପୋଲ ପରୀକ୍ଷା ପରେ ବିଜୟ ସିଟି ବଜେଇ ଦ୍ରୁତ ବେଗରେ ଆଗେଇଲା । ବିଜୟକୁ ଦେଖି ସମସ୍ତେ ଦୌଡ଼ି ଆସିଲେ ।

 

ଦୁଇ ହାତ ପ୍ରସାରିତ କରି ଆଲିଙ୍ଗନ କଲା ଭଙ୍ଗୀରେ ବିଜୟ କହି କହି ଚାଲିଲା–“ହ୍ୟାଲୋ ବ’ସ୍ । ହାଉ ଡୁ ୟୁ ଡୁ ?”

 

–“ତୋତେ କେବଳ ଆମେ ଅପେକ୍ଷା କରିଥିଲୁ ଭାଇ ।” ଦେବ କହିଲା ।

 

–“ଦାଟ୍‌ସ୍ ଭେରି ନାଇସ୍ । ଆଃ ହା ଆଆ…….ନବଘନ କି ! ଆଚ୍ଛା ଘନ ଭାଇ, ଏଠି ଯେଉଁ ପାହାଡ଼, ବଣ, ଆକାଶ ଆଉ ପାଣି ଦେଖାଯାଉଛନ୍ତି, ତାଙ୍କୁ ଧରି ଗୋଟିଏ ଗପ ଲେଖିଲୁ । ମୋତେ ସେଠି ହିରୋ କରିବୁ । ବୁଝିଲୁ ।”

 

ସମସ୍ତେ ହସିଲେ ।

 

–“ଏଥର କାମ କଥା ପଡ଼ୁ ।” ସମସ୍ତେ ଧାନ କଟା ଆଡ଼କୁ ଆଗେଇ ଗଲାବେଳେ ବିଜୟ କହୁଥିଲା–‘ଟ୍ରାକ୍ଟର ପମ୍ପ ତ ଆସିଗଲା । କାହିଁ ଦେଖେ ୱାର୍କସପ୍ ଓ ପମ୍ପ ହାଉସ୍ ? ନିହାତି କମରେ ଟ୍ରାକ୍ଟର ଓ ଯନ୍ତ୍ରପାତି ରଖିବା ସ୍ଥାନ ଠିକଣା ହୋଇଥିବ ନିଶ୍ଚୟ ।’

 

–“ସବୁ ହୋଇଛି । କେବଳ ଛାତ ପଡ଼ିବା ବାକି ରହିଛି । ଟିଣ ଆସିବାରେ ଟିକିଏ ଡେରିହେଲା ।”

 

–“ହାଟ ? ଏ ଯାଏଁ ହୋଇନି ? ମୁଁ ଜାଣେ ପରା ତୁମମାନଙ୍କ ହାତରେ ଖଡ଼ା ଶିଝିବନି-। ମୁଁ ତେଣେ ଟ୍ରାକ୍ଟର ଚଳା ଟ୍ରେନିଂ ପାଇ ବେଦମ୍ ହୋଇ ଆସିଲାବେଳକୁ ଏଣେ କାମ କରିବାକୁ ଫିଲ୍‌ଡ଼ ବି କ୍ରିଏଟ୍ ହୋଇନି । ଫୁଲ୍‌ସ୍, ଆଇଡ଼୍‌ଲର୍ସ ।”

 

ରବି ଓ ନବଘନ ଏକାବେଳକେ ରାଗିଗଲେ । ଦିନ ରାତି ଚବିଶ ଘଣ୍ଟା ଖଟି, କାକରରେ ରାତି ଅନିଦ୍ରା ରହି, ଝିଁ ଝିଁ ବର୍ଷାରେ ଦେହକୁ ତିନ୍ତାଇ କାମ କରିବାର ଏଇଟା ଆଶ୍ୱାସନା-! ଘରେ ବସି ବସି ଶେଷରେ ଗୋଟିଏ ଗାଡ଼ି ଚଳେଇ ଗୁଡ଼େ ଚାକ୍ ଚିକ୍‌କଣ କଥା କହି ଜାଣିଛନ୍ତି ସାହେବ । ରବି ମୁହଁ ଖୋଲିଦେଲା–“ଆପଣ ତ ଆସିଗଲେଣି । ନିଜେ କିମିତି ଚଞ୍ଚଳ ଫିଲ୍‌ଡ଼ି କ୍ରିଏଟ୍ କରିବେ ଦେଖିବା ନାହିଁ କି ?”

 

–“ହ୍ଵାଟ, ହ୍ଵାଟ ଡୁ ୟୁ ମୀନ ? ତୁମେ ମୋର ଶକ୍ତି ପରୀକ୍ଷା ଚାହଁ ? ଏଇ ଦେଖ ।” ବିଜୟ ହାତ ବଙ୍କେଇ ମାଂସପେଶୀ ଦେଖାଇଲା । “ଦେଖିଲ ? ୟାହାଁ ପତ୍‌ଥର ସେ ମାରୋ, ଟଂ ବୋଲେଗା ।”

 

ଭିତର କ୍ରୋଧକୁ ସମ୍ଭାଳି ରବି ଦାନ୍ତ ଦେଖାଇ କହିଲା–“ଅନ୍ୟମାନେ ବି ମାଇପୀ ନୁହନ୍ତି-। ସମସ୍ତଙ୍କର ମସଲ୍ ଅଛି । ତେବେ ଦିନ ରାତି ତ କାର୍ଯ୍ୟ କରାଯାଉଛି । ସେଥିରେ ଯଦି....”

 

ରବି ତୁଣ୍ଡରୁ କଥା ଛଡ଼େଇ ଆଣି ଦେବ ହସି ହସି କହିଲା–“ଆରେ ତୁମେମାନେ ବାକ୍‌ଯୁଦ୍ଧରେ ଲାଗିଗଲ ନା କ’ଣ ? ରବିବାବୁ ! ଆପଣ ବୋଧହୁଏ ବିଜୟକୁ ଜାଣି ନାହାଁନ୍ତି । ସେ ଅଳ୍ପ କଥାରେ ପ୍ରଚଣ୍ଡ ଇଂରେଜୀ ଶବ୍ଦମାନ ବ୍ୟବହାର କରେ । କିନ୍ତୁ ଭିତରେ ତା’ର କିଛି ନାହଁ । ଆପଣ କେବେ ତା’ କଥାକୁ ଧରିବେ ନାହିଁ । ନା କ’ଣ କହୁଛୁ ବିଜି ?”

 

–“ହଁ ବେ, ୟେ ଗୋଟେ କଥା କହିଲା । ଇଡ଼ିୟଟ୍ ।”

 

–“ଦେଖିଲେ ରବିବାବୁ, ଦେଖିଲେ ? ଇଡ଼ିୟଟ ଶବ୍ଦଟାକୁ ସେ କିମିତି ପାଣି କରିଦେଇଛି ।”

 

ସମସ୍ତେ ଆଉଥରେ ହସିଲେ ।

 

ଜାନି କିନ୍ତୁ ହସିପାରିଲା ନାହିଁ । ବିଜୟର ବିଚିତ୍ର ବେଶଭୂଷା ଓ ମୁହଁର ଦାଢ଼ିକୁ ଦେଖି ସେ ପ୍ରଥମରୁ ଶଙ୍କି ଯାଇଥିଲା । ପୁଣି କଥାରେ ହଜାରେ ଇଂରେଜୀ ଶବ୍ଦର ବ୍ୟବହାର । ଦମ୍ ଦମ୍ ଚାଲି, ଢେଗା ଢେଗା ଆଖି, ମୁଣ୍ଡରେ ବିଚିତ୍ର ଟୋପି । ହାତରେ ଗୋଟିଏ ଲମ୍ବା ଚାବୁକ ଧରେଇଦେଲେ ଗୋଟି ଗୋଟି କରି ସମସ୍ତଙ୍କର ଚୋପା ଛଡ଼େଇ ଦିଅନ୍ତା ବୋଧହୁଏ ।

 

ସମସ୍ତେ ଆସି ପହଁଚିଲେ ଧାନ କିଆରୀ ପାଖରେ । ବିଜୟ ଏପଟ ସେପଟ ଟିକିଏ ଆଖି ବୁଲେଇ ପଚାରିଲା–“ପୁଅର୍ କ୍ରପ୍ । ଲାଭ ହେବ ନା ନାହିଁ ?”

 

–“ବିଶେଷ ନୁହେଁ ।”

 

–“ରେଚେଡ୍ ସୋଲସ୍ । ଏତକ ପାଇଁ ଶ୍ରାବଣର ବର୍ଷାଧାର ତଳେ ତମେ ସବୁ ଦଉଡ଼ୁଥିଲ ? ଏନିୱେ, ଦେବ, ତୁ ମୋ ସହ ଚାଲ । ବହୁତ ଅର୍ଜେଣ୍ଟ କାମ କରିବାକୁ ରହିଛି । ମିଷ୍ଟର୍‌ ରବି ଓ ଅନ୍ୟମାନେ ! ତୁମେ ଆଜିଠାରୁ ଧାନ ଅମଳରେ ଲାଗ । ଦେବକୁ ଛାଡ଼ି ଦେବାକୁ ପଡ଼ିବ ।”

 

ବିଜୟ ଦେବକୁ ଟାଣି ଟାଣି ଚନ୍ଦ୍ରାବତୀ ନଈ ଆଡ଼କୁ ନେଇଗଲା । ଦୁହେଁ ଗପଟପ କରି ଚାଲିଲେ । ଧାନ ଉଠାଇବା ପରେ ଜମିରେ ଟ୍ରାକ୍ଟର୍ ଚଳାଇବାକୁ ପଡ଼ିବ । ତା’ପରେ କେତେଦିନ ସେମିତି ଖରାରେ ଛାଡ଼ି ଦିଆଯିବ । ଖତ ମିଶେଇ ପୁଣିଥରେ ଚଷିବାକୁ ହେବ । ଏତକ ହେଲା ବେଳକୁ ପନ୍ଦର ଦିନ ଲାଗିବ । ତା’ପରେ ଯାଇ ଆଳୁ ଓ ପନିପରିବା ଚାଷ ହେବ ।

 

ଫାର୍ମ ଭିତରେ ବୁଲିଲାବେଳେ ଫିତା କାମ ବି ଚାଲିଲା । କେତେ ଗହୀରରୁ ପାଣି ଉଠାଯିବ, କେଉଁ କେଉଁ ସ୍ଥାନରେ କୂଅ ଖୋଳାଯିବ, କେତୋଟି ସମତଳ ଅଞ୍ଚଳରେ ଫାର୍ମଟି ବିଭକ୍ତ କରାଯିବ, କେଉଁଠାରୁ କେତେ ଦୂର ପର୍ଯ୍ୟନ୍ତ ବିଭିନ୍ନ ଉଚ୍ଛତାର ସୀମା ରହିବ ଇତ୍ୟାଦି । ସେଦିନ ରାତି ଆଠଟା ଯାଏଁ ଦୁହିଙ୍କ ଭିତରେ ଆଲୋଚନା ଚାଲିଲା । ତା’ପର ଦିନ ସକାଳୁ ବିଭିନ୍ନ ସ୍ଥାନରେ ଉଚ୍ଚତା ଓ ତା’ର ସୀମା ଫିତାରେ ମାପି ହାତେ ଲମ୍ବର ବାଉଁଶ କିଳାମାନ ଭୂଇଁରେ ପୋତା ଗଲା । ସମଗ୍ର ଫାର୍ମର ବିଭିନ୍ନ ଅଞ୍ଚଳ କିଳାମୟ ହୋଇଗଲା ।

 

ବିଜୟ କେନ୍ଦୁପଦରକୁ ଆସିବାର ପଞ୍ଚମ ଦିନ ପୁଣିଥରେ ଟ୍ରାକ୍ଟର ଶବ୍ଦ ଗାଁରେ ଶୁଣାଗଲ-। ପୂର୍ବପରି ଗାଁ ପିଲାଏ ନାଲିଆ ଖୋଲା ଗାଡ଼ି ପଛେ ପଛେ ଦୌଡ଼ିଲେ । ଦିନ ଏଗାରଟା ବେଳକୁ ଫାର୍ମରେ ଆରମ୍ଭ ହେଲ ମାଟିଖୋଳା । ବିଜୟ ଦେହରେ ପୂର୍ବର ପୋଷାକ । ଅଧିକା ହୋଇ ଆଖିରେ ବିରାଟ କଳା ଚଷମା । ତା’ ପାଖରେ ବସିଥାଏ ନବ । ବିଜୟ ଛଡ଼ା କ୍ରମେ ନବ, ବ୍ରଜ, ଜାନି ଓ ରବି ଟ୍ରାକ୍ଟର ଚଳା ଶିଖିବେ ।

 

ମାଟିଖୋଳା ଆରମ୍ଭ ହେଲା ଚନ୍ଦ୍ରାବତୀ ନଈ କୂଳକୁ ଲାଗି ପନ୍ଦର ଏକରରେ । ଏତକ ଜମି ଗୋଟିଏ ଉଚ୍ଚାରେ ସମତଳ ହେବ । ଠିକ୍ ମାପ ଦେଖି ଉଚ୍ଚା ସ୍ଥାନରୁ ମାଟି କାଟିବା ଆରମ୍ଭ ହେଲା । କି ପ୍ରଚଣ୍ଡ ଶକ୍ତିରେ ଟ୍ରାକ୍ଟରର ସାମ୍‌ନା ଚାରି ଫୁଟ ଲମ୍ବା, ଦେଢ଼ଫୁଟ ଓସାରର ଲୁହା ଛୁରି ମାଟିକୁ ସଟ୍ ସାଟ୍ କାଟି ପକାଉଛି । ଘୋର ଗର୍ଜନ କରି ଲୌହ ଦଣ୍ଡଟା ମାଟି ଭିତରୁ ଗଛର ଚେର ସହିତ ଉପାଡ଼ି ଖାଲୁଆ ସ୍ଥାନରେ ଗଦେଇ ଦେଉଛି ।

 

ଟ୍ରାକ୍ଟର ଚାଳନାରେ ନିଃଶବ୍ଦ ଉପତ୍ୟକା କମ୍ପିଉଠିଲା । ପାହାଡ଼ ଦେହରୁ ଧଡ଼ ଧାଡ୍ ଶବ୍ଦ ପ୍ରତିଧ୍ଵନିତ ହେଲା । ଅରଣ୍ୟ ଭିତରେ ଗାଁ ଗଣ୍ଡାରେ ଅଳ୍ପ ସମୟ ଭିତରେ ସମ୍ବାଦ ବ୍ୟାପିଗଲା ଯେ, ଚନ୍ଦ୍ରାବତୀ ନଈକୂଳ ଲଣ୍ଡା ପର୍ବତ ପାଖରେ ଗୋଟିଏ ଅଦ୍ଭୁତ ଯନ୍ତୁ ମାଟି ଖୋଳୁଛି । କେଉଁଠି କେଉଁଠି ବୁଢ଼ା ଦିସାରିମାନେ ଗୁଜବ ଉଠାଇଦେଲେ ଯେ ସଂସାରରେ ଘୋର କଳିକାଳ ଆଗତ ହେଲା । ଲୋକେ ଆଉ ବୁଢ଼ା ଦିସାରି କଥା ନ ଶୁଣିବାରୁ, ତାକୁ ଛେଳି, ମେଣ୍ଢା, ମଦ ନ ଦେବାରୁ ସରଗରୁ ସେ ଡୁମା ପେଶିଦେଲା । ବିକଟାଳ ରୂପ ଧରି ଡୁମା ଚନ୍ଦ୍ରାବତୀଠେଇ ହାବୁଡ଼ିଲାଣି । ମଣିଷ, ଗଛ, ମାଟି, ଯିଏ ଆଗରେ ପଡ଼ିଲା ତାକୁ ଫୁ କରି ଉଡ଼େଇ ହେଉଛି । ମରଦ ମାଇପିମାନେ ଡୁମା ଭୟରେ କବାଟ କିଳି ରହିଲେ । ତଥାପି ଡୁମାର ଧଡ଼ାସ୍ ଧଡ଼ାସ୍ ରଡ଼ି କାନରେ ବାଜିଯାଉଛି ।

 

କେନ୍ଦୁପଦରରେ ଲୋକଙ୍କର ଆଲୋଚନା କରିବାକୁ ଡର ନାହିଁ । ଧାଡ଼ି ଧାଡ଼ି ହୋଇ ଛୁଟିଛନ୍ତି ଲୋକେ ଅଦ୍ଭୁତ ଯନ୍ତୁ ଦେଖିବାପାଇଁ । ଦିନ ଗୋଟାଏ ବେଳକୁ ଟ୍ରାକ୍ଟର ବନ୍ଦ ରହିଲା । ପୁଣି କାମ ଆରମ୍ଭ ହେଲା ଦୁଇଟାରେ । ସେତେବେଳେ ଫାର୍ମ ଗାଁ ଲୋକଙ୍କଦ୍ୱାରା ଭରପୂର । ବିଚିତ୍ର ବେଶଭୂଷାରେ ସଜ୍ଜିତ ହୋଇ ବିଜୟ ଓ ନବ ଚନ୍ଦ୍ରାଭିଯାତ୍ରୀଙ୍କ ପରି ହାତ ହଲେଇ ଚଢ଼ିଗଲେ ଟ୍ରାକ୍ଟର ଉପରକୁ । ତା’ପରେ–କ୍ଷଣକେ ଯନ୍ତ୍ରଟି ଦାରୁଦ୍ରୁମ ଟାଳିଦେଲା ପରି ମଣିଷେ ଉଚ୍ଚାର ପଥର ଏବଂ ମାଟି କରି ଦେଉଛି ଚୂର୍ଣ୍ଣ ବିଚୂର୍ଣ୍ଣ । ଆକାଶର ବହୁ ଉଚ୍ଚକୁ ଉଠିଯାଉଛି ଧୂଳିର ପାଟଳ ।

 

ଫାର୍ମ ଜନଗହଳି ସମ୍ବାଦ ବଳଭଦ୍ର ସିଂଙ୍କ ପାଖରେ ଆସି ପହଞ୍ଚିଲା । ସେମିତି ତାଙ୍କ ପ୍ରତିଦ୍ଵନ୍ଦୀ କଚ୍ଛପ ଚିହ୍ନକୁ ଆଶ୍ରା କରି ଲଢ଼ୁଥିବା ତ୍ରିନାଥ ବାବୁଙ୍କ ପାଖରେ ବି । ନିର୍ବାଚନ ଆଉ ମାତ୍ର ଦଶ ଦିନ ରହିଲା । ଏମିତି ଦିନରେ ଜନଗହଳିକୁ ତା’ ସୁଖେ ଛାଡ଼ିଦେବା ଅର୍ଥ ନିଜ ବେକରେ ଦଉଡ଼ି ଦେଇ ମରିବା ।

 

ଅତଏବ ସନ୍ଧ୍ୟା ଚାରିଟାବେଳେ ଉଭୟ ସ୍ଵ ସ୍ଵ ଜିପ ଗାଡ଼ିରେ ଗାଡ଼ିଏ କଥାକୁହାଳି ଟାଉଟର୍‌ଙ୍କୁ ଧରି ପହଞ୍ଚିଲେ । ପ୍ରଥମେ ବଳଭଦ୍ର ବାବୁ ଫାର୍ମରେ ପାଦଦେଲେ । ହସି ହସି ଗୋଡ଼ ହାତ ଛାଟି ଏଣେତେଣେ ସେ ଚାଲିଲେ । ଥରେ ଥରେ ରାଜାଙ୍କ ପରି ଛାତି ଫୁଲାଇ ଅଣ୍ଟାରେ ଗୋଟିଏ ହାତ ଥାପି ଛିଡ଼ା ହେଉଥିଲେ । ଅନ୍ୟ ହାତ ଟ୍ରାକ୍ଟର ଆଡ଼କୁ ଲମ୍ବାଇ ଏପରି ଅଭିନୟ କରୁଥିଲେ ଯେ ଜଣାଯାଉଥିଲା କେବଳ ତାଙ୍କର ଆଦେଶମତେ ଡ୍ରାଇଭର ଗାଡ଼ି ଚଳାଉଛି ।

 

ଏପରି ସମୟରେ ତ୍ରିନାଥେ ମଧ୍ୟ ପହଞ୍ଚିଲେ । ନିଶ ଉପରେ ହାତ ମାରି ସେ ଆଗେଇଲେ । ଶେଷରେ ଦୃଶ୍ୟଟା ଏପରି ହେଲା ଯେ ମଝିରେ ଟ୍ରାକ୍ଟର ଚାଲିଛି, ଏପଟେ ବଳଭଦ୍ର ସେପଟେ ତ୍ରିନାଥ । ଏପଟେ ଦଳେ ସେପଟେ ଦଳେ । ମଝି ଉଚ୍ଚା ଜମିରେ ପ୍ରାୟ ଦେଢ଼ଶହ ପର୍ଯ୍ୟନ୍ତ ଲୋକ ।

 

–“ଭାଇମାନେ, ଓଟର କାମ ଯଦି ଦେଖିନାହଁ, ଦେଖିନିଅ ଏବେ । ଠିକ୍ ଏମିତି କାମ କରେ ଓଟ । ଓଟ ଚିହ୍ନରେ ଭୋଟ ଦେଲେ ଏମିତିକା । କାମ କରିହେବ । ଭାଇମାନେ ଶୁଣ...... ।”

 

–“ଭାଇ ଓ ଭଉଣୀମାନେ ! ଧୀରେ ଧୀରେ କାମ କରି କଇଁଚ କିପରି ଗଡ଼ ଜିଣେ ସ୍ଵଚକ୍ଷୁରେ ଦେଖିନିଅ ଭାଇଏ । ଜିପ୍ ବସ୍ ପରି ତମ ତମ ନୁହେଁ, ଧୀରେ ସୁସ୍ଥେ ଏମିତି ନାଲି ଯନ୍ତ୍ର କଇଁଚ ପରି କାମ କଲେ ବିରାଟ ଓଟର ହାଡ଼ ମାଉଁସକୁ ଦି’ଫଡ଼ା କରିହେବ । ହେଇ ଦେଖ, କଇଁଚ ପରି ଚାଲି, କଇଁଚ ପରି ମୁହଁ...... ।”

 

ଉଭୟ ପଟର ରଡ଼ି ଲୋକଙ୍କ କାନରେ ମୋଟେ ବାଜୁନଥାଏ । କେବଳ ଶୁଭୁଥାଏ ଟ୍ରାକ୍ଟରର ଧଡ଼୍ ଧଡ଼୍, ଧୂସ୍ ଧାସ୍ ଶବ୍ଦ ।

 

ନିଜର ଶକ୍ତି ଦେଖାଇବାକୁ ବଳଭଦ୍ର ବାବୁ ଟ୍ରାକ୍ଟର ବନ୍ଦ କରିବା ପାଇଁ ଇଶାରା ଦେଲେ-। ବିଜୟ ଗାଡ଼ି ବନ୍ଦ କଲା ନାହିଁ । ତ୍ରିନାଥିଆ ଦଳ ହୋ ହୋ ହୋଇ ହସିଲେ । ସିଂ ବାବୁଙ୍କ ମୁହଁ ଲାଲ ପଡ଼ିଗଲା । ରାଗରେ ତମତମ ହୋଇ କହିଲେ–“ଏଇ ଫାରମ୍ କରେଇଛି । ଏ ଯନ୍ତ୍ର ମୁଁ ଦେଇଛି । ତେମେ କ’ଣ କରିପାଇଲ ହେ ! ମୁଇଁ ଇଚ୍ଛା କରିଲେ ସବୁ ବନ୍ଦ ହୋଇଯିବ ।”

 

–“ଥାଉ ଥାଉ, ବେଶି ଫୁଟାଣି ମାରନି । ପ୍ରଥମେ ତମ ମଦଭାଟିକୁ ସମ୍ଭାଳିଲ । ହୋ ହୋ ହୋ...... ।”

 

ଯୁଦ୍ଧ ଲାଗିଯିବା ଉପରେ । ବିଜୟ ପ୍ରମାଦ ଗଣିଲା । ଛାତ୍ରଜୀବନର ନାଟକ ଅଭିନୟ ଅଭିଜ୍ଞତା ମନେପଡ଼ିଲା । କ’ଣ ଭାବି ଲୋକଙ୍କ ପାଖରେ ଗାଡ଼ି ବନ୍ଦ କଲା । ଉଭୟେ ତ୍ରିନାଥ ଓ ବଳଭଦ୍ର ଝପଟି ଆସିଲେ । ହୁ ହା ଆରମ୍ଭ ହେବା ପୂର୍ବରୁ ବିଜୟ ଉଭୟ ନେତାଙ୍କୁ ଲମ୍ବା ନମସ୍କାର ପକାଇ କହିଲା, ‘ଆଜ୍ଞା, ଆପଣମାନେ ଜ୍ଞାନବନ୍ତ ଲୋକ ! ବେକାର ସମସ୍ୟା ଆପଣମାନଙ୍କ କାନରେ ପଡ଼ିଥିବ । କଇଁଛ ହେଉ କିମ୍ବା ଓଟ ହେଉ ଯିଏ ଶାସନ ଗାଦିକୁ ଆସିବ ଏହି ସମସ୍ୟା ସମଧାନ କରିବ । ନା–ନାହିଁ ?’

 

–“ହଁ–ଅ ଅ ଅ ।” ବଡ଼ ପାଟିରେ ହଁ କରିବା ପାଇଁ ମଧ୍ୟ ପ୍ରତିଦ୍ଵନ୍ଦିତା ।

 

–“ତେବେ ଶୁଣନ୍ତୁ ! ମୁଁ ଓ ମୋର ସହଯୋଗୀମାନେ ବେକାର । ଲକ୍ଷେ ଟଙ୍କା ଋଣ ଆଣି ଏଠି ଫାର୍ମ କରୁଛୁ । ଆମେ ସହଜେ ତ ବୁଭୁକ୍ଷୁ; ତେଣୁ ଆମ କାମରେ ବାଧା ଦେବା ଉଚିତ ନୁହେଁ । ଏଠି ମିଟିଂ କରନ୍ତୁ, ଆମର ଆପତ୍ତି ନାହିଁ । କିନ୍ତୁ କାମ ବନ୍ଦ କରିବାକୁ କଦାପି ନିର୍ଦ୍ଦେଶ ଦେବେନାହିଁ । ଯଦି କାମରେ ବାଧା ସୃଷ୍ଟି କରିବେ, ତେବେ ଦୟାକରି ମନେରଖିବେ ଯେ–ବେକାରର ଅର୍ଥ ହେଲା । ନିଆଁ ହୁଳା । ସେମାନେ । ଚାହିଁଲେ ଶକ୍ତିଶାଳୀ ସରକାରକୁ ମଧ୍ୟ କ୍ଷଣକେ ପୋଡ଼ି ପାଉଁସ କରିଦେବେ । ତେଣୁ ହେ ଭାଗ୍ୟବନ୍ତମାନେ, ଆପଣା କାମରେ ମନ ଦିଅନ୍ତୁ । କଥା ଫୁଲ ଝରେଇବା ପାଇଁ ଏଠି ବିସ୍ତୀର୍ଣ୍ଣ ପଡ଼ିଆ ପଡ଼ିଛି । ଆଚ୍ଛା ନମସ୍ତେ, ନମସ୍ତେ ।”

 

ଗାଡ଼ି ଚାଲିଲା । ଉଭୟଙ୍କର ସଭା ମଧ୍ୟ ଚାଲିଲା । ମାଛିମାଛିଆ ଅନ୍ଧାର ବେଳକୁ ସମସ୍ତେ ଘରକୁ ବାହୁଡ଼ିଲେ ।

 

ମୋଟ ପାଞ୍ଚଦିନ ନଈକୂଳ ଜମି ସମତଳ କରିବାରେ କଟିଗଲା । ତା’ପର ପାଞ୍ଚଦିନରେ ପାହାଡ଼ ତଳର ଜମିକୁ ସମତଳ କରାଗଲା । ସେଇ ପାହାଡ଼ ତଳର ଉଚ୍ଚା ଜମିରେ ଗୃହ ନିର୍ମାଣ ଓ କୂପ ଖନନ ଆରମ୍ଭ ହେଲା । ନଈକୂଳ ସମତଳ ଜମିର ଶେଷ ମୁଣ୍ଡରେ ଅର୍ଥାତ୍ ଫାର୍ମର ମଝି ଅଞ୍ଚଳରେ ଗୋଶାଳା ଓ କୁକୁଡ଼ା ଘରର ଭିତ୍ତି ପଡ଼ିଲା ।

 

କୃଷି କର୍ମ ସମାନ୍ତରାଳ ଭାବେ ଆଗେଇଲା । ଚନ୍ଦ୍ରାବତୀ କୂଳ ଜମି ଖରାରେ ଦଶଦିନ ଶୁଖିଲା ପରେ ଖତ ଦେଇ ଟ୍ରାକ୍ଟରଦ୍ଵାରା ଚାଷ କରାଗଲା । ସେତେବେଳକୁ ନିର୍ବାଚନ ଶେଷ ଏବଂ ବ୍ରଜ ମ୍ୟାଲେରିଆରୁ ଆରୋଗ୍ୟଲାଭ କରିଥିଲା । ଧାନ ଅମଳ ପରେ ବ୍ରଜ ମଧ୍ୟ ଫାର୍ମ କାର୍ଯ୍ୟରେ ଲାଗିଲା । ପନ୍ଦର ଏକର ମଧ୍ୟରୁ ପାଞ୍ଚ ଏକରରେ ପନିପରିବା ଓ ଅନ୍ୟ ଦଶ ଏକରରେ ଉନ୍ନତ ଧରଣର ଆଳୁ ଲଗାହେଲା । ଉଚ୍ଚା ଜମି ମଧ୍ୟରୁ ଦଶ ଏକରରେ ମୁଗ, ବିରି, ମାଣ୍ଡିଆ ଏବଂ ଅନ୍ୟ ଦଶ ଏକରରେ ଅଳସି ଓ ସୋରିଷ ବୁଣା ହେଲା । ଏହି କୋଡ଼ିଏ ଏକର ଜମି ଦ୍ୱିତୀୟ ସମତଳ ଅଞ୍ଚଳରେ ଅବସ୍ଥିତ ।

 

ଡିସେମ୍ବର ମାସରେ ଯୋଗେଶ ବାବୁ ରାଜଧାନୀରୁ ଜୟନ୍ତୀନଗର ଆସିଥିଲେ । ସେ ସମୟରେ ଦେବ ମଧ୍ୟ ସିମେଣ୍ଟ ପାଇଁ ସହରକୁ ଯାଇଥିଲା । ଅକସ୍ମାତ୍ ଦୁହିଁଙ୍କର ଭେଟାଭେଟି ହୋଇଗଲା । କଥାବାର୍ତ୍ତା ପରେ ଯୋଗେଶ ବାବୁ କେଂଦୁପଦର ଫାର୍ମକୁ ଯାଇଥିଲେ । ସଭ୍ୟମାନଙ୍କୁ ନିର୍ମାଣ ସମ୍ବନ୍ଧୀୟ କେତେକ ଉପଦେଶ ଦେଲେ । ବିଶେଷ କରି ଭୀଷଣ ବର୍ଷା ଓ ବାତ୍ୟାରୁ ରକ୍ଷା କରିବାପାଇଁ ଛାତ କିପରି ତୟାର କରିବାକୁ ପଡ଼ିବ ବୁଝାଇଥିଲେ । ଫେରିଗଲାବେଳେ ସାଙ୍ଗରେ ସେ ଶ୍ରୀକାନ୍ତ ଓ ବ୍ରଜକୁ ଜୟନ୍ତୀନଗର ନେଇ ସେଠାରେ କୃଷି ଓ ଭେଟେରିନାରୀ ଅଫିସରଙ୍କ ସହିତ ଗୋଟିଏ କ୍ଷୁଦ୍ର ଆଲୋଚନା କରିଥିଲେ ।

 

ଏକ ମାସ ଭିତରେ ଗାଈ ଓ କୁକୁଡ଼ା ଯୋଗାଇଦେବା ପାଇଁ ସ୍ଥିର ହେଲା । ଭେଟେରିନାରୀ ଅଫିସର ମହୋଦୟ ପ୍ରତି ପନ୍ଦର ଦିନ ବା ମାସରେ ଥରେ କେନ୍ଦୁପଦର ଯାଇ ପଶୁପକ୍ଷୀଙ୍କୁ ଦେଖି ଆସୁଥିବେ । ଖାଦ୍ୟ, ଔଷଧପତ୍ର ବିଷୟରେ ଶ୍ରୀକାନ୍ତର ପୂର୍ଣ୍ଣ ଧାରଣା ହୋଇଗଲା ପରେ ତେଣିକି ସେ ନିଜେ ଦାୟିତ୍ଵ ଚଳେଇ ପାରିବ । ଫାର୍ମରେ ପ୍ରଚୁର ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନ ହେଲେ କେନ୍ଦୁପଦରକୁ ସ୍ଵତନ୍ତ୍ର ଗାଡ଼ି ପଠେଇ ସେଗୁଡ଼ିକ ସଂଗ୍ରହ କରାଯାଇପାରିବ ।

 

ସେପରି କୃଷି ଅଫିସର ଆର ବର୍ଷ ମଇ–ଜୁନ୍ ଆଡ଼କୁ ଆବଶ୍ୟକୀୟ ଫଳଚାଷ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ନିଜେ ଥରେ ଫାର୍ମକୁ ଯାଇ ବିଭିନ୍ନ ବିଷୟ ତଦାରଖ କରିବେ ବୋଲି ମଧ୍ୟ କହିଥିଲେ । ସାର, ଔଷଧ ଆଦିର ପ୍ରୟୋଗ ନିମନ୍ତେ ନିକଟସ୍ଥ କୃଷି ସୁପରଭାଇଜରଙ୍କୁ ଆବେଦନ କଲେ, ବେଳେବେଳେ ସେ ଆସି ଯଥାଯଥ ବ୍ୟବସ୍ଥା କରିବେ-

 

ବାର

 

“ଗଲା ପୁତ୍ର ବାହୁଡ଼ି ନଇଲା ଲୋକୋ...... ।” କୋଇଲିର କୋ’ପାଖରେ ଅଛି, ରୁଟ୍ କିନା କାମୁଡ଼ି ଦେଲା ଗୋଟିଏ ମଶା । ପଟାସ୍ କରି ଚାପୁଡ଼ାଟେ ଥୋଇଦେଲେ ନିଜ ଜଙ୍ଘ ଉପରେ, ଶ୍ରୀମାନ ବଳଭଦ୍ର ସିଂ । ମଶା ମଲା ନାହିଁ । ନିଜକୁ ନିଜେ ବାଡ଼େଇ ହବା ସାର ହେଲା ।

 

ସିଂହେ କଡ଼ ଲେଉଟିଲେ । ବୈଶାଖ ଶେଷର ଗରମ । ଦେହ, ହାତ, ଗୋଡ଼ ସବୁଥିରୁ ନିଆଁହୁଳା ବାହାରୁଛି । ଝାଳରେ ଦେହ ଗନ୍ଧେଇ ଅଠାଳିଆ ଧରିଲାଣି । ଏମିତିରେ କୋଉନିଦ ଆସେନା ଆସୁଛି ? ଚେଷ୍ଟା କଲେ ନିଦ ଅବା ଆସନ୍ତା, କିନ୍ତୁ ଦେହକୁ ଲାଗି ଶୋଇବା ଶ୍ରୀମତୀଙ୍କ ଘଂଘୁଡ଼ି ହାରମୋନିୟମ ମେଲାଇ ଧୈବତ ରାଗରେ ସ୍ଵର ଧରିଲାଣି । ଏ ସ୍ଵର ଲହରୀ ବଳଭଦ୍ରଙ୍କ ଚକ୍ଷୁ ମନ୍ଦିରକୁ ବିଜେ କରିବା ବାଟରେ ନିଦ୍ରାଦେବୀଙ୍କୁ ଏକାବେଳକେ ପଥରୋଧ କରିଦେଉଛି ।

 

ଯାଃ, ୟାପ ନାରୀ ! ନର୍କର କୀଟ !! ପାପିଷ୍ଠ !!! ଆଉ ନିଦ ଆସିବନି । ଏମିତି ପଡ଼ି ରହିବା ସାର ହେବ ପାହାନ୍ତିଆଯାକେ । ଗୋଟିଏ ଦୀର୍ଘ ନିଃଶ୍ଵାସ ମାରିଲେ ସିଂ ବାବୁ ।

 

‘ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲି !’ ନ ବାହୁଡ଼ିଲେ ନ ବାହୁଡ଼ୁ । ୟାପ ଚାରି ମାସ ହେଲା ନିର୍ବାଚନ ଗଲାଣି, ଆଜି ନା କାଲି । ସବୁବେଳେ ଖାଲି ବାହୁଡ଼ି ନଇଲା, ବାହୁଡ଼ି ନଇଲା ।

 

ଏମିତି କହି ବଳଭଦ୍ର ସିଂ ମନକୁ ଫାଙ୍କିଦେବେ ବୋଲି ଭାବୁଥିଲେ । ହେଲେ କୋଇଲି ଛାଡ଼ୁଛି କୁଆଡ଼େ ? ମନର ବିଶାଳ ଚୂତ ବୃକ୍ଷ ଉପରେ ବସିଛିଟି କଳା କୋଇଲି ! ଏ ଡାଳରୁ ହୁରୁଡ଼େଇଦେଲେ ସେ ଡାଳରେ ଯାଇ ବସୁଛି । ସେଇଠୁ ତା’ ପାଖ ଡାଳର ଜଟା ଭିତରେ ନିଜେ ସିଂ ବାବୁ ଲୁଚିଯିବେ ସିନା, ହେଲେ କୋଇଲିର ଅସଲ ବସା ଠାବ କରିପାରିବେନି ।

 

କୋଇଲିର ଅବା କି ଦୋଷ ? ସବୁ ନିଜ ଭାଗ୍ୟର । ଭାଗ୍ୟର ବଳରେ ଏ ପୃଥୀ ଆତଜାତ । ମଣିଷ ଅବା ଛାର । ହେଲେ କେଡେ଼ ପାଇଟି ହେଲା ଦେଖ ତ । ସେ ନିର୍ବାଚନରେ ସତରେ ହାରିଗଲେ ? ତିନି ତିନିଥର ସେ ମେଲେ ଥିଲେ । ତାଙ୍କ ମୁଁହ ଉପରେ ଜବାବ ଦେବାକୁ କିଏ ଥିଲେ ? ଶଳେ ସବୁ ଭୋଟତକ ମୋତେ ଦେବେ ବୋଲି କହି ଶେଷରେ…… । ଛା–ଆ–ଡ଼ ।

 

ନ ଆସୁଥିଲେ ମଧ୍ୟ ଆଁ ମେଲାଇ ଗୋଟିଏ ବିରାଟ ହାଇ ମାଇଲେ ସିଂ ବାବୁ । ଆଖିକୁ ନିଜର ଲଙ୍ଗୁଳା ପେଟଟା ସ୍ପଷ୍ଟ ଦେଖାଯାଉଥିଲା । ଏଇ ପେଟ ତ କାଳ ହେଲା ଶେଷରେ । ୟାପେ ବୁଝିବାକୁ ଖମ୍ବଆଳୁ । ରଡ଼ି ଛାଡ଼ି ଦେଲେ କ’ଣ ନା, “ଦେଖ, ମେଲେ ହୋଇ କିମିତି ସର୍ବଗିଳା ହୋଇଗଲା । ଖାଇ ଖାଇ କିମିତି ପେଟକୁ ବଢ଼େଇଛି ଦେଖ ।” କିଓ, ପେଟ ବଢ଼ିବା ସହିତ ଖାଇବାର କି ସମ୍ପର୍କ ? ପେଟ, ନାକ, କାନ ସବୁ ପିତୃମାତୃ ଦତ୍ତ ଟି ? ବାତ୍ସଲ୍ୟ ମମତା ଦେଖାଇଲା ଭଳି ସେ ପେଟକୁ ଆଉଁସିଲେ ।

 

‘ଗଲା ପୁତ୍ର ବାହୁଡ଼ି ନଇଲାଲୋ କୋଇଲି ।’ ସିଂ ବାବୁ ଟିକେ ଚାରିଆଡ଼େ ଟିକିଏ ନିରେଖି ଦେଖିଲେ । ସତେ ତ, ଯାହା ଗଲା ଆଉ ଫେରିବାର ନୁହେଁ । ଆଗ ପରି ଆଉ ଲୋକେ ତାଙ୍କ ପାଖ ପଶୁନାହାନ୍ତି । କାହାକୁ ନିଜେ ଡାକିଲେ ବି ସେ ମୁହଁ ବୁଲେଇ ଚାଲିଯାଉଛି । ଧେତ୍–ତେରିକା...... ।

 

ସେ କ’ଣ କଥା କହିନାହାନ୍ତି ? ପ୍ରତିଶ୍ରୁତି ଦେଇନାହାନ୍ତି ? ଟଙ୍କା କଉଡ଼ି ବାଣ୍ଟିନାହାନ୍ତି ? ଲୋକଙ୍କୁ ଲୋଭ ଦେଖେଇନାହାନ୍ତି ନା ନିଜେ ଦୌଡ଼ା ଦୌଡ଼ି କରିନାହାନ୍ତି ? ସବୁ କରିଛନ୍ତି । ତେବେ ହାରିଲେ କାହିଁକି ? ଭାଗ୍ୟ ? ହଁ ହୋଇଥିବ । ଭାଗ୍ୟ ବାମ ବେଳକୁ ପୋଷା କୁକୁର ବିଲେଇ ମଧ୍ୟ ଚୋଟେ ଚୋଟେ କାମୁଡ଼ି ପକେଇବେ ।

 

ପାର୍ଟି ନେତା ମୁଖ୍ୟମନ୍ତ୍ରୀ ତ ଜମା ଆସିଲେନି । ଖାଲି ନିଜ ଅଞ୍ଚଳରେ ଘୂରି ବୁଲିଲେ । ବ୍ରଜଟା ପାରିବାର ପିଲା ଯେ, ତାକୁ ହେଲା ଜ୍ଵର । ଆଉ ଶେଷଦିନ ଶ୍ରୀମତୀ ଟଙ୍କା ଥଳିକୁ ଜଗି ବସିଲେ । ଏ ସବୁ ସତ୍ତ୍ୱେ ଲୋକେ ଚାହିଁଲେ କ’ଣ ଭୋଟ ଦେଇନଥାନ୍ତେ ? ଅଧର୍ମ ୟାପ ଯୁଗ ହେଲା, କାହାକୁ କହିବ ?

 

ଭାଗ୍ୟ ସହିତ କର୍ମ ବି ଅଛି । ମୁଁ ପରା ସେଇଦିନରୁ କହୁଛି–ଇସ୍କୁଲ କଲେଜ କରି ପିଲାଙ୍କୁ ଏତେ ଶିକ୍ଷିତ କରେଇବା କି ଦରକାର ଥିଲା ? ଯୋଉଠି ହେଲେ ବେକାର ସମସ୍ୟାଟାକୁ ଯୋଡ଼ିଦେଇ ମାଗଣା ୟାପେ କି ଯମଦଣ୍ଡରେ ପକାଉଛନ୍ତି ହୋ । ହେଇ ଦେଖୁନ, ପାପିଷ୍ଟ ୟାପେ କରୁଛନ୍ତି ଫାରମ୍ । ଫାରମ୍ ନା ହିଙ୍ଗୁ । ସେଦିନ ଟିକେ କହିଲି ଯେ, ସେ ଦାଢ଼ିଆ ଟୋକା କାଣିଚାଏ ହେଲେ ଶୁଣିଲା ? ସମସ୍ତଙ୍କ ଆଗରେ ବେଜ୍ଜିତ କରିଦେଲା । ରାଜନୀତି ନୁହେଁ ଯେ ଏ ଫାରମ୍ ହିଁ ଶେଷରେ ତାଙ୍କର କାଳ ହେବ ।

 

ଆଉ ଶୋଇହେବ ନାହିଁ । ଭୀଷଣ ଗରମ ଲାଗିଲାଣି । ସିଂ ବାବୁ ଚାରିଫୁଟ ଉଚ୍ଚା ଖଟରୁ ତଳକୁ ଡେଇଁଲେ । ପାଦ ଚିପି ଚିପି ସେ ଅଗଣା ପିଣ୍ଡାରେ ଯାଇ ବସିଲେ ।

 

କେଡ଼େ ନିସ୍ତବ୍‌ଧ ଶୁନ୍‌ଶାନ୍ ଏ ରାତି । ବଳଭଦ୍ରଙ୍କ ସଂସାରଟା ବି ଏମିତି ଶୁନ୍‌ଶାନ୍ ହୋଇଗଲାଣି । ଆଗର ଘୂ ଘା ଆଉ ମୋଟେ ନାହିଁ । ଘରେ ପିଲାଟେ ହେଲେ ଥାନ୍ତା ? ଭଗବାନ୍ ବି ତାଙ୍କୁ ଆଣ୍ଠୁକୁଡ଼ା କରି ଦାଉ ସାଧୁଛନ୍ତି । ଏମ୍. ଏଲ. ଏ. ଥିଲାବେଳେ ଏ ସବୁ ଜଣାପଡ଼ୁନଥିଲା । ବାର ଲୋକର କଥା ଶୁଣୁ ଶୁଣୁ ଦିନଗୁଡ଼ିକ ଆନନ୍ଦରେ କଟିଯାଉଥିଲା । ଏବେ ଆଉ କେହି ନାହିଁ । ବଡ଼ ବିଷମ ଏ ସଂସାର । ପୁଞ୍ଜି, କ୍ଷମତା, ଲୋକବଳ ନଥିଲେ ଏ ବିଷମ ସଂସାରଟା ବିଲ୍‌କୁଲ୍ ଅସାର ।

 

ବଳଭଦ୍ର ସିଂ ଗୋଟାଏ କଳା ବିରାଡ଼ିକୁ ଦେଖି ଚମକିପଡ଼ିଲେ । ବଡ଼ ଅଶୁଭ ଚିହ୍ନ । ତାଙ୍କର ମନେହେଲା, ଦୁର୍ଦ୍ଦିନର ଦିନଗୁଡ଼ିକ ଯାଇନାହିଁ । ଏହୁଁ ବଳି ଦୁଃଖ ଦିନ ଆଗେଇ ଆସୁଛି । କିଛି ଦି’ଟା ଦାନ ଧର୍ମ କଲେ ବରଂ ଅରିଷ୍ଟ ଖଣ୍ଡନ ହେବ । ନହେଲେ ବର୍‌ଜକୁ ଧରି କେତେଦିନ ଅନ୍ତତଃ ପୁରୀ ପଳେଇଲେ ଟିକିଏ ତ୍ରାହି ମିଳନ୍ତା । ଚିତା ଚଇତନ ସିନା ମାରୁନି, ହେଲେ ତା’ଠି ବ୍ରହ୍ମତ୍ଵ ଅଛି । କିନ୍ତୁ ବ୍ରଜ ଯେ ଆଜିକାଲି ଆଉ ତାଙ୍କ ପାଖ ପଶୁନି । ମୁହାଁମୁହିଁ ହାବୁଡ଼ିଗଲେ ଶୁଖିଲା ହସ ହସି ଛୁ ମାରୁଛି ।

 

ହଁ, ମନେପଡ଼ିଲା । ସେଦିନ ଦେବ ବାବୁ ଆଉ ସେ ବସନ୍ତମୁହାଁ କଳା ଟୋକା କ’ଣ କହୁଥିଲେ ଟି ? ଜମିବାଡ଼ି ସବୁ ପ୍ରଥମେ ଆଦିବାସୀମାନେ ବଣ ଜଙ୍ଗଲ ତାଡ଼ି ତିଆରି କରିଥିଲେ । ବୁଦ୍ଧିଆ ଲୋକେ ସରଳ ଆଦିବାସୀଙ୍କୁ ଠକାଠକି କରି ଜମିତକ ହାତପଇଠ କରି ତାଙ୍କୁ ପାହାଡ଼ ଉପରକୁ ପଠାଇଛନ୍ତି । କେତେକଙ୍କୁ ଦରିଦ୍ର ଅବସ୍ଥାରେ ରଖି ବେଠି ଖଟାଉଛନ୍ତି । ଫାରମ୍ ହେଲେ କ୍ରମେ ଆଦିବାସୀ ଶ୍ରମିକମାନଙ୍କୁ ବେଶି ଉତ୍ପାଦନ କରିବା ଶିକ୍ଷା ଦେବେ । ଯାହାର ଜମି ନାହିଁ ତା’ପାଇଁ ଜମି ଖଞ୍ଜିଦେବେ ।

 

ଏଇ ମରମଭେଦୀ କଥାଗୁଡ଼ାକ ବଳଭଦ୍ର ବାବୁଙ୍କ ଦେହରେ ରଡ଼ ନିଆଁର ଚିଆଁ ଦେଉଥିଲା ଯେପରି । ଯଦି ସତରେ ଏମିତି ହୋଇଯାଏ, ତେବେ ତାଙ୍କର ଜମିକୁ ଦେଖିବ କିଏ ? ନିଜକୁ ତା’ହେଲେ ହଳ ବୁଲେଇବାକୁ ପଡ଼ିବ ନା କ’ଣ ?

 

ବଳଭଦ୍ର ବାବୁଙ୍କ ଆଖିଆଗରେ ସ୍ପଷ୍ଟ ହୋଇଗଲା ଯେ ଫାରମ୍ ହିଁ ତାଙ୍କର ସକଳ ବିପତ୍ତିର କାରଣ । ଏହି ଫାରମ୍ ଯୋଗୁଁ ବର୍‌ଜ ଆଜି ତାଙ୍କଠାରୁ ଦୂରେଇଯାଇଛି । ଏହି ଫାରମ୍ ଯୋଗୁଁ ସେ ନିର୍ବାଚନବେଳେ ଜ୍ଵରରେ ପଡ଼ି ତାଙ୍କ ସହିତ ବୁଲିପାରିଲା ନାହିଁ । ଏଇ ଫାରମ୍ ଯୋଗୁଁ ଚାଷବାସ କିମ୍ବା ଅନ୍ୟାନ୍ୟ ବିଷୟରେ ତାଙ୍କୁ ଆଉ କେହି ପଚାରୁନାହାନ୍ତି । ହାରିଗୁହାରି ଯାହା ତାଙ୍କ ଆଗରେ ସେମାନେ ବଖାଣୁଥିଲେ, ତା’ବି ହୋଇପାରୁନି । ଫାରମ୍‍ର ମଣିଷମାନଙ୍କ ମୁଣ୍ଡରେ ଯେପରି ଶିଙ୍ଗ ଉଠିଲା ଏବଂ ସେମାନେ ସିଂ ବାବୁଙ୍କୁ ଯେପରି ମାରି ଗୋଡ଼ାଇଲେ । ବଳଭଦ୍ରଙ୍କର ମାଂସପେଶୀଗୁଡ଼ିକ ଟଣକେଇଲା । କପାଳର ରେଖାମାନ ଗାଢ଼ ହେବାକୁ ଲଗିଲା । ଗଭୀର ଉତ୍ତେଜନାରେ ସେ ଉଠିପଡ଼ି ଶୋଇବା ଘରେ ପଶିଲେ । ଖଟ ଉପରକୁ ଗୋଟିଏ ଖେପାରେ ଡେଇଁ ଶେଯ ଉପରେ ଗଡ଼ିଲେ । ପାଖରେ ଶ୍ରୀମତୀ ଗଳଦ୍‌ଘର୍ମ ହୋଇ ଶୋଇଥିଲେ; ଝାଳଗନ୍ଧ ଚହଟୁଥିଲା । ତଥାପି ସିଂ ବାବୁ ଉତ୍ତେଜନାବଶତଃ ଶ୍ରୀମତୀଙ୍କ ବାହୁ ଓ ବେକ ଶୁଙ୍ଘି ପକାଇଲେ । ଓଠପୁଟ ନାକ ଆଡ଼କୁ ବଙ୍କେଇଗଲା । ଆଃ ! ତୃପ୍ତିର ପୁଲକ ଖେଳିଗଲା ତାଙ୍କ ଦେହରେ । ଅର୍ଦ୍ଧାଙ୍ଗିନୀଙ୍କ ଦେହ ଉପରେ ନିଜ ବାହୁର ପ୍ରଲେପ ପାଇ ଜାଗି ଉଠୁଥିବା କାମନାକୁ ସେ ଦମ୍ଭ ଧରି ଆଡ଼େଇନେଲେ । ବଇଲା ପରା, ଆହାର–ନିଦ୍ରା–ଭୟ–ମୈଥୁନ–ମଣିଷ ପତନର କାରଣ ।

 

ବଳଭଦ୍ର ବାବୁ ଆଖି ବୁଜିଲେ । ଫାରମ୍‌ର ପ୍ରତ୍ୟେକ ସଭ୍ୟ ତା’ହେଲେ ମାରଣା ଜନ୍ତୁ, ନା ? ମାରଣା ଜନ୍ତୁ ହେଣ୍ଟାଳ ଛାଡ଼ିବାବେଳେ ମାଡ଼ଦେଲେ ସେ ଆହୁରି ହିଂସ୍ରକ ହୋଇଉଠିବ । ପ୍ରଥମେ ଖେଳେଇ ବୁଲେଇ ଯନ୍ତା ଭିତରେ ପୂରେଇବାକୁ ପଡ଼ିବ । ତା’ପରେ କୋରଡ଼ା ମାଡ଼ ଦେଲେ ଆଉ କୁଆଡ଼େ ଚେଁକି ପାରିବେ ନାହିଁ ।

 

ଆର ସପ୍ତାହରେ ଫାରମ୍ ଉଦ୍‌ଘାଟନ ହେବ ପରା ? ରାଜଧାନୀରୁ କିଏ ଜଣେ ବଡ଼ ଇଂଜିନିୟର ଆସିବେ ବୋଲି ସେ ଦାଢ଼ିଆ ଟୋକା କହୁଥିଲା । ହଉ ଆସୁ । ନିଜେ ଆଉ ଟିକିଏ ଫାରମ୍ ସହିତ ମିଶିଯିବାକୁ ପଡ଼ିବ । ମିଶିଲେ ସିନା ସେମାନେ ରସିବେ । କିଏ ଜଣେ ଡାକ୍ତର ଆସିଛି ଯେ ଆସପତରି କରିବାକୁ ଦାଣ୍ଡ ଘରଟା ମାଗୁଥିଲେ । ଚେର କେତେ ଗଭୀରକୁ ମାଡ଼ିବା ପାଇଁ ଯତ୍ନ ଦେଖ ତ ?

 

ଫାରମ୍ ସଭ୍ୟଙ୍କ ଭିତରେ ଗାତ ଖୋଳୁ ଖୋଳୁ ସେ ଜାନି ଭେଣ୍ଡିଆକୁ ମୁଠେଇ ଧରିଲେ-। ପାଞ୍ଚ ବର୍ଷ ତଳେ ତା’ ଘର ନାଁରେ କିଛି ଟଙ୍କା ଲେଖେଇ ନେଇଛି । ଏ ଯାଏଁ ଶୁଝିନି । ସେ ଶଳାକୁ ପକଡ଼ିବାକୁ ପଡ଼ିବ । ତା’ ଜରିଆରେ ? ......ହବ, ହବ ।

 

ବଳଭଦ୍ର ସିଂ ଆନନ୍ଦରେ କୁରୁଳି ଉଠିଲେ । ଗୁଣୁ ଗୁଣୁ ହୋଇ ପିଲାଦିନେ ଶିଖିଥିବା ଗୀତଟିଏ ଆବୃତି କଲେ–“କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ । କରନ୍ତି ମଥୁରା.......” ପୁଣିଥରେ ରୁଟ୍‌କିନା କାମୁଡ଼ିଦେଲା ଗୋଟିଏ ମଶା । ସମସ୍ତ କ୍ରୋଧ ତ୍ରିନାଥ ତଥା ଫାର୍ମ ଉପରୁ ଉଠିଆସି ଅଜାଡ଼ି ହୋଇପଡ଼ିଲା ମଶା ଉପରେ । ଧଡ଼ କରି ଉଠିପଡ଼ିଲେ ସିଂ ବାବୁ । କୁଆଡ଼େ ଗଲା ସେ ମଶା ? ଅସନ୍ନ ମୃତ୍ୟୁ ଭୟରେ କେଉଁଠି ସୁକୁ ସୁକୁ ହୋଇ ଆତ୍ମଗୋପନ କରିଛି କି ?

 

ଇତସ୍ତତଃ ଡୋଳା ବୁଲାଇ ସିଂ ବାବୁ ଆବିଷ୍କାର କଲେ ଯେ ମଶାଟା ପତ୍ନୀଙ୍କ କଦଳୀ ମଞ୍ଜ ପରାୟ ଉଲଗ୍ନ ଜାନୁ ଦେଶରେ ବସିଛି ! କମ୍ ଆସ୍ପର୍ଦ୍ଧା ନୁହେଁ ତ କ୍ଷୁଦ୍ର ଜୀବର । ପ୍ରିୟତମାଙ୍କର ସମଗ୍ର ଦେହ ତାଙ୍କରି କେବଳ ଉପଭୋଗର ଯୋଗ୍ୟ । ଗୋଟାପଣ ତାଙ୍କର । ତା’ ଛଡ଼ା ଜାନୁପରି ଏକ ଉତ୍ତେଜକ ଅଙ୍ଗ ଯାହା ତାଙ୍କ ପାଇଁ ବିଶେଷ ଭାବରେ ସୁରକ୍ଷିତ ତା’ଉପରେ ଏ ମାରଣା ଜନ୍ତୁ ? ନିଶ୍ଚୟ ମଶା ଯମ ଦୁଆରକୁ ଗଲା ବୋଲି ଜାଣ ।

 

ମସ୍ତକ ପର୍ଯ୍ୟନ୍ତ କରଉତ୍ତୋଳନ କରି ସିଂ ବାବୁ ଦେଲେ ଠୋ କରି ଚାପୁଡ଼ାଏ ମଶା ଉପରେ । ତଥାପି ଉଡ଼ି ପଳାଇଲା ମଶା । ସେ କିନ୍ତୁ ଛାଡ଼ିନଥାନ୍ତେ । ଗୋଡ଼େଇ ଗୋଡ଼େଇ କେଉଁଠି ହେଲେ ମାରିଥାନ୍ତେ । କିନ୍ତୁ ଚପେଟାଘାତରେ ପ୍ରିୟତମା ଝଣାତ୍‌କିନା ଉଠିପଡ଼ିଲେ । ନିଜ ଜାନୁ ଉପରେ ସ୍ଵାମୀଙ୍କ ହାତ ଦେଖି କ’ଣ ଭାବିଲେ କେଜାଣି ମୁଁହ ପାଖକୁ ମୁଁହ ଆଣି ଗୋଟାଏ ବିରାଟ ହାଇ ମାରି କହିଲେ–“ଯଃ ! ବୁଢ଼ାଟେ ହେଲଣି, ରାତି ଅଧରେ ଗମାତ... ।”

 

–“ଥାଉ, ଥାଉ ।” ଲଥ୍‌କିନା ଶେଯରେ ଟଳିପଡ଼ିଲେ ସିଂ ବାବୁ । ଶ୍ରୀମତୀଙ୍କ କଥା ଅଧରେ ରହିଲା । ସିଂ ବାବୁ ମୋଟେ ସମ୍ଭାଳିପାରନ୍ତି ନାହିଁ ପତ୍ନୀଙ୍କ ପାଇରିଆ ତୁଣ୍ଡରୁ ନିର୍ଗତ ବାୟୁକୁ । ତା’ଉପରେ ଅଣଞ୍ଚାଶ ପବନ ପରି ବିରାଟ ହାଇ । ଗରମ ଲାଗୁଥିଲେ ମଧ୍ୟ ସେ ଘୋଡ଼ିଘାଡ଼ି ହୋଇ ଶୋଇଲେ । ତଥାପି ସେଇଠି–

 

‘ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲି ।’

 

ତେର

 

ଆଗେଇ ଚାଲ

 

ନୀଳ ରଙ୍ଗର ଶିଲ୍‍କ ପରଦା ଧୀରେ ଧୀରେ ଅପସାରିତ ହେବାକ୍ଷଣି ସ୍ମୃତିଫଳକରେ ଖୋଦିତ ବଡ଼ ବଡ଼ କଳା ଅକ୍ଷରର ଏଇ ଦୁଇଟି ପଦ ଦୃଷ୍ଟିଗୋଚର ହେଲା । ଘନ ଘନ କରତାଳି, ଶଙ୍ଖ ଓ ହୁଳହୁଳିରେ ଫାର୍ମ ପ୍ରକମ୍ପିତ ହେଲାବେଳେ ଉଦ୍‌ଘାଟକ ଇଂଜିନିୟର ଯୋଗେଶଚନ୍ଦ୍ର ଦାସ ପ୍ରସ୍ତର ଦେହରେ ଖୋଦିତ ଚାରୁକଳା ମଧ୍ୟରେ ଖୋଜି ବୁଲୁଥିଲେ ନିଜର ନାମ । ଏତେ ଉତ୍ସାହରେ ଟୋକାମାନେ ଫାର୍ମ ଉଦ୍‌ଘାଟନ କରିବାକୁ ନିମନ୍ତ୍ରଣ କରିଥିଲେ, ଅଥଚ ସ୍ମୃତିଫଳକରେ ଉଦ୍‌ଘାଟକ ହିସାବରେ ତାଙ୍କର ନାଁ ରହିନି ? ସେ ହସୁଥିଲେ ଅଥଚ ମନ ଭିତରେ କିଛି ଗୋଟାଏ ଖୋଜୁଥିଲେ-

 

ମୋଟା ଗାଢ଼ ଅକ୍ଷରରେ ଏଇ ମାତ୍ର “ଆଗେଇ ଚାଲ” ସ୍ପଷ୍ଟ ଜଣାପଡ଼ୁଛି । ତା’ ତଳକୁ ଗୋଟିଏ ମୋଟା ନାଲି ଗାର ପଥରର ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ ଲମ୍ବିଛି । ପୃଷ୍ଠ ଭୂମିରେ ଫିକା ନୀଳ ରଙ୍ଗର କେତେକ ଚିତ୍ର ଅଙ୍କିତ ହୋଇଛି । ସେ ଭିତରେ ଅବା ଉନ୍ମୋଚକଙ୍କ ନାମ ଖୋଦିତ ହୋଇଥିବ । ଯୋଗେଶ ବାବୁ ତନ୍ନ ତନ୍ନ କରି ଚାହିଁଲେ । ସେ ଦେଖିଲେ ଗୋଟିଏ ଘଞ୍ଚ ଅରଣ୍ୟର ଚିତ୍ର । ଲତା ବୁଦା ଆଡ଼େଇ ଗୋଟିଏ ବୃଦ୍ଧା ବଣ ଭିତରକୁ ପଶିଯାଉଛି । ମୁହଁ ପଛକୁ ବୁଲାଇ ତାକୁ ଅନୁସରଣ କରିବାକୁ ଜଣେ କିଶୋରକୁ ଇଙ୍ଗିତ ଦେଉଛି । ଅରଣ୍ୟର ବୃକ୍ଷ ଲତା ଆଢ଼ୁଆଳରୁ ଚେନାଏ ସୂର୍ଯ୍ୟ ରଶ୍ମିର ଝଲକ ଦେଖାଯାଉଛି ।

 

ନାଲି ଗାରର ତଳକୁ ଚନ୍ଦ୍ରାବତୀ ଯୋଜନାର ଜଳସେଚିତ ଅଞ୍ଚଳ ସମ୍ବନ୍ଧୀୟ ଯାନ୍ତ୍ରିକ ନକ୍‌ସା । ଅକ୍ଷାଂଶ ଦ୍ରାଘିମା ସହ ଚନ୍ଦ୍ରାବତୀ ନଦୀ ଡ୍ୟାମ୍, କେନାଲ ଆଦି ଦର୍ଶାଯାଇଛି । ଜଳସେଚିତ ଅଞ୍ଚଳ ମଧ୍ୟରେ ‘ପ୍ରଗତି ଫାର୍ମ’ର ସ୍ଥିତି ମଧ୍ୟ ଦେଖାଯାଉଛି । “ଆଗେଇ ଚାଲ” ପୃଷ୍ଠଭୂମିର ଏପରି ଏକ ଚମତ୍କାର ଖୋଦିତ ଚାରୁକଳା ଦେଖି ଯୋଗେଶ ବାବୁ ମୁଗ୍‌ଧ ହେଲେ । ଭୁଲିଗଲେ ନିଜ ନାମକୁ ପ୍ରସ୍ତର ଦେହରେ ଦେଖିବାର ଅଭୀପ୍‌ସା । ସେ ଦେବଠାରୁ ବୁଝିନେଲେ ଯେ, ବାପା ନିତ୍ୟାନନ୍ଦଙ୍କ ସହ ଆଲୋଚନା କରି ରବି ତାକୁ ଡିଜାଇନ୍ କରିଛି ।

 

ସ୍ମୃତି ଫଳକରୁ ମୁଁହ ବୁଲାଇ ସଭାସଦ୍ ବ୍ୟକ୍ତିଙ୍କ ଆଡ଼କୁ ସେ ଚାହିଁଲେ । ଅରଣ୍ୟ ଫୁଲ ପରି ନାଲି ନେଳି ପୋଷାକ ପିନ୍ଧା କେତୋଟି ଗ୍ରାମବାସୀ । ଅନ୍ୟ ଯେଉଁମାନେ ମୃଦୁ ଗୁଞ୍ଜନ କରି ତାଙ୍କରି ଆଡ଼କୁ ଚାହୁଁଥିଲେ ସେମାନେ ହେଲେ–ସରକାରୀ ଅଫିସରଙ୍କ ଭିତରୁ, ତିନିଜଣ କୃଷି ବିଭାଗର, ଦୁଇଜଣ ପଶୁପାଳନ ବିଭାଗର, ଜଣେ ମେଡ଼ିକାଲ ଅଫିସର, ଜଣେ ଗ୍ରାମ୍ୟ ଶିକ୍ଷକ, ଦୁଇଜଣ ଇଂଜିନିୟର, ସ୍ଥାନୀୟ ବି.ଡି.ଓ. ଓ ତହସିଲଦାର । ଅନ୍ୟାନ୍ୟ ଉଲେଖଯୋଗ୍ୟ ବ୍ୟକ୍ତି ହେଲେ–ସଭାପତିତ୍ଵ କରୁଥିବା ଭୂତପୂର୍ବ ଏମ୍.ଏଲ.ଏ. ବଳଭଦ୍ର ସିଂ, ତିନିଜଣ ସରପଞ୍ଚ, କେତେକ ସ୍ଥାନୀୟ କୃଷକ ଏବଂ ଯୋଗେଶ ବାବୁଙ୍କ ବଡ଼ ଝିଅ ତନୁଜା ।

 

ଡାଃ ନରେଶ ଦଶ ଦିନ ହେଲା ଫାର୍ମକୁ ଆସିଲାଣି । ଆରତି, ନିତ୍ୟାନନ୍ଦ ଏବଂ ଦେବ ବୋଉ ମଧ୍ୟ ଆସିଛନ୍ତି । ଆଉ ପନ୍ଦର ଦିନ ପରେ ସ୍କୁଲ ଖୋଲିଲେ ନିତ୍ୟାନନ୍ଦ ବାବୁ ଓ ଦେବ ବୋଉ ସୁଜନପୁର ଚାଲିଯିବେ । ଏଇ ଦିନଗୁଡ଼ିକରେ ଫାର୍ମର ଆବେଷ୍ଟନୀ ମଧ୍ୟରେ ଆରତି ଚଳିପାରିବ ନା ନାହିଁ ସେମାନେ ସ୍ଥିର କରିବେ ।

 

ସଭା ଆରମ୍ଭ ହେଲା । ଫାର୍ମ ତରଫରୁ ଦେବବ୍ରତକୁ ପ୍ରଥମେ କିଛି କହିବାକୁ ପଡ଼ିଲା । ଜୀବନରେ ଭାଷଣ ଦେବା ଦେବବ୍ରତର ଏହା ପ୍ରଥମ । ଦୁଇ ତିନିଥର କାଶି ଥଙ୍ଗେଇ ଥଙ୍ଗେଇ କହିଲା–“ଆମେ ଏଠାରେ ବହୁମୂଖୀ ଫାର୍ମ କରିବାର ପରିକଳ୍ପନା କରିଛୁ । ଆମେ ଏଠାରେ ଯାନ୍ତ୍ରିକ ପଦ୍ଧତି ଅନୁସରଣ କରିବୁ । ଆମଠୁ ଦେଖି ଗ୍ରାମବାସୀମାନେ ଉତ୍ସାହ ଦେଖାଇ କାମ କଲେ ସେମାନେ ମଧ୍ୟ ଲାଭବାନ ହେବେ । ସେମାନେ ଦେଖିବେ ଏଇ ଫାର୍ମ ପ୍ରାନ୍ତଟି ଖରା, ବର୍ଷା ସବୁବେଳେ ଶସ୍ୟଶ୍ୟାମଳ ହୋଇ ରହୁଛି । ଏଥିରୁ ସେମାନେ ଉପଲବ୍ଧ କରିବେ ଯେ ଭଗବାନଙ୍କ ଦରବାରରେ ଏଇ ଅଞ୍ଚଳଟି ପରିତ୍ୟକ୍ତ ନୁହେଁ । ମଣିଷର ହାତ ବାଜିଲେ ଶୁଷ୍କ ଭୂମିରେ ମଧ୍ୟ ସୁନା ଫସଲ ଫଳିବ ।”

 

ତା’ପରେ ନିତ୍ୟାନନ୍ଦ ବାବୁଙ୍କୁ ସ୍ମୃତି ଫଳକରେ ଖୋଦିତ “ଆଗେଇଚାଲ” ବିଷୟରେ କିଛି କହିବାକୁ ଅନୁରୋଧ କରାଗଲା । ଆଗରୁ ଭାଷଣ ଦେବାପାଇଁ ପ୍ରସ୍ତୁତ ନ ଥିଲେ ମଧ୍ୟ ନିତ୍ୟାନନ୍ଦ ବାବୁ ଗଳା ସଫା କରି ଆରମ୍ଭ କରିଦେଲେ ।

 

–“ଜଗତ୍‌ଗୁରୁ ତାଙ୍କର ଐତରିୟ ବ୍ରାହ୍ମଣ ଉପନିଷଦରେ ରାଜପୁତ୍ର ରୋହିତଙ୍କ ଉପାଖ୍ୟାନରେ ଲେଖିଛନ୍ତି ଯେ, ରାଜପୁତ୍ର ରୋହିତ ଏକଦା ଚାଲି ଚାଲି କ୍ଳାନ୍ତ ଶ୍ରାନ୍ତ ହୋଇ ଘରକୁ ବାହୁଡ଼ି ଆସିବାକୁ ବସିଲେ । ସେତେବେଳେ ଇନ୍ଦ୍ର ବୃଦ୍ଧା ବ୍ରାହ୍ମଣୀ ବେଶରେ ତାଙ୍କ ଆଗରେ ଉପସ୍ଥିତ ହୋଇ କହିଲେ, ‘ଚାଲୁ ଚାଲୁ କ୍ଳାନ୍ତ ହୋଇପଡ଼ିଲେ ମଧ୍ୟ ଲକ୍ଷ୍ୟ ହାସଲ ପାଇଁ ଯେ ଚାଲିବାରୁ କ୍ଷାନ୍ତ ହୁଏ ନାହିଁ ତା’ର ଶ୍ରୀ ବୃଦ୍ଧି ହୁଏ । ହେ ରୋହିତ ! ଏ କଥା ମୁଁ ଚିରଦିନ ଶୁଣୁଛି । ଯେ ଚାଲେ, ଦେବତା ଇନ୍ଦ୍ର ସଖା ରୂପେ ତ । ସଙ୍ଗେ ସଙ୍ଗେ ବରାବର ଚାଲନ୍ତି । ଯେ ଚାଲିବାକୁ ଚାହେଁ ନାହିଁ, ସେ ଶ୍ରେଷ୍ଠ ଲୋକ ହେଲେ ମଧ୍ୟ କ୍ରମେ ନୀଚ ହୋଇଯାଏ । ଅତଏବ ଆଗେଇ ଚାଲ-।’

 

ନିତ୍ୟାନନ୍ଦ ହଠାତ୍ ସ୍ଵର ଲମ୍ବାଇଲେ–

 

କଳିଃ ଶୟାନୋ ଭବତି ସଞ୍ଜ ହାନନ୍ତୁ ଦ୍ଵାପରଃ,

ଉତିଷ୍ଟଂ କ୍ରେତା ଭବତି କୃତଂ ସମ୍ପଦ୍ୟତେ ଚରନ୍ ।

Unknown

ଚରୈବେତି, ଚରୈବେତି ।

 

ଶୋଇରହିବା ହିଁ କଳିକାଳ, ଜାଗିଲେ ହେଲା ଦ୍ଵାପର, ଉଠି ଠିଆହେଲେ ହେଲା ତ୍ରେତା, ଆଗେଇ ଚାଲିବା ହେଲା ସତ୍ୟ ଯୁଗ । ତେଣୁ ଆଗେଇ ଚାଲ, ଆଗେଇ ଚାଲ ।

 

ରୋହିତ ବୃଦ୍ଧା ବ୍ରାହ୍ମଣୀର ଉପଦେଶରେ ଉଦ୍‌ବୃଦ୍ଧ ହୋଇ ଚାଲିବାକୁ ଆରମ୍ଭ କଲେ କିଛିକ୍ଷଣ ପରେ ପୁଣି ସେ କ୍ଳାନ୍ତି ଅନୁଭବ କରନ୍ତେ ବୃଦ୍ଧାବେଶୀ ଇନ୍ଦ୍ର କହିଲେ, ‘ଅଭ୍ୟୁଦୟ ହେଉଛି ଅମୃତ ଲାଭ । ଅଗ୍ରସର ହେବା ତା’ର ସ୍ଵାଦୁଲାଭ । ଚାହିଁ ଦେଖ, ଏଇ ସୂର୍ଯ୍ୟ ଆଲୋକ ସମ୍ପଦ, ଯେ ସୃଷ୍ଟିର ଆଦିରୁ ଚାଲୁ ଚାଲୁ ଦିନେହେଲେ ଘୁମେଇ ପଡ଼ି ନାହିଁ । ଅତଏବ ଆଗେଇ ଚାଲ ।

 

ଆୟୁଃ କ୍ଷଣ ଲଭ ମାତ୍ର ନ ଲଭ୍ୟତେ

ହେମ କୋଟିଭିଃ କ୍ୱାପି

ତଚ୍ଛେତ୍ ଗଚ୍ଛତି ସର୍ବଂ ମୃଷା ତତଃ–

କାଧିକା ହାନିଃ ।

 

କୋଟି କୋଟି ସୁବର୍ଣ୍ଣ ବିନିମୟରେ କୌଣସିଠାରେ କ୍ଷଣକାଳ ପାଇଁ ଲେଶମାତ୍ର ପରମାୟୁ ଲାଭ କରାଯାଇପାରେ ନାହିଁ । ସେଇ ଆୟୁ ଯଦି ସମସ୍ତ ବୃଥା ଚାଲିଯାଏ, ତେବେ ତା’ଠାରୁ ବଳି ଆଉ ଅଧିକ ହାନି କ’ଣ ହୋଇପାରେ ?’

 

ଏପରି ଉପଦେଶରେ ରୋହିତର କ୍ଳାନ୍ତି ଦୂର ହେଲା । ନୂତନ ଉଦ୍ଦୀପନାରେ ସେ ଆଗେଇଯାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ।

 

ଏଠି ପିଲାମାନେ ଯେଉଁ ଯୋଜନା କରିବାକୁ ଯାଉଛନ୍ତି, ତା’ର ଉଦ୍ଦେଶ୍ୟ ମହତ୍ । ଲକ୍ଷ୍ୟସ୍ଥଳ ବହୁ ଦୂରରେ । ସେଠାରେ ପହଞ୍ଚିବାକୁ ହେଲେ ଅରଣ୍ୟ କାନ୍ତାର ଭିତରେ ବହୁ ବନ୍ଧୁର ପଥ ଅତିକ୍ରମ କରିବାକୁ ହେବ । ରୋହିତ ଉପାଖ୍ୟାନ ମନରେ ରଖି ସର୍ବଦା ଏମାନେ ଲକ୍ଷ୍ୟ ହାସଲ ପାଇଁ ଆଗେଇଯିବା ଉଚିତ । ଏପଟ ସେପଟ ହେଲେ ଈର୍ଷା, ଘୃଣା, ପରଶ୍ରୀକାତରତା, ସ୍ଵାର୍ଥ ଆଦି ପଛକୁ ଟାଣି ପଥଭ୍ରଷ୍ଟ କରାଇଦେବ ।”

 

ଯୋଗେଶ ବାବୁ ନିତ୍ୟାନନ୍ଦଙ୍କ ଉପଦେଶକୁ ମନେରଖି ସମସ୍ତେ କାମ କରିବାକୁ କହିଲେ । ବେକାର ଯୁବକମାନଙ୍କର ସାଧନ ଫଳପ୍ରସୂ ହେବାପାଇଁ ଆଶୀର୍ବାଦ ଜଣାଇ, ସେମାନଙ୍କ କର୍ମରେ ସରକାରୀ ଅଫିସରମାନେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଶେଷରେ ସେ ଚନ୍ଦ୍ରାବତୀ ଯୋଜନା ସମ୍ବନ୍ଧେ ଗୋଟିଏ ସଂକ୍ଷିପ୍ତ ଭାଷଣ ଦେଇ ତା’ର ଜରୁରୀ ଆବଶ୍ୟକତା ବୁଝାଇଥିଲେ । ଫାର୍ମର କାମ କରୁଥିବା ଯୁବକମାନେ ଶେଷରେ ଏଇ ମାଟିର ମଣିଷ ହେବେ । ତେଣୁ ସେମାନଙ୍କର ଏବଂ ସ୍ଥାନୀୟ ଗ୍ରାମବାସୀଙ୍କର ପ୍ରକୃଷ୍ଟ ହିତୋପକାରୀ ଚନ୍ଦ୍ରାବତୀ ଯୋଜନାଟି କିପରି କାର୍ଯ୍ୟକାରୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସୂଚନା ଦେଲେ ।

 

ସଭାପତି ବଳଭଦ୍ର ବାବୁ ପେଟ ଉପରେ ହାତ ଥାପି ଆଖିର ଡୋଳା ଦୁଇଟିକୁ ଚକ୍ରାକାରରେ ଘୁର୍ଣ୍ଣନ କରି କହିଲେ, “ଭାଇମାନେ, ଭଉଣୀମାନେ, ଅଫିସରମାନେ, ଆମ ଅଞ୍ଚଳର ମେଲେ, ଆଉ ପଣ୍ଡିତେ ମଧ୍ୟ ! ଆଜି ଦେଶିଆ ପରଜାମାନଙ୍କର ବଡ଼ ଶୁଭଦିନ । ଏଠି ବରଜ ବାବୁ, ଦେବବରତ ବାବୁ, (ନିମ୍ନ କଣ୍ଠରେ–‘ସେ ଦାଢ଼ିଆ ବାବୁଙ୍କ ନାଁ କ’ଣ ହୋ ଦେବ ବାବୁ’–‘ବିଜୟ’) ହଁ ହଁ ବିଜୟ ବାବୁ ଆଦି ଦଶଜଣ ବାବୁମାନେ ଇଠି ଫାର୍ମ କରୁଛନ୍ତି । ସେମାନେ କହୁଛନ୍ତି, ପରଜାମାନଙ୍କର ଦୁଃଖ ଘେନା କରି ତୁମକୁ ଆନନ୍ଦ ଦେବେ । ଇଟା ବଡ଼ ସୁଖର କଥା । ଆମର ଗାଁ କେନ୍ଦୁପଦରରେ ଡାକତର ନରେଶ ବାବୁ ଆସ ପତରି କରିବେ । ମୁଇଁ ସିଟା ପାଇଁ ଆମର ଘର ଗୁଟେ ଦାନ ଦେଇଛି (କରତାଳି) । ସେ ରୋଗୀମାନଙ୍କୁ ଭଲ କରିବେ । ମୁଁ ଗାଁ ଲୋକଙ୍କ ତରଫରୁ ବାବୁମାନଙ୍କୁ ଅଭିନନ୍ଦନ ଜଣାଉଛି । ସଭା ଭଙ୍ଗ ହେଲା । ସମସ୍ତେ ଫାର୍ମ ବୁଲି ବାହାରିଲେ । ପାହାଡ଼ ତଳୁ ସମଗ୍ର ଫାର୍ମ ସ୍ପଷ୍ଟ ଦେଖାଯାଉଛି । ଚନ୍ଦ୍ରାବତୀ ନଈ କୂଳରୁ ପାହାଡ଼ ପର୍ଯ୍ୟନ୍ତ ଚାରୋଟି ଉଚ୍ଚତାରେ ସମତଳ କରାଯାଇଛି । ସବୁଠାରୁ ଉଚ୍ଚା ଜମିର କୋଡ଼ିଏ ଏକର ସ୍ଥାନରେ ଧାଡ଼ିକି ଧାଡ଼ି ଫଳ ଗଛ ଚାରା ଥୁଆ ହୋଇଛି । ବର୍ତ୍ତମାନକୁ ଆମ୍ବ, ପଣସ, କମଳା ଓ ଲେମ୍ବୁ ଚାରା ଆସିଯାଇଛି-। ଅଳ୍ପଦିନ ପରେ କଫି ଗଛ ଲଗାଯିବ । ଗଛ ଅନୁସାରେ ଦଶ ପନ୍ଦର ଫୁଟ ଅନ୍ତରରେ ବିରାଟ ଗାତମାନ ବିକ୍ଷିପ୍ତ ହୋଇପଡ଼ିଛି । ଗାତମାନ ମାଟି ଓ ଖତରେ ଭରପୂର ।

 

ଫାର୍ମର ଡାହାଣଦିଗରେ ତଳରୁ ଉପର ମୁଣ୍ଡଯାଏ ଗୋଟିଏ କଚ୍ଚା ମୁରମଦିଆ ରାସ୍ତା । ଏହି ମୁଖ୍ୟ ରାସ୍ତାରୁ ଫାର୍ମ ମଧ୍ୟଦେଇ ଆର ମୁଣ୍ଡରେ ଥିବା ନାଳ ପର୍ଯ୍ୟନ୍ତ ଛୋଟ ଛୋଟ ଚାରୋଟି ରାସ୍ତା ।

 

ଅତିଥିମାନେ ପ୍ରଥମ ଉଚ୍ଚା ଜମିକୁ ପାରହୋଇ ଦ୍ଵିତୀୟ ଜମିରେ ପହଞ୍ଚିଲେ । ଏହା ପନ୍ଦର ଏକର ବିଶିଷ୍ଟ । ଉଚ୍ଚା ଜମିରୁ ଦୁଇ ଫୁଟ ନିମ୍ନରେ ଏହାର ଅବସ୍ଥିତି । ଏଠାରେ କଦଳୀ, ଅମୃତଭଣ୍ଡା ଆଦି ଗଛ ଲଗାଯିବ । ତା’ ପାଇଁ ମଧ୍ୟ ଧାଡ଼ି ଧାଡ଼ି ଚାରା ଥୁଆ ହୋଇଛି । ଗୋଟିଏ କଡ଼କୁ ପାଞ୍ଚ ବଖରାର ମୁଖ୍ୟ ଗୃହ । ଘର ସାମ୍ନାରେ କୂଅଟିଏ । ତା’ରି ପାଖରେ ପନ୍ଦର ଫୁଟ ଉଚ୍ଚର ଗୋଟିଏ ଭାଡ଼ି, ସେଥିରୁ ସମଗ୍ର ଫାର୍ମର କାର୍ଯ୍ୟକଳାପ ସହଜେ ଦେଖିହେବ ।

 

ତୃତୀୟ ଓ ଚତୁର୍ଥ ଜମିରେ ଅନ୍ୟାନ ଫସଲ, ଯଥା : ଧାନ, ଗହମ, ଆଳୁ, ପନିପରିବା ପାଇଁ ବିସ୍ତୀର୍ଣ୍ଣ କ୍ଷେତ । ଦୁଇ ଜମିର ସୀମାରେ ଲଗାଲଗି ହୋଇ କୁକୁଡ଼ାଘର, ଗୋଶାଳା, ଶସ୍ୟ ଅମଳ ଓ ଶସ୍ୟାଗାର ପାଇଁ ସ୍ଥାନ ଏବଂ ୱାର୍କସପ୍ । ଏଠି ମଧ୍ୟ ଗୋଟିଏ କୂଅ । ଫାର୍ମର ଶେଷ ମୁଣ୍ଡରେ ଚନ୍ଦ୍ରାବତୀ ନଈକୂଳେ ପମ୍ପ ହାଉସ୍, ଗାଈଗୋରୁଙ୍କ ବିଶ୍ରାମ ସ୍ଥାନ ଏବଂ ଘାସ ଚାଷପାଇଁ ଅଳ୍ପ ଜମି ।

 

ଗାଈ ଓ କୁକୁଡ଼ାଗୁଡ଼ିକ ଭାରି ତାଜା ଦେଖାଯାଉଛନ୍ତି । ବର୍ତ୍ତମାନ ପାଇଁ ଦୁଇଟି ଜର୍ସି ଗାଈ ଓ ତିନୋଟି ଭଲ ଧରଣର ଦେଶୀ ଗାଈ ରହିଛନ୍ତି । ପରିଷ୍କାର ଗୁହାଳଟିଏ । ଗୋବର ଗୋଟିଏ ମୁଣ୍ଡରେ କେବଳ ପଡ଼ିବ । ମୂତ ସଙ୍ଗେ ସଙ୍ଗେ ବୋହିଆସି ନାଳରେ ପଡ଼ୁଥିବ, ଗୋଖାଦ୍ୟ ତଳେପଡ଼ି ନଷ୍ଟ ହେଉନଥିବ । ଯଥେଷ୍ଟ ସୂର୍ଯ୍ୟାଲୋକ ପଡ଼ି ଦୁର୍ଗନ୍ଧ ଦୂର ହେଉଥିବ । କୁକୁଡ଼ା ଘର ଓ ଗୁହାଳ ନିବୁଜ । ବାହାରୁ ତାଲାଦେଇ ବନ୍ଦ କରିହେବ । ଦୈବାତ ପାଖ ଜଙ୍ଗଲରୁ ହିଂସ୍ରଜନ୍ତୁ ଆସିଲେ ଗୁହାଳ ଭିତରେ ପଶିପାରିବେ ନାହିଁ ।

 

ୱାର୍କସପ୍‌ରେ ଟ୍ରାକ୍ଟର, ପମ୍ପ ଆଦି ଜିନିଷର ରକ୍ଷଣାବେକ୍ଷଣ ଓ ଛୋଟକାଟିଆ ମରାମତି ପାଇଁ ସମସ୍ତ ସରଞ୍ଜାମ ରହିଛି । ଫାର୍ମରେ ବ୍ୟବହୃତ ଅନ୍ୟାନ୍ୟ ଜିନିଷ ରଖିବାପାଇଁ ୱାର୍କସପ୍ ପାଖରେ ଓ ମୁଖ୍ୟ ଅଫିସ୍ ଘରପାଖରେ ଦୁଇଟି ସ୍ଵତନ୍ତ୍ର ଷ୍ଟୋର । ସେଠି ରହୁଛି ଅଖା, ସିମେଣ୍ଟ, କୋଦାଳ, ଗଇଁତି, କୁରାଢ଼ି, ସାର ଇତ୍ୟାଦି ।

ଫାର୍ମର ନାନାଜାତୀୟ ମଇଳା ଓ ଗୋବରକୁ ନେଇ ବାଁପଟର କେତେକ ଖାଲୁଆ ଜମିରେ ଦଶଟି କମ୍ପୋଷ୍ଟ ଗାତ ରହିଛି ।

ଭବିଷ୍ୟତରେ ହେବାକୁ ଯାଉଥିବା କେତେକ ନିର୍ମାଣ ବିଷୟରେ ଯୋଗେଶବାବୁଙ୍କ ସହିତ ସଭ୍ୟମାନେ ଆଲୋଚନା କଲେ । ଫାର୍ମ ଭିତରେ ଏବଂ କୁନ୍ଦୁଲିହାଟ ରାସ୍ତାରୁ ଫାର୍ମ ପର୍ଯ୍ୟନ୍ତ ଗୋଟିଏ ମୁରମଦିଆ ପକ୍‌କା ରାସ୍ତା ନିହାତି ଜରୁରୀ । ତା’ ଛଡ଼ା ଫାର୍ମପାଖ ଛୋଟ ନାଳ ଦେହରେ ବନ୍ଧ ବାନ୍ଧି ଉପର ମୁଣ୍ଡରେ ଜଳସେଚନ କରାଯାଇପାରିବ । ଜଳାଶୟରେ ମାଛଚାଷ ମଧ୍ୟ ହେବ ।

ମଧ୍ୟାହ୍ନ ଭୋଜନ ପରେ ଅତିଥିମାନେ କେତୋଟି ଫଳଗଛ ଲଗାଇଲେ ଏବଂ ସେହିଦିନ ଧାନବୁଣା ଆରମ୍ଭ ହେଲା । ପ୍ରଥମ ଧାନ ମୁଠି ପକାଇଲେ କେନ୍ଦୁପଦରର ଜଣେ ବୃଦ୍ଧ ଆଦିବାସୀ କୃଷକ । ଗାଁ ପିଲାମାନେ କେତୋଟି ଫଳଗଛ ଚାରା ରୋଇଲେ ।

ସେଦିନ ରାତିରେ ବଳଭଦ୍ରବାବୁଙ୍କ ତରଫରୁ ଗୋଟିଏ ରାତ୍ରି ଭୋଜନର ଆୟୋଜନ ହୋଇଥିଲା । ନିଜ ଖମାରରୁ ସେ ଚାଉଳ, ଡାଲି, ଯୋଗାଇ ଦେଇଥିଲେ । ସିଂ ବାବୁ ଆଜିକାଲି ଫାର୍ମ କାର୍ଯ୍ୟରେ ବେଶି ଉତ୍ସାହ ଦେଖାଉଛନ୍ତି, ସଭ୍ୟମାନଙ୍କୁ ଯେକୌଣସି କାର୍ଯ୍ୟରେ ସାହାଯ୍ୟ କରିବାକୁ ବାହାରି ପଡ଼ୁଛନ୍ତି ।

ଆଦିବାସୀମାନେ ରାତି ଆଠଟାରୁ ଭିଡ଼ ଜମାଇଲେ । ଭୋଜନ ପରେ ନାଚ ଆରମ୍ଭ ହେଲା । ପେଁକାଳି, ଡୁଙ୍ଗ୍‍ ଡୁଙ୍ଗା ଓ ଅନ୍ୟାନ ବାଦ୍ୟଯନ୍ତ୍ର ବାଜିଉଠିବା ସଙ୍ଗେ ପନ୍ଦର ବର୍ଷରୁ ତିରିଶ ବର୍ଷର ଧାଂଡ଼ା ଧାଂଡ଼ିମାନେ ଧାଡ଼ିବାନ୍ଧି ହାତକୁ ହାତ ଛନ୍ଦି ନାଚ ଆରମ୍ଭ କଲେ । ଆଦିବାସୀ ସଂସ୍କୃତିର ଏହି ନିରୀହ, ନିରାଡ଼ମ୍ବର ନୃତ୍ୟଶୈଳୀ ପ୍ରାଣପ୍ରାଚୁର୍ଯ୍ୟରେ ଯେମିତି ସର୍ବଦା ଉସୋଚ୍ଛଳ ।

ନାଚ ସାଙ୍ଗକୁ ସେମାନଙ୍କର ଅଭ୍ୟସ୍ତ କଣ୍ଠରୁ ଆପେଆପେ ଝରିପଡ଼ିଲା । ଅନେକ ଗୀତ-। ତାଳ, ଲୟ, ରାଗର ସୁସଂଯତ ସ୍ଫୁରଣା ଗୀତରେ ଗୀତରେ ଆଦିବାସୀ ଜୀବନର ଚିରନ୍ତନୀ ଜୀବନ ସଙ୍ଗୀତ । ସତେଯେମିତି ସେମାନଙ୍କର ଅନାବିଳ ଉଲ୍ଲାସ ଓ ଆବେଗ ଜାଜ୍ଜ୍ୱଲ୍ୟମାନ ହୋଇ ରାତିର ସେଇ ତିମିରାଚ୍ଛନ୍ନ ପ୍ରହରଟିକୁ ଆଲୋକିତ କରି ପକାଉଥିଲା–

“ପାନୀ ମାରିଗଲା ଝାଇଁ

ପାନୀ ମାରିଗଲା ଝାଇଁ ।

ଟୁପୁରୁ ଟାପର ମଉଲ ପଡ଼େ ମଉଲ ଗଛର ତଲେ,

ମଉଲ ବେଟୁକେ ବା’ର ହଇଗଲି କୁକୁଡ଼ା ଭାଷଲାବେଲେ,

ପାଆନ୍ତି ତରାର ବେଲେ,

ମଉଲ ବେଟି, ମଉଲ ଫୁଲାଇ, ମଉଲ ଝୁଲାଇ ମାତି ଶୋଇଦେଲି ମୁଇଁ

ପାନୀ ମାରିଦେଲା ଝାଇଁ ।”

ପାହାନ୍ତିଆ ଯାଏଁ ନାଚ ଚାଲିଲା । ଯୋଗେଶବାବୁ ରାତି ବାର ପର୍ଯ୍ୟନ୍ତ ତନ୍ମୟ ହୋଇ ଆଦିବାସୀ ନାଚ ଉପଭୋଗ କଲେ । ତା’ପରେ ସେ ରାଜଧାନୀ ଉପଲକ୍ଷ୍ୟେ ବାହାରିପଡ଼ିଲେ । ତା’ ଆରଦିନ ରାଜ୍ୟସ୍ତରୀୟ ଏକ ସମ୍ମିଳନୀରେ ସେ ଯୋଗଦେବେ ।

ବାଟରେ ଯାଉ ଯାଉ ଯୋଗେଶବାବୁ ଭାବିଲେ; ଅନେକ ଲୋକ ଯୋଜନା କରନ୍ତି କିନ୍ତୁ ନିଜେ ତାକୁ କାର୍ଯ୍ୟକାରୀ କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି । ଏଠି କିନ୍ତୁ ତା’ର ଏକ ବ୍ୟତିକ୍ରମ ଦେଖାଗଲା । ତଥାପି ଏଇ ଯେଉଁ ବେକାର ଶିକ୍ଷିତ ଯୁବକମାନେ ଗୋଟିଏ ନିହାତି ଅନୁନ୍ନତ ଅଞ୍ଚଳରେ ଫାର୍ମ କରିବେ ବୋଲି ଅଣ୍ଟା ଭିଡ଼ିଛନ୍ତି ସେମାନେ କୃତକାର୍ଯ୍ୟ ହେବେ ତ ? ହାତର ପାଞ୍ଚ ଆଙ୍ଗୁଠି ଯେତେବେଳେ ସମାନ ନୁହେଁ, ଦଶଜଣ ଏକ ଲକ୍ଷ୍ୟରେ ଧାଇଁବେ କିପରି ? କେତେବେଳେ କାହା ମୁଣ୍ଡରେ କି ଝୁଙ୍କ ଲାଗିବ କିଏ କହିବ ? ଏଠି କିନ୍ତୁ ଯୁବକମାନେ ସଫଳକାମ ହେଲେ ଉଦ୍ୟମଟି ଦେଶବାସୀଙ୍କ ପକ୍ଷେ ଆଦର୍ଶସ୍ଥାନୀୟ ହୁଅନ୍ତା ।

 

ଯୋଗେଶବାବୁଙ୍କ ଭାବନା ଗୋଟିଏ ସ୍ଥାନରେ ଅଟକିଗଲା–ତାଙ୍କରି ଆଦର୍ଶକୁ ରଖି ଯେତେବେଳେ ଦେବ ଇଞ୍ଜିନିୟରିଂ ପଢ଼ିଲା, ତା’ ପାଇଁ ତାଙ୍କର ମଧ୍ୟ କିଛି କର୍ତ୍ତବ୍ୟ ଅଛି । କିନ୍ତୁ କିପରିଭାବେ ସେ ଦେବକୁ ସାହାଯ୍ୟ କରିପାରିବେ ?

 

ଯୋଗେଶବାବୁ ନିଜକୁ ଫାର୍ମସହିତ ଟିକିଏ ବେଶି ଜଡ଼ିତ କରିବାକୁ ଇଚ୍ଛାକଲେ । କିନ୍ତୁ କିପରି ଏହା ସମ୍ଭବ ? ସେ ଯେ ଫାର୍ମଠାରୁ ବହୁ ଦୂରରେ ।

 

ବର୍ତ୍ତମାନର ପରିସ୍ଥିତିରେ ରାଜଧାନୀ ଛାଡ଼ିବା ବି ସମ୍ଭବ ନୁହେଁ । ଘରେ ତାଙ୍କର ତିନୋଟି ମାତୃହରା ସନ୍ତାନ । ବଡ଼ ଝିଅ ତନୁଜା କଲେଜରେ ପଢ଼ୁଛି । ଅନ୍ୟ ଦୁଇଜଣ ସ୍କୁଲରେ । ସେମାନଙ୍କ ପାଠପଢ଼ାରୁ ଆରମ୍ଭ କରି ସବୁ ଅଳି ଅର୍ଦ୍ଦଳି ନିଜକୁ ହିଁ ବୁଝିବାକୁ ପଡ଼ୁଛି ।

 

କିଛି ସମୟ ନୀରବତାରେ କଟିଗଲା ।

 

–“ମା ତନୁ...” ଯୋଗେଶବାବୁ ଗାଡ଼ି ଚଳାଉ ଚଳାଉ ହଠାତ୍ ଡାକିଲେ । ପଛ ସିଟ୍‌ରେ ତନୁଜା ଢୁଳୋଉଥିଲା । ତରତର ହୋଇ ଉଠିପଡ଼ି କହିଲା, “ଆଜ୍ଞା !”

 

–“ଆଜି କିମିତି ଲାଗିଲା, କହିଲୁନି ଯେ !”

 

–“ଭଲ । ନାଚ ତ ଚମତ୍କାର । କିନ୍ତୁ ଲୋକଗୁଡ଼ାକ ନିହାତି ଅସ୍ନା । ହଁ, ମନେପଡ଼ିଲା ।” ତନୁଜା ଖିଲିଖିଲି ହୋଇ ହସିଲା, “ସେ ଫାର୍ମ କଲାବଲାମାନେ କୁଆଡ଼େ ଭବିଷ୍ୟତରେ ଗାଁର ଉନ୍ନତି କରିବେ । ପାଗଳଗୁଡ଼ା ! ମୁଁ ତ କହୁଛି ସେମାନେ ମୂର୍ଖ । ନହେଲେ ରାଜଧାନୀ କିମ୍ବା ବଡ଼ ସହର ପାଖରେ ନ କରି କେନ୍ଦୁପଦର ପରି ନିହାତି ଅନ୍ଧାରିଆ ସ୍ଥାନରେ ଏଡ଼େବଡ଼ ଫାର୍ମ କରନ୍ତେ ? ଇହି, ଲୋକଗୁଡ଼ାକ କି କଳା, କି କଦର୍ଯ୍ୟ ଭାଷା । ଡିସେନ୍‌ସି ଜ୍ଞାନ ମୋଟେ ନା‌ହିଁ । ଆଉ ସେ ଦେବ; ତାଙ୍କର ଲିଡ଼ର ମ ଲିଡ଼ର, ସେ ତ ଜଣେ ପକ୍କା ଗଧ ଦେଖୁଛି । ପାଠ ପଢ଼ି ସଭ୍ୟ ହେବ କ’ଣ, ଓଲଟି ନିଜକୁ ମଣିଷର ଆଦିମ ଅବସ୍ଥା ଆଡ଼କୁ ନେଇଚାଲିଛି । ନା କ’ଣ କହୁଛ ଡାଡ଼ି ?”

 

ଡାଡ଼ି ଚୁପ୍ ।

 

ଚଉଦ

 

ଚାରିଆଡ଼େ ଅନ୍ଧାର ଘୋଟିଯାଏ । ଉପରକୁ ଚାହିଁଲେ ଜୁଳୁଜୁଳୁ ହୋଇ ଜଳୁଥିବା ଆକାଶର ତାରାମାନେ ଯାହା ଆଖିରେ ପଡ଼ନ୍ତି । ମଝିରେ ମଝିରେ ହାବୁକା ହାବୁକା ଥଣ୍ଡା ପବନ ମାଡ଼ିଆସେ । କଦଳୀ ଗଛଗୁଡ଼ିକ ଫଡ଼୍ ଫାଡ଼୍ ଶବ୍ଦ କରି ଅଶାନ୍ତ ହୋଇପଡ଼ନ୍ତି । ପାଳ ଘରେ ନିଆଁ ଲାଗିଲା ଭଳି ଆମ୍ବଗଛର ପତ୍ରଗୁଡ଼ିକ ହୁ ହୁ ହୋଇ କିଛି ସମୟ ଚିତ୍କାର କରନ୍ତି ବେଳେବେଳେ ଦୂର ପାହାଡ଼ ସେପଟୁ ହରିଣ ଜିଆଦର ସ୍ଵର ଓ ବାଘର ହେଣ୍ଟାଳ ଶୁଭେ ।

ପୈଶାଚିକ ରାତି ଓ ଥଣ୍ଡା କହଲା ପବନକୁ ଖାତିରି ନ କରି ରାତିସାରା କେହି ଜଣେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଯୋତା ମଚ ମଚ କରି ଚାଲିଥାଏ । ତା’ର ସଜାଗ କାନ ଓ ଆଖିରୁ ସାମାନ୍ୟ ଟିକିଏ ଖସ୍ ଖାସ୍ ଶବ୍ଦ ମଧ୍ୟ ଉପେକ୍ଷିତ ହୋଇଯାଏ ନାହିଁ । ପଶୁ, ପକ୍ଷୀ କିମ୍ବା ନୂଆ ମଣିଷର ଗନ୍ଧ ବାରିବାକୁ କୁକୁର ହିରୋ ଖୁବ୍ ପାରଗ ।

ରାତି କ୍ରମେ ଗାଢ଼ ହୁଏ । ପବନ ଥମ୍ବିଯାଏ । ଝିଙ୍କାରୀର ଝିଁ ଝିଁ ଶବ୍ଦରେ କିଛି କାଳ ଧରି ଚତୁର୍ଦ୍ଦିଗ କମ୍ପିତ ହୁଏ ! ଆହୁରି ଭୟ ଲାଗେ । ତଥାପି ହିରୋ କାର୍ଯ୍ୟରୁ ନିବୃତ୍ତ ହୁଏନାହିଁ । ସେମିତି ସେ ଦୌଡ଼ୁଥାଏ । ଫାର୍ମ ଜଗୁଆଳି ମୁଖ୍ୟ ଗୃହ ସମ୍ମୁଖସ୍ଥ ଉଚ୍ଚା ମଞ୍ଚ ଉପରେ ବିଶ୍ରାମନିଏ । ହିରୋ କେଉଁଠି ଟିକିଏ ରଡ଼ି ଛାଡ଼ିଲେ ସେ କିନ୍ତୁ ଧଡ଼ ପଡ଼ ହୋଇଉଠି ତା’ଆଡ଼କୁ ଦୌଡ଼ିଯାଏ । ନହେଲେ କିଛି ସମୟ ବିଶ୍ରାମ ପରେ ପୁଣି ସେ ଫାର୍ମ ପରିକ୍ରମା କରେ ।

କ୍ରମେ ଅନ୍ଧକାର ପତଳା ପଡ଼ିଯାଏ । ପୂର୍ବ ଆକାଶରେ ପାହାନ୍ତି ତାରା ହସ ହସ ମୁହଁରେ ପୃଥିବୀକୁ ଚାହିଁ ରହେ । ଆହୁରି କହିଲା ପବନ ପିଟି ହୁଏ, ଆହୁରି ଶୀତ ଲାଗେ । ଅନ୍ଧାର ଭିତରେ ପୂର୍ବ ଦିଗ୍‌ବଳୟ ଝାପ୍‌ସା ହୋଇଆସେ । ଠିକ୍ ଏହି ସମୟରେ ଫାର୍ମର ମୁଖ୍ୟ ଗୃହ ଭିତରେ ଓ ୱାର୍କସପ୍ ନିକଟସ୍ଥ ଘର ଭିତରୁ ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅ ଦେଖାଯାଏ । ଅଳ୍ପ ସମୟ ଭିତରେ କେତୋଟି ଛାଇ ଏଣେତେଣେ ଚାଲବୁଲ କରନ୍ତି । କୁକୁଡ଼ାମାନେ ଡେଣା ପିଟି ରାବ ଛାଡ଼ନ୍ତି । ଗାଈ ଗୁହାଳ ଓ କୁକୁଡ଼ା ଘରର କବାଟ ମେଲାହୁଏ ।

ସିନ୍ଦୂରା ଫାଟେ । ଅକଳନ ପକ୍ଷୀର କୂଜନରେ ଚାରି ଦିଗ ଫାଟିପଡ଼େ । ମାଳକୁ ମାଳ ଚଢ଼େଇ ଫାର୍ମ ଉପରଦେଇ ଉଡ଼ିଯାନ୍ତି । ପୁଣି କେତେ ପକ୍ଷୀ କେଉଁଆଡ଼ୁ ଆସି ମୁଖ୍ୟ ଗୃହ ନିକଟସ୍ଥ ଗଛଗୁଡ଼ିକରେ ବସି ଘର ଭିତରକୁ ଅନାଇ ରହନ୍ତି ।

ଘଣ୍ଟାଏ ଭିତରେ କେମିତିକଣ ଘଟିଯାଏ, ଫାର୍ମଟି ହଠାତ୍ କୋଳାହଳମୟ ହୋଇଉଠେ-। କୁହୁଡ଼ିର ଶକ୍ତ ଓ ଘଞ୍ଚ ଆଭରଣ ମଧ୍ୟରେ ଅବଶ୍ୟ କିଛି ଦେଖାଯାଏ ନାହିଁ । ମନେହୁଏ କେଉଁ ଏକ କୁହୁଡ଼ିଘେରା ସପନ ରାଇଜରେ ଅଶରୀରୀମାନେ ଉନ୍ମାଦିତ ହୋଇ ମାତି ଉଠିଛନ୍ତି । ଫାର୍ମର କେଉଁ କୋଣରେ ଶୁଭେ କେଁ କଟ୍ କଟ୍ କଟ୍–କେଉଁ ପାଖରେ ଅବା ଧଡ଼୍ ଧଡ଼୍ ଧଡ଼୍, କେଉଁଠି ଗଦ୍ ଗଦ୍ ଶବ୍ଦରେ ପାଣି ଛୁଟିଚାଲେ, କେଉଁ ପାଖରେ ମଣିଷର ଉଚ୍ଚ ପାଟି ଶୁଭେ–“ଧର୍, ଉଠା, ପକା, ରଖ, ଥୁଅ ।”

ସୂର୍ଯ୍ୟ ଦୂର ପାହାଡ଼ ଶିଖରୀରୁ ମୁହଁ କାଢ଼ି ପୃଥିବୀକୁ ଚାହିଁଲା ବେଳକୁ ସକାଳ ସାତଟା ସେପଟେ । ତଥାପି କୁହୁଡ଼ିର ଆସ୍ତରଣ ସେମିତି ଗାଢ଼ ଥାଏ । ସୂର୍ଯ୍ୟ କିରଣ ବାଜି କୁହୁଡ଼ି ପତଳା ହୋଇଆସେ । ଆସ୍ତେ ଆସ୍ତେ ପାହାଡ଼, ଗଛ ଇତ୍ୟାଦି ଦେଖାଯାନ୍ତି । ତା’ ସହିତ ଅଶରୀରୀମାନେ କଳେବର ପ୍ରାପ୍ତ ହୁଅନ୍ତି । ଖାକି କନାର ହାଫ୍ ପ୍ୟାଣ୍ଟ ଓ ମୋଟା । ଗଞ୍ଜିଟିଏ ପିନ୍ଧି ସଭ୍ୟମାନେ ଫାର୍ମଟି ସାରା ବିଛୁରିତ ହୋଇ କାର୍ଯ୍ୟ କରୁଛନ୍ତି । କାହା ହାତରେ କୋଡ଼ି କଟୁରୀ ତ କାହା କାନ୍ଧରେ ବାହୁଙ୍ଗୀ । କାହାର ହାତ ତେଣ୍ଡା ଦଣ୍ଡାରେ ତ, କାହାର ଦେହ ମାଟି ସାଲୁବାଲୁ । ସୂର୍ଯ୍ୟୋଦୟ ବେଳକୁ ସେମାନଙ୍କ ଦେହ ଝାଳ ଗମ୍ ଗମ୍ ହୋଇ ସାରିଥାଏ ଏବଂ ପହିଲି ସୂର୍ଯ୍ୟ କିରଣରେ ଦେହ ଗୁଡ଼ିକ ଚିକ୍ ଚିକ୍ କରିଉଠେ । ମଣିଷ ଯଦିଓ କାମ କରୁଛି, ପାଖକୁ ଗଲେ ମଣିଷ ଆଖିରେ ପଡ଼େନାହିଁ, ଆଖିରେ ପଡ଼େ ଖାଲି କାମ । କାର୍ଯ୍ୟର ଗତି ଓ ଅଗ୍ରଗତି ।

ମଙ୍କି କ୍ୟାପ୍ ପିନ୍ଧା ବିଜୟ ତା’ର ପ୍ରିୟ ଟ୍ରାକ୍ଟରରେ ଚଢ଼ି ଚତୁର୍ଦ୍ଦିଗ କମ୍ପାଇ, ଧୂଳିର ଧୂଆଁ ଖେଳାଇ ମାତିଥାଏ । ସକାଳୁ ସନ୍ଧ୍ୟାଯାଏଁ ସେ କଳପରି କାମ କରେ । ଝାଳ ସାଲୁବାଲୁ ମୁହଁରେ ଧୂଳି ପଡ଼ି କାଦୁଆ ହୋଇଯାଏ । ବେଳେବେଳେ ସେ ହୁଏତ କ୍ଳାନ୍ତ ହୋଇପଡ଼େ । ତାକୁ ଅସହାୟ ଲାଗେ ।

 

ପରକ୍ଷଣରେ ତା’ର ମନେପଡ଼ିଯାଏ ବେକାରି ଜୀବନର ହନ୍ତସନ୍ତ । ସେ ଦିନ ଗୁଡ଼ିକର ସ୍ମୃତି ବିଜୟ ପାଖରେ ଅସହ୍ୟ । ତାକୁ ମନରୁ ପୋଛି ଦେବାପାଇଁ ସେ ତେଜିଉଠେ । ଏକମାତ୍ର କାମ ସେହି ବିଗତ ସ୍ମୃତିକୁ ଦୂରେଇ ଦେବାକୁ ସକ୍ଷମ । ବିଜୟର କ୍ଳାନ୍ତ ଦେହରେ ନୂତନ ଶକ୍ତି ସଞ୍ଚରେ ।

 

ବିଜୟଠାରୁ ଆହୁରି ତିକ୍ତ ଅନୁଭୂତିକୁ ବହନକରି ବିଡ଼୍‌କା ଜାନି ମଧ୍ୟ ସକାଳୁ ସନ୍ଧ୍ୟାଯାଏଁ ଅକ୍ଲାନ୍ତ ପରିଶ୍ରମ କରେ । ବିଜୟପରି ସେ ଗପେନାହିଁ, କିନ୍ତୁ ଦୁହିଁଙ୍କର ଏକ ମନୋଭାବ । ଦୁହେଁ ଅନ୍ତରଙ୍ଗ ବନ୍ଧୁ ହେଲେ ମଧ୍ୟ କାମରେ ବାଦବୁଦିଆ ଭାବ ।

 

ପାହାନ୍ତିଆ ଓ ସନ୍ଧ୍ୟାରେ ବହୁ ସମୟ ଧରି ଜାନି ତେଣ୍ଡା ଟାଣେ । ତା’ ଦେହରୁ ଥପ ଥପ ହୋଇ ଖସି ପଡ଼ୁଥିବା ଝାଳକୁ ଭ୍ରୂକ୍ଷେପ ନ କରି ଲମ୍ବା ଗାଢ଼ ସ୍ଵରରେ ଗୀତ ଛାଡ଼ିଦିଏ । ସେଇ ଗୀତରେ ତାଳଦେଇ ଛୋଟ ଛୋଟ ନାଳରେ କୁଳୁ କୁଳୁ ହୋଇ ନାଚି ନାଚି ପାଣି ପରିବା ଗଛଭିତରେ ମାଡ଼ିଯାଏ । ଏକ ନିଃଶ୍ଵାସରେ ତେଣ୍ଡା ଟାଣି, ଜାନି ଦେବର ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରିବାକୁ ଚାଲିଯାଏ ।

 

ଫାର୍ମରେ ଚାଲିଲାବେଳେ ଜାନିର ଛାତି କୁଣ୍ଢେମୋଟ ହୋଇଯାଏ । ନିଜ କାର୍ଯ୍ୟର ଫଳକୁ ଦେଖି ସେ ନିଜେ ବିଶ୍ଵାସ କରିପାରେ ନାହିଁ । ଅନ୍ତତଃ ଏତେଦିନକେ ନିଜ କର୍ମର ଫଳପ୍ରାପ୍ତି ଓ ଭୋଗ ହୋଇପାରୁଛି । ତା’ ପୂର୍ବରୁ ସେ ଓ ତା’ର ପୂର୍ବପୁରୁଷାମାନେ କେଉଁ ଏକ ଅଜଣା କାରଣରୁ ମହାଜନମାନଙ୍କୁ ନିଜର ପରିଶ୍ରମଜାତ ସମସ୍ତ ଶସ୍ୟ କଳନ୍ତର ସ୍ୱରୂପ ଦେଇଦେବାକୁ ପଡ଼ୁଥିଲା । ଏପରିକି କିଛିବର୍ଷ ତଳେ ତା’ର ନିଜସ୍ଵ ପାଞ୍ଚଏକର ଜମି ମଧ୍ୟ ବନ୍ଧକ ପଡ଼ିଲା । ଅତୀତ କଥାକୁ ଜାନି ଘୃଣା କରେ । ଏଠି ସେ ମଣିଷର ମୂଲ୍ୟକୁ ତଉଲି ପାରୁଛି । ଫାର୍ମର ସମୃଦ୍ଧି ତା’ର ନିଜ ସମୃଦ୍ଧି । ଏଠି କ୍ଳାନ୍ତିକୁ ଭୁଲିଯିବାକୁ ପଡ଼ିବ ।

 

ସମସ୍ତେ ମାଟି ଗୋଡ଼ି ସହିତ ଧନ୍ଦି ହେଲା ବେଳକୁ ଶ୍ରୀକାନ୍ତର ଭାଗରେ ପଡ଼ିଛି ମୂକ ପଶୁପକ୍ଷୀମାନଙ୍କର ସେବା । ଶ୍ରୀକାନ୍ତ ପାଇଁ ଠିକ୍ ଜୁଟିଛନ୍ତି ଏମାନେ । ମଣିଷ ଛୁଆପରି ଗାଈ ଗୁଡ଼ିକ ତା’ର ବୋଲ କରନ୍ତି । କୁକୁଡ଼ାଘରେ ପଶିଲେ ପକ୍ଷୀ ଗୁଡ଼ାକ ତା’ ନିକଟକୁ ଉଡ଼ି ଆସନ୍ତି ।

 

ଶ୍ରୀକାନ୍ତ କୋଉ ମଣିଷଟାଏ କି ? ସେ ତ ପାଟି ଥାଉ ଥାଉ ମୂକ, ଭାରି ମଉନମୁହାଁଟାଏ । ସୁନ୍ଦର ଚେହେରା କିନ୍ତୁ ବିଧେ ମାରିଲେ ପଦେ ତା’ ତୁଣ୍ଡରୁ ବାହାରେ ନାହିଁ ତା’ର ଉପସ୍ଥିତି ବାରି ହୁଏନାହିଁ ।

 

ଆଶ୍ଚର୍ଯ୍ୟ ଏଇ ଶ୍ରୀକାନ୍ତ । ନିସ୍ତୁକ କାମ କରେ ଏବଂ ନିସ୍ତୁକ ଶୁଏ । ସାଙ୍ଗମେଳରେ ବସିଥିଲେ, ଅନ୍ୟମାନେ କଥା ହେଲାବେଳକୁ ସେ ଘୁମାଉଥିବ । ଏପରିକି ଖାଇ ବସିଲାବେଳେ, ତର ତର ହୋଇ ଖାଇଦେଇ ସେମିତି ଅଇଁଠା ହାତରେ ଢୁଳାଏ । ଟଣା ଓଟରା ନ କଲା ପର୍ଯ୍ୟନ୍ତ ତା’ର ତନ୍ଦ୍ରା ଭାଙ୍ଗେନାହିଁ । ଆନନ୍ଦ, ଦୁଃଖ, ଅପମାନ, ସମ୍ମାନ ସବୁଥିରେ ଶ୍ରୀକାନ୍ତ ମୁହଁରେ ଏକ ଭାବ । ହସ ନାହିଁ କି କାନ୍ଦ ନାହିଁ, ଖାଲି ଗାମ୍ଭୀର୍ଯ୍ୟ । ଅନ୍ୟମାନେ ତା’ ଗୁଣ ଜାଣି ପାଖ ପଶନ୍ତି ନାହିଁ-। ତେଣୁ ଶ୍ରୀକାନ୍ତର ଅନ୍ତରଙ୍ଗ ବନ୍ଧୁ ଥିଲେ ମୂକ ପଶୁପକ୍ଷୀମାନେ, ଯେଉଁମାନେ ଉଭୟେ ଉଭୟଙ୍କ କାର୍ଯ୍ୟକଳାପକୁ ଚମତ୍କାରଭାବେ ଭଲପାଉଥିଲେ ।

 

ଅଫିସ୍ କାମ କଲାବେଳେ ରବି କିନ୍ତୁ ସଂସାରର ଗୋଳମାଳ ଭିତରୁ ରକ୍ଷା ପାଇଯାଏ । ନିସ୍ତବ୍‌ଧ ପରିବେଶ ମଧ୍ୟରେ ସେ ଫାର୍ମ ସମନ୍ଧୀୟ ଚିଠିପତ୍ର ଓ ହିସାବ କିତାବ ସଜାଡ଼ିନିଏ । ଆଉ ଡାକ୍ତରଖାନାରେ ତ ସବୁବେଳେ ଲୋକଙ୍କର ଚବର ଚବର ।

 

ଏପରି ବିଭିନ୍ନ ଶବ୍ଦତରଙ୍ଗ, ଭାବାବେଶ, ଓ ପରିବେଶ ମଧ୍ୟରେ ଫାର୍ମ କର୍ମମୁଖର ହୋଇଉଠେ । କାମ କରୁ କରୁ କେତେବେଳେ ବାରଟା ବାଜିଯାଏ, ବେଳ ଜଣାପଡ଼େନି । ମନେହୁଏ ସମୟ ଯେମିତି ଆଗ ଅପେକ୍ଷା ଆହୁରି ଜୋରରେ ଦୌଡ଼ୁଛି । ସମସ୍ତେ ମୁଖ୍ୟ ଗୃହକୁ ପ୍ରତ୍ୟାବର୍ତ୍ତନ କରି ମଧ୍ୟାହ୍ନ ଭୋଜନ କଲାବେଳକୁ ଗୋଟାଏ ବାଜିଯାଏ । ଖାଇସାରି ଘଣ୍ଟାଏ ବିଶ୍ରାମ । ତା’ପରେ ପୁଣି କାମ ସୂର୍ଯ୍ୟାସ୍ତ ଯାଏ । ସୂର୍ଯ୍ୟାସ୍ତ ପରେ ସଫାସୁତୁରା ହୋଇ ସମସ୍ତେ ନିଜନିଜର କାର୍ଯ୍ୟସ୍ଥଳୀରେ ବିଶ୍ରାମ ନିଅନ୍ତି । ବିଜୟ ଓ ୱାର୍କସପ୍ ଭିତରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଝାଡ଼ଝୁଡ଼ କରେ । ଦେବ ନିର୍ମାଣରେ ରତ ଶ୍ରମିକମାନଙ୍କର ମୂଲ ମଜୁରି ତୁଟାଇଦିଏ । ନିର୍ମାଣ ସାମଗ୍ରୀ ଯଥାସ୍ଥାନରେ ରଖାହୁଏ । ପ୍ରତିଦିନର କାମ ସଫାସୁତୁରା ଓ ନିଖୁଣଭାବେ ଯେପରି ହୁଏ ସେଥିପ୍ରତି ସମସ୍ତଙ୍କର ଦୃଷ୍ଟି ।

 

ସଂଧ୍ୟା ସାତଟାରେ ସମବେତ ପ୍ରାର୍ଥନା ପାଇଁ ମୁଖ୍ୟ ଗୃହରେ ସମସ୍ତେ ଉପସ୍ଥିତ ରହନ୍ତି । ମିଟିଂ ଗୃହର ଗୋଟିଏ କାନ୍ଥରେ ସୁନ୍ଦର ଭାବେ ସଜ୍ଜା ହୋଇ ରହିଥାଏ ଗଣେଶ, ଦୁର୍ଗା, ଈଶ୍ଵର, ଯୀଶୁଖ୍ରୀଷ୍ଟ ଆଦିଙ୍କର ରଙ୍ଗିନ୍ ଚିତ୍ର । କେହି ଦୟା, କେହି ଶକ୍ତି ଓ କର୍ମ, କେହି ଯୋଗ ଓ ସାଧନା, କେହି ଦୟା ଓ ପ୍ରେମର ପ୍ରତୀକ । ପ୍ରାର୍ଥନା ପୂର୍ବରୁ ଆରତି ବଖରାକୁ ବେଶ୍ ରୁଚିପୂର୍ଣ୍ଣ ଭାବେ ସଜାଡ଼ି ଦେଇଥାଏ । ଅନେକ ପ୍ରକାର ଫୁଲର ହାର ଫୋଟ ଦେହରେ ଲମ୍ବାଇଦିଏ । ତଳେ ଏକ ପୂର୍ଣ୍ଣକୁମ୍ଭ, ତା’ ପାଖରେ ଧୂପ ଓ ଦୀପ । ପରିଷ୍କାର ପରିଚ୍ଛନ୍ନ ଗୃହ ।

 

ଠିକ୍ ଦାଣ୍ଡଦୁଆର ପାଖରେ ଗୋଟିଏ ବଡ଼ ଚଉରା । ତା’ ଉପରେ ଛନ ଛନ ତୁଳସୀ ଗଛଟିଏ । ସଂଧ୍ୟାରେ ବିଜିବୋଉ ଏଠାରେ ଦୀପ ଦିଅନ୍ତି । ବୃନ୍ଦାବତୀଙ୍କର ନିକଟରେ ମୁଣ୍ଡିଆ ମାରି ବହୁ ସମୟ ସେଇ ଚଉରା ପାଖରେ ବସିଯାଆନ୍ତି । ମାଛିମାଛିଆ ଅନ୍ଧାରବେଳେ ଏମିତି ଘଡ଼ିଏ ବସିପଡ଼ିଲେ ତାଙ୍କ ମନରେ ପୂର୍ଣ୍ଣତା ଚାଲିଆସେ । ଆକାଶର ଝିଲିମିଲି ତାରକାଗୁଡ଼ିକୁ ସେ ତନ୍ମୟ ହୋଇ ଦେଖିବାରେ ଲାଗନ୍ତି ଏବଂ ତା’ ଭିତରେ ନିଜର ପରଲୋକଗତ ସ୍ଵାମୀଙ୍କୁ ଖୋଜି ବୁଲନ୍ତି । ସେ ପୁଣ୍ୟତ୍ମା ପୁରୁଷ ବୋଧହୁଏ ମୃତ୍ୟୁ ପରେ ଏପରି ଏକ ତାରକାରେ ରୂପାନ୍ତରିତ ହୋଇ ସ୍ଵର୍ଗଲୋକରେ ବିଚରଣ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ବିଜି ବୋଉ ଚଉରା ମୂଳେ, ଆକାଶରେ ଘୂରିବୁଲୁଥିବା ସ୍ଵାମୀଙ୍କର ସାନ୍ନିଧ୍ୟ ଉପଭୋଗ କରନ୍ତି । ଭିତରକୁ ଯିବାପାଇଁ କେହି ନ ଡାକିଲା ପର୍ଯ୍ୟନ୍ତ ସେମିତି ସେ ବସନ୍ତି । ପ୍ରାୟତଃ ଆରତି ତାଙ୍କୁ ଭିତରକୁ ଡାକିନିଏ ।

 

ସମସ୍ତେ ଚାଲିଆସିଲା ପରେ ପାର୍ଥନ ଆରମ୍ଭ ହୁଏ । ପ୍ରାର୍ଥନା ଓ ଭଜନ ପରେ ସମସ୍ତେ ନତଜାନୁ ହୋଇ ନୀରବରେ ଆଖି ବୁଜି ବସନ୍ତି । ନିଃଶବ୍ଦ କୋଠରି ଧୂପକାଠିର ବାସ୍ନାରେ ଚହଟି ଯାଏ । ଏପରି ସମୟରେ ନବାଗତ ଅଲସେସିଏନ୍ କୁକୁର ଛୁଆ “ହିରୋ” ମଧ୍ୟ ଗୋଟିଏ କୋଣରେ ଲାଙ୍ଗୁଡ଼ ହଲେଇ କୁଁ କୁଁ ହୋଇ ଜଳ ଜଳ ଆଖିରେ ସତେଯେମିତି ପ୍ରାର୍ଥନା କରେ, “ହେ ପ୍ରଭୁ ! ମତେ ଅଇଁଠା ଖିଆ କୁକୁର ଜନମରୁ ମୁକ୍ତ କର ।”

 

ଅନେକ ସମୟ ଧରି ଫାର୍ମ ସଭ୍ୟଙ୍କ ହୃଦୟତନ୍ତ୍ରୀରେ ଝଂକୃତ ହୁଏ ପୂର୍ବରୁ ଗାଇଥିବା–ନ ଜାନାମି ଦାନଂ, ନ ଚ ଧ୍ୟାନ ଯୋଗଂ... । “ତା’ପର ଅଧ ଘଣ୍ଟାଏ ପୁରାଣ ପାଠ ହୁଏ, ଭଗବତ, ମହାଭାରତ କିମ୍ବା ବାଇବେଲ । ଭବିଷ୍ୟତରେ କୋରାନ ପଢ଼ିବାକୁ ମଧ୍ୟ ସଭ୍ୟମାନେ ମନସ୍ଥ କରିଛନ୍ତି ।

 

ରାତି ଆଠଟାରେ ଫାର୍ମ ସମ୍ବନ୍ଧୀୟ ଆଲୋଚନା ହୁଏ । ଯାହାର ଯାହା ସୁବିଧା ଅସୁବିଧା ରହିଛି ତାହା ସେ ପ୍ରକାଶ କରେ ଓ ତା’ର ସମାଧାନ ସେହିଠାରେ ହିଁ କରାଯାଏ । ଆଗାମୀ କିଛି ଦିନରେ କେତେ ଔଷଧ କେତେ ଗୋଖାଦ୍ୟ, କେଉଁ କେଉଁ ଯନ୍ତ୍ରପାତି, କେତେ ବ୍ୟାଗ ସିମେଣ୍ଟ ବା ଇଟା, କେତେ ସାର ଓ ଖତ ଦରକାର ପଡ଼ିବ, ସେ ସବୁର ତାଲିକା ଏମିତି ଆଲୋଚନାରୁ ମିଳିଥାଏ । କେଉଁଟା ଜରୁରୀ ଓ କେଉଁଟା ବିଳମ୍ବରେ କଲେ ଚଳିବ ସେଗୁଡ଼ିକ ମଧ୍ୟ ସ୍ଥିର କରାଯାଏ । ବାହାରୁ କେଉଁ ଜିନିଷ ଆସିବ କିମ୍ବା କେଉଁ ଅଫିସକୁ ଲେଖାଯିବ ତା’ଉପରେ କାର୍ଯ୍ୟନୁଷ୍ଠାନ କରେ ରବି ।

 

ପ୍ରତ୍ୟେକେ ଦୈନଦିନ କାର୍ଯ୍ୟର ବିବରଣୀ ପ୍ରଦାନ କରିବା ସଙ୍ଗେ ଯଦି କିଛି ବିଶେଷ ଘଟଣା ଘଟିଥାଏ, ତା’ ଉପରେ ବି ଆଲୋଚନା ହୁଏ । ଆସନ୍ତାକାଲି ପାଇଁ କାହାର କେଉଁ କାମ ଅଛି ଜଣାପଡ଼ିଯାଏ । ଜଣେ ଆଉ ଜଣକୁ କି ପ୍ରକାର ସାହାଯ୍ୟ କରିପାରିବ ତଥା କାର୍ଯ୍ୟ ଓ ବ୍ୟକ୍ତି ଭିତରେ ସମନ୍ୱୟ ପ୍ରତିଷ୍ଠିତ ହୋଇପାରିବ ତା’ର ପଥ ପରିଷ୍କାର ହୋଇଥାଏ । ପ୍ରାୟ ପ୍ରତ୍ୟେକଙ୍କର ସ୍ଵତନ୍ତ୍ର ଯୋଜନା ରହିଥିବାରୁ ଭବିଷ୍ୟତକୁ ଆଖିଆଗରେ ରଖି ସମସ୍ତେ ଅଗ୍ରସର ହୁଅନ୍ତି ।

 

ରାତି ନ’ଟା ବେଳକୁ ଖାଇସାରି ଯେ ଯାହାର ବସାକୁ ଚାଲିଯାନ୍ତି । ପ୍ରତି ରାତିରେ ଫାର୍ମ ଜଗିବା ପାଳି ମହିଳା ସଭ୍ୟାଙ୍କୁ ଛାଡ଼ି କ୍ରମନ୍ଵୟରେ ଜଣକ ପରେ ଜଣକୁ ପଡ଼େ । ଦୈବାତ୍ କାହାର ଦେହ ଅସୁସ୍ଥ ହେଲେ ତା’ କାମ ତୁଲାଇଦେବାକୁ ନବଘନ ଡେଇଁପଡ଼େ । କ୍ଷେତରେ ଫସଲ ଥିଲେ ଦୁଇଜଣ ଜଗି ରହନ୍ତି । ସବୁ ରାତି ଫାର୍ମ ଜଗିବାରେ ମୁଖ୍ୟ ନାୟକ ହେଉଛି, ଛୁଆ ହେଲେ ବି ଅଲସେସିଏନ୍ କୁକୁର “ହିରୋ” । ହିରୋ ରାତିରେ ବାଘ ପାଲଟିଯାଏ । ଏ ମୁଣ୍ଡରୁ ସେ ମୁଣ୍ଡକୁ ବାରମ୍ବାର କୁଦା ମାରି ଦୌଡ଼େ । କେଉଁଠି ଟିକିଏ ଖୁଡ଼୍ କି ଖାଡ଼୍ ହେଲେ ଭୋ ଭୋ କରି ରଡ଼ି ଛାଡ଼େ ।

 

ଯେଉଁଠି ଦେଖ କାମ । କାମ ହିଁ ଯୋଗାଇଦେଉଛି ସେମାନଙ୍କ ମନରେ ପ୍ରେରଣା ଓ ଉନ୍ମାଦନା । କାର୍ଯ୍ୟବ୍ୟସ୍ତତା ଭିତରେ ସେମାନଙ୍କ ମୁଣ୍ଡ ଉପର ଦେଇ କେତେ ଯେ ଜଳଦ ଭାସିଗଲାଣି, ଚନ୍ଦ୍ରାବତୀର ବକ୍ଷରେ କେତେ ଯେ ପାଣି ବୋହିଗଲାଣି, କେତେ ଥଣ୍ଡା, କେତେ ଗରମ ଦିନ ଚାଲିଗଲାଣି, ସେଥିପ୍ରତି କାହାର ଖିଆଲ ନାହିଁ ।

 

କେହି ନ ହେଲେ ବି ଆରତି ନିଜ କର୍ମ ବାହାରେ ଆଖି ପୂରାଇ ଚାରିପଟ ଟିକେ ଦେଖେ । ଅନ୍ୟମାନଙ୍କର ହୃଦୟ ଭିତରେ ଉଚ୍ଛ୍ୱାସକୁ ନ ଜାଣିଲେ ମଧ୍ୟ ଆଖିର ଭାଷାରୁ ତା’ ମନର ଅବସ୍ଥା ଓ ମସ୍ତିଷ୍କର ଭାବନକୁ କଳ୍ପନା କରିପକାଏ ।

 

ସମଗ୍ର ଫାର୍ମରେ ଗୁଣ୍ଡୁଚି ମୁଷା ପରି ସେ ଥୋଡ଼େ ଦୌଡ଼ିଯାଏ । ଗାଈ କିମ୍ବା କୁକୁଡ଼ା ପଲ ଭିତରେ ଟିକିଏ ହଜିଯାଏ । ଆଉ ଥୋଡ଼େ ଦୌଡ଼ି ଟ୍ରାକ୍ଟର ପାଖରେ ଟିକିଏ ଥମିଯାଏ । ଚିତ୍ରିତ ପ୍ରଜାପତି ପରି ଆମ୍ବ, କମଳା, କଦଳୀ ବଣ ଭିତରେ ଡେଇଁ ଡେଇଁକା ଘୂରିବୁଲେ ଏମିତି ବୁଲୁ ବୁଲୁ କେତେବେଳେ ଉଚ୍ଚା ହିଡ଼ରେ ବସି ଗାଲରେ ହାତ ଥାପି ଦୂର ପାହାଡ଼କୁ ଚାହିଁ ରହେ ।

 

ହେଇତ କାଲି ପରି ଲାଗୁଛି, ଯେଉଁଦିନ ଫାର୍ମ ଉନ୍ମୋଚନ ହୋଇଥିଲା । ପ୍ରତ୍ୟେକଙ୍କ ପାଇଁ କାମ ଆଗରୁ ଠିକଣା ହୋଇଛି । ଭାଗ ବାଣ୍ଟିବା ଦରକାର ନାହିଁ । କିନ୍ତୁ ଆରତି ପାଇଁ କ’ଣ ବାକି ରହିଲା ? ସେମାନେ ଖାଲି କହୁଥିଲେ ରାନ୍ଧିବା, ବାଢ଼ିବା, ସଭ୍ୟମାନଙ୍କ ପାଇଁ ଜାମା ପ୍ରସ୍ତୁତ କରିବା, ଇସ୍ତ୍ରୀ କରିବା, ଆଉ ଘର ସଫା ସୁତୁରା ରଖିବା । ତା’ ବୋଉ ତୁହାକୁ ତୁହା ବିଜି ବୋଉଙ୍କୁ କହୁଥାନ୍ତି, “ମୋ କୋଡ଼ପୋଛା ଝିଅ ତୁମକୁ ଲାଗିଲାଟି ?” ବିଜି ବୋଉ ବି ଉତ୍ତର ଦେଉଥାନ୍ତି, “ହଁ ମ, ରନ୍ଧାବଢ଼ା କୋଉ କାମର କାମ ଯେ, ମୋତେ ଜଣକୁ ବଳିଯିବ ? ତୁମ ଝିଅ କ’ଣ ମୋ ଝିଅ ନୁହେଁ, ନା ମୋ ପୁଅ ତୁମର ନୁହେଁ ? ଏବେଠୁ ପରା ଆମେ ସବୁ ଗୋଟିଏ ପରିବାରର ।”

 

ସତକୁସତ ରନ୍ଧା ବଢ଼ାରେ ବିଜି ବୋଉ ଆରତିକୁ ମୋଟେ ପଶାନ୍ତି ନାହିଁ । ମାଡ଼ି ମକଚି ନିଜେ ନ ପଶିଲେ ସେ ପଦେ ବି କଥା କହନ୍ତି ନାହିଁ । ବାରମ୍ବାର ପାଟି କରନ୍ତି–“ମୋ ରତି କିଲୋ, ଖରାରେ କଳା ପଡ଼ିଲୁଣି ଲୋ, ଟିକିଏ ଶୋଇପଡ଼ ମୋର ସୁନାଟା । ନିଆଁ ପାଖରେ ବେଶି ବ’ସନା, ମୁଣ୍ଡ ଘୂରାଇବ । ଦେ ଦେ ଝାଡ଼ୁ ମୋତେ ଦେ ।”

 

ଏମିତି ଦୁଇଦିନ ଯାଇଛି କି ନାହିଁ ଆରତିର ମୁଣ୍ଡରେ ବିଛା କାମୁଡ଼ିଲା । ଆଚ୍ଛା ଭଲା ମଣିଷ ଏଠି କାମ କରିବାକୁ ଆସିଲା । ସବୁବେଳେ ଖାଲି ବସ୍, ଗିଳ୍, ଶୁଅ । ଅନ୍ୟମାନେ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି, ସେ କିଛି କଲାବେଳକୁ, ଆହା ଆହା ଚୁ ଚୁ । ନା ଏମିତି ଚଳିହେବ ନାହିଁ । ବାପା ବୋଉ ଚାଲିଗଲା ପରେ ସାନ୍ଧ୍ୟ ଆଲୋଚନାବେଳେ ସେ ଜିଦ୍ ଧରିଲା, ରନ୍ଧା ବଢ଼ାରେ ବିଜୟ ବୋଉଙ୍କୁ ସେ କେବଳ ସାହାଯ୍ୟ ହିଁ କରୁଛି, ତା’ର ଅନ୍ୟ ସମୟ ବିତାଇବା ପାଇଁ କିଛି ସ୍ଵତନ୍ତ୍ର ଦାୟିତ୍ଵ ଦେବାକୁ ହେବ । ଅନ୍ୟମାନେ ହୋ ହୋ ହୋଇ ହସିଲେ । ତା’ କଥାକୁ ସମସ୍ତେ ବାଁଏ ଉଡ଼ାଇ ଦେବା ଦେଖି ଆଖି ଦୁଇଟି ତା’ର ଜିକି ଜିକି ହୋଇଗଲା । ଅଳ୍ପ ସମୟ ପରେ ସାହସ ସଞ୍ଚୟ କରି ଦାବି କଲା ଯେ ସେ ମଧ୍ୟ ଫାର୍ମର ଜଣେ ସଭ୍ୟ । ଅନ୍ୟମାନଙ୍କ ପରି ତା’ର ମଧ୍ୟ ସ୍ଵତନ୍ତ୍ର ଦାୟିତ୍ୱ ରହିବା ଦରକାର ।

 

ଆଲୋଚନା କରାଯାଇ ମୁଖ୍ୟ ଗୃହ ନିକଟସ୍ଥ ଅଧା ଏକର ଏବଂ ୱାର୍କସପ୍ ନିକଟସ୍ଥ ଅଧା ଏକର ପରିମିତ ସ୍ଥାନରେ ହେବାକୁ ଯାଉଥିବା ଦୁଇଟି ଫୁଲ ବଗିଚାର ଦାୟିତ୍ଵ ଆରତିକୁ ଅର୍ପଣ କରାଗଲା । ତାକୁ ସାହାଯ୍ୟ କରିବ ବ୍ରଜ । ତା’ ଛଡ଼ା ଭବିଷ୍ୟତରେ ନିକଟସ୍ଥ ଗାଁ ଗଣ୍ଡାରେ ମହିଳା ଓ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ଓ ସମୃଦ୍ଧି ଦିଗରେ ସେ ଯତ୍ନ କରିବ ।

 

ସେହି ଦିନଠୁ ଆରତି ମଧ୍ୟ ଜୋକ ପରି କାମରେ ଲାଗିଲା । ଅନ୍ୟମାନଙ୍କ ପରି ତା’ର ମଧ୍ୟ ନିଜସ୍ଵ ଦୁଇଟି ଫୁଲ ବଗିଚା ।

 

ବଗିଚାର ଗଛଗୁଡ଼ିକୁ ଆରତି ନିଜ ପୁଅ ଝିଅ ପରି ଗେହ୍ଲା କରେ, ସ୍ନେହ କରେ, ଶାସନ କରେ, ଗଜାରୁ ଫୁଲ ଫୁଟିବା ଯାଏ ସେ ମା’ର ତତ୍ତ୍ୱ ନିଏ । ମାର୍ଗଶିର ମାସ ଗୁରୁବାର ଦିନ ଘର ଚଟାଣରେ ଝୁଟି ଦେଲା ପରି କେଉଁଠି ଗୋଲ, କେଉଁଠି ଚତୁର୍ଭୁଜ, କେଉଁଠି ବର୍ଗାକାର କ୍ଷେତ୍ର, କେଉଁଠି ତ୍ରିଭୁଜ ଏମିତି ବିଭିନ୍ନ ଆକାରର ପଟାଳି । ପଟାଳି ପଟାଳିକେ ଭିନ୍ନ ଗଛ । ସବୁଗୁଡ଼ାକ ସ୍ଵଦେଶୀ । ସ୍ଵଦେଶୀ ଗଛହିଁ ଭଲ । କାରଣ ଏଥିରେ ରୂପ ଓ ଗନ୍ଧ ଉଭୟ ଅଛି ।

 

ଆରତିର ବଗିଚାରେ ସ୍ଥାନ ପାଇଛି ଜାଈ, ଜୁଈ, ମଲ୍ଲୀ, ମାଳତୀ, ଗେଣ୍ଡୁ, ସୂର୍ଯ୍ୟମୁଖୀ । ବଗିଚା ଭିତରେ ଚାରି ପଟାଳି ଲେଉଟିଆ ଶାଗ ବି ବୁଣା ହୋଇଛି । ଆରତିର ଛନଛନିଆ ଶାଗ ପଟାଳିକୁ ସଭ୍ୟମାନେ ସ୍ଵଦେଶୀ ଲନ୍ କହନ୍ତି । ଏଇ ଲନ୍‌ରେ ବସି ଘୁମେଇ ହେବନି ସତ, କିନ୍ତୁ ଖରାଦିନେ ଲନ୍‌ର ଶାଗଭଜା ସହିତ ପଖାଳ ଭାତ ଭାରି ତୃପ୍ତି ଦାୟକ ।

 

ବଗିଚା ଭିତରୁ ଏବଂ ଘର ସାମନା ଭାଡ଼ି ଉପରୁ ଆରତି ସମଗ୍ର ଫାର୍ମର ବିକାଶ ଗୋଟି ଗୋଟି କରି ଦେଖେ । ଫାର୍ମ ସହିତ ତା’ ବଗିଚାର କାର୍ଯ୍ୟକଳାପ ସମାନ୍ତରାଳ ଭାବେ ଚାଲିଛି ନା ନାହିଁ ନିରୀକ୍ଷଣ କରେ ।

 

ଫାର୍ମ ଆରମ୍ଭର ସେଇ ଜୁଲାଇ ମାସରେ ଫାର୍ମ କ୍ଷେତରେ ଧାନ, ଫଳଗଛ ଆଦି ଲଗାଗଲା ତ ଏଣେ ବଗିଚାରେ ଫୁଲ ଚାରା ଲଗାହେଲା । କେତେ ସ୍ଥାନରେ ମଞ୍ଜି ବୁଣାଗଲା । ଆରତିର ଏବେ ମନେପଡ଼େ, ଭୋର ପାଞ୍ଚଟାରେ ସମସ୍ତେ ଜଳଖିଆ ସାରି କ୍ଷେତକୁ ଗଲାପରେ ସେ ଗୁଣୁ ଗୁଣୁ ହୋଇ ଗୀତ ଗାଇ ପାଣିପକା କେନ୍‌ରେ ପଟାଳି ଦେହରେ ପାଣି ଢାଳୁଥିଲା । ପଟାଳି ଉପରେ କଳା ନାଲିଆ ପିମ୍ପୁଡ଼ିର ମାଳ ଲାଗିଥିଲା । ତାକୁ ରୋକିବାକୁ ପାଉଁସ, ଗେମାକ୍‌ସିନ୍ ବିଞ୍ଚା ହେଉଥିଲା ।

 

ଗଜାରୁ ଗଛ ହେଲା । ଛନଛନିଆ କଅଁଳ ଗଛଗୁଡ଼ିକ ପବନରେ ଦୋଳି ଖେଳିଲେ । ତେଣେ ସମଗ୍ର ଫାର୍ମରେ ଧାନରୁ ଆରମ୍ଭ କରି ଆମ୍ବଯାଏ ସବୁଗୁଡ଼ାକ ହାତେ ଦୁଇ ହାତର ଉଚ୍ଚ ହୋଇ କଅଁଳ ବାଛୁରି ପରି ପବନରେ ଡେଇଁ ବୁଲିଲେ । ବର୍ଷା ଋତୁ ତମାମ ଦୋଳିଖେଳ, ଡିଆଁ ଡେଇଁ । ମେଘ ଦେହରୁ ଅସରା ଅସରା ପାଣି ଓ ପତ୍ରର ଖସି ଆସୁଥିବା ପାଣିର ଟପ୍ ଟାପ୍ ଶବ୍ଦ ଲାଗି ରହିଲା । ଗଛରେ ଗଛ ପିଟାପିଟି । ଗାଁ ଲୋକଙ୍କ କଳି ପରି ଅଣ୍ଟା ହଲା, ଟାଇଁ ଟାଇଁ କଥା । ଦଳଦଳ ହୋଇ ଗଛମାନେ ଯୁଦ୍ଧରେ ବ୍ୟାପୃତ ଥିଲେ । ଚାରିଆଡ଼େ ବିପ୍ଳବର ଶବ୍ଦ । ବର୍ଷାଦିନ ପରେ ଗୋଳମାଳ ଶେଷ । ବାକ୍‌ବିତଣ୍ଡା, ହାତ ଗୋଡ଼ ହଲା ଶେଷ । ଯେଝା ଧନ ଦରବକୁ ନେଇ ସନ୍ତୋଷ । ଦୀର୍ଘ ତିନି ମାସ କଳିଗୋଳ କରି କିଛି ଲାଭ ହେଲା ନାହିଁ । ବରଂ ଗୋଳମାଳର ଗରଳ ପଡ଼ି ଭୂଇଁତଳୁ ଉଠିଆସୁଥିବା କେତେ ଶିଶୁଗଛ ମରିଗଲେ । କେତେ ମଣିଷ ଜୀବଜନ୍ତୁ ଭାସିଗଲେ-। କେତେ ସାଧନାର ଫଳ ଭୁଶୁଡ଼ି ପଡ଼ିଲା । ଚେତନା ଆସିଲା ଯେ, ପ୍ରକୃତିକୁ ଆଶ୍ରା କରି ଯେ ଯେତିକି ପାଇଲା ସେତିକିରେ ହିଁ ସନ୍ତୋଷ ରହିବାକୁ ପଡ଼ିବ । ଏଇ ସନ୍ତୋଷ ଗଛଗୁଡ଼ିକରେ ଆଣିଦେଲା ପ୍ରାଣ ପ୍ରାଚୁର୍ଜ୍ୟ । ନଈ ମୁକ୍ତା ପରି ଝଟକିଲା । ଆକାଶ ନିର୍ମଳ ହେଲା । ଧୀରେ ଧୀରେ ପବନ ବହିଲା । ଶରତର ସବୁଜ ଶ୍ରୀ ଭିତରେ ବୃକ୍ଷଲତା କୁସୁମିତ ହେଲେ ଓ ଫଳ ଫଳିଲା । ଫାର୍ମରୁ ଗାଡ଼ି ଗାଡ଼ି ଫଳ ଗାଁ ଗଣ୍ଡାର ହାଟ ବଜାରକୁ ପଠାଗଲା । ବାଇଗଣ, ସାରୁ, ଜହ୍ନି, ପୋଟଳ, ଛଚିନ୍ଦ୍ରା ଏମିତି କେତେ ଫଳ ।

 

ଏଣେ ବଗିଚାରେ ଅନେକ ଫୁଲଗଛର ମଉଛବ । ନାନା ଜାତିର ଓ ନାନା ରଙ୍ଗର ଫୁଲ ଏବଂ ପତ୍ର । କଅଁଳ ଘାସ ବଢ଼ିଲା । ସମଗ୍ର ଉପତ୍ୟକା ଚିକ୍ ଚିକ୍ ହୋଇ ଝଟକିଲା । ଝୋଲାରେ ଗଡ଼ି ଯାଉଥିବା ପାଣିର ଗର୍ଜନ ତର୍ଜନ ବଗିଚାରୁ ବି ଶୁଣା ଯାଉଥିଲା ।

 

ଆସିଲା ଶୀତ । ହେମାଳ ପବନ ସହିତ ହାଡ଼ଭଙ୍ଗା ଶୀତ । ପର୍ବତ ଓ ଉପତ୍ୟକା କୁହୁଡ଼ିର ଚାଦରରେ ଦିନ ରାତି ଘୋଡ଼େଇ ହେଲା । ଗଛମାନେ ରାତିରେ ଶରୀରରୁ ଟୋପା ଟୋପା ଲୁହ ବଢ଼ାଇଲେ । କାନ୍ଦି କାନ୍ଦି କେତେ ଗଛ ଫୁଲ ଜନ୍ମ କଲେ । ଗାଈ ଦୁଗ୍ଧ ଗଡ଼ାଇଲେ । ଏହି ସମୟରେ ଆସିଥିଲା ଆଲସେସିଏନ୍ କୁକୁର ଛୁଆ ହିରୋ । ଧାନ ପାଚିଲା । ଲାଗିଲା ଦିନାକେତେ ଧାନକଟା । ଖମାର ଭିତରକୁ ପାଣି ପରି ଝରଝର କରି ଭର୍ତ୍ତି କରାଗଲା ସୁନେଲି ଧାନ । ଫାର୍ମ ଘର ଭଳି ଲାଗିଲା । କାହୁଁ ଥିଲେ ଆସିଲେ ଅଜସ୍ର ଘରଚଟିଆ, ପଲ ପଲ କୁଆ । ଚତୁର୍ଦ୍ଦିଗ କୋଳାହଳମୟ ହେଲା ।

 

ଜୟନ୍ତୀନଗରକୁ ପ୍ରତିଦିନ ଦୁଧ, ଅଣ୍ଡା ପଠାଗଲା । ଟ୍ରକ୍ ପରେ ଟ୍ରକ୍ ଧାନ, ମାଣ୍ଡିଆ ବିକ୍ରି ହେଲା । ଶଗଡ଼ ଶଗଡ଼ ବିରି, ମାଣ୍ଡିଆ, ପନିପରିବା ହାଟକୁ ବୁହାଗଲା ।

 

ଠିକ୍ ଏହି ସମୟରେ ଟ୍ରାକ୍ଟର ନିଜର ଗୁହାରୁ ବାହାରି ଘଡ଼ ଘଡ଼ ଗର୍ଜନ କରି ଭୂଇଁ ଚଷୁଥିଲା । ଲାଗିଥିଲା ରାସ୍ତା, ଘର, କେନାଲ ନିର୍ମାଣ କାମ । ଭୂଇଁରେ ପୁଣିଥରେ ଖତ ସାର ଦିଆଗଲା । ପନ୍ଦର ଦିନ ଖରା ଖାଇଲା ପରେ ବୁଣାଗଲା ବିରି, ମୁଗ, ଗହମ, ମାଣ୍ଡିଆ ଡଙ୍ଗର ରାଣୀ, କୋବି, ବାଇଗଣ, ବିନ୍, ଝୁଡ଼ଙ୍ଗ, ବିଲାତିବାଇଗଣ, ଶିମ୍ବ ଆଦି ପନିପରିବା । ପମ୍ପ୍ ନଈରୁ ପାଣିଉଠାଇ ଭୂଇଁରେ ଢାଳୁଥିଲା । ଉପରମୁଣ୍ଡ କୂଅରୁ ତେଣ୍ଡାରେ ଜଳସେଚନ ହେଉଥିଲା । ଗଛ ବଢ଼ିବା ସଙ୍ଗେ ସାର ପ୍ରୟୋଗ, ଫଲିଡ଼ଲ୍, ଏଣ୍ଡିନ୍ ପାଣି ବିଞ୍ଚା ଯାଉଥିଲା । ପୁଣିଥରେ ମାଟିଆ ରଙ୍ଗର ମାଟି ବହଳ ଶାଗୁଆ ଗଛରେ ଭରି ଯାଇଥିଲା ।

 

ଗାଁ ଗଣ୍ଡାର କ୍ଷେତରେ ପୋକ ଲାଗିଲା । ପଲ ପଲ ହୋଇ ଲୋକେ ଦୌଡ଼ିଆସିଲେ ଫାର୍ମକୁ, କ’ଣ କେମିତି ହେଉଛି ଦେଖିନବାକୁ । କେତେକଙ୍କ ବାଡ଼ିରେ ଫଲିଡ଼ଲ ପକାଇବାକୁ ବ୍ରଜ ଯାଇଥିଲା ।

 

ପୁଣିଥରେ ଟ୍ରାକ୍‌ଟରରେ ବୋଝେଇ ହୋଇ ଚାଲିଲା ଗହମ, ବିରି, ମାଣ୍ଡିଆ, ଓ ଶୀତଦିନିଆ ପନିପରିବା । ତା’ପରେ ଆସିଲା ଆରତିର ସେଇ ଆକାଙ୍‌କ୍ଷିତ, ବସନ୍ତ, ଆଖିକୁ ଝଲଝଲେଇ ଦେଇ । ଏମିତି ଫୁଲ ଫୁଟେଇ ଦେଲା ଯେ, ଗଛର ପତ୍ର ବି ଦେଖାଗଲା ନାହିଁ । ପୁଷ୍ପ ବିଛୁରିତ ରଙ୍ଗମଞ୍ଚ ଉପରେ ପ୍ରଜାପତିର ନୃତ୍ୟ ସାଙ୍ଗକୁ ମହୁମାଛି ଓ ଭଅଁରର ସଙ୍ଗୀତ ଲାଗି ରହିଲା-। ନୂଆ ପୁରୁଣା ଯେ ଫାର୍ମକୁ ଆସେ ନିଶ୍ଚୟ ଥରେ ବଗିଚାରେ ମୁହଁ ମାରିଦେଇ ଯାଏ । ସଭ୍ୟଙ୍କ ମେଳରେ ବଗିଚା କଥା ପକେଇ ଆରତି ଫୁଲେଇ ହୁଏ ।

 

ଦେବ ଆଉ ବିଜୟର କିନ୍ତୁ ବଗିଚା ଉପଭୋଗ କରିବାକୁ ସମୟ ନ ଥାଏ । ବସନ୍ତ ଋତୁରୁ ବର୍ଷାଯାଏ ପ୍ରକୃଷ୍ଟ ନିର୍ମାଣ ସମୟ । ରାସ୍ତା କାମ ତ ଚାଲିବ ଆର ବର୍ଷ ଯାଏ । ଫଳ ବଗିଚା ଭିତରେ ପାଣିର ପ୍ରବାହ ପାଇଁ ବନ୍ଦୋବସ୍ତ ପ୍ରୟୋଜନ ।

 

ଏମିତି ହେଉ ହେଉ ଗରମ ଦିନ ବି କଟିଗଲା । ବର୍ଷର ଶେଷଦିନ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରାଗଲା । ଫାର୍ମର ଅଗ୍ରଗତି ସନ୍ତୋଷଜନକ । କିନ୍ତୁ ନରେଶ ଟିକିଏ ବିମର୍ଷ ଜଣାପଡ଼ୁଥିଲା । ରବିର ଲୋକସମ୍ପର୍କ ସ୍ଥାପନ ବିଶେଷ ଅଗ୍ରଗତି କରିପାରି ନାହିଁ; କାରଣ ତା’ର ସମସ୍ତ ସମୟ ଫାର୍ମ ଧନ୍ଦାରେ ଚାଲିଯାଉଛି । ବିଜୟ ଆପତ୍ତି ଜଣାଉଛି ଯେ, ଟ୍ରାକ୍ଟର ପାଇଁ ଚାଳିଶ ଏକର ଜମି ଯଥେଷ୍ଟ ନୁହେଁ । ବ୍ରଜ ନିଜ ଜମିରେ ଭଡ଼ା ସୂତ୍ରରେ ଟ୍ରାକ୍ଟର ଚଳାଇବାକୁ ଆଗ୍ରହୀ ।

 

ଫାର୍ମର ବାର୍ଷିକ ଆୟ ବ୍ୟୟ ହିସାବ ରବି ପେଶ କଲା । ଗାଈ ଗୋରୁ ରକ୍ଷଣାବେକ୍ଷଣ, ନିର୍ମାଣ, ଔଷଧ, ଖାଦ୍ୟପେୟ ଓ ପରିଧାନ ବାବଦ ଖର୍ଚ୍ଚକୁ ହିସାବନେଇ ସମୁଦାୟ ଲାଭ ହୋଇଛି ବାର ହଜାର ଟଙ୍କା । ଆର ବର୍ଷଠାରୁ ଲାଭ ପରିମାଣ କ୍ରମେ ବଢ଼ିବ । କାରଣ କଦଳୀ, ଅମୃତଭଣ୍ଡା ଫଳ ଧରିବାକୁ ଆରମ୍ଭ ହେଲାଣି । ତା’ପରେ କ୍ରମେ ଆମ୍ବ, କମଳା, ଲେମ୍ବୁ ଇତ୍ୟାଦି ଫଳିବ । ପ୍ରଥମ ବର୍ଷ ଶେଷରେ ସରକାରୀ ଋଣ ବାବଦକୁ ଆଠ ହଜାର ଟଙ୍କା ପରିଶୋଧ କରାଗଲା । ସ୍ଥିରୀକୃତ ହେଲା ଯେ ଆରବର୍ଷଠାରୁ କିସ୍ତି ପରିମାଣ ବଢ଼େଇ ଶୀଘ୍ର ଋଣ ଶୁଝି ଦିଆଯିବ । ଦ୍ୱିତୀୟ ବର୍ଷ ପାଇଁ ଫାର୍ମ ପରିଚାଳନା କମିଟିର ନୂତନ ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ବ୍ରଜ ନିର୍ବାଚିତ ହେଲା ।

 

ପୁଣି ବର୍ଷା, ଶୀତ, ଗ୍ରୀଷ୍ମ ହୋଇ ଦ୍ୱିତୀୟବର୍ଷ ବି କଟିଗଲା । ଏହି ବର୍ଷରେ ଶହେ ଫୁଟ ଲମ୍ବ, ପଚାଶ ଫୁଟ ଓସାରର ଗୋଟିଏ ଛୋଟ ପୋଖରୀରେ ମାଛ ଚାଷ କରାଯାଇଛି । ନାଳ ଉପର ପୋଲ ପକ୍‌କା ହୋଇଛି । ରାସ୍ତାରେ ମୁରମ ପଡ଼ିଛି । ଫଳଗଛଗୁଡ଼ିକ ମଣିଷେ ଉଚ୍ଚା ହୋଇଗଲାଣି । ଗଛ ଦେହରେ ଅନେକ ରକମର ପକ୍ଷୀ ବସା ବାନ୍ଧିଲେଣି । ଏପରି କି ଫାର୍ମ ପୋଖରୀରେ ପଲ ପଲ ବଗ ମଧ୍ୟ ଆସ୍ଥାନ ଜମେଇଛନ୍ତି । ଉଲ୍ଲେଖଯୋଗ୍ୟ କ୍ଷୟକ୍ଷତି ଭିତରେ ଗତବର୍ଷ ଥରେମାତ୍ର ବନ୍ୟାରେ ୱାର୍କସପ୍ ଓ ଗୋଶାଳାର କେତେକ ଅଂଶ ନଷ୍ଟ ହୋଇଯାଇଥିଲା । କିନ୍ତୁ ପାହାଡ଼ିଆ ନଈର ବନ୍ୟା ଦୁଇ ଘଣ୍ଟାରୁ ବେଶି ରହିନଥିଲା । ତେଣୁ ରକ୍ଷା ।

 

ଦୁଇବର୍ଷ ଭିତରେ ଗାଈ ସଂଖ୍ୟା ଦଶରେ ପହଞ୍ଚିଛି । କୁକୁଡ଼ା ପାଞ୍ଚ ଶହ । ଲାଭ କୋଡ଼ିଏ ହଜାର ଟଙ୍କା । ସଭ୍ୟମାନେ ସହଯୋଗର ମୂଲ୍ୟ ହୃଦୟଙ୍ଗମ କଲେଣି । ଏହା ମଧ୍ୟ ଉପଲବ୍‌ଧି କଲେଣି ଯେ ଆଗ୍ରହ କରି ଉପଯୁକ୍ତ ମାର୍ଗରେ ଉଦ୍ୟମ କଲେ ଯେକୌଣସି ଯୋଜନା ଫଳପ୍ରଦ ହୋଇପାରିବ ।

 

ଆରତିକୁ ଏକୁଟିଆ ଲାଗିଲେ ବେଳେବେଳେ ସେ କେନ୍ଦୁପଦରଯାଇ ୟା ତା’ ଘରେ ଗପ ଜମାଏ । ଲୋକଙ୍କର ଦୈନ୍ୟ ଅବସ୍ଥାକୁ ଦେଖି ଦୁଃଖିତ ହୁଏ ।

 

ଆଉ କେତେକ ସମୟରେ ଆରତି ଭାବେ, ଫାର୍ମରେ ରହି ତା’ର ନିଜର କ’ଣ ଲାଭ ହୋଇଛି ? ତା’ର ବୋଲି ତ କିଛି ପୃଥକ ନାହିଁ । ସବୁ ଗୋଟିଏ ଗୋଷ୍ଠୀର । ତଥାପି ସେ କ’ଣ ସବୁଦିନେ ଏମିତି ରହିଥିବ ?

 

ଫୁଲ ଉପରେ ପ୍ରଜାପତିକୁ ଦେଖିଲେ ଚଟ୍‌ କରି ସେ ଆଖି ବୁଲାଇନିଏ ଏବଂ କାମରେ ମାତେ ।

 

ପନ୍ଦର

 

ଡୁମ୍ବାଗୁଡ଼ାରୁ କେନ୍ଦୁପଦର ଗଲାବେଳେ ମାଙ୍ଗତା ମାଝି ଫାର୍ମରେ ମୁଁହ ମାରିଦେଇ ଗଲେ । ସେତେବେଳକୁ ସଭ୍ୟମାନେ କାର୍ଯ୍ୟରତ । ମୁଖ୍ୟ ଗୃହରେ ଆରତି ସହିତ ଦେଖାହେଲା ମାଝିବାବୁ ଫାର୍ମ ସଭ୍ୟଙ୍କ ସହିତ ବହୁତ ଦିନୁ ପରିଚିତ । ଟିକିଏ ଅପେକ୍ଷା କରିବାକୁ ଆରତି ଅନୁନୟ ହୋଇ କହିଲା । କିନ୍ତୁ ନିଜର ଉପସ୍ଥିତି ଯୋଗୁଁ କାମରେ ବାଧା ସୃଷ୍ଟି କରିବାକୁ ସେ ଚାହୁଁନଥିଲେ । ବେଳ ଦେଖି ଦେବକୁ ତାଙ୍କ ଘରଆଡ଼େ ଯିବାପାଇଁ କହି ସେ ଚାଲିଗଲେ ।

 

ଖାଲି ନାଁକୁ ମାତ୍ର ମାଙ୍ଗ୍‍ତା ମାଝିଙ୍କର କେନ୍ଦୁପଦରରେ ଘର । କିନ୍ତୁ ପ୍ରକୃତରେ ଘର ବୋଲି ତାଙ୍କର ନିଜର କିଛି ନାହିଁ । ବିବାହର ଅଳ୍ପଦିନ ପରେ ସ୍ତ୍ରୀ ମଲେ ଏବଂ ସେ ଆଉ ବାହା ହୋଇନାହାନ୍ତି । କେନ୍ଦୁପଦରରେ ତାଙ୍କର ଯେଉଁ ଦଦରା ଘରଟି ରହିଛି ତାକୁ ଗ୍ରାମ ଶିକ୍ଷକଙ୍କୁ ମାଗଣାରେ ରହିବା ପାଇଁ ଦେଇଛନ୍ତି । ସେଇ ଘରର ଗୋଟିଏ ଅଣଓସାରିଆ ବଖରାରେ ସେ କେବେ କେନ୍ଦୁପଦର ଆସିଲେ ରହନ୍ତି । ନହେଲେ ଏ ଗାଁକୁ ସେ ଗାଁ ବୁଲୁଥାନ୍ତି ।

 

ମାଙ୍ଗତା ମାଝିଙ୍କର ବୟସ ପଚାଶ ପାଖାପାଖି । ଗାଁ ଲୋକେ ତାଙ୍କୁ ଖଣ୍ଡିଆ ଦାଦା ବୋଲି ଡାକନ୍ତି । ତାଙ୍କର ସମବୟସ୍କ ଲୋକେ ମାଙ୍ଗୁ ବୋଲି ସମ୍ବୋଧନ କରନ୍ତି ।

 

ମାଙ୍ଗତା ମାଝିଙ୍କୁ ଦେଖିଲେ ଭକ୍ତି ଆପେ ଚାଲିଆସେ । ଗୋରା ତକ୍‌ତକ୍ ଗୋଲ ମୁହାଁ ପ୍ରଶସ୍ତ ଚିକ୍ ଚିକ୍ କପାଳ । ଦୀପ୍ତିମୟ ଆଖି । ଚେପ୍‌ଟା ନାକ । ଓସାର କାନ । ଚନ୍ଦା ମୁଣ୍ଡରେ ତେଲ ଦେବାର ଆବଶ୍ୟକତା ନ ଥାଏ । ପରିଧାନ ଖଣ୍ଡେ ଖଦଡ଼ କନାର ପରିଷ୍କାର ଧଳା ଗଞ୍ଜି । ଆଣ୍ଠୁ ପର୍ଯ୍ୟନ୍ତ ଲୁଗା । ଆଣ୍ଠୁ ତଳକୁ ଛ’ଇଞ୍ଚ ଲମ୍ବର ଗୋଟିଏ ଗାତ କ୍ଷତ ଦାଗ । ଗଞ୍ଜି ଖୋଲିଦେଲେ ବେକ ମୂଳରୁ ଆରମ୍ଭ କରି ପିଚାଯାଏ ଦଶ ବାରଟି କଳା ଦାଗ ।

 

କଳା କ୍ଷତ ଚିହ୍ନଗୁଡ଼ିକୁ ଦେଖି ଗାଁ ଲୋକେ ଖଣ୍ଡିଆ ଦାଦା ବୋଲି ଡାକନ୍ତି ଏବଂ ସେଗୁଡ଼ିକ ମଧ୍ୟରୁ ଏବେ ଉଙ୍କିମାରେ ସ୍ଵାଧୀନତା ସଂଗ୍ରାମରେ ଦେଶପ୍ରେମୀ ବୀର ଯୋଦ୍ଧାମାନଙ୍କର ଆତ୍ମୋସ୍ଵର୍ଗ ଓ ତ୍ୟାଗର ଦର୍ପିତ ଠାଣି ।

 

ଆଦିବାସୀ ଘରର ପିଲା ହୋଇ ମଧ୍ୟ ସେ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏତିକିବେଳେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ପଥରେ ସେ ଚୁମ୍ବକ ଭଳି ଟାଣି ହୋଇଗଲେ । ସପ୍ତମ ଶ୍ରେଣୀରୁ ପାଠ ଛାଡ଼ି ସେ ହେଲେ ଏକ ତରୁଣ ଆଦିବାସୀ ନେତା । ନିର୍ଯାତନାର ଡାକ ଛାଡ଼ି ଛାତିରେ ଚମକ ସୃଷ୍ଟି କରୁଥିଲେ । ଚଷା ବାପର ମନକୁ ପୁଅର ଏପରି ସ୍ଵଭାବ ଭଲ ଲାଗିଲା ନାହିଁ-। ଜୋର ଜବରଦସ୍ତ କରି ବିବାହ କରାଇଲେ । କିନ୍ତୁ ସେ ସଂସାରୀହୋଇ ରହିପାରିଲେ ନାହିଁ-। ପତ୍ନୀଙ୍କୁ ଶଯ୍ୟାରେ ଅଶ୍ରୁ ସମ୍ବରଣ କରିବାକୁ ଛାଡ଼ିଦେଇ ସେ ଫେରାର ହୁଅନ୍ତି ବହୁଦିନ ଯାଏଁ । ସେତେବେଳକୁ ସେ ଗୁପ୍ତ ସମ୍ବାଦ ଯୋଗାଣରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିସାରିଥିଲେ । ଦିନେ ସେ ପୋଲିସ୍ ହାତରେ ଧରାହେଲେ । କିନ୍ତୁ କୌଶଳ କରି ପୋଲିସ୍ କବଳରୁ ଖସିଆସିଲେ-। ରାତି ଅଧରେ ଘରେ ପଶି ପତ୍ନୀଙ୍କ ଗୋଚରରେ ଲୁଚି ରହିଲେ । ପୋଲିସ୍ ଘର ଘେରାଉ କଲା । ପତ୍ନୀ ପତିର ଠାବ ଦେଲାନାହିଁ । ଘର ଖାନତଲାସରେ ସେ ଧରାପଡ଼ିବାରୁ ଉଭୟଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଲା । ପ୍ରତିଦିନ ପୋଲିସ୍ ଆସି ଗୁପ୍ତ ଦଲିଲର ଠାବ, ବିପ୍ଳବର କାର୍ଯ୍ୟସୂଚୀ ଏବଂ ସହଯୋଗୀମାନଙ୍କର ଠିକଣା ପଚାରନ୍ତି । ମାଝି କୌଣସି ଉତ୍ତର ଦିଅନ୍ତି ନାହିଁ । ନିସ୍ତୁକ ମାଡ଼ ହୁଏ-

 

ଦିନେ ଜଣେ ସାହେବ ଗ୍ରାମର ମାଝିଙ୍କୁ ମାଙ୍ଗତା ବାବୁଙ୍କ ସମ୍ମୁଖକୁ ଆଣି ଉପରୋକ୍ତ ବିଷୟ ପଚାରିଲେ । ଉତ୍ତର ନ ମିଳିବାରୁ ପତ୍ନୀଙ୍କୁ ତାଙ୍କ ସମ୍ମୁଖରେ ଉଲଗ୍ନ କରାଗଲା । ମାଙ୍ଗତା ବାବୁ ଆଖି ବୁଜିଦେଲେ । ଦୁଇଜଣ କନେଷ୍ଟବଳ ମାଙ୍ଗତା ବାବୁଙ୍କୁ ଜାବୁଡ଼ି ଧରି ଆଖି ମେଲା କରି ରଖିଲେ । ତାଙ୍କ ମେଲା ଆଖିଆଗରେ ଚାଲିଲା ନିଜ ସ୍ତ୍ରୀ ପ୍ରତି ଅତ୍ୟାଚାର । ପତ୍ନୀର ବୁକୁଫଟା ଚିତ୍କାର ଶୁଣି ମଧ୍ୟ ସେ ପଦେହେଲେ କଥା କହିଲେ ନାହିଁ । ସାହେବ ବିରକ୍ତ ହୋଇ ସ୍ତ୍ରୀ ଲୋକଟିକୁ ଫୋପାଡ଼ିଦେଲେ । ବେକ ମୋଡ଼ା କୁକୁଡ଼ା ପରି ସୁକୁ ସୁକୁ ହୋଇ ସେ ଗୋଟିଏ କୋଣରେ ପଡ଼ି ରହିଲେ । ତା’ପରେ ଚାଲିଲା ମାଙ୍ଗତା ବାବୁଙ୍କ ଉପରେ ମାଡ଼ । ପିଠିସାରା ନୋଳା ଫାଟି ରକ୍ତ ବୋହୁଥାଏ । ଶେଷରେ ତାଙ୍କୁ ଚିତ୍ କରି ଶୁଆଇ ଗୋଟିଏ ଲୌହଦଣ୍ଡ ତାଙ୍କ ପାଟିରେ ଭର୍ତ୍ତି କରାଗଲା । ଖୋଲା ପାଟି ଭିତରେ ସାହେବ ମୁତିଲେ । ତଥାପି ପଦେ ଉତ୍ତର ତାଙ୍କ ପାଟିରୁ ବାହାରିଲା ନାହିଁ । ଶେଷଥର ଅନ୍ତପୁଟା ଦୁହିଁ ଯାହା ବାହାରିଲା ତାହା ହେଉଛି–“ବନ୍ଦେ ମାତରମ୍ ।” ଏଥର ସାହେବଙ୍କର ରାଗ ମୁଣ୍ଡଯାଏ ଚଢ଼ିଗଲା । ଭୀଷଣ ଗର୍ଜନ କରି ବନ୍ଧୁକଟିଏ ଟାଣିଆଣି ବଟନ୍‍ଟିକୁ ଗେବିଦେଲେ ମାଙ୍ଗତା ବାବୁଙ୍କ ଦେହରେ । ଯୋଗକୁ ତାହା ଆଣ୍ଠୁତଳେ ବାଜି ଗୋଡ଼ର ମାଂସପେଶୀକୁ ଦୁଇ ଗଡ଼ କରିଦେଲା । ମାଙ୍ଗତା ବାବୁ ମୂର୍ଛା ଗଲେ । ସେଇ ଚିହ୍ନ ଆଜି ମଧ୍ୟ ଗାଢ଼ ହୋଇ ଦେଖାଯାଏ ।

 

ଅଳ୍ପଦିନ ପରେ ଜେଲରେ ସ୍ତ୍ରୀ ମଲେ । ପାଞ୍ଚବର୍ଷ ପରେ ଦେଶ ସ୍ଵାଧୀନ ହେଲା । ସେ ଜେଲରୁ ମୁକ୍ତହେଲେ । ଗାଁରେ ଆସି ଦେଖନ୍ତିତ ବାପା ମୃତ । ଘର ଭଙ୍ଗା ଦଦରା । ଜମିତକ ବଳଭଦ୍ରଙ୍କ ବାପାଙ୍କ କ୍ଷେତରେ ମିଶିଗଲାଣି । ସିଂ ମାଙ୍ଗତା ବାବୁଙ୍କ ବାପାଙ୍କୁ ମୃତ୍ୟୁ କାଳରେ ପୁଅ ବୋହୂର ମୃତ୍ୟୁ ଗୁଜବ ଶୁଣାଇ, କିଛିଦିନ କାୟିକ ଓ ମାନସିକ ସାହାଯ୍ୟ ଦେଇ ଅନେକ ଜମି କାଗଜ କଲମରେ ମାରିନେଇଥିଲେ । ଆଶା ଦେଇଥିଲେ, ଜମିତକ ବିକ୍ରି କରି ତାଙ୍କର ନାମରେ ଗୋଟିଏ ମନ୍ଦିର କରାଇଦେବେ ।

 

ମାଙ୍ଗତା ବାବୁଙ୍କ ଗାଁରେ ଦିନେ ଭୂତ ଭଳି ଦେଖି, ବାପାଙ୍କ ରୋଗଶଯ୍ୟାରେ ଓ କେତେଦିନର ବ୍ୟବଧାନରେ ଖର୍ଚ୍ଚ ହୋଇଥିବା ଧନ, କଳନ୍ତର ସହିତ ମିଶାଇ କୋଡ଼ିଏ ଏକର ଜମି ସିଂ ବାବୁ ରଖିନେଲେ ଓ ବଳକା ପାଞ୍ଚ ଏକର ମାଙ୍ଗତା ମାଝିଙ୍କୁ ଦେଲେ । ସେତେବେଳକୁ ମାଙ୍ଗତା ବାବୁଙ୍କ ଗୋଡ଼ ତଳେ ଲାଗୁନଥାଏ; କାରଣ ସେ ଦେଖିଥିବା ସ୍ଵପ୍ନ ସାର୍ଥକ ହୋଇଛି । ଦେଶ ସ୍ଵାଧୀନ ହୋଇଛି । ଏବେ ସେ ଧନ ଦରବ କିଛି ଚାହାଁନ୍ତି ନାହିଁ । ସେ ଚାହାଁନ୍ତି କେବଳ ଶାନ୍ତି । ତେଣୁ ସେଇ ପାଞ୍ଚ ଏକର ଜମି ମଧ୍ୟ ଗାଁର ଜଣେ ଦରିଦ୍ର କୃଷକଙ୍କୁ ଦାନ କରିଦେଲେ ।

 

ଜେଲ୍‌ରୁ ଫେରିଲା ପରେ ଦିନାକେତେ ଲୋକେ ତାଙ୍କୁ ମୁଣ୍ଡରେ ବସାଇଲେ । କ୍ରମେ ଦେଶରେ ନିର୍ବାଚନ ହେଲା । ମାଝିବାବୁ ଦେଖିଲେ ସ୍ଵାଧୀନତା ପୂର୍ବରୁ ଯେଉଁମାନେ ଖାଲି ଭାଷଣ ଝାଡ଼ୁଥିଲେ ସେମାନେ ମନ୍ତ୍ରୀ ହେଲେ । ତାଙ୍କ ପରି ନୀରବ କର୍ମୀମାନେ ଅଲୋଡ଼ା ହୋଇପଡ଼ୁଛନ୍ତି-। କିଛି ବର୍ଷ ପରେ ବଳଭଦ୍ର ସିଂ ମଧ୍ୟ ନିର୍ବାଚନରେ ଛିଡ଼ାହେଲେ ଏବଂ ମାଙ୍ଗତା ବାବୁଙ୍କ ଲାଙ୍ଗୁଡ଼ ଧରି ବୈତରଣୀ ନଦୀ ପାର ହେଲେ । ସିଂ ବାବୁ ଏମ୍. ଏଲ୍. ଏ. ହେଲେ । ତାଙ୍କ ଘର ଆଗରେ ମାଳ ମାଳ ଲୋକ ଜମା ହେଲେ । ହାରିଗୁହାରି କଲେ । ସବୁଠି ଗୋଟିଏ କଥା; ମାଗଣା ଧନ ଦିଅ, ମାଗଣା କରେଇ ଦିଅ । ନିଜେ କିନ୍ତୁ କିଛି କରିବେ ନାହିଁ । ଏମ୍. ଏଲ୍. ଏ. ମଧ୍ୟ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଉଛନ୍ତି । ଦିନ ଗଡ଼ିଯାଏ, ପ୍ରତିଶ୍ରୁତି କାମରେ ଫଳେ ନାହିଁ । ‘ଦିଅ’ ସର୍ବସ୍ଵ ଲୋକଙ୍କର ବି ଅବସ୍ଥାର ଉନ୍ନତି ହୁଏନାହିଁ । ବହୁଦିନର ଅନୁଧ୍ୟାନ ପରେ ମାଙ୍ଗତା ବାବୁ ହାଡ଼ରେ ହାଡ଼ରେ ଅନୁଭବ କଲେ ଯେ, ଏମିତି ସ୍ଵାଧୀନତାରେ ମୂଲ୍ୟ ନାହିଁ ଯଦି ଲୋକେ ଦରିଦ୍ର ହୋଇ କାଳ କାଟନ୍ତି ଏବଂ ଏହି ଦାରିଦ୍ର୍ୟର ବିଲୋପ, କ୍ଷମତା କିମ୍ବା ଧନରେ ହେବନାହିଁ । ଆତ୍ମନିର୍ଭରଶୀଳତାରେ ହିଁ ଏହା ସମ୍ଭବ । ଏହି ଦର୍ଶନକୁ ପାଥେୟ କରି ସେ ନୂଆ ଉତ୍ସାହରେ ଗାଁ ଗାଁ ବୁଲି କାମ ଆରମ୍ଭ କରିଛନ୍ତି । ଦରିଦ୍ର ଓ ଆଦିବାସୀଙ୍କର ସେବା ଓ ଅଧିକ ଇତର କରୁଥିବା ମହାଜନଙ୍କ କବଳରୁ ସେମାନଙ୍କୁ ମୁକ୍ତ କରି କର୍ମଯୋଗର ପନ୍ଥା ଦେଖାଉଛନ୍ତି ।

 

ମାଙ୍ଗତା ମାଝିଙ୍କର କେନ୍ଦୁପଦର ଆଗମନ ଶୁଣି ଦେବ ଓ ରବି ମଧ୍ୟାହ୍ନ ଭୋଜନ ପରେ ଫାର୍ମରୁ ବାହାରିପଡ଼ିଲେ । ଦୁଇମାଇଲର ବିସ୍ତୀର୍ଣ୍ଣ ପ୍ରାନ୍ତର, ଆବୁରୁଜାବରୁ ଗଛଲତା, ଉଠ ପଡ଼ ରାସ୍ତା ଓ ଉଇହୁଙ୍କା ମାନ ପାରହୋଇ ସେମାନେ ଗାଁ ମୁଣ୍ଡରୁ ପୁରୁଣା ଓସ୍ତଗଛ ମୂଳେ ପହଞ୍ଚିଲେ । ତା’ ତଳେ ଥୁଆହୋଇଥିବା ଢିମା ପଥରରୂପୀ ବୁଢ଼ୀଠାକୁରାଣୀଙ୍କ ଦେହ ସିନ୍ଦୂରରେ ଭରପୂର । ଏହି ଗ୍ରାମଦେବୀଙ୍କୁ ନ ଡରେ କିଏ ? ଏହି ପାଖରେ ହିଁ ସବୁବେଳେ ଦେବ ଗାଁ ଲୋକଙ୍କ ଦାରିଦ୍ର୍ୟ ଓ ଅସହାୟ ଅବସ୍ଥାକୁ ମନେପକାଏ ଏବଂ ଦୁଃଖିତ ହୁଏ । ଆହା, କଳା କିଟିକିଟି ଟିକି ଅମୃତର ସନ୍ତାନମାନେ ଦୁଇଓଳା ଖାଇବାକୁ ମଧ୍ୟ ପାଉନାହାନ୍ତି । ଲମ୍ବ ମୁହଁ, ଓସାର କାନ୍ଧ, ଚେପଟା ନାକ, ଶକ୍ତ ଟାଣ ଦେହଧାରୀ ମଣିଷମାନଙ୍କ ଜୀବନରେ ଆଶା ନାହିଁ କି ଆକାଂକ୍ଷା ନାହିଁ । କୁଞ୍ଚୁକୁଞ୍ଚିଆ ବାଳ ତଳ ଖପୁରି ଭିତରେ କି ଚମତ୍କାର ଦହି ରହିଛି କେଜାଣି, ବେକରେ ପଘା ଲଗେଇ ଯୁଆଡ଼େ ଟାଣିଲେ, ସେମାନେ ଚାଲିଲେ ସେପଟେ । ଜୀବନଦର୍ଶନ ହେଉଛି ପ୍ରକୃତି ବକ୍ଷରେ ଖାଅ, ପିଅ, ପ୍ରେମ କର, ଡିଅଁ, ମର । ବାସ୍ ସେତକ । ନିଜ ପରିଶ୍ରମରେ ଅନ୍ୟଜଣେ ଧନୀ ହେଉଛି, କଥା ଓ ବୃଦ୍ଧି ବଳରେ ଜଣେ କେହି ତାଙ୍କୁ ଶୋଷଣ କରାଯାଉଛି, ସେଥିପ୍ରତି ଦୃଷ୍ଟି ନାହିଁ ।

 

କେନ୍ଦୁପଦରର ଦୃଶ୍ୟ ଦେବର ପୁରୁଣା ହୋଇଗଲାଣି । ଅନ୍ୟାନ୍ୟ ଆଦିବାସୀ ଗାଁଠାରୁ କେନ୍ଦୁପଦର ଟିକିଏ ସ୍ଵତନ୍ତ୍ର । ସେଠି ଆଦିବାସୀ ସଙ୍ଗେ ସଙ୍ଗେ କରଣ, ବ୍ରାହ୍ମଣ, କୁମୁଟି, ଡମ୍ବ, ଆଦି କେତେକ ସହରିଆ ଲୋକ ବି ରହିଛନ୍ତି । ରହିବା କଥା । କାରଣ ପାଖରେ ନଦୀ ଓ ଉପତ୍ୟକା । ଅଳ୍ପ ଦୂରରେ ସହର । ଟିକିଏ ସମତଳ ଜାଗା । ଯେଉଁଠି କେବଳ ଆଦିବାସୀ ରହନ୍ତି ସେଠି ଏମିତି ଛନଛନିଆ ଉପତ୍ୟକା କାହୁଁ ମିଳିବ ? ନଈ ପାଖ ଅତି ସରୁ ଉପତ୍ୟକାର ଗହଳ ବଣ କିମ୍ବା ପାହାଡ଼ ଉପରେ ସେମାନଙ୍କର ସ୍ଥାନ ।

 

କେନ୍ଦୁପଦରର ଠାଏ ଠାଏ ଖୋଲା ପଡ଼ିଆ, ଦରଭଙ୍ଗା ଘରଡିହ, ଦଦରା ଗୁହାଳ, ଗୋରୁ ମୂତର ଗାତ । ମାଛି ମଶା ଗଣଗଣ, ଗୋବର ଖତ ଭଣ ଭଣ । ସାନ ସାନ କଳା ପିଲାମାନେ ଧୂଳିରେ ଗଡ଼ପଡ଼ ।

 

ବଳଭଦ୍ର ସିଂଙ୍କ ଘର ସାମନା ରାସ୍ତା କେନ୍ଦୁପଦରର ବଡ଼ ଦାଣ୍ଡ । ରାସ୍ତାର ଓସାର କେଉଁଠି ପଚାଶ ଫୁଟ ତ କେଉଁଠି ଦଶଫୁଟ । ବଳଭଦ୍ର ସିଂ ଏମ୍.ଏଲ୍.ଏ. ଥିଲାବେଳେ ଏଇ ଏକମାତ୍ର ରାସ୍ତାରେ ସରକାର ଗୋଡ଼ ପକେଇଛନ୍ତି । ଟେକା ପଥରମାନ ଏଯାଏଁ ଢେଗା ଢେଗା ହୋଇ ଉପରକୁ ଦେଖାଯାଉଛି । ଖାଲିପାଦରେ ଚାଲିବା କଷ୍ଟକର । ଏକମାତ୍ର ବଳଭଦ୍ରଙ୍କ ଘରେ ଟାଇଲ ଘର । ସେଇ ସାହିରେ ରହିଥିବା ଲୋକଙ୍କ ଭିତରେ ବ୍ରଜମୋହନ, ବାଙ୍ଗାରାୟା, ବାସୁ ସାହୁ, ବାମନ ଓତା, ବୀରଭଦ୍ରୁଡ଼ୁ ଉଲ୍ଲେଖଯୋଗ୍ୟ । ଏମାନେ କୃଷକ, କିଏ ଛୋଟକାଟିଆ ସାହୁକାର, କିଏ ବେପାର କରି ଗୁଜୁରାଣ ମେଣ୍ଟାଏ । ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ଗୋଟିଏ ଡମ୍ବ ସାହି, ଆଉ ଗୋଟିଏ କୋଣରେ ରହନ୍ତି ଆଦିବାସୀ ଓ ହରିଜନମାନେ । ସମୁଦାୟ ଲୋକ ସଂଖ୍ୟା ପାଞ୍ଚଶହ ଭିତରେ । ଅଧିକାଂଶ ଆଦିବାସୀ ।

 

ଆଦିବାସୀ ରହିବା ଅଞ୍ଚଳରେ ରାସ୍ତା ନାହିଁ । ମନଇଚ୍ଛା ଛତୁ ଫୁଟିଲା ପରି ଘର । ଯେଉଁ ସ୍ଥାନ ଦେଇ ଲୋକେ ଯିବାଆସିବା କରନ୍ତି ସେଗୁଡ଼ିକ ବର୍ଷାଦିନେ ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇଯାଏ । ନାଳ ନ ଥିବାରୁ ରାସ୍ତାର ଗୋଳି ପାଣି ଘର ଭିତରେ ପଶେ । ରାସ୍ତାରେ ସ୍ଥାନେ ସ୍ଥାନେ ଇଟା ପଥର ପକାଇ ଲୋକ ଚାଲବୁଲ କରନ୍ତି । ପଡ଼ିଆ ଡିହମାନଙ୍କରେ ଆବୁରୁ ଜାବୁରୁ ଗଛର ଗହଳି ବଢ଼େ ।

 

ଖରାଦିନ ଅବସ୍ଥା ବି ତଦନୁରୂପ । ଚାରିଆଡ଼େ ଗଦା ଗଦା ଧୂଳି । ନିଆଁ ଲାଗିଲା ତ ଗଲା ସାହିକି ସାହି ଧ୍ଵଂସ ହୋଇ । ଖରାଦିନେ ଚାରି ଫାର୍ଲାଂ ଦୂର ଚନ୍ଦ୍ରାବତୀ ନଈରୁ ପାଣି ବୁହା ଚାଲେ । ଡମ୍ବ ସାହିରେ ଓ ଆଦିବାସୀ ସାହିରେ ଅବଶ୍ୟ ନାମକୁ ମାତ୍ର ଦୁଇଟି କୂଅ ଅଛି; ସେଗୁଡ଼ିକ କିନ୍ତୁ ଭଙ୍ଗା ଦଦରା । ଅଧା ପୋତି ହୋଇଗଲାଣି ।

 

ଲୋକଙ୍କର ରହିବା ଘର ଗାଈ ଗୁହାଳଠୁ ବି ହୀନ । କେଉଁଠି ଛାତର ଫାଳେ ନାହିଁ, କେଉଁଠି କାନ୍ଥର ଅଧେ ପଡ଼ିଯାଇଛି । କେଉଁଠି ବା ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟି ଗଦାଏ ପଡ଼ିଛି । ଘରଗୁଡ଼ିକ ନିସ୍ତୁକ ଅନ୍ଧାର । ଗୋଟିଏ ଛଡ଼ା ଦ୍ୱିତୀୟ କବାଟ କି ଝରକା ନାହିଁ । ସେଇ ଗୋଟିଏ ଛୋଟ ଅନ୍ଧାରିଆ ବକ୍ଷରେ ଖାଇବା, ଶୋଇବା, ଜିନିଷ ରଖିବା–ସବୁ ହୁଏ । ଧୂଆଁରେ ଶ୍ଵାସରୁଦ୍ଧ ହୁଏ । ଘରସାରା ଅଳନ୍ଧୁ ପୂର୍ଣ୍ଣ । ବର୍ଷାଦିନେ ମାଟି ଚଟାଣରେ ଜିଆ ଚାଲେ, ଛତୁ ଫୁଟେ ।

 

ଗାଁର ଦକ୍ଷିଣ ଦିଗରେ ଚଂଦ୍ରାବତୀ ନଈଆଡ଼କୁ ମାଙ୍ଗତା ମାଝିଙ୍କର ଘର । ସେ ଘରେ ରୁହନ୍ତି ସ୍କୁଲମାଷ୍ଟ୍ରେ ବନମାଳୀ ଶତ୍ରୁଶଲ୍ୟ । ବନମାଳୀଙ୍କ ଡାକ ନାଁ ବନାମାଷ୍ଟ୍ରେ । ବନାମାଷ୍ଟ୍ରେ ଯୁବକ । ବୟସ ତିରିଶ ପାଖାପାଖି । ତିନିବର୍ଷ ହେଲା ବିବାହ କରିଛନ୍ତି । ଘରେ ଛ’ମାସର ଝିଅ । ବନାମାଷ୍ଟ୍ରେ ଦେଖିବାକୁ ସାବନା ଓ ପତଳା । ଫୁଙ୍କିଦେଲେ ଉଡ଼ିଯିବେ ଯେମିତି । କିନ୍ତୁ ସେ ବତାଫଡ଼ା ପରି ଟାଣ । ମନରେ ଯଥେଷ୍ଟ ଉତ୍ସାହ, ଦିନରାତି ଖଟନ୍ତି ।

 

ବନାମାଷ୍ଟ୍ରେଙ୍କ ଘର ପାଖ ଡିହରେ ତିନି ବଖରିଆ ସ୍କୁଲ ଘର । ବହୁ ଚେଷ୍ଟା ସତ୍ତ୍ଵେ ସ୍କୁଲର ଛାତ୍ର ସଂଖ୍ୟା କୋଡ଼ିଏରୁ ବଢ଼ିଲା ନାହିଁ । କାଁ ଭାଁ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ, ଆଦିବାସୀ ପିଲେ ପାଠ ପଢ଼ନ୍ତି ନାହିଁ । ବାପ ମା’ ଜମିକୁ ଗଲେ ଛୋଟ ଛୁଆଙ୍କୁ ଘରେ ଜଗିବାକୁ ବଡ଼ ପିଲାଏ ରହନ୍ତି । ନ’ବର୍ଷ ହୋଇଗଲେ ନିଜେ ଉପାର୍ଜନ କରିବାକୁ ବାପା ମା’ ସଙ୍ଗେ ଚାଲନ୍ତି । ତେଣୁ ବନାମାଷ୍ଟ୍ରଙ୍କ କୁହାବୋଲାରେ ଯେଉଁ ପିଲାମାନେ ସ୍କୁଲରେ ନାମ ଲେଖାନ୍ତି, ଦୁଇ ତିନିଦିନ ପରେ ଆଉ ସେମାନେ ସ୍କୁଲକୁ ଆସନ୍ତି ନାହିଁ ।

 

ଗାଁର ଅବସ୍ଥା ଦେଖି ଦେବ ଦୀର୍ଘ ନିଃଶ୍ଵାସ ଛାଡ଼େ । ଗାଁ ଉନ୍ନତି ପାଇଁ କ’ଣ କରାଯିବ ? ମାଗଣା ଶ୍ରମଦାନ କରିବାକୁ କିପରି ପ୍ରେରଣା ଦିଆଯିବ ? ନିଜ ରକ୍ଷଣ ଅସମ୍ଭାଳ, ସେଥିରେ ଗାଁ କଥାକୁ କିଏ ପଚାରେ ? ତଥାପି ବର୍ଷର ଅନେକ ସମୟରେ ଲୋକଙ୍କ ହାତରେ କାମନଥାଏ । ଘରେ ଶୋଇ ଶୋଇ ସେମାନେ ସମୟ କଟାନ୍ତି । ଉପାର୍ଜନ ନ ଥିବାରୂ ଋଣ କରି କଳନ୍ତର ଗଣି ଗଣି ସର୍ବସ୍ଵାନ୍ତ ହୁଅନ୍ତି । ଏ ସମୟରେ ଯଦି କିଛି କରାଯାଏ ।

 

ଭାବୁ ଭାବୁ ଦେବ ଓ ରବି ମାଙ୍ଗତା ବାବୁଙ୍କ ଘରେ ପହଞ୍ଚିଗଲେ ନମସ୍କାର ଆଦାନପ୍ରଦାନ ପରେ ଫାର୍ମ ବିଷୟ ପଡ଼ିଲା । ଫାର୍ମର ଅଗ୍ରଗତି ବିଷୟ ଶୁଣି ମାଝିବାବୁ ଖୁସିହେଲେ । ତା’ପରେ କହିଲେ, “ବୁଝିଲେ, ମୁଁ ନିଷ୍ପତ୍ତି କରିଛି, ବାରବୁଲାଙ୍କ ପରି ଏ ଗାଁରୁ ସେ ଗାଁ ହେବା ବଦଳରେ ଦିନାକେତେ ଏଇଠାରେ ହିଁ ରହିବି । ଗାଁର କିଛି ସଚ୍ଚା ଉନ୍ନତି ଦିଗରେ ଲାଗିବି । ଖାଲି ଉପଦେଶ ବାଣ୍ଟି ଲାଭ ନାହିଁ ।”

 

–“ଗୋଟିଏ ଉତ୍ତମ ନିଷ୍ପତ୍ତି କଲେ ଆଜ୍ଞା ।”

 

–“ହଁ, ଆପଣମାନଙ୍କର କର୍ମହିଁ ମୋତେ ବାଟ ଦେଖାଇଛି । ଗ୍ରାମୋନ୍ନତି ଆପଣମାନଙ୍କର ଲକ୍ଷ୍ୟ ବୋଲି ସେଦିନ କହୁଥିଲେ । ତେଣୁ ଆପଣ ଆରମ୍ଭ କରନ୍ତୁ, ମୁଁ ମଧ୍ୟ ଲାଗିବି । କିଛି ନ ହେଲେ ବୁଢ଼ାର ହାତ ଗୋଡ଼ ତ ଅଛି ।”

 

ଦେବ ଓ ରବି ଅଳ୍ପ ହସିଲେ । ତାକୁ ଲକ୍ଷ୍ୟ ନ ରଖି ମାଙ୍ଗତା ବାବୁ କହିଲେ–“ଶୁଣି ଖୁସିହେବେ ଯେ ଯୋଜନାନୁଯାୟୀ ଆପଣମାନେ ନିଜ ଲକ୍ଷ୍ୟପଥରେ ଖୁବ୍ ଆଗେଇଛନ୍ତି । ଏଠାରୁ ଦଶ ମାଇଲ ଆକ୍ରାନ୍ତରେ ଥିବା ଅନେକ ଗାଁ ମୁଁ ବୁଲିଛି ଏବଂ ସେଠା ଲୋକଙ୍କ ସହିତ କଥାଭାଷା ହୋଇଛି । ସେଥିରୁ କେତୋଟି ହେଲା ଚିରିଘାଟି, ଅଳୁଗୁଣି, ଲଣ୍ଡାପଦର, କୁନ୍ଦୁଲି, ନାରୀଗାଁ, ଚେମାପୁର, ଡମ୍ବାଗୁଡ଼ା, ଅଙ୍ଗାର ଗାଁ, ବାଡ଼ିକଣ୍ଟା, ଟେମ୍‌ରା । ମୁଁ ଜାଣେ, ଆପଣ ବି ଏ ଗାଁ ସବୁ ବୁଲିଛନ୍ତି । ଆପଣମାନଙ୍କର କର୍ମପ୍ରବଣତା ଏବଂ ଫାର୍ମର ବିକାଶ ଗାଁ ଲୋକଙ୍କ ଆଖି ଖୋଲିଦେଇଛି । ଗାଈ କୁକୁଡ଼ାଙ୍କ କଥା ତ ଆଖି ଝଲସା ଦୃଶ୍ୟ, ଶସ୍ୟ ଓ ପନିପରିବା ଉତ୍ପାଦନ କଥାକୁ ଆସନ୍ତୁ । ସେମାନେ ଦେଖିଲେଣି, ଯେଉଁ ଦିନଗୁଡ଼ିକରେ କାମ ନାହିଁ ବୋଲି ସେମାନେ ଶୋଉଛନ୍ତି, ଆପଣମାନେ ସେତେବେଳେ କଠୋର କାର୍ଯ୍ୟରେ ଲିପ୍ତ ଏବଂ ସେହି କାର୍ଯ୍ୟରୁ ପାଉଥିବା ଲାଭକୁ ମଧ୍ୟ ସେମାନେ ଦେଖୁଛନ୍ତି । ମାଟିରେ ଏତେ ଗୁଣ ଅଛି ବୋଲି ନୂଆରେ ସେମାନେ ଭାବିବାକୁ ଲାଗିଲେଣି ।”

 

ଦେବ ଆନନ୍ଦରେ କୁରୁଳି ଉଠିଲା । ଗୋଟିଏ ପାନ ପାଟିରେ ପୂରେଇ କହିଲା–“ଖୁସି ଖବରଟାଏ ଦେଲେ ଆଜ୍ଞା । ଆମର ବି ଇଚ୍ଛା ଏ ଦିଗରେ କିଛି କରିବା ପାଇଁ । ବିଗତ ବର୍ଷଗୁଡ଼ିକରେ ଫାର୍ମ ସଜାଡ଼ିବାରେ ସମସ୍ତ ସମୟ ଚାଲି ଯାଉଥିଲା । ଏ ବର୍ଷଠୁ କାମ କମିଯିବ । ଲାଭ ପରିମାଣ ବି ବଢ଼ିବ । କାରଣ ଫଳ ଉତ୍ପାଦନ ଆରମ୍ଭ ହେଲାଣି । ତେଣୁ ଆଉ କିଛି ଅସୁବିଧା ନାହିଁ ।”

 

–“ମାଙ୍ଗୁ କିରେ ?” କୁଆଡ଼ୁ ଯୁଟିଗଲେ ବଳଭଦ୍ର ସିଂ ।

 

–“ବଳି ଭାଇନା ଯେ ! ନମସ୍କାର । ମୁଁ ମନେମନେ ତୁମକୁ ଖୋଜୁଥିଲି । ଭଲ ହେଲା ଆସିଲ ।”

 

ସିଂ ବାବୁ ଘର ଭିତରକୁ ପଶିଲେ । ସିଂ ମାଙ୍ଗତା ମାଝିଙ୍କୁ ଅନ୍ତର ଭିତରେ ଭାରି ଡରନ୍ତି-। ଫାର୍ମ ସଭ୍ୟଙ୍କୁ ନେଇ ଯଦି ସେଇ ପୁରୁଣା କୋଡ଼ିଏ ଏକର ଜମି ନେଇଯାଆନ୍ତି, ତେବେ ତ ଭେଳା ବୁଡ଼ିଲା । ତା’ଛଡ଼ା ଫାର୍ମ ସଭ୍ୟଙ୍କ ଭିତରେ କେତେବେଳେ କି ହାୱା ବୋହୁଛି ଜାଣିବା ନିହାତି ଦରକାର । କାନ, ଆଖି ସବୁବେଳେ ସଜାଗ ରଖିବା ଉଚିତ । କାନକୁ ଅବଶ୍ୟ ଏଇ କାମରେ ସେ ଲଗାଇଛନ୍ତି ଏବଂ ସେ ମଧ୍ୟ ବିଶ୍ଵସ୍ତ ଭୃତ୍ୟ ପରି କାମ କରୁଛି । ତଥାପି ଯୁଗ ଯାହା ହେଲାଣି, କାହାକୁ ବିଶ୍ଵାସ କରିହେବନି । ଉପରକୁ ଚାହିଁଲା ବେଳକୁ ତଳୁ କଛା କାଟିଦେବା ଜନ୍ତୁ ବିରଳ ନୁହନ୍ତି ।

 

–“କି ମିଟିଂ ଚାଲିଛି ଦେବ ବାବୁ ?” ସିଂ ପଚାରିଲେ ।

 

ମାଙ୍ଗତା ମାଝି ଉତ୍ତର ଦେଲେ–“ଆମ ଗାଁ ଉନ୍ନତି କଥା ପଡ଼ିଛି ।”

 

ସିଂ ପେଟ ଆଉଁଷି ଶ୍ଵସ୍ତିରେ ନିଃଶ୍ଵାସ ଟାଣିଲେ ଏବଂ କହିଲେ, “ଉତ୍ତମ କଥା ଏକା । ଚାଲୁ ଚାଲୁ ।”

 

ରବି କହିଲା, “ଏ ଦୁଇ ତିନି ବର୍ଷରେ ଆମେ ଗାଁ ଗଣ୍ଡା ବୁଲି ଲୋକଙ୍କ ଆଚାର ବ୍ୟବହାର, ହାନି ଲାଭ ବିଷୟରେ ବହୁତ କଥା ଜାଣିଲୁଣି । ଏଠା ଆଦିବାସୀ ଭାଇ ଭଉଣୀମାନଙ୍କର ସାମାଜିକ ଜୀବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ମାନେ ନାଚ, ଗୀତ, ପର୍ବ, ପର୍ବାଣୀ ସବୁ ଉଚ୍ଚକୋଟୀର । ଏଥିରେ ସଂସ୍କାର ବିଶେଷ ଦରକାର ନାହିଁ । ଯାହା ଦରକାର ସେ ସବୁ ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥନୈତିକ ସମୃଦ୍ଧି ପରେ ଆପେ ହୋଇଯିବ ।”

 

–“ଉତ୍ତମ, ଉତ୍ତମ କଥା ।” ତା’ପରେ ଚୁପ୍ ହୋଇ ସିଂ ଘଡ଼ିଏ ଭାବିଲେ । କ’ଣ ବୁଝିଲେ କେଜାଣି ଟିକିଏ ଆଗକୁ କୁଦାମାରି କହିଲେ–‘‘ସବୁ ସୁନ୍ଦର ଯେ ଲୋକେ ୟାପ ଦଗଲବାଜି, ଚୋର, ଖଙ୍ଗାର । ୟାଙ୍କର ଗୋଟେ କି ସମାଜ ହେ । ଢୋଲେ ଢୋଲେ ମଦ ଖାଇ ମାଈପ ମରଦ ସବୁ ୟାପେ ରାସ୍ତାରେ ଘୁଷୁରି ପଲ ପରି ଗଡ଼ପଡ଼ । ୟାର ମାଈପକୁ ସେ ନେଲା ତ ତା’ ମାଈପକୁ ୟେ । ତହିଁରେ ପୁଣି ଚୋର ତସ୍କରଙ୍କ ଗୋସେଇଁବାପ । ଏ ମାରଣା ଜନ୍ତୁଙ୍କ ଦାଉରୁ ତୁମ ଆମ ଭଳି ଭଦର ଲୋକ ଏଠି ରହିପାରିବାନି ହୋ ମାଙ୍ଗୁ । ଯଦି ଗାଁର କିଛି ଉନ୍ନତି କରିବାକୁ ଚାହୁଁଛ ତ ଦିଅ ଏଇ ଶଳେଙ୍କୁ ନିକାଲି, ନାହିଁ ତ ଦିଅ ଜେଲ ଭିତରେ ଠୁଙ୍କି । ତୁମେ ନିଜେ ଦେଖୁନ ରାଜଧାନୀକି । ଏମିତି ମ୍ଳେଛ ନ ଥିବାରୁ, ଆହା, କି ସୁନ୍ଦର ରାସ୍ତାମାନ, କି ସୁନ୍ଦର ଘରମାନ । ଦିବ୍ୟ ଭୁବନ ଏକା ।”

 

ରବି ଜବାବ ଦେଲା, “ଖାସା କଥା କହିଲେ ଆଜ୍ଞା । ନିକାଲି ଦେଲେ କାମ ତୁଟେ । ତେଣିକି ଏଠି ମଧ୍ୟ ଆମେ ରାଜଧାନୀ କରିବା । ବିଚରା ପରଜାମାନେ ଆଉ କେଉଁଠିକୁ ଯାଇ ଭୂଇଁ ତାଡ଼ି ଜମି କଲେ, ଆମେ ତୁରନ୍ତ ସେଠାକୁ ଯାଇ ଘୁଷୁରିପଲଙ୍କୁ ଆଉ କୁଆଡ଼େ ଘଉଡ଼ି ଦେବା । ସେଠି ଦ୍ଵିତୀୟ ଦିବ୍ୟ ଭୁବନ କରିବା । ସେମାନେ କରୁଥିବେ, ଆମେ ତା’ର ଫଳ ଖାଉଥିବା । ନା କ’ଣ କହୁଛନ୍ତି ?”

 

ସିଂ ବାବୁଙ୍କ ମୁଣ୍ଡ ଡାଳିମ୍ବ ପରି ଲଡ଼ ବଡ଼ ହେଲା । ଉତ୍ସାହରେ କ’ଣ ବା କହିଥାନ୍ତେ, ରବି ସବୁ ବିଗାଡ଼ି ଦେଲା ।

 

ମାଙ୍ଗତା ମାଝି କହିଲେ–“ବଳି ଭାଇନା ଯାହା କହିଲେ ତାକୁ ମଧ୍ୟ ଭାବିବା ଉଚିତ । ଗାଁ ଗଣ୍ଡାରେ ମଦ୍ୟପ, ଚୋର, ତସ୍କର ଭରିଗଲେଣି । ଟିକିଏ ଟିକିଏ କଥାରେ ନରହତ୍ୟା ବି ହୋଇଯାଉଛି । ପୁଅ ବାପକୁ ସାମାନ୍ୟ ମଦ ତାଡ଼ି ପାଇଁ ହାଣୁଛି । ଯାହାର ନିଜ ଦେହ, ନିଜ ଧନ, ଜୀବନ, ପରିବାର ପାଇଁ ଯତ୍ନ ନାହିଁ କି ଖାତିର ନାହିଁ ତାକୁ ଧରି କିମିତି ସାମୂହିକ ଉନ୍ନତି କଥା ଭାବିବ ? ତେଣୁ ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ ।”

 

–“ବାଆସ୍, ବାସ୍ । ମୁଇଁ ତ ଏଇ କଥା କହୁଥିଲି ।” କହୁ କହୁ ସିଂ ବାବୁ ତାଳିମାରିଲେ-

 

ଦେବ କହିଲା, “ଏଗୁଡ଼ାକୁ ମୁଠେଇ ଧରିଲେ ଆମେ ଆଗେଇପାରିବା ନାହିଁ । ସଭ୍ୟ ଅସଭ୍ୟ ସବୁ ସମାଜ, ସବୁ ଦେଶରେ ଚୋର, ଖଣ୍ଟ, ମଦ୍ୟପ ରହିଛନ୍ତି । ଶିକ୍ଷା ଓ ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି ହେଲେ ଏଗୁଡ଼ିକ ପଦାକୁ ଫୁଟିଉଠେ ନାହିଁ । ତେବେ ଆମେ ଉଭୟ ପଟୁ କାମ ଆରମ୍ଭ କରିବା ।”

 

ମାଙ୍ଗତା ମାଝି କହିଲେ, “ଆପଣ ତା’ହେଲେ କହନ୍ତୁ, କ’ଣ କ’ଣ କରାଯାଇ ପାରେ ।”

 

ରବି କହିଲା, “ପ୍ରଥମତଃ ଦେଶରେ ଗୋଟିଏ ଧାରଣା ବ୍ୟାପିଗଲାଣି ଯେ ଯାହା କିଛି ହେବ, ସବୁ ସରକାରୀ ସାହାଯ୍ୟକୁ ନେଇ । ତେଣୁ କ୍ରମେ ଲୋକେ ଅଳସୁଆ ହୋଇଗଲେଣି । ଏହି ଚିନ୍ତାଧାରା ବଦଳାଇ ନିଜର ଶକ୍ତି ସାମର୍ଥ୍ୟ ଉପରେ ବିଶ୍ଵାସ ପୁନଃ ପ୍ରତିଷ୍ଠା କରିବାକୁ ପଡ଼ିବ । ତା’ହେଲେ ଗାଁ ଗଣ୍ଡାର ପୁନନିର୍ମାଣ ହୋଇପାରିବ । କେନ୍ଦୁପଦର କଥା ଧରାଯାଉ । ଏଠା ରାସ୍ତା, ଘର ସବୁ ପରିଷ୍କାର ପରିଚ୍ଛନ୍ନ କରି ନୂଆରେ ନିର୍ମାଣ କରିବା ଦରକାର । ସେଥିପାଇଁ ଗୋଟିଏ ନିର୍ମାଣ ସମିତି ଗଠନ କରାଯାଇପାରେ । ପ୍ରତ୍ୟେକ ଘରୁ ସପ୍ତାହରେ ଅନ୍ତତଃ ଜଣେ ମାଗଣା ଶ୍ରମଦାନ କରିବ କିମ୍ବା ଯେଉଁ ଦିନମାନଙ୍କରେ ଚାଷବାସ ନାହିଁ, ସେ ସମୟରେ ସମସ୍ତେ ସ୍ଵତଃପ୍ରବୃତ୍ତ ହୋଇ କାମ କରିବେ ।”

 

–“ଇଏ ନ ହବା କଥା ।” ସିଂ କହିଲେ, “କୁଲି ମଜୁରୀ କଲେ କେଉଁଠି ଦୁଇ ପଇସା ରୋଜଗାର ହେଉଛି । ତାକୁ ଛାଡ଼ି କିଏ ଗେଟ୍, ଘର କରିବାକୁ ଆସିବ ? ଆମେ ହେଲେ ଅବା ବାହାରିପଡ଼ନ୍ତେ, ଏମାନେ ପରା ପକ୍‌କା ଦଗଲବାଜ । ଭଲ କଥା ଶୁଣିବେ ନା କରିବେ ?”

 

ମାଙ୍ଗତା ବାବୁ କହିଲେ, “ମୁଁ ଭାବୁଥିଲି କ’ଣ କି, ଆପଣମାନେ ଯେମିତି ଫାର୍ମରେ କାମ କରୁଛନ୍ତି, ଆମ ଆଦିବାସୀ ଭାଇଙ୍କ ଜମିରେ ସେମିତି ଚାଷ କରାଗଲେ ଭଲ ହୁଅନ୍ତା ।”

 

ରବି ମାଙ୍ଗତା ବାବୁଙ୍କ କଥାକୁ ଆଉ ଟିକିଏ ଲମ୍ବାଇ ଦେଲା–“ମୁଁ ସେଇକଥାକୁ ମଧ୍ୟ ଆସୁଛି ଆଜ୍ଞା । ପ୍ରଥମେ ଗରିବ ଆଦିବାସୀଙ୍କର ନିଜ ଜମିଗୁଡ଼ିକୁ ମହାଜନଙ୍କ କବଳରୁ ଛଡ଼ାଇ ଆଣିବାକୁ ପଡ଼ିବ ।”

 

ସିଂ ପ୍ରମାଦ ଗଣିଲେ । ତଥାପି କହିଲେ–“ହଁ ହଁ ଠିକ୍ କଥା ।”

 

–“ଅବଶ୍ୟ ଏହା କଷ୍ଟସାଧ୍ୟ । ତଥାପି ଆମେ ଚେଷ୍ଟା କଲେ ହୁଏତ ହୋଇପାରେ ଯେ, ସାହୁକାର ଓ ଡମ୍ବ ଉପଦ୍ରବ କମିଯିବ । ଚାଷୀମାନେ ବର୍ଷାଦିନିଆ ଧାନ ଅମଳ କଲା ପରେ, ସେଇ ଜମିରେ ସେଇ ଲୋକଙ୍କୁ ନେଇ ଦ୍ଵିତୀୟ ଫସଲ କରାଯାଇପାରେ । ସରକାରଙ୍କଠୁ ଋଣ ଆସିବ । କିନ୍ତୁ ଟଙ୍କା ସେମାନଙ୍କ ହାତରେ ପଡ଼ିଲେ ମଦଖିଆରେ ଉଡ଼ିଯିବ । ତେଣୁ ଏକ ପରିଚାଳନା ସମିତି ଉପରେ ଏଇ ଭାର ଅର୍ପଣ କରାଯିବା ଉଚିତ ।”

 

ବଳଭଦ୍ର ବାବୁ ମୋଡ଼ିମାଡ଼ି ହେଲେ ।

 

ମାଙ୍ଗତା ମାଝି କହିଲେ–“ଯେହେତୁ ଗାଁର ସବୁ ଲୋକ ଏଥିରେ ସଂପୃକ୍ତ, ତେଣୁ କାଲି ସନ୍ଧ୍ୟାରେ ସ୍କୁଲ ଘରେ ଗାଁ ଲୋକଙ୍କୁ ନେଇ ଗୋଟିଏ ସଭା କରିବା । ସମସ୍ତଙ୍କ ଆଗରେ କଥା ପକେଇବା । ଯାହା ସ୍ଥିର ହେବ ସେ ଅନୁସାରେ କାମ କରିବା । ଆପଣମାନେ ଆଜି ରାତିରେ ଗୋଟିଏ ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରନ୍ତୁ । ଅନ୍ତତଃ ତା’ର ରୂପ କ’ଣ ହେବ ଭାବନ୍ତୁ । କ’ଣ କହୁଛ ବଳି ଭାଇନା ?”

 

–“ହଁ ହଁ, ଶୁଭ କଥାକୁ ଉଛୁରୁ କାହିଁକି ? ବେଗି କରିବା କଥା ନା ! ଏବେ ଯିବା ତା’ ହେଲେ । ଆଜି ଜଣେ ହଳିଆକୁ ଜର ହେଇଛି ଯେ ତାକୁ ୟାପ ନବାର ଅଛି ନରେଶ ବାବୁଙ୍କ ପାଖକୁ ।”

 

ଷୋହଳ

 

ଯାନିଯାତ୍ରା ପରି ଦଳଦଳ ଲୋକ ଛୁଟିଲେ ସ୍କୁଲ ଘରଆଡ଼େ । ସନ୍ଧ୍ୟା ଚାରିଟାରେ ଆଲୋଚନା ସଭା ହେବ ବୋଲି କୁହାଯାଇଥିଲେ ମଧ୍ୟ ଉଦୁଉଦିଆ ଖରାବେଳୁ ଲଙ୍ଗଳା ପିଲାମାନେ ସ୍କୁଲ ଘରେ ଧାଁ ଦଉଡ଼ ଆରମ୍ଭ କରିଦେଲେ । ଦଳଦଳ ସ୍ତ୍ରୀ ପୁରୁଷଙ୍କ ଭିଡ଼ ଜମିଲା । ପୁରୁଷମାନେ, କେତେ ଫୁଙ୍ଗା ଦେହରେ, କେତେ ଛିଟ କନାର ଅଙ୍ଗ ଆଉ କେତେକ ପୁରୁଣା ମଶିଆ ପୋଷାକ ପିନ୍ଧିଥାନ୍ତି । ମୁହଁରେ ପିଁକା, ମୁଣ୍ଡରେ ଗାମୁଛାର ପଗଡ଼ି । ସ୍ତ୍ରୀମାନଙ୍କର ଠାକୁ ଠା ଭିନ୍ନ ଦୃଶ୍ୟ । କାହାର ବର୍ଣ୍ଣ କଳା, କାହାର ହଳଦି ଗରଗର, ନାଲି ନାଲି ଗେରୁଆ ଶାଢ଼ୀ, ମୁଣ୍ଡରେ ଜଡ଼ା ତେଲ ବୁଡ଼ୁ ବୁଡ଼ୁ, ସଳଖ ସୁନ୍ଥା, ନାକରେ ଦଣ୍ଡି, ବେକରେ ନାଲି କାଇଁଚ, ପିତଳ ଓ ପଥର ମାଳି । ପିଲାଙ୍କ ସାଙ୍ଗକୁ ବଡ଼ମାନେ ମଧ୍ୟ ଚବର ଚବର ଆରମ୍ଭ କଲେ । ଚାରିଟାବେଳେ ମାଙ୍ଗତା ମାଝି, ଦେବ, ରବି, ବିଜୟ, ନବଘନ, ବ୍ରଜ, ଜାନି, ଆରତି ଓ ବନାମାଷ୍ଟ୍ରେ ସ୍କୁଲ ଘରକୁ ଆସିଲେ । ସେତେବେଳକୁ ଘର ଓ ବାରଣ୍ଡା ଲୋକରେ ଭରପୂର । ଘରସାରା ପିଁକା ଧୂଆଁରେ ଭର୍ତ୍ତି । ମଝିରେ ମଝିରେ ବୟସ୍କ ଲୋକେ ମଧ୍ୟ ଚିର୍‌କ୍‌ ଚିର୍‌କ୍ କରି ଲେଣ୍ଡେ ଲେଖାଏଁ ଛେପ ବଖରା ଭିତରେ ପକାଇଦେଉଥାନ୍ତି ।

 

ଘର ଭିତରେ ସ୍ଥାନାଭାବରୁ ସ୍କୁଲ ସାମ୍‌ନା ପଡ଼ିଆରେ ସଭା କରିବାକୁ ସ୍ଥିର କରାଗଲା । ବୁହା ଚାଲିଲା ଗୋଟିଏ ଟେବୁଲ, ଗୋଟିଏ ଚୌକି ଓ ତିନି ଚାରୋଟି ବେଞ୍ଚ ।

 

ସେତେବେଳକୁ ଗାଁର ଅନେକ ମୁଖିଆ ଭଦ୍ରଲୋକ ବି ଆସିଯାଇଥିଲେ । ସେ ଭିତରେ ଥିଲେ ବୀରଭଦ୍ରୁଡ଼ୁ, ବାସୁ ସାହୁ, ବାଙ୍ଗାରାୟା ଓ ତାଙ୍କର ପିଲାପିଲିମାନେ । ବାସୁ ସାହୁର ଷୋଳ ବର୍ଷର ଝିଅ ମାଳତି ଓ ତା’ର କେତୋଟି ସମବୟସୀ ସାଥି କୁନ୍ଦ, ରେବତୀ, ସୋମବାରୀ ମଧ୍ୟ ଆସିଛନ୍ତି । ଖରାବେଳେ ଆରତି ଘରକୁ ଘର ବୁଲି ଝିଅପିଲାମାନଙ୍କୁ ସଭାରେ ଉପସ୍ଥିତ ରହିବାପାଇଁ କହିଛି ।

 

ସଭାପତିତ୍ତ୍ଵ କଲେ ମାଙ୍ଗତା ମାଝି । ତାଙ୍କ ପାଖରେ ଲଗାଲଗି ହୋଇ ବେଞ୍ଚରେ ବସିଥିଲେ ଫାର୍ମ ସଭ୍ୟମାନେ, ବାଙ୍ଗାରାୟା, ବାସୁ ସାହୁ, ଆଦିବାସୀଙ୍କ ଭିତରୁ ଶୁକୁରା ପରଜା, ଟେରକା ସାନ୍ତାଳ, ସନିଆ ଡମ୍ । “ଭାଇ ଓ ଭଉଣୀମାନେ, ବସିପଡ଼ ।” ମାଙ୍ଗତା ମାଝି କହିଲେ ।

 

“ହେ ବାବୁ ବସ, ବସ ।”

 

“କେମ୍‌ତା କରି ବସିବୁ ବୁଆ ? ଗାଗରକେ (ଦେହରେ) ଘଷି ହୋଇଯାଉଛି ।”

 

“ହାଁ, ହାଁ, ପାଟିକରନି ।”

 

ଘୁ ଘା ଆରମ୍ଭ ହୋଇଗଲା ।

 

ବିଜୟ ବ୍ୟସ୍ତହୋଇ ଦେବକୁ କହିଲା–“ଦେଖ୍ ଦେଖ୍ । ଏମାନେ ମଣିଷ ନା ମାର୍ଜାର ଦେଖ । ମୁଁ ଦେଖିବିନି କି କିମିତି ତୁ ମିଂଟି କରି ତଡ଼ିବୁ, ୟୁସ୍‌ଲେସ୍ ।”

 

–“ହଁ ମ, ସବୁ ମିଟିଂରେ ସିମିତି ହୁଏ । ଆଜ୍ଞା, ଆରମ୍ଭ କରିଦିଅନ୍ତୁ । ଆପେ ଲୋକେ ଥଣ୍ଡା ହୋଇଯିବେ ।” ଦେବ ମାଙ୍ଗତା ବାବୁଙ୍କ କାନରେ ଫୁସ୍ ଫୁସ୍ କରି କହିଲା ।

 

ମାଙ୍ଗତା ମାଝି ଠିଆହୋଇ ଦୁଇହାତ ହଲେଇ କହିଲେ, “ଭାଇମାନେ, ଆଉ ପାଟିକରନି । ଏଥର ଆମେ ସଭା ଆରମ୍ଭ କରିବା । ଆମ ଗାଁର ଉନ୍ନତି ପାଇଁ ଏ ସଭା ଡକାଯାଇଛି । ଆମେ ନିଜକୁ ଅଧିକ ସୁଖୀ କରିବାକୁ ଆଜିଠୁ ଯତ୍ନ କରିବା । ତୁମ ଆଖିଆଗରେ ଦେଖିଲ, ଆମର ଦେବ ବାବୁ, ବିଜୟ ବାବୁ, ରବି ବାବୁ ଆଉ ତମ ଭିତରୁ ବର୍‌ଜ ବାବୁ ଓ ଜାନି ବାବୁ କେମିତି ଆମ ଗାଁ ପାଖ ମାଟିକୁ ଚଷି, ଦିନ ରାତି ଖଟି ଲାଭ ଉଠାଇଛନ୍ତି । ଏ ବାବୁମାନଙ୍କ ଭିତରେ ଅଛନ୍ତି ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଆଦି ବିଭିନ୍ନ ବିଷୟରେ ତାଲିମପ୍ରାପ୍ତ ଯୁବକ । ଏବେ ବାବୁମାନେ ଆମ ଗାଁ ଗଣ୍ଡାର, ଆମ ଗ୍ରାମବାସୀଙ୍କର ଉନ୍ନତି କରିବା ପାଇଁ ଇଚ୍ଛା କରିଛନ୍ତି ।”

 

ଏହି ସମୟରେ ବଳଭଦ୍ର ସିଂ ମଧ୍ୟ ଆସିଗଲେ । ହସ ହସ ମୁହଁ । ସାଙ୍ଗରେ କୁମୁଟି ସାହୁକାର ବାଙ୍ଗାରାୟାର କୋଡ଼ିଏ ବର୍ଷର ପୁଅ ରାମାୟା । ରାମାୟା ଫାଡ଼ା ଶ୍ରେଣୀର, ଗୁଣ୍ଡାମିରେ ମଧ୍ୟ ଓସ୍ତାଦି ଅଛି । ବାପାଙ୍କୁ ବେପାର ବଣିଜରେ ସାହାଯ୍ୟ କରେ । ତା’ ଦୋକାନରୁ ଧାର ଆଣନ୍ତି ବୋଲି ଆଦିବାସୀମାନେ ତାକୁ ଡରନ୍ତି ।

 

ବିଜୟ ବଳଭଦ୍ର ସିଂଙ୍କ ଆଡ଼କୁ ଆଖିମିଟିକା ମାରିଦେବାକୁ କହିଲା, “ଯାହା ବା ହୋଇଥାନ୍ତା, ଗଲା ଏଥର ସବୁ ନିଆଁ ଲାଗି । ବଜ୍ଜାତ୍ ବୁଢ଼ା ଆସିଲାଣି । ୟୁ ଉଇଲ୍ ଗୋ ଟୁ ହେଲ୍-।”

 

–“ଯା, ତୋର ସବୁବେଳେ ସେଇ କଥା । ତୁ ଜାଣୁନା ସିଂ ବାବୁ କେତେ ଭଲ । ଆମର କେଉଁ କାମରେ ସେ ସାହାଯ୍ୟ କରିନାହାନ୍ତି କହିଲୁ ? ତୋର ତାଙ୍କ ପ୍ରତି କାହିଁକି ଯେ ଏମିତି ଖରାପ ଭାବ ରହିଆସୁଛି ବୁଝିପାରୁନି ।”

 

–“ଲୋକଟା ମତଲବ ରଖି କାମ କରୁଛି । ନେଷ୍ଟି ମ୍ୟାନ । ହଉ, ଦିନେ କେଞ୍ଚା ଖାଇଲେ ଆପେ ଜାଣିବୁ ଯେ ।”

 

ମାଙ୍ଗତା ମାଝି କହୁଥିଲେ–“ଏହା ଆମର ସୌଭାଗ୍ୟର ବିଷୟ । ଆମେ ପ୍ରଗତି ଫାର୍ମର ସଭ୍ୟମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବା । ତାଙ୍କ ପଛେ ପଛେ ରହି ଗାଁର ଶିରୀ ବଢ଼ାଇବା-।”

 

–“ହଁ ହଁ, ନିଶ୍ଚୟ ବଢ଼ାଇବା ।”

 

–“ତାଙ୍କ ପଛକୁ ପଛ ଲାଗିଯିବା ।”

 

–“ଜରୁର୍ ଜରୁର୍”–ଜନତା ଭିତରୁ ବଳଭଦ୍ର ସିଂ ହାତ ଉପରକୁ ଉଠାଇ ଚିତ୍କାର କଲେ ।

 

“ଏ ବଳି ଭାଇନା, ଟେବୁଲ ପାଖକୁ ଆସ । ସେଠି କାହିଁକି ଛିଡ଼ା ହୋଇଛ ? ତୁମକୁ ତ ଆମେ ଖୋଜୁଥିଲୁ ।” ମାଙ୍ଗତା ମାଝି କହିଲେ ।

 

ବଳଭଦ୍ର ସିଂ ଏତକ କଥା ପାଇଁ ଅପେକ୍ଷା କରିଥିଲେ । ଲୋକମାନଙ୍କୁ ଆଡ଼େଇ ଆଡ଼େଇ ଦୁଇଟି ଛୋଟ ହାତକୁ ହଲେଇ ପାଣିରେ ପହଁରିଲା ପରି ଆଗକୁ ମାଡ଼ିଗଲେ । ଟେବୁଲ ପାଖକୁ ଆସି କହିଲେ, “ମୋର ଟିକିଏ ଡେରି ହୋଇଗଲା । ଆଗରୁ ଆସିଥିଲି ଯେ ବାଟରେ ପେଟ ମାଇଲା ।”

 

–“ହଉ, ଦି ପଦ କୁହ ।”

 

–“କହିବା କହିବା” ବଳଭଦ୍ର ସିଂ କହିବାକୁ ଉଠିଲେ । ପ୍ରାଥମିକ ତାଳି ମାଡ଼ ପଡ଼ିଲା ।

 

–“ଭାଇମାନେ, ଭଉଣୀମାନେ, ଆଦିବାସୀ ପରଜାମାନେ, ଡମ୍ବମାନେ, ମାଙ୍ଗତା ଭାଇ (ତୁଇ ସଭାପତି କିଓ ? ହଁ, ହଁ’) ସଭାପତି ମାଙ୍ଗତା ଭାଇ, ବାଙ୍ଗିରିଆ, ଭଦ୍ରୁଡ଼ୁ ଗାରୁ, ବରଜ ବାବୁ, ରବି ବାବୁ, ବିଜୟ ବାବୁ........ ।”

 

–“ଓ ହୋ, ଡୋଣ୍ଟ ବୋର୍ । ମେକ୍ ଇଟ୍ ଶାଟ୍ ।” ବିଜୟ ବିରକ୍ତ ହୋଇ କହିଲା ।

 

–“ଚୁପ୍, ଚୁପ୍ । କିଏ ଶୁଣିଲେ ଖରାପ ଭାବିବ ।” ଦେବ ଚେତାଇ ଦେଲା ।

 

ବଳଭଦ୍ର କହୁଥିଲେ–“ନବଘନ ବାବୁ, ଜାନି ବାବୁ....... । ଆଜି ବଡ଼ ଆନନ୍ଦର ଦିନ ଏକା । ମୁଇଁ ମେଲେ ଥିଲାବେଳେ ଯାହା କରିପାରିନଥିଲି, ଏବେ ଆମର ବାବୁମାନେ ତାହା କରିଦେବେ । ଆମେ ଗରିବ ଲୁକ । ଆମ ଆଦିବାସୀ ଭାଇଙ୍କର ଭଲ ଘର ନାହିଁ, ଖାଇବାକୁ ଭାତ ନାହିଁ । ବଡ଼ ଦୁଃଖର କଥା । ହେଲେ ମହାପ୍ରୁ ଆମକୁ ପାଣି ଦେଇଛନ୍ତି, ପବନ ଦେଇଛନ୍ତି, ଖେତ ଦେଇଛନ୍ତି । ଆମର ହେଲେ ଭଲ ଜମି ଅଛି । ମାତରକ ବର୍‌ଜ ବାବୁ ହେରିକା ଯେଉଁଠି ଫାରୁମ୍ କରୁଛନ୍ତି ସେଠି ତିନିବର୍ଷ ତଳେ ଖାଲି ମାଟି ଭର୍ତ୍ତି ହୋଇଥିଲା । ହେଲେ ଭାଇମାନେ, ଭଉଣୀମାନେ, ସଭାପତି ମାଙ୍ଗୁଭାଇ, ଆମେ ସେଠି କ’ଣ ଦେଖିଲେ ? ଟ୍ରାକ୍‌ଟର ଚାଲିଲା, ଜମି ଚଷା ହେଲା, ଗଛ ହେଲା, ପତର ହେଲା, ଗାଈ କୁକୁଡ଼ା ରହିଲେ, ବଢ଼ିଲେ । ଆମର ପୁଟିଏ ପାଚିଲା ବେଳକୁ ତାଙ୍କର ଗଡ଼ିଶେ । ଆମ ଗାଈ ଗୋରୁ ରୋଗରେ ମଲେ, ତାଙ୍କର ଇଂଜିସିନି ଦେବାରୁ ବଞ୍ଚିଲେ । ଏମିତି ଭହୁତୁ ଲାଭ କଲେ । ଆନନ୍ଦରେ ରହିଲେ । ଏବେ ବାବୁମାନେ ଆମକୁ ମଧ୍ୟ ଆନନ୍ଦ ଦେବାପାଇଁ ଅଣ୍ଟା ଭିଡ଼ି ବାହାରିଛନ୍ତି । ଭାଇମାନେ, ଭଉଣୀମାନେ, ସଭାପତି ମହାଶ୍ୟ ଆମେ ତାଙ୍କର ପଛରେ ବାହାରିପଡ଼ିବା ଚାଲ ।”

 

କେତେଜଣ ମଦୁଆ ଗୋଡ଼ହାତ ଛାଟି ନାଚ କରିବାକୁ ଆରମ୍ଭ କଲେ ଏବଂ ଚିତ୍କାର କଲେ–“ଚାଲ, ବାହାରିପଡ଼ିବା ।” ଅନ୍ୟମାନେ ଜବରଦସ୍ତ କରି ତାଙ୍କୁ ବସେଇଦେଲେ–“ଏବେ ନାହିଁ । ସଭା ସରୁ ।”

 

ଦେବ ବିଜୟର ଗୋଡ଼କୁ ଟିକିଏ ଦାବିଦେଇ ଧୀରେ ଧୀରେ କହିଲା “ଦେଖ୍ ବିଜି, ବଳଭଦ୍ର ସିଂଙ୍କର କି ଜ୍ୱାଳାମୟୀ ଭାଷଣ । କେମିତି ଜନତାଙ୍କୁ ନଚଉଛନ୍ତି । ପ୍ରଗତିର ରଥ ଆଗେଇନେବା ପାଇଁ କି ସୁନ୍ଦର ବୁଝାଉଛନ୍ତି ।”

 

–“ଆରେ ଯାଃ । ଏବେ ବି କହୁଛି । ସେ ଜଣେ ନ୍ୟଷ୍ଟି ଫେଲୋ । ମଦୁଆକୁ ନଚେଇବାକୁ ଗୋଟାଏ ଆର୍ଟ ଦରକାର ?”

 

–“ଚୁପ୍ ଚୁପ୍ ।”

 

–“ଇଡ଼ିୟଟ । ତୁ କହିଲାବେଳକୁ ମୁଁ ଶୁଣୁଥିବି ଆଉ ମୁଁ କହିଲାବେଳକୁ ଚୁପ୍ ଚୁପ୍ ?”

 

–“ତୁ କ’ଣ କହୁଛୁ କି ? ଖାଲି ତ ଗାଳି ବର୍ଷଣ ଚାଲିଛି ।”

 

–“ଯା, ଯାଃ ।”

 

ବଳଭଦ୍ର ସିଂ କହୁଥିଲେ–“ତୁମେ ଭୋକ ଉପାସରେ ରହୁଥିଲ । ଏବେ ବାବୁମାନଙ୍କ ବୋଲ କଲେ ବେଶି ପଇସା କମେଇବ । ଭଲ ଖାଇବ । ମାଇକିନାମାନେ ଦଣ୍ଡି, ମଲକଢ଼ି, କିଆପତର, ଚାପସରି, କାଇଁଚ ମାଳି, ପାଇଁକୁଲୁ, କମରପଟା, ଦୁଦୁଲୁ, ଲାଲାକୁଲୁ ପିନ୍ଧିବେ ।”

 

ସ୍ତ୍ରୀଙ୍କ ମେଳରେ ଟୁପୁରଟାପର ଚାଲିଲା–

 

–“ଆମକୁ ଟଙ୍କା ଦେବେ କିଲୋ ସାରିଆ ?”

 

–“ବଳି ମହାପୁରୁ କହୁଛନ୍ତି ତ ।”

 

–“କିଏ ଦବ ଲୋ ?”

 

–“କେଜାଣି ।”

 

–“ହେଲେ ତୁଇ କିଆପତରି ପିନ୍ଧିବୁ ନା ଦୁଦୁଲୁ ?”

 

–“ଏ ମାଁ, ମୋ ପାଇଁ ଝୁମୁରୁ ଝୁମୁରୁ ମୁରୁ ପାଇଁ ଜୁଲୁ ।”

 

–“ଆଲୋ ରଃ । ଦଇବ–ଛାଡ଼ିଲା ପରି ହ’ନା ।”

 

–“ଏଁ–ଏଁ–ଏଁ ........ ।”

 

–“ଦେବି ଯେ ଖୁନ୍ଦେ ବସେଇ, ଏଁ ଏଁ ଛାଡ଼ିଯିବ ।”

 

ବଳୀ ମହାପ୍ରୁ ଗର୍ଜୁଥିଲେ–“ତୁମେ ମାଟିଘରେ ରହୁଥିଲ, ଏବେ ସିମିଟି ଘରେ ରହିବ । ମାଟି ରୋଟ୍‌ରେ ଚାଲୁଥିଲ, ଏବେ ତାରୁଦିଆ କଅଁଳ ରୋଟ୍‌ରେ ଚାଲିବ ।”

 

ଘନ ଘନ କରତାଳି ଶୁଭିଲା ।

 

–“ଶୁଭୁଛି ? କ’ଣ–ମନକୁ ପାଉଛି ନା ନାହିଁ ?” ଦେବ ବିଜୟକୁ କହିଲା । ବିଜୟ ସତକୁସତ ଚକିତ ହୋଇସାରିଥିଲା । ସିଂ ଭଲ କହିଲେ ତ ।

 

ତଥାପି ସେ କହିଲା–“ପୁରୁଷର ସ୍ଵଭାବ, ନାରୀ ଚରିତ୍ର.........”

 

–“ହଉ ହଉ, ଚୁପ୍ କର ।”

 

–“ତୁ ଚୋପ୍ ବେ ।”

 

ବଳଭଦ୍ର ସିଂଙ୍କ ପରେ ଦେବର ପାଳି । ପାଟିରେ ଖଣ୍ଡେ ପାନ ପୂରେଇ ସେ ଟେବୁଲ ପାଖରେ ଛିଡ଼ାହେଲା । ତାକୁ ଦେଖୁ ଦେଖୁ ମାଇପିଙ୍କ ମେଳରେ–

 

–“ୟାଙ୍କ ନା କ’ଣ ଟି ?”

 

–“କିଏ, ସେ ପାନଖିଆ ବାବୁ ନା ?”

 

–“ହଁ ବା, କୋଉ ନୂଆ ଦେଖିଲାପରି ହଉଛୁ । ଆମ ଭିତରୁ ସେ ଜଣେ ହୋଇଗଲେଣି ପରା । ହେଲେ ମତେ ମରଣ ହଉନାହିଁ ଲୋ ଗୁଲାପି, ଜିଭ ଅଗରେ ଅଛି ନା’ଟା ଆସୁନି ।”

 

–“କିମିତି ଆସିବ ? ଜଣେ ହୋଇଛି ଯେ ବୋଲିବାକୁ । ପୁଞ୍ଜା ପୁଞ୍ଜା ବାବୁ । ୟା’ ବେଳକୁ ତା’ ନାଁ ମନେପଡ଼ିଯାଉଛି ।”

 

ଆଉ ଠା’ରେ କୁନ୍ଦ ମାଳତିକୁ ଚିମୁଟିଦେଲା ।

 

–“ଆଃ”

 

–“ଦେଖ୍ ସ୍ୟାଡ଼େ !”

 

–“କୁଆଡ଼େ ?”

 

–“ସେଇ ମ ସେଇ । ଅନା ଆଗକୁ ।”

 

–“କ’ଣ କି ?”

 

–“ଆହା ହା, କିଛି ଜାଣିନ ! ସତେଇ ପଣରେ ମାଧେଇ.......”

 

–“କ’ଣ କହୁଛୁ, ସଳଖ କହୁନୁ ?”

 

–“ସେଇ ଦେବ ବାବୁ ବା, କେତେ ଭଲେଇ ହଉଚୁ । ସେଦିନ ତାକୁ ଚାହିଁ ତୁ ମୁରୁକି ମୁରୁକି ହସୁନଥିଲୁ ?”

 

–“ଇଲୋ ମା.....କାହିଁ ନାଇଁ ତ ।”

 

–“ସତେ ? ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି, ନାହିଁ ? ମନେମନେ ଭାବୁଛି କିଏ ଜାଣିପାରୁନି ।”

 

–“ମଲା ମର । ତୁଚ୍ଛାଟାରେ ସଜମାଉଁସରେ ପୋକ ପକାଉଛୁ କାହିଁକି ? ନିଜେ ତୁ ପେରେମରେ ପଡ଼ିଥିବୁ ।”

 

–“କଣ୍, କଣ୍, କ’ଣ କହିଲୁ ?”

Unknown

 

ଦେବ କହିବାକୁ ଆରମ୍ଭ କରିଦେଲାଣି, “ଆମେ ଆଜିଠାରୁ ଗାଁ’ରେ ଗୋଟିଏ ପରିବାରର ଲୋକ ପରି ଚଳିବାକୁ ଶିଖିବା । ଯାହା କରିବା ଗ୍ରାମର ଉନ୍ନତି ପାଇଁ । ପ୍ରତ୍ୟେକ ଲୋକର ଅଭାବ ଅସୁବିଧା ଦୂର କରିବା ପାଇଁ ସମସ୍ତେ ଲାଗିପଡ଼ିବା । ଏଠି କାହାର ଶହ ଶହ ଏକର ଜମି ଅଛି ତ କାହାର କିଛି ନାହିଁ । ଯାହାର ବେଶି ଅଛି ସେ ଏକାକୀ ଏତେ ଜମିରେ ଚାଷ କରିପାରୁ ନାହିଁ । ଯାହାର କମ୍ ଅଛି ସେ ଜମିପାଇଁ ମୂଳଧନ ଖଟେଇ ପାରୁନାହିଁ । ଋଣ କରି ହନ୍ତସନ୍ତ ହେଉଛି । ଏ ସବୁ ଅସୁବିଧାକୁ ଦୂର କରିବା ପାଇଁ, ଚାଲନ୍ତୁ, ହାତ ଗୋଡ଼ର ଶକ୍ତି ପ୍ରୟୋଗ କରି, ପଢ଼ିଥିବା ପାଠକୁ ଉପଯୋଗ କରି ଓ ମୁଣ୍ଡରୁ ବୁଦ୍ଧି ଖଟେଇ ସମ୍ମିଳିତ ଚେଷ୍ଟା କରିବା । ଅଧିକ ଉତ୍ପାଦନ କରିବା ।”

 

କଥା ମଝିରେ ସିଂ ଉଠିପଡ଼ି କହିଲେ, “ଭାଇମାନେ, ଭଉଣୀମାନେ, ସଭାପତି ମହାଶ୍ୟ-! ଦେବବାବୁ କ’ଣ କହିବାକୁ ଚାହୁଁଛନ୍ତି ମୁଁ ବୁଝେଇଦଉଚି । ଆଗ କାଳରେ ଗାଁ ଗାଁରେ ଯେମିତି କୋଠ ଥିଲା ସେମିତି ଇଠି କରାଯାଉ । ବୋଇଲେ–କାହାର ନିଜ ଜମି ରହିବନି । ଗାଈ, ଗୋରୁ, ସୁନା, ରୁପା ସବୁ ସମ୍ପତ୍ତି କୋଠର । ସମସ୍ତେ ଖଟିବେ, ସମାନ ଖାଇବେ, ପିଇବେ, ପିନ୍ଧିବେ । ୟେ ବଡ଼ ଉତ୍ତମ କଥା ହେବ । ମୁଁ ୟାକୁ ସମର୍ଥନ କରୁଛି ।”

 

–“ଭଲ ହେବ ଏକା ।”

 

–“ଆହା କି ଗ୍ୟାନବନ୍ତ ବାବୁମାନେ ।”

 

ତାଳିମାଡ଼ ହେଉଛି । ହୋ ହା ଶୁଭୁଛି ।

 

ପ୍ରଶଂସା ପାଇଲେ ମଧ୍ୟ ଦେବର ଉଦ୍ଦେଶ୍ୟ କୋଠଚାଷ ପାଇଁ ଉଦ୍ଦିଷ୍ଟ ନ ଥିଲା । ତେଣୁ ସେ ତା’ର ବକ୍ତବ୍ୟକୁ ପୂର୍ଣ୍ଣ କରିବାକୁ ପାଟି ଖୋଲିଲାବେଳେ, ଶ୍ରୋତାଙ୍କ ଭିତରୁ ରାମାୟା ଛିଡ଼ାହୋଇ ଗର୍ଜନ କଲା ।

 

“ମୁଇଁ ପଚାରିଲି, ଏଠି ତାମ୍‌ସା ଚାଲିଛି କିହେ ?”

 

ସମସ୍ତେ ରାମାୟାଆଡ଼କୁ ଚାହିଁଲେ । ତା’ର କଥାଗୁଡ଼ାକ ବିଜୟ କାନରେ ଟାଇଁ ଟାଇଁ ହୋଇ ଝଣଝଣେଇଲା । ତଡ଼ିତ୍ ବେଗରେ ତା’ ମୁଣ୍ଡ ଉପରକୁ ପିତ୍ତ ଚଢ଼ିଗଲା । କାନ ମୁଣ୍ଡ ଲାଲ ହୋଇଗଲା । ଗୋଟିଏ ସ୍ପ୍ରିଙ୍ଗ୍‍ପରି ଚୌକିରୁ ଡେଇଁପଡ଼ି କହିଲା–

 

–“କ୍ଵାଇଟ୍ ଅନ୍–ପାର୍ଲିଆମେଣ୍ଟାରି ୱାର୍ଡ଼ସ୍ । ତୁମେ କହିଥିବା କଥା ଉଇଥିଡ୍ର କର ।”

 

ରାଗିଗଲେ ରାମାୟା ଓ ବିଜୟ କଥାରେ କଥାରେ ।

 

–“ତମ ଇଙ୍ଗ୍ଲିସି ପାଠ ତମ ଘରେ ରଖି ଦେ । ଏଠି ଓଡ଼ିଆରେ କଅ ।”

 

–“ହଉ ହେଲା । ଓଡ଼ିଆରେ କେତେ ପଣ୍ଡିତ ଦେଖିବିନି କି ? କେଉଁଠି କ’ଣ ଶିଖି ଆସି ଏଠି ଟେମ୍ପର ମାରୁଛ, ନାହିଁ । ତାମ୍‌ସାର ଅର୍ଥ ଜାଣିଲଣି ନା ?”

 

–“ଏ, ଏ, କିସ ପିଟି ପକେଇବୁ କିହେ ? ଆବା ଆବା କି ରିପ୍‌ସା (ରାଗ) !”

 

ଉତ୍‌କ୍ଷିପ୍ତ ବିଜୟକୁ ଦେବ, ମାଙ୍ଗତା ବାବୁ ଓ ବନାମାଷ୍ଟ୍ରେ ଧରାଧରି କରି ବସାଇଦେଲେ-। ଦେବ ଆକୁଳ ହୋଇ କହୁଥାଏ.....“ବିଜି ଭାଇ, ମୋ ରାଣ, ତୁନି ହ । ତା’ କଥା ମୁଁ ବୁଝୁଛି ।”

 

–“କଚୁଟା ବୁଝିବୁ ! ରାସ୍କେଲସ ! ଲେଟ୍ ଦେମ୍ ଗୋ ଟୁ ହେଲ୍ !”

 

ତେଣେ ବଳଭଦ୍ର ସିଂ ରାମାୟା ପାଖକୁଯାଇ ତାକୁ ପାମ୍ପଳା ପାମ୍ପଳି କରି କହୁଥାନ୍ତି.....“ରାମାରେ, ଘୁଲୁ କରନା ବାପା । ସେମାନେ ଜାଣିବା ବୁଦ୍ଧିମନ୍ତ ବାବୁମାନେ ।”

 

ଦୁଇଜଣ ଟିକିଏ ଶାନ୍ତ ହେବା ପରେ ମାଙ୍ଗତା ବାବୁ ରାମାୟାକୁ ତା’ କଥା ସ୍ପଷ୍ଟ କରି କହିବାକୁ ଅନୁରୋଧ କଲେ ।

 

ରାମାୟା କହିଲା–“ତୁମେ ଯୁ’ଟା (ଯେଉଁଟା) କରିବାକୁ କଇଲ, ସେଟା ଖରାପ କଥା । ଆଜି କଇବ ଜମି କୋଠରେ ମିଶିଲା । କାଲିକି କଇବ ଗାଈଗୋରୁ କୋଠର । ତା’ର ଉତ୍ତାରୁ ପଇସାପତ୍ର । ପଛକୁ ପିଲା ମାଇକିନା ମିଶା କୋଠର । ସବୁ ବାଣ୍ଟି କୁଣ୍ଟି..... ।” ଶେଷ ବକ୍ତବ୍ୟ ସେ ମୁଣ୍ଡ ହାତ ହଲାଇ ଅଭିନୟରେ କହିଗଲା ।

 

–“ରାମ, ରାମ ! ହେ ହରି !! କି କାଳ ହେଲା !!!”

 

–“ଏ, ମାଆଆ..... ।”

 

–“ରାମା ଠିକ୍ କଥାକୁ ପକଡ଼ିଛି । ନ ହେଲେ ଏ ବାବୁମାନେ ଯାଛାତା କରିଦିଅନ୍ତେ ।”

 

–“ବାବୁ ନା ହିଙ୍ଗୁ ? ଆରେ ବାବୁ, ବୁଝିପାରୁନ, ଗଜା ଟୋକା ପରା । ବିଭା ଚୁଡ଼ାର ନାଁ ନାହିଁ । କିମିତି ଟିଙ୍କ ପରି ଫୁଲିଛନ୍ତି ଦେଖ ।”

 

କେତେ ଲୋକ ଘଣାରେ ଉଠିପଡ଼ିଲେ । ଦେବ ଦବିଗଲା ନାହିଁ । ସେ ନିରୁଦ୍‌ବେଗରେ କହିଲା–“ଭାଇମାନେ, ବସିଯାଆନ୍ତୁ । ରାମାୟା ବାବୁଙ୍କ ମତାମତ ଶୁଣିଲେ । ସେ ତାଙ୍କର ଆଶଙ୍କା କଥା କହିଲେ । ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ତାଙ୍କ ମତକୁ ଆଖିରେ ରଖି ଆମ ଯୋଜନା କରିବା । ସ୍ଵାଧୀନ ଦେଶରେ କାହାଉପରେ କିଛି ଲଦି ଦିଆଯାଉନି ।” କୋଳାହଳ ଊଣା ହେଲା ।

 

ଦେବ ବଡ଼ପାଟିରେ କହିଲା–“ଦେଖନ୍ତୁ ମୋର ପ୍ରିୟ ବନ୍ଧୁମାନେ ! ମୁଁ କଦାପି କୋଠ କିମ୍ବା ସମ୍ପତ୍ତି ଏକତ୍ରୀକରଣ ବିଷୟ କହିନାହିଁ । ଆମର ନମସ୍ୟ ସିଂ ବାବୁ ମୋ ଭାଷଣର ମଝିରୁ ତାଙ୍କର ନିଜର ଧାରଣା କହିଲେ ଏବଂ ସେଇ ଧାରଣା ଆମର ବନ୍ଧୁ ରାମାୟାଙ୍କ ଆଲୋଚନାଦ୍ଵାରା କାଟ ଖାଇଲା ।”

 

ଫାର୍ମ ସଭ୍ୟମାନେ ହସି ହସି ତାଳିମାରିଲେ । ତାଙ୍କୁ ଦେଖି ଅନ୍ୟମାନେ ବି । ଯିବା ଲୋକେ ବାହୁଡ଼ିଆସିଲେ । ସରି ଆସୁଥିବା ସଭା ପୁଣି ସରଗରମ ହେଲା । ସିଂ ଜନତା ଆଗରେ ଗୋଟିଏ ଠେସା ଖାଇଲେ । କିନ୍ତୁ କିଛି ନ ହେଲା ପରି ସେ ପୁନର୍ବାର ହସି ତାଳିମାରିଲେ ।

 

ହଠାତ୍ ଦେବର ସ୍ଵର ବଦଳିଗଲା । ବାଷ୍ପରୁଦ୍ଧ କଣ୍ଠରେ ସେ କହିଲା–“ଭାଇମାନେ, ଅହରହ ତୁମକୁ ଧରିତ୍ରୀ ମା’ କାନ୍ଦି କାନ୍ଦି, ହସି ହସି ଗୋଟିଏ କଥା କହିବୁଲୁଛି । ଏଇଲାଗେ ମଧ୍ୟ । ଶୁଣୁଛନ୍ତି ? ଶୁଣିପାରୁଛନ୍ତି ଚନ୍ଦ୍ରାବତୀ ନଈର ଆତୁର ଡାକ ?”

 

ଟିକିଏ କାନ ଡେରିଲେ ଚନ୍ଦ୍ରାବତୀର କୁଳୁକୁଳୁ ଧ୍ଵନି ଶୁଭୁଛି । ଏଇ ତ ସବୁଦିନିଆ ଶବ୍ଦ । ତା’ର ପୁଣି ଭାଷା କ’ଣ ? ସେ ଭାଷାର ଅର୍ଥ ରହିଛି ?

 

–“ସେ କହୁଛି, ‘ମୁଁ ଥାଉ ଥାଉ ତୁମେ ଦାରିଦ୍ର୍ୟ ଭୋଗୁଛ ? ତୁମକୁ ମୁଁ ମାଟି ଦେଲି, ବଣ, ପାହାଡ଼, ପଶୁ, ପକ୍ଷୀ, ମେଘ, ପବନ ସବୁ ଦେଲି । ଆଉ କ’ଣ ଖାଦ୍ୟପେୟ ମଧ୍ୟ ମୁହଁ ପାଖରେ ଥୋଇଦେଇଥାନ୍ତି ? ସେପରି କଲେ ତୁମେ ନିଜେ କ’ଣ କରନ୍ତ ? ବୁଦ୍ଧି ଖଟାଅ । ମୋତେ ଏଠାରୁ ଉଠେଇ ନିଅ । କର୍ଷିତ ଜମି ଉପରେ ମୋତେ ଗଡ଼ାଇ ଦିଅ । ଦେଖିବ, ସବୁଜ ଖେତ ଓ ସୁନା ଫସଲ ତୁମ ହାତ ମୁଠାରେ । ପରିଶ୍ରମ କରି ତୁମେ ସୁଖରେ ରହ ।’ ଭାଇମାନେ, ଆମେ କ’ଣ ଆମ ମା’ର ଡାକ ଶୁଣିବା ନାହିଁ ?”

 

ସମସ୍ତେ ଖାଲି ବଲ ବଲ କରି ଚାହିଁ ରହିଲେ । ଚନ୍ଦ୍ରାବତୀର କୁଳୁକୁଳୁ ଧ୍ଵନି କ୍ରମେ ସ୍ପଷ୍ଟ ହୋଇ ଆସୁଥିଲା । ନୂଆ ଭାବ ଉଦ୍ରେକ କରୁଥିଲା । କାହା ପାଟିରୁ କଥା ସ୍ଫୁରୁନଥିଲା ।

 

ବଣ୍ଡ୍‌କୁ ପରଜା ନିଶାରେ ଆଣ୍ଠୁ ପେଟରେ ଜାକି ଗୋଟିଏ କୋଣରେ ଶୋଇପଡ଼ିଥିଲା । ଘୁ ଘାରେ ନିଦ ଜମେଇଆସୁଥିଲା । ହଠାତ୍ ନିଃଶବ୍ଦ ହୋଇଯିବାରୁ ତାକୁ ଅଡ଼ୁଆ ଲାଗିଲା । ଖଣ୍ଡିଆ ସ୍ଵରରେ ଲମ୍ବେଇଦେଲା ଫାଳେ ଗୀତ–“ପାଣି ମାରିଦେଲା ଝାଇଁ, ପାଣି ମାରିଦେଲା ଝାଇଁ, ପାଣି ମାରିଦେଲା ଝା ଝା...ହା...ଇ ।”

 

–“ହି ହି ହି ।”

 

–“ହୋ ହୋ ହୋ.....”

 

–“ଦିଅ ଶଳାକୁ ଖୋବି । ଶଳାର ନିଶାଫିସା ଉଡ଼ିଯିବ ।” ଗୋଟାଏ ମୁଥ ବସିଗଲା ମଧ୍ୟ-। ବଣ୍ଡ୍‌କୁ ପରଜା ଝାଡ଼ଝୁଡ଼ ହୋଇବସିଲା ।

 

ଟିକିଏ ରହି ଦେବ କହିଲା–“ଆମେ ନିଶ୍ଚୟ କରିବା । ଚନ୍ଦ୍ରାବତୀ ମା’କୁ ଆଶ୍ରା କରି ଆମେ ଆଗେଇଯିବା । ତା’ରି ପାଣିରେ ପ୍ରତି ଜମିରୁ ତିନୋଟି ଫସଲ ଉତାରିବା । ଚେଷ୍ଟା କଲେ ମୂଳଧନ ମିଳିପାରିବ । ଆମକୁ ମିଳିଛି ଯେତେବେଳେ ତୁମକୁ କାହିଁକି ମିଳିବନି ? ବର୍ଷେ ଦୁଇବର୍ଷ କଷ୍ଟେମଷ୍ଟେ ଚଳିବା । ଶୋଷଣକାରୀଙ୍କଠୁ ଋଣ ଆଣିବା ନାହିଁ । ପରଠି ବେଠି ଖଟିବାନି । ମୁଁ ଏକ ପ୍ରସ୍ତାବ ଦେଉଛି ଯେ–କେନ୍ଦୁପଦରରେ ଗୋଟିଏ ସମବାୟ ସମିତି ଗଠନ କରାଯାଉ । ତା’ର ନିର୍ବାଚିତ ସଭ୍ୟମାନେ ପ୍ରତ୍ୟେକଟି କାର୍ଯ୍ୟକ୍ରମର ପରିଚାଳନା ଓ ନିୟନ୍ତ୍ରଣ କରିବେ ।”

 

କଥା ମଝିରେ ରାମାୟା ଉଠିପଡ଼ି କହିଲା–“ଏଥିରେ ମୋର ରାଜି ନାହିଁ । ଭଉତୁ ଥର ସମବାୟ ନାଁରେ ଲୁକମାନେ ଭେଦା ଟଙ୍କା ମାରିନେଲେଣି । ତା’ ଉତ୍ତାରୁ ତମେ କହିଲ ବେଠି ଖଟାଇବା ନାହିଁ । ନଥିବା ଲୁକ ସିନା ବେଠି ଖଟିବେ ହେ । ତା’ଙ୍କୁ ପଇସା ନାଇଁ, ବେଠି ନ ଖଟିଲେ ତୁମେ ଗାଁଯାକର ଲୁକଙ୍କୁ ଚାକିରି ଦେବନା ? ଆମେ ପାଠ ନ ଜାଣିଛି ବୋଲି ଠକିବାକୁ ବସିଛ କି ହେ ?”

 

–“ହଁ ହଁ, ସତ କଥା ।”

 

–“ଆମକୁ ଏମାନେ ହଳୁ ପାଇଲେରେ ।”

 

–“ଯେଉଁଆଡ଼ୁ ବୁଲେଇ କହିଲେ ରାମା ଠିକ୍ ଧରିନେଉଛି ।”

 

ଦେବ ଆତୁର ହୋଇ କହିଲା–“ନାହିଁ ନାହିଁ, ମୁଁ କଦାପି ଠକିବାକୁ ବସି ନାହିଁ । ଆମ ଫାର୍ମ ଆମ ପାଇଁ ଯଥେଷ୍ଟ । ଠକିବାକୁ ବସିଥିଲେ ଆମେ ଲୋକଙ୍କର ସ୍ଵାସ୍ଥ୍ୟ ପାଇଁ ମାଗଣାରେ ଡାକ୍ତର ନରେଶଙ୍କୁ ତୁମ ସେବାରେ ଲଗାଇନଥାନ୍ତୁ । ଆମର ଉଦ୍ଦେଶ୍ୟ, ତୁମେ ଉନ୍ନତି କର, ସୁଖରେ ରୁହ ।”

 

ଟିକିଏ ରହି ଦେବ କହିଲା–“ତେବେ ରାମାୟା କହିଲା ପରି ସମବାୟ ସଂସ୍ଥା ଗଠନ କରିବା ସହଜ ନ ହୋଇପାରେ । ଏମିତି କରାଯାଇପାରେ ଯେ, ଗାଁ ଲୋକ ଆମର ତତ୍ତ୍ଵାବଧାନରେ ଚାଷ କରିବେ । ଆଗରୁ ଯେ ଯାହା ପାଉଥିଲା ସେତକ ଟଙ୍କା ଆମେ ଦେଇଦେବୁ-। ବଳକା ଯାହା ଲାଭ ବାହାରିଲା ସେଥିରୁ ଟ୍ରାକ୍ଟର, ସାର, ପାଣିଉଠାଣ ଖର୍ଚ୍ଚ ଆମେ ନେବୁ । ତାଠୁଁ ଯାହା ବଳିଲା ସେ ଟଙ୍କା ଗୋଟିଏ ଗ୍ରାମମଙ୍ଗଳ ସମିତିରେ ମହଜୁଦ୍ ରହିବ । ଏହି ଟଙ୍କା ଜମି ମାଲିକର ନାମରେ ହିଁ ବ୍ୟାଙ୍କ୍‌ରେ ରଖାଯିବ । କାହାର କାହାକୁ ସନ୍ଦେହ ନଥିବ କିମ୍ବା କିଏ ଠକି ନେଇପାରିବ ନାହିଁ । ଟଙ୍କା ଦରକାର ପଡ଼ିଲେ, ସମିତିରୁ କମ୍ ସୁଧ ହାରରେ ନେଉଥିବ-। ଏତତ୍‍ଦ୍ଵାରା ସମସ୍ତେ ଚାଷର ଉନ୍ନତି କରିବାକୁ ମଉକା ପାଇବେ । ତା’ ସଙ୍ଗେ ସଙ୍ଗେ ଗାଁ ଲୋକେ ମିଶି ସୁନ୍ଦର ରାସ୍ତା, ଘର, ଗୁହାଳ ଆଦି କରିପାରିବେ ।”

 

ଦେବର ତୁଣ୍ଡରେ ବାଟୁଳି ବାଜୁ ନ ଥାଏ । “ଆମର ଯୋଜନା ଏତିକିରେ ଶେଷ ହେବନି । ଆମେ ସୁଖୀ ହେବା ଓ ଦେଶର ଉନ୍ନତି କରିବା ସଙ୍ଗେ ଆମ ବଂଶଧରମାନଙ୍କୁ ମଧ୍ୟ କିଛି ପ୍ରେରଣା, ମାର୍ଗ ଓ ସମ୍ପଦ ଛାଡ଼ି ଦେଇଯିବା । ଆପଣମାନେ ଫାର୍ମରେ ଦେଖିଥିବେ କମଳା, ଅଙ୍ଗୁର ଓ କଫି ଚମତ୍କାର ହୋଇପାରୁଛି । ଠା ଠାରେ ଏପରି ଗଛମାନ ଲଗାଇ କଫି, ଅଙ୍ଗୁର ରସ, କମଳା ରସ କାରଖାନା କରିବା ।”

 

ଶାଳ ଗଛରେ କୁରାଢ଼ି ମାଡ଼ ପରି ରାମାୟା ଠୋ ଠୋ ହସି କହିଲା, “ହଉ ହଉ, ସେତିକି ଥାଉ । ବେଶି ଭଡ଼ ଭଡ଼ ହୁଅନି ହେ ବାବୁ । ଆଗକୁ ଯିବାଆଗରୁ ଯୁ’ଟା (ଯେଉଁଟା) ପଚାରୁଛି ତା’ର ଜବାବ ଦେ ।”

 

ଦେବ କହିଲା–“କେଉଁଠି ସନ୍ଦେହ ରହିଲା, ପଚାର ।”

 

–“ଆମେ ଭୂମି ଦବୁ । ଆମେ କାମ କରିବୁ । ତୁମେ ବୁଦ୍ଧି ଲଗେଇ ନୂଆ ପ୍ରକାରର ଚାଷ କରିବ । ଭଉତୁ ଭଲ କଥା । ହେଲେ ଟ୍ରାକ୍ଟର ଚାଲିବ ନା ନାହିଁ ?”

 

–“ଦରକାର ପଡ଼ିଲେ ଗାଁର ସେବାରେ ଟ୍ରାକ୍ଟର ବି ଚଲେଇବୁ ।”

 

–‘ସେବା ଫେବା ନାହିଁ ହେ । ଟ୍ରାକ୍ଟର ନ ଚାଲିଲେ ଭଲ ଚାଷ ହବ ନାହିଁ ବୋଲି ରେଡ଼ିଓ କଇଲା । ତେଣୁକରି ଚାଲିବ ।”

 

–“କହିଲି ପରା ଦର୍କାର ପଡ଼ିଲେ ଚାଲିବ ।”

 

–“ତମର ଫାରୁମ୍‌ର କେତେ ଭୂମିରେ ଟ୍ରାକ୍ଟର ଚାଲୁଛି ?”

 

–“ତିରିଶରୁ ଚାଳିଶ ଏକର ।”

 

–“ମାତ୍ରକ ଟ୍ରାକ୍ଟର ରଖି କରି ଲାଭ କରିବା ପାଇଁ କେତେ ଜମି ବାଧ୍ୟରେ (ନିହାତି) ଦରକାର ହେବ ।”

 

–“ଶହେ ଏକର ।”

 

–“ବାସ, ବାସ । ମୋର ସେତିକି ଏକା ଇଷ୍ଟ (ଇଚ୍ଛା) ଥିଲା ହୋ ଭାଇମାନେ, ଶୁଣିଲେ ତ ? ଏ ବାବୁମାନଙ୍କର ଟ୍ରାକ୍ଟର ରଖିବାକୁ ଭୂମି ନାଇଁ । ଆମ ଗାଁ ଲୋକଙ୍କୁ ଠକି କରି ତାଙ୍କର ଟ୍ରାକ୍ଟର ରଖିବା ନଷ୍ଟିକୁ ପୂର୍ତ୍ତି (ପୂରଣ) କରିବେ । ଆମର ଗାଁରେ ଦେଶିୟା (ଆଦିବାସୀ) ଓ ଗଡ଼ିଆ (ସହରିଆ) ଲୋକେ କୋ କାଳରୁ ଯେଉଁ ଭାଇ ଭାଇ ପରି ରହିଥିଲ ତା’କୁ ଭାଙ୍ଗିବେ । ଗୁତି (ଗୋତି) ନଥିଲେ ଭୂମି ଥିବା ଲୋକଙ୍କ ଜମି ପଡ଼ିଆ ହବ । ତାକୁ ଏମାନେ ଉବୁକା (ଉପୁରି) ମାରିନେଇ କମଳା ଚାଷ କରିବେ । ଆମର ଭୂମିରେ ଆମକୁ ଗୁତି କରି ଆଙ୍କମାନେ ସାଉକାର ହେବେ । ଆବ୍‌ବା, କି ଚାଲାକି ହେ ?”

 

ଗୋଟିଏ ବିରାଟ କୋଳାହଳ ସୃଷ୍ଟି ହେଲା । ସମସ୍ତେ ଏକା ସଙ୍ଗରେ ଉଠି ପଳେଇବାକୁ ବସିଲେ ।

 

–“ଛି ଛି ଛି । ଲାଜରେ ମର ।”

 

–“ରାମା ଆମକୁ ରକ୍ଷା କରିଦେଲା । ନ ହେଲେ ଏମାନେ ଖାଇଯାଇଥାନ୍ତେ !”

 

–“ୟାପେ ଜନ୍ତୁ । କୁଆଡୁ଼ ଉଡ଼ି ଆସିଛନ୍ତି । ଉପକାର ନାଁରେ ଆମ ମୁଣ୍ଡରେ ବସି ତୁଣ୍ଡରେ ହଗିବାକୁ ଇଚ୍ଛା ।”

 

ସଭ୍ୟମାନେ ଓ ମାଙ୍ଗତା ବାବୁ କଳାକାଠ ପଡ଼ି ଯାଇଥିଲେ । ରାମାୟା ଏମିତି କଥା କହିବ ବୋଲି କେହି ଜାଣିନଥିଲେ । ସବୁତକ ଯୋଜନା ପୋଡ଼ି ପାଉଁଶ ହୋଇଗଲା । କ’ଣ ଭାବି ମାଙ୍ଗତା ମାଝି କହିଲେ–“ଭାଇମାନେ ଟିକିଏ ଶୁଣିଯାଅ । ଗୋଟିଏ ମିନିଟର କଥା ।” ଭାଙ୍ଗି ପଡ଼ିଥିବା ସଭାସ୍ଥଳୀରେ ଚାଲିଯାଉଥିବା ଶ୍ରୋତାମାନେ ମୁଣ୍ଡ ଭାଙ୍ଗି ପଛକୁ ଚାହିଁଲେ ।

 

–“ଆମ ଉପରେ ବିଶ୍ଵାସ ଫେରାଇ ଆଣିବାକୁ ଏଇ ସ୍କୁଲ ପଡ଼ିଆରେ ପିଲାଙ୍କୁ ନେଇ ଚାଷ କରିବୁ । ଉତ୍ପାଦନ ବଢ଼ାଇ ତୁମର ତଥା ଗାଁର ଉନ୍ନତି କରିବୁ ।”

 

ମାଙ୍ଗତା ମାଝି ଆଉ କ’ଣ କହିଥାନ୍ତେ । ବାସୁ ସାହୁ ଝପଟି ଆସି ଚଢ଼ା ଗଳାରେ କହିଲା–“ସାବଧାନ ମାଙ୍ଗୁ, ସେମାନଙ୍କୁ କହିଦେ । ଜୀବନକୁ ଲୋଭ ଥିଲେ ଆଉ ପାଦେ ଯେପରି ନ ମାଡ଼ନ୍ତି । ଆଲୋଚନାରେ ନ ପାରି ଶେଷରେ ଆମ ପୁଅ ଝିଅଙ୍କୁ ସ୍କୁଲ ବାଡ଼ିରେ ଖଟେଇବେ ? ବାଳୁତ ଅଜ୍ଞାନୀ ବୋଲି ତାଙ୍କୁ ବଳଦ ପାଇଲ କିରେ ? ଯଦି କରିବାର ଅଛି ତ ନିଜେ ଲାଗି ଦେଖାଅ, ଯୋଜନାର ଫଳ ଚଖାଅ । ତା’ପରେ ଲୋକେ ତୁମ ପଛରେ ନିଶ୍ଚୟ ଛିଡ଼ାହେବେ । ଫୁଲରେ ମହୁ ଥିଲେ ଆପେ ମହୁମାଛି ଆସିବେ ।”

 

–“ହଁ, ହଁ ! ଦେଖ, ସଞ୍ଜ ବେଳଟାରେ ବି ଏ ଗାତପଶାଙ୍କର ନୂଆ ନୂଆ ଫନ୍ଦି !”

 

–“ସେ ବନାମାଷ୍ଟ୍ର ନା ନିଆଁ ପାଉଁଶ ଆମ ମଦନାକୁ କି ଗୋଗଚ୍ଛ ବାଡ଼େଇଛି ଲୋ ମା-।”

 

–“ଏଥର ଥା ଦେଖିବୁ, ଲଙ୍ଗଳ ନ ପେଲିଲେ ଦେହରୁ ଚୋପା ଛଡ଼େଇ ଦବ ।”

 

–“ନାଇଁ ଲୋ ମା । ମୋ ବାଳୁତ କୁମରକୁ ଆଉ କାଲିଠୁ ଇସ୍କୁଲକୁ ପଠେଇବି ନାହିଁ । କୋଉ ପଢ଼ି ଏବେ ତାଡ଼ି ପକେଇବ !”

 

ସମସ୍ତେ ଚାଲିଗଲେ । ରହିଲେ କେବଳ ଫାର୍ମ ସଭ୍ୟମାନେ, ବନାମାଷ୍ଟ୍ରେ, ମାଙ୍ଗତା ମାଝି ଓ ସିଂ ବାବୁ ।

 

ବଳଭଦ୍ର କହି କହି ବୁଲୁଥିଲେ–“ପାପିଷ୍ଠ ମାରଣା ୟାପେ, ଏମାନଙ୍କ କପାଳରେ ସୁଖ କାହୁଁ ମିଳିବ ? ଜ୍ଞାନୀ ଲୋକଙ୍କ ମୁହଁ ଉପରେ ଜବାବ । ହେଲେ ବସୁଧା ସହିବ ନାହିଁ । ମୁର୍ଦ୍ଧନା ଫାଟିଯିବ ।”

 

ଦେବ ଭାବନାରେ ବୁଡ଼ି ଯାଇଥାଏ । ଅନେକ ସମୟ ପରେ କହିଲା–“ଆମେ ପ୍ରକୃତରେ ପ୍ରଥମେ ନିଜକୁ ନିଃସ୍ଵାର୍ଥପର ବୋଲି ପ୍ରମାଣ କରିବାକୁ ପଡ଼ିବ । ନହେଲେ, କେବେହେଲେ ଲୋକଙ୍କର ଆମ ଉପରେ ସନ୍ଦେହ ରହନ୍ତା ? ହଉ, ଏ ଚାଲେଞ୍ଜ ଆମେ ଗ୍ରହଣ କରିବା । କାଲିଠୁ ଆମେ ନିଜେ ନିଜର ଶକ୍ତି ଅନୁସାରେ ଗ୍ରାମର ଉନ୍ନତିରେ ଲାଗିବା ।”

 

ବଡ଼ କଷ୍ଟରେ ନବଘନ ଏତେବେଳ ଯାଏଁ ପାଟିକୁ ସଞ୍ଜତ କରିଥିଲା ।

 

–“ତୁମେ ସିନା ଭାଇନା ମୋତେ ମିଟିଂରେ ଆଖିମିଟିକା ମାରି ଦବେଇ ଦେଲ, ହେଲେ ଗୋଟାଏ ଚାନ୍‌ସ ପାଇଥିଲେ ଦେଖିଦେଇଥାନ୍ତି ରାମାକୁ । ଏମିତି ପ୍ରଶ୍ନମାନ ତା’କୁ ପଚାରିଥାନ୍ତି ଯେ.........”

 

–“ତୁ ବେଶି ବକ୍ ବକ୍ ହନା ତ ।”

 

–“ତମେ ତ ସବୁ କଥାରେ ମତେ ଦବେଇଲ.....”

 

–“ଓ ହୋ, ଏତେବେଳେ ବିରକ୍ତ କରନ୍ତି ?”

 

କଥାବାର୍ତ୍ତା ପରେ ସମସ୍ତେ କାଲିଠାରୁ ସ୍କୁଲରେ ବଗିଚା କରିବାକୁ ସମ୍ମତ ହେଲେ । ହୃତ ଗୌରବ ଫେରାଇ ଆଣିବାକୁ ହେବ । ଗାଁରେ ଅଙ୍କୁରି ଉଠୁଥିବା ସନ୍ଦେହ ଦୂର କରିବାକୁ ପଡ଼ିବ ।

 

ବିଜୟ କିନ୍ତୁ କେବଳ ଗୋଟିଏ କଥା ଭାବୁଥିଲା । ରାମାୟା ପରି ଅଳ୍ପ ଶିକ୍ଷିତ ଗାଉଁଲି ବେପାରୀ ଟୋକା ଟ୍ରାକ୍ଟର ଚାଷରେ ଜମିର ପରିମାଣ ନେଇ ପ୍ରଶ୍ନ କଲା କିପରି ? ଏହି ପ୍ରଶ୍ନ କେବଳ ସଭ୍ୟଙ୍କ ଭିତରେ ଫାର୍ମରେ ବହୁବାର ଆଲୋଚିତ ହୋଇଛି । ଅନ୍ୟମାନେ ଏପରି ତଥ୍ୟ ପଚାରିବା କଷ୍ଟକର । ତା’ହେଲେ କିଏ ସେ ବ୍ୟକ୍ତି ଯେ ଫାର୍ମ ସହିତ ଓତଃପ୍ରୋତ ଭାବେ ଜଡ଼ିତ ?

 

ଭାବୁ ଭାବୁ ହଠାତ୍ ମିଟିଂ ଆରମ୍ଭର ଦୃଶ୍ୟ ତା’ର ମନେପଡ଼ିଲା । ଟିକିଏ ଡେରିରେ ଆସିଥିଲେ ବଳଭଦ୍ର ସିଂ । ତାଙ୍କୁ ଲଗାଲଗି ହୋଇ ରାମାୟା ! ନିଶ୍ଚୟ କିଛି ମନ୍ତ୍ରଣା ହୋଇଥିବ ।

 

ବିଜୟ, ସିଂ ବାବୁଙ୍କ ଆଡ଼େ ଚାହିଁଲା ।

 

ସେତିକିବେଳେ ବଳଭଦ୍ର ସିଂ ବିଦାୟ ନେଇସାରି ଦି ପାହୁଣ୍ଡ ଆଗେଇ ସାରିଥିଲେ ।

 

ସତର

 

ଆଗରେ ଚୁଲିର ଜିକି ଜିକି ନିଆଁ ।

ଭାତ ହାଣ୍ଡିର ଟକର ମକର ସଙ୍ଗୀତ ।

ଉଷୁମ୍ ଉଷୁମ୍ ପବନ ।

ଆରତିର ମନକାନନରେ ଅରାଏ ପବନ ଉଚ୍ଚାଟ ହୋଇ ପେନ୍ଥା ପେନ୍ଥା ଫୁଲକୁ ଛୁଇଁ ଛୁଇଁକା ଘୂରି ବୁଲୁଛି ।

ଆରତି ସବୁ ବୁଝେ, ପୁଣି ବୁଝିପାରେନା । ସେ କିନ୍ତୁ ଏତିକି ଜାଣେ ଯେ, ଆଜି କାଲି ସେ ନିଜ ପାଖରେ ନିଜେ ଅବୁଝା ହୋଇପଡ଼ୁଛି । କେଉଁଥିପାଇଁ ଏତେ ଚାଞ୍ଚଲ୍ୟ ?

ଲଗାଲଗି ହୋଇ ଅନେକ ଯୁବକ, ଅନେକ ଭଅଁର । ଚାରିପଟେ ଝଲମଲ ପ୍ରକୃତି, ମନଲୋଭା ପରିବେଷ୍ଟନି, ଚନ୍ଦ୍ରାବତୀର ସଙ୍ଗୀତ, ଆକାଶର ନୀଳମା ପୁଣି ଥାଟକୁ ଥାଟ ଝିକ୍‍ମିକ୍ ମେଘର ପଟୁଆର । ଏବଂ ସେ ନିଜେ ଜଣେ ଯୁବତୀ । ଏଥିରେ କାହିଁକି ବା ତା’ ତନୁମନରେ ଇନ୍ଦ୍ରଧନୁର ଛବି ଆଙ୍କି ହେବନି ?

ଆରତି ନିଜର ଅର୍ଦ୍ଧନିମୀଳିତ ଆଖିପତା ଦୁଇଟିକୁ କୁଞ୍ଚିତ କଲା । ଚୁଲିର ଝାପ୍‍ସା ଆଲୁଅରେ ଯେମିତି ତିନୋଟି କଣ୍ଢେଇ, ଫୁକ୍ ଫୁକ୍ ନାଚିଉଠିଲେ । କେଡ଼େ ଡଉଲ ଡାଉଲ ଟିକି କଣ୍ଢେଇଟି ମାନ ।

ଆରତି ସତେଯେମିତି ସେଥିରୁ ଗୋଟିଏ ନିଜ ନରମ ହାତ ପାପୁଲିରେ ଟାଣିଆଣି ସିଧା ନାକପାଖରେ ଟେକି ଧରିଲା । ନିରେଖି ଦେଖିଲା କଣ୍ଢେଇ ସାହେବ ଟୋକା ପରି ବେଶ ପକେଇଛି । କୁଞ୍ଚି କୁଞ୍ଚି ବାଳ । ଦେହରେ କୋର୍ଟ, ପ୍ୟାଣ୍ଟ, ଟାଇ, ବୁଟ୍ । ବେକରେ ଷ୍ଟେଥିସ୍କୋପ୍ । କିଏ ? ଓ, ଡାକ୍ତର ନରେଶ୍ ! ଭାରି ଚଲାଖ୍ ଲୋକ । ଏଇ ଜେଣ୍ଟଲମ୍ୟାନ୍ ନା ତାକୁ ସିଧା ସିଧା ମୋଟେ ଦେଖନ୍ତିନି, କିନ୍ତୁ ସାନ୍ଧ୍ୟ ଭଜନବେଳେ କିମ୍ବା ଖାଦ୍ୟ ପରିବେଷଣ ସମୟରେ ବାଁଆରେଇ ତା’ଆଡ଼େ କଟାକ୍ଷପାତ କରନ୍ତି ? ଏମିତି ସହଜେ ଖସିଯିବନି ହେ ସାଇବ । ଆରତିର ସହସ୍ରେ ଆଖି ।

 

ନରେଶ ଖାନ୍‌ଦାନ ଘରର ପିଲା । ଦେବ ଭାଇ ଓ ଅନ୍ୟମାନଙ୍କୁ ସେ ଟିକିଏ ନ୍ୟୂନ କରି ଦେଖନ୍ତି । ଫାର୍ମ ସମ୍ବନ୍ଧୀୟ ଆଲୋଚନାରେ ବେପରବାୟ ଭାବେ ଭାଗନିଅନ୍ତି । ଗୁମ୍ ମାରି ବସନ୍ତି-। ସବୁଠି ସେ ଚାହାଁନ୍ତି–ନୀଟ୍‌ନେସ୍, କ୍ଲିନ୍‌ଲିନେସ୍ । ତାଙ୍କ ଭାବନାରେ, ପରିଷ୍କାର ସିମେଣ୍ଟ ଚଟାଣ ଉପରେ ଧାନଗଛ ରୁଆ ହେଲେ ନିରୋଗ ହୁଅନ୍ତା । ଆଉ ଆରତିର ବଗିଚାକୁ ଛାଡ଼ିଦେଲେ ଅନ୍ୟ ସବୁ ସେ ଯେପରି “ଚଲେଇ ନେଉଛନ୍ତି” । ବାବୁଙ୍କର ସହର ଡାକ୍ତରଖାନାରେ ପୁଞ୍ଜା ପୁଞ୍ଜା ନର୍ସ ମେଳରେ ରୋଗୀ ଚିକିତ୍ସା କରିବାକୁ ଇଚ୍ଛା । ପ୍ରାଇଭେଟ୍ ପ୍ରାକ୍‌ଟିସ୍‍ର ସ୍ଵାଦ କୁଆଡ଼େ ଭାରି ମିଠା ।

 

ନରେଶର ମନ ବଡ଼ । ସେ ବଡ଼ ଲୋକ । ତା’ର କାମନା ବେଶି, ସ୍ଵପ୍ନ ବି ବେଶି । ହେଲେ ଆରତି ପାଖରେ........ଦୁର୍ବଳ । ଚଟ୍ କରି ଉଭେଇଗଲା କଣ୍ଢେଇଟି । ନିଁଆ ଧାସର ଆଲୁଅରେ ଚିକ୍‌କଲା ଆରତିର ଧଳା ଧଳା ଦାନ୍ତଗୁଡ଼ାକ ।

 

ଏତେବେଳେ ଛୁ କଲା, ନାହିଁ ? ଭୁଲିଯିବାକୁ ବସିଛ ସେ ଘଟଣାକୁ ? ସେଦିନ କ’ଣ କରୁଥିଲ ମନେ ନାହିଁ ?

 

ସର୍ଦ୍ଦି ଓ ଜ୍ଵରରେ ଛଟପଟ ହେଉଥିଲା ଆରତି । ସଞ୍ଜର ଅନ୍ଧାର ବୋଳିହୋଇ ଆସିଲାବେଳେ ଘର ଭିତରକୁ ପଶିଆସିଲା ନରେଶ । ପରୀକ୍ଷା ନାଁରେ ଆରତିର ହାତ ପାପୁଲିକୁ ଘଡ଼ିଏ ଯାଏଁ ମୁଠେଇ ଧରିଲା । ମୃଦୁ ମୃଦୁ ଚାପ ଏବେ ବି ମନେପଡ଼େ । ପର କ୍ଷଣରେ ଆରତି ଆଉ କିଛି ଭାବୁନଥିଲା, କେବଳ ଅନୁଭବ ହିଁ କରୁଥିଲା । କପାଳ ଉପରୁ ନରେଶର ହାତ ଗାଲ ଓ ବିବୁକକୁ ଛୁଇଁ ଯାଉଥିଲା । ତା’ପରେ ମୁଣ୍ଡତଳ ଖୋସା, ତା’ପରେ ବେକ । ତଳକୁ ତଳକୁ ଖସି ଯାଉଥିଲା ସେ ହାତ । ଆରତି ଜଡ଼ ହୋଇଗଲା କି ? କିଛି ତ କହୁନି ।

 

ବିଜୟ ବୋଉ ବଞ୍ଚେଇଦେଲେ–“ବାପା ନରେଶ, ଜ୍ଵର ଅଛି ?” ବିଜିବୋଉଙ୍କ ଡାକରାରେ ଅପ୍ରତିଭ ହୋଇ ହଠାତ୍ ନରେଶ କହିପକାଇଲା–“ହଁ ହଁ, ଭାରି ଗରମ ।”

 

ଖାଲି ସେଦିନ ନୁହେଁ । ତା’ପର ପାଞ୍ଚଦିନ ଯାଏଁ ସେ ଅନ୍ଧାରବେଳେ ଚଂ ଚଂ ହୋଇ ଆସେ ଏବଂ ଗଲାବେଳେ ଛାଡ଼ିଦେଇ ଯାଏ ଗୋଟିଏ ଦୀର୍ଘ ନିଃଶ୍ଵାସ । ସେ ନିଃଶ୍ଵାସର ଅନୁଭବ ଏ ଯାଏଁ ବି ଆରତି ହୃଦୟରେ ଥରକୁ ଥର ସ୍ପନ୍ଦିତ ହେଉଛି ।

 

ଆଃ, ଆଉ ଟିକେ ଜ୍ଵର ହୁଅନ୍ତା କି ?

 

ଆରତି ତରକାରୀ ବସାଏ । ଡେକ୍‌ଚିରେ ଟକ୍‌ମକ୍ ତତଲା ତେଲ ଭିତରୁ ପିଆଜ ଓ ଫୁଟଣର ତୀବ୍ର ଗନ୍ଧ ନାକ ଫଟାଇ ଦିଏ । ଠିକ୍ ଏତିକିବେଳେ ଡେକଚିରେ ଚେଁ ଚାଁ ଶବ୍ଦକୁ ଆହୁରି କର୍କଶ କରି ଦ୍ଵିତୀୟ କଣ୍ଢେଇ ଗୋଟିଏ ଟ୍ରାକ୍ଟର ଉପରେ ଚଢ଼ି ଧପାସ୍ ଧପାସ୍ ଶବ୍ଦରେ ଚୁଲିମୁଣ୍ଡରୁ ଆଗେଇଆସେ ।

 

–“ଯାଉଛି, ଯାଉଛି ।”

 

–“ନୋ ଟାଇମ୍, କାମ୍ କୁଇକ୍ ।”

 

–“ଅପେକ୍ଷା କର । ତରକାରୀ ପୋଡ଼ିଯିବ ଯେ ।”

 

–“ପୋଡ଼ୁ । ନିଜେ ବି ପୋଡ଼ିଯା । କିନ୍ତୁ ଜଲଦି ଆ । ଟାଇମ୍ କାହାକୁ ଅପେକ୍ଷା କରେନାହିଁ ।”

 

–“ଓ ହୋ.....ଯାଉଛି, ଯାଉଛି ।”

 

ବିଜି ଭାଇ ଡାକିଲେ ପୁଣି ନ ଯିବା ଲୋକ କିଏ ଅଛି ? ସେ ପରକୁ ଆଦେଶ ଯେମିତି ଦିଏ, ନିଜେ ବି ଖଟେ ସେମିତି ବଳଦଙ୍କ ଭଳି । ସବୁ ମିଲିଟାରି କାଇଦା । ଫିଟ୍ ଫାଟ୍ । ଖୋସାମତି, ଅନୁନୟ, ବିନୟ ତା’ ଜାତକରେ ନାହିଁ । ମାନେ ତ କେବଳ ଦେବ ଭାଇଙ୍କୁ । ଖାନାପିନା ବିଷୟରେ ଭଲମନ୍ଦ ବାଛବିଚାର ନାହିଁ । ଯାହା ମିଳୁ ସନ୍ତୋଷରେ ପେଟ ପୂରେଇ ଖାଏ-। ବିଜୟକୁ ଦେଖିଲେ ଭକ୍ତିରେ ଆରତିର ମୁଣ୍ଡ ନଇଁ ଯାଏ । ଦେବ ସେମିତି ବିଜୟ ବି ସେମିତି ଗୋଟିଏ ଭାଇ । ତେବେ ଫରକ କେଉଁଠି ?

 

କେଇପଦ କଥା । ସେତକ କେବଳ ବିଜୟକୁ କଣ୍ଢେଇ କରି ଆରତିର ଚୁଲି ମୁଣ୍ଡକୁ ଘେନିଯାଏ । ଭାରି ମଜା ।

ସେଦିନ ବିଜୟ ଓ ବିଜୟ ବୋଉ ବଗିଚାରେ ଗୋଟିଏ କୋଣରେ ଭୁଟୁରୁଭାଟର ହେଉଥିଲେ । ବିଜିଭାଇ ତ ଏମିତି କେବେ ବୋଉଙ୍କ ସହିତ ନିରୋଳାରେ କଥା ହୁଅନ୍ତିନି । ଆରତି ମନରେ କୌତୂହଳ ଜାଗିଲା । ବଗିଚା ଭିତରେ ଛପି ଛପିକା କଥା ଶୁଣିବାକୁ କାନ ଡେରିଲା ।

–“ଆଉ କେତେ କାଳ ଲୁହା ମାଟି ସହିତ ଧନ୍ଦି ହେଉଥିବୁ ? ଇଞ୍ଜିନିୟର ହେଲୁ, ଏଇଥିପାଇଁ ?”

–“ତୋର କ’ଣ ଅସୁବିଧା ହେଉଛି, କହୁନୁ ? ମୁଁ ତ ଏଠି ଇଞ୍ଜିନିୟର କାମ ହିଁ କରୁଛି ।”

–“ନିଆଁ ପାଉଁଶ କରୁଛୁ । ମୁଁ କ’ଣ ତୋତେ ଚାକିରି କଥା କହୁଛି କିରେ ? ତୋତେ ଆସି ଛବିଶି ବର୍ଷ ପୂରିଲାଣି ଟି ? ବାହା ହବୁ କେବେ, ମୁଁ ବୋହୁ ଦେଖିବି କେବେ ?”

ବିଜୟ ହସି ହସି କହିଲା–“ଓ ହୋ, ଏଇଥିପାଇଁ ଦୁଃଖ ? ହଉ, ଆରବର୍ଷ ଆଡ଼କୁ ଦେଖିବା । ଫାର୍ମ ଟିକିଏ ଭଲ ହୋଇଯାଉ । ଗାଁ ଲୋକେ ଉନ୍ନତି କରନ୍ତୁ ।”

–“ହଇରେ ହେ, ଆରବର୍ଷ ବୋଲି ତୁ କେତେଥର ଠକେଇବୁ ? ତୁ ଓଲା କୋଉଠିକାର ୟା ଜମି ତା’ ଜମିରେ ଟ୍ରାକ୍ଟର ଚଲେଇ ନିଜ ଦେହକୁ ଖାଇଲୁଣି । ଗାଁ ଲୋକେ ବେଶି ଅମଳ କଲେ ତତେ କିଛି ଦେଉଛନ୍ତି । ମୁଁ କହିଦେଉଛି, ହଁ । କନିଆଁ ଯୋଗାଡ଼ କରି ସାରିଲିଣି । ମତେ ଆଉ ଲୋକହସା କରନା !”

–“କନିଆଁ ! କିଏ ସେଇ ହତଭାଗିନୀ କହିଲୁ ଆଗ, ଯାହା ମୁଣ୍ଡରେ ମୋ ଭଳି ଚଡ଼କ ପଡ଼ିବ ?”

 

–“ହୁଃତ୍ । ଭାରି ବୁଦ୍ଧି ହୋଇଯାଉଛି ।” ତା’ପରେ ଧୀରେ ଧୀରେ “ଆରତି ।” ଯେତେ ଧୀରେ କହିଲେ ମଧ୍ୟ ଆରତି ନିଜ ନାମ ଶୁଣି ଜିଭ କାମୁଡ଼ି ପକେଇଲା । ଆହୁରି ସଜାଗ ହୋଇ ଶୁଣିଲା–

 

–“ଏଁ ଆରତି ? ଛି, ସେ ପରା ମୋ ସାନ ଭଉଣୀ ।’’

 

–“ଚଲାକି ବାହାର କରନା । ମୁଁ ତାକୁ ଭଲରୂପେ ଚିହ୍ନିଲିଣି । ଭାରି ଭଲ ଝିଅଟେ । ଦେଖୁନୁ, କେତେ କାମ କରି ତମମାନଙ୍କୁ ସମ୍ଭାଳିଛି । ରୂପରେ, ଗୁଣରେ ଟିକିଏ ବାଛିଦେଲୁ ଦେଖିବା ? ଗତଥର ନିତ୍ୟାନନ୍ଦ ବାବୁଙ୍କ ପାଖରେ କଥା ଉଠେଇଥିଲି । ଆରଥରକୁ ପକ୍କା କରିଦେବି ।”

 

–“ତୁ ଯାହା କର । ଦେବ ପାଖରେ ମୋତେ କେବେ ଏ କଥା କହିବୁ ନାହିଁ ?”

 

ଆରତି ଦୌଡ଼ି ଚାଲିଗଲା ରୋଷେଇ ଘର ଚୁଲିମୁଣ୍ଡକୁ । ସେଦିନଠୁ ବିଜୟକୁ ସେ ନୂଆ ରୂପରେ ଦେଖୁଛି । କିଛି କାମ ନ ଥାଇ ବିଜୟ ସାମନାରେ ବାରମ୍ବାର ସେ ଯିବାଆସିବା କରୁଛି । କିନ୍ତୁ ଆଗପରି କଥା ହୋଇପାରୁନି । ଲାଜ ମାଡ଼ୁଛି । କିନ୍ତୁ ବିଜୟର ହାବଭାବରେ ସେ ତିଳେହେଲେ ପରିବର୍ତ୍ତନ ଦେଖୁନାହିଁ । ଆଶ୍ଚର୍ଯ୍ୟ ଏ ମଣିଷ । ତା’ହେଲେ ଆରତି ପାଇଁ ବିଜୟର ଆକର୍ଷଣ ନାହିଁ ବୋଧହୁଏ ।

 

ଏମିତି ଭାବିଲାବେଳକୁ ଆରତିର ମନ ଦଳି ଚକଟି ହୋଇଯାଏ । ଚୁଲିମୁଣ୍ଡରେ ନିସ୍ତେଜ ହୋଇ ସେ ବସିଯାଏ । ଚୁଲିମୁଣ୍ଡର ତତଲା ପବନରେ ମଧ୍ୟ ତା’ ଦେହ ଶୀତେଇ ଉଠେ । ଆରତି ଆଖି ବୁଜେ । ସେତେବେଳେ ବି ତା’ର କଳ୍ପନାର କଣ୍ଢେଇ ଟ୍ରାକ୍ଟର ଉପରେ ବସି ମଙ୍କି କ୍ୟାପ୍‌କୁ ସାମ୍‌ନାକୁ ଟାଣି ଆଦେଶ ଦିଏ–

 

–“କାମ୍ କୁଇକ୍ ! ରନ୍ ଆପ୍ ।”

 

ଗାଲ ଉପରେ ହାତରଖି ସେ ଆଖିବୁଜେ ଏବଂ ଭାବନାର ଅନ୍ଧାରି ଗୃହା ଭିତରେ ହଜିଯାଏ । ପରକ୍ଷଣରେ ସେଇ ନିଶ୍ଚଳ ଅନ୍ଧାର ସାଗରକୁ ଲହରେଇ ଲହରେଇ କୋଇଲିର କୁହୁତାନ ପରି ଗୋଟିଏ ନରମ ଡାକ ଭାସି ଆସେ–“ଓ.....ମାଇ ଡାର୍ଲିଂ.....”

 

ପ୍ରଥମେ ଏଇ କେତୋଟି ପଦ ସୁଲୁ ସୁଲୁ ପବନ ପରି ତା’ ମନକୁ କୁତୁକୁତୁ କରେ । କ୍ରମେ ସେହି କ୍ଷୀଣ ଶବ୍ଦମାନେ ଉଚ୍ଚାଟ ହୋଇଉଠନ୍ତି ଏବଂ ଶେଷରେ କାନ ପାଖରେ ଢାଇଢ଼ାଇ ହୋଇ ପିଟି ହୁଅନ୍ତି–ଏପରି କି ଶବ୍ଦମାନେ ତା’ ଚାରିପଟେ ନାଟ କରନ୍ତି ।

 

ଆରତି କାନ ଦୁଇଟାକୁ ହାତରେ ଜାବୁଡ଼ି ଧରେ । କଅଁଳ ଡାକ ଡାକି କବାଟ ବାଡ଼େଇଲାଣି ରବି । ଛି ଛି ଛି, ଏଡ଼ିକି ନିର୍ଲଜ୍ଜ । ଘୃଣାରେ ଆରତିର ନାକପୁଡ଼ା କୁଞ୍ଚିତ ହୁଏ । ଛିଃ କହିଲେ କୁକୁର ଦୌଡ଼ି ପଳେଇବ ପଛେ ରବି ଛାଡ଼ିବା ଜନ୍ତୁ ନୁହେଁ ।

 

ରବିର ମୁହଁ ମନେପଡ଼ିଲେ ଆରତିକୁ ବାନ୍ତି ଆସେ । କଦର୍ଯ୍ୟ ଯେମିତି, ନିର୍ଲଜ୍ଜ ସେମିତି-। କଳା ମଚମଚ ସାଆଁଟା ଦେହ । ଛୋଟ ଛୋଟ ଝୋଟକାଠ ପରି ହାତଗୋଡ଼ ବିରାଟ ପେଟ ଉପରେ ଖଞ୍ଜା ହୋଇଛି । ବାଘ ପରି ଏଡ଼େ ମୁହଁ । ଆଖିଯୋଡ଼ିକ ମେଲିଦେଲେ ବିରାଟ, ସାକ୍ଷାତ ଚକାଡ଼ୋଳା । ଚେପ୍‌ଟା ନାକ ତଳେ ଫ୍ରେଞ୍ଚକଟ୍ ନିଶ । କୁରାଢ଼ି ପରି ଦାନ୍ତ । ଚନ୍ଦା ମୁଣ୍ଡ, ଉଚ୍ଚା ଚିକ୍ ଚିକ୍ କପାଳ । ମୁଣ୍ଡ ଶିଖରରୁ ପଛପଟ ଯାଏଁ କେଇକେରା ବାଳ । ସବୁବେଳେ ଗମ୍ଭୀର-। କିନ୍ତୁ ଆରତିକୁ ଏକୁଟିଆ ଦେଖିଦେଲେ ପାଞ୍ଚବର୍ଷର ଛୁଆ ପରି ସେ ହସ ଝରାଏ । ଏଣୁତେଣୁ ଗପେ ।

 

ଏପରି ଅବସ୍ଥା ଆରତିର ଦୁର୍ଯୋଗକୁ ହେଉ କିମ୍ବା ରବିର ସୁଯୋଗକୁ ହେଉ ବହୁ ସମୟରେ ଜୁଟେ । ପ୍ରଥମତଃ ଅଫିସ୍ କାର୍ଯ୍ୟ ରବି ଉପରେ ନ୍ୟସ୍ତଥିବାରୁ ସେ ଅଫିସ୍ ଘରେ ବସେ-। ମଝିରେ ମଝିରେ ଏ ଘରକୁ ସେ ଘର ଲଣ୍ଡଭଣ୍ଡ ହେଉଥାଏ । ବିଜି ବୋଉ ସହିତ ଦୋସ୍ତି ଜମେଇ ହାଣ୍ଡିଶାଳ ଭିତରେ ଗପ ଜମାଏ । ଗପୁ ଗପୁ କଦବା ଆରତିକୁ ଚାହିଁ ହି ହି ହୋଇ ହସେ-

 

ସକାଳୁ ଜଳଖିଆ ସାରି ସଭ୍ୟମାନେ ଚାଲିଗଲା ପରେ ବଗିଚା ଭିତର କୂଅମୂଳରେ ଆରତି ଗାଧୋଇ ହୁଏ । ଦିନେ ସେ ଗାଧୋଇଲାବେଳେ ଆବିଷ୍କାର କଲା ଯେ, ରବି ଝରକା ପଛପଟୁ ତାକୁ ଚାହିଁ ରହିଛି ଓ ସତେଯେପରି ତା’ର ଓଦା ଦେହକୁ ଗୋଟାପଣେ ଖାଇଯିବାକୁ ଲାଳ ଗଡ଼ାଉଛି । ଆରତି ଲଜ୍ଜାରେ ସଢ଼ିଗଲା । କିନ୍ତୁ ରବି ହିଁ ହିଁ ହୋଇ ହସିଉଠିଲା । ଆରତି କରେ କ’ଣ ? କାହା ପାଖରେ ବା ଅଭିଯୋଗ କରିବ ? କେବଳ ମନେମନେ ତାକୁ ଗାଳିଦେଲା–କଳା ବାନ୍ଦର କୋଉଠିକାର । ସେ ଦିନଠାରୁ ସେ ବଗିଚାରେ ମୋଟେ ଗାଧୋଉ ନାହିଁ ।

 

ଏକୁଟିଆ ଦେଖିଲେ ଛାଇ ପରି ତାକୁ ରବି ଅନୁସରଣ କରେ । ଘରେ, ବଗିଚାରେ, ଫଳଗଛ ବଣ ଭିତରେ ଯେଉଁଠି ଆରତିକୁ ସେ ଦେଖେ, କେଇପଦ ମଧୁର କମେଣ୍ଟ ପାସ୍ କରେ, ପ୍ରେମ ଗୀତରୁ ଫାଳେ ଅଧେ ଆବୃତ୍ତି କରେ । ତା’ର ଅଙ୍ଗ ପ୍ରତ୍ୟଙ୍ଗକୁ ବିଭିନ୍ନ ଉପମା ଦେଇ ପ୍ରଶଂସା କରେ । ଆରତି ମନେମନେ ରାଗିଯାଏ । ଦି’ ପଦ ଶୁଣାଇଦେବାକୁ ଇଚ୍ଛା ହୁଏ । କିନ୍ତୁ ଅସଲ ସମୟରେ ବାକ୍ ସ୍ଫୁରେ ନାହିଁ । କିଛି ଅଘଟଣ ଘଟି ଯାଇପାରେ ।

 

ଚୁଲିମୁଣ୍ଡରେ ବହୁ ସମୟ ଘୃଣା କରି, ଗାଳିଦେଇ କିଛି ଲାଭ ହୁଏନାହିଁ । ଶେଷରେ ରବି ପ୍ରତି ଦୟା ଆସେ । ବିଚାରା ଜାଣିଶୁଣି ନିଜେ ତ ଅସୁନ୍ଦର ହୋଇନି । ଭଗବାନ ତାକୁ ସେ ରୂପ ଦେଇଛନ୍ତି । ସେ ଯାହାହେଉ ନା କାହିଁକି ରବି ଏକମାତ୍ର ପୁରୁଷ ଯେ ଆରତିର ସୌନ୍ଦର୍ଯ୍ୟକୁ ମୁହଁ ଖୋଲି ପ୍ରଶଂସା କରୁଛି ।

 

ଶେଷରେ ଆରତିକୁ ଅଡ଼ୁଆ ଅଡ଼ୁଆ ଲାଗେ । ସତେଯେମିତି ସେ ଗୋଟିଏ ବିରାଟ ଗୋଲକଧନ୍ଦାରେ ପଡ଼ିଛି । ନିଜେ ଭୁଲ୍ କରିଛି । ନା ନା, ଆଉ ସେ ନରେଶ, ବିଜୟ, କିମ୍ବା ରବି କଥା କେବେ ଭାବିବ ନାହିଁ । ବାଜେ ଭାବନା କରିବ ନାହିଁ ।

 

କିନ୍ତୁ କିଛି ସମୟ ପରେ ରାତିରେ ଶୋଇଲାବେଳେ ପୁଣିଥରେ ସେମାନେ ବିଭିନ୍ନ ଭାବ ଭଙ୍ଗୀ ନେଇ ତା’ ମୁଣ୍ଡ ଭିତରେ ଡିଆଁ ଡେଇଁ କରନ୍ତି । ସେ ଛଟପଟ ହୁଏ ।

 

ଠିକ୍ ଏହି ସମୟରେ ରବି, ବିଜୟ ଓ ନରେଶ ମଧ୍ୟ ଛଟପଟ ହୁଅନ୍ତି । ତା’ ସହିତ ଛଟପଟ ହୁଏ ନବଘନ ।

 

ନବଘନ କିନ୍ତୁ ଛଟପଟ ହୁଏ ପଦମା ପାଇଁ । ଷୋଡ଼ଶୀ ପଦ୍ମାବତୀର ଡାକ ନାଁ ପଦମା । ରୂପ ଯୌବନରେ ଭରପୂର ଏଇ ଆଦିବାସୀ ଝିଅକୁ କେନ୍ଦ୍ର କରି ନବଘନ ଲୁଚେଇ ଛପେଇ ବହୁ ଦୁଃସାହସିକ କାମ କରିଛି । ପଦ୍ମା ତା’ ଆଖିରେ ଏମିତି ସୁରମା ଲଗେଇ ଦେଇଛି ଯେ ସଂସାରର ସବୁଠାରେ ସେ ଦେଖୁଛି ଖାଲି ପଦ୍ମା ଆଉ ପଦ୍ମା । ପାଣି ଭିତରେ, ଭୂଇଁ ଉପରେ, ପାହାଡ଼ ଶିଖରେ, ଆକାଶ ଦେହରେ ଯେଉଁଠି ଦେଖେ ପଦ୍ମ ।

 

ସେ ଥିଲା ଏକ ନୀରବ ନିଶ୍ଚଳ ପୁନେଇଁ ରାତି ।

 

ନବଘନର ସେଦିନ ଫାର୍ମ ଜଗିବା ପାଳି । ଏଣେତେଣେ ବୁଲି ବୁଲିକା ଚନ୍ଦ୍ରାବତୀ କୂଳରେ ସେ ପହଞ୍ଚିଲା । ଗୋଡ଼ ପାଖରେ ‘ହିରୋ’ ବି ରହିରହିକା ଦୌଡ଼ୁଥିଲା । ଗୁଣୁ ଗୁଣୁ ହୋଇ ମନେମନେ ଗୀତ ଗାଉଛି ହଠାତ ଶୁଣିଲା ପାହାଡ଼ ସେପଟ ପରଜା ଗୀତ ଓ ବାଦ୍ୟର ଧ୍ଵନି । ନୀରବ ପୂର୍ଣ୍ଣିମା ରାତିରେ ଆଦିବାସୀ ସ୍ଵରଲହରୀ ଦୂରରୁ ସତେକି ମଧୁର ଲାଗେ ! ନବର କୌତୂହଳ ବଢ଼ିଲା । ତା’ର ମନେହେଲା ସେଇ ଗୀତ ଓ ବାଦ୍ୟ ତାକୁ କେବଳ ସ୍ଵାଗତ କରିବା ପାଇଁ ଉଦ୍ଦିଷ୍ଟ । ପ୍ରତିଭା ଏମିତି ଲୁଚେ ନାହିଁ । ତା’ର ଅନ୍ତର୍ନିହିତ ଶକ୍ତିକୁ ଫାର୍ମ ସଭ୍ୟମାନେ ଦବେଇ ପାରିବେନି । ଆଦିବାସୀ ଭାଇମାନେ ଚିହ୍ନି ସାରିଲେଣି ନବଘନ ଭିତରେ ଥିବା ପରମ ଶକ୍ତିମାନ୍ ପୁରୁଷକୁ । ତାକୁ ପୂଜା ଅର୍ଚ୍ଚନା କରିବାକୁ ଗଭୀର ରାତିରେ ମଧ୍ୟ ପ୍ରକୃତିର ନିରୀହ ସନ୍ତାନଙ୍କର ଆକୁଳ ପ୍ରାର୍ଥନା । ତା’ ନୁହେଁ ତ ଆଉ କ’ଣ ? ଦିନରେ ମଧ୍ୟ ନିମନ୍ତ୍ରଣ କରିଥାନ୍ତେ, କିନ୍ତୁ ଏଇ ଦେବ ଭାଇ, ବିଜି ଭାଇ ଆଦି ଲେମ୍ବୁ ଭାଇମାନେ ସବୁ ବିଗାଡ଼ି ଦେଉଛନ୍ତି । ତା’ର ପାରିଲାପଣକୁ ସବୁବେଳେ ହିଂସା କରି ଆସିଛନ୍ତି । ଗାଁ ଲୋକେ ଭଲ କରିଛନ୍ତି ରାତିରେ ତାକୁ ନିମନ୍ତ୍ରଣ କରି । ଏବେ ସମସ୍ତେ ଗଭୀର ନିଦରେ ଶୋଇଥିବେ । ହିଂସା କରିବାକୁ କେହି ନ ଥିବେ ।

 

ଚାଲିଲା ସେ ପାହାଡ଼ଆଡ଼େ । ହିରୋ ବି ଦୌଡ଼ିଲା । ବୁଦୁବୁଦିଆ ଜଙ୍ଗଲ ସେ ନିର୍ଭୟରେ ପାର ହେଲା । ପାହାଡ଼ ଉପରୁ ଦେଖିଲା କୁସୁମଗୁଡ଼ାରେ ନାଚ ହେଉଛି, ଆଲୁଅ ଦିଶୁଛି-। ଏକା ନିଃଶ୍ଵାସକେ ସେ ଆଲୁଅ ଅଭିମୁଖେ ଧାଇଁଲା । ଘଣ୍ଟାକପରେ ସେ ଧଇଁସଇଁ ହୋଇ ନାଚ ପାଖରେ ପହଞ୍ଚିଲା ।

 

ଗାଁବାଲାଙ୍କ ପାଖରେ ନବ ଅଚିହ୍ନା ନୁହେଁ । ସେ ଯଥାମାନ୍ୟ ପାଇଲା । ତା’ର ସ୍ଵଭାବସୁଲଭ ଭଙ୍ଗୀରେ ଲୋକଙ୍କ ସହିତ ଆଳାପ ଜମେଇ କହିଲା ଯେ ସେ ଏକ ବିରାଟ ମୁଲକର ମାଲିକ ଥିଲା । ଏବେ ବି ସେ ଚାହିଁଲେ ଯାହା ନାହିଁ ତାହା କରିପାରେ । ସର୍ବ ବିଦ୍ୟାରେ ସେ ପାରଙ୍ଗମ । ଗାଁ ଲୋକଙ୍କର ଯଦି କିଛି ଅଭାବ ଅସୁବିଧା ଥାଏ ତା’ହେଲେ ସେମାନେ ସମୟ ସୁବିଧା ଦେଖି ତାକୁ ଗୁହାରି କରିପାରନ୍ତି ।

 

ଗାଁ ଲୋକେ ଖୁବ୍ ଆଗ୍ରହରେ ତା’ କଥା ଶୁଣିଲେ । କିଛି ସମୟ ପରେ ନବଘନକୁ ନାଚ କରିବା ପାଇଁ ସେମାନେ ଅନୁରୋଧ କଲେ ।

 

ନବ ସଙ୍ଗେ ସଙ୍ଗେ ଅଣ୍ଟା ଭିଡ଼ି ବାହାରିପଡ଼ିଲା । ଗାଁ ନାୟକ ଲଛମନର ଝିଅ ପଦ୍ମାବତୀ ପାଖରେ ତାକୁ ସ୍ଥାନ ଦିଆଗଲା । ନାଚ ଚାଲିଥିଲା । ଢୋଲ, ପେଁକାଳି ସହିତ ମଣିଷ ହସର ଲହରୀ ଉପରେ ଲହରୀ । ସେ ନାଚର ଯେପରି ଶେଷ ନାହିଁ । ନବର ଗୋଡ଼ ଅନ୍ୟମାନଙ୍କ ପରି ସମତାଳରେ ପଡ଼ୁଥିଲା । ମଝିରେ ମଝିରେ ପଦ୍ମା ବାଗ ଶିଖାଇ ଦେଉଥିଲା । ନବ ଝାଳ ନାଳ ହେଲେ ମଧ୍ୟ ଗୋଟିଏ ଝୁଙ୍କରେ ନାଚିବାରେ ଲାଗିଥିଲା । ଏ ଭିତରେ କେତେବେଳରୁ ସେ ପଦ୍ମାର ଅଣ୍ଟାକୁ ଭିଡ଼ି ଧରିଲାଣି, ତା’ ଦେହରେ ତାତି ଉଠିଲାଣି ସମୟ କ୍ରମେ । ଦେଖଣାହାରି ଚାଲିଯାଉଛନ୍ତି, ରହିଛନ୍ତି କେବଳ ନୃତ୍ୟରତ ଧାଂଡ଼ା ଧାଂଡ଼ା । ନବକୁ ଯେତିକି ହାଲିଆ ଲାଗୁଛି ପଦ୍ମାବତୀ ଦେହର ଆକର୍ଷଣ ସେତିକି ତୀବ୍ର ହୋଇଉଠୁଛି ।

 

ରାତି ତିନିଟା ବାଜିଲା । ପୂର୍ଣ୍ଣମୀର ଜହ୍ନ ପଶ୍ଚିମ ଦିଗାଭିମୁଖୀ । କୁକୁଡ଼ାଗୁଡ଼ାକ ଚଞ୍ଚଳ ରାବିଉଠିଲେ । ବାଦ୍ୟ ବନ୍ଦ ହେଲା । ଯୋଡ଼ା ଯୋଡ଼ା ହୋଇ ଯୁବକ ଯୁବତୀମାନେ କିଏ କୁଆଡ଼େ ଗଲେ । ରହିଗଲେ ନବଘନ ଓ ପଦ୍ମାବତୀ । ଏଡ଼େ ବଡ଼ କୋଳାହଳ ଘଡ଼ିକେ କୁଆଡ଼େ ଉଭେଇଗଲା ।

 

ପଦ୍ମା କହିଲା–“ରାତିରେ ଆମର ଗାଁଏ ରହିଯା ବାବୁ ।”

 

ଜହ୍ନ ଆଲୁଅରେ ନବ ପଦ୍ମାକୁ ଦେଖିଲା । ହଳଦୀ ଗରଗର ତୋଫା ଦେହ । ବଡ଼ ବଡ଼ ତେଜିୟାନ ଆଖି । ପୂରିଲା ପୂରିଲା ଗାଲ । ଚିକ୍‌କଣ ବାଳ ଓ ଏକପଟିଆ ଜୁଡ଼ା । ତା’ଉପରେ ମଲ୍ଲୀ ଫୁଲର ଗଭା ।

 

–“ଇଦେ (ଏଃ) ସିମିତି କାଇଟା (କ’ଣଟା) ଦେଖୁଛୁ ?”

 

ନବର ଚେତନା ଆସିଲା । କର୍ତ୍ତବ୍ୟର ଚେତନା । ଫାର୍ମ ଜଗିବା ଭଳି ଗୁରୁତର ଭାର ବହନ କରିବାରେ ସେ ହେଳା କରୁଛି । ରାତିରେ ସେଠି କ’ଣ ହୋଇଥିବ କିଏ ଜାଣେ ? ଚାରିଆଡ଼େ ଚୋର ଉପଦ୍ରବ ଶୁଣାଯାଉଛି । ରାତି ପାହିବା ପୂର୍ବରୁ ଅନ୍ତତଃ ସେ ଫାର୍ମକୁ ଚାଲିଯିବା ଦରକାର । ଗୋଡ଼ ପାଖରେ ହିରୋ ମଧ୍ୟ ଚାଲିଯିବାକୁ ଲସର ପସର ହେଉଛି ।

 

–“ହଁ କ’ଣ କହିଲୁ ? ରହିଯିବାକୁ ? ନା ଚାଲିଯିବି ।”

 

–“ଏତେବେଳେ କାହିଁ ଯିବୁ ? ଆମର୍ ଘରେ ଶୋଇ ଯା ।”

 

–“ନାହିଁ ନାହିଁ । ମୁଁ ଯାଉଛି ।”

 

ନବ ଫାର୍ମକୁ ଫେରିଯିବାକୁ ପାହୁଣ୍ଡ ପକେଇଲା । ପଦ୍ମାବତୀ ଗାଁଆଡ଼କୁ ମୁହଁ କରି ମାତ୍ର କେତୋଟି ପାଦ ଚାଲିଯାଇ କ’ଣ ଭାବିଲା ଏବଂ ପଛକୁ ଲେଉଟି ନବର ଯିବା ପଥକୁ ଚାହିଁଲା । ଦୟାଆସିଲା ବୋଧହୁଏ ।

 

–“ଏ ବାବୁ ! ଛନେକ୍‌ଥେବ୍ । ଗୋଟେକ୍‌ ଲୋଗ୍ ନାଇ ଯା, ଡର୍ ବୁସ୍ । ମୁଇଁ ତୋତେ କୁପୁଲି ଉପରେ ଛାଡ଼ି ଦେଇକରି ଆସିବି ।” (ଟିକିଏ ରହ । ଏକୁଟିଆ ଯାଅନା, ଡରିବୁ । ମୁଁ ତୋତେ ପାହାଡ଼ ଉପରେ ଛାଡ଼ି ଆସିବି ।)

 

ନବ ପଛକୁ ଚାହିଁଲା । ଆରେ ବାଃ, ସେ କୁଆଡ଼େ ଡରିଯିବ ଆଉ ଏ ମେଞ୍ଚଡ଼ ଟୋକୀ ତାକୁ ଛାଡ଼ିଦେଇ ଆସିବ ।

 

–“ମୁଁ ଏକୁଟିଆ ଚାଲିଯିବି ।”

 

–“ହାଇଟା କେଁତା ହେସି ? ଆମର ଗାଁଏ ଗୋଟେକ୍ ଲୋକ୍ ଆସି ପଳେଇଲେ ମୋକେ ହୁଡ଼୍‌ବାୟ ।” (ସେଇଟା କିମିତି ହବ ? ଆମ ଗାଁକୁ ଆସି ଏକୁଟିଆ ପଳେଇଗଲେ, ମୋତେ ଗାଳି ଦେବେ)

 

–“ଆଛା, ତେବେ ଚାଲ । ତୋ ନାଁ କ’ଣ କି ?”

 

–“ପଦୁଆଁ । ପଦମାବତୀ ।”

 

କିଛି ଦୂର ଗଲା ପରେ ଗୋଟିଏ ଲଟା ତଳୁ ଫୁସ୍ ଫୁସ୍ ମଣିଷ ସ୍ଵର ଦୁହେଁ ଶୁଣିଲେ । ନବ ମନରେ କୌତୂହଳ ବଢ଼ିଲା । ସେ ଲଟା ପାଖକୁ ଯିବାପାଇଁ ବାହାରିଲା । ପଦ୍ମା ମନାକଲା । ତଥାପି ନବ ସେଆଡ଼େ ଚାଲିଲା । କିନ୍ତୁ ସେଠି ସେ ଯାହା ଦେଖିଲା ତାହା ଜୀବନରେ ମନରୁ ପୋଛିଦେବାର ନୁହେଁ । ରାତି ଅଧରେ ଟୋକା ଟୋକୀମାନେ ଏ ଗାଁଗୁଡ଼ାକରେ ଏମିତି ଏକୁଟିଆ ରହନ୍ତି ? ଛି ଛି । ସେମାନେ ପୁଣି ନବକୁ ଦେଖି ଲାଜ ନ କରି ହସୁଛନ୍ତି ।

 

ପାହାଡ଼ ଆଡ଼କୁ ଚାଲିଲାବେଳେ ନବଘନର ଦେହରେ ତାତି ବଢ଼ିବାକୁ ଲାଗିଲା । ଛାତି ଢେଙ୍କି କୁଟିଲା ପରି ଉଠ ପଡ଼ ହେଲା । ଦେହ ଓ ମନରେ ପାଶବିକ ପ୍ରବୃତ୍ତି ହିଂସ୍ର ହୋଇଉଠିଲା ।

 

ପାଖରେ ଷୋଡ଼ଶୀ ପଦୁଆଁ ।

 

ପାହାଡ଼ ଶିଖରୀରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ । ପଶ୍ଚିମ ଦିଗ୍‌ବଳୟରେ ମଲା ଜହ୍ନର ନିଷ୍ପ୍ରଭ ଆଲୁଅ । ନବ ପଦ୍ମା ପାଖକୁ ଲାଗିଆସିଲା । ତାକୁ ଚାରିଆଡ଼ ଅନ୍ଧାର ଦିଶୁଥିଲା । ଏକମାତ୍ର ଦେଖିପାରୁଥିଲା ପଦ୍ମାକୁ । ଅଜଗର ସାପର ଲହ ଲହ ଜିଭ ନରମ ଗୁଲୁ ଗୁଲୁ ଠେକୁଆ ଛୁଆକୁ ଯେପରି ସ୍ପର୍ଶ କରୁଛି । ତା’ର ଜିଭ ଅଠା ଅଠା ଲାଗିଲା । ଭାଷା ସ୍ପୁରୁନଥିଲା । ହଠାତ୍ ସେ ପଦ୍ମାର ବାଁ ହାତକୁ ଧରିପକାଇ କହିଲା ।

 

–“ଏ ନୁନି (ଟୋକି).....” ଏଇ ମାତ୍ର ସମ୍ବୋଧନରେ ନବ ଅଟକି ଗଲା ।

 

–“କାଇଟା ?” (କ’ଣ) ନବର ହାତରୁ ନିଜ ପାପୁଲିକୁ ଖସାଇ ଆଣି ସହଜ ଭଙ୍ଗୀରେ ପଦ୍ମା ପଚାରିଲା ।

 

–“ତୁ ଏକୁଟିଆ ମୋତେ ଘରଯାଏଁ ଛାଡ଼ି ଆସିବୁ ?” କ’ଣ ଭାବୁ ଭାବୁ ଆଉ କ’ଣ କହିଦେଲା ।

 

କିନ୍ତୁ ନବର ଏତାଦୃଶ ପ୍ରେମ ଗଦ୍‌ଗଦ ବାକ୍ୟ ପଦ୍ମା ପାଖରେ ଗୋଟିଏ ଭୀତତ୍ରସ୍ତ ଲୋକର ବିକଳ ପ୍ରାର୍ଥନା ରୂପରେ ପହଞ୍ଚିଲା । ସେ ଅଭୟ ଦେଲା ।

 

–“ୟାଆଆ, ୟା ! ଡର୍‌ବୁସ୍ ଚେ କି ? ତୋର୍ ମନ୍ ପାଇଲେ ଯିବି ।” (ଡରୁଛୁ କି ? ତୋର ଇଚ୍ଛା ହେଲେ ଯିବି ।)

 

–“ମୁଁ କିନ୍ତୁ ଏଠି ବସିବି । ତୁ ବସିବୁ ?”

 

–“ଗମାତ କରୁଛୁ କି ? ମୁଇଁ ନିଚୁ (ନାହିଁ) ।”

 

–“ସେ ଲଟା ତଳେ ଯେମିତି ସେମାନେ.....” ବଡ଼ କଷ୍ଟରେ ନବ ବାକ୍ୟଟି ଶେଷ କରିବାକୁ ଚେଷ୍ଟା କରୁଥିଲା ।

 

କିନ୍ତୁ ପଦ୍ମା ବଡ଼ପାଟିରେ ଥୋଡ଼େ ହସି କହିଲା–“ହାଇମନେ ବିଭା ହେବେ କାଇଲେ ବାବୁ” (ସେମାନେ ବିବାହ କରିବା ପାଇଁ ସ୍ଥିର କରି ସାରିଛନ୍ତି । ସେଇଥିପାଇଁ)

 

ହଠାତ୍ ନବ କହି ପକାଇଲା–“ଆମେ ଦି’ଜଣ ବିଭା ହେବା ।”

 

ହଠାତ୍ ପଦ୍ମାର ହସ ବନ୍ଦ ହୋଇଗଲା । ଏପଟେ ସେପଟେ ଚାହିଁ କ’ଣ ଭାବିଲା କେଜାଣି ଦୌଡ଼ି ପଳାଇଲା । ରାତ୍ରିର ଶେଷ ପ୍ରହରରେ ପାହାଡ଼ ଉପରେ ନବ ହତବାକ୍ ହୋଇ ଦେଖିଲା ଗୋଟିଏ ଭୀତା, ତ୍ରସ୍ତା, ହରିଣୀ ପରି ପଦ୍ମା ପାହାଡ଼ ତଳର ଝାପ୍‌ସା ଲଟାବୁଦା ଭିତରେ ଡେଇଁ ଡେଇଁ ତୀର ବେଗରେ ଧାଇଁଛି । ବଣ୍ୟ ପଶୁର ଚାଲି ପରି ଶୁଖିଲା ପତ୍ରର ଖସ୍ ଖାସ୍ ଶବ୍ଦ ଶୁଣାଯାଉଛି ।

 

ଗୁଡ଼ାଏ ଦୂର ଚାଲିଯାଇ ପଦ୍ମା ଠିଆହେଲା । ଧଇଁସଇଁ ହୋଇ ବଡ଼ ପାଟିରେ କହିଲା–“ଆର୍ ଗୋଟେ ଦିନ୍ ଆସିବୁ ।” ତା’ପରେ ସେ ଦୌଡ଼ି ଦୌଡ଼ି କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ସେଇଦିନଠୁ ନବଘନ ଚାରି ପାଞ୍ଚଥର କୁସୁମଗୁଡ଼ାକୁ ଯାଇ ପଦ୍ମାକୁ ଭେଟିଛି । ଆବୁରୁ ଜାବୁରୁ କେତେ କଥା ଦୁହେଁ ହେଉଛନ୍ତି । ନବ ବାରମ୍ବାର ପଦ୍ମା ପାଖରେ କଥାଦେଉଛି ଯେ ସେ ତାକୁ ବିଭା ହେବ ।

 

* କେତେକ ଆଦିବାସୀ ପ୍ରଥାରେ ଗୀତ ଓ ନାଚରୁ ଯୁବକ ଯୁବତୀମାନେ ନିଜ ନିଜର ଜୀବନ ସାଥି ନିର୍ବାଚିତ କରନ୍ତି । ମନର ମିଳନ ପରେ ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପିତ ହୋଇପାରେ । ପାଶ୍ଚାତ୍ୟ ଜଗତରେ ମଧ୍ୟ ଏହା ପ୍ରଚଳିତ ପ୍ରଥା ।

 

ଆମ ଦେଶର ସହରବାସୀ ଆଦିବାସୀ ଅଞ୍ଚଳରେ ଏହି ଅସାମଞ୍ଜସ୍ୟ ଯୌନ ପ୍ରଥା (different sex behaviour) ଓ ସେମାନଙ୍କର ସରଳତାର ସୁଯୋଗ ନେଇ ସହଜରେ ଚାଟୁ ବାକ୍ୟ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ କୁତ୍ସିତ କାର୍ଯ୍ୟକଳାପରେ ବ୍ୟାପୃତ ରହନ୍ତି ।

 

ବିବାହ ପଦଟା ନବଘନ ପାଖରେ ଅର୍ଥହୀନ ଏବଂ ମୂଲ୍ୟହୀନ । ପଦ୍ମାର ସୁନ୍ଦର ସୁଠାମ ଦେହର କଅଁଳ ପରଶ ଟିକିଏ ଉପଭୋଗ କରିବା ହେଲା ଏକମାତ୍ର ଉଦ୍ଦେଶ୍ୟ । ସେଇଥିପାଇଁ ବିବାହର ଏକ ମିଥ୍ୟା ପ୍ରତିଶ୍ରୁତି । ବଚନେ କି ଦରିଦ୍ରତା ?

 

ପଦ୍ମାର ରୂପ ଯୌବନ ଏବଂ ସେଦିନ ରାତିରେ ଗଛ ବୁଦା ତଳର ଦୃଶ୍ୟ ନବଘନକୁ ରାତିରେ ଛଟପଟ କରୁଛି ।

 

ଅଠର

 

ତା’ ପରେ ?

 

କେତେକ ଅବଶ୍ୟମ୍ଭାବୀ ଘଟଣା ଘଟିବ । ନରେଶ କିଛିଦିନ ଗଲେ ବିବାହ କରିବ । ବାପା ବୋଉ ତା’ ନିଜ ବେକରେ ବି ପଘା ପକେଇବାକୁ ତତ୍ପର । ବିଜିବୋଉ ତ ବୋହୂ ଦେଖିବାକୁ ବାୟାଣୀ ହେଲେଣି । ଏମିତି ଗୋଟି ଗୋଟି କରି ସମସ୍ତେ ବିବାହ କରିବେ । ପିଲାଛୁଆ ହେବେ । ଫାର୍ମର ଜନସଂଖ୍ୟା ବଢ଼ିବ । ସମସ୍ତିଙ୍କର ମୁଣ୍ଡରେ ‘ମୋ’ ଭାବ ଢୁକିବ । ମୋ ସ୍ତ୍ରୀ, ମୋ ସନ୍ତାନ, ମୋର ଧନ..... । କିପରି ଯେ ଫାର୍ମ ସେତେବେଳେ ରହିବ !

 

ଚନ୍ଦ୍ରାବତୀ ନଈ କୂଳେ କଅଁଳ ଘାସ ଉପରେ ଦେବ ଚିତ୍ ହୋଇ ଶୋଇ ଭାବନାରେ ବୁଡ଼ିଥିଲା । ଏବଂ ନିଜ ଭାବନାରେ ବିରଳ ହୋଇ ବେଳେବେଳେ ଗୋଡ଼ ହାତ ଛାଟୁଥିଲା ।

 

ସେଇ ଛୁଆମାନେ ବଡ଼ ହେବେ । ଦୂର ସହରରେ ରହି ପାଠ ପଢ଼ିବେ । ତା’ପରେ ? ଦେବର ମୁଣ୍ଡରେ ବହୁଦିନରୁ ବିସ୍ତୃତ ପୋଷ୍ଟମାଷ୍ଟରର ଠପାସ୍ ଶବ୍ଦ ପ୍ରତିଧ୍ଵନିତ ହେଲା । ଭବିଷ୍ୟତ ବଂଶଧରମାନେ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପରି ବେକାର ହେବେ, ଚିଠି ବଦଳରେ ବହି ଚିରିବେ, ଖଣ୍ଡିଆଭୂତ ହାବୁଡ଼ରେ ପଡ଼ି ଘିର୍ ଘିର୍ ହୋଇ ନାଚ କରିବେ । ସୁଜନପୁରର ଦଦରା କାଠ ପୋଲ ସେଇମିତି ପେଚାପରି ଖତେଇ ହେବ । ଏହିସବୁ ଅନୁଭୂତିରୁ ସେମାନେ ତା’ପରି ନୂଆ ନୂଆ ଫାର୍ମ କରିପାରନ୍ତି କିମ୍ବା ଡାକୁ ବି ହୋଇପାରନ୍ତି ।

 

ଯେଉଁମାନେ ଫାର୍ମ କରିବେ ସେମାନେ ସେତେବେଳେ ବି ନିଶ୍ଚୟ ଗୁରୁବାରୀମାନଙ୍କୁ ଭେଟିବେ ।

 

ଗୁରୁବାରୀମାନେ ପଡ଼ିବା କ୍ଷଣି ଦେବ ଚିହିଁକିଉଠି ଆଖି ବନ୍ଦ କଲା । ତା’ର ମନେହେଲା, ଗୁରୁବାରୀ ଗୋଟିଏ ରାକ୍ଷସୀର ରୂପ ନେଇ ଲଣ୍ଡାପଦର ଗାଁଟା ସାରା ଆବୋରି ପଡ଼ି ରହିଛି, ଠିକ୍ ନଈ ସେପଟର ବିରାଟ ପାହାଡ଼ ପରି । ଅନାହାରରେ ତା’ ପାଟି ଆଁ ମେଲାଇ ରହିଛି-। ଚାରିପଟେ ମନ୍ଦା ମନ୍ଦା ପିମ୍ପୁଡ଼ି ପରି ଗାଁ ଲୋକ ଘେରି ରହିଛନ୍ତି । ସେମାନେ ମଧ୍ୟ ବୁଭୁକ୍ଷୁ-। ଗୁରୁବାରୀ କଷ୍ଟେମଷ୍ଟେ କହୁଛି “କିଛି ନାହିଁରେ ପିଲେ, ଆଉଦିନେ ଉପାସ” । ସେମାନେ ସମସ୍ତେ କାନ୍ଦି କାନ୍ଦି ଗଡ଼ୁଛନ୍ତି ।

 

ଫାର୍ମ ସଭ୍ୟମାନେ ଚନ୍ଦ୍ରାବତୀ ନଈରୁ ବାଲ୍‌ଟି ବାଲ୍‌ଟି ପେଜ ଧରି ଗୁରୁବାରୀକୁ ବଞ୍ଚେଇବାକୁ ଯାଉଛନ୍ତି । କିନ୍ତୁ ତା’ ପାଖରେ ପହଞ୍ଚିବା ପୂର୍ବରୁ ପିମ୍ପୁଡ଼ିରୂପୀ ମଣିଷମାନେ ସଭ୍ୟଙ୍କୁ କାମୁଡ଼ି ପକାଉଛନ୍ତି । ଦଂଶନର ଜ୍ଵାଳାକୁ ସହିନପାରି ସଭ୍ୟମାନେ ଦୌଡ଼ି ପଳାଇ ଆସୁଛନ୍ତି । ଗୁରୁବାରୀ ଛଟପଟ ହେଉଛି । ପେଜ ଟୋପାକ ପାଇଁ ଡହଳବିକଳ ହେଉଛି ।

 

ଦେବ ତଳୁ ଉଠି ବସିଲା ।

 

ନାଃ, ଆଉ ଗୁରୁବାରୀ ମୁହଁରେ ପେଜ ଦେଇହେବ ନାହିଁ । ଗାଁ ଉନ୍ନତି କରିବ ବୋଲି କିଛିଦିନ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିଲା । ତା’ପରେ ସବୁ ଫାଙ୍କା । ନହେଲେ କି ସାମାନ୍ୟ କଥାରେ ସେଦିନ ଗାଁ ସଭା ଭଣ୍ଡୁର ହୋଇଥାନ୍ତା ? ଏଇ ଲୋକମାନେ ଖାଲି କାନ୍ଦିବା ଜାଣନ୍ତି, ହସିବା ଶିଖିନାହାନ୍ତି କି ହସିବାକୁ ହେଲେ ଯାହା କରିବାକୁ ପଡ଼େ ସେଥିପ୍ରତି ଆଗ୍ରହ ନାହିଁ ।

 

ଅତଏବ ଗୁରୁବାରୀ କାନ୍ଦୁ ।

 

କିନ୍ତୁ..........

 

ଗ୍ରାମ ଉନ୍ନତି ନ କଲେ ସେମାନେ ନିଜେ ବଞ୍ଚିବେ କିମିତି ? ସାମ୍ପ୍ରତିକ ଅବସ୍ଥାରେ ଫାର୍ମ ଭାଙ୍ଗି ବ୍ୟକ୍ତିଗତଭାବେ ଧନ୍ଦା ଖୋଜି ହେବ ନାହିଁ । ଗତାନୁଗତିକ ହେଉପଛେ ଏଇଠି ପଡ଼ି ରହିବାକୁ ହିଁ ହେବ । ସଭ୍ୟଙ୍କ ବଂଶ ବିସ୍ତାର ପରେ ଛୁଆମାନେ ଏଇଠାରେ ତ ମଣିଷ ହେବେ । ଫାର୍ମର ଆୟ ଏତେ ଜଣଙ୍କୁ ଯଥେଷ୍ଟ ହେବନାହିଁ ନିଶ୍ଚୟ । ସେତେବେଳକୁ ଯଦି ଗାଁର ଶିରୀ ନ ବଢ଼ିଥିବ ପିଲାଏ ଭଲରେ କିମିତି ଚଳିବେ ? ସେମାନଙ୍କର ଆଦର୍ଶ କ’ଣ ହେବ ? ଅନ୍ତତଃ ସେମାନଙ୍କୁ ବେକାରି ଓ ଖଣ୍ଡିଆଭୂତ ହାବୁଡ଼ରୁ ମୁକ୍ତ କରିବା ପାଇଁ ଏବେଠୁ ଲୋକଙ୍କୁ ଚେତାଇ ସମଗ୍ର ଅଞ୍ଚଳକୁ ପ୍ରଗତି ପଥରେ ଆଗେଇନେବାକୁ ପଡ଼ିବ । ଛୋଟ ହେଉ କିମ୍ବା ବଡ଼ ହେଉ କିଛି ନା କିଛି ସାମୂହିକ ହିତ କାର୍ଯ୍ୟ ହାତକୁ ନେବା ଆବଶ୍ୟକ ।

 

କିନ୍ତୁ ଗାଁ ଲୋକ ନିଜ ହିତ କଥା ନିଜେ ହେଜିଲେ ତ ! ଦେବ କୌଣସି ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରିଲା ନାହିଁ । ନଈକୂଳରେ ଇତସ୍ତତଃ ପଦଚାରଣ କଲା ।

 

କିଛି ସମୟ ପରେ ଦୂରରୁ ପେଁ ପେଁ ଶବ୍ଦ ଶୁଭିଲା । ଦେବ ଦେଖିଲା, ମୁଖ୍ୟଗୃହ ନିକଟରେ ଗୋଟିଏ ନାଲିଆ ଫିଏଟ୍ ଗାଡ଼ି ଠିଆ ହୋଇଛି । ଏହିଟା ତ ଯୋଗେଶ ବାବୁଙ୍କ ଗାଡ଼ି । ଦେବ କୁଦାମାରି ଦୌଡ଼ିଲା । ଧଇଁସଇଁ ହୋଇ ଘରେ ଆସି ପହଞ୍ଚିଲାବେଳକୁ ଯୋଗେଶ ବାବୁଙ୍କୁ ବିଜୟ, ବ୍ରଜ, ଜାନି, ଓ ଆରତି ଘେରି ରହିଛନ୍ତି ।

 

ଯୋଗେଶ ବାବୁ କହୁଥିଲେ, “ଯା” ହଉ, ଖୁସି ଲାଗିଲା ଯେ ତୁମର ଲାଭ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ମୁଁ ନିଶ୍ଚିତ, ତୁମେମାନେ ଏ ଦେଶର ବେକାର ଲୋକଙ୍କ ଆଦର୍ଶ ପଥ ପ୍ରଦର୍ଶକ ହୋଇ ରହିବ ।

 

ମୁଁ ମଧ୍ୟ ଏଇଥିପାଇଁ ତୁମ ପାଖକୁ ଆସିଛି । ହଁ, କଥା କ’ଣ କି କାଲି ରାତି ମୁଁ ରାଜଧାନୀରୁ ଆସି ଜୟନ୍ତୀନଗରରେ ପହଞ୍ଚିଲି । ରାଜଧାନୀଠୁ ଗୋଡ଼ କାଢ଼ିଲେ ମନ୍ତ୍ରୀ, ସେକ୍ରେଟାରୀଙ୍କଠୁଁ ଗୁଡ଼ାଏ ବାଜେ କଥା ଶୁଣିବାରୁ ମଣିଷ ମୁକ୍ତି ପାଏ । ବାହାରେ ସେସବୁ ଜଞ୍ଜାଳ ନଥାଏ । ସୁସ୍ଥିରେ କାମ କରିହୁଏ । କିନ୍ତୁ ଆଜି ସକାଳେ କେତେକ ବେକାର ଯୁବକ ଇଞ୍ଜିନିୟର ମୋତେ ବଙ୍ଗଳାରେ ଏକପ୍ରକାର ଘେରାଉ କରିଦେଲେ । କହିଲେ, ‘ଆମକୁ କାମ ଦିଅ’ । ମୁଁ ତାଙ୍କୁ ବୁଝାଇଦେଲି ଯେ ଆଜିକାଲି ସମସ୍ତ ନିଯୁକ୍ତି ସରକାର ଦେଉଛନ୍ତି । ସେମାନେ ମୋତେ ଗାଳିଦେଇ କହିଲେ ଯେ, ମୁଁ ଜଣେ ବଡ଼ ଇଞ୍ଜିନିୟର ହୋଇ ନିଜ ଗୋଷ୍ଠୀର କଥା ମୋଟେ ବୁଝୁ ନାହିଁ । କେଇଟା ବର୍ଷ ଆଗରୁ ଜନ୍ମ ହୋଇଥିଲି ବୋଲି କେବଳ ମୁଁ ଏଡ଼େ ବଡ଼ ଚାକିରି ପକେଟସ୍ଥ କରିଛି । ନହେଲେ ସେମାନେ ଓ ମୁଁ ସମାନ । ବରଂ ଏହି ଗୁରୁତର ଦୋଷରେ ମୋର ନର୍କବାସ ହେବା ସୁନିଶ୍ଚିତ ଯେ, ମୁଁ କେବଳ ଆତ୍ମସୁଖରେ କାଳ କାଟିଲି, ବଂଶଧରମାନଙ୍କ ନିମନ୍ତେ ନିଜ କ୍ୟାଡ଼ରର ଏକ୍‌ସପାନ୍‌ସନ୍‌ ପାଇଁ ଯତ୍ନବାନ ହେଲି ନାହିଁ ।

 

ସେମାନଙ୍କ ପ୍ରତି ମୋର ଦୟା ହେଲା । ଅଫିସିଆଲ ଚ୍ୟାନେଲ୍, ଯୋଜନା ମଞ୍ଜୁରି ଓ ପଲିସି ଡିସିସନ କିଏ କରେ ଇତ୍ୟାଦି ବିଷୟରେ ବୁଝେଇଲେ । ସେମାନେ ବୁଝିଗଲେ । ମୋତେ କ୍ଷମା ମାଗିଲେ ଏବଂ କରୁଣ ମୁହଁରେ ପ୍ରତ୍ୟାବର୍ତ୍ତନ କଲେ । ଟ୍ରୁ, ସେତେବେଳକୁ ମୋତେ ମଧ୍ୟ କାନ୍ଦ ମାଡ଼ୁଥିଲା । ସେଠି ହଠାତ୍ ତୁମ କଥା ମନେପଡ଼ିଲା । ସେମାନଙ୍କୁ ଡାକି ଏପରି ଫାର୍ମମାନ ପ୍ରତିଷ୍ଠା କରିବାକୁ କହିଲି । ସେମାନେ ସବୁ ଶୁଣି ଆଗ୍ରହପ୍ରକାଶ କଲେ । ଆଜି ରାତି କିମ୍ବା କାଲି ସକାଳେ ସେମାନେ ମୋତେ ଆଉଥରେ ଦେଖାକରିବେ ।

 

ବ୍ରଜ ତାଳିମାରି କହିଲା, “ଭେରି ଗୁଡ଼୍” ।

 

–“ଖାଲି ଭେରି ଗୁଡ଼୍ କହିଲେ ହେଲା କି ? ସେମାନଙ୍କୁ ସାହାଯ୍ୟ କରିବି ନା । ଆଚ୍ଛା, ତୁମେ ପରା ଚନ୍ଦ୍ରାବତୀ ଆୟକଟ୍‌ରେ ଆଉ ଦୁଇ ତିନୋଟି ସ୍ଥାନ ଫାର୍ମ ପାଇଁ ପରୀକ୍ଷା କରିଥିଲ ? ନକ୍‌ସା ପାଖରେ ଥିଲେ ଆଣିବ ତ ।”

 

ବ୍ରଜ ଗୋଟିଏ ଆଲମାରିରୁ ବିଡ଼ାଏ ନକ୍‌ସା, ରିପୋର୍ଟ ଓ ପେନ୍‌ସିଲ ନେଇଆସିଲା । ଟେବୁଲ୍ ଉପରେ ନକ୍‌ସା ମେଲି ଯୋଗେଶ ବାବୁ ନୂତନ ଫାର୍ମ ଅଞ୍ଚଳଗୁଡ଼ିକର ଅବସ୍ଥିତି ଦେଖିଲେ-। କେନ୍ଦୁପଦରକୁ ତିନି ମାଇଲ ଛାଡ଼ି ଚେମ୍ମାପୁର ପାଖରେ ନବେ ଏକର ଏବଂ ଜୟନ୍ତୀ ନଗରଠୁ ଚାରି ମାଇଲ ଦୂରରେ ଷାଠିଏ ଏକରର ଦୁଇଟି ଭଲ ପ୍ଳଟ୍ ଅଛି । ଦ୍ଵିତୀୟ ପ୍ଳଟ୍ ଡାଇରି ଫାର୍ମ ପାଇଁ ଉପଯୁକ୍ତ । କୃଷିବିତ୍‌ଙ୍କ ରିପୋର୍ଟ ଅନୁଯାୟୀ ଏଠାରେ ଅପର୍ଯ୍ୟାପ୍ତ ଘାସ ଚାଷ କରିହେବ । ଆଉ ଦୁଇଟି ପ୍ଳଟ୍ ବିରିଘାଟି ଓ ଟେମ୍‌ରା ନିକଟବର୍ତ୍ତୀ । ସବୁଗୁଡ଼ାକ ପ୍ଲଟର ମୃତ୍ତିକା ପରୀକ୍ଷା, କୃଷିବିତ୍‌ଙ୍କ ବୃକ୍ଷତାଲିକା ଆଦି ଆବଶ୍ୟକୀୟ ତଥ୍ୟ ରିପୋର୍ଟ ଆକାରରେ ରହିଛି ।

 

ଯୋଗେଶ ବାବୁ ଖୁସିହେଲେ ଏବଂ କହିଲେ, “ତୁମର ମାଷ୍ଟର ପ୍ଳାନ୍‌ରେ ପାଖାପାଖି ଯଥେଷ୍ଟ ଫାର୍ମ ହେଲେ ଭବିଷ୍ୟତରେ ଇଣ୍ଡଷ୍ଟ୍ରୀ ହୋଇପାରିବ ବୋଲି ଉଲ୍ଲେଖ କରାଯାଇଛି । ସେଦିଗରେ ଏବେଠୁ ଲାଗ । ଦେଶରେ ବେକାର ସଂଖ୍ୟା ବଢ଼ିଗଲାଣି । ସେମାନଙ୍କୁ ନେଇ ଆଉ କେତୋଟି ଫାର୍ମ ପ୍ରତିଷ୍ଠା କର । ମୋ ପାଖକୁ ତ ଗଣ୍ଡା ଗଣ୍ଡା ବେକାର ଯୁବକ ଆସୁଛନ୍ତି । ସେମାନଙ୍କୁ ମୁଁ ତୁମଆଡ଼କୁ ମୁହାଁଇ ଦେବି ।”

 

ସଭ୍ୟମାନେ ସନ୍ଦେହ ପ୍ରକାଶ କଲେ ଯେ, ସରକାରୀ ଚାକିରି ପଛରେ ନ ଗୋଡ଼େଇ ଫାର୍ମ ପରି କଷ୍ଟସାଧ୍ୟ ଧନ୍ଦାରେ ପଶିବାକୁ ଯୁବକମାନେ ରାଜି ହେବେନାହିଁ । କିନ୍ତୁ ଯୋଗେଶ ବାବୁଙ୍କ ମତ ହେଲା, ଏହି ଫାର୍ମର କାର୍ଯ୍ୟକାରିତା ଓ ଲାଭ ଲୋକଲୋଚନକୁ ଆସିଲେ ଯୁବକମାନେ ଆଗ୍ରହ ପ୍ରକାଶ କରିବେ । ତେଣୁ କିଛିଟା ପ୍ରଚାର ଦରକାର । ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରି ଫାର୍ମ ବିଷୟ ବୁଝାଇଲେ ସେମାନେ ଏହାକୁ ପ୍ରଚାର କରିବେ । ସଭ୍ୟମାନେ ଫାର୍ମର ବିଭିନ୍ନ ଅଂଶ ପ୍ରବନ୍ଧ ଆକାରରେ ଲେଖି ପତ୍ର ପତ୍ରିକାରେ ପ୍ରକାଶନ ପାଇଁ ପଠାଇବା ଉଚିତ । ଆଜିକାଲି ଏ ଧରଣର ଲେଖା ଜନସାଧାରଣରେ ବିଶେଷ ଆଦୃତ ହେଉଛି ।

 

ପତ୍ରିକାରେ ପ୍ରକାଶନ ପାଇଁ ଲେଖାଲେଖି କଥା ଶୁଣି ଦେବ ଗମ୍ଭୀର ହୋଇଗଲା । ପିଲାଦିନେ ଯାହା କିଛି ଲେଖା ହେଉଥିଲା । ଇଞ୍ଜିନିୟରିଂ ପରି ଶୁଷ୍କ ପାଠ ପଢ଼ିଲାଦିନୁ କାବ୍ୟ କବିତା ଚର୍ଚ୍ଚା ସଂପୂର୍ଣ୍ଣ ବନ୍ଦ । ଥରେ ବେକାରି ଜୀବନରେ ଗପଟିଏ ଲେଖିଥିଲା ବୋଲି ଯୋଉ ଅପମାନ ପାଇଥିଲା, ତାହା ପାସୋରି ହୁଏନାହିଁ ।

 

ଦେବକୁ ଲକ୍ଷ କରି ବିଜୟ କହିଲା, “ତୁ ତ ଗପ ଲେଖୁ । ଏଥର ଫାର୍ମ ବିଷୟରେ ପ୍ରବନ୍ଧ ଲେଖ୍ ।”

 

ଦେବ ବିଜୟକୁ କହିଲା, “ତୁ ମଧ୍ୟ କବିତା ଲେଖୁଥିଲୁ ।”

 

ଯୋଗେଶ ବାବୁଙ୍କ ଆଡ଼କୁ ମୁହଁ କରି ବିଜୟ କହିଲା, “ମିଛ କହୁଛି ସାର୍ । ମୁଁ ନୁହେଁ, ନବଘନ ।”

 

ସମସ୍ତେ ହସିଲେ ।

 

ଯୋଗେଶ ବାବୁ କହିଲେ, “ତୁମ ଭିତରୁ ଯେକୌଣସି ଲୋକ ଲେଖିପାରିବ । ଯାହା କରୁଛ ବା ଯେଉଁ ପ୍ରକାରେ ଫାର୍ମ ଅଗ୍ରଗତି କରୁଛି, ସେତିକି ନିଜ ଭାଷାରେ ଲେଖିଲେ ହେଲା । ଆଚ୍ଛା, ସାହିତ୍ୟ ଚର୍ଚ୍ଚା ଏତିକିରେ ରହୁ । ମୁଁ କାଲି କେତେଜଣ ସାମ୍ବାଦିକଙ୍କୁ ଜୟନ୍ତୀ ନଗରରୁ ପଠେଇଦେବି । ତୁମେ ସେମାନଙ୍କୁ ଫାର୍ମ ବୁଲାଇ ଦେଖାଇବ । ଯାହା ପଚାରିବେ ଉତ୍ତର ଦେବ । ବେକାର ଯୁବକମାନଙ୍କୁ ମଧ୍ୟ ଏଠାକୁ ପଠାଇଦେବି ।”

 

ଏହି ସମୟରେ ନରେଶ, ଶ୍ରୀକାନ୍ତ, ନବଘନ କାମରୁ ଫେରିଲେ । ଆରତି ରୋଷେଇଶାଳକୁ ଯାଇ ଜଳଖିଆ ପ୍ରସ୍ତୁତ କରି ଆଣିଲା । ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଶିଝା ଅଣ୍ଡା, ଗ୍ଲାସେ ବହଳ ଗରମ ଦୁଧ, ଗୋଟିଏ ପାଚିଲା କଦଳୀ, କିଛି ଅଙ୍ଗୁର, ଖାଣ୍ଟି ଗୁଆଘିଅରେ ତିଆରି ସାମାନ୍ୟ ହାଲୁଆ । ଯୋଗେଶ ବାବୁ ଖାଉ ଖାଉ କହିଲେ, “ଯା ହଉ, ଆଜି ଏତେଦିନକେ ଖାଣ୍ଟି ଆଉ ତଟକା ଜିନିଷ ଖାଇବାକୁ ମିଳିଲା । ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସହରରେ ଭେଜାଲ ମାଲରୁ ମୁକ୍ତି ନାହିଁ ।”

 

ଟିକିଏ ନୀରବତା ପରେ ଯୋଗେଶ ବାବୁ ପଚାରିଲେ, “ତୁମର ଗାଁ ଉନ୍ନତି କାର୍ଯ୍ୟକ୍ରମ କେତେଦୂର ଆଗେଇଲାଣି ?”

 

ଏହି ପ୍ରଶ୍ନ ଶୁଣିବେ ବୋଲି କେହି ଆଶା କରିନଥିଲେ କି ତା’ର ଉତ୍ତର କ’ଣ ଦିଆଯିବ କେହି ଭାବିନଥିଲେ । ସୁତରାଂ ସମସ୍ତେ ଗୁମ୍ ମାରି ବସିଲେ । ଯୋଗେଶ ବାବୁ ଲକ୍ଷ କଲେ ଯେ, ସଭ୍ୟମାନେ ହଠାତ୍ ଗମ୍ଭୀର ହୋଇଗଲେ । ମନେମନେ ଭାବିଲେ, ଏ ଭିତରେ କିଛି ଗୋଟାଏ ଅଘଟଣ ନିଶ୍ଚୟ ଘଟିଛି । ସେ ମଧ୍ୟ କୌତୂହଳବଶତଃ ନିଜ ପ୍ରଶ୍ନକୁ ପୁନରାବୃତ୍ତି କଲେ ।

 

ଶେଷରେ ବ୍ରଜ ସେଦିନ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାର ବିଷୟବସ୍ତୁ କହିଗଲା । ତା’ପରେ କହିଲା, “ସେଦିନଠୁ ଡାକ୍ତରଖାନା ଛଡ଼ା ଆମ ଉପରେ କାହାର ଭଲ ଧାରଣା ନାହିଁ । ଆମର ବି ସାହସ ହେଉନାହିଁ ପ୍ରଗତିମୂଳକ ଯୋଜନା ନିଜଆଡ଼ୁ କରିବାପାଇଁ । ସ୍କୁଲ ହତାରେ ଯାହା ଗୋଟିଏ ଏକର ଜମିରେ ପନିପରିବା ଚାଷ ଆରମ୍ଭ କରିଛୁ ।”

 

ବିଜୟ କହିଲା, “ମୋର ଦୃଢ଼ ଧାରଣା ଯେ, ରାମାୟା ସେଦିନ ଯାହା କହିଲା ତାହା ତା’ର ନିଜ ବୁଦ୍ଧିରୁ ନୁହେଁ । ରାମାୟା ଅବଶ୍ୟ କୁମୁଟି ବ୍ୟବସାୟୀ ପିଲା, କିନ୍ତୁ ଟ୍ରାକ୍ଟରର ଇକୋନୋମିକ୍‌ସ୍ ବିଷୟ ତା’ର ଛୋଟିଆ ମୁଣ୍ଡରେ ପଶିବା କଷ୍ଟକର । ନିଶ୍ଚୟ ଏମିତି ଜଣେ ଚକ୍ରୀର ହାତ ତା’ ପଛରେ ଅଛି, ଯେ ଆମ ସହିତ ବି ଘନିଷ୍ଠ ଅର୍ଥାତ୍ ଫାର୍ମର ଆଲୋଚନା ଓ ଟିକିନିଖି ହାନିଲାଭ ସେ ଜାଣେ ।”

 

ଜାନି ଡର ଡର ହୋଇ କହିଲା, “ହଁ, ହଁ । ମୁଁ ମଧ୍ୟ ସେପରି ଭାବୁଛି ।”

 

ଦେବ କହିଲା, “ମୁଁ କହିବାକୁ ଯାଉଥିଲି ଯେ, ଯାହାର ଟ୍ରାକ୍ଟର ଦରକାର ସେ ଭଡ଼ାରେ ନେବ । ଅନ୍ୟମାନଙ୍କ ପାଇଁ ଦରକାର ନାହିଁ । କିନ୍ତୁ ସେତେବେଳେ ଲୋକେ ଉଠିପଡ଼ିଥିଲେ । ଗାଁ ଲୋକେ ବଡ଼ ମନୁଆ । ନଈ ପଡ଼ୁ, ନାଳ ପଡ଼ୁ, ପାହାଡ଼ ପଡ଼ୁ ମନ ଚାହିଁଲେ ନାକସିଧା ଚାଲିଥିବେ-।”

 

ଯୋଗେଶ ବାବୁ ଆଖିବୁଜି ଅନେକ ସମୟ ଯାଏଁ ଭାବିଲେ । ତା’ପରେ କହିଲେ, “ମୋର ବି ମନେହେଉଛି ରାମାୟାକୁ କେହି ଟଙ୍କା ପଇସା ଦେଇ ହାତ କରିଛି । ହଉ, ମୁଁ ଜୟନ୍ତୀନଗରକୁ ଲେଉଟି ଗଲାବେଳେ କେନ୍ଦୁପଦରରେ ଓହ୍ଲେଇ ତା’ ସହିତ କଥାଭାଷା କରିବି । ମୁଁ ଏଠାରୁ ଗଲାପରେ ଘଣ୍ଟାଏ ଛାଡ଼ି ତୁମ ଭିତରୁ କେହି ଜଣେ କେନ୍ଦୁପଦର ଆସ ।”

 

ତା’ପରେ ଫାର୍ମ ସଭ୍ୟମାନଙ୍କୁ ସେମାନଙ୍କର ଭୁଲ୍ ଭଟକା ବିଷୟରେ ଅନେକ କଥା ବୁଝାଇ କହିଲେ । ଯୋଗେଶ ବାବୁଙ୍କ ମତ ହେଲା ଯେ, ଡେମୋକ୍ରାଟିକ୍ ଦେଶରେ କାହାଉପରେ କିଛି ଲଦି ଦିଆଯାଇନପାରେ । ଲୋକଙ୍କର ମନ ଓ ହୃଦୟକୁ ପ୍ରଥମେ ଜୟ କରି ତା’ପରେ ସେମାନଙ୍କର ସହଯୋଗରେ କୌଣସି ଗୋଟାଏ ଗଠନମୂଳକ କାମ ହାତକୁ ନିଆଯାଇପାରେ । ତର ତର ହୋଇ କାମ ହାସଲ କରିହୁଏ ନାହିଁ । କେତୋଟି ଇଚ୍ଛୁକ ବ୍ୟକ୍ତିର ଜମିରେ କେବଳ ଉନ୍ନତ ଧରଣର ଚାଷପାଇଁ ସାହାଯ୍ୟ କରାଯାଇପାରେ । ସେ ଲାଭବାନ ହେଲେ ତାକୁ ଦେଖି ଅନ୍ୟମାନେ ସେହି ଦିଗରେ ଅନୁପ୍ରାଣିତ ହେବେ । କାହାର ଜମି ନିଜ ଅକ୍ତିଆରରେ ରଖିବା ଅନୁଚିତ । ତଦ୍ଦ୍ଵାରା ଅବିଶ୍ଵାସ ଆସିଯିବ ।

 

ଲୋକଙ୍କର ଅଶିକ୍ଷକତାକୁ ଦେଖିଲେ ମିଟିଂ ଫିଟିଂ କରି ମଧ୍ୟ ବିଶେଷ କିଛି ଲାଭ ହେବନାହିଁ । ମହାଜନ ଓ ମୁନାଫାଖୋରମାନେ ଚକ୍ରାନ୍ତ କରି ନିଶ୍ଚୟ ଭଲ ଉଦ୍ଦେଶ୍ୟ ପଣ୍ଡ କରିଦେବେ । ଥରେ ଗାଁ ସଭାରେ ଅପମାନିତ ହେବାରୁ ଗାଁରୁ ମୁହଁ ଫେରାଇ ନେବା ମଧ୍ୟ ଅନୁଚିତ-। ଯୋଗେଶ ବାବୁ କହିଲେ ଯେ ସଭ୍ୟମାନେ ଯେଉଁ ପ୍ରକାରେ ଗାଁକୁ ଆଗେଇନେବେ ବୋଲି ସେଦିନ ସଭାରେ କହିଲେ ତାହା ପ୍ରାକ୍ଟିକାଲ୍ ନୁହେଁ । ମନେକର ସଭ୍ୟଙ୍କ କଥାରେ ରାଜିହୋଇ ଗାଁର ସମସ୍ତ ଜମି ତାଙ୍କ ଅଧୀନରେ ଦୁଇଟି ଫସଲ ପାଇଁ ଛାଡ଼ି ଦିଆଯାଅନ୍ତା । ସଭ୍ୟମାନେ ସଫଳ ହୋଇପାରନ୍ତେ ? କୂଅ ଖୋଳି ତେଣ୍ଡା ବସାଇ ହଜାରେ ଦୁଇହଜାର ଏକର ଜମିରେ ଶୀତଦିନିଆ ଫସଲ କରାଯାଇପାରିବ ? ଅସମ୍ଭବ । ନଦୀଠୁ ଟିକିଏ ଦୂରରେ ତିରିଶ ଚାଳିଶ ଫୁଟ ଗଭୀରରେ ପାଣି ମିଳୁଛି ? ଏତେ ଗଭୀରରୁ ପାଣି ଉଠାଇ ଏତେଗୁଡ଼ାଏ ଜମିକୁ ଜଳସେଚନ ଯୋଗାଇ ହେବ ନାହିଁ-

 

ଯଦି ସେଥିପାଇଁ ମଧ୍ୟ ଆଗ୍ରହ ଅଛି, ତେବେ ଗାଁରେ ଯଥେଷ୍ଟ ପମ୍ପ୍ ଦରକାର ପଡ଼ିବା । ଡିଜେଲ ତେଲରେ ପମ୍ପ୍ ଚଳାଇବା ମଧ୍ୟ ବ୍ୟୟ ସାପେକ୍ଷ । ତେଣୁ ବିଦ୍ୟୁତ୍ ଶକ୍ତି ଆଣିବା ପାଇଁ ସଭ୍ୟମାନେ ଏବେଠୁ ଯତ୍ନବାନ ହେବା ଉଚିତ । ଜୟନ୍ତୀନଗରଠୁ କେନ୍ଦୁପଦରର ଦୂରତା ମୋଟେ ଚଉଦ ମାଇଲି । ତେଣୁ ବିଜୁଳି ଶକ୍ତି ଆଣିବାରେ ବିଶେଷ ଅସୁବିଧା ହେବନାହିଁ । ଗାଁ ଲୋକଙ୍କଠୁ ଦରଖାସ୍ତ ନେଇ କର୍ତ୍ତୁପକ୍ଷଙ୍କ ପାଖକୁ ଦୌଡ଼ାଦୌଡ଼ି କଲେ ବର୍ଷକ ଭିତରେ ଗାଁକୁ ବିଜୁଳି ଆସିଯିବ-

 

ଆଲୋଚନା ସାରି ସନ୍ଧ୍ୟା ଛ’ଟା ବେଳକୁ ଯୋଗେଶ ବାବୁ ଫାର୍ମରୁ ବିଦାୟନେଲେ । ଗଲାବେଳେ କାର୍ ପାଖରେ ଆରତି ଗୋଲାପ, ମଲ୍ଲୀ, ମାଳତୀ, ଗେଣ୍ଡୁ, କେନାଫୁଲ ଆଦି ଅନେକ ଫୁଲ ପତ୍ରର ଗୋଟିଏ ସୁନ୍ଦର ପୁଷ୍ପଗୁଚ୍ଛ ଯୋଗେଶ ବାବୁଙ୍କ ହାତକୁ ବଢ଼ାଇଦେଲା । ସଭ୍ୟମାନେ କାର୍ ପଛପଟେ ପାଚିଲା ଆମ୍ବ, ଲେମ୍ବୁ, ଅଙ୍ଗୁର ଆଦି ଫଳରେ ଭରା ଦୁଇଟି ଝୁଡ଼ି ଏବଂ ଦୁଇ କେଜି ଓଜନର ଭଜା କଫି ମଞ୍ଜିର ପ୍ୟାକେଟ୍ ରଖିଦେଲେ ।

 

ବିଦାୟ ନେଲାବେଳେ ସଭ୍ୟମାନେ ଯୋଗେଶ ବାବୁଙ୍କ ଜୁଳୁ ଜୁଳୁ ଆଖିରେ ଚାହିଁ ରହିଥିଲେ । ଯୋଗେଶ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ଵ ଭିତରେ ସେମାନେ ଦେଖୁଥିଲେ, ସାହାରାର ଉତ୍ତପ୍ତ ବାଲୁକାରାଶି ମଧ୍ୟରେ ଗୋଟିଏ ସୁଶୀତଳ ମରୁଦ୍ୟାନ । ହତାଶା ଭିତରେ ଆଶାର ଏକ ଦୀପଶିଖା ।

 

କେନ୍ଦୁପଦରରେ ଗାଡ଼ି ରଖି ଯୋଗେଶ ବାବୁ ବାଙ୍ଗାରାୟା ଘରକୁ ଗଲେ । ନିଜର ପରିଚୟ ପ୍ରଦାନ କରି ସେ କହିଲେ ଯେ, କେନ୍ଦୁପଦର ପାଖାପାଖି ଅନେକ ନିର୍ମାଣ କାମ କରିବାକୁ ସରକାର ସ୍ଥିର କରିଛନ୍ତି । ଗାଁରୁ ଜଣେ ଦୁଇଜଣ ଯୁବକ କଂଟ୍ରାକ୍ଟର ଦରକାର । ସେ ଶୁଣିବାକୁ ପାଇଛନ୍ତି ଯେ, ବାଙ୍ଗାରାୟାର ପୁଅ ରାମାୟା ଜଣେ ଉତ୍ସାହୀ ଯୁବକ । ଚେଷ୍ଟାକଲେ ସେ ପାରିବ । ଜଣେ ବଡ଼ ଇଞ୍ଜିନିୟରଙ୍କ ତୁଣ୍ଡରୁ କଣ୍ଟ୍ରାକ୍ଟରୀର ନାମ ଶୁଣି କୁମୁଟି ବାଙ୍ଗାରାୟାର ପାଟିରୁ ଲାଳ ବୋହିଲା । ସଙ୍ଗେ ସଙ୍ଗେ ସେ ପୁଅକୁ ଡାକ ଛାଡ଼ିଲା ।

 

ରାମାୟାକୁ ଯୋଗେଶ ବାବୁ ଗାଡ଼ିରେ ବସେଇ ସ୍କୁଲ ଘରକୁ ଗଲେ । ସେଠାରେ ଯୋଗେଶ ବାବୁ ରାମାୟାକୁ ଏହି ଧାରଣା ଦେଲେ ଯେ, ନିକଟ ଭବିଷ୍ୟତରେ ଚନ୍ଦ୍ରାବତୀ ଯୋଜନା ହେବାକୁ ଯାଉଛି । ତା’ପାଇଁ ଅନେକ ନିର୍ମାଣ କାମ ହେବ । ତା’ଛଡ଼ା ଅନ୍ୟାନ୍ୟ ଯୋଜନାରେ ରାସ୍ତା, କୋଠାବାଡ଼ି, କେନାଲ, ବନ୍ଧ ଆଦି ଯଥେଷ୍ଟ ହେବ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ସହରର କଂଟ୍ରାକ୍ଟରମାନେ ଏହି ନିର୍ମାଣ କାମଗୁଡ଼ିକୁ ଟାକି ବସିଛନ୍ତି । କାରଣ ସେମାନେ ଏଥିରୁ ଯଥେଷ୍ଟ ଲାଭବାନ ହେବେ । କିନ୍ତୁ ଯୋଗେଶ ବାବୁଙ୍କ ଇଚ୍ଛା ସ୍ଥାନୀୟ ଲୋକେ ବି ଲାଭ ପାଆନ୍ତୁ । ରାମାୟା ଯେହେତୁ ବର୍ତ୍ତମାନଠୁ ବ୍ୟବସାୟରେ ମୁଣ୍ଡ ପୂରେଇଛି ସେ ଏହି କାମଗୁଡ଼ିକ ହାତକୁ ନେବାପାଇଁ ଏବେଠୁ ପ୍ରସ୍ତୁତ ହେବା ଉଚିତ । ଡାଲି ଚାଉଳ ବ୍ୟବସାୟ କରି ବର୍ଷ ବର୍ଷରେ ଯାହା ଲାଭ ହୁଏ, ଗୋଟିଏ ଭଲ ନିର୍ମାଣ କାମ ହାତକୁ ନେଲେ ମାସକରେ ବି ତାଠାରୁ ବେଶି ଲାଭ ହୋଇପାରିବ । ଏଥିପାଇଁ କେବଳ ଇଚ୍ଛା ଓ ଉତ୍ସାହ ଦରକାର ।

 

ଯୋଗେଶ ବାବୁଙ୍କ କଥାରେ କୁମୁଟି ପିଲା ରାମାୟା ବଡ଼ ଖୁସି ହୋଇଗଲା । କହିଲା, “କାଂଟ୍ରାକ୍ଟ ପାଇଁ ପଇସା ନାହିଁ, ଆଜ୍ଞା ! କାମ (ନିର୍ମାଣ କାମ) ମଧ୍ୟ ଜଣା ନାହିଁ ।”

 

–“ଟଙ୍କା ପଇସା ବଡ଼କଥା ନୁହେଁ । ଅସଲ ହେଲା ଅଭିଜ୍ଞତା । ଆଚ୍ଛା, ତା’ପାଇଁ ମୁଁ ଗୋଟିଏ ଉପାୟ ବଢ଼ାଇଦେଉଛି । ଏଠି କେତେଜଣ ଇଞ୍ଜିନିୟର ଫାର୍ମ କରିଛନ୍ତି । ସେମାନଙ୍କ ସହିତ ମିଶି, ଗାଁରେ କେତୋଟି ନିର୍ମାଣ କାମ ହାତକୁ ନିଅ । ଏଇ ଧରିନିଅ, ଗାଁରେ ଗୋଟିଏ କ୍ଲବ ଘର ଓ ଗୋଡ଼ି ମାଟି ପକେଇ ପକ୍‌କା ରାସ୍ତା ଆଦି କରାଯାଇପାରେ । ଛୋଟ ଛୋଟ କାମରୁ ଅଭିଜ୍ଞତା ବଢ଼େ । ଅଭିଜ୍ଞତା ହାସଲ ପରେ ସରକାରୀ ନିର୍ମାଣ କାମଗୁଡ଼ିକ ହାତକୁ ନେଇହେବ ।”

 

ଫାର୍ମ କଥା ଶୁଣି ରାମା ଗମ୍ଭୀର ହୋଇଗଲା ଓ ମୁହଁ ଶୁଖାଇଲା । ତା’ର ନୀରବତାକୁ ଲକ୍ଷ୍ୟକରି ଯୋଗେଶ ବାବୁ କହିଲେ, “କ’ଣ ସେଦିନର ସଭା କଥା ମନେପଡ଼ିଲା କି ?”

 

ରାମା ଚମକିପଡ଼ିଲା ।

 

ଯୋଗେଶ ବାବୁ ହସି ହସି କହିଲେ, “ମୁଁ ସବୁ ଶୁଣିଛି । ଗଲା କଥାକୁ ଭୁଲିଯାଅ । ତୁମେ ସେଦିନ ଯେଉଁ ଆପତ୍ତି ଉଠାଇଥିଲ ତାହା ମନ୍ଦ ନୁହେଁ । ବରଂ ସେମାନେ କଳ୍ପନାରେ ଭାସି ଗୁଡ଼ାଏ ଅନ୍ ପ୍ରାକ୍‌ଟିକାଲ୍ କଥା କହୁଥିଲେ । ଗାଁ ବିଲବାଡ଼ିରେ ଟ୍ରାକ୍ଟର ଚାଲିପାରିବ ନାହିଁ କି ଚଳେଇଲା ପରି ବିତ୍ତ ଓ ସାଧ୍ୟ ସେମାନଙ୍କର ନାହିଁ । ମୁଁ ସେମାନଙ୍କୁ ବୁଝେଇଦେଇଛି, ସେମାନେ ବି ନିଜର ଭୁଲ୍ ବୁଝିସାରିଲେଣି । ତେଣୁ କାହାକୁ କିଏ ସନ୍ଦେହ ନ କରି ଭାଇ ଭାଇ ପରି ଚଳ ।

 

ହଉ, ମୁଁ ଏଥର ଯାଉଛି । ଗାଁ ଉନ୍ନତି ଜରିଆରେ ନିର୍ମାଣ କାମ ଶିଖ । ଭଲ କଂଟ୍ରାକ୍‌ଟର ହୁଅ । ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଯୋଜନା ଏ ଅଞ୍ଚଳରେ ହେବାକୁ ଯାଉଛି । ମୁଁ ଚାହେଁ, ତୁମ ପରି ବ୍ୟବସାୟୀ ଉତ୍ସାହୀ ଯୁବକମାନେ ଲାଭବାନ ହୁଅନ୍ତୁ ।”

 

ଏତିକିବେଳେ ବ୍ରଜ ସ୍କୁଲ ଘରେ ପହଞ୍ଚିଗଲା । ଯୋଗେଶ ବାବୁ କାର୍ ପାଖକୁ ଗଲାବେଳେ ରାମାୟା ସହିତ ହୋଇଥିବା କଥାବାର୍ତ୍ତା ସଂକ୍ଷେପରେ ବ୍ରଜକୁ କହିଦେଲେ । ଏଥର ନୂଆରେ ଗାଁର କେତେକ ନିର୍ମାଣ କାମ ଆରମ୍ଭ କରିବାକୁ ରାମାୟା ଓ ବ୍ରଜକୁ ଉପଦେଶ ଦେଲେ । ବିଶେଷ କରି ସେ ରାମାକୁ କହିଗଲେ ଯେ, ଗାଁର କୌଣସି ଚକ୍ରୀର ବୋଲରେ ନ ପଡ଼ି ନିଜ ବିବେକ ଅନୁସାରେ ଭଲ କାମରେ ହାତ ଦେବା ଉଚିତ । ତାଙ୍କ ଆଗରେ ବ୍ରଜ ଓ ରାମାୟା କରମର୍ଦ୍ଦନ କଲେ ।

 

ବିଦାୟ ନେଲାବେଳେ ଯୋଗେଶ ବାବୁଙ୍କ କାରକୁ ଚାହିଁ ରାମାୟା ପିତୁଳା ପରି ଛିଡ଼ା ହୋଇଥିଲା । ପଛକୁ ମୁହଁବୁଲାଇ ରାମାକୁ ଦେଖି ଦେଖି ବ୍ରଜ ନିଜ ଘରଆଡ଼େ ସାଇକଲ ଛୁଟାଉଥିଲା ।

 

ଠିକ୍ ଏହି ସମୟରେ ବନାମାଷ୍ଟ୍ରଙ୍କ ଘର ପାଖ ଅନ୍ଧାରିଆ କୋଣରୁ ରାମାକୁ ମୁହଁ କରି ଗୋଡ଼ ଚିପି ଚିପି ଆସୁଥିଲେ ବାଙ୍ଗାରାୟା, ବଳଭଦ୍ର ସିଂ ଓ ସନିଆ ଡମ୍ ।

 

ଊଣେଇଶି

 

ତିନିଦିନ ହେଲା କେନ୍ଦୁପଦରରେ ବର୍ଷା ଛେଚୁଛି । ନାହିଁନଥିବା ବର୍ଷା । ଦିନ ରାତି ବାରି ହେଉନାହିଁ । ସବୁବେଳେ ଅନ୍ଧାର । ସୂର୍ଯ୍ୟ ଦେବତାଙ୍କ ଦେଖାଦର୍ଶନ ନାହିଁ ।

 

ଘୋଡ଼ିଘାଡ଼ି ହୋଇ ରବି ଶୋଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ନିଦ ଆସୁନି । ଝାଇଁ ଝାଇଁ ପବନ । ନଦୀର ଘୁ ଘୁ ଘର୍ଘର ନିନାଦ । ଦୂର ପାହାଡ଼ ଆଡ଼ୁ ତୋଫାନର ରାଉଁ ରାଉଁ କର୍କଶ ଶବ୍ଦ କାନକୁ ଅତଡ଼ା କରିପକାଉଛି ।

 

ଓଃ, ଉପତ୍ୟକାର କି ଭୀଷଣ ରୂପ, ଚନ୍ଦ୍ରାବତୀ ନଈର କି ବିଦ୍ୟୁତ୍ ଗତି ଏବଂ ପାହାଡ଼ଗୁଡ଼ିକର କି ବିକଟ ଦୃଶ୍ୟ ! ଗୋଟିଏ ମୁହୂର୍ତ୍ତ ବି ବର୍ଷାର ଗର୍ଜନ ତର୍ଜନ ବନ୍ଦ ହେଉ ନାହିଁ । ତୋଫାନରେ ଫାର୍ମର ସମସ୍ତ କଦଳୀ ଗଛ, ଅମୃତଭଣ୍ଡା ଗଛ ଭାଙ୍ଗି ପଡ଼ିଛି । ସଫା କରିବାକୁ ମଧ୍ୟ ସମୟ ନାହିଁ ।

 

ଗୋଟିଏ ବିରାଟ ପବନରେ ଝରକା ଖୋଲି ହାବୁକା ହାବୁକା ହେମାଳ ପବନ କୋଠରି ଭିତରକୁ ପଶିଆସିଲା । ରବି ଶେଯରୁ ଉଠି ଝରକା ବନ୍ଦ କରିବାକୁ ଦୌଡ଼ିଲା । ବାହାରେ କିଲିବିଲି ଅନ୍ଧାର, ଝାଇଁ ଝାଇଁ ବର୍ଷା ସହିତ ସାଇଁ ସାଇଁ ପବନ । ଦେହଯାକର ବାଳ ଟାଙ୍କୁରି ଉଠୁଛି ।

 

ଝରକା ଅଧା ବନ୍ଦ କରି ରବି ଛିଡ଼ାହେଲା । ଭାବିଲା, ଏଥର ଫାର୍ମଗଲା । କଦଳୀ ଓ ଅମୃତଭଣ୍ଡା ଗଛଗୁଡ଼ାକ ନିପାତ ହୋଇଗଲାଣି । ଏମିତି ପ୍ରଳୟଙ୍କରୀ ବର୍ଷା ଲାଗିରହିଲେ ଗାଁଟା ବି ଶୂନ୍ୟରେ ଉଡ଼ିଯିବ । ବାପରେ ଏ ସ୍ଥାନମାନଙ୍କରେ ସୃଷ୍ଟି ପ୍ରଳୟର ଦୃଶ୍ୟ ଦେଖିବାକୁ ମିଳେ ବୋଲି ତ ଆଗରୁ ଧାରଣା ହିଁ ନ ଥିଲା । ଏମିତି ଜାଗାରେ ମରି ହଜିଗଲେ କେହି ଆହା କରିବାକୁ ନଥିବେ-। ସାହାଯ୍ୟ କଥା ଦୂରରେ ।

 

ରବି ଡରିଗଲା । ଏତେଦିନର ପ୍ରିୟ ଫାର୍ମ ଉପରେ ବିତୃଷ୍ଣା ଚାଲିଆସିଲା । ଭାବିଲା, ସେ ଏତେ ପାଠ ପଢ଼ିଛି, ଘରେ ବନ୍ଧୁ ବାନ୍ଧବ, ବାପା ମା’ ଅଛନ୍ତି । ଅନାଥଙ୍କ ପରି ଏଠି ପଡ଼ି ରହିବାର ମାନେ କିଛି ନାହିଁ । ଯେତେଦିନ ଗଲା, ଗଲା । ଏଥର ଗୋଡ଼ କାଢ଼ିବାକୁ ପଡ଼ିବ । ମଝିରେ ମଝିରେ ଅଧ୍ୟାପକ ଚାକିରି ପାଇଁ ବିଜ୍ଞାପନ ବାହାରୁଛି । ଏଥର ଏପ୍ଲାଇ କରିବାକୁ ପଡ଼ିବ ।

 

ପାଖ ବଖରାରେ ଖୁଡ଼୍ ଖାଡ଼୍ ଶବ୍ଦ ହେଲା । ସେଠି ଆରତି ଶୋଇଛି । ରବି ଝରକା ଦେଇ ଅନ୍ୟ ବଖରା ଆଡ଼କୁ ଆତୁର ହୋଇ ଦେଖିବାକୁ ଚେଷ୍ଟା କଲା । କିଛି ଦିଶୁ ନାହିଁ । ଦିନ ହୋଇଥିଲେ ଆର ବଖରାର ବାହାର କାନ୍ଥ ଯାହା ଟିକିଏ ଦେଖାଯା’ନ୍ତା । ସେଥିରେ କି ଲାଭ ? ବିଜି ବୋଉଙ୍କୁ ଲଗାଲଗି ହୋଇ ସେ ଶୋଇଥିବ ବୋଧହୁଏ । ତଥାପି ସଙ୍କେତ ଦେବା ଭଙ୍ଗୀରେ ପଦାକୁ ହାତ ବାହାର କରି ଫୁଟୁକି ଫୂଟାଇଲା । ଠିକ୍ ଏହି ସମୟରେ ଝକ କରି ମାରିଲା ବିଜୁଳି । ଦୂରରେ ବିରାଟ ବିରାଟ ପର୍ବତଗୁଡ଼ିକ ଭୂତ ପରି ଦେଖାଗଲା । ସେ ଆଲୁଅରେ ରବି ନିଜର ବିକଳ ଅବସ୍ଥାକୁ ମଧ୍ୟ ଆବିଷ୍କାର କଲା । କ୍ଷଣକ ପରେ ପୁଣି ଅନ୍ଧାର । ଭୟଙ୍କର । ତା’ର ଦେହଯାକର ବାଳ ଟାଙ୍କୁରିଉଠିଲା ।

 

ହଠାତ୍ ନରେଶ ପାଟିକଲା–“କିଏ ସେଠି ?”

 

–“ମୁଁ ରବି ।”

 

ଝରକା ବନ୍ଦ କରି ରବି ଶୋଇଲା ବେଳକୁ ଗଜଗଜ ହୋଇ ଥରୁଥିଲା । ଘୋଡ଼ିଘାଡ଼ି ହୋଇ ସେ ଯେତେ ନିଦ୍ରାଦେବୀଙ୍କୁ ଡାକୁଥିଲା, ସେ ସେତେ ଦୂରେଇ ଯାଉଥିଲେ । ତେଣୁ ବାଧ୍ୟହୋଇ ସେ ପୁରୁଣା କଥାଗୁଡ଼ିକୁ ପାକୁଳେଇବାରେ ଲାଗିଲା ।

 

ଫାର୍ମରେ କ’ଣ ବା ନୂଆ ଯୋଜନା ଅଛି ଯେ ଉତ୍ସାହ ବଢ଼ିବ ? ଗାଁ ଉନ୍ନତି କିମ୍ବା ନୂଆ ଫାର୍ମ ପ୍ରତିଷ୍ଠା, ସବୁ ଫେଲ୍ ମାରିଲା । ସେଦିନ ଯୋଗେଶ ବାବୁ ଉପଦେଶ ବିଞ୍ଚି ଚାଲିଗଲା ପରେ, ଆରଦିନ ପହଞ୍ଚିଥିଲେ ସାମ୍ବାଦିକ ଦଳ । ସେମାନେ ବୁଲିଲେ, ଦେଖିଲେ, ଫଳ ଓ ପନିପରିବା ଚାଖିଲେ ଆଉ ଟିପିନେଲେ ଫାର୍ମର ପ୍ରତ୍ୟେକ ବିଷୟ । ଖବରକାଗଜଗୁଡ଼ିକରେ ଫାର୍ମ ବିଷୟକ ସମ୍ବାଦ ତଥା ଲେଖା ପ୍ରକାଶ ପାଇଲା ।

 

ତା’ର ଏକ ସପ୍ତାହ ପରେ ବେକାର ଯୁବକଙ୍କ ଠାରୁ ଚିଠିମାନ ଆସିବାରେ ଲାଗିଲା । ଯୋଗେଶ ବାବୁଙ୍କ ସହିତ ଆଲୋଚନା କରିଥିବା ଦଳେ ଯୁବକ ମଧ୍ୟ ଦିନେ ପହଞ୍ଚିଗଲେ । ସେମାନେ ଫାର୍ମର ଟିକିନିଖି ଖବର ବୁଝିନେଲେ । ଅନେକ ଫାର୍ମ ପାଖାପାଖି କଲେ କ’ଣ ସୁବିଧା ହେବ ବୁଝାଇ ଦିଆଗଲା । ୟାର ବିପତ୍ତି ବେଳେ ସେ ପିଠିରେ ପଡ଼ିବ । ଏଠି ଟ୍ରାକ୍ଟର ଖରାପ ହେଲେ ସେଠାରୁ ଟ୍ରାକ୍ଟର ଆସିବ । ଅନେକ ଫାର୍ମର ଉତ୍ପାଦିତ ଫଳକୁ ନେଇ କିପରି ଶୀତଳଭଣ୍ଡାର, ଫଳରସ କାରଖାନା ଇତ୍ୟାଦି ହୋଇପାରିବ । ଏପରି ଫାର୍ମମାନ ଚନ୍ଦ୍ରାବତୀ ଯୋଜନାର ଭବିଷ୍ୟତ ଜଳସେଚିତ ଅଞ୍ଚଳରେ ବିଛେଇ ପଡ଼ିଲେ, ଭବିଷ୍ୟତରେ ସମଗ୍ର ଅଞ୍ଚଳ କିପରି ସର୍ବାଙ୍ଗୀନ ଉନ୍ନତି କରିପାରିବ ଇତ୍ୟାଦି । ସେମାନେ ଉତ୍ସାହ ଓ ଆଗ୍ରହ ଦେଖାଇବାରୁ ପରିଚାଳନା ବିଷୟ ମଧ୍ୟ ଆଲୋଚିତ ହେଲା । ପ୍ରଥମେ ସ୍ଥିର ହେଲା ଯେ, ପୁରୁଣା ଫାର୍ମରୁ କେତେକ ଅଭିଜ୍ଞ ଲୋକେ ଯାଇ ନୂଆ ଫାର୍ମର ପରିଚାଳନା କରିବେ ଏବଂ ପୁରୁଣା ଫାର୍ମକୁ ନୂଆ ଲୋକ ଆସିବେ । କିନ୍ତୁ ବ୍ୟକ୍ତିଗତ ସମ୍ପତ୍ତି ଉଠାଣରେ ଅସୁବିଧା ହେବ ବୋଲି ଏପରି ସ୍ଥିର ହେଲା ଯେ, ନୂଆ ଫାର୍ମ ପ୍ରତିଷ୍ଠା ଓ ସେଗୁଡ଼ିକ ଉତ୍ପାଦନକ୍ଷମ ହେବାକ୍ଷଣି ଉକ୍ତ ସଭ୍ୟମାନେ ନିଜ ନିଜ ଫାର୍ମକୁ ଲେଉଟି ଆସିବେ । ଖୁବ୍‍ଶୀଘ୍ର ଚେମ୍ମାପୁରରେ ବହୁମୁଖୀ ଫାର୍ମ ଓ ଜୟନ୍ତୀନଗରକୁ ଚାରିମାଇଲ ଛାଡ଼ି ଗୋଟିଏ ଡାଇରି ଫାର୍ମ କରିବେ ବୋଲି ସେମାନେ ସ୍ଥିର କରି ଚାଲିଗଲେ । ତା’ପରେ ଆଉ ତାଙ୍କର ଖୋଜଖବର ନାହିଁ । ମଝିରେ ଖଣ୍ଡେ ପୋଷ୍ଟକାର୍ଡ଼ ସେମାନଙ୍କଠୁ ମିଳିଥିଲା–“ତମେ କହିବା ମୁତାବକ କରୁଛୁ । ବର୍ତ୍ତମାନକୁ ସରକାରୀ ଜାଲ ଭିତରେ ଛନ୍ଦି ହୋଇଛୁ-।”

 

ତେଣୁ ନୂଆ ଫାର୍ମ ହେବାର ଚାନ୍‌ସ ଅଛି କି ନାହିଁ ଭଗବାନ କହିବେ । ଆଉ ଗ୍ରାମ ଉନ୍ନତି କଥା ନ ଭାବିଲେ ଭଲ । ଯୋଗେଶ ବାବୁ ସେଦିନ ରାମାୟା ସହିତ କଥା ହୋଇ ଚାଲିଗଲା ପରେ ସଭ୍ୟମାନେ ବଡ଼ ଆଶାୟୀ ହୋଇ ତା’ ପାଖକୁ ଦୌଡ଼ିଲେ । ରାମାୟା ଆଗ୍ରହ ଦେଖାନ୍ତା କ’ଣ ଖାପଛଡ଼ା ମନ୍ତବ୍ୟମାନ ଦେଇ ଛୁ ମାରିଲା । ଗାଁ ଲୋକେ କହିଲେ–“ହାତରେ ନ ହେବାରୁ ଟଙ୍କା ଲାଞ୍ଚ ଦେଇ ରାମାକୁ ହାତ ପଇଠ କରିବାକୁ ଚକ୍ରାନ୍ତ କରୁଥିଲେ ।” ଧନ୍ୟ କହିବ ଏ ଗାଁ ଲୋକଙ୍କୁ । ବ୍ରଜ ବୋଲି ମନରେ ବଳଦେଇ ଚଳେଇ ନେଉଛୁ । ଆଉ କିଏ ହେଲେ ପାରନ୍ତା ନାହିଁ । ଗାଁରେ ତା’ର ପ୍ରତିପତ୍ତି ଥିବାରୁ ଲୋକଙ୍କର ଟିକିଏ ଖାତିର ଅଛି । ତା’ର ଉତ୍ସାହରେ ସଭ୍ୟମାନେ ଲାଗି ଗୋଟିଏ ଭାଗବତ ଟୁଙ୍ଗି କରିଛନ୍ତି । ସ୍କୁଲ ବାଡ଼ିରେ ପନିପରିବା ଚାଷ ହେଉଛି । ପରିତ୍ୟକ୍ତ କୂଅ ଦୁଇଟିର ପୁନନିର୍ମାଣ ଚାଲିଛି । କିନ୍ତୁ ଯାହାହେଉଛି ସବୁ ରସଶୂନ୍ୟ । ସଭ୍ୟଙ୍କର ସମସ୍ତ କାମରେ ଗାଁ ଲୋକଙ୍କର ଥଟ୍ଟା ପରିହାସ । ଭାଗବତ ଘର ହେଲା ଯେ କେହି ଭୁଲରେ ମଧ୍ୟ ସେଠାକୁ ଯାଉନାହାନ୍ତି ।

 

ଏମିତି ଗାଁରେ ସଭ୍ୟ ଲୋକ କିମିତି କାଳ କାଟିବ ? ବାପ, ମା, ଜ୍ଞାତିକୁଟୁମ୍ବକୁ ଛାଡ଼ି ଏଠି ରହିବା ଲାଭ କ’ଣ ? ଓଲଟି ଦିନେ ବାଆ ବତାସରେ ଉଡ଼ିଯିବା କିମ୍ବା ମଣିଷକୁ ବାଘ ଖାଇଯିବା ବିଚିତ୍ର ନୁହେଁ ।

 

ବାହାରେ ତୁହାକୁ ତୁହା ଘଡ଼ଘଡ଼ି ଶୁଭିଲା । ଦୁଲ୍‌ଦାଲ୍ ହୋଇ ଘରପାଖରେ କେତୋଟା ଗଛ ପଡ଼ିଗଲା । ମୁଣ୍ଡ ଉପରେ ଛାତଟା ଉଡ଼ିଯିବ କି ? ନାଃ, ଏମିତି ଡରିମରି କାଳ କାଟିବା ଅନୁଚିତ । ଏଥର ଫାର୍ମକୁ ଛାଡ଼ି ସରକାରୀ ଚାକିରି ପଛରେ ଧାଇଁବାକୁ ପଡ଼ିବ ।

 

ଏହି ସମୟରେ କିଏ ଅତି ଜୋରରେ କବାଟ ପିଟିଲା,–“ଉଠ ବେ । କେତେ ଉଷୁମ ଟାଣି ଶୋଇଛ ? ସ୍ୟାଡ଼େ ସଂସାର ପ୍ରଳୟ ହେବାକୁ ଯାଉଛି । ଫୁଲ୍‌ସ୍ ।”

 

ଏକାସାଙ୍ଗରେ ତିନିଜଣ ଯାକ ଉଠିପଡ଼ିଲେ । ସେପଟ ଘରୁ ଆରତି ଓ ବିଜିବୋଉ ଲଣ୍ଠନ ଧରି ଆସିଲେ । ବାରଣ୍ଡାରେ ବିଜୟ ଓ ନବଘନ ପାଣି ସାରସର ହୋଇ ଛିଡ଼ା ହୋଇଥିଲେ-। ପିନ୍ଧିଥିବା ବର୍ଷାତି କୋଟ ଓ ବ୍ୟାଗ୍‍ରୁ ପାଣି ଥପ୍‌ଥପ୍ ହୋଇ ବୋହିପଡ଼ୁଥିଲା ।

 

କିଏ କିଛି ପଚାରିବା ପୂର୍ବରୁ ବିଜୟ କହିଲା–“ଜଲ୍‌ଦି ଚାଲ । ଠିଆ ହେବାକୁ ବେଳ ନାହିଁ । ନଈରେ ବନ୍ୟା ଆସିଗଲାଣି । ଟ୍ରାକ୍ଟର, କୁକୁଡ଼ା ଇତ୍ୟାଦି ଚଞ୍ଚଳ ଏଠାକୁ ବୋହି ଆଣିବା ଉଚିତ । ଆମ ସାଥିରେ ଗାଇଗୁଡ଼ାଙ୍କୁ ଆଣି ଜାନି ପାଇଁ ହେଉଥିବା ଘରେ ଛାଡ଼ିଦେଇଛୁ । ଏଥର ଚାଲ ଆମ ସହିତ । ବି କୁଇକ୍ ।”

 

ଦେବ କହିଲା–“ଡରିଗଲୁ କିରେ ? ତୋର ବୋଧହୁଏ ମନେନାହିଁ, ତୁମେ ରହିବା ବସା ଓ ଗାଈ ଗୁହାଳ ବନ୍ୟା ଜଳର ସର୍ବୋଚ୍ଚ ପତନଠାରୁ ଉଚ୍ଚରେ ତିଆରି ।”

 

–“ତୁ ଗୋଟାଏ ଇଡ଼ିୟଟ୍ । ଯଃ, ତୋ କଥା ଶୁଣିଲେ ମୁଡ୍ ଅଫ୍ ହୋଇଯାଉଛି । ହଇରେ ପଣ୍ଡିତ, ଚାରିପଟେ ପାଣି ଘେରି ରହିଲେ ଆମେ କେତୁଟା ମଣିଷ ଓ ପଶୁପକ୍ଷୀ ସେଠି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୋଟିଏ ଦ୍ଵୀପରେ ରହିବୁ ? ଆଉ ତମେ ଏଠି ମଜା ମାରୁଥିବ ?”

 

–“ସତେ ତ ! ହଉ ଚାଲ୍ ।”

 

ସଙ୍ଗେ ସଙ୍ଗେ ଦେବ, ନରେଶ ଓ ରବି ବର୍ଷାତି କୋଟ୍, ଗମ୍‌ବୁଟ୍ କ୍ୟାପ୍ ଆଦି ପିନ୍ଧି ବାହାରିପଡ଼ିଲେ । ନବଘନ ଓ ଆରତି ଆମର ଘର ଓ ଗାଈଗୋରୁଙ୍କ ସୁବିଧା ଦେଖିବାକୁ ଚାଲିଗଲେ । ବିଜିବୋଉ ବନ୍ୟା ନାଁ ଶୁଣି ହାଉଳି ଖାଉଥିଲେ । ପୋଷାକ ପିନ୍ଧୁ ପିନ୍ଧୁ ଦେବ ତାଙ୍କୁ ଆଶ୍ଵାସନା ଦେଇ କହିଲା ଯେ, ଭୟ କରିବାର କିଛି ନାହିଁ । ପଶୁପକ୍ଷୀ ଓ ଜିନିଷପତ୍ର ରଖିବାକୁ ଯଥେଷ୍ଟ ସ୍ଥାନ ଖମାରରେ ଖାଲିପଡ଼ିଛି । ବ୍ରଜ ପାଇଁ ତୟାର ହେଉଥିବା ନୂଆ ଘରେ ଦିନେ ଦୁଇ ଦିନରେ ଟିଣ ପିଟିଦେଲେ ଆହୁରି ସ୍ଥାନ ବାହାରିବ ।

 

ସମସ୍ତେ ନଈକୂଳଆଡ଼କୁ ଚାଲିଲେ । ଚନ୍ଦ୍ରାବତୀ ସେମିତି ଗର୍ଜୁଥିଲା । ସେମିତି ବର୍ଷା ପିଟୁଥିଲା । ଗୋରୁଶାଳ ପାଖରେ ରବି ଟର୍ଚ୍ଚ ପକାଇ ଚାରିପଟ ଦେଖିଲା । ଅଳ୍ପ ଦୂରରେ ବନ୍ୟା ପାଣି ଆଖିରେ ପଡ଼ୁଥିଲା । କୁଦି କୁଦି ଡେଇଁ ଡେଇଁ ନଈର ଲହଡ଼ିମାନ ମାଡ଼ି ଆସୁଥିଲା । ଟ୍ରାକ୍ଟର ଉପରେ ଦରକାରୀ ଯନ୍ତ୍ରପାତି ବୋଝେଇ କରି ବିଜୟ ମୁଖ୍ୟ ଘରଆଡ଼େ ଚାଲିଲା । ବିରାଟ ବିରାଟ ଢାବଲରେ କୁକୁଡ଼ା ଭର୍ତ୍ତି ହେଲେ । ଦୁଇ ତିନିଥରରେ ଟ୍ରାକ୍ଟର ସାହାଯ୍ୟରେ ଏଗୁଡ଼ିକ ସ୍ଥାନାନ୍ତରିତ ହେବ । ରହିଯାଇଥିବା ଗାଈମାନଙ୍କୁ ନରେଶ ନେଇଗଲାଣି ।

ରାତି ତିନିଟା ବେଳକୁ ସ୍ଥାନାନ୍ତର କାମ ଶେଷହେଲା । ସମସ୍ତେ ବିଶ୍ରାମ ନେବାପାଇଁ ଶେଯ ଧରିଲେ । ପରିଶ୍ରମ ହେତୁ ନିଦ ଆସିଗଲା ।

ସକାଳେ ଆଖି ମଳି ମଳି ବାଡ଼ି ପିଣ୍ଡାକୁ ବାହାରିଲା ବେଳକୁ ଦେଖାଗଲା ଚାରିଆଡ଼େ ଜଳାର୍ଣ୍ଣବ । ଜମିବାଡ଼ି, ଗଛଲତାର ପତ୍ତା ନାହିଁ । ସୁଯୋଗକୁ ଫଳ ବଗିଚା ଉଚ୍ଚ ଜମିରେ ଥିବାରୁ ଗଛଗୁଡ଼ିକ ବୁଡ଼ିଯାଇନାହିଁ । ତଥାପି ସେଠି ମଧ୍ୟ ପାଦେ ପାଣି । ସତକୁସତ ଗୋରୁଶାଳ, ୱାର୍କସପ୍ ଥିବା ସ୍ଥାନ ଗୋଟିଏ ଛୋଟ ଦ୍ଵୀପପରି ଦେଖାଯାଉଛି । ସମସ୍ତ ବସ୍ତୁ ଯେମିତି ଜଳରୁ ବାହାରିଛି, ଭୂଇଁରୁ ନୁହେଁ । ଏପରିକି ଦୂର ପାହାଡ଼ଗୁଡ଼ିକ ମଧ୍ୟ ସମୁଦ୍ରରେ ଭାସିଯାଉଥିବା ଜାହାଜ ପରି ଦେଖାଯାଉଛି ।

ଏ ବାପ୍‌ରେ, ପାହାଡ଼ିଆ ନଈ ସ୍ରୋତର କି ବେଗ, କି ଘୁ ଘୁ ଗର୍ଜନ ! ଅଣଞ୍ଚାଶ ପବନ ଏବଂ ସେଇ ବେଗର ପାଣି । ବିରାଟ ବିରାଟ ଗଛ ଛିନ୍‍ଛତର ହୋଇଚାଲିଛି ସେ ସ୍ରୋତରେ । ନାଲି ଗୋଳି ପାଣିରେ ସମଗ୍ର ଉପତ୍ୟକା ରକ୍ତମୁଖା ହୋଇପଡ଼ିଛି । ତା’ ସହିତ ଥଣ୍ଡା କାକର ପବନର ଚାଇଁ ଚାଇଁ ଶବ୍ଦ । ଦୂର ପାହାଡ଼ରୁ ନାଳମାନ ଭୀଷଣ ଗର୍ଜନ କରି ବୋହି ଚାଲିଛନ୍ତି ।

ବିଜୟବୋଉ କହୁଥିଲେ–“ଆମର ମହାନଦୀରେ ଘର, ମାତ୍ର ବନ୍ୟାର ଏମିତି ବିକଟାଳ ରୂପ ମୋ ଦିହାତିରେ କେବେ ଦେଖିନଥିଲି । ଏ ସ୍ରୋତରେ ପର୍ବତ ପଡ଼ିଲେ ଦି ଗଡ଼ ହୋଇଯିବ । ପାଦେ ପାଣିରେ ମଣିଷ ଭସେଇନେବ ।”

ଦେବ କହୁଥାଏ–“ପାହାଡ଼ିଆ ନଈର ବନ୍ୟା ଚଞ୍ଚଳ ଖସିଯିବ । ବେଶିହେଲେ ଗୋଟିଏ ଦିନ ।”

ରବି ଓ ନରେଶ ଖାଲି କାବାହୋଇ ଚାହିଁଥିଲେ । କିଛି କହୁନଥିଲେ ସିନା ଭାବୁଥିଲେ ଏକାପ୍ରକାର । ଯଥାଶୀଘ୍ର ଫାର୍ମ ଛାଡ଼ି ଯମ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ସେମାନଙ୍କର ମନ ଛଟପଟ ହେଉଥିଲା ।

 

ସକାଳେ ବର୍ଷା ଛାଡ଼ିଗଲା । କିନ୍ତୁ ଅନେକ ସମୟ ଧରି କୋହଲା ପବନ ବହୁଥାଏ । ପ୍ରାତଃକାର୍ଯ୍ୟ ସମାପନ କରି ସଭ୍ୟମାନେ ଜଳଖିଆ ଖାଇଲାବେଳକୁ ସେଦିନ ଆଠଟା ବାଜିଗଲା । ଦରଖିଆ ହୋଇଛନ୍ତି, ବନାମାଷ୍ଟ୍ରେ ଓ ମାଙ୍ଗତା ମାଝି ଧଇଁସଇଁ ହୋଇ ମୁଖ୍ୟ ଗୃହ ଭିତରକୁ ଦୌଡ଼ିଆସିଲେ ।

 

–“ଆପଣମାନେ ଜଲ୍‌ଦି ଟିକିଏ ଗାଁଆଡ଼େ ଚାଲନ୍ତୁ ତ । ଗାଁ ଭିତରେ ପାହାନ୍ତିଆରୁ ପାଣି ପଶିଗଲାଣି । କେତେ ଗାଈଗୋରୁ ଭାସିଗଲେଣି । ଗାଁ ଲୋକଙ୍କ ଅବସ୍ଥା କହିଲେ ନ ସରେ । ଆଉ ବିଳମ୍ବ କରନ୍ତୁ ନାହିଁ ।” ବିଜୟ କହିଲା–“ବଳଭଦ୍ର ସିଂ କିଛି କରୁନାହାନ୍ତି ?”

 

–“କାଲି ରାତିଠୁ ତାଙ୍କୁ ଥଣ୍ଡା, ପେଟ ବେମାର । ଘରୁ ବାହାରିନାହାନ୍ତି ।”

 

ବିଜୟ ମନେମନେ ଭାବିଲା ଏତେବେଳକୁ ବଳିଆର ପେଟ ବେମାର ତ ବାହାରିବ ଇଁ ବାହାରିବ ।

 

ନବ ରହିଗଲା ଗାଈ ଓ କୁକୁଡ଼ା କଥା ବୁଝିବାକୁ । ବିଜିବୋଉ ରୋଷେଇରେ ଲାଗିଲେ-। ଅନ୍ୟ ସମସ୍ତେ ଚାଲିଲେ କେନ୍ଦୁପଦରକୁ । କେନ୍ଦୁପଦରରେ ପହଞ୍ଚୁ ପହଞ୍ଚୁ ସଭ୍ୟମାନେ ଲୋକଙ୍କର ଅବସ୍ଥା ବୁଝିବାପାଇଁ କିଛି ସମୟ ଚାରିଆଡ଼େ ବୁଲିଲେ । ରାସ୍ତାମାନଙ୍କରେ ଆଣ୍ଠୁଏ ପାଣି । ଖାଲି ଯାହା ଘରଟିମାନ ପାଣିରେ ଭସିଲା ପରି ଦେଖାଯାଉଛି । ଅଧା ଘର କାନ୍ଥ ପଡ଼ିଗଲାଣି । ଆଉଦିନେ ପାଣି ରହିଲେ ଘରଗୁଡ଼ିକ ଗୋଳି ପାଣିରେ ମିଶିଯିବ । ଲୋକଙ୍କ ଅବସ୍ଥା ଦିଗଣ୍ଡା ଦିକଡ଼ା । ରାତି ଅଧରୁ ଘରୁ ବାହାରି ଉଚ୍ଚା ସ୍ଥାନମାନଙ୍କରେ ଆଶ୍ରୟ ନେଇଛନ୍ତି । ସବୁଠୁ ବେଶି ଜମା ପଡ଼ିଛନ୍ତି ସଭ୍ୟଙ୍କ ଦ୍ଵାରା ନିର୍ମିତ ଭାଗବତ ଟୁଙ୍ଗିରେ । ଉଚ୍ଚା ସ୍ଥାନରେ ଏହା ନିର୍ମିତ । ଯେଉଁଠି ମଣିଷ ସେଠି ହୃଦୟବିଦାରକ ଦୃଶ୍ୟ । ପିଲା, ମାଇପେଙ୍କ ହାଉଳି ଜାଉଳି, କାନ୍ଦକଟା-। ପିଲାମାନେ କିଛି ଖାଇନଥିବାରୁ ଅତର୍ଚ୍ଛ ରଡ଼ି ପକାଉଛନ୍ତି ।

 

ଯା ହଉ କେହି ଅପହଞ୍ଚ ସ୍ଥାନରେ ନାହାନ୍ତି । ଏଥର ପ୍ରଥମେ ଖାଦ୍ୟପେୟର ବନ୍ଦୋବସ୍ତରେ ଲାଗିବାକୁ ପଡ଼ିବ । ଦୁଇଟି ଶଗଡ଼ ଚଲେଇ କେତେକ ଗ୍ରାମବାସୀଙ୍କ ସହିତ ଜାନି ଓ ରବି ଫାର୍ମକୁ ଚାଲିଗଲେ, କ୍ଷୀର, କିଛି ଚାଉଳ, ଡାଲି ଓ ପରିବା ଆଣିବାପାଇଁ । ନରେଶ, ଆରତି ଓ ବ୍ରଜ ଲୋକଙ୍କୁ ଆଶ୍ଵାସନା ଓ ଦେଖାଚାହାଁ କରିବା ପାଇଁ ରହିଲେ । ରାନ୍ଧିବା ପାଇଁ ସ୍ଥାନ ନିରୂପଣ, କାଠ ଓ ଚୁଲିର ବନ୍ଦୋବସ୍ତ କରିବା ସେମାନଙ୍କର କାମ । ଅନ୍ୟମାନେ ଗାଁ ଭିତରୁ ସାହାଯ୍ୟ ଯୋଗାଡ଼ କରିବାରେ ଲାଗିଲେ ।

 

ବଳଭଦ୍ର ସିଂଙ୍କ ସାହିର ଅବସ୍ଥା ଟିକିଏ ଭଲ । ସେଠି ଦୁଇ ତିନିଟା ଘରର ଉଚ୍ଚା ପିଣ୍ଡା । ବୀରଭଦ୍ରୁଡ଼ୁ ଓ ବାସୁ ସାହୁ କିଛି କିଛି ଚାଉଳ ଦେଲେ । ବାଙ୍ଗାରାୟା ଘରୁ ରାମାୟାର ଖୋଜଖବର ମିଳିଲା ନାହିଁ । ଡରିମରି ଘରେ ଲୁଚିଥିଲା ବୋଧହୁଏ ।

 

ତା’ଠୁ ବଳି ଆହୁରି ଡର ବଳଭଦ୍ରଙ୍କୁ ଗ୍ରାସିଥିଲା । ଘରଟା ନିରାପଦ ହେଲେ କି ଲାଭ ? ବର୍ଷା ପାଣିରେ ପାମର ୟାପେ ନାକରେ ଦଉଡ଼ି ଲଗାଇ ଟାଣିବେ । ତେଣିକି ଚାଲିବ ଖାଲି ଦିଅ, ଦିଅ, ଦିଅ । ବନ୍ୟାରେ ଏ ସନ ଫସଲ ନଷ୍ଟ । ତା’ପରେ ମରୁଡ଼ି, ଦୁର୍ଭିକ୍ଷ ହୋଇପାରେ । ତେଣୁ ଧନ ଦରବ ଏବେଠୁ ନ ସମ୍ପାଦିଲେ ମହରଗ କାଳକୁ କିଏ ପିଠିରେ ପଡ଼ିବ ? ବର୍ଷକ ପରେ ଆସିଯିବ ନିର୍ବାଚନ । ତେଣୁ କିଏ କେଉଁ କାମ କଲାବେଳକୁ ସେ ରାତିସାରା ଆଠଜଣ ଗୋତିଙ୍କୁ ଲଗାଇ ଖମାରରୁ ଧାନବସ୍ତାମାନ ନିଜର ଶୋଇବା ବଖରା, ଗମ୍ଭିରି ଘର ଆଦିରେ ରଖାଇଛନ୍ତି । ସକାଳ ବେଳକୁ ଅଧା କାମ ଶେଷ ।

 

ମାଙ୍ଗତା ବାବୁ ଓ ଦେବ ତାଙ୍କ ଘର ଭିତରେ ପଶୁ ପଶୁ ସେ ଖାସିବାକୁ ଆରମ୍ଭ କଲେ । କଥା ଛଳରେ, ତାଙ୍କଠାରୁ ବେଶି ଆଶା ନ କରିବାକୁ ସୂଚନା ଦେଲେ । ଅନେକ ଯୁକ୍ତିତର୍କ ପରେ ସେ ଦଶ କେଜି ଚାଉଳ, ଅଳ୍ପ କିଛି ଡାଲି, ଗୁଡ଼ ଓ ମୁଢ଼ି ଏବଂ ରାନ୍ଧିବା ପାଇଁ ଦୁଇଟି ଡେକ୍‌ଚି ଦେଲେ ।

 

ଭାଗବତ ଟୁଙ୍ଗିରେ ରନ୍ଧା ଚାଲିଲା । ଦିନ ଦୁଇଟା ବେଳକୁ ପଙ୍ଗତ ପଡ଼ିଲା । ମୂଳରୁ ଆରତି ଛୁଆମାନଙ୍କୁ କ୍ଷୀର ଓ ମୁଢ଼ି ବାଣ୍ଟିଥିଲା । ଖାଇସାରିଲା ପରେ ଲୋକଙ୍କର ହାଉଳି ଜାଉଳି ଟିକିଏ କମିଗଲା । ସଭ୍ୟଙ୍କ ପ୍ରତି ଗ୍ରାମବାସୀଙ୍କର କୃତଜ୍ଞତା ସୀମାନଥିଲା ।

 

ସନ୍ଧ୍ୟା ସରିକି ବଢ଼ିପାଣି କମିବାରେ ଲାଗିଲା । ରାତି ପାଇଁ ଖାଦ୍ୟ ଅଛି । ଏଥର ଲୋକଙ୍କର ରହିବା ପାଇଁ ବନ୍ଦୋବସ୍ତ ଦରକାର । ଓଦାସରସରରେ କେହି ନିଜ ଘରେ ଅନ୍ତତଃ ତିନିଦିନ ପାଇଁ ରହିପାରିବେ ନାହିଁ । ଅନ୍ୟୂନ ଶହେ ଜଣଙ୍କର ରହିବା ସମସ୍ୟା ବୁଝିବାକୁ ହେବ । କିଛି ସମୟ ପରେ ବଳଭଦ୍ର ସିଂ ମଧ୍ୟ ଟୁଙ୍ଗି ପାଖରେ ପହଞ୍ଚିଲେ ଏବଂ ଲୋକଙ୍କୁ ଆଶ୍ଵାସନା ଦେବାରେ ଲାଗିଲେ । ସ୍ଥିର ହେଲା ଯେ ସିଂ ବାବୁଙ୍କ ଢେଙ୍କିଶାଳ ଓ ବାହାର ଘରେ, ବ୍ରଜର ଦୁଇଟି ବଖରାରେ, ଭାଗବତ ଟୁଙ୍ଗିରେ, ସ୍କୁଲରେ ଏବଂ ଫାର୍ମରେ ଲୋକେ ଖେଳେଇ ହୋଇ ରହିବେ ।

 

ନିର୍ଦ୍ଦିଷ୍ଟ ସ୍ଥାନକୁ ଦଳଦଳ ହୋଇ ଲୋକ ଚାଲିଲେ । ପ୍ରତ୍ୟେକ ସ୍ଥାନ ସଫାହେଲା । ତଳେ ଦରି, ମସିଣା ପଡ଼ିଲା । ବାହାରେ ଚୁଲି ଲାଗିଲା । କେତେଜଣ ଚୁଲି ଚାରିପଟେ ବସି ନିଆଁ ପୁଇଁଲେ । ସିଂ ବାବୁଙ୍କ ସମେତ ଫାର୍ମ ସଭ୍ୟମାନେ ବୁଲି ବୁଲି ଗାଁ ଲୋକଙ୍କୁ ଭରସାଦେଲେ ଯେ ବନ୍ୟା ଫଳରେ ସେମାନଙ୍କ ଜମି ଓ ଘରର ଯାହାକିଛି କ୍ଷତି ଘଟିଛି ତାକୁ ଗାଁ ସାରା ଲୋକ ମିଶି ସଜାଡ଼ି ଦେବେ । ମୋଟେ ଋଣ କରିବାକୁ ପଡ଼ିବ ନାହିଁ । ବରଂ ଭଲ ଭଲ ଘରମାନ ନିର୍ମାଣ କରାଯିବ । ସ୍ଵଚ୍ଛନ୍ଦରେ ଚାଲିବାକୁ ରାସ୍ତା ବାହାରିବ । ଦରକାର ପଡ଼ିଲେ ଏମିତି ସ୍ଥାନରେ ଘର କରାଯିବ, ଯେଉଁଠି ବନ୍ୟା ପାଣି ମାଡ଼ିବ ନାହିଁ ।

 

ରାତି ଦଶଟାବେଳକୁ ସମସ୍ତେ ଟିକିଏ ଗଡ଼ପଡ଼ ହେଲେ । କେତେଜଣ ନିଘୋଡ଼ ନିଦରେ ଶୋଇଲେ । ଆଉ କେତେଜଣଙ୍କ ମନରୁ ବନ୍ୟାର କରାଳ ମୂର୍ତ୍ତି ଓ ପାଣିର ରକ୍ତମୁଖା ଦୃଶ୍ୟ ପୋଛି ହୋଇପାରୁନଥିଲା । ତା’ସାଙ୍ଗକୁ ପେଟପାଟଣା କଥା ବି । ସବୁ ଧାନଗଛ ଗଲା । ପୁଣିଥରେ ଋଣ ଆଣି ଭାସିଯାଇଥିବା ଧାନଗଛ ସ୍ଥାନରେ ନୂଆ ପଲା ରୁଆଯିବ । ନୂଆ ଘର କରିବାକୁ ହେବ । ଏମିତି କେତେ କ’ଣ । ଭାବିଲାବେଳକୁ ଅନ୍ତ ଦୁହିଁ ହୋଇଯାଉଛି । ଆଉ ନିଦ ନା ଫିଦ ? ଏଣେ ରାତିସାରା ଚାରୋଟି ଲଣ୍ଠନ ଲଗାଇ ଆଲୋଚନାରେ ରତ ଥିଲେ ମାଙ୍ଗତା ମାଝି ଓ କେତେଜଣ ଫାର୍ମ ସଭ୍ୟ ।

 

ସିଂ ବାବୁ ମଧ୍ୟ ରାତିଅଧ ଯାଏଁ ବସିଥିଲେ । ଅନେକ ସମୟ ଆଲୋଚନା କରି ନୂତନ ଗୃହ ନିର୍ମାଣ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ପରିକଳ୍ପନାକୁ ରୂପ ଦିଆଗଲା । ଆସନ୍ତାକାଲିଠୁ ଭାଙ୍ଗିଯାଇଥିବା ଗୃହଗୁଡ଼ିକ ନୂଆରେ ନିର୍ମାଣ କରିବାକୁ ହେବ । ଅର୍ଥ ଅଭାବରୁ ପକ୍କା ଘର ହୋଇପାରିବ ନାହିଁ । କିନ୍ତୁ ଯେଉଁ ଘର ନୂଆରେ ତୟାର ହେବ ସେଗୁଡ଼ିକ ମାଟି କାଦୁଅରେ ଗଢ଼ାହେଲେ ବି ମଜଭୁତ କରାଯିବ । ଅନ୍ୟୂନ ଦୁଇ ବଖରା ଓ ଝରକା ଦ୍ୱାରବନ୍ଧ ରହିବ । ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନେ ମିଳିତ ଭାବେ ଦେବର ନିର୍ଦ୍ଦେଶ ଅନୁଯାୟୀ କାମ କରିବେ-

 

ଫାର୍ମର ବିସ୍ତର କ୍ଷତି ଘଟିଥିଲା । କଦଳୀ, ଅମୃତଭଣ୍ଡା ବଗିଚା ତ ଲଣ୍ଡା ହୋଇଯାଇଥିଲା । ଜମିରେ ବାଲି ଚରିଥିଲା ଏବଂ ଫଳ ବଗିଚାର ଅନେକ ଗଛ ଭାଙ୍ଗି ଯାଇଥିଲା । ମାଛ ପୋଖରୀର ଅବସ୍ଥା ମଧ୍ୟ ଖରାପ । ତେଣୁ ଦେବ ଓ ବ୍ରଜକୁ ଛାଡ଼ି ଅନ୍ୟ ସମସ୍ତେ ଫାର୍ମ ସଜାଡ଼ିବାରେ ଲାଗିଲେ ।

 

ତା’ ଆରଦିନଠୁ ଦେବ ଓ ବ୍ରଜକୁ ନେଇ ଗାଁଟାସାରା ନିର୍ମାଣ କାମରେ ନାଚିଉଠିଲା । ଦଳଦଳ ହୋଇ ଲୋକେ ଚାଲିଲେ ନିକଟସ୍ଥ ଜଙ୍ଗଲକୁ ଶକ୍ତ ବହ୍ଲା ଓ ବଡ଼ ବଡ଼ ଘାସ କାଟି ଆଣିବାକୁ । ଚାଲିଲା ଗାତ ଖୋଳା, ମାଟି ଚକଟା, ପୁନାଦି ପକା, ବଡ଼ ବଡ଼ ଶକ୍ତ ବହ୍ଲାର ଖମ୍ବ ପୋତା । ଗୋଟିଏ ଉଚ୍ଚା ଜମିରେ ପନ୍ଦରଟି ଘର କରିବାକୁ ଦେବ ଭୂଇଁରେ ରେଖାମାନ ଟାଣିଦେଇଛି । ଭୂମି ଉପରେ କିଳା ପୋତି ସେଥିରେ ଦଉଡ଼ି ବାନ୍ଧି ଛକମାନ କରାହୋଇଛି । ଦେବର ନିର୍ଦ୍ଦେଶମତେ କାମ ଚାଲିଛି । ଅନେକପ୍ରକାର କାମ ସେ ଲୋକଙ୍କୁ ବୁଝାଉଛି । ଘର କରିବାକୁ ହେଲେ ଏତେ କଥା ଜାଣିବାକୁ ହୁଏ ବୋଲି କାହାର ଧାରଣାନଥିଲା । କେଉଁଠି କାଠ କରତ ହେଉଛି, କେଉଁଠି କାଠ ଭିନ୍ନ ଭିନ୍ନ ମାପରେ କଟାହେଉଛି, ଘରୁ ପାଣି ନିଷ୍କାସନ ପାଇଁ ନାଳ କଟାଯାଉଛି, କଣ୍ଟାରେ ଢୋ ଢା ବାଡ଼ିଆ ହେଉଛି । ସ୍ତ୍ରୀମାନେ ମଧ୍ୟ ଗୋଡ଼ରେ ମାଟି ଚକଟି କାନ୍ଥ ଟେକୁଛନ୍ତି । ତସଲା ତସଲା ଗୋବରରେ କାନ୍ଥର ପଲସ୍ତରା ପଡ଼ୁଛି ।

 

ଆଗରୁ ତ ଗାଁ ଲୋକେ ନିପଟ ଅଳସୁଆ ଥିଲେ । କିନ୍ତୁ ଏବେ, ଉତ୍ସାହରେ ବେଶି କାମ କରି ମଧ୍ୟ ଦେହର ଜୋର କମୁନାହିଁ । ପୁଞ୍ଜାଏ ଲୋକ ଏକାଠି କାମ କଲେ ବଡ଼ ବଡ଼ କାର୍ଯ୍ୟ ସହଜ ସରଳ ହୋଇଯାଉଛି । ଆନନ୍ଦ ଆସୁଛି । ତା’ସଙ୍ଗକୁ ସକାଳୁ ରାତିଯାଏଁ ଦେବ ପାଖରେ ପାଖରେ ରହି କାହାକୁ ଟିକିଏ ସମୟ ନଷ୍ଟ କରିବାକୁ ଦେଉନାହିଁ ।

 

ମାସକ ଭିତରେ ପନ୍ଦରଟା ଘର ଉଠିଗଲା । ଘର ଶେଷ ହେବାଯାଏଁ ଲୋକେ ଭାବିପାରୁନଥିଲେ କ’ଣ ସେମାନେ କରୁଛନ୍ତି । ଯାହା କରୁଛନ୍ତି ତାକୁ ଆଖି ପୂରାଇ ଦେଖିବାକୁ ମଧ୍ୟ ସମୟ ନାହିଁ । ଶେଷରେ ସେମାନେ ନିଜ ଘରକୁ ଭଲ କରି ସେଦିନ ଦେଖିବାକୁ ଦୁଆର ମୁହଁରେ ଛିଡ଼ା ହେଲେ, ଯେଉଁଦିନ ସ୍ତ୍ରୀମାନେ କାନ୍ଥରେ ଗୋବର ଓ ରଙ୍ଗମାଟି ଲିପି ସାରିଲେ । ଏ ତ ସହରିଆ ଲୋକଙ୍କର ଉଆସ ପରି ଦେଖାଯାଉଛି । ଦୁଇ ବଖୁରିଆ । ଆଗରେ ବସିବାପାଇଁ ଓ ପଛରେ ଖାଇବା ପିଇବାପାଇଁ ପିଣ୍ଡା । ଜିନିଷ ରଖିବାପାଇଁ କାନ୍ଥରେ କାଠର ଘର । ରାନ୍ଧିବା ଓ ଜିନିଷ ରଖିବାକୁ ଗୋଟିଏ ବଖରା । ଅନ୍ୟଟି ଶୋଇବା ଘର । ଲିପା ପୋଛା ଚିକ୍‌କଣ କାନ୍ଥଗୁଡ଼ିକରେ ଚାଲିଲା କେତେଦିନ ଝୁଟିଦିଆ । ପଶୁ, ପକ୍ଷୀ, ଫୁଲ, ଫଳର ଚିତ୍ର । ଆଗର ଘରଠୁ ଏ ଘରେ ରହିବାକୁ ମନ ସତେକି ଉଲ୍ଲାସ ଲାଗୁଛି । ଦିନର କାମ ପରେ ଖାଲି ଘର ମନେପଡ଼ୁଛି ।

 

ଯେଉଁମାନେ ଗ୍ରାମବାସୀଙ୍କ ଦୁର୍ଦ୍ଦିନରେ ନିଜକୁ ଦୂରେଇ ରଖୁଥିଲେ ଓ ଅନ୍ୟମାନଙ୍କ କାମକୁ ପରିହାସ କରୁଥିଲେ ସଂପୂର୍ଣ୍ଣ ଘରଗୁଡ଼ିକୁ ଦେଖି କାବ୍‌ବା ହୋଇ ମୁଣ୍ଡ ରାମ୍ପୁଡ଼ିଲେ । ନିଜେ ଏମିତି ଘରଟିଏ କରିବା ସାତ ସପନ, ଅସମ୍ଭବ । କିନ୍ତୁ ପାଞ୍ଚ ପନ୍ଦରର ସହଯୋଗଦ୍ୱାରା ଏଡ଼େ ବଡ଼ କାମ କି ଅନାୟାସରେ ହୋଇଗଲା !

 

କେବଳ ସହଯୋଗ କିମ୍ବା ଘାସ କଟାପରି ପରିଶ୍ରମ କରି ଲାଭ ନାହିଁ । ଆଗରୁ ଭାବିଚିନ୍ତି, ଯୋଜନା କରି, ଉଦ୍ୟମକୁ ବୈଜ୍ଞାନିକ ପଦ୍ଧତିରେ ଓ ଉପଯୁକ୍ତ ମାର୍ଗରେ ଚାଳିତ କଲେଯାଇ ସୁଫଳ ମିଳିବ । ସେଇ ମାର୍ଗ ଜାଣିବାକୁ ତ ଶିକ୍ଷା ଓ ବୈଷୟିକ ତାଲିମ ।

 

ଏଥର ଦରଭଙ୍ଗା ଘରେ ଦିନ କାଟୁଥିବା ଲୋକେ ନୂଆ ଘର ପାଇଁ ଦେବକୁ ଖୋସାମତ କଲେ । ଦେବ କିନ୍ତୁ କହେ–“ତୁମର ତ ଚଳିଯାଉଛି, ନୂଆ ଘର ପାଇଁ ବାଇ ହେଉଛ କାହିଁକି ? ନଈବଢ଼ିରେ ଚାଷ ନଷ୍ଟ ହୋଇଛି । ଆଉ ବି ବର୍ଷାର ଆଶା ନାହିଁ । ଖାଦ୍ୟ ଉତ୍ପାଦନ ନ ହେଲେ ଦୁଃଖ ବଳିଯିବ । ତେଣୁ ଏବେଠୁ ଯୋର୍‌ସୋର୍‌ରେ ଚାଷରେ ଲାଗ । କୂଅ ଖୋଳି ଗଛକୁ ପାଣି ଯୋଗାଅ । ଚାଷ ପରେ ନୂଆ ଘର କରିବ ।”

 

କୋଡ଼ିଏ

 

ନରେଶର ବାହାଘର ମାତ୍ର ଦଶଦିନ ରହିଲା ।

 

ବିବାହ କାର୍ଯ୍ୟରେ ସାହାଯ୍ୟପାଇଁ ନରେଶ ବାପାଙ୍କ ନିକଟକୁ ଫାର୍ମ ତରଫରୁ ତିନି ହଜାର ଟଙ୍କା ପଠାଯାଇଛି । କାଲି ସକାଳୁ ନରେଶ କ୍ୟାପିଟାଲ ଉଦ୍ଦେଶ୍ୟରେ ବାହାରିବ । ତା’ ସହିତ ଯିବେ ବିଜିବୋଉ ଓ ଜାନି । ବିଭା ଦେଖା ସହିତ ଜାନିର କ୍ୟାପିଟାଲ ଦେଖା ବି ହୋଇଯିବ-

 

ସେଦିନ ସନ୍ଧ୍ୟାରେ ନରେଶକୁ ସମସ୍ତେ ଘେରି ରହି ଗୋଟିଏ ସରଗରମ ଆଲୋଚନା ଚଳାଇଥିଲେ । ବିଜୟ ବୋଉ କହିଲେ–“ବୋହୂ ପାଇଁ ଅନ୍ତତଃ ଗୋଟିଏ ସୁନା ହାର, ଚାରିପଟ ସୁନା ଚୁଡ଼ି, ଆଉ ଗୋଟିଏ ମଥାମଣି ଦେବାକୁ ହେବ । ତାଙ୍କ ଘରେ ଅଳଙ୍କାର ଗଢ଼ିଥିବେ ସତ କିନ୍ତୁ ଆମ ତରଫରୁ ଏତକ ଦେବା ଉଚିତ ।”

 

ବ୍ରଜ ପଦେ ଯୋଡ଼ିଲା, “ଖାଲି ସୁନ୍ଦର ଦିଶିବା କଥା ନୁହେଁ ଯେ ଏଣିକି ଯେଉଁମାନେ ବାହାହେବେ ସେମାନେ ମଧ୍ୟ ଏତିକି ପାଇବେ ।”

 

ବିଜୟ କହିଲା, “ମୋର ଗୋଟିଏ ଛୋଟିଆ ସଜେସନ୍ ଅଛି । ଦାଟ୍ ଇଜ୍‌, ନରେଶ ସସ୍ତ୍ରୀକ ଏଠାକୁ ଆସିଲା ପରେ, ଉଭୟେ ଆମକୁ ଭୋଜି ଦେଇ ଆଶୀର୍ବାଦ ସଂଗ୍ରହ କରିବେ ।”

 

ଦେବ କହିଲା, “ଠିକ୍ ଏମିତି କେନ୍ଦୁପଦର ଗାଁଟା ସାରା ଶୁଣାଯାଉଛି । ତେଣୁ ମୁଁ ଭାବୁଛି ନରେଶ ବାହାହୋଇ ଆସିଲା ପରେ ଏଠି ଗୋଟିଏ ଚୋସ୍ତ ଭୋଜି କରିବା । ଗାଁର ସମସ୍ତ ଲୋକଙ୍କୁ ଡାକିବା ।”

 

ରବି କିନ୍ତୁ ଅନ୍ୟମନସ୍କ ଥାଏ । ଏପଟସେପଟ ହେଉଛି, ଘରୁ ବାରଣ୍ଡାକୁ, ବାରଣ୍ଡାରୁ ଘରକୁ । ହଠାତ୍ ସେ ଉଦ୍‌ବିଗ୍ନ ସ୍ଵରରେ କହିଲା, “ତୁମେମାନେ କଥାଭାଷା କର, ମୁଁ ଟିକିଏ କେନ୍ଦୁପଦରରୁ ଆସେ । ଫସଲହାନି ବିଷୟରେ ବାଡ଼ିକଣ୍ଟାର ଲୋକେ ମାଙ୍ଗତା ବାବୁଙ୍କ ଘରକୁ ଆସିବେ । ସେ ମତେ ଯିବାପାଇଁ କହିଛନ୍ତି । ଆସିଲାବେଳକୁ ଡେରିହେବ ।”

 

–“ଡେରି ଯଦି ହବ, ଖାଇଦେଇଯାଅ । ଆରତି ଗଲୁ ବାଢ଼ିଦବୁ ।”

 

ରବି ଜାଣିଥିଲା ବିଜିବୋଉ ଆଲୋଚନାର ମୁଖ୍ୟଭାବେ ସେଠୁ ଘୁଞ୍ଚିବେ ନାହିଁ । ଆରତି କେବଳ ବାଢ଼ିବାକୁ ଉଠିବ । ଏମିତି ସରଗରମ ଆଲୋଚନା ଚାଲିଛି ଯେ ବାଡ଼େଇଲେ ବି ଅନ୍ୟମାନେ ଚେଙ୍କିବେନି । ଏମିତି ଗୋଟିଏ ମଉକା ମନେମନେ ଖୋଜୁଥିଲା ରବି ।

 

ରବି ପ୍ୟାଣ୍ଟ ପକେଟରେ ଦୁଇ ଚାରିଥର ହାତମାରିଲା । ସବୁ ଠିକ୍ ଅଛି । ମନେମନେ ମହାଦେବଙ୍କୁ ଆଖିବୁଜି ମୁଣ୍ଡିଆ ମାରିଲା । ଗଭୀର ଉତ୍ତେଜନା ଭିତରେ କମ୍ପି କମ୍ପି ସେ ପହଞ୍ଚିଲା ଯାଇ ରୋଷେଇ ଘରେ । ସେତେବେଳକୁ ଆରତି ବଢ଼ାବଢ଼ି କରିସାରିଛି । ତା’ ମନ ମଧ୍ୟ ଉଚ୍ଛନ୍ନ । କେମିତି ଚଞ୍ଚଳ ବାଢ଼ିଦେଇ ଯିବା କଥା ଶୁଣି । ଠଣ୍ ଠାଣ୍ ଶବ୍ଦ କରି ସେ ରବି ଆଗରେ ରୋଟି ତରକାରୀ ଥୋଇଲା । ତରତର ହୋଇ ଚାଲିଗଲାବେଳେ ରବି ଥରିଲା ଗଳାରେ ଡାକିଲା–“ଆରତି ! ଟିକିଏ ଶୁଣିବ ?”

 

–“ତରକାରୀରେ ଲୁଣ ଭୁଲିଗଲି କି ?”

 

–“ନା ନା । ଲୁଣ ଆମ୍ବୁଲ କଥା ନୁହେଁ । ବରଂ ଗୋଟିଏ ମଜା ସିକ୍ରେଟ କଥା ତୁମକୁ କହିବାର ଥିଲା । ଟିକିଏ ଏପଟେ ଆସିବ କି ଦୟାକରି ?”

 

ବାହାରିଲା ଏଥର ଫାଜିଲାମି ବାନ୍ଦରମୁହାଁର ।

 

ବୋଧହୁଏ ଆରତିର ଏଇ ମନକଥାକୁ ରବି ମଧ୍ୟ ଜାଣିପାରିଲା ।

 

–“ମତେ ଭୁଲବୁଝିଲ କି ? ଫର୍ ଗଡ଼୍‌ସ୍ ସେକ୍, କିଛି ହେଲେ ଅବାନ୍ତର କଥା କହିବିନି-। ଏଇ ଦେଖ କାନ ଧରୁଛି ।”

 

ସତକୁସତ ତରକାରୀ ସାଲୁବାଲୁ ହାତରେ ରବି ନିଜର କାନ ଧରିଲା । ଆରତି ନ ହସି ରହିପାରିଲା ନାହିଁ ।

 

ରବି କିନ୍ତୁ ଗମ୍ଭୀର ହୋଇ କହିଲା–“ଆମ ଭିତରୁ ଜଣେ ବନ୍ଧୁଙ୍କ ବିଷୟରେ ଗୋଟିଏ ଚାଞ୍ଚଲ୍ୟକର ମଜା କଥା ତୁମକୁ କହିବାର ଅଛି । ଘଟଣାଟା ବଡ଼ ସିରିଏସ୍ ମଧ୍ୟ ଶୁଣ ।”

 

ଟିକିଏ ନିରବତା । ଆରତି ଆଗକୁ ଯାଇପାରୁନି କି ପଛକୁ ଫେରିପାରୁ ନାହିଁ । ଏରୁଣ୍ଡି ପାଖରେ ସେମିତି ଛିଡ଼ାହୋଇଛି, ଆଗରେ ସମବେତ ହର୍ଷ, ପଛରେ ଚାଞ୍ଚଲ୍ୟ ।

 

ରବି ଜମେଇ କଥା ଆରମ୍ଭ କରିଦେଲାଣି–“ତୁମେ ଜାଣ ମୁଁ ବି. ଏ.ରେ ମନସ୍ତତ୍ତ୍ୱ ବି ପଢ଼ୁଥିଲି । ମୁଁ ଏପରି ଏକ ପ୍ରେମକାହାଣୀ ତୁମ ଆଗରେ ଥୋଇବି ଯେଉଁଥିରେ ନାରୀର ମନସ୍ତତ୍ତ୍ୱ ହିଁ ଦରକାର ।” ଆରତି କଥା ଶୁଣିବା ପାଇଁ ରବିଆଡ଼କୁ ଦି ପାହୁଣ୍ଡ ଆସି ଠିଆହେଲା । ସେ ହର୍ଷଠାରୁ ଚାଞ୍ଚଲ୍ୟକୁ ଭୋଟ୍ ଦେଇଛି ।

 

–“ମୋର କିନ୍ତୁ ଅନୁରୋଧ, ତୁମେ ଆଉକାହାକୁ ଏ କଥା କହିବ ନାହିଁ । ଏଥର ଶୁଣ । କୁନ୍ଦୁଲି ଗାଁର ପୋଷ୍ଟମାଷ୍ଟର ମୋର ଜଣେ ଦୋସ୍ତ । ଆମ ଫାର୍ମର କାହାର କିଛି ଚିଠି ଆସିଲେ ମୋତେ ହିଁ ସେ ଦେଇଥାନ୍ତି । ଆଜି ହଠାତ୍ ଜଣେ ବନ୍ଧୁଙ୍କ ଠିକଣା ତଳେ ଚନ୍ଦ୍ରିକା ନାମ୍ନୀ ଝିଅର ନାମ ଦେଖିଲି । ସଙ୍ଗେ ସଙ୍ଗେ ମୋର ସ୍ମୃତି ଛ’ବର୍ଷ ପଛକୁ ଚାଲିଗଲା । ସେଇ ସ୍ମୃତି ଭିତରେ ମୁଁ ଦେଖିଲି ପି.ୟୁ ପଢ଼ୁଥିବା ଲାବଣ୍ୟମୟୀ ଚନ୍ଦ୍ରିକା ନାଏକ୍, ଏକାଧାରରେ ନର୍ତ୍ତକୀ ଓ ଗାୟିକା । ମୁଁ ତାକୁ ଜାଣେ, ଏପରିକି ତା’ର ହସ୍ତାକ୍ଷର ମଧ୍ୟ । ଆମ ସାହିରେ ସେମାନେ ରହୁଥିଲେ । ଆଭିଜାତ୍ୟରେ ପରିପୃଷ୍ଟ ଚନ୍ଦ୍ରା ଆମ ଫାର୍ମର ଜଣେ ଖ୍ୟାତନାମା ବନ୍ଧୁଙ୍କ ଅନ୍ତରଙ୍ଗ, ଏହା ମୋ ମନର କୌତୂହଳ ଜନ୍ମାଇଲା । ତେଣୁ ଚିଠି ଖୋଲି ପଢ଼ିଲି । ସତକୁସତ ଚନ୍ଦ୍ରା ଚିଠିର ପ୍ରତ୍ୟେକ ଧାଡ଼ି ମତେ ଅଧିକରୁ ଅଧିକ ବିସ୍ମିତ କଲା । ଆମ ଫାର୍ମର ଭବିଷ୍ୟତ ଏହି ପ୍ରେମ ବିଦଗ୍‌ଧ ନାୟକ ନାୟିକାଙ୍କ କାର୍ଯ୍ୟକଳାପ ଉପରେ ନିଶ୍ଚୟ କିଛିଟା ପ୍ରଭାବ ପକାଇବ । ବହୁତ ଭାବିଲି । ଶେଷରେ ସ୍ଥିର କଲି ତୁମେ ସେ ଚିଠି ପଢ଼ିବା ଉଚିତ । ନିଅ, କେଉଁଠି ଲୁଚେଇ ପଢ଼ିବ । ରାତିରେ ଭାବିଚିନ୍ତି ସକାଳେ କହିବ, ଝିଅଟିର ଆନ୍ତରିକତା ଅଛି ନା ନାହିଁ । ମୁଁ ମଧ୍ୟ ମନସ୍ତାତ୍ତ୍ୱିକ ଫର୍ମୁଲା ଲଗେଇ ସ୍ଥିର କରିବି ଆମ ଫାର୍ମ ଉପରେ ଏହାର କି ପ୍ରଭାବ ପଡ଼ିପାରେ । ହଉ ନିଅ ।”

 

ଆରତି ଉତ୍କଣ୍ଠାରେ ଯନ୍ତ୍ର ଭଳି କାମ କଲା । ରବି ପାଖରୁ ଚିଠିଟା ଆଣି ବ୍ଲାଉଜ୍ ତଳ ଗୁମ୍ଫା ଭିତରେ ପୂରେଇଦେଇ ସେ ଛାଟିପିଟି ହୋଇ ଚାଲିଗଲା । ତେଣେ ସରଗରମ ଆଲୋଚନା ଚାଲିଥିଲା । ବାହାହୋଇ ଗାଁକୁ ଆସିଲେ ନରେଶ କେମିତି ରହିବ, ତା’ ପାଇଁ ତୟାର ହେଉଥିବା ଘର କେମିତି ସଜ୍ଜିତ ହେବ, ଫିଷ୍ଟରେ କିଏ କେଉଁ ଦାୟିତ୍ଵ ନେବ ଇତ୍ୟାଦି । ନରେଶ ଲାଜରେ ପାଟି ଫିଟାଉନଥାଏ । ଅଳ୍ପ ଛିଡ଼ାହେଲା ପରେ ଆରତି କାମର ଆଳରେ ନିଜର ଶୋଇବା ବାଖରାକୁ ଯାଇ ଲଥ୍ କିନା ଶେଯରେ ଗଡ଼ିପଡ଼ିଲା ।

 

ଦ୍ୱାରଆଡ଼କୁ ସତର୍କ ଦୃଷ୍ଟି ରଖି ଆରତି ବ୍ଲାଉଜ୍ ଭିତରୁ ଚିଠି ବାହାର କଲା । ଚିଠିଟି ଦେଖୁ ଦେଖୁ ଆଶ୍ଚର୍ଯ୍ୟରେ ତା’ର ଆଖି ଦୁଇଟି ତାଳୁ ଉପରକୁ ଉଠିଗଲା । କ’ଣ ସେ ଦେଖୁଛି ? ଲଫାପା ଉପରେ ବିଜୟର ନାମ ଯେ ! ବା କୋଣରେ ଗୋଲ ଗୋଲ ଅତି ଛୋଟ ଅକ୍ଷରରେ–ଚନ୍ଦ୍ରିକା । ତା’ ସହିତ ଜୟନ୍ତୀନଗର ଓ କୁନ୍ଦୁଲି ଗାଁର ଷ୍ଟାମ୍ପ ସ୍ପଷ୍ଟ ବାରି ହେଉଛି ।

 

ବେଶି ଭାବିବାକୁ ଇଚ୍ଛାଥିଲା କିନ୍ତୁ ସମୟନଥିଲା । ଲଫାପା ଖୋଲିହେଲା । ସୁନେଲି ଲଫାପା ଭିତରେ ନୀଳ ରଙ୍ଗର ଖଣ୍ଡେ କାଗଜ । ବାଁ କଡ଼ରେ ନାଲି ଟହ ଟହ ଟିକି ଗୋଲାପଟିଏ । ଫୁଲ ତଳେ ଫୁଲ କୁଣ୍ଡ ଆକୃତିରେ ଫରଗେଟ୍ ମି ନଟ୍ । ଏ ଲୋ ମା ! ଚିଠିରୁ ପୁଣି ଅତର ବାସନା-? ଏ ତ ବଡ଼ ଆଚମ୍ବିତ କଥାରେ ବାପା ! ଆରତି ଚିଠି ଉପରେ ଦୁଇ ଚାରିଥର ନାକ ଘୋଷିତ । ସେମିତି ଘଷୁ ଘଷୁ ଆଖି ଦୁଇଟି ଚିଠି ଉପରେ ସ୍ଥିର ହୋଇଗଲା ।

 

ପ୍ରିୟତମ,

 

ମୁଁହରେ ରଙ୍ଗ ବୋଳି, ପାଟିରେ ପୀରତିର ଗୀତ ଗାଇ, ସପନ ରାଇଜରେ ବୁଡ଼ି ରହିଲେ କିମ୍ବା ଆବେଗରେ ଭାସିଗଲେ ପ୍ରେମ ପୂର୍ଣ୍ଣ ହୁଏ ନାହିଁ । ହାତରେ ପରଶ, ଦେହର ସ୍ପର୍ଶ, ଉଷ୍ମ ନିଃଶ୍ୱାସର ପ୍ରଲେପ ମଧ୍ୟ ମନ ଚାହେଁ ।

 

ତମଲାଗି କେତେ ଗୀତ ଗାଇଲି, ମନର କେତେ କଥା ଗପିଲି, ଅହରହ ନାଚିଲି, କିନ୍ତୁ କ’ଣ ପାଇଲି ତୁମଠୁ ? ଏତେ ଅସମର୍ଥ ମଣିଷ ତମେ ! ହଉ । ସୋମବାରରେ ଆସିବ ।

 

ତୁମର,

ଚନ୍ଦ୍ରା

 

ଇହି ! କି ଅଶ୍ଲୀଳ । –ମନେମନେ ଭାବିଲା ଆରତି ।

 

ତେଣେ ରବି ଖାଇସାରି ବାରଣ୍ଡାରେ ଆସି ଛିଡ଼ା ହୋଇଥିଲା । ଚିଠିଟାକୁ ଦେଇଦେବା ପାଇଁ ସେ ଫିସ୍ ଫିସ୍ କରି କହିଲା । ତରତର ହୋଇ ଆରତି ଚିଠିଟାକୁ ବଢ଼େଇ ଦେଇ ପଶିଗଲା ଆଲୋଚନା ଗୃହରେ । ଚାରିଆଡ଼ୁ ତାକୁ ଭାଁ ଭାଁ ଶୁଭୁଥାଏ ।

 

ଚିଠିଠାରୁ ବଳି ଆହୁରି ବିସ୍ମୟକର ପରିସ୍ଥିତି ଆଲୋଚନା ଗୃହରେ ତାକୁ ବାଟ ଚାହିଁ ରହିଥିଲା । ସମସ୍ତଙ୍କ ମୁହଁରୁ କେତେବେଳଠାରୁ ମରି ସାରିଥିଲା ସରାଗ, ଲିଭିଯାଇଥିଲା ହସ । ହାଣ୍ଡି ପରି ମୁହଁ ଫୁଲେଇ ବସିଥିଲେ ସମସ୍ତେ । ମଝିରେ ମଝିରେ ଫଟା ହାଣ୍ଡିରୁ ପାଣି ଗଳିଲା ପରି ଭୁସ୍ ଭୁସ୍ ହୋଇ କ’ଣ ଦି ପଦ କଥା ଗଳି ପଡ଼ୁଥିଲା ।

 

“କିନ୍ତୁ ନରେଶ ! ତୁମ ଦୁହିଁଙ୍କର ଏଠି କ’ଣ ଅସୁବିଧା ହେବ କହିଲ ? ଆମେ ଜାଣୁ ତୁମ ଭାବି ପତ୍ନୀ ଜଣେ ସୁନିପୁଣା ଡାକ୍ତର । ସର୍ଜେରିରେ ତାଙ୍କର ସୁନାମ ରହିଛି । ହେଲେ ଡାକ୍ତରୀ ବିଦ୍ୟା ତ ମାନବ ସେବାପାଇଁ । ସେଠି ବରଂ ଧନପାଇଁ ଚିକିତ୍ସା କରାଯାଏ । ଏଠି କିନ୍ତୁ ଅସହାୟ ଦରିଦ୍ର ଲୋକଙ୍କ ସେବା କଲେ ତୁମେ ଅଧିକ ମାନସିକ ଶାନ୍ତି ଓ ଆନନ୍ଦ ପାଇବ । ଧନଠାରୁ ମନ ବଡ଼ ନୁହେଁ କି ? ଆଉ ଯଦି ତୁମେ ସହରର ଆଡ଼ମ୍ବର ଚାହୁଁଛ ତେବେ ବର୍ଷରେ ମାସେ ଦୁଇ ମାସ କୌଣସି ଏକ ବୃହତ୍ ସହରରେ କଟେଇପାରିବ । ଏଠି ମଧ୍ୟ ତୁମ ପାଇଁ ଗୋଟିଏ ମଡ଼ର୍ଣ୍ଣ ଘର ତୟାର କରିପାରିବ । କିଛି ଅସୁବିଧା ନାହିଁ । ତେଣୁ ଆମ କଥା ଶୁଣ । ଫାର୍ମ ଛାଡ଼ି ଚାଲିଯାଅନା । ଆମେ ଏବଂ ଗ୍ରାମବାସୀମାନେ ତୁମଠି କେତେ ଆଶାରଖିଛୁ । ବର୍ତ୍ତମାନ ଯାହା ଜଣାପଡ଼ୁଛି ବନ୍ୟା ପରେ ଦୁର୍ଭିକ୍ଷ ଏ ଗାଁକୁ ମାଡ଼ିବସିବ । ସେତେବେଳେ ତୁମର ଅନୁପସ୍ଥିତି ବଡ଼ ଦୁଃସହ ହୋଇପଡ଼ିବ-।”

 

ପ୍ରଥମେ କିଛି ବୁଝିପାରୁନଥିଲା ଆରତି । କିନ୍ତୁ ନରେଶ ସବୁଦିନ ପାଇଁ ଫାର୍ମ ଛାଡ଼ି ଚାଲିଯାଉଥିବା ଶୁଣି ସେ ଚମକିପଡ଼ିଲା ।

 

ନରେଶ ନିର୍ଲିପ୍ତଭାବେ ଉତ୍ତର ଦେଲା–“ଆପଣମାନେ ଗୋଟିଏ କଥା ମନେରଖନ୍ତୁ ଯେ, ମୋର ପ୍ରଫେସନ୍‌ ହେଲା ଡାକ୍ତରୀ । ପ୍ରୟୋଗାତ୍ମକ ବିଦ୍ୟାରେ ମୁଁ ଜଣେ ବିଜ୍ଞାନୀ । ମୋର ସର୍ବପ୍ରଥମ କର୍ତ୍ତବ୍ୟ ହେଲା ମୋ ପ୍ରଫେସନ୍‍ର ମାନ ବୃଦ୍ଧି, ବିଜ୍ଞାନର ଅଭିବୃଦ୍ଧି ଏବଂ ସେଇ ସୂତ୍ରରୁ ମଣିଷର ସେବା । ବିଦେଶରେ ମଣିଷ ଯେତେବେଳେ ନୂଆ ହୃତ୍‌ପିଣ୍ଡ ରୋପଣ କରିସାରିଲାଣି, ମୋର ସାଧନା ଏଠି କେବଳ ସାମାନ୍ୟ କେତୋଟି ମିକ୍‌ସଚର୍ ତିଆରିରେ ସୀମିତ ରହିବ ? ଆପଣ ଶିକ୍ଷିତ ଲୋକ । ନିଜେ କୁହନ୍ତୁ ଏମ୍ ଆଇ ଗେଟିଂ ପ୍ରଫେଶନାଲ୍ ସେଟିଶ୍‌ଫେକ୍‌ସନ୍‌ ହିଆର-? ଅବିବାହିତ ବେଳେ ମୋର ଜଣେ ବ୍ୟକ୍ତିର କଥାକୁ ବାଦ୍‌ ଦିଆଯାଇପାରେ କିନ୍ତୁ ଏବେ ସେପରି ତ କଦାପି ହୋଇପାରିବନାହିଁ । ଅର୍ଚ୍ଚନାର ସବ୍‌ଜେକ୍ଟ ସର୍ଜେରୀ । ଗୋଟିଏ ବଡ଼ ସହରର କଲେଜ ହାସ୍‌ପିଟାଲରେ ଭଲ ନାଁ କରିଛି । ସେ ଏଠାକୁ ଆସି କେତୋଟି ମିକ୍‌ସଚର୍ ପ୍ରସ୍ତୁତିରେ ତା’ର ଭବିଷ୍ୟତ ନଷ୍ଟ କରିବ ? ଏପରି କରିବାଦ୍ୱାରା ତା’ର ବ୍ୟକ୍ତିତ୍ଵ ଓ ତା’ର ମନକୁ ହତ୍ୟା କରାଗଲା ବୋଲି ବୁଝାଯିବ ନାହିଁ ? ଦେଶ ଓ ଜାତି ତା’ର ମହାନୀୟ ସେବାରୁ ବଞ୍ଚିତ ହେଲାନି ?”

 

ନରେଶର ଯୁକ୍ତିରେ ସମସ୍ତଙ୍କ ମନରେ ବେଳେବେଳେ ଗ୍ରାମୋନ୍ନତି ବିଷୟକ ପ୍ରଶ୍ନମାନ ଆପେ ମଉଳିଯାଉଛି, ଆପେ ଲିଭିଯାଉଛି ।

 

–“ତେବେ ମୁଁ ଏତେଶୀଘ୍ର ବିଦାୟ ନେଉନାହିଁ । ବିବାଦ ପରେ ଦୁଇମାସ ଖଣ୍ଡେ ଏଠି ଦୁହେଁ ରହିବୁ ।”

 

ରାତି ଦଶ ବାଜିଲାଣି । ଭୋଜନ ବିଷୟ ସମସ୍ତେ ଭୁଲିଯାଇଛନ୍ତି । ନରେଶର ଯୁକ୍ତିରେ ପେଟ ପୂରିଉଠୁଛି ।

 

–“ଉଠ ଏଥର । ରାତିଅଧ ହେଲାଣି । ଖାଇବା ଚାଲ ।” ବିଜିବୋଉ ଶେଷରେ ସମସ୍ତଙ୍କୁ ତଡ଼ିଲେ ।

 

ସେଦିନ ଖାଇବା ଭଲଲାଗିଲା ନାହିଁ । ନୀରବରେ ସମସ୍ତେ ଖାଇବା ପର୍ବ ଶେଷ କଲେ-। ନରେଶ ମୁହଁପୋତି ବସିଥିଲା । ଅନ୍ୟମାନେ ମଝିରେ ମଝିରେ ତା’ଉପରେ ବାଙ୍କ ଚାହାଣି ହାଣୁଥିଲେ ।

 

ଆରତି ଖାଲି ଭାବୁଥିଲା ଚିଠି କଥା । ଦି ଗୁଣ୍ଡା ଭାତ ଗିଳିଦେଇ, ଜଲ୍‌ଦି ଜଲ୍‌ଦି କାମ ସାରି ସେ ଶେଯରେ ପଡ଼ିଲା । ଭାବିଲା–ଆଜି ସବୁ ନୂଆ କଥା ଦେଖିବାକୁ ଶୁଣିବାକୁ ମିଳୁଛି । କିନ୍ତୁ ଏଟା କିମିତି ବିଶ୍ୱାସ କରିହେବ ଯେ, କେହିଜଣେ ବାଳିକା ବିଜୟକୁ ପ୍ରେମ କରିପାରେ କିମ୍ବା ବିଜୟ ପ୍ରେମ କରିବା ଜାଣେ ? ୟେ ନିଶ୍ଚୟ ରବିର ଫିସାଦି । ସେଦିନ ବିଜିବୋଉ ଓ ବାପା କଥାବାର୍ତ୍ତାରେ ଠିକ୍ କରିଛନ୍ତି ଯେ ଆରତିର ବିବାହ ବିଜୟ ସହିତ ହେବ । ବୋଧହୁଏ ରବି ସେଦିନ ଏହି ଗୁପ୍ତ ଆଲୋଚନା ଶୁଣିପାରିଛି । ତେଣୁ ରବି ଚକ୍ରାନ୍ତ କରୁଛି ।

 

ମନ କିନ୍ତୁ ବୁଝୁନି । ବୁଝେଇଲେ ବି ଥୟଧରୁନି । ରବିର ଏଥିରେ ଲାଭ କ’ ଣ ? ନିଜ ମୁହଁକୁ କ’ ଣ ସେ କେବେ ଦେଖୁନି ? ଦେଖୁଥିବ, ତେଣୁ କେବଳ କମେଣ୍ଟ୍ ପାସ୍ କରିବା ଛଡ଼ା କେବେ ସେ ପ୍ରେମ ନିବେଦନ କରିନାହିଁ ।

 

ହଉ ହେଲା ଏବେ । ଯଦି ସତରେ ଚନ୍ଦ୍ରିକା ବୋଲି ଗୋଟିଏ ଝିଅ ଥାଏ, ଯଦି ସତରେ ଏ ଦୁହେଁ ପୀରତିରେ ବନ୍ଧା, ତେବେ ବିଜୟ ତ ନିଶ୍ଚୟ ଉତ୍ତର ଦେବ, ସୋମବାରେ ଜୟନ୍ତୀନଗର ଯିବ । ସେଇଠୁ ଧରାପଡ଼ିଯିବ ରବିର ସତିଆପଣ । କଳାମୁହାଁ ରବିର ମାଢ଼ି ବିକଶିତ ହାସ୍ୟ ଛଟାର ଦୃଶ୍ୟ ଆରତିକୁ ହସେଇଦେଲା । କଳା ସାଲୁବାଲୁ ରାତିରେ ଆରତି ନିଜେ ନିଜର ହସକୁ ଯେପରି ଦେଖିପାରୁଥିଲା ।

 

କିନ୍ତୁ ସେ ହସ ବେଶିଦିନ ରହିଲାନି । ଠିକ୍ ଦୁଇଦିନ ପରେ ଚନ୍ଦ୍ରିକାକୁ ବିଜୟର ଉତ୍ତର ରବି ତା’ହାତରେ ଦେଇଗଲା । ବିଜିଭାଇ ଲେଖିଛନ୍ତି–

 

ଯା ହଉ, ମୁଁ ଶେଷରେ ଅଥର୍ବ ଭୋଳାନାଥର ଉପାଧିରେ ଭୂଷିତ ହେଲି । ମୋର ବଡ଼ ସୌଭାଗ୍ୟ । କିନ୍ତୁ ଚନ୍ଦ୍ରା, ତୁମେ ଥରେ ମୋ ଭିତରଟା ଦେଖ । ଶକ୍ତି ଥିଲେ ଅବା ଛାତି ଚିରି ଦେଖାଇଦିଅନ୍ତି କାହାକୁ ମୁଁ ମୋର ହୃଦୟ ମନ୍ଦିର ଭିତରେ ଦିବାରାତ୍ରି ପୂଜା କରୁଛି । କାହାର ପାଦତଳେ ଅର୍ଚ୍ଚନା କରୁଛି । ସେଇ ତ ତୁମେ ଚନ୍ଦ୍ରିକା । ତୁମେ ଜାଣ, କିଏ ମୋ ଦେହରୁ କ୍ଲାନ୍ତି ଓ ମନରୁ ବିଷାଦ ଦୂର କରେ, କିଏ ଆଣିଦିଏ ମୋ ମନରେ ଆଶ୍ଵାସନା ଓ ବିଶ୍ୱାସ ? ସେଇ ତ ତୁମ ପାଦର ଝୁଣୁ ଝୁଣୁ ଧ୍ଵନି, ତୁମ ତୁଣ୍ଡରୁ ଭାସିଆସୁଥିବା ଶତ କାକଳିର ସ୍ଵର ମାଧୁରୀ; ତୁମର ନୀଳ ଢଳ ଢଳ ପାହାଡ଼ି ଉପତ୍ୟକାର ତନୁ ।

 

କିନ୍ତୁ ହାତର ପରଶ, ଦେହର ସ୍ପର୍ଶପାଇଁ ଏବେ ବି ମୋର ପୁରୁଷତ୍ଵ ଧିକ୍‌କାର କରୁଛି, ପାରୁନି ବୋଲି । ମୁଁ ତ ଏକୁଟିଆ ନାହିଁ, ମୋ ସହିତ ଅଛନ୍ତି ଅନେକ–ବନ୍ଧୁ, ବାନ୍ଧବ, ଜ୍ଞାତି, କୁଟୁମ୍ବ । ସହର, ନଗର, ଗାଁଗଣ୍ଡାରେ ସେମାନେ ଭରପୂର । ସେମାନଙ୍କର ଅନୁମୋଦନ ଏକାନ୍ତ ଆବଶ୍ୟକ-। ତେଣୁ ମୋ ପ୍ରାଣର ଚନ୍ଦ୍ରା, ତୁମେ ଆହୁରି ନାଚ, ନୂଆ କିଛି ଗୀତ ଗାଅ, କ୍ଲାନ୍ତ ହୁଅନା-। ତୁମକୁ ପର୍ବତ ତଳର ନନ୍ଦନକାନନ ଭିତରେ ଘର କରି ବାନ୍ଧି ରଖିବା ପୂର୍ବରୁ ସେମାନଙ୍କୁ ଦେଖାଇଦିଅ ତୁମର ଛନ୍ଦମୟ, ଲାସ୍ୟମୟ ଜୀବନଗାଥା ।

 

ତୁମେ ଅଥୟ ହୁଅନା । ସେଦିନ ପାଖେଇଆସୁଛି ।

 

ଚିଠି ଶେଷ ହେଲାବେଳକୁ ଆରତିର ଦେହ ଝାଳରେ ଜୁଡ଼ୁବୁଡ଼ୁ, ମୁଣ୍ଡର ଶିରାପ୍ରଶିରା ଟଣଟାଣ ଏବଂ ଆଖି ଓଦା ହୋଇଗଲାଣି । ସେ ବୋକାଙ୍କପରି ଅକ୍ଷରଗୁଡ଼ାକୁ ଚାହିଁ ରହିଲା । ନା, ନିଶ୍ଚିତ ଭାବରେ ବିଜିଭାଇଙ୍କ ହସ୍ତାକ୍ଷର ।

 

ରବି ପାଖରେ ପହଞ୍ଚିଗଲା–“କ’ଣ ଭାବୁଛ ? ହଉ, ଭଲଭାବେ ଭାବ । ମୋତେ କେବଳ ଦରକାର, ଦୁହିଙ୍କର ପ୍ରେମରେ ଆନ୍ତରିକତା ଅଛି ନା ନାହିଁ । ହେଃ ହେଃ……..ଗତ ରାତିସାରା ଲାଗି ବନ୍ଧୁବର ଲେଖିଛନ୍ତି ଏଇ କେଇ ପଦ । ମୋର ଗୋଇନ୍ଦା ଆଖିରୁ କି ଖସିଯାଏ ସାମାନ୍ୟ ଚିଠିଟା ? ପୋଷ୍ଟିଂ କରିଦେବି ବୋଲି ଛଡ଼େଇ ଆଣିଲି । ବନ୍ଧୁ କାନ୍ଦିବା ଉପରେ । ଖାଲି ଖୋସାମତି କରୁଥାନ୍ତି–କାହାକୁ ଦେଖାଇବନି ରବି, ସିକ୍ରେଟ୍ ରଖିବ ।”

 

ଆରତି ନୀରବରେ ଚିଠିଟା ରବି ହାତକୁ ବଢ଼ାଇ ଦେଉଥିଲା । ରବି କହିଲା–“ନା, ତମ ପାଖରେ ଆଉ କେଇ ଘଣ୍ଟା ରହୁ । ଆଉଥରେ ପରୀକ୍ଷା କରିବା । ଲଞ୍ଚ୍ ପରେ ଏକୁଟିଆ ଦେଖି ବିଜୟକୁ ଚିଠି ଦେଖାଇବ । ସେ କ’ଣ କହୁଛି ଦେଖିବା । ତୁମେ ମତେ ଖରାପ ଭାବୁଛ କି ? ମୁଁ କେବଳ ମନସ୍ତତ୍ତ୍ୱ ଗବେଷଣା କରୁଛି ।”

 

ମଧ୍ୟାହ୍ନଭୋଜନ ପରେ ବିଜୟ ୱାର୍କସପ୍ ଆଡ଼କୁ ଅଳ୍ପ ଦୂର ଯାଇଛି, ଆରତି ଦୌଡ଼ିଯାଇ କହିଲା, “ବିଜି ଭାଇ, ସକାଳେ ଅଫିସ୍ ଘରୁ ଏ ଚିଠି ପାଇଛି । ଦେଖିଲ, ଚିଠିଟା ତୁମର ବୋଧହୁଏ-?”

 

ଚିଠିକୁ ଦେଖି ବିଜୟ ସତକୁସତ ଲଜ୍ଜାରେ ଝାଉଁଳିଗଲା । ତା’ର ରାହୁଆ ମୁହଁ ନରମ ହୋଇଗଲା–

 

“ସେଇଟା ମତେ ଦେଇପକା । ରବିକୁ କେତେକରି କହିଥିଲି ସିକ୍ରେଟ୍ ରଖିବାପାଇଁ । କ୍ଵାଇଟ୍ ଇର୍ରେସ୍ପୋନ୍‌ସିବଲ୍ ଫେଲୋ । ଇଡ଼ିୟଟ୍ କାହିଁକା । ତୁ କିନ୍ତୁ କାହାକୁ କହିବୁନି, ଏଁ ।”

 

ରବି କୁଆଡ଼ୁ ଦୌଡ଼ିଆସିଲା । ଅତି ବିନୟରେ ବିଜୟଠାରୁ କ୍ଷମାଭିକ୍ଷା କରି କହିଲା ଯେ, ସେ କୌଣସି କଥା କାହାକୁ କହିନାହିଁ । ତା’ପରେ ଆରତିଠୁ ଚିଠିଟା ଝାମ୍ପିନେଇ ଚମ୍ପଟ ମାରିଲା । ବିଜୟ ହସିଦେଇ ଚାଲିଗଲା । ଆରତି ବି ବେହିଆଙ୍କ ଭଳି ଅଳ୍ପ ହସିଲା । ଆଉ ମାତ୍ର ଦୁଇଦିନ ପରେ ଆରତିର ରହିଯାଇଥିବା ସାମାନ୍ୟ ଅବିଶ୍ଵାସ ଉପରେ ଗୋଇଠେ ପକାଇ ଠିକ୍ ସୋମବାର ସକାଳେ ବିଜୟ ସତକୁସତ ଜୟନ୍ତୀନଗରକୁ ଚାଲିଗଲା । ଗଲାବେଳେ ରବି କଟାଘା’ରେ ଚୂନ ବୋଳିଲା । ଆରତିକୁ ଶୁଣାଇଲା ଭଳି ବିଜୟକୁ ଧୀରେ ଧୀରେ ପଚାରିଲା–“ତୁମ ଚନ୍ଦ୍ରା ସତେ ଭାରୀ ସୁନ୍ଦରୀ । ଗାଏ ଯେମିତି ନାଚେ ସେମିତି । ତା’ର ଅଙ୍ଗଭଙ୍ଗି ମନରୁ ପୋଛିହୁଏନି । ଜୟନ୍ତୀନଗରରେ ବି ତା’ ସହିତ ତୁମର ଦେଖାହେବ ନିଶ୍ଚୟ । କହିବ, ଆମପାଇଁ କିଛି ନୂଆ ଗୀତ ଗାଉ । ନା ତୁମେ ହିଁ ଏକମାତ୍ର ତାକୁ ଆବୋରି ବସିବ ?”

 

–“ହୁସ୍ ! ଡୋଣ୍ଟ୍ ବୋର୍ । ମୁଁ ପ୍ରଥମେ ତାକୁ ବାନ୍ଧି ରଖେ, ତା’ପରେ । କିନ୍ତୁ ସେତକ ହେଉଛି କେତେକେ ? ହଜାରେ ପ୍ରତିବନ୍ଧକ ପରା ।”

 

ଆରତିର ଛାତି କୋରି ହୋଇଗଲା । ବିଜୟପଥରେ ପ୍ରତିବନ୍ଧକ ନହେବାକୁ ସେ ମନେମନେ ସ୍ଥିର କଲା ।

 

ଏକୋଇଶ

 

ବନ୍ୟାର କରାଳ ଦୃଶ୍ୟ ମନରୁ ମରି ମରି ଯାଉଛି । ଫାର୍ମର କ୍ଷତି ତ ଏଇ ଦୁଇ ତିନି ମାସରେ ପୂରଣ ହେବାର ନୁହେଁ । ଭାଙ୍ଗିଯାଇଥିବା ରାସ୍ତା, ଘର, ଜମିର ହିଡ଼ ଇତ୍ୟାଦି ପୁଣିଥରେ ଗଢ଼ାଯାଇଛି । ବାଲି ଚରିଯାଇଥିବା ଜମିଗୁଡ଼ିକୁ ଚାଷୋପଯୋଗୀ କରାଯାଉଛି । ନୂଆ କରି ବୁଣାଯାଉଛି ବିଭିନ୍ନ ଫସଲର ମଞ୍ଜି । ସାରି ସାରି ସବୁଜ ଧାନ ତଳି ରୁଆ ହେଉଛି ।

 

କିନ୍ତୁ ଗ୍ରାମବାସୀଙ୍କ ପାଇଁ ଦୁର୍ଦ୍ଦଶାର ଦିନ ଆସିଯାଇଛି । କିଏ ପଚାରେ ନିଭୃତ ଆଦିବାସୀ ଅଞ୍ଚଳରେ ପାହାଡ଼ିଆ ନଈର ବନ୍ୟାକୁ ? ନେତାମାନେ ଯୋରଦାର ପାଟି ନ କଲେ, ଖବରକାଗଜରେ ବଡ଼ ବଡ଼ ବିବୃତି ନ ଛାପିଲେ ସେ କି ବନ୍ୟା ! ନିଭୃତ ପଲ୍ଲୀର ମଳିମୁଣ୍ଡିଆ ଛେଳି ଜନତା ଦାବି କରି ଜାଣେନା । ସେ ଜାଣେ, ବର୍ଷକ ପରେ ଅଦୃଶ୍ୟ ସରକାରର ହାତ ଲମ୍ବିଯିବ ତା’ ଦୁଆରଯାକେ ରିବିନି ମାହାପୁରୁ ରୂପରେ । ଧନ ତ ଯିବ, ତା’ ଛଡ଼ା କେତେ ଗଣ୍ଡା କୁକୁଡ଼ା, କେତେ ମୁଟ ଅରୁଆ ଚାଉଳ, ହଳଦି, ପାଳୁଅଗୁଣ୍ଡି ଇତ୍ୟାଦି । ଗାଁର ହଳିଆ ବାପୁଡ଼ା ଜାଣେନା, ସେ ଟଙ୍କା ଯାଉଛି ଗୋଟିଏ ସ୍ଥାନରେ ଠୁଳ ହୋଇ ତା’ର ନିଜର ତଥା ସମୂହ ଉନ୍ନତିରେ ଲାଗିବାପାଇଁ । ନିଭୃତ ପଲ୍ଲୀ ଅଞ୍ଚଳରେ ଅଶିକ୍ଷିତ ଲୋକେ ଦେବା ଜାଣନ୍ତି, କିନ୍ତୁ ସଭ୍ୟ ବୋଲାଉଥିବା ଲୋକେ କର ଫାଙ୍କି କେବଳ ନେବା ଜାଣନ୍ତି ।

 

ତେଣୁ କେନ୍ଦୁପଦରର ପ୍ରଳୟଙ୍କାରୀ ବନ୍ୟାରେ କୌଣସି ପ୍ରକାର ସାହାଯ୍ୟ ଯେ ସରକାରଙ୍କଠୁ ଆସିନଥିଲା ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଖବରକାଗଜରେ ବନ୍ୟା ଖବର ବାହାରିଲା ନାହିଁ କି କୌଣସି ନେତା ପାଟି ଫିଟାଇଲେ ନାହିଁ । ବନ୍ୟାର କିଛିଦିନ ପରେ ମାଡ଼ିଆସୁଥିଲା ବର୍ଷାହୀନତାଜନିତ ସାଙ୍ଘାତିକ ଫସଲ ନଷ୍ଟି ।

 

ଗ୍ରାମେ ଗ୍ରାମେ ଦୁଃଖର ହାଉଳି ଜାଉଳି ଫୁଟା ଭାତର ବାମ୍ଫ ପରି ଉଠୁଥିଲା । ବୁଢ଼ା ହଡ଼ାଙ୍କ ମେଳରେ କଥା ଚାଲିଥିଲା–ଗତ ବନ୍ୟାରେ ବର୍ଷକଯାକର ବରଷା ପାଣି ଚନ୍ଦ୍ରାବତୀ ଧୋଇନେଇଗଲା ସମୁଦରକୁ । ଆକାଶରେ ଆଉ ଟୋପାଏ ବି ପାଣି ନାହିଁ । ଗତ ବନ୍ୟାରେ ଫସଲ ଗଲା, ଭୂଇଁରେ ବାଲିଚରିଗଲା । ଦରିଦ୍ର କୃଷକ ମହାଜନ ଗୋଡ଼ତଳେ ପଡ଼ି ଋଣ ଆଣି, ଜମି ସଜାଡ଼ି ଯେଉଁ ପୋଷକ ଧାନ କ୍ଷେତରେ ବୁଣିଥିଲା ସେତେକ ବି ଗଜା ମରୁଡ଼ିରେ ଗଲା । ବରଷଟାଏ କେବେ ଦେଖାନଥିଲା । ନାହିଁନଥିବା ନଈବଢ଼ି, ଶୁଖିଲା ଫାଙ୍କା ଆକାଶ, ଆଁ ମେଲାଇ ପଡ଼ି ରହିଥିବା ଭୂଇଁ, ଫସଲ ହାନି, ଆଉ ତା’ପରେ…….ଦୁର୍ଭିକ୍ଷ । ଦୁର୍ଭିକ୍ଷର ନାଁ ମନେପଡ଼ିଲେ ଛାତି ଚାଇଁ କରେ । ମରଣୋନ୍ମୁଖୀ ଗଡ଼ିଶା ମାଛର ପାଟି ପରି ସେ ପାକୁ ପାକୁ କରେ । ବର୍ଷା ଋତୁ ଶେଷ ହୋଇ ଶୀତ ପଡ଼ିଲାଣି । ରାତିରେ କାକର ପଡ଼ୁଛି । କାକର ବିନ୍ଦୁରେ କି ଚାଷ ହୁଏ ? ନିଶ ପାଣିରେ କି ଶୋଷ ମରେ ? କଥାରେ ଅଛି ପରା ପାଣି ବିହୁନେ ପ୍ରାଣ ନାଶ ।

 

ଅସମ୍ଭାଳ ପୂର୍ବରୁ ଫାର୍ମ ସଭ୍ୟମାନେ କିଛିଟା ପ୍ରତିକାର କରିବାକୁ ଅଣ୍ଟା ଭିଡ଼ିଲେ । ଯେକୌଣସି ପ୍ରକାରେ ପାଣି ଯୋଗାଇବାକୁ ପଡ଼ିବ । ବର୍ତ୍ତମାନ ହିଁ କୂଅ ପୋଖରୀ ଖୋଳା ଆରମ୍ଭ କଲେ କମ୍ ଗଭୀରରୁ ପାଣି ମିଳିପାରିବ । ଗ୍ରୀଷ୍ମ ଆସିଗଲେ ପାତାଳପୁରକୁ ପାଣି ଚାଲିଯିବ । ଗାଁ ଭିତରେ ବି ପିଇବା ପାଣି ଯୋଗାଇବା କୂଅ ଦରକାର । କେତେଦିନ ଦେବ ଓ ବ୍ରଜ ଘର ଘର ବୁଲି ନିଜ ଜମିରେ କୂଅ ଖୋଳି ଚାଷ କରିବାକୁ ବୁଝାଇଲେ । ଲୋକେ କେବଳ ବଲ ବଲ କରି ତାଙ୍କୁ ଚାହିଁଲେ । କାରଣ, ଦୁଇଥର ଫସଲ ହାନି ପରେ ସେମାନଙ୍କର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ଉତ୍ସାହ ଉଦ୍ଦୀପନା ସେମାନଙ୍କ ମୁହଁରୁ ଉଭେଇ ଯାଇଥିଲା ।

 

ସଭ୍ୟମାନେ ଭାବିଲେ, ଉପସ୍ଥିତ ପରିସ୍ଥିତିରେ କୂଅ ଖୋଳି ମଧ୍ୟ ଲାଭ ନାହିଁ । କାରଣ ହେଉଛି ପୁଞ୍ଜିର ଅଭାବ । ସରକାରୀ ସାହାଯ୍ୟ ଉପରେ ହିଁ ନିର୍ଭର କରିବାକୁ ପଡ଼ିବ । ସେ ଦିଗରେ ସଭ୍ୟମାନେ ଧାଁ ଦୌଡ଼ କଲେ । ସ୍ଥାନୀୟ ନେତା ସିଂ ବାବୁ ରୋକ୍‌ଠକ୍ କହିଦେଲେ ଯେ, ଲୋକେ ଭୋଟ୍ ଦେଇ ତାଙ୍କୁ ଏମ୍. ଏଲ୍. ଏ. କରିଥିଲେ ଏ କାଳରେ ସେ ନିଶ୍ଚୟ ସରକାରଙ୍କଠି ପାଟି କରି ଟଙ୍କା ଆଣିଥାନ୍ତେ । ସିଂ ବାବୁଙ୍କର ଖାଲି ଏସା କରିଥାନ୍ତି, ତେସା କରିଥାନ୍ତି ବୋବାଳି । ଏମ୍. ଏଲ୍‌. ଏ. ନଥିବାରୁ ସେ ଏବେ କିଛି କରିପାରିବେ ନାହିଁ ।

 

ତ୍ରିନାଥେ ମୁହଁ ଲୁଚାଇ ବୁଲୁଥିଲେ । ଖୋଜି ଖୋଜି ବହୁ କଷ୍ଟରେ ସେ ମିଳିଲେ । ସେ ମଧ୍ୟ ସଫା କହିଦେଲେ ଯେ ଡିମାଣ୍ଡ କରିବା ପଦ୍ଧତି ତାଙ୍କୁ ଜଣାନାହିଁ । ସଭ୍ୟମାନେ ସାହାର୍ଯ୍ୟ କଲେ ସେ ଧାଁ ଦଉଡ଼ କରିବେ ।

 

ସଭ୍ୟମାନଙ୍କ ସାହାଯ୍ୟରେ ଜୟନ୍ତୀନଗରରେ ତ୍ରିନାଥ ବାବୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଲେ । ଲୋକଙ୍କର ଦୁର୍ଦ୍ଦଶା ବିଷୟକ ସମ୍ବାଦ ଓ ପଟୋଚିତ୍ରମାନ ଖବରକାଗଜରେ ଛପାଗଲା । ବେଳ ଥାଉ ଥାଉ ଉଚିତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସରକାରଙ୍କୁ ଜଣାଇ ଦିଆଗଲା-। ରାଜଧାନୀର ମନ୍ତ୍ରୀମାନଙ୍କ ସହିତ ତ୍ରିନାଥ ବାବୁ କଥାବାର୍ତ୍ତା କଲେ । ଖବରକାଗଜ ସମ୍ପାଦକମାନଙ୍କ ସହିତ ସାକ୍ଷାତ କରି ଲମ୍ବା ଚଉଡ଼ା ବିବୃତିମାନ ଛପାଗଲା ।

 

କିଛିଦିନ ପରେ ଅବସ୍ଥା ଅନୁଧ୍ୟାନ ପାଇଁ ଦୁଇ ତିନିଟା ସରକାରୀ ଗାଡ଼ି କେନ୍ଦୁପଦର ଆଖପାଖ ଗାଁରେ ପାଇଁତରା ମାରିଲା । ସରକାରଙ୍କୁ ରିପୋର୍ଟ ଗଲା–ଫସଲ ହାନି ହୋଇଛି । କୂଅ ପୋଖରୀ ଖୋଳି ଜଳଯୋଗାଣ ଏବଂ ସେହି ପରିପ୍ରେକ୍ଷୀରେ ଲୋକଙ୍କୁ କାମ ଯୋଗାଣ ନିହାତି ଜରୁରୀ । ଦୂର ଦିଗ୍‌ବଳୟ ତଳେ ସାଫଲ୍ୟର ମେଘ ଦେଖି ଏଥର ସିଂ ବାବୁ ମୟୂର ପରି ପୁଚ୍ଛ ମେଲାଇ ନାଚିବାକୁ ଆରମ୍ଭ କଲେ । ଘର ଘର ଗାଁ ଗାଁ ବୁଲି ପ୍ରଚାର କଲେ, ତ୍ରିନାଥିଆ ସବୁ ବିଗାଡ଼ିଦେଲା । ଦୁର୍ଭିକ୍ଷର କରାଳ କବଳରେ ପଡ଼ି ଲୋକେ ଛଟପଟ ହେଲାବେଳେ କେବଳ ଫସଲହାନି ବୋଲି ସରକାରୀ ରିପୋର୍ଟ ବାହାରିଛି । ସିଂ ବାବୁଙ୍କ ଦଳ ଦୁର୍ଭିକ୍ଷର ନାମମନ୍ତ୍ର ଜପିବାରେ ଲାଗିଲେ । ତ୍ରିନାଥିଆ ଦଳ ଥିନ୍‌ ଥିନ୍‌ ହୋଇ ନାଚିଲେ । ଦରକାରଠୁ ବେଶି ସାହାଯ୍ୟ ଆବଶ୍ୟକ । କିନ୍ତୁ କେହି ଭାବିଲେ ନାହିଁ, ଆବଶ୍ୟକତାଠାରୁ ବେଶି ଅର୍ଥ ଅନର୍ଥର ମୂଳ ।

 

ତା’ପରେ କେନ୍ଦୁପଦରକୁ ଚାଲିଲା ଧାଡ଼ିକି ଧାଡ଼ି ମଟର ଗାଡ଼ି । ମାଗଣା ସାହାଯ୍ୟ, ମାଗଣା ରିଲିଫ୍ ଏବଂ ଗାଁ ଦାଣ୍ଡରେ ମାଗଣା ପଙ୍ଗତ ପଡ଼ିଲା । ଦୂର ଦୁରାନ୍ତରୁ ସ୍କୁଲ କଲେଜ ପିଲାମାନେ ସାହାଯ୍ୟ ବାଣ୍ଟିବାକୁ ଆସିଲେ । ବି. ଡି. ଓ., ତହସିଲଦାର ଗୁଡ଼ାଏ ଟଙ୍କା ଋଣ ହିସାବରେ ବାଣ୍ଟିଲେ । କୃଷି ଋଣ, ଗୃହ ନିର୍ମାଣ ଋଣ, ଗ୍ରାମ୍ୟ ଶିଳ୍ପ ଋଣ ଏମିତି ଅସଂଖ୍ୟ ପ୍ରକାର ।

 

କୋଳାହଳ ଭିତରେ ଲୁଚିଗଲା ଫାର୍ମ ସଭ୍ୟଙ୍କ ଉପଦେଶ, ସେମାନଙ୍କର ସେବା । ମାଗଣା ଗରମାଗରମ ସାହାଯ୍ୟ ବେଳେ କିଏ ଶୁଣୁଛି ଶୁଖିଲା କର୍ମଯୋଗ ବାଣୀ, ସଂସ୍କୃତିଆ ଚାଣକ୍ୟ ନୀତି ? ନବା ଲୋକ ଦବା ଲୋକର ହାତକୁ ଚାହେଁ, ମୁହଁକୁ ମଧ୍ୟ । କିନ୍ତୁ କିଛି ନ ଦେଇ ଖାଲି କାମ କରିବାକୁ ଉପଦେଶ ଦେଉଥିବା ଲୋକର କଥା କିଏ ଶୁଣେ ? ଏ ସମୟରେ ଦାନ ଗ୍ରହଣ କରି ସେଇ ଟଙ୍କାରେ କିଛିଦିନ ମଉଜ ନ କରି କାମ କରିବାଠୁ ବଳି ବୋକାମୀ କ’ଣ ଅଛି ?

 

ତଥାପି ବ୍ରଜ କହି ବୁଲୁଥିଲା, “ଏ ସାହାଯ୍ୟ ସହାନୁଭୂତି କ୍ଷଣିକ । ଟଙ୍କା ଋଣ ଦିଆଯାଉଛି କୃଷି ପାଇଁ । ଏଣେତେଣେ କୂଅ ଖୋଳି ଶ୍ରମିକ ଓ କାମଧନ୍ଦା ସୃଷ୍ଟି କରାଯାଉଛି । ସେଇ କୂଅ ପୋଖରୀକୁ ସତ୍ ବ୍ୟବହାର କରି ଫସଲ ଉଠାଇବାକୁ ପଡ଼ିବ । ଦିନକର ମଜୁରୀ ଟଙ୍କା ରାତିରେ ମଦଖାଇଦେବାକୁ ଯୋଜନା ହେଉନି । ଚାଲ ଭାଇମାନେ, ଋଣଟଙ୍କା ଓ କୂଅ ଖୋଳା ସାହାଯ୍ୟରେ ଆଉ ଗୋଟିଏ ଫସଲ ଉଠାଇବା । ବର୍ଷକଯାକ ସୁଖରେ ରହିବା । ନ ହେଲେ ଦୁଇ ତିନି ମାସ ପରେ ଟଙ୍କା ପାଇଁ ପୁଣି ପରକୁ ହାତ ପାତିବ ।”

 

ବ୍ରଜ କଥା ଛାଡ଼; ମାଙ୍ଗତା ମାଝିଙ୍କୁ ବି କେହି ଶୁଣୁନାହାନ୍ତି । ତଥାପି ସଭ୍ୟମାନେ କାମ କରିବାକୁ ଉତ୍ସାହ ଦେବାରେ ପଛାନ୍ତି ନାହିଁ । ଆଖପାଖ ଗାଁରୁ ମାତ୍ର ତିନିଜଣ କୃଷକ ଖରାଦିନରେ ଚାଷ କରିବାକୁ ରାଜି ହୋଇଛନ୍ତି । ପ୍ରାୟ ଦେଢ଼ଶହ ଏକର ଜମିରେ ଶେଷ ରବି ଫସଲ ପାଇଁ ଆୟୋଜନ ଚାଲିଛି । ତା’ ପୁଣି ଫାର୍ମ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ।

 

କି ଦୁର୍ଯୋଗ, ଏପରି ଏକ ସମୟରେ ନରେଶର ବାହାଘର ପଡ଼ିଲା । ଅବଶ୍ୟ ଦୁର୍ଭିକ୍ଷ ହେତୁ କେତେଜଣ ସରକାରୀ ଡାକ୍ତର ଗାଁ ଗଣ୍ଡା ବୁଲି ଲୋକଙ୍କର ଚିକିତ୍ସା କରୁଛନ୍ତି । କିନ୍ତୁ ନରେଶ ଯେମିତି ଲୋକଙ୍କର ଆପଣାର ହୋଇସାରିଥିଲା, ନୂଆ ଡାକ୍ତରମାନେ ସେପରି ହୋଇପାରିବେ କି-?

 

ନରେଶ ଫାର୍ମ ଛାଡ଼ି ଯିବା ମାସେ ହୋଇଗଲାଣି । ସକାଳୁ ସମସ୍ତେ ନିଜ ନିଜର କାମରେ କିଏ ଫାର୍ମକୁ କିଏ ଗାଁକୁ ଚାଲିଯାନ୍ତି । ବିଜିବୋଉ ଏବଂ ଜାନି ନରେଶ ସହିତ ଯାଇଛନ୍ତି ଯେ ଏଯାଏଁ ଫେରିନାହାନ୍ତି ।

 

ବାଇଶ

 

ସକାଳୁ ସକାଳୁ ଫାର୍ମର ମୁଖ୍ୟ ଗୃହ ନିରୋଳା ହୋଇଯାଏ ।

 

ବହୁ ସମୟ ଧରି ଆରତି ଏକୁଟିଆ ଚୁଲି ପାଖରେ ବସେ ।

 

ବିଜୟ କଥା ମନଭିତରେ ଗୋଳିଘାଣ୍ଟି ହୁଏ । ତେଜିଉଠେ ଲଜ୍ଜା ଓ ଅପମାନର ଦୀପଶିଖା । କେତେ ବୁଝାଇଲେ ମଧ୍ୟ ମନ ମାନେନା । ଚନ୍ଦ୍ରାପାଇଁ ବିଜୟ ଏତେ ପ୍ରଶଂସାମୁଖର ଯେ ଆରତି ତା’ ପାଖରେ ଏକ ହାସ୍ୟାସ୍ପଦ ତୁଳନାର ସାମଗ୍ରୀ ହୋଇପଡ଼େ ।

 

ଘୃଣାରେ ଆରତି ଆଖିବୁଜେ । ତଥାପି ସେ ଦେଖେ, ବିଜୟ ହସି ହସି ତା’ ପାଖକୁ ଦୌଡ଼ିଆସୁଛି । ସେଇମିତି ଆଦେଶ ଦେଉଛି, କାମ୍ କୁଇକ୍ । ଉତ୍ତର ଦେବା ବଦଳରେ ଆରତି ସଁ ସଁ ହୋଇ ଫୁଲିଉଠୁଛି । ଠୋ କରି ଗୋଟିଏ ଥାପଡ଼ ବସାଉଛି ବିଜିର ଗାଲରେ । ବିଜୟ ଗାଲ ଆଉଁସି ଆଉଁସି ପ୍ରତ୍ୟାବର୍ତ୍ତନ କରୁଛି । କିନ୍ତୁ ଫଳ କ’ଣ ହେଲା ? ଆରତି ଯେଉଁ ଏକୁଟିଆକୁ ସେଇ ଏକୁଟିଆ । ବିଜୟକୁ ଚନ୍ଦ୍ରା ଚାହିଁ ବସିଥିବ । କିନ୍ତୁ ଆରତିର ସାଥୀ ? ହାୟ, ଏ ଅପନ୍ତରା ସାହାରାରେ କିଏ ହେବ ତା’ର ଜୀବନ ସାଥି ? ଜୀବନର ମଧ୍ୟାହ୍ନ ମରୁଭୂମିରେ ସେ ଯେ ଏକାକିନୀ-! ସାଥିହୀନ ଜୀବନ ବଡ଼ ଦୁର୍ବିସହ ।

 

ଆରତିର କୋହଉଠେ । ଆଖି ଲୁହରେ ଢଳ ଢଳ ହୁଏ । ଅନ୍ତ ଦୁହିଁ ତତଲା ଦୀର୍ଘନିଃଶ୍ଵାସ ଚାଲିଆସେ । ଆରତି ଭାବେ, ସଂସାରକୁ ଆଉ ଦେଖିହେବ ନାହିଁ, କାରଣ ସେଠି ବାହ୍ୟ ଆବରଣ ହିଁ ମୂଲ କଷାକଷି । ଭଲପାଇବାକୁ କିଏ ପଚାରେ ?

 

–ଓ……ମାଇ ଡାର୍ଲିଂ !

 

ସୁନ୍ଦର, ଖୁବ୍ ସୁନ୍ଦର । ଚମତ୍କାର ତୁମର ସ୍ୱର । ତୁମେ ସେମିତି କହୁଥାଅ ।

 

ଆରତିର ଚାରିପଟେ ସଂସାରଟା ଚକାଭଉଁରି ଖେଳେ । ଦୂରରେ କେହିଜଣେ ହାତ ଦୁଇଟି ତା’ଆଡ଼କୁ ବଢ଼ାଇ କଅଁଳେଇ ଡାକେ–ପ୍ରିୟା ! ତୁମେ ସେ ମଣିଷ ପାଖେଇଆସେ । ପରୀକ୍ଷା ନିରୀକ୍ଷା କଲାଭଳି ଆରତି ପ୍ରିୟା ପଦଟିକୁ ଅନେକ ସମୟ ଧରି ମନ ଭିତରେ ଉଚ୍ଚାରଣ କରେ ।

 

ପରକ୍ଷଣରେ ଚମକିପଡ଼ିଲା ଭଳି ଆରତି ଝାଡ଼ିଝୁଡ଼ି ହୋଇ ମୁହଁ ପୋଛେ । ଏ କ’ଣ ହେଲା ? କାହାର ସ୍ୱରକୁ ସେ ଏତେବେଳଯାଏଁ ତନ୍ମୟ ହୋଇ ଶୁଣୁଥିଲା ? ମାଙ୍କଡ଼ମୁହାଁ ରବି ତାକୁ ପ୍ରେମ ସମ୍ଭାଷଣ ଜଣାଉଥିଲା ନାଁ କ’ଣ ?

 

–“ମୁହଁରୁ କ’ଣ ମିଳିବ ଲୋ ! ସେଇ ଜଣକ ତ ତୋତେ ପ୍ରେମ କରୁଛି । କେତେ ମଧୁର କଥା କହୁଛି । ଆଲୋ ପୋଡ଼ାମୁହିଁ, ସେଇ ପଦେ କଥାରୁ ତା’ର ପ୍ରେମର ଗଭୀରତାକୁ ମାପିପାରୁନୁ ? ଆରତିର ମନ ଭିତରେ ଦ୍ଵିତୀୟ ଆରତି କଥା କହେ ।

 

ଆରତି ପୁଣିଥରେ ଭାବନାରେ ଭାସିଯାଏ ।

 

ସତେ ତ । ରବି ଭାରି ମିଠା କଥା କହୁଛି । ଆହୁରି କେଇପଦ ଶୁଣିବାକୁ ସେ ନିବିଡ଼ ଭାବେ ଆଖି ବନ୍ଦ କରେ । କାହିଁ, ଆଉ ଶୁଭୁନି ତ ? ଏବେ ନାହିଁ ଯେ, ସେଦିନଠାରୁ ରବି ଆଉ କଥା କହୁନି, ତା’ ଉପରେ ଟିପ୍ପଣୀ ଦେଉନି, ତାକୁ ଦେଖିଲେ ହସୁନି । ରବିର ବି ପ୍ରକୃତି ବଦଳି ଗଲା ? ଦିନସାରା ଅଫିସ୍ ରୁମରେ ବସୁଛି, ଅଥଚ ଥରେ ହେଲେ ପଦାକୁ ମୁହଁ ବାହାର କରୁନାହିଁ । ଯାହା ଜଣେ ହେଲେ ତାକୁ ଭଲପାଉଥିଲା, ସେ ବି ଗଲା ।

 

ଦ୍ୱିତୀୟ ଆରତି କହେ,–ଯିବନି ? ତାକୁ ଛି’ଛାକର କରି ମାଛି ଉଡ଼େଇଲା ଭଳି ଯେଉଁ ବ୍ୟବହାର କରୁଥିଲୁ ଏଇଟା ତା’ର ପରିଣତି । ପଉରୁଷ ଥିବା ପିଲା ଦେହ ଧରି ଏମିତି ବ୍ୟବହାର ସହିବ ? ଆଉ କ’ଣ ଛେପ ଲେଣ୍ଡେ ମୁହଁ ଉପରେ ପକେଇଦେଲେ ବି ଯେ ହିଁ ହିଁ ହୋଇ ଲେସେଡ଼ାମି ବାହାର କରୁଥିବ ତାକୁ ତୁ ପୁରୁଷ କହିବୁ ? ସେ ତ ପକ୍‌କା ମାଇଚିଆ ।

 

ଆରତି ପାଖରେ ରବି ଏକ ଆଦର୍ଶ ପୁରୁଷରେ ରୂପାନ୍ତରିତ ହୋଇଯାଏ । ରବି ଭଲ ମଣିଷ, ତା’ର ଗୁଣ ଭଲ । ବିଜି ଭାଇ ଓ ନରେଶଙ୍କର ମନ ବୋଲି କିଛି ନାହିଁ । ଜଣେ ରୂପର ପୂଜାରୀ ଆଉଜଣେ ଉପଭୋଗର କୀଟ । ରବି ବରଂ ଏମିତି କୌଣସି ରୋଗରେ ଆକ୍ରାନ୍ତ ନୁହେଁ । ସେ ନାରୀ ଜାତିକୁ ସମ୍ମାନ ଦେଇ ଜାଣେ । ଖାଲି ଯାହା ଚେହେରାଟା…

 

–ଚେହେରା ! ସେ ପୁଣି କ’ଣ ବେ ? ପୁରୁଷର ରୂପ ତ ତା’ର ଶକ୍ତ ମାଂସପେଶୀ, ବଳିଲା ବଳିଲା ଦେହ ।

 

କ୍ରମେ ରବି ଦେହର ଆକର୍ଷଣ ମଧ୍ୟ ଆରତି ପାଖରେ ବଢ଼ିଯାଏ । ରବିର ଶକ୍ତ ମାଂସଳ ଦେହ ଭାରି ଲୋଭନୀୟ । ତା’ର ଦୀପ୍ତିମୟ ଆଖିଯୋଡ଼ିକି ଯେକୌଣସି ସ୍ତ୍ରୀକୁ ନିଜର କରିପାରେ । ସିଧା ସଳଖ କଠାୟ, ଶ୍ଲୀଳ ଅଶ୍ଳୀଳ କମେଣ୍ଟ ତାର ସରଳତା ଓ ସ୍ପଷ୍ଟବାଦିତାର ଆଭାସ ଦିଏ । ବିଜୟ ପରି ମାଉନମୁହାଁ କିମ୍ବା ଭିତରେ ହଳାହଳ ରଖି ଉପରେ ଚିକ୍କଣ କଥା କହିବା ପ୍ରକୃତି ରବିର ନୁହେଁ ।

ଦିନକୁଦିନ ରବି ଆରତି ଚକ୍ଷୁରେ ଆଦର୍ଶର ଶୀର୍ଷ ସ୍ଥାନରେ ଯାଇ ବସିଲା । ମନେମନେ ସେ ରବିକୁ ଗେହ୍ଲା କଲା । ରବି ସ୍ୱପ୍ନରେ ଦେଖିଲା, ସ୍ୱପ୍ନରେ ସେ ରବି ପାଖରେ ବସିଲା, ନାଚିଲା, କୁଦିଲା । ଦିନରେ ରବିକୁ ଦେଖିଲାକ୍ଷଣି ଉତ୍ତପ୍ତ କ୍ଷୀର ପରି ତା’ ମନ ଉତୁରିଉଠିଲା । ଏପରିକି ରବିକୁ ଚାହିଁ ମୃଦୁ ହାସ ଢାଳିଲା ।

ହାୟ, ତଥାପି ରବି ଆରତିର ପାଖ ମାଡ଼ୁନାହିଁ । ଜାଣିଶୁଣି ଆରତି ନିଜର ଉପସ୍ଥିତି ଜଣାଇଲେ ମଧ୍ୟ ସେ ନିର୍ବେଦ । ସମସ୍ତେ ଯେଝା କାମରେ ଗଲା ପରେ ଅଫିସ୍ ଘରେ ସେମିତି ଗୁମ୍ ମାରି ବସୁଛି ସିନା ରୋଷେଇ ଘରଆଡ଼େ ଭୂଲରେ ବି ଚାହିଁଦେଉନି । ବେଳେବେଳେ ଅଫିସ୍ ଘରେ ବିନା କାରଣରେ ପଶିଯାଇ ‘ଭୂଲ ହୋଇଗଲା’ ବୋଲି କହିଲେ ବି ରବି ଫାଇଲ ଉପରୁ ମୁଣ୍ଡ ଟେକୁନାହିଁ ।

ଶେଷରେ ଆରତି ମୁହାଁମୁହିଁ ରବି ସହିତ ଆଳାପ କଲା । ଚନ୍ଦ୍ରିକାର ଚିଠି ନେଇ ଆଲୋଚନା ଚାଲିଛି । ଆଗରୁ ରବି ଯେପରି ଆରତି ସହିତ ଫାଜିଲାମି ବାହାର କରୁଥିଲା ସେପରି ଅସଭ୍ୟ ବ୍ୟବହାର ମୋଟେ କରୁନାହିଁ । ଗମ୍ଭୀର ହୋଇ କଥା କହୁଛି । ଆରତି ଦବି ଦବି ଯାଉଛି । ରବିର ବ୍ୟକ୍ତିତ୍ଵ ତଳେ ଭକ୍ତିରେ ସେ ନଇଁପଡ଼ୁଛି । କିନ୍ତୁ ଅନେକ ସମୟରେ ସେ ରବିର ଅସଭ୍ୟ କଥାକୁ ମନେପକାଇ ଆନନ୍ଦ ପାଉଛି । ସେଦିନ ରୋଷେଇ ବାରଟା ପୂର୍ବରୁ ଶେଷ ହୋଇଥିଲା । ଭାତ ତରକାରୀ ଘୋଡ଼ାଇ ରୋଷେଇଘରୁ ବାହାରିଲା ବେଳେ ହଠାତ୍ ମନେପଡ଼ିଲା, ଆଜି ନରେଶର ବାହା ଶେଷ ହୋଇ ଚାରିଦିନ ହେଲାଣି । ଆଜି ତାହାଲେ ଚଉଠି । ଚ–ଉ–ଠି !! ଯୁଗ ଯୁଗ ଧରି କେତେ କାମନାର ତାତି ଏଇ ଚଉଠି ଦିନରେ ଭେଦିଛି । କେତେ ପୁରାଣ, କେତେ ଗଳ୍ପ, କବିତା ଓ ଉପନ୍ୟାସ ଚଉଠିକୁ ବିଭିନ୍ନ ଭାବଭଙ୍ଗୀରେ ରସାଳ କରିଛି । ଆରତିର ଦେହରେ ମଧ୍ୟ ନିଆଁ ଚହଟିଲା । ଏହି ଅନାବଶ୍ୟକ ତାତିକୁ ଶୀତଳେଇବାକୁ ସେ ଖଟରେ ଶୋଇ ଦେହକୁ ଯୋରରେ ବିଞ୍ଚିଲା । କିନ୍ତୁ ଏଥିରେ ବି ନିସ୍ତାର ନାହିଁ । ବଞ୍ଚିବାରୁ ବରଂ ନିଆଁ ଝୁଲମାନ ତେଜିଉଠି ଦେହକୁ ହୁ ହୁ କରି ଜଳାଇଲା । ଆଃ, ଏ ଟିକି ଦେହଟିରେ କେତେ ଜ୍ଵଳନ ! ରକ୍ତ ମାଂସ କି ସାଙ୍ଘାତିକ ଭାବେ ବୁଭୁକ୍ଷୁ !

ଗରମ ଗରମ ପବନ ବହୁଛି । ଚତୁର୍ଦ୍ଦିଗ ନୀରବ, ନିଶ୍ଚଳ, ନିର୍ଜନ । ଆରତି ଶୋଇବାଘରେ ଏକୁଟିଆ । ସେପଟେ, ଅଳ୍ପ ଦୂରରେ ଅଫିସ୍ ଭିତରେ ରବି ମଧ୍ୟ ଏକୁଟିଆ ବସିଥିବ-

ଛିଃ ! ସେ କାହିଁକି ଏ ମୁହୂର୍ତ୍ତରେ ରବି କଥା ଭାବିଲା ? ଆରତି ଟିକିଏ ଥମ୍ ମାରିଲା । ନାଃ, ମନ ପରିବର୍ତ୍ତନ ଦରକାର । ବିଜିବୋଉଙ୍କ ବହିଥାକରୁ ସେ ମହାଭାରତ କାଢ଼ିଆଣିଲା । ମଝିରୁ ଗୋଟିଏ ପୃଷ୍ଠା ଓଲଟାଇ ପଢ଼ିଲା–

ଜୀବ ନ ପାଇଣ ମହ ଶ୍ରମେ ନୃପବର

ବିଜୟେ ପଣ୍ଡୁ ରାୟେ ସେ ପର୍ବତ ଉପରେ ।

ୟେସନେକ ସମୟେ ଯେ ହରିତା ନାମେ ମୃଗୁଣୀ

ତୃଷାୟେ ଅଇଲା ସେ ନଦୀକି ଲୋଡ଼ି ପାଣି ।

ଅଗ୍ନି କା ମହାଋଷି ତା ଅନ୍ତରୀକ୍ଷେ ଦେଖି

ଧାତିକାରେ ଧାଇଁ ସେ ଧଇଲେ ମୃଗୁଣୀକି

ମୃଗୁଣୀର ତୁଲେ ଶୃଙ୍ଗାର କରନ୍ତି ସେ ଯତି

ଗାଢ଼ ଆଲିଙ୍ଗନେ ସେ ଯେ ଭଜିଲା ବିମତି

ଋଷିଙ୍କର ଶୃଙ୍ଗାର ସେ ଯେ ମହାଭାରା ତେଜ

ରାବେକ ଦିଲା ସେ ଯେ ଶବଦ ବିସର୍ଜ ।

ଏ କ’ଣ ? ଧର୍ମଗ୍ରନ୍ଥରେ ମଧ୍ୟ କାମରେ ରାଜତ୍ଵ ? ସିଦ୍ଧ ସାଧକ ବ୍ରହ୍ମଚାରୀ ଋଷି ମଧ୍ୟ ଏଥିରୁ ତ୍ରାହି ପାଇନାହାଁନ୍ତି ? କିନ୍ତୁ;ସେ ତା’ କଦାପି ମହାଭାରତ ପଢ଼ୁନଥିଲା ଅବୈଧ ଓ ଅପ୍ରାକୃତିକ ପ୍ରେମର ବର୍ଣ୍ଣନା ଶୁଣିବାକୁ ? ମନ ପରିବର୍ତ୍ତନ ପାଇଁ ଏଡ଼େବଡ଼ ପୁରାଣରୁ କୌଣସି ଏକ ଅଧ୍ୟାୟ ପଢ଼ିବାକୁ ସେ ମନସ୍ଥ କରିଥିଲେ । କିନ୍ତୁ ବହି ପଢ଼ି ବରଂ ତା’ର ଲାଳସା ବଢ଼ିବାପାଇଁ ଉପାଦାନ ଯୋଗାଇଦେଲା ।

ଦ୍ୱିତୀୟ ଆରତି ମନ ଭିତରେ ଅଟ୍ଟହାସ୍ୟ କରିଉଠିଲା,–ମନକୁ ଦବେଇଦେବାକୁ ବସିଛୁ, ନାହିଁ ? ଗାତପଶି, ମଣିଷ ଦେହର ତାତି ଏମିତି ଲିଭେନାହିଁ ଲୋ, ସେ କଥା ଏତେ ସହଜ ନୁହେଁ । ଚାଲ୍ ଚାଲ୍ ପଦାକୁ, ବେଶି ଫୁଲେଇ ହ’ ନା । ମୋ କଥା ଶୁଣ୍, ନ ହେଲେ ରୋଗ ଧରିବ, ମଶାଣିକି ଯିବୁ ।

ନାଁ, ଆଜି କୌଣସିପ୍ରକାରେ ଅୟମାରମ୍ଭ କରିବାକୁ ହେବ । ଆରତି ଆଖିବୁଜି ଭାବିଲାବେଳକୁ କପାଳର ଶିରାଗୁଡ଼ିକ ଫୁଲିଉଠୁଥିଲା । ହଁ, ମନେପଡ଼ିଲା । ସେଦିନ ନବଘନର ତକିଆ ତଳୁ ସେ ଖଣ୍ଡେ ଶସ୍ତା ଉପନ୍ୟାସ ପାଇ କିଛି ଦୂର ପଢ଼ିଥିଲା । ଉପନ୍ୟାସର ବର୍ଣ୍ଣନାଗୁଡ଼ିକ ମନେପଡ଼ିବା କ୍ଷଣି, ତା’ ଆଖିଆଗରେ ସତେଯେପରି ଗୋଟିଏ ନାଟିକା ଅଭିନୀତ ହୋଇଗଲା । ସେଠି ନାୟକ ହେଉଛି ରବି, ନାୟିକା ସେ ନିଜେ ।

ନାୟକ ବସିଛି ଅଫିସ୍ ଘରେ ତଳକୁ ମୁଣ୍ଡ ପୋତି । ଦେହରୁ ଅଧା ବସନ ଖସାଇ ନାୟିକା ତା’ର ଦୃଷ୍ଟି ଆକର୍ଷଣ କରୁଛି । ଚାରି ଚକ୍ଷୁର ମିଳନ ହେଲାବେଳେ ନାୟିକାର ଆଖିପତା ଯୋଡ଼ିକ ତଳକୁ ଖସିଯାଉଛି । ଆଖିର ଇଙ୍ଗିତରୁ ନାୟକ ବୁଝିପାରୁଛି ନାୟିକାର ଆହ୍ଵାନ । ନାୟିକା, ଟିକିଏ ମୃଦୁ ହସି, ଫେରିଆସୁଛି ଶୋଇବା ବଖରାକୁ । ମାଲ୍ୟାଣୀର ଫୁଲ ଶୁଙ୍ଘା ମେଣ୍ଢା ରାଜପୁତ୍ରଭଳି ନାୟକ ପଛେ ପଛେ ଛପି ଛପି ଆସୁଛି । ଅନ୍ତଃପର, କବାଟ କିଳି ଶବ୍ଦ, କୋଠରିରେ ଝାପ୍‍ସା ଆଲୁଅ, ଆଖିଆଗରେ ସବୁ ମିଞ୍ଜି ମିଞ୍ଜି, ଝାପ୍‌ସା ଝାପ୍‌ସା, ସଁ ସଁ ନିଶ୍ୱାସ । ନାୟକ ନାୟିକା ପାଖକୁ ଲାଗିଆସୁଛି । ନାୟିକା ଆଉ କିଛି ଅନୁଭବ କରିପାରୁନାହିଁ । କଣ୍ଠ ବାଷ୍ପରୁଦ୍ଧ ହୋଇସାରିଛି, ସେ ଯେପରି ନିର୍ଜୀବ । ଭାରି ହୋଇଆସୁଥିବା ହାତ ଦି’ଟା ଦେଇ ଯେପରି ଅସଂଖ୍ୟ ବିଦ୍ୟୁତ୍‌ ତରଙ୍ଗ ଦେହର ପ୍ରତିଟି ରକ୍ତ କଣିକାକୁ ଉତ୍ତେଜିତ କରୁଛନ୍ତି । ତା’ର ସମ୍ମୋହିତ ଆଖିପତା ଉପରେ ନାୟକର ମୁଗ୍‌ଧ ପ୍ରଲୋଭିତ ଚାହାଣି । ନାୟିକାର ଉପାସୀ ତନୁରେ ଲକ୍ଷ କଦମ୍ବର ରୋମାଞ୍ଚ ।

ଆରତି ଆଉ ବେଶି ଭାବିପାରିଲାନି । ଲାଳସାର ଉଗ୍ର ତାତିରେ ରକ୍ତ ଟକ୍ ମକ୍ ଫୁଟି ସେଥିରୁ ବାମ୍ଫ ବାହାରିଲାଣି । ଝଣାତ୍ କିନା ଉଠିପଡ଼ି ଚାଲିଲା ବାରଣ୍ଡାକୁ, ଅଳ୍ପ ସମୟ ତଳେ ଦେଖିଥିବା ନାଟକକୁ ପ୍ରାକୃତିକ କରିବାକୁ । ଲଜ୍ଜା କଲେ ଆଉ ହେବନି । ମୁହଁକୁ ସାଇଁକିନା ବୁଲାଇଦେଲା ଅଫିସ୍ ଘରେ ବସିଥିବା, ତା’ର ସ୍ୱପ୍ନର ନାୟକ ରବିଆଡ଼କୁ । କିନ୍ତୁ ସଙ୍ଗେ ସଙ୍ଗେ ଶାପଗ୍ରସ୍ତ ଅହଲ୍ୟା ପରି ସେ ପଥର ପାଲଟିଗଲା ଯେପରି । ସେଠି ସେ ଦେଖିଲା ରବିର ଆସନରେ ବସିଛି ବଡ଼ଭାଇ ଦେବବ୍ରତ । ତା’ ପାଖରେ ମାଙ୍ଗତା ମାଝି-। ରବି ନାହିଁ ।

ଦେବ କହୁଥିଲା, “ଦୁର୍ଭିକ୍ଷ ନାଁ ଶୁଣାଯାଉଛି ସତ, କିନ୍ତୁ ଦ୍ୱିତୀୟ ଫସଲ ପାଇଁ କେହି ଉଦ୍ୟୋଗ କରୁନାହିଁ । ଆମ ଫାର୍ମର ଗଛଗୁଡ଼ାକ ଦେଖନ୍ତୁ ତା’ ଖାଲି ଆକାଶକୁ ପାଣିପାଇଁ ଅନେଇ ନ ବସି, ଭୂଇଁ ଫାଡ଼ି ପାଣି ଉଠାଇବାକୁ ପଡ଼ିବ । ମଣିଷ କ’ଣ ନ କରିପାରେ ?

ମାଙ୍ଗତା ମାଝି କହିଲେ, “ହଁ, ମହାଭାରତରେ ଲେଖା ଅଛି, ହଠାତ୍ ପାଣି ଦରକାର ପଡ଼ିବାକୁ ଅର୍ଜୁନ ଭୂଇଁ ଭିତରକୁ ଶର ମାରି ଝରଣା ସୃଷ୍ଟି କରିଥିଲେ । ଭୂଇଁର ପାଣିକୁ ମଣିଷର ସେବାରେ ଲଗାଇବା ବହୁ ପୁରୁଣାକାଳରୁ ଏ ଦେଶରେ ପ୍ରଚଳିତ ।”

ଆରତି ଭଲକରି ଦେବବ୍ରତକୁ ଚାହିଁଲା । ଦେବଭାଇନା । ସେ ମୁହଁରେ ଅଛି କେବଳ ପ୍ରଶାନ୍ତିର ଦ୍ୟୁତି । ନାହିଁ ସେଠି ଉତ୍ତେଜନା । ସେଇ ମୁହଁର ପ୍ରଭାବରେ ଆରତିର ଦେହ ମଧ୍ୟ ଥଣ୍ଡା ହେବାକୁ ଲାଗିଲା । ଲଜ୍ଜାରେ ଆଉ ସେ ଦେବକୁ ଦେଖିପାରିଲା ନାହିଁ । ତା’ର ମନେହେଲା ସେ ଯେପରି ଗୋଟିଏ ବିରାଟ ଅପରାଧ କରିପକାଇଛି । ଆରତିର କାନ୍ଦିବାକୁ ଇଛା ହେଲା । ନିଜ ବଖରାକୁ ଲେଉଟିଆସି ଖଟ ଉପରେ ଶୋଇଲାବେଳକୁ ଦେଖିଲା, ମହାଭାରତ ବହିଟି ସେମିତି ମେଲି ହୋଇପଡ଼ିଛି । ବହିଟିକୁ ବନ୍ଦ କଲାବେଳେ ତା’ ଆଖିରେପଡ଼ିଲା–

“ଯୁଗତେ ପଣ୍ଡୁ ଯେ ଅଟନ୍ତି ଶବଦଭେଦୀ

ଶବଦକୁ ମହାତମା ଶହସ୍ର ଘେନି ବିନ୍ଧି ।

ଶବଦକୁ ନାରାଜ ଯେ ଗଲା ଅନ୍ତରୀକ୍ଷେ

ଧତିକାରେ ପଡ଼ିଲା ମୃଗୁଣୀ ଋଷିର ବଛେ ।

ଋଷିର ପିଠି କଛେ ପଡ଼ି ହୃଦୟଗତେ ଗଳି

ମୃଗୁଣୀର ହୃଦଗତେ ପଡ଼ି ପିଠିକି ନିକିଳି ।

 

ପାପର ପ୍ରାୟଶ୍ଚିତ ! ଆରତି ଧକ ଧକ ହୋଇ କାନ୍ଦିଲା । ଯାହାହେଉ ଏତିକି ସାନ୍ତ୍ଵନା ଯେ ଦେବ ଭାଇ ବଞ୍ଚେଇଦେଲେ । ନ ହେଲେ, କିଏ କହିପାରେ, ସବୁଦିନ ପାଇଁ ଦେହରେ ଓ ମନରେ ଗୋଟିଏ କ୍ଷତ ବହି ଭୂଲୋକରେ ନର୍କବାସର ଯନ୍ତ୍ରଣା ଭୋଗିବାକୁ ପଡ଼ନ୍ତା ।

 

ଆରତି ଅନୁତାପ କଲା ଏବଂ ଦେହରେ ରହିଯାଇଥିବା ପାପର ଆସନ ଅନାବଶ୍ୟକ ତାତିକୁ ଧୋଇଦେବା ଲାଗି ସେ ଗାଧୁଆଘରେ ପଶି ମୁଣ୍ଡ ଉପରେ ଢାଳିଲା ଢାଳ ଢାଳ ବାଲ୍‌ଟି ବାଲ୍‌ଟି ଥଣ୍ଡା ପାଣି ।

 

ତେଇଶ

 

ନରେଶଠୁ ଶୁଣି ଶୁଣି ଅର୍ଚ୍ଚନାଙ୍କୁ ବି କେନ୍ଦୁପଦର ଭେଳିକି ଲାଗିଗଲା । ଆଗରୁ ଠିକଣା କରିଥିବା ମାଉଣ୍ଟଆବୁକୁ ଛାଡ଼ି ଅନାମଧେୟ କେନ୍ଦୁପଦରରେ ହିଁ ସେ ବିବାହ ପରବର୍ତ୍ତୀ ମାସକ କଟେଇବାକୁ ବ୍ୟାକୁଳ ହେଲେ, ଯେଉଁଠି ଥିବ କାଶ୍ମୀରର ଗାଢ଼ ସବୁଜ ଅରଣ୍ୟ, ପହେଲ ଗାଁଓର କଳକଳ ନିନାଦିନୀ ଝରଣା, ମସୋରିର ଉଚ୍ଚା ଉଚ୍ଚା ନୀଳ ପର୍ବତ, ସିମଳାର ସରୁଆ ଝଲମଲ ଉପତ୍ୟକା, ବୃନ୍ଦାବନ ଗାର୍ଡ଼େନ ପରି ଫାର୍ମ, ଏବଂ ଅନେକ ଜୀବନ୍ତ ପଶୁପକ୍ଷୀ । ଗୋଟିଏ ସ୍ଥାନରେ ଦେଶର ସମଷ୍ଟିଗତ ସୌନ୍ଦର୍ଯ୍ୟ ।

 

ବସ୍‌ରେ କେନ୍ଦୁପଦରକୁ ଗଲାବେଳେ ସୁନ୍ଦର ଚିତ୍ରମାନ ସେ ଆଖିବୁଜି କଳ୍ପନା କରୁଥିଲେ । ହେଇ ଏମିତି ପର୍ବତଗୁଡ଼ିକ ଗୋଟାକ ଉପରେ ଗୋଟିଏ ଥୁଆ ହୋଇଥିବ I ତା’ଉପରେ ଆକାଶଟା ନାଲି, ନାନା ବାଇଗଣି ଦେଖାଯାଉଥିବ I ମେଘ ? ନଥାଉ । ଯଦି ଥିବ ତ ପାହାଡ଼ ଶିଖ ଉପରେ ବରଫ ପରି ଧଳା ଚିକ୍ ଚିକ୍ ବାଦଲ ପୁଞ୍ଜେ ଲେସି ହୋଇଥାଉ । ତଳର ଶାଗୁଆ ଉପତ୍ୟକାରେ ଛନ ଛନ କଅଁଳ ନରମ ଦୁବଘାସ ଭରି ରହି । ପର୍ବତର ପାଦଦେଶରେ ଗୋଟିଏ ଚିତ୍ରିତ ହରିଣୀ ଭାରି ସୁନ୍ଦର ଦେଖାଯିବ, ବିଶେଷ କରି ଯେତେବେଳେ ସେ ଚିକିତ ଦୃଷ୍ଟିରେ ଏପଟସେପଟ ଆଖି ବୁଲାଉଥିବ, ଘାସ ଉପରେ ଟିକିଏ ମୁହଁ ମାଡ଼ୁଥିବ, ତା’ପରେ ପୁଳାଏ ଘାସ ମୁହଁରେ ରଖି ଉପରକୁ ଚାହୁଁଥିବ ।

 

ଏପଟେ ଉପତ୍ୟକା ତଳକୁ ବୋହିଯାଉଥିବ ଛୋଟିଆ ନୀଳ ପାଣିର ନଈଟିଏ । ତା’ ମଝିରେ ଗୋଟିଏ ବିରାଟ ମସୃଣ କଳା ମିଚ୍ ମିଚ୍ ମୁଗୁନି ପଥର ଚମତ୍କାର ହୁଅନ୍ତା । ଏପଟେ ଫାର୍ମ, ସେପଟେ ଉପତ୍ୟକା ଓ ପର୍ବତ । ପଥରର ଚଉପାଠି ଉପରେ ଉପରକୁ ମୁହଁ କରି ଶୋଇଲେ କି ଆରାମ, ବିଶେଷ କରି ଶିଲ୍‍କ ଶାଢ଼ିର ବସନ ନଈର ସୁଲୁସୁଲିଆ ପବନରେ ଅମାନିଆ ହୋଇ ଏଣେତେଣେ ବଜରୀ ପ୍ରଜାପତିଙ୍କ ପରି ଉଡ଼ିଯାଉଥିବ । ଆଉ ‘ସେ’ ପାଖରେ, ଅତି ପାଖରେ, ମୁଗ୍‌ଧ ଆଖିରେ ତାଙ୍କୁ ଚାହିଁ ରହିଥିବେ । ଏହି ସମୟରେ ସେ ନିଜେ ଲଜ୍ଜାରେ ଆଖି ଦୁଇଟିକୁ ଏପଟ ସେପଟ କରୁଥିବେ–ଆଃ ଚମତ୍କାର, ରୋମାଣ୍ଟିକ୍ ।

 

ଗୋଟାଏ ପ୍ରକାର ଭାବନାରେ ଅର୍ଚ୍ଚନାଙ୍କ କଳ୍ପନା ସରିଯାଏ ନାହିଁ । ନଈ, ପାହାଡ଼, ବଣ, ପଶୁ, ପକ୍ଷୀ, ବାଲି, ପଥର, ଆକାଶ, ପବନ, ନିଜେ ଓ ‘ସେ’ ଙ୍କୁ ଫେଣ୍ଟାଫେଣ୍ଟି କରି ଅନେକ ସୁନ୍ଦର ପରିବେଷ୍ଟନୀର ଚିତ୍ର ସେ ଆଙ୍କୁଥିଲେ ।

 

ସନ୍ଧ୍ୟାବେଳକୁ ସେମାନେ କେନ୍ଦୁପଦରରେ ପହଞ୍ଚିଲେ । ଦୀର୍ଘ ଦେଢ଼ମାସର ବ୍ୟବଧାନ ପରେ ନରେଶ କେନ୍ଦୁପଦରରେ ଗୋଡ଼ ପକାଇଲା । ସଙ୍ଗେ ସଙ୍ଗେ ଗାଁର କେତେକେ ପରିବର୍ତ୍ତନ ତା’ ଆଖିରେ ପଡ଼ିଲା । ଗାଁ ଦାଣ୍ଡର ଦୁଇ ତିନିଟା ଜିପ୍, ପୂର୍ବର ଅନ୍ଧାରିଆ ସ୍ଥାନମାନଙ୍କରେ ପେଟ୍ରୋମାକ୍‌ସ ଆଲୁଅ ସେ ଦେଖୁଛି ।

 

ନବଦମ୍ପତିଙ୍କୁ ସ୍ଵାଗତ ଜଣାଇବା ପାଇଁ ଫାର୍ମ ସଭ୍ୟମାନେ ଆଗରୁ ଅପେକ୍ଷା କରିଥିଲେ-। ଅର୍ଚ୍ଚନାଙ୍କ ସହିତ ଅନ୍ୟମାନଙ୍କୁ ପରିଚିତ କରାଇଦିଆଗଲା । ବିପୁଳ ହର୍ଷୋଲ୍ଲାସ ମଧ୍ୟରେ ସମସ୍ତେ ଫାର୍ମ ଅଭିମୁଖେ ଚାଲିଲେ । ବାଟରେ କଥାବାର୍ତ୍ତାରୁ ନରେଶ ଜାଣିପାରିଲା ଯେ କେନ୍ଦୁପଦରରେ ଏ ଭିତରେ ଅନେକ ଘଟଣା ଘଟିଯାଇଛି । ସେ ବାହାହେବାକୁ ଗଲାବେଳେ କେନ୍ଦୁପଦର ଅଞ୍ଚଳରେ ଯେଉଁ ଫସଲହାନିର ଆଶଙ୍କା ଥିଲା ତାହା କ୍ରମେ ଦୁର୍ଭିକ୍ଷରେ ଯାଇ ପହଞ୍ଚିଛି । ଦେଶବ୍ୟାପୀ ଏହି ଖବର ପ୍ରଚାରିତ ହେବା ପରେ ଏବେ ସରକାରୀ ସାହାଯ୍ୟ ପହଞ୍ଚିବାରେ ଲାଗିଛି । ସେଥିପାଇଁ ଏତେ ଗାଡ଼ି ମଟର । ଅନେକ ଦାନ ନାନାଆଡ଼ୁ ଆସି ପହଞ୍ଚୁଛି-। ଲୋକଙ୍କୁ ପ୍ରଚୁର ଋଣ ଯୋଗାଇ ଦିଆଯାଉଛି । ଏପରି ଅବସ୍ଥାରେ ଫାର୍ମବାଲାଙ୍କ କଥାକୁ କିଏ ପଚାରେ ? ଯୋଜନା କଥା ଯାହାହେଉ, କୂଅରେ ପାଣି ରହୁ ବା ନ ରହୁ କାମ କିନ୍ତୁ ଚାଲିଛି । ପଇସା ପାଣି ପରି ଖର୍ଚ୍ଚ ହେଉଛି । ସେ ଯାହାହଉ ଏଣିକି ହେଲେ କୂଅ ଓ ପୋଖରୀ ସମ୍ପୂର୍ଣ୍ଣ କରି ଗୋଟିଏ ଫସଲ ନ ଉଠାଇଲେ ଆଉ ଦୁଇ ତିନିମାସ ପରେ ଅବସ୍ଥା ଅସମ୍ଭାଳ ହୋଇଯିବ ।

 

ନରେଶ ତା’ର ସ୍ତ୍ରୀକୁ କେନ୍ଦୁପଦର ଆଣିବା ଖବର ଏ ତୁଣ୍ଡରୁ ସେ ତୁଣ୍ଡ ହୋଇ କ୍ଷଣକ ମଧ୍ୟରେ ପ୍ରଚାରିତ ହୋଇଗଲା । ଅଳ୍ପ ସମୟ ଭିତରେ ଗାଁର ଅନେକ ସ୍ତ୍ରୀ, ପୁରୁଷ ଓ ପିଲା ଦୌଡ଼ିଆସି ସଭ୍ୟମାନଙ୍କୁ ଘେରିଗଲେ । ଆନନ୍ଦ ଉଲ୍ଲାସରେ ମାତିଉଠି କେତେଜଣ ନାଚ କରିପକାଇଲେ ।

 

ପଛପଟରୁ କେତେଜଣ ବାଜା ଓ ପେଁକାଳି ବଜେଇ ଆସୁଥିଲେ । ପଚରାଉଚରା କିଛି ନାହିଁ, ଖାଲି ଆନନ୍ଦର କୋଳାହଳ । ହୁଳହୁଳିରେ ଚତୁର୍ଦ୍ଦିଗ ମୁଖରିତ ।

 

ଅର୍ଚ୍ଚନା ଦେବୀ ମନେମନେ ଭାବୁଥିଲେ, ଗାଁରେ ପରା ଦୁର୍ଭିକ୍ଷ ହୋଇଛି । ଅନାହାରକ୍ଲିଷ୍ଟ ଲୋକେ କିପରି ଆନନ୍ଦରେ ଗଦଗଦ ହୋଇ ନାଚୁଛନ୍ତି ? କିନ୍ତୁ ସେ ଅଳ୍ପ ସମୟ ପରେ ଜାଣିପାରିଲେ, ନରେଶ ସେମାନଙ୍କୁ କରିଥିବା ସେବାର ପ୍ରତିଦାନରେ ଆଦିବାସୀ ଲୋକେ ମୃତ୍ୟୁ ଶଯ୍ୟାରୁ ମଧ୍ୟ ଉଠି ତାଣ୍ଡବ ନୃତ୍ୟ କରିପାରନ୍ତି । କୃତଜ୍ଞତାର ଏତେ ବଡ଼ ନିଦର୍ଶନ କେଉଁଠି ମିଳିବ !

 

ରାତିରେ ଶୋଇଲାବେଳେ ସେ ନରେଶକୁ କହିଲେ–“ଆଜି ଚନ୍ଦ୍ରାବତୀ ନଈ କିମ୍ଵା ପାହାଡ଼ ଜଙ୍ଗଲର ଦୃଶ୍ୟ ଦେଖିପାରିଲି ନାହିଁ; ତେବେ ଜଣେ ଡାକ୍ତରକୁ ମିଳିଥିବା ସ୍ନେହ ସୌହାର୍ଦ୍ଦ୍ୟକୁ ଦେଖିଲି ଯାହା ମୁଁ ସହରରେ କେବେ ଦେଖିନଥିଲି । ଦୁର୍ଭିକ୍ଷ ଭିତରେ ମଧ୍ୟ ତୁମପାଇଁ ଗାଁ ଲୋକଙ୍କର କି ଆନନ୍ଦ ସତେ ! ବାସ୍ତବିକ୍ ତୁମେ ଧନ୍ୟ ।”

 

ତା’ ଆରଦିନ ସକାଳେ ନରେଶ ସହିତ ଅର୍ଚ୍ଚନା ମଧ୍ୟ ଡାକ୍ତରଖାନାକୁ ଗଲେ । ଡାକ୍ତରଖାନାକୁ ଦେଖି ଅର୍ଚ୍ଚନାଙ୍କୁ ହସମାଡ଼ିଲା । ଯଥେଷ୍ଟ ଔଷଧ ନାହିଁ, ଯନ୍ତ୍ରପାତି ନାହିଁ କି ସାହାଯ୍ୟ କରିବାକୁ କେହି ଲୋକ ନାହାନ୍ତି । ତଥାପି କାମ ଚାଲିଛି । ଲୋକ ଭିଡ଼ ବଢ଼ୁଛି । ନରେଶ ଝାଳ ନାଳ ହୋଇ ଔଷଧ ଦେବାରେ ଲାଗିଛି । କିଛି ସମୟ ପରେ ଅର୍ଚ୍ଚନା ବି ଔଷଧ ବିତରଣରେ ଲାଗିଗଲେ ।

 

ସେଦିନ ସନ୍ଧ୍ୟାରେ ବିରିଘାଟି, ଅଳୁଗୁଣି, ଅଙ୍ଗାର ଗାଁ, ଚେମ୍ମାପୁର ଆଦି ବିଭିନ୍ନ ଅଞ୍ଚଳରୁ ଲୋକେ ଫାର୍ମରେ ରୁଣ୍ଡ ହୋଇ ନରେଶକୁ ସେମାନଙ୍କର ଗାଁଆଡ଼େ ଯିବାପାଇଁ ଅନୁରୋଧ କଲେ । କେତେଜଣ ନରେଶର ଗୋଡ଼ ହାତ ଧରି ବିକଳ ହେଉଥାନ୍ତି । ସେତେବେଳକୁ ତିନିଜଣ ସର୍କାରୀ ଡାକ୍ତର ମଧ୍ୟ ଗାଁ ଗାଁ ବୁଲି ଚିକିତ୍ସା ଆରମ୍ଭ କରିଦେଇଥିଲେ । ତିନିଜଣ ପାଇଁ ତିରିଶଟି ଗାଁ । ପ୍ରତି ଗାଁରେ ପ୍ରାୟ ସମସ୍ତେ ରୋଗୀ । ତେଣୁ ସେମାନେ ପାରୁନାହାନ୍ତି । ତା’ଛଡ଼ା ଆଗରୁ ନରେଶ ସେ ଗାଁ ଲୋକଙ୍କର ଚିକିତ୍ସା କରିଥିବାରୁ, ତା’ ଉପରେ ବିଶ୍ୱାସ ଆସିଯାଇଛି । ନରେଶ ସେମାନଙ୍କୁ ଅଭୟ ଦେଲା ଯେ, ସେ ଆସନ୍ତାକାଲିଠୁ ଗାଁ ଗାଁ ବୁଲି ଚିକିତ୍ସା କରିବ ।

 

ସେଦିନ ସନ୍ଧ୍ୟାରେ କେତେଜଣ ସରକାରୀ କର୍ମଚାରୀ ଫାର୍ମକୁ ଆସିଥିଲେ । ସେମାନଙ୍କ ଭିତରେ ଥିଲେ ଦୁଇଜଣ ନିର୍ମାଣ ବିଭାଗ ଓଭରସିଅର, ଜଣେ କୃଷି ଓଭରସିଅର, ଜଣେ ସରକାରୀ ଇଂଜିନିୟର, ବି. ଡି. ଓ., ପଶୁ ଡାକ୍ତର ଓ ଡାକ୍ତର । କେନ୍ଦୁପଦର ଅଞ୍ଚଳରେ ହେଉଥିବା ସରକାରୀ କାର୍ଯ୍ୟ ଉପରେ ଆଲୋଚନା ହେଲା । ସରକାରୀ ଯୋଜନା ବହୁତ ଅଛି । ମାର୍ଚ୍ଚ ଶେଷ ପୂର୍ବରୁ ଅନ୍ତତଃ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେବାକୁ ହେବ । କୂଅ, ପୋଖରୀ, ଗୃହ ଓ ରାସ୍ତା ନିର୍ମାଣ କାମ ଆଗେଇଚାଲିଛି । ଅନେକ ଲୋକଙ୍କୁ ଧନ୍ଦା ଯୋଗାଇ ଦିଆଯାଉଛି । ବିତରଣ ପାଇଁ ବାହାର ଦେଶରୁ ଗୁଣ୍ଡଦୁଧ, ରୁଟି, ଲୁଗା, ଜାମା ଆଦି ସାମଗ୍ରୀ ଆସୁଛି । ପାଶ୍ଚାତ୍ୟ ଦେଶର ଅନେକ ସାହାଯ୍ୟ ସଂସ୍ଥାରୁ ଗହମ ଓ ଚାଉଳ ଆସିବାର ପ୍ରସ୍ତାବ ରହିଛି ।

 

ମୋଟ ଉପରେ କହିବାକୁ ଗଲେ କେନ୍ଦୁପଦରରେ ଦୁର୍ଭିକ୍ଷକୁ ପୂରାପୂରି ଅକ୍ତିୟାର କରାଗଲାଣି । ଦୁରଦୁରାନ୍ତ ଅଞ୍ଚଳ ପାଇଁ ଯାହା ଟିକିଏ ଡେରିହେବ କ୍ରମେ କେନ୍ଦୁପଦରକୁ କେନ୍ଦ୍ର କରି ଗୋଟିଏ ପଶୁ ଡାକ୍ତରଖାନା, ମାଇନର୍ ସ୍କୁଲ, କୃଷି ଅଫିସ୍ ଖୋଲାଯିବ । ଏହି ଅଞ୍ଚଳ ନିଶ୍ଚୟ ଭାବରେ ପ୍ରଗତିପଥରେ ଆଗେଇଯିବ । କୂଅ ପୋଖରୀକୁ ବିନିଯୋଗ କରି ପ୍ରତିବର୍ଷ ଦୁଇଟା ଫସଲ କରାଯାଇପାରିବ । ମାଛ ଚାଷ ହେବ । ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ହେବ । ଲୋକେ ଭଲ ଗାଈ ଗୋରୁ, କୁକୁଡ଼ା ରଖି ଲାଭବାନ ହେବେ ।

 

ସରକାର ମଧ୍ୟ କୃଷି ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ଭଲ ବିହନ, ସାର, ଔଷଧ ଆଦି ଯୋଗାଇ ଦିଆଯାଇଛି । ନାରୀ ଗାଁ ପାଖ ତେଲିଙ୍ଗି ନାଳରେ ଗୋଟିଏ କ୍ଷୁଦ୍ର ଜଳସେଚନ ଯୋଜନା ଆସନ୍ତାବର୍ଷ ସୁଦ୍ଧା କାର୍ଯ୍ୟକାରୀ କରିଯିବ । ବିଦେଶରୁ ପ୍ରଚୁର ସାହାଯ୍ୟ ଆସୁଥିବାରୁ ଯୋଜନା କରିବାକୁ କୌଣସି ପ୍ରତିବନ୍ଧକ ନାହିଁ ।

 

କେନ୍ଦୁପଦରରେ କାମ ଚାଲିଥିଲା । ଗାଁ ଦାଣ୍ଡରେ ଧୂଳି ଉଡ଼ାଇ ଜିପ୍, ଟ୍ରକ୍ ଦୌଡ଼ୁଥିଲା । ଗାଁର ମଳିମୁଣ୍ଡିଆଙ୍କୁ ମଜୁରିଆ ଶ୍ରମିକ ଭାବରେ ଖଟେଇ ସହରର ଚାଲାକ କଣ୍ଟ୍ରାକ୍ଟରମାନେ ନିର୍ମାଣ କରି ଯାଉଥିଲେ । ମରୁଡ଼ି, ଦୁର୍ଭିକ୍ଷ କି ବାତ୍ୟା ହେଲେ ଠିକାଦାରମାନେ ଅଳ୍ପ ପରିଶ୍ରମରେ ପ୍ରଚୁର ବିତ୍ତ ବଢ଼ାଇବାକୁ ସକ୍ଷମ ହୁଅନ୍ତି । ଗାଁ ଲୋକେ କିନ୍ତୁ ତିନିଆଡ଼ୁ ଟଙ୍କା ପାଉଥିଲେ–ନିଜ ପରିଶ୍ରମରୁ, ଋଣ ଓ ମାଗଣରୁ । ଚପଳା ଆସୁଥିଲେ ଯେମିତି ଚଟ୍ କରି ଚାଲିଯାଇଥିଲେ ବି ସେମିତି । ସନ୍ଧ୍ୟାର ଗରମ ପକେଟ ରାତିକୁ ହେମାଳ ଧରୁଥିଲା । ପାଟିରେ ମଦ ଦି’ଟୋପା ପଡ଼ୁଥିଲା । ସରକାରୀ ଯୋଜନା କ’ଣ, କାହାପାଇଁ ଓ କାହିଁକି ହେଉଛି ସେ ବିଷୟରେ କେହି ମୁଣ୍ଡ ପୂରାଉନଥିଲେ ।

 

ଡାକ୍ତର ନରେଶର ମୋଟେ ସମୟନଥାଏ । ଆଜି ଏ ଗାଁ ତ କାଲି ସେ ଗାଁ । କେବେ ରାତିରେ ଫାର୍ମକୁ ଫେରିଆସେ ନ ହେଲେ ନାହିଁ । ଅର୍ଚ୍ଚନା ବି ତୁନି ହୋଇ ବସୁନଥିଲେ । ପତି ପତ୍ନୀ ଉଭୟେ କାମ କରନ୍ତି । ଏକାଠି କାମ କରିବାକୁ ସେମାନଙ୍କୁ ଫୂର୍ତ୍ତି ଲାଗେ ।

 

ଏମିତି କଟିଗଲା ପ୍ରାୟ ଦେଢ଼ମାସ । ଛୁଟି ଶେଷ ହେବାକୁ ଅଛି ମାତ୍ର ପନ୍ଦର ଦିନ । ତା’ପରେ ଅର୍ଚ୍ଚନା ଚାଲିଯିବେ ନିଜର କର୍ମସ୍ଥଳୀକୁ । କିଛିଦିନ ଅନ୍ତରରେ ନରେଶ ମଧ୍ୟ ଚାଲିଯିବ ।

 

ଶୀତ ଋତୁର ଏକ ଅଳସ ମଧ୍ୟାହ୍ନ । ଫାର୍ମର ମୁଖ୍ୟ ଗୃହରେ ସଭ୍ୟମାନେ ଖାଇସାରି ଟିକିଏ ବିଶ୍ରାମ ନେଉଥିଲେ । ବାରଣ୍ଡା ସେପଟେ କୁଆମାନେ କା କା ରଡ଼ି ଛାଡ଼ି ଅଇଁଠା ପତ୍ର ଉପରେ ଆକ୍ରମଣ ଚଳାଇଥିଲେ । ହିରୋ ମଧ୍ୟ ଆଖିବୁଜି ଜିଭ ଲହ ଲହ କରୁଥିଲା ।

 

ବଗିଚା ପାଖ ନରେଶ ଘରେ, ଶେଯରେ ଗଡ଼ି ରେଡ଼ିଓ ଶୁଣିଲାବେଳେ ଅର୍ଚ୍ଚନାଙ୍କ ଆଖି ବୁଜି ହୋଇ ଆସୁଥିଲା । ପରିଶ୍ରମ ପରେ ପେଟେ ଖାଇଦେଲେ ଆପଣାଛାଏଁ ନିଦ ଚାଲିଆସେ । ନିକଟସ୍ଥ ଆମ୍ବ ତୋଟାରୁ ଶୀତଳ ପବନ ଆସି ଦେହକୁ କୁତୁକୁତୁ କରି ଚାଲିଯାଉଥାଏ ।

 

ହଠାତ୍ କ’ଣ ଶୁଣି ଅର୍ଚ୍ଚନା ଦେବୀ ଶେଯରୁ ଡେଇଁପଡ଼ିଲେ । ଅର୍ଚ୍ଚନାଙ୍କ ଦେହରେ କେହି ଯେପରି ରଡ଼ ନିଆଁର ଗୋଟିଏ ଚିଆଁ ଦେଲା । ରେଡ଼ିଓ ଦେହରେ କାନ ଲଗାଇ ସେ ଶୁଣିବାକୁ ଲାଗିଲେ । ସେଥିରୁ ଭାସିଆସୁଥିବା ପ୍ରତିଟି ଶବ୍ଦ ସେ ସ୍ପଷ୍ଟ ଶୁଣିବାକୁ ଚାହାନ୍ତି । ଶୁଣୁ ଶୁଣୁ ତାଙ୍କ ଛାତି ଢେଙ୍କି କୁଟିଲା ପରି ଧଡ଼ାକ୍ ଧଡ଼ାକ୍ ହେବାରେ ଲାଗିଲା । ନାକ ଉପରକୁ ଟେକି ହୋଇଗଲା-। ଥୋମଣି ଗୋଜିଆ ହୋଇଗଲା । ବେଶି ଶୁଣିବାକୁ ଆଉ ତାଙ୍କର ଶକ୍ତି ନ ଥିଲା । ରେଡ଼ିଓକୁ ଛାତିରେ ଜାକି ଦୌଡ଼ିଲେ ସେ ମୁଖ୍ୟ ଗୃହକୁ ।

 

ସେଠି ମଧ୍ୟ ରେଡ଼ିଓ ଚାରିପଟେ ସମସ୍ତେ ଘେରି ରହିଥିଲେ । କାହାର ପାଟିରୁ ପଦେହେଲେ କଥା ସ୍ଫୁରୁ ନ ଥିଲା । ସମ୍ବାଦ ଶେଷ ପରେ ଭାସିଆସିଲା ଦେଶାତ୍ମବୋଧକ ସଙ୍ଗୀତ-

 

–“କି ଆଶ୍ଚର୍ଯ୍ୟ ! ଆଗରୁ ଜଣାନାହିଁ କି ଶୁଣାନାହିଁ ଲାଗିଗଲା ଯୁଦ୍ଧ ! ଅଚାନକଭାବେ ଆମ ଦେଶ ଉପରେ ଆକ୍ରମଣ ?”

 

–“ଯୁଦ୍ଧ ଯାହା ଘରପୋଡ଼ି ସେଇଆ । ଆଜିକାଲିକା ଯୁଦ୍ଧରେ କ୍ଷଣକେ ଶହ ଶହ ଗାଁ ଗଣ୍ଡା, ବିଲବାଡ଼ି ଧ୍ଵଂସ ହୋଇଯିବ ।”

 

–“ମୁଁ ଭାଇ ଚାଲିଲି ଯୁଦ୍ଧକୁ । ଆମ ଦେଶ ଉପରେ ଶତ୍ରୁର ଆକ୍ରମଣ ! ଆଇ ସେଲ ସର୍ଟେନ୍‌ଲି କିଲ୍ ଦୋଜ୍ ବାଷ୍ଟାର୍ଡ଼ସ୍‌ । ବନ୍ଧୁକଟା ବହୁଦିନ ହେଲା ଅକାମୀ ହୋଇପଡ଼ିଥିଲା । ଏଥର କାମରେ ଲାଗିବ ।”

 

ବିଜୟ ଉତ୍ତେଜନାରେ ଫୁଲିଉଠୁଥିଲା । ତା’ର ମୁହଁ ଓ କାନମୁଣ୍ଡା ଲାଲ ହୋଇସାରିଥିଲା । ଆଖିରୁ ଥପ୍ ଥପ୍ ହୋଇ ଯେପରି ନିଆଁ ଝରିପଡ଼ୁଥିଲା ।

 

–“ଯିବୁ ତ ଯିବୁ ଏବେଠୁ କାହିଁକି ଡିଆଁମାରୁଛୁ ? ସେଣେ ରୋଷେଇ ଘରେ ବୋଉ ଶୁଣିବେ ତ କନ୍ଦାକଟା ଆରମ୍ଭ କରିଦେବେ । ଟିକିଏ ଥୟ ଧର । ଦେଶରେ ସୈନ୍ୟ ଆବଶ୍ୟକ ହେଲେ କ’ଣ ତୁ ଜାଣିପାରିବୁନି ?”

 

–“ତୁ ଗୋଟେ ପକ‌୍‌କା ଇଡ଼ିୟଟ୍ । ମୁଁ କ’ଣ ବର ହୋଇଛି କିରେ, ମୋତେ ଦେଶରକ୍ଷା ପାଇଁ ହୁଳହୁଳି ପକାଇ କିଏ ପାଛୋଟି ନେବ ? ରାସ୍କେଲ୍‌ଟାର ଦେହରେ ମାଛ ରକ୍ତ ବୋହୁଛି ବୋଲି, ଭାବୁଛି ଅନ୍ୟର ମଧ୍ୟ ।”

 

Unknown

–“ସାଇଲେନ୍‌ସ ପ୍ଲୀଜ୍ । ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବେ ଅଇଛା ।”

 

ପୁଣିଥରେ ସମସ୍ତଙ୍କ ଥୋମଣି ଗୋଜିଆ ହୋଇଗଲା । ରେଡ଼ିଓକୁ କେନ୍ଦ୍ର କରି ମଣିଷ ମୁଣ୍ଡଗୁଡ଼ାକ ଲଗାଲଗି ହୋଇ ରହିଲା । ପ୍ରଧାନମନ୍ତ୍ରୀଙ୍କ ଓଜନିଆ ସ୍ୱର ଭାସିଆସିଲା । ସେ କହିଲେ ଯେ, ସକାଳେ ଶତ୍ରୁ ସୈନ୍ୟ ଅଚାନକଭାବେ ଆମର କେତେକ ବିମାନବନ୍ଦର ଉପରେ ବାୟୁ ଆକ୍ରମଣ କରିଛନ୍ତି । ସୀମାନ୍ତଆଡ଼ୁ ଟ୍ୟାଙ୍କ ମାଡ଼ିଆସୁଛି । ତେଣୁ ଦେଶକୁ ରକ୍ଷା କରିବା ଲାଗି ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡ଼ିବ ।

 

ସମସ୍ତେ ମୁଣ୍ଡରେ ହାତଦେଇ ବସିଲେ । ଏତେବେଳେ ମାଙ୍ଗତା ମାଝି ଗୃହରେ ପ୍ରବେଶ କଲେ ।

 

–“ମାଝି ବାବୁ ! ଆସନ୍ତୁ, ଆସନ୍ତୁ । ଯୋଜନା ହେବ, ଲୋକେ ଚାଷବାସ କରି ଭଲରେ ଚଳିବେ ବୋଲି ପଣ କରିଥିଲେ ପରା ? ଆମେ ବନ୍ୟା, ବାତ୍ୟା, ମରୁଡ଼ି ପାଇଁ ଭଗବାନଙ୍କୁ ଗାଳି ଦେଉଥିଲେ । ଏବେ ଦେଖ, ମଣିଷ ନିଜେ ଭିଆଇଥିବା ଯୁଦ୍ଧକୁ । ଏଥର ଆଉ ଚୋପାଟା ହେବ ! ଏଥକୁ ତୁମ ହବିଷାନ୍ନଭୋଜୀମାନେ କି ଉପାୟ ରଖିଛନ୍ତି ?”

 

ମାଙ୍ଗତା ମାଝି କହିଲେ, “ଯୁଦ୍ଧ ଡାକରାକୁ ଯୁଦ୍ଧରେ ହିଁ ଜବାବ୍ ଦେବାକୁ ହେବ ।”

 

–“ତା ସତ ଯେ, ଆମର ପରା ଦେଶ ଗଠନ କାମ ଶେଷ ହୋଇନାହିଁ । ଅନେକ ଲୋକ ଦିନେ ଖାଇଲେ ଦି ଦିନ ଓପାସରେ ରହୁଛନ୍ତି । ଏମାନଙ୍କୁ ନେଇ କି ଯୁଦ୍ଧ କରିବ ?

 

–“ସେଇମାନେ ହିଁ କରିବେ । ସେମାନେ ସିନା ଉଡ଼ାଜାହାଜ ଚଳେଇ ଜାଣିନାହାନ୍ତି କିନ୍ତୁ ଦେହ ତାତିଗଲେ ଉପରମତ୍ତା ହୋଇ କ’ଣ ନାହିଁ କ’ଣ କରିଯିବେ । ଯାହା ଚାହିଁବ, ଖାଇବା ପିଇବା ଭୁଲି କରିବେ । ଆଦିବାସୀଙ୍କର ତୁମେ ଖାଲି ନିରୀହ ରୂପକୁ ଦେଖିଛ, ସେମାନଙ୍କର ଉଗ୍ର ରୂପ, ଦେଶପ୍ରୀତି ଏ ଯାଏଁ ଦେଖିନ । ଶତ୍ରୁକୁ ନଚେଇ ନଚେଇ ଥେୟା କରିଦେବେ ପରା ।”

 

–“କ’ଣ ଧନୁଶର ଧରି ? ରେ ରେ’କାର ଶବ୍ଦରେ ମେଦିନୀ କମ୍ପାଇ ?”

 

ନରେଶର କଥା ଶୁଣି ସମସ୍ତେ ହସିଦେଲେ । ମାଙ୍ଗତା ବାବୁ ମଧ୍ୟ । ସେ ଯେମିତି ନରେଶର କଥାକୁ ବାଲ୍ୟ ଚପଳତାରୂପେ ହସି ଉଡ଼ାଇ ଦେଉଥିଲେ ।

 

–“ତୁମେମାନେ ପିଲା ଲୋକ ବାବୁ । କିନ୍ତୁ ଏ ମଣିଷର ଯୁଦ୍ଧ ଦେହସୁହା ହୋଇଯାଇଛି-। ମୁଁ ଜାଣିବାରେ ଦେଶରେ ଖାଦ୍ୟଭାବ ନ ହେଲେ, ମନୋବଳ ନ ଭାଙ୍ଗିଲେ ପରାଜୟ ସମ୍ଭବ ନୁହେଁ । ଯେଉଁ ସୈନ୍ୟ ଭାଇମାନେ ଲଢ଼େଇ କରୁଛନ୍ତି, ସେମାନଙ୍କ ହାତକୁ ଅସ୍ତ୍ର, ଦେହକୁ କପଡ଼ା, ପେଟକୁ ଦାନା ଦେଶର ଅନ୍ୟ ଭାଇମାନେ ଅନବରତ ଯୋଗାଇଦେଲେ ସେମାନେ ଯୁଦ୍ଧ ଜୟ କରି ଆସିବେ ।”

 

ବିଜୟ ଧଡ଼ାସ୍ କରି ଛିଡ଼ାହେଲା । ମିଲିଟାରୀ କାଇଦାରେ ଯୋତାକୁ ଯୋତା ଠକ୍ କରି ବାଡ଼େଇ କହିଲା, “ଦାଟ୍‌ସ୍ ରାଇଟ୍ । ତୁମେ ନରେଶ ଏଡ଼େ ବୋକା ଅଛ କି ହୋ ! କିଏ ତୁମକୁ ନରେଶ ବୋଲି ରଜା ନାଁଟାଏ ଦେଲା କେଜାଣି ! ମୁଁ ତ ହୋଇଥିଲେ ନରିଆ ବୋଲି ଡାକନ୍ତି । ଏତିକି ଟିକେ ଜେନେରାଲ ନଲେଜ୍ ନାହିଁ ନା ?”

 

ନରେଶ ମୁହଁ ଲଜ୍ଜାରେ ନଇଁପଡ଼ୁଥିଲା । ଅର୍ଚ୍ଚନାଙ୍କର ମଧ୍ୟ ।

 

ବିଜୟ ଆଉ କିଛି କହିବାକୁ ଯାଉଥିଲା । ତେଣେ ରୋଷେଇ ଘରୁ ବିଜିବୋଉ ଉଚ୍ଚ ସ୍ୱରରେ ଗାଳି ଦେଇ ଦେଇ ଆସୁଥିଲେ । ହାତରୁ ହାଣ୍ଡିକଳା ପୋଛିବାକୁ ବି ସେ ଭୁଲିଯାଇଥିଲେ ।

 

–“ହଇରେ ହେ ଛତରା, ମତେ ଛାଡ଼ି ତୁ ଯୁଦ୍ଧ କରିବାକୁ ଚାଲିଯିବୁ ନାଇଁ ? ଯିବୁ ଯଦି ଏ ରାଣ୍ଡ ମା’ର ବେକରେ ଦଉଡ଼ି ଲଗେଇ ଯା । ତୋର ଭାଆରି ତ ବୁଦ୍ଧି ହୋଇଗଲାଣି ଦେଖୁଛି ।”

 

ଘର ଭିତରକୁ ପଶିଆସି ଆଖିଆଗରେ ଏତେଜଣକୁ ଦେଖିଦେଇ ବିଜିବୋଉ ପାଷାଣ ମୂର୍ତ୍ତି ପରି ଛିଡ଼ା ହୋଇଗଲେ । ଆଉ ପଦେହେଲେ କଥା ତୁଣ୍ଡରୁ ସ୍ଫୁରିଲା ନାହିଁ । କେବଳ ଦି’ଟୋପା ଲୁହ ଖସିପଡ଼ିଲା ।

 

ବୋଉଙ୍କ ପାଟି ଶୁଣୁ ଶୁଣୁ ବିଜୟ ଜିଭ କାମୁଡ଼ିଦେଇ କୁତି ପଛପଟେ ଲାଙ୍ଗୁଡ଼ ଜାକିଲା ପରି ସେ ମେଞ୍ଚାଟେ ହୋଇ ବସି ସାରିଥିଲା । ବୋଉଙ୍କୁ ସାନ୍ତ୍ଵନା ଦେବା ଭଙ୍ଗୀରେ ସେ କହିଲା, “ନାଇଁ ବୋଉ, ତୋତେ ନ ପଚାରି ଚାଲିଯିବି ବୋଲି କିଏ କହିଲା ସେ ଅଧର୍ମ କଥା ? ଦେଶରେ ଯୁଦ୍ଧ ଲାଗି ସାରିଲାଣି । ମୁଁ ନ ହେଲେ ମୋ ପରି ଅନେକ ତ ଫେରେ ଯୁଦ୍ଧ କରିବେ, ନା ନାହିଁ ? ମୁଁ ତ ଛାର ଜଣେ । ମହାଭାରତ ଯୁଦ୍ଧରେ କୁନ୍ତିଙ୍କର ପାଞ୍ଚୋଟିଯାକ ପୁଅ ଯୁଦ୍ଧ କରିଥିଲେଟି ? ଜନ୍ମ କଲା ମା’ ଯାହା, ଖାଦ୍ୟପେୟ ଦେଇ ବଞ୍ଚେଇଥିବା ଜନମମାଟି ମଧ୍ୟ ସେପରି ମା’ । ତାକୁ ରକ୍ଷା କରିବାକୁ ହିଁ ହେବ ।”

 

କିନ୍ତୁ ବାତ୍ସଲ୍ୟ ମମତା ବିଜିବୋଉଙ୍କୁ ଚାରିପଟୁ ରୁଦ୍ଧ କରିସାରିଥିଲା । ବିଜୟ ତାଙ୍କର ଏକୋଇର ବଳା ବିଶିକେଶନ, ଜୀବନର ଏକମାତ୍ର ଆଲୋକବର୍ତ୍ତିକା । ସେ ଆଖିରୁ ଆଡ଼େଇ ଯିବା ଅର୍ଥ ସମଗ୍ର ସଂସାର ଅନ୍ଧକାର ।

 

ବିଜୟ ବୋଉଙ୍କ ପାଖକୁଯାଇ ଲୁହ ପୋଛିଦେଲା । ଗୋଟିଏ ଚୌକିରେ ତାଙ୍କୁ ବସାଇ କହିଲା–“ମୋତେ ବିଶ୍ୱାସ କର, ତୋତେ ନ ପଚାରି ମୁଁ କୁଆଡ଼େ ଯିବିନାହିଁ । ହଁ ଶୁଣୁ, ଏଠି କଥାପଡ଼ିଥିଲା କ’ଣ କି, ବାଡ଼ି ବଗିଚା, ହାଟବାଟ, ଘରଦ୍ଵାର ଭିତରେ ବି ଯୁଦ୍ଧବେଳେ ଯୋର୍‌ସୋର୍ କାମ କରିବାକୁ ପଡ଼େ । ଏମିତି କାମ କଲେ ଆମ ସୈନ୍ୟମାନେ ଭଲରୂପେ ଯୁଦ୍ଧ କରିପାରିବେ । ଏହି କଥା ନରେଶ ବୁଝିପାରିଲା ନାହିଁ । ତୁ ତ ଗୁଡ଼ାଏ ପୁରାଣ ପଢ଼ି ସାରିଲୁଣି, ୟାର ମୀମାଂସା କଲୁ ଦେଖିବା ।”

 

ବୋଉଙ୍କ ସକ ସକ ଟିକିଏ କମିଲା । ବିଜୟ ପୁନର୍ବାର ମିଲିଟାରୀ କାଇଦାରେ ଛିଡ଼ାହୋଇ କହିଲା–“ଫ୍ରେଣ୍ଡସ ! ଲେଟ୍ ଅସ୍ ରିଟର୍ଣ୍ଣ୍ ଟୁ ଆୱାର୍ ଓରିଜିନାଲ୍ ଟପିକ୍ । କ’ଣ କହୁଥିଲି ତ ? ହଁ, ମନେପଡ଼ିଲା । ରୋମ୍‌ର ପତନ କେମିତି ହେଲା, ଜର୍ମାନ ଲୋକେ ଦ୍ୱିତୀୟ ପୃଥିବୀ ଯୁଦ୍ଧରେ କିପରି ହାରିଲେ ? ସବୁଗୁଡ଼ାକ ଖାଦ୍ୟାଭାବରୁ । ଇତିହାସ କହୁଛି ଦୁର୍ଗ ଭିତରେ ଖାଦ୍ୟ ସରିଗଲେ ସୈନ୍ୟଙ୍କ ହାତମୁଠା ହୁଗୁଳିଯାଏ । ସେଠୁ ପରାଜୟର ଧାରାବାହିକ ବିବରଣୀ ଶୁଣାଯାଏ । ହିଟ୍‌ଲରଙ୍କ ମହା ମହା ଯୋଦ୍ଧାମାନେ ଏଇ ଖାଦ୍ୟାଭାବରୁ ଋଷିଆର ଘନ ବରଫାବୃତ୍ତ ଅଞ୍ଚଳରେ ଶୁଖି ଶୁଖି ମରିଗଲେ । ପୌରାଣିକ ଯୁଗରେ ମଧ୍ୟ ଏହାର ସତ୍ୟତା ପ୍ରମାଣିତ । ନା କ’ଣ କହୁଛୁ ବୋଉ ? ମନେପଡ଼ୁନି, ଯତୁଗୃହ, ମହାଭାରତ ଯୁଦ୍ଧ ପରବର୍ତ୍ତୀ ସମୟର ଖାଦ୍ୟାଭାବ, ଆଉ…ଆଉ ? ଯାଃ, ତୁ ତ ତୁଛାଟାରେ ସକେଇ ହଉଚୁ । ପୁଅ ପୁଅ ବୋଲି ଏମିତି ବାଇହେଲୁଣି ଯେ ଭଗବାନ ଫଗବାନ କଥା ବି ମୁଣ୍ଡରେ ପଶୁନି ।”

 

ମୃଦୁ ହସ ଉଠିଲା । ବିଜିବୋଉଙ୍କ ସମେତ ସମସ୍ତେ ଦାନ୍ତ ଦେଖାଇଲେ ।

 

–“ଡୁ ନଟ୍ ଲାଫ୍ ଆଇ ସେ । ଯୁଦ୍ଧବେଳେ ହସାଯାଏନି । ଏଥର ଗାଁ ଲୋକଙ୍କୁ ନେଇ ବେଶି ଉତ୍ପାଦନରେ ଲାଗିବାକୁ ହେବ । ଠିକଣା ସମୟ ଆସି ପହଞ୍ଚିଛି ।”

 

ଦେବ ଗୋଟିଏ କୋଣରେ ତୁନିତାନି ହୋଇ ବସିଥିଲା । ମୁହଁରେ ଚିନ୍ତା ନେଶି ହୋଇରହିଥିଲା । ପାଟିକୁ ଚିପିଧରି ଗୋଡ଼ ଆଙ୍ଗୁଠିରେ ଗାର ଟାଣୁଥିଲା ।

 

–“କିରେ ହେ ଦେବ ! ସିଦ୍ଧ ପୁରୁଷ ପରି ମୁହଁକୁ ହାଣ୍ଡି କରି ବସିଛୁ କ’ଣ ବେ ଇଡ଼ିୟଟ୍ । କୁଛ୍ ତୋ ବୋଲ୍ ।”

 

–“ନା ମ, କିଛି ନୁହେଁ । ମୁଁ କେବଳ ଭାବୁଥିଲି ସ୍ରଷ୍ଟା ଓ ସର୍ଜ୍ଜନା ବଡ଼ ବିଚିତ୍ରମୟ । ସଂସାର ଆରମ୍ଭରୁ ଯୁଦ୍ଧର ବିରାମ ନାହିଁ । ଧ୍ଵଂସ ସର୍ଜ୍ଜନା, ବଡ଼ ବିରକ୍ତିକର । କି ସୁଖ ପାଉଛନ୍ତି ଭଗବାନ କେଜାଣି ?”

 

–“କହିଲା ରେଃ । ଗୋଟେ ଖାସ୍‌ସା କଥା ଏକା । ବାଃ ବାଃ ବାଃ । କି ଭାବନା ! କି ଚିନ୍ତା !! ସଂସାର ପ୍ରତି କି ଦରଦ !!! ଦୈବ, ତୁ କାହିଁକି ଦେବତା ହେଲୁନିରେ ? ଚିରସ୍ଥାୟୀ ନିତ୍ୟ ସୁଖ ଭୋଗ କରୁଥାନ୍ତୁ । ସବୁବେଳେ ବସନ୍ତ ଋତୁ, ସବୁବେଳେ ଫୁଲ, ମଳୟ ସୁବାସ, ସୁଖ ଆଉ ସୁ ଲାଗିଥିବା ସବୁ । ଆବେ ଗଧ, ସବୁବେଳେ ସୁଖଥିବାରୁ ଦେବତାମାନେ ବି ବୋରିଂ ଫିଲ୍ କରନ୍ତି-। ମଣିଷ ଜୀବନକୁ ଲୋଭାନ୍ତି । ଦୁଃଖ ନ ଥିଲେ କି ସୁଖ ପ୍ରାଣବନ୍ତ ହୁଏ ? ଧ୍ଵଂସନଥିଲେ କି ନୂତନ ସର୍ଜ୍ଜନା ପାଇଁ ପ୍ରେରଣା ଆସେ ? ଯୁଦ୍ଧ ପାଇଁ ଦୁଃଖ ଲାଗୁ ନାହିଁ ଯେ ତୋର ଉର୍ବର ମସ୍ତିଷ୍କକୁ ଦେଖିଲେ ଦୁଃଖ ଆସେ । ସ୍କନ୍ଦନ ବାଧତେ ରାଜନ୍, ତବ ହଲୁଆମି ବାଧତେ ।”

 

–“ଯା ହଉ, ମୋତେ କେମିତି କେମିତି ଲାଗୁଛି । ଏଁ ବିଶ୍ୱବ୍ରହ୍ମାଣ୍ଡର ଉଦ୍ଦେଶ୍ୟ କ’ଣ ? କଥାଟା ମନେପଡ଼ିନଥାନ୍ତା ଯେ, ଏମିତି ଯୁଦ୍ଧ, ବନ୍ୟା, ବାତ୍ୟା ଓ ଗଭୀର ରାତିରେ ମେଘମୁକ୍ତ ଆକାଶରେ ଟିକି ଟିକି ତାରାମାନଙ୍କୁ ଦେଖିଲେ ସ୍ଵତଃ ଏ ପ୍ରଶ୍ନ ମୋ ମୁଣ୍ଡରେ ଢୁକେ ।”

 

ମାଙ୍ଗତା ବାବୁ କପାଳରେ ହାତ ଘଷି ଘଷି କହିଲେ, ସବୁ ମହାକାଳ ଆଜ୍ଞା । ଏଥିର ଆଦି ନାହିଁ କି ଅନ୍ତ ନାହିଁ । କିନ୍ତୁ ଅଛି ଗୋଟିଏ ରୂପ । ସେଇ ରୂପ ଭେଳିକି ଦେଖାଉଛି ମଣିଷକୁ । ଆକାଶର ଗୋଟିଏ ରଙ୍ଗ ଅଛି କିନ୍ତୁ ତାର ସ୍ଥିତି କାହିଁ ?”

 

ମାଙ୍ଗତା ବାବୁଙ୍କ କଥାକୁ ଦେବ ନ ଶୁଣିଲା ପରି କହିଲା–“ଏଇ ତ ଯୁଦ୍ଧ ଲାଗିଲା । ଦୁଇଦେଶ ମୁହାଁମୁହିଁ । ଉଭୟେ ଉଭୟଙ୍କୁ ମାରିଲେ । ଯେ ଯେତେ ଅଧିକ ମାରିପାରିଲା ସେ ହେଲା ସେତେ ବଡ଼ ବୀର । ଗୋଟିଏ ମୁହୂର୍ତ୍ତରେ ଭାଇ ଭାଇ ଶତ୍ରୁରେ ପରିଣତ ହୋଇଗଲେ । ତା’ହେଲେ ଗୋଟିଏ ଦେଶର ଲୋକେ ହଠାତ୍ କିପରି ଅନ୍ୟଦେଶ ଲୋକଙ୍କର ଶତ୍ରୁ ହୋଇଯାଆନ୍ତି-?”

 

ସତେ ତ । କାଲି ଯାହାକୁ ଆମେ ମିତ୍ର କହୁଥିଲୁ ସେ ଦେଶର ଲୋକେ ଇମିତି କ’ଣ କଲେ ଯେ ରାତାରାତି ଆମର ଶତ୍ରୁ ହୋଇଗଲେ ?

 

ରବି କହିଲା–“କୌଣସି ଦେଶର ଜନତା କେବେ ଯୁଦ୍ଧ କରିବାକୁ ଚାହେଁନାହିଁ । ସେମାନେ ସବୁବେଳେ ଶାନ୍ତିକାମୀ । ପ୍ରକୃତରେ ସମସ୍ୟା ସୃଷ୍ଟି କରେ ରାଜା ବା ନେତା । ତା’ ଯୋଗୁଁ ଦେଶବାସୀ ଦୁଃଖ ଭୋଗନ୍ତି ଏବଂ ସେଇ ହିଁ ଯୁଦ୍ଧର ମୂଳ କାରଣ । ଦେଖାଯାଉଛି ଯେ, ଏହି ନେତାମାନେ । ହିଁ ସାଧାରଣତଃ ମୂର୍ଖ ଓ ଅଜ୍ଞ । କ୍ଵଚିତ ବିଦ୍ୱାନ ଲୋକେ ରଜା ହୁଅନ୍ତି । ସେ ଦେଶର ଲୋକେ ମଧ୍ୟ ଯେ ଶାନ୍ତିରେ ରହିପାରିବେ ତା’ର ଗ୍ୟାରେଣ୍ଟି ନାହିଁ । କାରଣ ପଡ଼ୋଶୀ ଦେଶର ନେତା ଯଦି ମୂର୍ଖ ହୁଏ ତେବେ ତା’ର ପ୍ରଭାବରୁ ଯୁଦ୍ଧ ମାଡ଼ିଆସେ ।”

 

ରବି ତା’ର ବକ୍ତବ୍ୟ ଶେଷ କରିବା ପୂର୍ବରୁ ବିଜୟ ରଡ଼ି ଛାଡ଼ିଲା,–“ଫିଲୋସଫି ଚର୍ଚ୍ଚା ଏତିକିରେ ବନ୍ଦ ରହୁ । ବ୍ରଦର୍ସ, ଏଥର ଆହୁରି ବେଶି ପରିଶ୍ରମ ପାଇଁ ପ୍ରସ୍ତୁତ ହୋଇଯାଅ । ଗପଟପ ବେଶିହେବା ମଧ୍ୟ ଅଳସୁଆମୀ । ବର୍ତ୍ତମାନ ସନ୍ଧ୍ୟା ଆଗତପ୍ରାୟ । ଅନ୍ଧକାର ପୂର୍ବରୁ ନୂତନ ଆଲୋକର ଅନ୍ୱେଷଣରେ ଆଗେଇଯିବା ଏକାନ୍ତ ପ୍ରୟୋଜନ ।”

 

କ୍ରମାଗତଭାବେ ପ୍ରତି ଛ’ଘଣ୍ଟା ଅନ୍ତରରେ ରେଡ଼ିଓରୁ ଯୁଦ୍ଧ ଖବର ଝରିବାକୁ ଲାଗିଲା । ଆମ ଦେଶର ବୀର ସୈନିକମାନେ ଶତ୍ରୁ ଦେଶର ଭୂମି ଭିତରେ ଆଗେଇ ଚାଲିଛନ୍ତି । ଚାରିଆଡ଼ୁ ବିଜୟର ଦୁନ୍ଦୁଭି ବାଜିଉଠୁଛି । ଆକାଶରେ ବେଳେବେଳେ ଉଡ଼ାଜାହାଜ ଚାଲିଯାଉଛି । ନେତାମାନଙ୍କ ଉତ୍ସାହବାଣୀ ଘନ ଘନ ରେଡ଼ିଓରୁ ଭାସିଆସୁଛି ।

 

କିନ୍ତୁ ତା’ ସହିତ ଏମିତି ସମ୍ବାଦମାନ ମଧ୍ୟ ଆସି ପହଞ୍ଚୁଛି–ଆଜି ଏତେ ହଜାର ଲୋକ ଏ ସ୍ଥାନରେ ମଲେ, କାଲି ଅମୁକଠାରେ ବୋମା ପଡ଼ି ଏତେଜଣ ଲୋକ ମୃତାହତ ହେଲେ ।

 

ଆଖିଆଗରେ ଭାସିଯାଏ ରକ୍ତ ନଈ । ମଣିଷ ସେଠି ବିକଳାଙ୍ଗ ଅବସ୍ଥାରେ କୁଷ୍ଠରୋଗୀ ପରି ଛଟପଟ ହେଉଛି । ମୃତ୍ୟୁ ସାଗରରେ ସେ ଲୀନ ହେଉଛି । ଚାରିଆଡ଼େ ଖାଲି ରକ୍ତର ବନ୍ୟା । ସେଠି ମଣିଷମାନେ ଲୋମହୀନ ପକ୍ଷୀ ପରି ପଦଚାରଣ କରୁଛନ୍ତି ।

 

ଗୋଟିଏ ସପ୍ତାହ ପରେ ହଠାତ୍ ଖବର ଆସିଲା ଯେ, ବାହାର ଦେଶର ସମସ୍ତ ସାହାଯ୍ୟ ବନ୍ଦ । ଏକାବେଳକେ ବନ୍ଦ । ସେ ଆଉ ଗୋଟିଏ ଯୁଦ୍ଧ ।

 

ଯେଉଁଠି ଯାହାହେଉ, କେନ୍ଦୁପଦରରେ ସମସ୍ତ ନିର୍ମାଣ କାମ ବନ୍ଦ ହୋଇଗଲା । ସାହାଯ୍ୟ ଓ ଋଣ ବଣ୍ଟନ ମଧ୍ୟ । ଟଙ୍କା ନାହିଁ କି ଧନ୍ଦା ନାହିଁ । ସରକାରୀ ଅଫିସରମାନେ ଆଉ ଗ୍ରାମକୁ ଆସୁନାହାନ୍ତି । ପୋଖରୀ ଖୋଳା, କୂଅ ଖୋଳା ସବୁଗୁଡ଼ାକ ଅଧାପନ୍ତରିଆରେ ରହିଗଲା-

 

ଅର୍ଚ୍ଚନା କେନ୍ଦୁପଦର ଛାଡ଼ିବାକୁ ମଝିରେ ଆଉ ମାତ୍ର ଦିନେ ରହିଥିଲା । ନରେଶ ଓ ଅର୍ଚ୍ଚନା ଚାଲିଯିବେ ବୋଲି ଫାର୍ମ ସଭ୍ୟମାନେ ଆଗରୁ ଜାଣିଥିଲେ ।

 

ସେଦିନ ରାତିରେ ସମସ୍ତଙ୍କୁ ହତଚକିତ କରି ନରେଶ ଓ ଅର୍ଚ୍ଚନା ଘୋଷଣା କଲେ, “ଆମେ ଯାଉଛୁ । କିନ୍ତୁ ସହର କିମ୍ବା ରାଜଧାନୀକୁ ନୁହେଁ । ଆହୁରି ଦୂରକୁ । ଯୁଦ୍ଧକ୍ଷେତ୍ରକୁ । ଅନେକ ଭାବି ଆମେଦୁହେଁ ଏଇ ସିଦ୍ଧାନ୍ତରେ ପହଞ୍ଚିଛୁ । ଦୁର୍ଭାଗା ଆହତ ସୈନ୍ୟଙ୍କ ଚିକିତ୍ସା ଓ ସେବା କରିବା ହେବ ଆମର ଲକ୍ଷ୍ୟ । କାଲି ଏପ୍ଲାଇ କରୁଛୁ । ଅର୍ଡ଼ର ଆସିବାକ୍ଷଣି ଚାଲିଯିବୁ ।”

 

ବିଜୟ ପାଗଳଙ୍କ ପରି ନରେଶକୁ ଟେକିଧରି ବହେ ଡେଇଁଲା । କହୁଥାଏ, “ବ୍ରେଭୋ ନରେଶ୍ ! ନିଜ ନାମକୁ ତୁମେ ସାର୍ଥକ କଲ । ୟୁ ଆର୍ ରିଅଲ୍‌ଲି ଏ ହିରୋ !”

 

ଚବିଶ

 

କିଏ କେଉଁ ମନ୍ତେ ଯୁଦ୍ଧର ବିଭୀଷିକା ବର୍ଣ୍ଣନା କରୁଥିଲେ । କାହାଠୁ କ’ଣ ଶୁଣି ମନରୁ ଦିପଦ ଯୋଡ଼ି ଶ୍ରୋତାମାନେ ଅନ୍ୟଠି ବକ୍ତା ସାଜୁଥିଲେ । କଥା ଶୁଣି ମାଇପେ ଲୁହ ଝରାଉଥିଲେ, ପୁରୁଷମାନେ ଛାନିଆ ହେଉଥିଲେ । ଚାରିଆଡ଼େ ଭୟର ଛାଇ । ଲୋମ ଟାଙ୍କୁରିଉଠୁଥିଲା । ହାଲୁକା ଶୁଖିଯାଉଥିଲା ।

 

ହେଇ, ସେ ଦୁଇ ପାହାଡ଼ ସନ୍ଧିରୁ ପିମ୍ପୁଡ଼ି ଧାର ପରି ସେନାମାନେ ମାଳ ମାଳ ହୋଇ ମାଡ଼ିଆସିବେ । ଢୋ ଢୋ ଶବ୍ଦରେ କାନଅତଡ଼ା ପଡ଼ିଯିବ । ବିଲବାଡ଼ି, ନଈ ନାଳ, ଘରଦ୍ୱାର ହୁ ହୁ ହୋଇ ଜଳିବ । “ମା’ ଲୋ, ବାପ ଲୋ, ମରିଗଲି ଲୋ” ଶବ୍ଦରେ ଗାଁଟା ଭରିଯିବ । କାହାର ମୁଣ୍ଡ ଗଣ୍ଡି ଦିଗଡ଼ ହୋଇଯିବ । କାହାର ହାତକୁ ସେମାନେ ଓପାଡ଼ିନେବେ । ମଣିଷମାନେ ଖଣ୍ଡିଆ ଖାବରା, ଛୋଟା, କେମ୍ପା ଓ ଅନ୍ଧ ହେବେ । ଦେହରୁ ରକ୍ତ ଝରିପଡ଼ୁଥିବ । ମାଇପିଙ୍କ କଥା କହନି । ଗଜା ଟୋକୀମାନଙ୍କୁ ବିଚ୍ ରାସ୍ତାରେ ଲଙ୍ଗଳା ମୁକୁଳା କରି ଛାତି କାଟିଦେବେ । ନ କହିବା ସ୍ଥାନରେ ଖଣ୍ଡା ଗେବିଦେବେ । ଓଃ, କି କଦର୍ଯ୍ୟ ।

 

ଏମିତି ବି ହୋଇପାରେ–କୁହାନଥିବ କି ପୁଛାନଥିବ ଶଙ୍ଖଚିଲ ପରି ଉଡ଼ିଯାଉଥିବା ଉଡ଼ାଜାହାଜ ଦେହରୁ ଥୀରି କରି ଖସିପଡ଼ିବ ଗୋଟିଏ ବୋମା । ସେଇ ଛୋଟିଆ ଜିନିଷଟି ମୁହୂର୍ତ୍ତକେ ଜାଳିଦେବ ସାରା ସଂସାରକୁ ।

 

ସରକାର ପ୍ରଚାର କରୁଛନ୍ତି–ଆମେ ମାଡ଼ିଚାଲିଛୁ । ଆମର ଜୟ । ଶତ୍ରୁଭୟ ଆଦୌ ନାହିଁ । ପ୍ରଚୁର ଶୁଣିବା ପରେ ପରେ ଯୁଦ୍ଧର ବିଭୀଷିକା ଉପରେ ଟୁପୁରୁଟାପୁର କଥା ଆରମ୍ଭ ହୋଇଯାଏ ।

 

ଏମିତି ଏମିତି କଟିଗଲା ସପ୍ତାହେଖଣ୍ଡେ । କିନ୍ତୁ ତା’ପରେ ଯେତେବେଳେ ଅକସ୍ମାତ୍ ସରକାରୀ କାମଗୁଡ଼ିକ ବନ୍ଦ ହୋଇଗଲା, ଲୋକେ ଘରେବସିଲେ ଏବଂ ଏତେବେଳେ ଯୁଦ୍ଧ ଡର ଆହୁରି ଭୀଷଣ ହେଲା । କାବା କଥା ଯେ, ସମସ୍ତ ନିର୍ମାଣ ଅଧାପନ୍ତରିଆରେ ପଡ଼ିଛି ଅଥଚ କାମ ବନ୍ଦ । ଏଇ ତ ଯୁଦ୍ଧର ଅୟମାରମ୍ଭ–ହାତରେ ନ ମାରି ଭାତରେ ମାର ।

 

ଦଶମ ଦିନ ଫାର୍ମ ତରଫରୁ ଗାଁରେ ଗୋଟିଏ ସଭାର ଆୟୋଜନ ହେଲା । ଗ୍ରାମବାସୀଙ୍କ ଛଡ଼ା କେତେକ ସରକାରୀ କର୍ମଚାରୀ ସଭାରେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଭୟ ଘାରିଥିଲା । ସଭାସ୍ଥଳୀରେ କେଚେରେମେଚେରେ ନାହିଁ । ସମସ୍ତେ ନୀରବ । ଜୁଳୁ ଜୁଳୁ ଆଖିରେ ସେମାନେ ବକ୍ତାଙ୍କୁ ଦେଖୁଥିଲେ ।

 

ସଭାପତିତ୍ଵ କରି ସିଂ ବାବୁ କହିଲେ, “ଭାଇମାନେ, ଭଉଣୀମାନେ, ମାଙ୍ଗୁଭାଇ, ବର୍‌ଜ ବାବୁ, ଦେବବର୍‌ତ ବାବୁ, ବି. ଡି. ଓ. ବାବୁ, ଆଉରି ସମସ୍ତେ ! ତମେ, ମୁଁ, ଆଉରି ସମସ୍ତେ ଜାଣିଛୁ, ବିପଦ ଆସିଲା । ଶତ୍ରୁ ମାରଣା ୟାପେ ଆମ ରାଇଜ ଉପରେ କ୍ଷେପିଗଲେ । ହେଲେ ହେଃ ହେଃ, ଆମେ ବି ଛାଡ଼ିବା ଜନ୍ତୁ ନୋହୁ । ମାରି ମାରି ଚଣ୍ଡାଳଙ୍କୁ ଘଉଡ଼ୁଛୁ । ତମେ ଡର କର ନାହିଁ; ହେଲେ କେତେବେଳେ ହୁ ଧାପରେ ଦର୍କାରପଡ଼ିଲେ କିସ କିସ କରିବାକୁ ପଡ଼ିବ ଜ୍ଞାନବନ୍ତ ଲୋକଙ୍କଠୁ ଶୁଣିବା । (ହେଲେ ତୁହି ପହିଲେ କହିବୁ କିଓ ମାଙ୍ଗୁ ? କ’ କ’) । ଏବେ ମୁଇଁ ଆମର ଜାଣିଲାର୍, ଶୁଣିଲାର୍ ଗାଁ ଲୋଗ୍ ମାଙ୍ଗୁକୁ କିଛି କହିବାପେଇଁ ଡାକୁଛି ।”

 

ମାଙ୍ଗ୍‍ତା ବାବୁ କହିଲେ, “ଯୁଦ୍ଧ ଲାଗିଛି ବୋଲି ତୁମ୍ଭେମାନେ ମୋଟେ ଛାନିଆ ହେବା ଉଚିତ ନୁହେଁ । ଭୟକଲେ, ଆହୁରି ଆହୁରି ଭୟ ଘାରିବ । ଆଜି କାଲିର ଯୁଦ୍ଧପାଇଁ ଯେପରି ବୁଦ୍ଧିଆ ସୈନ୍ୟ ଦରକାର, ସେପରି ସୈନ୍ୟ ଆମ ଦେଶରେ ଅଛନ୍ତି । ସେମାନେ ଶତ୍ରୁକୁ ହଟାଉଛନ୍ତି-।”

 

–“ହଇରେ ଛତରଖିଆ ପିଲା ! ଆଉଥରେ ସକେଇହେଲେ ଗାଲରେ ଠୋକିନା ବସେଇଦେବି ଜାଣିଥା ।”

 

–“କହିଦେଲେ ତୁନି ପଡ଼ିବ କିଲୋ ? ତା’ ତୁଣ୍ଡରେ ଟିକିଏ ଧରେଇଦଉନୁ ।”

 

ମାଙ୍ଗ୍‍ତା ବାବୁ କହୁଥିଲେ, “ଆମର ବୀର ସୈନିକମାନେ ତୁମକୁ ରକ୍ଷାକରିବା ପାଇଁ ଖରା କାକରରେ ପ୍ରାଣକୁ ମୂର୍ଚ୍ଛି ଲଢ଼ୁଛନ୍ତି । ସେଇ ଭାଇମାନଙ୍କ ହାତକୁ ଅସ୍ତ୍ର, ଦେହକୁ ବସ୍ତ୍ର ଓ ପେଟକୁ ଖାଦ୍ୟ ଯୋଗାଇଦେଲେ ସିନା ବେଶିଦିନ ଭଲକରି ଲଢ଼ିବେ । ଯୁଦ୍ଧ ଦିନ କେତୁଟାରେ ସରିଯାଏ ନାହିଁ, ମାସ ମାସ ଧରି ଲାଗିରହେ । ତେଣୁ ସେମାନଙ୍କର ଦରକାରୀ ଜିନିଷମାନ ଯୋଗାଇବାକୁ ହେଲେ ଦେଶରେ ଯଥେଷ୍ଟ ଉତ୍ପାଦନ ଆବଶ୍ୟକ । ତା’ହେଲେ ଆମର ନିଶ୍ଚିତ ଜୟ ବୋଲି ଜାଣ । ହେଇ ଦେଖ, ଆମେ ଜିଣୁଛୁ ବୋଲି କେତେ ଦେଶର ନେତାମାନେ ହିଂସାରେ ଜଳିଯାଉଛନ୍ତି । ତେଣୁ ସମସ୍ତେ ସାହାଯ୍ୟ ବନ୍ଦ କରିଛନ୍ତି । ତା’ର ଅସଲ ଉଦ୍ଦେଶ୍ୟ ହେଲା, ଆମ ସୈନ୍ୟଙ୍କ ଚାହିଦା ପୂରଣ ନ ହେଉ । ଏ ସମୟରେ ଆମେ ଯଦି ବିଲବାଡ଼ିରୁ ଯଥେଷ୍ଟ ନ କମେଇବା ତେବେ ଅଳ୍ପଦିନ ପରେ କନ୍ତାର ପଡ଼ିଯିବ । ଦରଦାମ ବଢ଼ିବ । ତେଣେ ସେନାଙ୍କ ମନୋବଳ ଭାଙ୍ଗିଯିବ । ତେଣୁ ଚାଲନ୍ତୁ, କାଲିଠୁ ଅଧିକ ଉତ୍ପାଦନରେ ଲାଗିବା ।”

 

ମାଙ୍ଗତା ବାବୁଙ୍କ ପରେ ସରକାରୀ କର୍ମଚାରୀମାନେ କହିଲେ ଯେ, ବାହାରୁ ସାହାଯ୍ୟ ବନ୍ଦହେଲେ ମଧ୍ୟ ଯୋଜନାମାନ କାର୍ଯ୍ୟକାରୀ ହେବ । କିନ୍ତୁ ଟିକିଏ ଡେରିରେ । ଲୋକମାନେ ପରଠୁ ମାଗଣା ପାଇବା ଆଶା ପରିହାର କରନ୍ତୁ ।

 

ବ୍ରଜ କହିଲା–“ଗାଁର କୌଣସି ଜମି ପଡ଼ିଆ ରହିବ ନାହିଁ । ସରକାରୀ ଋଣ ଓ ସାହାଯ୍ୟର କିଛି ଅଂଶ ଏବେମଧ୍ୟ ଲୋକଙ୍କ ପାଖରେ ଥିବ । ତାକୁ ବିନିଯୋଗ କରି, ଅଧା ଖୋଳା କୂଅ ପୋଖରୀକୁ ସମବେତ ଚେଷ୍ଟାରେ ପୂର୍ଣ୍ଣ କରି ଆଗେଇବାକୁ ପଡ଼ିବ । ତା’ ଛଡ଼ା ନୂଆ ନୂଆ କୂଅ ଖୋଳାଯିବ । ତେଣ୍ଡା ଓ ପମ୍ପ୍‌ରେ ପାଣିଉଠାଇ ଜଳସେଚନ ହେବ । ଫାର୍ମ ସଭ୍ୟ ଓ ସରକାରୀ ଲୋକେ ସବୁମନ୍ତେ ସାହାଯ୍ୟ କରିବେ । ଯେଉଁମାନଙ୍କର ପ୍ରଚୁର ଜମି ଅଛି ସେମାନଙ୍କର କିଛିଅଂଶ ଭୂମିହୀନଙ୍କୁ ଚାଷ କରିବାପାଇଁ କିଛିଦିନ ଛାଡ଼ିଦିଅନ୍ତୁ । ଜମି ମାଲିକ ଭୂମି ସମ୍ବନ୍ଧୀୟ ତା’ର ପ୍ରାପ୍ୟ ଅବଶ୍ୟ ପାଇବ ।”

 

ବିଜୟ କହିଲା, “ପ୍ରତ୍ୟେକ ଗାଁକୁ ଗୋଟିଏ ଦୁର୍ଗ ଭଳି ଗଢ଼ିବାକୁ ହେବ । ଦରକାର ପଡ଼ିଲେ ଅନ୍ୟ କାହା ଉପରେ ନିର୍ଭର ନ କରି ଚଳିଯିବାକୁ ହେବ । ଏପରିକି କିରୋସିନି ନ ମିଳିଲେ ପୁଲାଙ୍ଗ ତେଲ ବ୍ୟବହାର କରିବା । ଆମେ ଗଢ଼ିବା ଭଲ ବଢ଼େଇ, ଭଲ କମାର, ଭଲ କୃଷକ ଇତ୍ୟାଦି । ତା’ହେଲେ କାମ କରିବାକୁ ସୁବିଧା ହେବ । ଉଦାହରଣ ସ୍ୱରୂପ କାମ କରୁ କରୁ କାହାର ଲଙ୍ଗଳ ଫାଳ ଭାଙ୍ଗିଗଲା ତ ସଙ୍ଗେ ସଙ୍ଗେ ତାହା ତୟାର ହୋଇପାରୁଥିବ । ସ୍ତ୍ରୀ ଲୋକଙ୍କ ପାଇଁ ମଧ୍ୟ ଅନେକ କାମ ରହିଛି । ଥରେ କାର୍ଯ୍ୟାରମ୍ଭ ହେଲେ ଆପେ ଆହୁରି ଅନେକ ଧନ୍ଦା ଜୁଟିଯିବ ।

 

ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି ଥିଲାବାଲାଙ୍କ ଦାୟିତ୍ଵ ବେଶି । ସେମାନେ ଆଗରୁ ସାବଧାନ ହୋଇ ଲୋକଙ୍କ ସହିତ ସହଯୋଗ କରି ଉତ୍ପାଦନ ବଢ଼ାନ୍ତୁ ।”

 

ଆଲୋଚନା ପରେ ସର୍ବସମ୍ମତିକ୍ରମେ ଗୃହୀତ ଏକ ପ୍ରସ୍ତାବରେ କୁହାଗଲା ଯେ, ଉତ୍ପାଦନ ବୃଦ୍ଧି ଓ ଗାଁର ଉନ୍ନତି ପାଇଁ ଗୋଟିଏ କମିଟି ଗଠନ କରାଯିବ । ତା’ର ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟ ହେବ । କମିଟିର ବୈଷୟିକ ସାହାଯ୍ୟ ସହଯୋଗକୁ ନେଇ କୃଷକମାନେ ନିଜ ନିଜର ଜମିରେ ଚାଷ କରିବେ । ଗାଁରେ ବେକାର ରହିଥିବା ସ୍ତ୍ରୀ ପୁରୁଷଙ୍କୁ ମଧ୍ୟ କମିଟି ଧନ୍ଦା ଯୋଗାଇ ଦେବ । ସରକାରୀ କର୍ମଚାରୀଙ୍କଠୁ ସାହାଯ୍ୟ ଓ ପରାମର୍ଶ ଗ୍ରହଣ କରାଯିବ । କମିଟିରେ ରହିଲେ ବଳଭଦ୍ର ସିଂ, ସନିଆଁ ଡମ୍ବ, ଶୁକ୍ରୁ ପରଜା, ବୀରଭଦ୍ରୁଡ଼ୁ, ବ୍ରଜ, ଦେବ ଓ ବିଜୟ । ନୂତନ ଆଶା, ବିଶ୍ଵାସ ଓ ଉତ୍ସାହରେ ଗ୍ରାମବାସୀମାନେ ସଭାରୁ ଫେରିଲେ । ଭାଗବତ ଟୁଙ୍ଗିରେ କମିଟି ସଭ୍ୟମାନେ ଗଭୀର ରାତିଯାଏଁ ଆଲୋଚନାରେ ରତ ରହିଲେ । ପର୍ଯ୍ୟାୟସ୍ତରରେ କେଉଁ କାମ କିପରି ହାତକୁ ନିଆଯିବ ତାହା ସ୍ଥିର କରାଗଲା ।

 

ତା’ ଆରଦିନଠୁ କେନ୍ଦୁପଦରରେ କାମ ଆରମ୍ଭ ହେଲା । ନଈ କୂଳରେ ଥିବା ଜମିରେ ମାଣ୍ଡିଆ ଓ ଡାଳୁଅ ଧାନ ଚାଷ ପାଇଁ ଭୂଇଁ ଚଷା କାମ ଚାଲିଲା । ଅନ୍ୟାନ୍ୟ ଜମିରେ ଠାଏ ଠାଏ କୂଅ ଖୋଳା ଚାଲିଲା । ମାତ୍ର ତିନିଶହ ଏକରରେ ଚାଷ କରାଯାଇପାରିବ । ପଚାଶ ଏକରରେ ଡାଳୁଅ ଧାନ, ଶହେ ଏକରରେ ମାଣ୍ଡିଆ, ପଚାଶ ଏକରରେ ମକା ଏବଂ ବିକ୍ଷିପ୍ତ ହୋଇ ପଡ଼ିଥିବା ଅନ୍ୟାନ୍ୟ ଶହେ ଏକରରେ ପନିପରିବା ଓ ଅନ୍ୟାନ୍ୟ ଫସଲ କରିବାକୁ ସ୍ଥିରୀକୃତ ହୋଇଛି ।

 

ୱ୍ୟାର୍କସପ୍‌ରେ କୋଇଲା ଚୁଲି ଲାଗିଲା । ଗାଁର ଯେତେ ଚାଷୋପଯୋଗୀ ହତିଆର ଅକାମୀ ହୋଇ ପଡ଼ିଥିଲା ସେଗୁଡ଼ିକ ମରାମତି ହେବ । ଲଙ୍ଗଳ ଫାଳ, କଟୁରି, କୁରାଢ଼ି, କୋଦାଳ ନୂଆରେ ପଜା ହେବ । ଗାଁରୁ ଭଙ୍ଗା ଲୁହା ଜିନିଷ ଏକାଠି କରି ସେଥିରୁ ନୂଆ ହତିଆରମାନ ତୟାର ହେବ । ଅଙ୍ଗାର ଗାଁରୁ ଜଣେ କମାର ଆସିଲା । କେନ୍ଦୁପଦରର ଚାରିଜଣ ଯୁବକ ଏହି କାମରେ ରହିଲେ ।

 

ତା’ ସହିତ ଚାଲିଲା ହାଣ୍ଡି ଗଢ଼ା, କାଠ କାମ, ଗାଈ ଗୋରୁଙ୍କ ପାଇଁ ଗୋଖାଦ୍ୟ ପ୍ରସ୍ତୁତି, ଏଣେତେଣେ ପଡ଼ିଥିବା ହାଡ଼ରୁ ହାଡ଼ଗୁଣ୍ଡ ପ୍ରସ୍ତୁତି, ଗାଁ ମଇଳା ଗୋଟିଏ ସ୍ଥାନରେ ଜମା କରି ଖତ ସଂରକ୍ଷଣ ଆଦି ଅନେକ କାମ । ପ୍ରଥମ ଦିନ ଅବଶ୍ୟ କିଏ କୋଉ କାମ କରିବ ସ୍ଥିର କରିବାରେ ଟିକିଏ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । କିନ୍ତୁ କ୍ରମେ କାମ ଅନୁସାରେ ଲୋକ ବାଣ୍ଟି ହୋଇଗଲେ ।

 

କେନ୍ଦୁପଦର ଗାଁର ଲୋକେ ଦିନ ତମାମ ଯନ୍ତ୍ର ପରି ହାଲିଆ ନ ହୋଇ କାମ କରୁଥିଲେ । ହାଡ଼ଭଙ୍ଗା ପରିଶ୍ରମ ପରେ, ରାତିରେ ଦୁଶ୍ଚିନ୍ତା ଉଭେଇଯାଉଥିଲା । ନିଶ୍ଚିନ୍ତରେ ଲୋକେ ଟିକିଏ ଶୋଇପାରୁଥିଲେ । ପାହାନ୍ତିଆରେ କୁଆ କା’ କରୁ କରୁ ବନାମାଷ୍ଟେ ଓ ମାଙ୍ଗତା ମାଝି ଘର ଘର ବୁଲି ଲୋକଙ୍କୁ ନିଦରୁ ଉଠେଇ ଦେଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ, ରାମାୟା ମଧ୍ୟ ଉତ୍ପାଦନ କାମରେ ମନ ଦେଇଥିଲା । ଇଂଜିନିୟର ଯୋଗେଶ ବାବୁଙ୍କ ପୂର୍ବ କଥାନୁସାରେ ସେ ଦେବ ସହିତ କୂଅ ପୋଖରୀ ଖୋଳା, ଘର ତିଆରି ଇତ୍ୟାଦି କାମରେ ଖଟୁଥିଲା । ସକାଳୁ ସନ୍ଧ୍ୟାଯାଏଁ ସେ ଦେବର ପଛରେ ଗୋଡ଼ାଏ ।

 

କେନ୍ଦୁପଦରର କାମକୁ ଦେଖି ନାରୀଗାଁରେ ମଧ୍ୟ ଲୋକେ ଅଧିକ ଉତ୍ପାଦନରେ ମନ ବାଳାଇଲେ । ସେଠି ପ୍ରାୟ ଦୁଇଶହ ଏକର ଜମିରେ ଚାଷକାମ ଆରମ୍ଭ ହୋଇଗଲା ।

 

ପ୍ରତିଦିନ ସନ୍ଧ୍ୟାରେ ଗାଁ ଲୋକେ ଭାଗବତ ଟୁଙ୍ଗିରେ ଏକତ୍ରିତ ହୋଇ ଦେଶକଥା, ଗାଁ କଥା, ଯୁଦ୍ଧର ଘଟଣାବଳୀ, ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରୁଥିଲେ । ପୁରାଣ ପାଠ ବି ହେଉଥିଲା ।

 

ଆରତି ଘର ଘର ବୁଲି ସ୍ତ୍ରୀ ଓ ପିଲାମାନଙ୍କୁ ସ୍ୱାସ୍ଥ୍ୟରକ୍ଷା, ବୁଣାବୁଣି, ସିଲେଇ ଆଦି ଶିଖାଉଥିଲା ।

 

କେନ୍ଦୁପଦରରେ କାର୍ଯ୍ୟାରମ୍ଭର ପନ୍ଦର ଦିନ ପରେ ହଠାତ୍ ଦିନେ ଖବର ପହଞ୍ଚିଲା ଯେ ଯୁଦ୍ଧ ବନ୍ଦ ହୋଇଛି । ଗାଁ ଲୋକେ ଟିକିଏ ସୁସ୍ଥି ଅନୁଭବ କରିବା ପୂର୍ବରୁ ମାଙ୍ଗତା ମାଝି ଘର ଘର ବୁଲି ଲୋକଙ୍କୁ ବୁଝାଇବାକୁ ଲାଗିଲା–ଯୁଦ୍ଧ ବନ୍ଦ ହୋଇନାହିଁ । ଉପର ଦେଖା ନିଆଁହୁଳା କେବଳ ଲିଭିଛି । ତଳେ ଯେଉଁ ରଡ଼ ନିଆଁକୁ ସେଇ ରଡ଼ ନିଆଁ । କେବେ ଆଉଥରେ ଯୁଦ୍ଧ ଲାଗିଯିବ ଠିକଣା ନାହିଁ । ଏବେଠୁ ଶକ୍ତି ସଞ୍ଚୟ କଲେ ଶତ୍ରୁ ଆକ୍ରମଣ କରିବାକୁ ଡରିବ । ଏବେ ବାହାର ଦେଶର ସାହାଯ୍ୟ ବନ୍ଦ ହୋଇଛି । ତା’ ଉପରେ ବନ୍ୟା, ଦୁର୍ଭିକ୍ଷ, ମରୁଡ଼ି ଆଦି ପ୍ରାକୃତିକ ଯୁଦ୍ଧ ସବୁବେଳେ ରହିଛି । ତେଣୁ କାମ କରି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପଡ଼ିବ ।

 

ଅର୍ଚ୍ଚନା କେତେଦିନ ଛୁଟି ବଢ଼େଇ ଫାର୍ମରେ ରହିଥିଲେ । ଯୁଦ୍ଧ ବନ୍ଦ ହେବାରୁ ତାଙ୍କର ଓ ନରେଶର ଯୁଦ୍ଧ କ୍ଷେତ୍ରକୁ ଯିବା ନୋହିଲା । ଛୁଟି ପରେ ଅର୍ଚ୍ଚନା ଚାଲିଗଲେ ସୁଦୂର ସହରକୁ । ନରେଶ ବି କେବେ କେନ୍ଦୁପଦର ଛାଡ଼ି ଚାଲିଯିବ ଠିକଣା ନାହିଁ ।

 

ଯୁଦ୍ଧ ବନ୍ଦହେଲେ ମଧ୍ୟ ଗାଁରେ ଫାର୍ମ ସଭ୍ୟଙ୍କ ଉତ୍ସାହ ଓ ସହଯୋଗରେ କୃଷି ଓ ଅନ୍ୟାନ୍ୟ କର୍ମ ଆଗେଇଚାଲିଛି । ଫାର୍ମ ସମେତ ଅନ୍ୟାନ୍ୟ ସ୍ଥାନରେ ସର୍ବମୋଟ ଚାରିଶହ ଏକର ଜମିରେ ଲଙ୍ଗଳ ବୁଲିଲା । ଟ୍ରାକ୍ଟର ଚାଲିଲା । ବିହନ ବୁଣାହେଲା । ମଣିଷମାନେ ମୁଣ୍ଡରେ ଠେକା ଭିଡ଼ି ପାଣିଉଠାଇଲେ । ନଈକୂଳରେ ପମ୍ପ୍ ଚାଲିଲା । ଭୂଇଁ ଫାଡ଼ି ଗଜା ବାହାରିଲା । ମାର୍ଚ୍ଚ ମାସର ମଧ୍ୟଭାଗକୁ ଗଛଗୁଡ଼ିକ ଚାଖଣ୍ଡେ ଉଚ୍ଚା ।

 

ସୂର୍ଯ୍ୟ ଉଦୟ ପୂର୍ବରୁ ହଳିଆ ବୁଢ଼ା ବିଲ ହିଡ଼ରେ ଛିଡ଼ାହୋଇ ସବୁଜ ଜମିକୁ ଦେଖି ଆଶ୍ଚର୍ଯ୍ୟ ହୁଏ । ଚଇତ ମାସରେ ଚାଷ ହେବା ଜୀବନରେ ସେ କେବେ ଦେଖିନଥିଲା । କିସ ପୁଣି ଦେଖାନଯାଏ, ଜିଇଁଥିଲେ ଜୀବରେ ।

 

ଏପ୍ରିଲ ମାସରେ ଆଉ ତିନୋଟି ଫାର୍ମ ପ୍ରତିଷ୍ଠା କରିବାପାଇଁ ଆୟୋଜନ ଚାଲିଛି । ଦୁଇଟି ଫାର୍ମ ଚେମ୍ମାପୁର ଓ ନାରୀଗାଁ ପାଖରେ । ଜୟନ୍ତୀ ନଗରର ଚାରି ମାଇଲ ଦୂରରେ ଷାଠିଏ ଏକରର ଆଉ ଗୋଟିଏ ଡାଇରି ଫାର୍ମ । ମାଟି ପରୀକ୍ଷା, ସ୍ଥାନ ନିରୂପଣ ଆଦି ଅନେକ ପ୍ରାରମ୍ଭିକ କାର୍ଯ୍ୟ ପ୍ରଗତି ଫାର୍ମର ସଭ୍ୟମାନେ ଆଗରୁ ଶେଷ କରିଥିଲେ । ରାଜଧାନୀରେ ଯୋଗେଶ ବାବୁ ମଧ୍ୟ ଅନେକ ସାହାଯ୍ୟ କରିଥିଲେ ।

 

ଜମି ଓ ଫାର୍ମ ମଞ୍ଜୁର ହେଲାପରେ ତିନୋଟି ଫାର୍ମର ଅଠର ଜଣ ସଭ୍ୟ କେନ୍ଦୁପଦରରେ ଆନନ୍ଦ ଗଦ୍‌ଗଦ ହୋଇ ପହଞ୍ଚିଲେ । ଜଣାଯାଉଥିଲା ଏଇମାନେ ହିଁ ବିଗତ ଯୁଦ୍ଧରେ ସୈନ୍ୟ ଥିଲେ । ଏବେ ବିଜୟୋଦ୍ଦୀପକ ଉଲ୍ଲାସରେ ମାତିଉଠିଛନ୍ତି । ଦିନସାରା ଆଲୋଚନା କରି ସ୍ଥିର କରାଗଲା ଯେ ଶ୍ରୀକାନ୍ତ, ରବି, ବିଜୟ, ଦେବ ଆଦି ସଭ୍ୟମାନେ ବେଳେବେଳେ ନୂତନ ଫାର୍ମଗୁଡ଼ିକୁ ଦେଖିଆସୁଥିବେ । ଗାଁରେ ଚାଲିଥିବା ଖରାଦିନିଆ ଫସଲରେ ଯଦି ଲାଭ ମିଳେ ତେବେ ଗ୍ରାମବାସୀଙ୍କ ମନରେ ଉନ୍ନୟନ ପାଇଁ ଧାରଣା ଓ ବିଶ୍ଵାସ ଜାଗ୍ରତ ହେବ-। ତା’ପରେ ପ୍ରଗତି ଫାର୍ମରୁ ତିନିଜଣ ସଭ୍ୟ ନୂତନ ଫାର୍ମଗୁଡ଼ିକୁ ଯାଇ ସେଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକାରୀ ହେବାପର୍ଯ୍ୟନ୍ତ ରହିବେ ।

 

ମଇ ମାସରେ ନୂତନ ଫାର୍ମଗୁଡ଼ିକର ଉଦ୍‌ଘାଟନ କରାଗଲା । ପ୍ରଗତି ଫାର୍ମର ପଦାଙ୍କ ଅନୁସରଣ କରି କାର୍ଯ୍ୟସୂଚୀ ପ୍ରସ୍ତୁତି ହେଲା । ସମସ୍ତ ଫାର୍ମରେ ଏକପ୍ରକାର ଫଳଗଛ ଲଗାହେଲା-

 

ମଇ ମାସ ମଧ୍ୟଭାଗରେ ଗାଁରେ ଡାଳୁଅ ଧାନ, ମକା ଓ ମାଣ୍ଡିଆ ଅମଳ ହେଲା । ପନିପରିବା ଫଳିବାକୁ ଆରମ୍ଭ ହୋଇସାରିଥିଲା । କମିଟିର ପରାମର୍ଶକ୍ରମେ ପ୍ରତ୍ୟେକଙ୍କ ଜମିରେ ଉତ୍ପାଦିତ ଶସ୍ୟର ମୂଲ୍ୟାଙ୍କନ କରାଗଲା । ଋଣ ଟଙ୍କା ଶୁଝିଦିଆଗଲା, ପମ୍ପ୍ ଓ ଟ୍ରାକ୍ଟର ବାବଦ ଖର୍ଚ୍ଚ ଫାର୍ମ ପାଣ୍ଠିକୁ ଗଲା ।

 

ବଳଭଦ୍ରଙ୍କ ସମେତ ତିନିଜଣ ଧନୀ ଲୋକ ଚାଷପାଇଁ ଦେଇଥିବା ଶହେ ଏକର ଜମି ବିବାଦ ପ୍ରାପ୍ୟ ଶୁଝି ବଳକା ଟଙ୍କା ଗୋଟିଏ ପାଣ୍ଠିରେ ରଖାଗଲା । ପରିମାଣ ମୋଟେ ତିନିହଜାର ଟଙ୍କା । ଏହି ଟଙ୍କା ଆସନ୍ତା ବର୍ଷା ଦିନିଆ ଫସଲ ପାଇଁ ଦରିଦ୍ର କୃଷକଙ୍କୁ କମ୍ ହାର ସୁଧରେ ଋଣ ଦିଆଯିବ ।

 

ଯେଉଁମାନେ ଖରାଦିନିଆ ଚାଷ କରିଥିଲେ ସେମାନେ କିଛି କିଛି ଲାଭ ପାଇଲେ । ଆସନ୍ତା ଫସଲ ପାଇଁ ଋଣ ପରିମାଣ କମିଗଲା । ସେମାନଙ୍କ ମନରେ ଜାଗରଣ ଅଙ୍କୁରିତ ହେଲା-। କେବଳ ଆକାଶକୁ ପାଣି ପାଇଁ ଅପେକ୍ଷା ନ କରି ଭୂଇଁ ତଳୁ, ନଈରୁ ପାଣିଉଠେଇ ଶୀତ ଶେଷରେ ବି ଚାଷ ହୋଇପାରିବ । ଚନ୍ଦ୍ରାବତୀ ଥିଲେ ଆଉ କି ଭୟ ?

 

ଅଧିକ ଚେତନା ପାଇଲେ ସେ ଲୋକେ, ଯେଉଁମାନେ କୁହାବୋଲା ପରେ ବି ଅଳସୁଆ ହୋଇ ଘରେ ବସିଥିଲେ । ଆଖିଆଗରେ ନାଟକ ଭଳି ଯେତେଗୁଡ଼ିଏ ଘଟଣା ଘଟିଗଲା ସେଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଦିନରାତି ପରିଶ୍ରମ କରୁଥିବା ପାଖପଡ଼ିଶାଙ୍କ ଭିତରେ ନିଜର ନିଷ୍କର୍ମା ଜୀବନ ବଡ଼ ଦୁର୍ବିସହ ହୋଇଉଠୁଥିଲା । ଶେଷରେ ଲାଭ ଟଙ୍କାକୁ ଦେଖି ମନେମନେ ପଣ କଲେ–ଜମି ସେମାନଙ୍କର ବି ଅଛି । ଚନ୍ଦ୍ରାବତୀ ତାଙ୍କ ପାଇଁ ମଧ୍ୟ ବୋହୁଛି । ଆର ସନଠୁ ଦେଖିବା କିମିତି ଏ ମଣିଷ ଦୁଇଟା ଫସଲ ନ ଉତାରିବ ?

 

ଚାଷ ସଙ୍ଗେ ସଙ୍ଗେ କେତୋଟି ନୂଆ ଧନ୍ଦା ବିଜୟର ଯତ୍ନରେ ଆରମ୍ଭ ହୋଇଛି । କମାରଶାଳ, ଛୋଟ ବଢ଼େଇ କାରଖାନା, ଇଟା ଭାଟି, ଯନ୍ତ୍ର ମରାମତି କାରଖାନା, କୁମ୍ଭାର ଶାଳ ଓ ଗୋଟିଏ ତେଲଘଣା କାର୍ଯ୍ୟକାରୀ ହେବା ଉପରେ । ବିଜୟ ସକାଳୁ ସନ୍ଧ୍ୟାଯାଏଁ ମଙ୍କି କ୍ୟାପ୍, ହାପ୍ ପ୍ୟାଣ୍ଟ୍ ଓ ହାୱାନି ପିନ୍ଧି ମାଙ୍କଡ଼ ଡେଇଁଲା ପରି ଏଠାରୁ ସେଠାକୁ, ସେଠାରୁ ଏଠାକୁ ହେଉଥାଏ । ଶିକ୍ଷା କରୁଥିବା ଯୁବକମାନଙ୍କୁ ବହେ ଇଂରାଜି ଗାଳି ଝାଡ଼େ । ଆରତି ମଧ୍ୟ କେତେଜଣଙ୍କୁ ବୁଣାବୁଣି ଓ ସିଲେଇ ଶିଖେଇ ସାରିଲାଣି । ଜଣେ ଡମ୍ବ ତ ନିଶ୍ଚୟ କରିଛି, ଗୋଟିଏ ସିଲେଇ ମେସିନ୍ କିଣି ଜାମା ପ୍ୟାଣ୍ଟ ତୟାର କରିବ ।

 

ଜୁନ୍ ମାସରେ ଆସନ୍ତାବର୍ଷ ପାଇଁ ଚାଷ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ଚାଲିଲା । ଏତେଗୁଡ଼ାଏ ଜମିରେ ଗଭୀର କୂଅରୁ ପାଣିଉଠେଇ ଜଳସେଚନ କରିବା କଷ୍ଟସାଧ୍ୟ । ତେଣ୍ଡାରେ ପାଣି ଉଠେଇବା ଯେତିକି ସମୟସାପେକ୍ଷ ସେତିକି ବିରକ୍ତିକର । ଅବଶ୍ୟ ବିଜୟ ତେଣ୍ଡୁରା ବାଡ଼େଇ କହିବୁଲୁଛି ଯେ, ସେ ସାଇକଲ ଚକକୁ ନେଇ ଏକପ୍ରକାର ଯନ୍ତ୍ର ଉଦ୍ଭାବନ କରିବ ଯଦ୍ଦ୍ୱାରା ଜଣେ ବାଳକ ମଧ୍ୟ ଗୋଟିଏ ଚୌକି ପରି ସିଟ୍‌ରେ ବସି ଗୋଡ଼ରେ ପ୍ୟାଡ଼େଲ୍‌ ମାରି ପାଣି ଉଠାଇପାରିବ । ସେ ଦିଗରେ ସାଫଲ୍ୟ ଲାଭ ପାଇଁ ସେ ଦିନରାତି କାମ କରୁଛି । ତଥାପି ଏମିତି ହାତ ଗୋଡ଼ ହଲେଇ ଗୁଡ଼ାଏ ଜମି ଚାଷ କରିହେବ ନାହିଁ । ତେଣୁ ପମ୍ପ୍ ସାହାଯ୍ୟରେ ପାଣି ଉଠାଇବା ଦରକାର ।

 

ସମଗ୍ର ଗାଁ ପାଇଁ ପାଞ୍ଚଟି ପମ୍ପ୍ ହେଲେ ଯଥେଷ୍ଟ । ବର୍ଷାଦିନିଆ ଫସଲରେ ଯାହା ଅଧିକା ଲାଭ ମିଳିବ ସେଥିରେ ପମ୍ପ୍ କିଣାଯିବ । କିନ୍ତୁ ଡିଜେଲ ତେଲରେ ପମ୍ପ୍ ଚଳାଇବା ବିଶେଷ ଖର୍ଚ୍ଚସାଧ୍ୟ । ବିଜୁଳି ଶକ୍ତି ହିଁ ସବୁଠାରୁ ଶସ୍ତା । ଗାଁକୁ ବିଜୁଳି ଆସିଲେ ଘର, ରାସ୍ତା ଆଲୁଅ ହେବ । ଛୋଟ ଛୋଟ ଗ୍ରାମ୍ୟ ଶିଳ୍ପ କାର୍ଯ୍ୟକାରୀ କରିହେବ । ବିଦ୍ୟୁତ୍ ଶକ୍ତିର ଉପଯୋଗିତା ଓ ତାହା ଜୟନ୍ତୀନଗରରୁ ଗାଁକୁ ଆଣିବାକୁ ହେଲେ ଲୋକଙ୍କର କିପରି ମିଳିତ ଉଦ୍ୟମ ଦରକାର ସେ ସବୁ ଗ୍ରାମବାସୀଙ୍କୁ ବୁଝାଇ ଦିଆଗଲା ।

 

ଗାଁ ଲୋକେ ସମ୍ମତି ଜଣାଇଲେ । ସଙ୍ଗେ ସଙ୍ଗେ ବିଦ୍ୟୁତ୍ ଇଂଜିନିୟରଙ୍କୁ ଦରଖାସ୍ତ ଲେଖାହେଲା । ପ୍ରାୟ ତିନିଶହ ଲୋକ ଦରଖାସ୍ତ କଲେ । କେନ୍ଦୁପଦର ଓ ଜୟନ୍ତୀନଗର ବାଟରେ ପଡ଼ୁଥିବା ଗାଁଗୁଡ଼ିକରୁ ମଧ୍ୟ ଶହେ ପର୍ଯ୍ୟନ୍ତ ଲୋକ ଦରଖାସ୍ତରେ ଦସ୍ତଖତ କଲେ । ବିଦ୍ୟୁତ୍ ମନ୍ତ୍ରୀ, ବିଦ୍ୟୁତ୍ ବୋର୍ଡ଼ ଓ ଚିଫ୍ ଇଂଜିନିୟରଙ୍କୁ ଦରଖାସ୍ତର ନକଲ ପଠାଗଲା । ରାଜଧାନୀର କାର୍ଯ୍ୟ ପାଇଁ ଏମ୍. ଏଲ. ଏ. ତ୍ରିନାଥ ବାବୁଙ୍କୁ ଦାୟିତ୍ୱ ଦିଆଗଲା ।

 

ଇତ୍ୟବସରରେ ଡାକ୍ତର ନରେଶଙ୍କ କେନ୍ଦୁପଦର ଛାଡ଼ି ରାଜଧାନୀକୁ ଯିବା ସମୟ ପାଖେଇଆସିଲା ।

 

ପ୍ରଥମେ ପ୍ରଥମେ ସଭ୍ୟମାନେ ତାକୁ କେନ୍ଦୁପଦର ଛାଡ଼ି ନ ଯିବାକୁ ଅନୁରୋଧ କରୁଥିଲେ । କିନ୍ତୁ ନରେଶ ନିଜ ମାର୍ଗରେ ଅଟଳ ରହୁଥିବାରୁ ସେମାନେ ନିରାଶ ହୋଇ ତୁନି ରହିଲେ । ବିଚରା ନରେଶର ବା କି ଦୋଷ ? ପ୍ରାଣପ୍ରିୟା ଯେ ଦୂରରେ । ପୁନଶ୍ଚ ସେ ଚାକିରି କରୁଛନ୍ତି । ତାଙ୍କୁ ଅଶାନ୍ତ ରଖି ସେବା କିପରି ଏକୁଟିଆ ଫାର୍ମରେ ମୁଖରେ ରହିପାରିବ ? ଗାଁରେ ସ୍ନେହ ଶ୍ରଦ୍ଧା ଅଛି କିନ୍ତୁ ସହର ଜୀବନରେ ବି ଆନନ୍ଦ ଅଛି ।

 

ଦିନେ ନରେଶ ଅର୍ଚ୍ଚନାଙ୍କଠୁ ଚିଠିଟିଏ ପାଇଲା । ଲେଖାଥିଲା–

 

“ଅନେକ ଭାବିଚିନ୍ତି ମୁଁ ସ୍ଥିର କରିଛି ଯେ ଚାକିରି ଛାଡ଼ିଦେଇ ତୁମ ସହିତ ଫାର୍ମରେ ରହିବି ।

 

ଯେତିକିଦିନ ମୁଁ ସେଠି ରହିଥିଲି, ସେତିକିରେ ଦେଖିଲି, ଡାକ୍ତର ଜୀବନ ସାର୍ଥକ ହୁଏ ଦୀନ ଦରିଦ୍ରଙ୍କ ସେବାରେ । ବର୍ତ୍ତମାନ ମୁଁ ଅନୁଭବ କରୁଛି, ଗାଁଗୁଡ଼ିକର ଶହ ଶହ ନିରୀହ, ନିଷ୍ପେଷିତ, ରୁଗ୍‍ଣ ଲୋକ ମୋତେ ବିକଳ ଆଖିରେ ଅନେଇଛନ୍ତି । ସେତିକି ନୁହେଁ । ସେହି ଆଖିଗୁଡ଼ିକରୁ ସ୍ନେହ ଓ ଶ୍ରଦ୍ଧା ମୋ ଉପରେ ଅନବରତ ଝରିପଡ଼ୁଛି । ଦେଖ ତ, ସ୍ନେହ ଶ୍ରଦ୍ଧାରେ ମୁଁ କେତେ ଋଣଗ୍ରସ୍ତ ହେଲିଣି ।

 

କିନ୍ତୁ ସହରର ଏଇ ବିରାଟ ହସ୍ପିଟାଲରେ ? ଏଠି ତ ସମସ୍ତ କାରବାର ଚାଲେ ପଇସାରେ । ପଇସା ଅବଶ୍ୟ ଏଠି ବେଶି ଉପାର୍ଜନ କରିହେବ କିନ୍ତୁ ଅନ୍ୟ ଚକ୍ଷୁରେ ଘୃଣା ହେବାକୁ ପଡ଼ିବ । ସତକୁସତ ପଇସାର ଲୋଭ ମଣିଷକୁ ଅମଣିଷ କରିଦିଏ ।

 

ତେଣୁ ବିଶ୍ଵାସ କରେ ଯେ ସେଠି ନିଃସହାୟ ଲୋକଙ୍କ ସେବାକଲେ ଜୀବନକୁ ନୂତନ ଆଲୋକରେ ଉଦ୍ଭାସିତ କରିହେବ ।”

 

ନରେଶ ଏକା ନିଃଶ୍ଵାସରେ ଚିଠିକୁ ଚାରି ପାଞ୍ଚଥର ପଢ଼ିଲା । ଗମ୍ଭୀର ହୋଇ ଟିକିଏ ଭାବିଲା । ଆଶ୍ଚର୍ଯ୍ୟ ଏହି ନାରୀ ଚରିତ୍ର ! ତୁହାକୁ ତୁହା ଏଇ ଅର୍ଚ୍ଚନା କହୁଥିଲା ନା ସହର ଜୀବନ ଭଲ । ଗ୍ରାମ୍ୟଜୀବନ ହୁଏତ ପିକ୍‌ନିକ୍ ପରି ଅଳ୍ପଦିନ ପାଇଁ ଉପଭୋଗ କରାଯାଇପାରେ । …ଆଉ ବେଶି ଭାବିବାକୁ ଇଚ୍ଛା କଲେନାହିଁ ନରେଶ ।

 

–“ହ୍ୟାଲୋ ନରେଶ ! ଆର୍ ୟୁ ସିକ୍ ? ମାଇଚିଆଙ୍କ ପରି ଏମିତି ଅନ୍ଧାର କୋଣରେ ବସି ଭାବୁଛ କ’ଣ ? ପ୍ରିୟାସଙ୍ଗ ମନେପଡ଼ୁଛି କି ହୋ ଗବେଶ୍ ?” ବିଜୟ ଦୌଡ଼ି ଦୌଡ଼ି ଡାକ୍ତରଖାନା ଭିତରକୁ ପଶିଆସିଲା ।

 

ନରେଶ କିଛି ନ କହି ଚିଠିଟା ବଢ଼େଇଦେଲା । ବିଜୟ ପ୍ରଥମ ଧାଡ଼ିଟା ପଢ଼ି, ଯୋରରେ ଟେବୁଲ ଉପରେ ଚିଠି ସମେତ ହାତକୁ ବାଡ଼େଇ କହିଲା, “ଆଃ ହା ଆ ଆ…..ହାଃ ହାଃ ହାଃ”

 

ନରେଶର ଆଖି ଆନନ୍ଦାଶ୍ରୁରେ ଭରିଗଲା ।

 

ପଚିଶ

 

ଶ୍ରୀମାନ୍ ବଳଭଦ୍ର ସିଂ ହାଲିଆହେଲେ । ଗୋଡ଼ ହାତ ଘୋଳେଇହେଲା । ମନଟା ପିତା ପିତା ଲାଗିଲା । ତ୍ରିସନ୍ଧ୍ୟାରେ ହଳିଆଙ୍କ ଉପରେ ବିନା କାରଣରେ ଚିଡ଼ି ଚିଡ଼ି ହୋଇ ବହେ ଗାଳି ବାନ୍ତି କଲେ । ତା’ପରେ ଚକାପକାଇ କୋତରା ରାମାୟଣ ବହିଟିଏ ମେଲି ଧରିଲେ । ସେଥିରେ ବି ମନ ଲାଗିଲାନି ।

 

ସବୁ ଭାଗ୍ୟ ଦୋଷ । ଗ୍ରହ ଖରାପ । ବାମନ ଓତା ଖଡ଼ିରେ ମୁଣ୍ଡଳା ଟାଣି କହୁଥିଲା ରାହୁ ଦଶା ପଡ଼ିଛି । ସିଂହ ରାଶିକୁ ରାହୁ ଦଶା ବିଶେଷ କ୍ଷତିକାରକ ନୁହେଁ । ତେବେ ମନସ୍ତାପ, ଶରୀର ପୀଡ଼ା ଭୋଗିବାକୁ ପଡ଼ିବ । ରାହୁ ୟାପ ମତି ଚହଲେଇ ଦବ । ଗ୍ୟାଳ୍ପ ଗ୍ରହ ବଡ଼ ଗନ୍ଧିଆ, କିଟିମିଟିଆ । ସହଜେ ତ ରାହୁ ଟେରା, ଏପଟେ ଚାହିଁଲା ପରି ଦିଶୁଥିବ, ମାତ୍ର ଦୃଷ୍ଟି ଦେଇଥିବ ଅନ୍ୟଆଡ଼େ । ତା’ ଦୃଷ୍ଟିରୁ କିଏ ବର୍ତ୍ତିବ ? ଏମିତି ପାଞ୍ଚ ମାସ ଖଣ୍ଡେ ଦହଗଞ୍ଜ ହେବାଛଡ଼ା ଅନ୍ୟ ଉପାୟ ନାହିଁ । ତା’ ପରେ ମଙ୍ଗଳ ଦଶାରେ ସବୁ ଅରିଷ୍ଟ ଖଣ୍ଡନ ହେବ । ଓତା ବୁଢ଼ା ଶାସ୍ତ୍ର ଦେଖି ଆହୁରି କ’ଣ କହିଲା ନା–‘ମତି ସ୍ଥିର ରଖ ।’ ହୋ ହୋ କହିଦେବାଟା ବଡ଼ ସହଜ ।

 

ଚଞ୍ଚଳ ଖାଇସାରି ସିଂ ବାବୁ ଗମ୍ଭୀର ଘର ଖଟ ଉପରେ ଗଡ଼ପଡ଼ ହେଲେ । ଖଟ ତଳୁ, କାନ୍ଥ ସନ୍ଧିରୁ ଖଟ୍ ଖାଟ୍ ଚିଁ ଚାଁ ଶବ୍ଦ ଶୁଭୁଥାଏ । ଶବ୍ଦଗୁଡ଼ାକ ସହ ସେ ପରିଚିତ ଥିଲେ ମଧ୍ୟ ସେହିଦିନ ତାଙ୍କୁ ବଡ଼ ଶ୍ରୁତିକଟୁ ଲାଗିଲା । ବିରକ୍ତିରେ ସିଂ ବାବୁ ଉଠିବସିଲେ । ତୁଣ୍ଡ ଆଗରେ ଫୁଟୁକି ଫୁଟାଇ ହରିହରିନାମ ଜପି ଚାରିପଟେ ଆଖି ମିଟି ମିଟି କରି ଚାହିଁଲେ ।

 

ଗମ୍ଭୀରି ଘରେ କିଟିମିଟି ଅନ୍ଧାରର ଗାମ୍ଭୀର୍ଯ୍ୟ । ଜାଣିଶୁଣି ସିଂ ବାବୁ ସେ ଘରେ ଝରକା ରଖିନାହାନ୍ତି, କାରଣ ସେଠି ଧନ ଦରବ ରହେ । ଦିନବେଳେ ବି ଡିବିରି ଆଲୁଅ ନ ଜଳିଲେ ଚାଲବୁଲ କରିହେବ ନାହିଁ । ସେଇ ଅନ୍ଧକାର ମଧ୍ୟରେ ସେ କେବଳ ଶୁଣୁଥିଲେ ମୂଷାମାନଙ୍କ ସଙ୍ଗୀତ, ଚିତ୍କାର, ପ୍ରେମାଳାପ ସହିତ ଧାଁ ଦଉଡ଼ି, ଗ୍ରାସାଚ୍ଛାଦନ ପରି ମୂଷିକ କ୍ରିୟାକଳାପ ।

 

ବଳଭଦ୍ର ସିଂ ଏକ ଅସହ୍ୟ ଜ୍ୱାଳାରେ ଛଟପଟ ହେଲେ । ମନେମନେ ଚିତ୍କାର କଲେ–ଅସହ୍ୟ, ଅସହ୍ୟ ଏ ନରକର ଯନ୍ତ୍ରଣା । ସେ ଗୋଟାଏ ମଣିଷ, ତାଙ୍କ ଆଗରେ ତାଙ୍କରି ଅନ୍ନ ଓ ସାହାଯ୍ୟରେ ପ୍ରତିପାଳିତ ହୋଇ କି ମଣିଷ କି ପଶୁ, ଛାର କୀଟ ପତଙ୍ଗାଦି ମଧ୍ୟ ଯାଛାତା କରି ଯାଉଥିବ, ଆଉ ସେ ମାଦଳ ପରି ବସି ରହି ଦେଖୁଥିବ ? ଏକଦା ଯେ ସେ ଥିଲେ ମହାପରାକ୍ରମଶାଳୀ ଏକଶତ ଗ୍ରାମର ମଉଡ଼ମଣି ଏମ୍.ଏଲ୍.ଏ. ! କେଡ଼େ କେଡ଼େ ମିଟିଂରେ ସେ ଭାଷଣ ଝାଡ଼ିଥିଲେ !! କେଡ଼େ ବଡ଼ ନେତାଙ୍କ ସହିତ ସେ ହାତ ମିଳାଇଥିଲେ !!! କାହାର ବି ଟିକିଏ ମନେନାହିଁ ? କୃତଘ୍ନ ପାମର ୟାପେ ସବୁ ଜମା ପଡ଼ିଲେ । ଏଇ ଦେଖୁନ ଗ୍ୟାଳ୍ପ ମୂଷାଗୁଡ଼ାକ ତାଙ୍କରି ଧାନ ମାଣ୍ଡିଆ ଖାଇ ତାଙ୍କରି ଶୟନ କକ୍ଷରେ ଅବିଚାରିତ ଭାବେ ମଳମୂତ୍ର ତ୍ୟାଗ କରିବାରେ ଲାଗିଛନ୍ତି । କେବଳ ସେତିକି ନୁହେଁ, ତାଙ୍କରି ଆଣ୍ଠୁକୁଡ଼ା ଅବସ୍ଥାକୁ ଉପହାସ କରି ମୂଷିକମାନେ ପ୍ରବଳ ବଂଶ ବିସ୍ତାରରେ ଲାଗିଛନ୍ତି ।

 

ସବୁ ୟାପେ ସମାନ । ଏମାନଙ୍କୁ ନେଇ କିପରି ସେ ଆସନ୍ତା ନିର୍ବାଚନରେ ମଣିଷ ଲଢ଼ିବ……….. ଦଶଦିଗ ଅନ୍ଧାର ଦିଶୁଛି । ମଝିରେ ମୋଟେ ଛ’ମାସ ରହିଲା । ପାର୍ଟି ତରଫରୁ ଘନ ଘନ ବାର୍ତ୍ତାମାନ ଆସୁଛି, ଏବେଠୁଁ ଲାଗିପଡ଼ ସଂଗଠନ କାମରେ । ସଙ୍ଗଠନ ନା ହିଙ୍ଗୁ !

 

ବଳଭଦ୍ର ସିଂ ଘଟଣାଗୁଡ଼ାକୁ ଟିକିନିଖି କରି ଭାବିବାରେ ଲାଗିଲେ । କୋଉଠି ରହିଲା ତାଙ୍କର ଗଲ୍‍ତି ? ଗଲ୍‍ତି ନୁହେଁ ଯେ ଦୁର୍ଭାଗ୍ୟ । ନୁହେଁ ତ ଆଉ କ’ଣ ? ନ ହେଲେ କି ଫାର୍ମ ସଭ୍ୟଙ୍କ ସହିତ ଗାଁଟାଯାକର ଲୋକ କହନ୍ତେ–ଆମର ସମୟ ନାହିଁ, ଆମେ ତୁମକୁ ନିର୍ବାଚନ ପ୍ରଚାରରେ ସାହାଯ୍ୟ କରିପାରିବୁନି ? ହାୟରେ ଦଇବ, ଉପକାରୀ ଜନକୁ ମଧ୍ୟ ଏପରି ନିର୍ଦ୍ଦୟ ପଦ ଶୁଣିବାକୁ ପଡ଼େ !

 

ବିଗତ ଘଟଣାଗୁଡ଼ିକୁ ସିଂ ବାବୁ ମନେମନେ ଉଖାରିଲେ । ଗଫ୍‌ଲତି ରହିଲା କେଉଁଠି ? ସେ ତ ବେଶ୍ ଫାର୍ମ ସଭ୍ୟଙ୍କ ସହିତ ମିଶିପାରିଛନ୍ତି । ଆଗରୁ ସେ ଯେମିତି ଖରାପ ଭାବିଥିଲେ ସେପରି ତ ସେମାନଙ୍କ ମତଲବ ଜଣାପଡ଼ିଲାନି । ହନୁମନ୍ତ ରୂପଧାରୀ ବିଜୟର ଭାବଭଙ୍ଗୀ ଅବଶ୍ୟ ପୀଡ଼ାଦାୟକ । ନବଘନିଆ ବି ଗୋଟିଏ ଗଳଗ୍ରହ । ନ ହେଲେ ଅନ୍ୟମାନେ ଭଲ ମଣିଷ । ନିଜେ କୃଷି କରି ଭଲରେ ରହିଲେ ତାଙ୍କର କିଛି କ୍ଷତି ନାହିଁ । ଗାଁଟାଯାକ ଫାର୍ମ ସଭ୍ୟଙ୍କ ବୁଦ୍ଧିରେ ମେଳ ନ ହେଲେ ହେଲା । ଗାଁ ଲୋକେ ଥରେ ବୁଦ୍ଧି ଶିଖିଗଲେ ତାଙ୍କର ଭେଳା ବୁଡ଼ିଯିବ ।

 

ବଳଭଦ୍ର ସିଂ ଭାବିଲେ, କାହିଁ, ସେ ତ କେବେହେଲେ ଗାଁରେ ମେଳିହୋଇ କାମ କରିବାକୁ ସୁଯୋଗ ଦେଇନାହାନ୍ତି । ଗାଁରେ କେତେ ମିଟିଂ ହେଲା, ଫାରୁମ୍‌ବାଲା କେତେ ଉପଦେଶ ଝାଡ଼ିଲେ, ମାଙ୍ଗୁ କେତେ କୁହାବୋଲା କଲା, ହେଲେ ସେ ଭିତରେ ଭିତରେ ଏମିତି ଚକ୍ରାନ୍ତ ଚଲେଇଲେ ଯେ ସବୁ ଫସର ଫାଟିଗଲା । ଏମିତି ଏମିତିରେ ଚାରି ବର୍ଷ କଟିଗଲା ନା ନାହିଁ ?

 

ହେଲେ ମଣିଷ ଭାବିବା ପ୍ରକାରେ ତ ସବୁ ହୋଇଯାଉନି । ମଣିଷ ଖାଲି ଚେଚେଷ୍ଟା କରିବ ନା ଆଉ କ’ଣଟେ ଅଧିକ କରିପାରିବ ? ପୃଥି ବଇଲା, ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ । କୁଆଡ଼େ ଥିଲା ବେତାଳ ପରି ଖେପିଗଲା ସେ ଯୁଦ୍ଧଟା । ପାଳକୁଟା ପୋଡ଼ିଲା ପରି ହୁସ୍ କରି ଜଳି କେଇଟା ଦିନ ପରେ ଫୁସ୍ କରି ଲିଭିଗଲା । ଯୁଦ୍ଧ ଦେଶ ପାଇଁ ନୁହେଁ ଯେ ତାଙ୍କରି ସର୍ବନାଶ କରିବା ପାଇଁ ଆସିଥିଲା । ଯୁଦ୍ଧ ସମୟରେ ତ କୋକୁଆ ଭୟ । ଚାରିଆଡ଼େ ‘ବେଶି ଉତ୍ପାଦନ କର’ ଡାକରା, ସରକାରୀ ସ୍ତରରୁ, ବେସରକାରୀ ସ୍ତରରୁ, ସବୁଠୁ ଅଣ୍ଡା ବଚ୍ଚାଠୁ ଆରମ୍ଭ କରି ପାଚିଲା ବୁଢ଼ାଯାଏଁ, ସବୁରି ତୁଣ୍ଡରେ ସେଇ ଗୋଟିଏ ଡାକରା । ନେତା ହୋଇ ନିଜେ ବା କୁଆଡ଼େ ବର୍ତ୍ତିଯାଆନ୍ତେ ? ସେ ବି କଛା ଭିଡ଼ି ବାହାରିପଡ଼ିଲେ ବେଶି ଉତ୍ପାଦନ ଡାକରା ଜନତା କାନରେ ଛିଞ୍ଚିବା ପାଇଁ । ସେ ସିନା ଜାଣିଥିଲେ ଯୁଦ୍ଧବେଳେ ଏମିତି ଡାକରା ଛାଡ଼ିବା ହେଲା ନେତା ଫେତାଙ୍କର ଗୋଟିଏ ନିୟମ କିନ୍ତୁ କାମରେ ସବୁ ହାୱାମେ ଉଡ଼ତା ଯାଏ । ତାଙ୍କର କପାଳ ବାମ ଥିବାରୁ ସିନା ତାଙ୍କ ନିଜ ଅଞ୍ଚଳରେ ମାଙ୍ଗୁ ସହିତ ଫାରୁମ୍‌ର ସବୁତକ ଶଳେ ପ୍ରକୃତରେ ଗ୍ରାମବାସୀଙ୍କୁ ସଙ୍ଗଠିତ କରି କାର୍ଯ୍ୟରେ ଲଗେଇଦେଲେ । ସେଇ ସମୟରେ ଭଲା ନିର୍ବାଚନଟା ହୋଇଥାଆନ୍ତା । ଛାଆଡ଼, ହିଙ୍ଗୁ ଯୁଦ୍ଧ ହେଲା ବୋଲି ଆଠମାସ ଘୁଞ୍ଚାଇ ଦେଲେ ଇଲେକ୍‌ସନଟା ।

 

ମୂଷା ଚେଁ ଚାଁ ଠୁ ମଶା ଗଣ ଗଣ ବଳିଗଲା । ସିଂ ବାବୁ ଅନ୍ଧାର ଭିତରେ ଠୋ ଠା ଥାପଡ଼ ମାରି ମଶା ଘଉଡ଼ିଲେ । ଶବ୍ଦଗୁଡ଼ାକ ଯାଇ ପଡ଼ିଲା ଶ୍ରୀମତୀ ସିଂଙ୍କ କାନରେ । ସେ ହାଣ୍ଡିଶାଳରୁ ସିଂ ବାବୁଙ୍କ ଅବସ୍ଥାକୁ ମନରେ ଧ୍ୟାୟୀ ସକରୁଣେ କହିଲେ, “କି ଗୋ, ନିଦ ଆସୁନି ? ସଞ୍ଜବେଳଟାରେ କାହିଁକି ଶେଯରେ ପଡ଼ି ଛଟପଟ ହେଉଛ ? ଏଣେ ଆସୁନ, ଗପ କରିବା । ଏରୁଣ୍ଡି ପାଖରେ ପିଢ଼ା ପକେଇ ଦେବି ?”

 

ସିଂ ବାବୁଙ୍କ ଜିଭ ଅଗ ପର୍ଯ୍ୟନ୍ତ ଆସୁଥିଲା ଥୋଡ଼େ ବିକିଦେବାକୁ–ଯା ୟାପ ନାରୀ, ଚାଣ୍ଡାଳୀ । କିଛି ଦୁର୍ଲ୍ଲଭ ଚିନ୍ତା ନ କରି, ଯିବି ୟାପର ଗନ୍ଧିଆ ମୁହଁରେ ମୁହଁ ରଖି ଗମାତ କରିବାକୁ !

 

ସିଂ ବାବୁ କିଛି କହିଲେ ନାହିଁ ସିନା, ଗମ୍ଭୀରି ଘରୁ ବାହାରିପଡ଼ିଲେ । ଅଗଣା ପାଖ ବାରଣ୍ଡାରେ ବସି ଚିନ୍ତାରେ ବୁଡ଼ିଲେ ।

 

–“ହଇଏ ! ମୋ କଥା କାନରେ ପଶିଲାନି ? କଥା ଥିଲା ମ ।” ଶ୍ରୀମତୀ ସିଂ ଆଉଥରେ କହିଲେ ।

 

–“ଆଃ ପଶିଲା ହେ ସବୁ । କାହିଁକି ବକର ବକର ହେଉଛ । ପରେ ଟିକେ ତମ କଥା କହିଲେ କେଉଁ ସଂସାରଟା ପ୍ରଳୟ ହୋଇଯିବ ? ଦିନଟାଯାକ ବୁଲି ବୁଲି ଦେହମୁଣ୍ଡ ପ୍ରାସ କରୁଛି । ଏବେ ଟିକେ ତୁନି ହ ।”

 

–“ହା’ରେ ଦଇବ । କି ଘଇତା ମତେ ଯୁଟେଇଦେଲ ହେ ବାପା । ଆସି ବୁଢ଼ୀ ହେଲିଣି, ପଦେ କଥା ଏ ଘରେ ଗଲାନି । ମତେ ମରଣ କାହିଁକି ହଉନାହିଁ ଲୋ ବୋଉ । ମୁଇଁ ଆଣ୍ଠୁକୁଡ଼ୀକୁ ଯମ ବି ଦେଖୁନିରେ ଦଇବ ।”

 

ବୁଢ଼ୀର ସକ ସକ ଶୁଣି, ସିଂ ବାବୁ କୃତ୍ରିମ କାରୁଣ୍ୟ ଝରାଇ କହିଲେ, “ଓ ହୋ, ମୋ ଦେହ ଭଲ ଲାଗୁ ନାହିଁ କହିଲି ପରା । ତମେ କାମ ସାର, ଗପ କରିବା ।”

 

ଆଉ ବୁଢ଼ୀକୁ ନିଘା ନ ରଖି ସିଂ ବାବୁ ଚିନ୍ତା ସାଗରରେ ଉବୁଟୁବୁ ହେଲେ । ଯୁଦ୍ଧଟା ସର୍ବନାଶ କରିଦେଲା । ସବୁ ୟାପେ ଲାଗିଗଲେ ଉତ୍ପାଦନରେ । ସେଠି ବା ଆଉ କ’ଣ କରାଯାଇପାରନ୍ତା ! ଭାବିଚିନ୍ତି ସେ ନିଜେ ବି ଭାସିଗଲେ ସୁଅରେ । ସେ ବି ଫାରୁମ୍ ସଭ୍ୟଙ୍କ ପରି ମାଙ୍ଗୁ ପରି ଉପଦେଶ ଦେଲେ । ଏପରି କି ନିଜର ତିରିଶ ଏକର ଜମି ମଧ୍ୟ ଖରାଦିନିଆ ଫସଲ ପାଇଁ ଟେକିଦେଲେ । ଏପରି ଖ୍ୟାତି ବଢ଼ିଲା ଯେ, ଜଣାଗଲା ସେ ଯେମନ୍ତ ସମସ୍ତ ଉଦ୍‌ଯୋଗର କର୍ଣ୍ଣଧାର । ଖରାଦିନିଆ ଫସଲ ପରେ ଆଉ ଦୁଇଟା ଫସଲ ବି ଉଠିଲା । ଗ୍ରାମବସୀମାନେ ଲାଭବାନ ହୋଇଛନ୍ତି । ଗାଁରେ ରାସ୍ତା କରିବାକୁ, ମଇଳା ସଫା କରିବାକୁ, ସ୍କୁଲ ଘର, ପାଠାଗାର କରିବାକୁ ବୁଢ଼ାଟାକୁ କ’ଣ କମ୍ ନଚେଇଛନ୍ତି ? ସେ ବି ଜାଣିଶୁଣି ନାଚିଛନ୍ତି । ସେ ଗାଁ ପାଇଁ କାମ କରିଛନ୍ତି, ଏ କଥା ଗାଁବାଲାଏ ବୁଝିଛନ୍ତି ବୋଲି ତ ସେ ଜାଣୁଥିଲେ । ହେଲେ ଏବେ କ’ଣ ହେଲା-?

 

ସିଂ ବାବୁଙ୍କ ଆଖିଆଗରେ ସେହିଦିନର ଦୃଶ୍ୟ ନାଚିଉଠିଲା ପାର୍ଟିଠୁ ଖବରପାଇ, ହସି ହସି ଖୁସି ଖବରଟା ସେ ଦେଇଦେଲେ ମାଙ୍ଗତା ବାବୁ, ବର୍‌ଜ ବାବୁ ଓ ଦେବ ବାବୁଙ୍କୁ । ମାଙ୍ଗତା ମାଝିଙ୍କ ଛଡ଼ା ଅନ୍ୟ ସମସ୍ତେ ଆଗ୍ରହ ଦେଖାଇଲେ । ରାତିରେ ଭାଗବତ ଟୁଙ୍ଗିରେ ଗ୍ରାମବାସୀଙ୍କ ମେଳରେ କଥାଟା ବି ପଡ଼ିଥିଲା । ସମସ୍ତେ ତାଙ୍କ ପାଇଁ ଲାଗିପଡ଼ିବେ ବୋଲି କହିଥିଲେ । ହେଲେ ଦୁର୍ଯୋଗ ତ ! ସେଠି ମଧ୍ୟ ମ୍ଲେଚ୍ଛ ୟାପ ରାହୁ, ତାଙ୍କ ଆଡ଼କୁ ଟେରେଇ ଚାହିଁଦେଲା । କାହୁଁ ଥିଲା ଆଠକୋଶ ଦୂର ଟେମ୍‌ରା ଗାଁର ତ୍ରିନାଥିଆ, ଝଡ଼ ପରି ମାଡ଼ିଆସିଲା । ଲୋକଙ୍କ ଗହଳିରେ ମିଶି ଫୁସ୍‍ଫାସ୍ ମନ୍ତ୍ର ଫୁଙ୍କିଲା । ସେ ବର୍ଷ, ବନ୍ୟା ଓ ମରୁଡ଼ି ସମୟରେ ଯୋଉ ଛେନାଟା କରିଥିଲା, ତା’ର ଚୋପା ଛଡ଼େଇବାକୁ ଆରମ୍ଭ କରିଦେଲା । ତା’ ସତ୍ତ୍ୱେ ସିଂ ବାବୁଙ୍କ ପାଇଁ ଲୋକମାନେ କାମ କରିବାକୁ ଚାହୁଁଥିଲେ । ବିଜୟ ନା ଛତୁ, ସେ ତ ସବୁ ଏକାବେଳକେ ବିଗାଡ଼ିଦେଲା । ରାଉଁ ରାଉଁ ଶବ୍ଦ କରି କହିଲା–“ଏଠି ପଲିଟିକ୍‌ସ୍ କଥା ହୋଇପାରିବନି । ଯଦି ଇଚ୍ଛା ଥାଏ, ପ୍ରାର୍ଥୀମାନେ ଗାଁ ସଭାରେ ନିଜର ମତବ୍ୟକ୍ତ କରନ୍ତୁ । ଯେଉଁ ଲୋକର ଯାହାପ୍ରତି ଆଗ୍ରହ ହେବ, ସେ ତାକୁ ଭୋଟ ଦେବ । ଗାଁରେ କାମ ଜୋରସୋରରେ ଚାଲିଛି । କେହିହେଲେ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଧାଁ ଦଉଡ଼ କରି ସମୟ ନଷ୍ଟ କରିବା ଅନୁଚିତ । ଯାହାର ଇଚ୍ଛା ଅଛି ସେ ଲଣ୍ଡଭଣ୍ଡ ହେଉ, କିନ୍ତୁ ସେମାନଙ୍କ ପାଇଁ ଗାଁ କାମ ପଛେଇ ଯିବ ନାହିଁ ।”

 

ବିଜୟର ଖମ୍ବଆଳୁ କଥା ଶୁଣି ଗାଁ ଲୋକେ “ସତ୍ ସତ୍” କହି ହୋ ହୋ ହେଲେ । ସମସ୍ତଙ୍କ ପାଟିରେ ଗୋଟିଏ କଥା, ଫାରୁମ୍ ଲୋକେ ଯାହା କହିବେ, ସେମାନେ ତାହା କରିବେ ।

 

ତହୁଁ ସେ ବେଳକାଳ ଉଣ୍ଡି ଦିନେ ଫାର୍ମକୁ ଯାଇ ବାବୁମାନଙ୍କୁ କୁହାବୋଲା କଲେ । ଫାର୍ମ ପ୍ରତିଷ୍ଠା ସମୟରେ ଓ ତା’ପରେ ସେ କରିଥିବା ଉପକାରମାନ ମନେପକାଇଦେଲେ । ଶେଷରେ ଆଖି ଛଳ ଛଳ କରି ଅନୁରୋଧ କଲେ ଯେ, ସଭ୍ୟମାନେ ତାଙ୍କୁ ନିର୍ବାଚନରେ ସାହାଯ୍ୟ କରନ୍ତୁ । ସେଠି ମଧ୍ୟ ବିଜୟ ତାଙ୍କୁ ସିଧା ମନାକରିଦେଲା ।

 

ଆଃ, ଅସହ୍ୟ । ଅସହ୍ୟ ଏ ଅପମାନର ଜ୍ଵାଳା । ତା’ର ପ୍ରତିଶୋଧ ନେବାକୁ ହିଁ ହେବ । ନିଜ ଗାଁରେ ସହଯୋଗୀ ଓ କର୍ମୀ ନ ଥିଲେ ସେ କଦାପି ନିର୍ବାଚନ କାର୍ଯ୍ୟ ତୁଲାଇ ପାରିବେନି । ଆଉ ସେଥିପାଇଁ ଗାଁ ଲୋକଙ୍କଠୁ ଫାର୍ମକୁ ଦୂରେଇଦେବାକୁ ପଡ଼ିବ । ଅତି ନିର୍ଦ୍ଦୟଭାବେ ଲୋକଚକ୍ଷୁରେ ଫାର୍ମ ସଭ୍ୟଙ୍କୁ ଘୃଣ୍ୟ କରାଇବାକୁ ପଡ଼ିବ । ରାଜନୀତିରେ ଦୟାମୟାର ସ୍ଥାନ ନାହିଁ-। ଅତୀତରେ ଜଣେ ଜଣେ ଲୋକ କ୍ଷମତାକୁ ଆସିବାପାଇଁ ରାଜ୍ୟ ଧ୍ଵଂସ ହୋଇଛି । ସେଇଆ ତ ଗୁରୁଦେବ, ନାଇଁ ନାଇଁ, ମହାର୍‌ଜେ କହନ୍ତି–ଧରିଧରି କର, ଗୋଡ଼ତଳେ ପଡ଼ିଯାଅ, ଟଙ୍କା ଲାଞ୍ଚ ଦିଅ, ବିରୋଧୀଙ୍କ ଉପରେ ଟେକା ଫୋପାଡ଼, ହାଣ, ମାର, ପୋଡ଼, ଜାଳ; ଯାହା ନାହିଁ ତାହା କର, କିନ୍ତୁ ଭୋଟ ଆଣି ପ୍ରଥମେ କ୍ଷମତାକୁ ଆସ । ଶାନ୍ତି ଓ ମୈତ୍ରୀର ଗାଥା ଗାଇବାକୁ ପାଟି ଅଛି, ସମୟ ବି ଅଛି ।

 

ପାଣିକୁଆ ପରି ବୁଡ଼ି ବୁଡ଼ି କାମ ହାସଲ କରିବାକୁ ହେବ । ଉତ୍ତେଜନାରେ ବଳଭଦ୍ର ସିଂ ନାକ ତଳେ ହାତ ମାରିଲେ । ଉଦ୍ଦେଶ୍ୟଟା ଥିଲା ନିଶ ମୋଡ଼ା ପରି ଏକ ବୀରତ୍ଵବ୍ୟଞ୍ଜକ ଅଭିନୟ କରିବାକୁ । କିନ୍ତୁ ହାୟ, ସେ ଯେ ନିଶଦାଢ଼ିବିବର୍ଜିତ । ତଥାପି ବଳଭଦ୍ର ସିଂହ ଟି ଗଲେନି, ଜଙ୍ଘ ଉପରେ ବାରମ୍ବାର ସଶବ୍ଦେ ଚପେଟାଘାତ କରି ହଳିଆଙ୍କୁ ଡାକିଲେ–“ଆରେ ମୁରଲୀ, ଏ ସନ୍ଦା, ଆବେ ଶଳେ ବୁଡ଼ୁବକ୍ ! ଶୁଣ, ଶୁଣ । ଦାଣ୍ଡ କବାଟ ଖୋଲା ରଖିଥିବରେ, ବନ୍ଦ କରିଦବନି । ଜଣେ ଲୋକ ଆସିବାର ଅଛି ।”

 

–“ହଉ, ତମେ ଘର ଭିତରକୁ ଆସିଲ । ଉଛୁରୁ ହେଲାଣି ।” ଶ୍ରୀମତୀ ସିଂ ଭିତରକୁ ଡାକିଲେ ।

 

–“କ’ଣ କହିବାର ଅଛି ଏଠି କ’ ।”

 

–“ଲାଜ ଲାଜ କଥା, ବାହାରେ କେମିତି କହିବି ?”

 

ଆହାହା, କହିଲା କ’ଣ ନା ଲାଆଜ । ଦିନକୁଦିନ ଷୋଡ଼ଶୀ ହୋଇଯାଉଛି, ଗ୍ୟାଳ୍ପ କୀଟ-। ଏପରି ମନେମନେ ଭାବି ସିଂ ବାବୁ ଗମ୍ଭୀର ଘରକୁ ଯାଇ ଲାଥ୍‌କିନା ଗଡ଼ିପଡ଼ିଲେ ଖଟରେ । ଦ୍ଵାରବନ୍ଧ ଉପରେ ଠିଆହୋଇ, ମୁହଁରେ ଓଢ଼ଣା ଟାଣି, ଶ୍ରୀମତୀ ସିଂ ଧୀର ବଚନ ଭାଷିଲେ ।

 

–“ଭଉତୁଦିନ ହେଲା କହିବି କହିବି ହଉଥିଲି । ଲାଜ କଥା କ’ଣ କହିବି ବୋଲି ମନରେ ରଖିଥିଲି ।” ବଳଭଦ୍ର ସିଂ ହାଇମାରି କହିଲେ–“କ’ଣ କହିବାର ଅଛି କହିବ ତ ଚଞ୍ଚଳ, ଏତେ ଥାଥା ମାମା ହଉଛ କାହିଁକି ? ନିଦ ଆସିଲାଣି ।”

 

–“ଏମିତି ରାମ୍ପୁଡ଼ିଲା ଭଳି ହଉଛ କାହିଁକିମ ? ମୁଁ କ’ଣଟେ ତୁମକୁ କରିପକାଉଚି ଯେ ଏତେ ରାଗ, ଏତେ ରିସ୍‌ସା ?”

 

–“ଓ ହୋ, କହିଲ ବେଗି ।”

 

–“ହଁ, କଥା କ’ଣ କି । ଏଠାକୁ ସେ ନରେଶ ବାବୁଙ୍କ ଭାରିଜା ଡାକ୍ତରାଣୀ ଆସିନଥିଲେ-? ତାଙ୍କର ନାଁଟା କେଡ଼େ ସୁନ୍ଦର ତ ! ତା’ ମନେହେଲେ ପଡ଼ୁଚି କି ? ହଁ ହଁ ମନେପଡ଼ିଲା । ଅରଚନା ନା ଫରଚନା କ’ଣ । ସେ ଦିନେ ଆପେ ଆମ ଘରକୁ ଆସିଥିଲେ । ସବୁ ଦେଖି କହିଲେ, ମୋ ପେଟ ଭିତରେ କୁଆଡ଼େ କ’ଣଟେ ବଢ଼ିଛି । ତାକୁ କାଟି ଉଡ଼େଇଦେଲେ କୁଆଡ଼େ, ହଁ ହଁ ହଁ….. । ମୁଁ ନାଇଁ ଯେ ସିଏ ଏକା କହୁଥିଲେ, କୋଉ ବା ବୟସ ହୋଇଯାଇଛି । ମୋତେ ତ ଆସି ଦୁଇକୋଡ଼ି, ତମକୁ ତିନି କୋଡ଼ିରୁ ପାଞ୍ଚ ଉଣା । ମୁଁ ତମର ଦୁତିଅ ପରି ହଁ ହଁ ହଁ…. । ଲୋକେ ଚାରିକୋଡ଼ି ବର୍ଷରେ ମଧ୍ୟ କୁଳନନ୍ଦନ ପାଉଛନ୍ତି । ମୁଁ ତମକୁ କେତେ କରି କହିଲି, ମେଏଲେ ଥିଲାବେଳେ ସହର ଆସପତରିରେ ଦେଖେଇବାକୁ । ତମେ ସବୁବେଳେ ମୋତେ ଚେରମୂଳ ଗେବେଇଲ । ଆହା, ମୋର ଫଟା କରମରେ ଦଇବ, ଆଣ୍ଠୁକୁଡ଼ି ହେବାରଥିଲା । ମଲାବେଳକୁ ପାଟିରେ ମୁନ୍ଦେ ପାଣି ଦେବାକୁ କିଏ ନଥିବ, କି ଲୋଡ଼ା ଏ ଧନ ଦରବରେ….” ଶ୍ରୀମତୀ ସିଂ ସକ ସକ ହୋଇ କାନ୍ଦିଲେ ।

 

ସିଂ ବାବୁ ସାନ୍ତ୍ୱନା ଦେବା ଭଙ୍ଗୀରେ କହିଲେ–“ଥଏ ଧର, ଥଏ ଧର । ଭଗବାନଙ୍କ ଇଚ୍ଛାରେ ଆମେ କିବା ଛାର । ଦିବାକରର ସାନ ପୁଅକୁ ପୋଷିବା…… ।”

 

ଫଁ କିନା ଫଣା ଟେକିଲା ପରି ଶ୍ରୀମତୀ ସିଂ ଗର୍ଜିଉଠିଲେ–“ତମେ ଏଇଆ ବୁଝିଲ, ନାଇଁ-? ମୁଇଁ କି ବୁଦ୍ଧି କରିବି ଲୋ ମା । ଏ ଅବୁଝା ମଣିଷକୁ କିମିତି ବୁଝେଇବି ।”

 

–“କ’ଣ, କ’ଣ କହିବି କହୁନ ?”

 

–“ପହିଲେ ତମ ଲେଖାଯୋଖା ଭାଇ ପୁଅ କଥାକୁ ଛାଡ଼ି । ନିଜ ପୁଅ କଥା ଭାବ । ଡାକ୍ତରାଣୀ କହିଲା ପ୍ରକାରେ ମୋ ପେଟର ସେ ବେତାଳକୁ ଉଡ଼େଇଲ ବେଗି । ଆଉ ଚେରମୂଳ, ଗାରୁଡ଼ି ମନ୍ତ୍ର ନାଇଁ । ଡାକ୍ତରାଣୀ କହିଛି, ମୋତେ ଜଇଁତିନଗର ନେଇ କଟାକଟି ସାରି ସଫାସୁତୁରା କରି ଛାଡ଼ିଦେବେ । ଆଉ ମୋର ଯୋଉ ଦାନ୍ତ ହଲୁଛି ତାକୁ ମଧ୍ୟ ଔଷଧ ଦେଇ ଭଲ କରିଦେବେ । ଆ ହା ହା, ସାକ୍ଷାତ ଲଖମୀ ଠାକୁରାଣୀ । କି ରୂପ କି ଭେସ, କି ଚାଲି, କି କଥା ! ସବୁ ଅମୃତ । ଅହିସୁଲଖଣୀ ହେଇଥା ଲୋ ମା ।” ସିଂ ବାବୁ ହସିଦେଲେ ।

 

–“ମୁଁ ଜାଣେ ପରା ଏ ଅଣ୍ଡିରା ହସରେ କଥାକୁ ଉଡ଼େଇ ଦବ । ଆଉ ଏ ଆଣ୍ଠୁକୁଡ଼ି କୋଳକୁ ବାଳୁତ କୁମର ଆସିବ ନାଇଁ ଲୋ ମା । ଆହା ଦଇବ !” ଶ୍ରୀମତୀ ସିଂ କାନ୍ଦି କାନ୍ଦି କାନ୍ଥରେ ମୁଣ୍ଡ ବାଡ଼େଇଲେ ।

 

–“ହଉ ହଉ । ହେଲା, ବେଶି ହୋଇଗଲା । ଥଏ ଧର । ମୁଁ ଡାକ୍ତରାଣୀ ସହିତ କାଲି ତୁମକୁ ପଠେଇଦେବି ପଛେ କନ୍ଦାକଟା କରନି । ମୋ ରାଣ ।”

 

ଶ୍ରୀମତୀ ସିଂ ଥୟଧରିଲେ । ସିଂ ବାବୁ ଟିକିଏ ଗଡ଼ପଡ଼ ହେଲେ । ମନରେ ତାଙ୍କର ନୂତନ ଚିନ୍ତା ପଶିଲା । ସତରେ ଡାକ୍ତରାଣୀ ବୁଢ଼ୀକୁ କହିଥିବା କଥା ସତ ହେବ ? ସତରେ ତାଙ୍କ କୁଳକୁ ଉଜ୍ଜ୍ୱଳ କରି ସନ୍ତାନ ରତ୍ନଟିଏ ଏ ଘରେ କୁଆଁ କୁଆଁ ରଡ଼ି କରି ଚାଳଉପରେ କୁଆ ବସେଇଦବନି ?

 

କ୍ଷଣକେ ସିଂ ବାବୁ ଆଖିମେଲାଇ ସ୍ୱପ୍ନ ଦେଖିଲେ, ସେ ଯେମିତି ବୁଢ଼ାଟିଏ ହୋଇ ଗୋଟିଏ ସୁବର୍ଣ୍ଣଦୋଳିକୁ ଦୋହଲାଇବାରେ ଲାଗିଛନ୍ତି । ଭିତରେ ଡଉଲ ଡାଉଲ ପିଲାଟିଏ ଗୋଡ଼ ଛାଟି ଛାଟି, ଆଖି ଜୁଳୁ ଜୁଳୁ କରି, ମଉଜିଆ ହସ ହସି ତାଙ୍କୁ ଅନେଇଛି । ବୁଢ଼ୀ ପାଖରେ ହଳଦୀ ବାଟୁଛି । ତନ୍ମୟ ହୋଇ ସିଂ ବାବୁ ପାକୁଆ ପାଟି ପାକୁଳି ପାକୁଳି ଛୁଆଟିକୁ ଚାହିଁଛନ୍ତି । ସିଂ ବାବୁଙ୍କର ବୟସ ଆହୁରି ବଢ଼ିଯାଇଛି ନା କ’ଣ ? ନହେଲେ ସବୁଯାକ ଦାନ୍ତ ନ ଥାନ୍ତା କିପରି ? ତଥାପି ସିଂ ବାବୁ ଗର୍ବରେ ଫୁଲିଉଠୁଛନ୍ତି–ଏତେଦିନର ଲୁକ୍‌କାୟିତ ପୌରୁଷର ବିଜୟ ଦୀପ୍ତିରେ ।

 

ସିଂ ବାବୁ ସ୍ୱପ୍ନ ରାଜ୍ୟରେ ପୁଣି ଦେଖିଲେ ଯେ ନରେଶ ଓ ଅର୍ଚ୍ଚନା ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସିଂ ବାବୁ ଖାଲି ଛୁଆର ମୁହଁକୁ ତନ୍ମୟ ହୋଇ ଚାହିଁ ରହିଛନ୍ତି । ନରେଶ ହସି ହସି କହୁଚି–“କ’ଣ ସିଂ ବାବୁ ! ଛୁଆଟା ଆପଣଙ୍କର ନାତି କି ?”

 

ସିଂ ବାବୁ କହୁଛନ୍ତି–“ହଁ ହଁ, ସେ ମୋର ସ୍ୱର୍ଗତ ପିତୃଦେବଙ୍କ ବଡ଼ ନାତି ।”

 

ଅର୍ଚ୍ଚନା ହସି ହସି ଗଡ଼ି ଯାଉଛନ୍ତି ।

 

–“ତା’ହେଲେ ସାନ ନାତି ପାଇଁ ଲାଳ ଗଡ଼ିଲାଣି ନା କ’ଣ ?”

 

ବଳଭଦ୍ର ସିଂ ଆଉ ବେଶି ଭାବିପାରିଲେନି । ବୃଦ୍ଧ କାଳରେ ଏ କି କଥା ? ତଥାପି ସବୁ ତ ଭଗବାନଙ୍କର ଲୀଳା । ହଉ ନ ହଉ ଆଜି ମଣିଷ ଅମୃତ କଥାଗୁଡ଼େ ଶୁଣିଲା । ମନେମନେ ସିଂ ବାବୁ ନିଶ୍ଚୟ କଲେ, ଯଦି ତାଙ୍କର ପୁଅଟିଏ ହୁଏ ତେବେ ସେ ନିଶ୍ଚୟ ଗ୍ରାମରେ ଗୋଟିଏ ଉତ୍ତମ ଡାକ୍ତରଖାନା ବସେଇଦେବେ । ଆଉ….ପଛ କଥା ପରେ ଦେଖାଯିବ ।

 

ଏ ଫାର୍ମ ସଭ୍ୟମାନେ ଏତେ ଗୁଣର ? ତାଙ୍କର ଅନ୍ଧକାର ଶେଷ ଜୀବନରେ ମସାଲ ଜାଳି ଆଲୋକ ଓ ଆନନ୍ଦରେ ଭସାଇଦେବାକୁ ମଧ୍ୟ ଏମାନଙ୍କର ଯତ୍ନ ! ଆହା, କି ଦେବୋପମ ସେବା !!

 

ହଠାତ୍ ସିଂ ବାବୁ ଛାନିଆ ହେଲାପରି ଉଠି ବସିଲେ । କ’ଣ ସେ ପାଗଳଙ୍କ ପରି ଭାବୁଛନ୍ତି ? ରାଜନୀତି ପାଖରେ ସନ୍ତାନ, ଇହକାଳ, ପରକାଳର ମାୟା ମଧ୍ୟ ପଶିପାରେନା । ବୁଢ଼ୀ ପାଇଁ ସନ୍ତାନ ଆବଶ୍ୟକ, ତାଙ୍କ ଶେଷ ଜୀବନ ପାଇଁ ମଧ୍ୟ । କିନ୍ତୁ ତା’ ସହିତ କ୍ଷମତା ବି ଲୋଡ଼ା । ମଣିଷ ବୁଢ଼ା ହୋଇ ମରିପାରେ, କିନ୍ତୁ କ୍ଷମତା ଚିର ଶାଶ୍ୱତ ।

 

ଗୋଟିଏ ଦିନ ପୃଥିବୀର ସମ୍ରାଟ ହୋଇ ମରିବା ଅତ୍ୟଧିକ ଶେୟସ୍କର । ସେଥିପାଇଁ ଆବଶ୍ୟକ କୂଟନୀତି । ଏହି ନୀତି ଦୃଷ୍ଟିରୁ ସେ ଚାହାନ୍ତି ଫାର୍ମ ସଭ୍ୟଙ୍କ ପ୍ରଭାବକୁ ଧ୍ୱଂସ କରିବାପାଇଁ-। ସେଦିନ ହେଉଛି ଆଜି, ଏହି ରାତିରେ । ସନ୍ଧ୍ୟାରୁ ସେ ଏଇ କଥା ତ ଭାବୁଥିଲେ । କିନ୍ତୁ ସବୁ ବିଗାଡ଼ିଦେଲା ୟାପ ନାରୀ, ମୂର୍ଖା । ଅକାରଣରେ ଅଜଣା ଅଶୁଣା ସ୍ନେହ ଆସିଗଲା ଫାର୍ମ ସଭ୍ୟଙ୍କ ଉପରେ ।

 

କ’ଣ କରିବାକୁ ହେବ ଠିକ୍ କରିନପାରି ସିଂ ବାବୁ ଘନ ଘନ ନିଃଶ୍ୱାସକୁ କଷ୍ଟେ କଷ୍ଟେ ସମ୍ଭାଳି ପ୍ରାଣାୟାମ ଭଙ୍ଗୀରେ ଧୀର ବେଗରେ ବାୟୁ ଗ୍ରହଣ କଲେ । ହବ, ହବ, ଦୁଇଟିଯାକ ହେବ-। ସନ୍ତାନ ପ୍ରାପ୍ତି ଓ ଫାର୍ମ ପ୍ରଭାବ ନଷ୍ଟ, ଦୁଇଟି ଦିଗରେ କାମ କରିହେବ । ସିଂ ବାବୁ ଅନ୍ଧାରରେ ମୁରୁକି ମୁରୁକି ହସିଲେ । ସେ ତ ଆଉ ଫାର୍ମର ବିନାଶ ଚାହୁଁନାହାନ୍ତି । ବିନାଶ ବି କରିହବନି । କେବଳ ପିଲେଙ୍କୁ ଅପଦସ୍ତ କରି ତାଙ୍କର ଗ୍ରାମବାସୀଙ୍କ ଉପରେ ରହିଥିବା ପ୍ରଭାବକୁ ନଷ୍ଟ କରାଯିବ ।

 

ରାତି ଘନେଇଆସିଲା । ସିଂ ବାବୁ ତରତର ହେଲେ । ଅଗଣାକୁ ବାହାରିପଡ଼ିବେ । କୃଷ୍ଣ ତିଥିରେ ଅଷ୍ଟମୀ ଚାନ୍ଦ ଦିଗ୍‌ବଳୟର ମଣିଷେ ଉଚ୍ଚାରେ ଦୋହଲୁଥିଲା । କାହିଁ, ଏତେବେଳ ଯାଏଁ ଆସିଲା ନାହିଁ ତ ? ତେଣେ କୁସୁମଗୁଡ଼ାର କେତେକ ଲୋକଙ୍କୁ ମଦ ଖୋଇ ମତେଇ ସାରିଛନ୍ତି । ଠେଙ୍ଗା ବାଡ଼ି ସବୁ ଠିକଣା ହୋଇସାରିଥିଲା । କାନେ କାନେ ମଧ୍ୟ କହିସାରିଛନ୍ତି–ଜୀବନରେ ନ ମାରିବା ପାଇଁ । କିନ୍ତୁ ପରଜା, ଡମ୍ବ କଥା ତ, କେତେବେଳେ କ’ଣ କରିଦେବେ । ସେଥିପାଇଁ ବିଶ୍ୱସ୍ତ ବଙ୍ଗିରିଆକୁ ମଧ୍ୟ ଗୋଡ଼େ ଗୋଡ଼େ ଜଗି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

ଆଜି ତ ଟୋକାର ଯିବା କଥା ରହିଥିଲା । ସେ ଯେପରି ସୁବିଧାରେ ଯାଏ ସେଥିପାଇଁ ଜାନିକି କୁହାଯାଇଛି । କ’ଣ ହେଲା କେଜାଣି ?

 

ଦାଣ୍ତ କବାଟ ମେଲା ହେଲା । ସିଂ ବାବୁ ଦୌଡ଼ିଗଲେ ।

 

–“ଘଣ୍ଟାଏ ହେଲା ସେ ଗଲେଣି ଆଜ୍ଞା !”

 

–“ତୁ ଆସିଲାବେଳକୁ କେଉଁଠି ସେ ଟୋକା ଥିଲା ?

 

–“କୁସୁମଗୁଡ଼ା ପରବତ ଚଢ଼ି ଯାଇଥିଲା ।”

 

–“ତୋର ଆଜି ପାଳି ଅଛି କି ?”

 

–“ନାଇଁ । ମାତ୍ର ତୁମେ କହିଲା ପ୍ରକାରେ ମୁଁ ନିଜେ ତାଙ୍କ ବଦଳରେ ଜଗିଚି ବୋଲି କହି ତାଙ୍କୁ ପଠେଇଦେଲି ।”

 

–“ହଉ ହଉ, ତୁ ଯା । ତୋ ଜମି କବଲାଟା କାଲି ଫେରାଇଦେବି ଯା ଚଞ୍ଚଳ, ନ ହେଲେ କିଏ ଦେଖିଦେବ । ଜୀବନ ଯିବ ପଛେ କାହାକୁ କହିବୁ ନାହିଁ । ହେ ହରି !”

 

ଛବିଶ

 

ନାଚ ଶେଷ ହେଲା । ଯେଝା ଘରକୁ ଫେରିଲେ । କ୍ଷଣକ ଏଡ଼େ ବଡ଼ କୋଳାହଳ କୁଆଡ଼େ ଫୁ’ କରି ଉଡ଼ିଗଲା । ନିର୍ଜ୍ଜନ ସାହିର ଶେଷ ମୁଣ୍ଡରେ ନବ ଏକାକୀ ରହିଗଲା । ହିରୋ ବି ଆଖପାଖରେ ଦେଖାଯାଉ ନାହିଁ । ରାତି ଅଧରେ ଫାର୍ମରୁ ପାହାଡ଼ ଡେଇଁ କୁସୁମଗୁଡ଼ା ପର୍ଯ୍ୟନ୍ତ ତା’ ସହିତ କୁକୁରଟା ଚାଲି ଆସିଥିଲା ।

 

ଫାର୍ମ ସଭ୍ୟଙ୍କ ଛଡ଼ା କୁକୁର ‘ହିରୋ’ ମଧ୍ୟ କୁସୁମଗୁଡ଼ାର ପରିଚିତ । ସଭ୍ୟଙ୍କ ତତ୍ତ୍ୱାବଧାନରେ କୁସୁମଗୁଡ଼ାରେ କେତେକ ଜମିରେ ଆଧୁନିକ ଧରଣର କୃଷି କରାଯାଉଛି । ଅର୍ଚ୍ଚନା ଓ ନରେଶ ପ୍ରତି ସପ୍ତାହରେ ଏଠାକୁ ଆସି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ସେମାନଙ୍କ ସହିତ ହିରୋ ଅନେକଥର କୁସୁମଗୁଡ଼ାକୁ ଆସିଛି ।

 

‘ହିରୋ’, ‘ହିରୋ’ ବୋଲି ନବ ଦୁଇ ଚାରିଥର ଡାକ ଛାଡ଼ିଲା । ନାଃ, କେଉଁ ଲତା ଗହଳିରେ କୁକୁରଟା ପଶିଥିବ ବୋଧହୁଏ । ଅଳ୍ପ ସମୟ ପରେ ପଦୁଆଁ କିଲିକିଲିଆ ହୋଇ ତା’ ଘରଆଡ଼ୁ ଛୁଟିଆସିଲା । ପଦ୍ମାକୁ ଦେଖି ନବ ହିରୋ କଥା ଭୁଲିଗଲା । ପଦୁଆଁ ସହିତ ସେ ପାହାଡ଼ଆଡ଼କୁ ଚାଲିଲା ।

 

ଗୋଟିଏ ପରିଚିତ ବଡ଼ ପଥରରେ ଦୁହେଁ ବସିଲେ । ଅଧରାତି ଗଡ଼ିଥାଏ । ଝିଙ୍କାରିର ଝିଁ ଝିଁ ଶବ୍ଦ ଅନବରତ ଶୁଭୁଥାଏ । ଚାରିଆଡ଼େ ଛୋଟ ଛୋଟ ଲଟା ବୁଦାର ଗହଳି । ଛାଇ ଆଲୁଅର ପଟୁଆର । ନବ ପଦ୍ମା ପାଖକୁ ଘୁଞ୍ଚିଗଲା । ପଦ୍ମାର ଖର ନିଃଶ୍ୱାସ ନବ ଦେହରେ ବାଜିଲା । ତା’ର ଥରିଲା ପାପୁଲି ଦୁଇଟିକୁ ଧରିପକାଇ ନବ ସାଉଁଳିବାରେ ଲାଗିଲା । ତା’ପରେ….ଦେହ ଶିର୍‌ଶିରେଇ ଉଠୁଥିଲା, ମୁହଁ ପାଖକୁ ମୁହଁ ଆପେ ଚାଲିଯାଉଥିଲା ।

 

“ନିଚୁ, ନିଚୁ” କହି ପଦୁଆଁ ଛିଡ଼ା ହୋଇଗଲା ।

 

ନବ ବି ଛିଡ଼ାହୋଇ ପଦ୍ମାକୁ ଭିଡ଼ିଧରିଲା ।

 

ହଠାତ୍ ଲଟାବୁଦା ତଳୁ ଝପ୍ ଝପ୍, ଦୁଲ୍ ଦୁଲ୍ ଶବ୍ଦ ଶୁଣାଗଲା । ଦେଖାଗଲା, ମଣିଷ ଆକୃତିର କେତୋଟି କଳା ଛାଇ ସେମାନଙ୍କ ଆଡ଼କୁ ଆଗେଇ ଆସୁଛନ୍ତି ।

 

ନବଘନ ହଡ଼ବଡ଼େଇ ଗଲା । ପଦ୍ମାକୁ ନିଜ ଆଲିଙ୍ଗନରୁ ମୁକ୍ତ କରି 'ହିରୋ’କୁ ଉଚ୍ଚ ପାଟିରେ ଡାକିଲା । କିନ୍ତୁ କୁକୁରଟା ଯେ କେତେବେଳୁ ଅନ୍ତର୍ଦ୍ଧାନ ହୋଇସାରିଛି ! ନବ ଡରିମରି ପାହାଡ଼ ଉପରକୁ ଦୌଡ଼ିବାକୁ ଆରମ୍ଭ କଲା ।

 

–“ଜାଗର୍ତ୍ତା (ହୁସିଆର) ! ହାଇଟି ଥେବ୍ (ଛିଡ଼ା ହ’ ସିଇଠି) । ଟିକିଏ କିନ୍ଦ୍ରେଇଲେ (ହଲଚଲ ହେଲେ) ପୃଜିଦେବୁ (ହାଣିଦବୁ) ।” କର୍କଶ ସ୍ୱରରେ କେହିଜଣେ ଆଦେଶ ଦେଉଥିଲା ।

 

ନବ ଉକ୍ତ ଆଦେଶର ଅର୍ଥ ବୁଝି ବେଶି ଡରିଗଲା । ସେ ଅତର୍ଚ୍ଛିଆ ଦୌଡ଼ ଆରମ୍ଭ କରିଦେଲା କିନ୍ତୁ ସାମନାରୁ ମଧ୍ୟ କେତୋଟି କଳା ଛାଇ ତା’ଆଡ଼କୁ ମାଡ଼ି ଆସୁଥିଲେ । ବାଧ୍ୟହୋଇ ସେ ଛିଡ଼ାହେଲା ।

 

କ୍ଷଣିକେ ତା’ ଚାରିପଟେ ଦଶ ବାରଜଣ ଲୋକ ବେଢ଼ିଗଲେ । ସମସ୍ତଙ୍କ ମୁଣ୍ଡରେ ପଗଡ଼ି, ମୁହଁରେ ମୁଖା । ଟିକିଏ ଦୂରରେ ପଦାକୁ ମଧ୍ୟ ଦୁଇଜଣ ଲୋକ ଭିଡ଼ି ଧରିଥିଲେ ।

 

–“ତୁଇ କାଇକାଜେ ଆମର ଗାଁ ଟୋକିର୍ ଗାଗରଥାନେ ହାତ୍ ଦେଲୁ ଆଚେ ? ଏବେ ଆକୁ ତୋର ମାଇକି କର ନା ହେଲେ ତୋକେ ନିକୋ ବନାଇବୁ ବେ ।” (ଆମ ଗାଁ ଝିଅର ଦେହରେ ହାତ ଦେଲୁ । ତେଣୁ ତାକୁ ବିବାହ କରିବାକୁ ହେବ । ନହେଲେ ଉଚିତ ଶିକ୍ଷା ଦିଆଯିବ-।)

 

ନବଘନର ଛାତି ଦମ୍ ଦମ୍ ହୋଇ ପିଟିହେଲା । ତା’ର ଗୁପ୍ତ ଧନ୍ଦା ଧରାପଡ଼ିଯାଇଛି । ଚତୁର୍ଦ୍ଦିଗ ଅନ୍ଧାର ଦିଶୁଛି । ଏଠି ହଁ କରିଦେଲେ ସବୁଦିନ ପାଇଁ ପଦ୍ମା ସହିତ ଯୋଖିଦେବେ । ଏଇଟା ତ ତା’ର କେବେ ଉଦ୍ଦେଶ୍ୟ ନ ଥିଲା । ଏ କନ୍ଦି ସେ କନ୍ଦି ଆଖି ବୁଲାଇ ସେ ବଡ଼ପାଟିରେ କହିଲା, “ମୁଁ ପଦ୍ମା କି ପଦ୍ମା କାହାକୁ ଜାଣିନାହିଁ । ମତେ ହରବର କରନାହିଁ ।”

 

ଜଣେ ଡେଙ୍ଗା ଲୋକ ତାକୁ ଛିଗୁଲେଇ କହିଲା–“ଆର୍ କାଇଟା ନୁନିକେ ଶରଦାକାଜେ ଡଙ୍ଗରଥାନେ ଧରି ଆଣିଲୁଚେ କି ? (ଆଉ କ’ଣ ଦେହସୁଖ ପାଇଁ ଟୋକିକୁ ପାହାଡ଼ ଉପରକୁ ଆଣିଛୁ ?)”

 

“ଗଡ଼ିଆ (ସହରିଆ) ମନୁଷ୍‌ମାନଙ୍କର ବୃଦ୍ଧି ଏକା ଇମିତି ।” ଆଉ ଜଣେ କହିଲା ।

 

ନବଘନ ବିକଳ ହୋଇ କହୁଥାଏ, “ସତ କହୁଛି, ବାପା ରାଣ, ମୁଁ ପଦ୍ମା ଉପରେ ହାତଦେଇ ନାହିଁ ।”

 

–“ପାଟି ବୁଜ୍ । ଭେସଡ଼ (ବାଜେ) କଥା କହୁଛି । ନିମାନ କଥା ସାଙ୍ଗେ (କହ), ତାକେ ଘର୍‌କେ ନେବୁସ୍ କି ନାହିଁ ? ନହେଲେ ଭୁତା ବନେଇବୁ (ଠିକ୍ କରିଦେବୁ) । ଏ ଥାନେ କୋନ୍ ସାଙ୍ଗାଇକା ଲୋଗ୍ ନ୍ୟାଇଁ । ତମର କୁକୁରକେ ବିଷ ଦେଇ ମରାଇଲୁସ୍ ।”

 

–“ଏଁ, ହିରୋକୁ ମାରିଦେଇଛ ? ନବ ବାଷ୍ପରୁଦ୍ଧ ହୋଇଗଲା । ଏତେଦିନର ବନ୍ଧୁ ହିରୋର ମୃତ୍ୟୁ ଖବର ଶୁଣି ସେ ମ୍ରିୟମାଣ ହୋଇପଡ଼ିଲା । କିନ୍ତୁ କୁକୁର ବିଷୟରେ ଭାବିବାକୁ ଆଉ ସମୟ ନ ଥିଲା, ପଦ୍ମ ଉପରେ ଶେଷ ସିଦ୍ଧାନ୍ତ ଘୋଷଣା କରିବାକୁ ପଡ଼ିବ । ତା’ ପାଟିରୁ ଆପେ ଆପେ ଖସିପଡ଼ିଲା–“ମୁଁ ପଦ୍ମାକୁ ବିଭା ହୋଇପାରିବି ନାହିଁ ।”

 

ଆଉ ପଦଟିଏ କହିବାକୁ ବି ସମୟ ନ ଥିଲା । ପଡ଼ିଲା ନବ ଉପରେ ନିର୍ଘାତିଆ ମାଡ଼ । ମାଡ଼ ଉପରେ ମାଡ଼ । ନବ କାନ୍ଦୁ କାନ୍ଦୁ ଭୂଇଁ ଉପରେ ଲୋଟିପଡ଼ିଲା । ଗୋଇଠା ମାଡ଼ରେ ଅଳ୍ପ ଦୂର ଗଡ଼ିଗଲା । ବେଦନାରେ ଚିଙ୍ଗୁଡ଼ି ମାଛ ପରି ଛଟ ଛଟ ହେଲା । ତା’ର ଚାରିପଟ ଅନ୍ଧାର ଦିଶିଲା । ତେଣେ ପଦ୍ମା ଅତି ବଦଳରେ କାନ୍ଦୁଥାଏ । ଦୁଇଜଣ ତାକୁ ଭିଡ଼ିଓଟାର ଗାଁଆଡ଼କୁ ନେଇଯାଉଥିଲେ । ମଝିରେ ମଝିରେ ଦୁଇଟି ଲୋକ ତା’ଉପରେ ଭୀଷଣ ରାଗି ଗାଳି ଦେଉଥିଲେ-

 

ସବୁଦିନ ପରି ସେଦିନ ମଧ୍ୟ ଭୋର ଚାରିଟାରୁ ଫାର୍ମ ଗୃହ ଜାଗିଉଠିଥିଲା । ସଭ୍ୟମାନେ ଦୈନନ୍ଦିନ କାମ ଓ ଜଳଖିଆ ସାରି ଯେ ଯାହାର କର୍ମକ୍ଷେତ୍ରକୁ ଚାଲିଗଲେ ।

 

ଦେବବାପା ପନ୍ଦର ଦିନ ହେଲା ଫାର୍ମକୁ ଆସିଛନ୍ତି । ଅର୍ଚ୍ଚନା ମଧ୍ୟ ଫାର୍ମକୁ ପ୍ରତ୍ୟାବର୍ତ୍ତନ କରିବା ମାସେ ହେଲାଣି । ସମସ୍ତେ କାମକୁ ଚାଲିଗଲା ପରେ ନବଘନ କଥା ପଡ଼ିଲା । ଏତେବେଳଯାଏ ନବ ଜଳଖିଆ ପାଇଁ ଆସିନାହିଁ କାହିଁକି ? ଗତ ରାତିରେ ତା’ର ଫାର୍ମ ଜଗିବା ପାଳିଥିଲା । ତେଣୁ ସେ ତ ପ୍ରଥମେ ଆସିବା କଥା । ତା’ ସହିତ ହିରୋ ମଧ୍ୟ ଅନ୍ତର୍ଦ୍ଧାନ ହୋଇଛି ।

 

ଆଠଟା ବାଜିଲା । ତଥାପି ନବର ଦେଖାନାହିଁ । ନିତ୍ୟାନନ୍ଦବାବୁ ଓ ଆରତି ବ୍ୟସ୍ତହେଲେ । ଏହି ସମୟରେ ଫାର୍ମ ଭିତରେ ଚନ୍ଦ୍ରାବତୀ ନଈକୂଳରେ କୋଳାହଳ ଶୁଣାଗଲା । ନିତ୍ୟାନନ୍ଦ ଓ ରବି ସେ ଆଡ଼କୁ ଦୌଡ଼ିଗଲେ । ପାଖକୁଯାଇ ନିତ୍ୟାନନ୍ଦ ଦେଖିଲେ ଯେ, ନବଘନ ରକ୍ତାକ୍ତ ଅବସ୍ଥାରେ ଭୂଇଁରେ ପଡ଼ିଛି । ତା’ର ମୁଣ୍ଡ, ହାତ, ଗୋଡ଼ ଓ ପିଠିରେ ରକ୍ତର ଦାଗମାନ ରହିଛି । ମିଟି ମିଟି କରି ସେ ଅନଉଛି । ଏକ ଅସହ୍ୟ ଯନ୍ତ୍ରଣାରେ ସେ ବିକଳ ହୋଇ କୁନ୍ଥଉଛି ମାତ୍ର । ପାଖରେ ମରିପଡ଼ିଛି ଫାର୍ମର ପ୍ରିୟ କୁକୁର ହିରୋ । ଥୋମଣିରୁ ଜିଭଟା ପଦାକୁ ବାହାରିପଡ଼ିଛି । କୁକୁରଟିର ଏପରି କରୁଣ ଦୃଶ୍ୟରେ ସଭ୍ୟମାନେ କାନ୍ଦିପକାଇଲେ ।

 

ନବକୁ ସମସ୍ତେ ଟେକାଟେକି କରି ଘରକୁ ଆଣିଲେ । ଶ୍ରୀକାନ୍ତ କିନ୍ତୁ ହିରୋ ଦେହରେ ଆଉଁସି ଆଉଁସି ବହୁ ସମୟ ଧରି ଅଶ୍ରୁ ତର୍ପଣ କଲା । ଅର୍ଚ୍ଚନା ସଙ୍ଗେ ସଙ୍ଗେ ନବର ଚିକିତ୍ସା ଆରମ୍ଭ କରିଦେଲା । କ୍ଷତ ସ୍ଥାନଗୁଡ଼ିକୁ ଧୁଆ ଧୋଇ କରି, ଔଷଧ ଲଗେଇ ବ୍ୟାଣ୍ଡେଜ୍ ବାନ୍ଧିଦେଲା । ତା’ ସହିତ କେହି କଥାବାର୍ତ୍ତା ହେବାକୁ ମନା । ଖଟ ପାଖରେ ଜଗିରହିଲେ ଆରତି ଓ ନିତ୍ୟାନନ୍ଦ ।

 

ସମସ୍ତଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ–ନବର କ’ଣ ହେଲା ? ଘଟଣା କ’ଣ ?

 

କିଛି ସମୟ ପରେ ବଳଭଦ୍ର ସିଂ ଫାର୍ମକୁ ବୁଲିଆସିଲେ । ନବଘନକୁ ଦେଖି ଆଶ୍ଚର୍ଯ୍ୟ ହେଲେ, ଦୁଃଖିତ ହେଲେ ଏବଂ କାନ୍ଦ କାନ୍ଦ ହୋଇ ବାରମ୍ୱାର ଲୁଗାରେ ମୁହଁ ପୋଛିଲେ ।

 

–“ମୁଁ ଯାଉଛି ନିତିଆ ବାବୁ । ବାମନ ଓ ତାଠୁ ବୁଝି ଭଲ ବେଳରେ ଶୁଭ କାମ ପାଇଁ ଆସିଥିଲି । ହେଲେ ପିଲାଟାର ଅବସ୍ଥା ଦେଖିଲେ ମୋ ପେଟ ଦଳି ଚକଟି ହୋଇଯାଉଛି ।”

 

–“ଟିକିଏ ବସନ୍ତୁ । ଆପଣ ଥିଲେ ମତେ ସବୁବେଳେ ଧୈର୍ଯ୍ୟ ଆସେ । ପିଲାମାନେ ଏଠି ନିଆଶ୍ରା ହୋଇପଡ଼ିଛନ୍ତି । ଏହି ଗାଁରେ ଆପଣ ହିଁ ତାଙ୍କର ବାପ ମା’ । ହଁ, କି ଶୁଭ କାମରେ ଆସିଥିଲେ କହୁନାହାନ୍ତି ?”

 

–“ଅରଚନା ଦେଇଙ୍କ ପାଖରେ କାମଥିଲା ଆଜ୍ଞା ।”

 

ପାଖ ଘରୁ ଅର୍ଚ୍ଚନା ଦେବୀ ଚାଲିଆସିଲେ । ତାଙ୍କୁ ଦେଖି ଦେଖି ବଳଭଦ୍ର ସିଂ ଉଠିପଡ଼ିଲେ । ଲାଜରେ ସେ ଗୋଟାସାରା ନାଲିପଡ଼ିଗଲେ । କାନ ମୂଳରେ ଆଙ୍ଗୁଠି ଘଷି ଘଷି ସେ କହିଲେ–“ହେଃ, ହେଃ, ଟିକିଏ ତୁମ ସହିତ କଥା ଥିଲା । ଘରେ କ’ଣ ସବୁ କହିଛ ଯେ, ବୁଢ଼ୀ ରଖେଇ ଥୁଇ ଦଉନି ।”

 

ଅର୍ଚ୍ଚନା ହସି ହସି କହିଲେ–“ଓହୋ, ବୁଝିଲ । ଆସନ୍ତୁ, ଅଫିସ୍ ରୁମ୍‌ରେ କେହିନାହାନ୍ତି । ସେଠି କଥାବାର୍ତ୍ତା କରିବା ।”

 

ଅଫିସ୍ ରୁମ୍‌ରେ ବଳଭଦ୍ର ସିଂ ଓ ଅର୍ଚ୍ଚନା ଆଲୋଚନାରେ ରତ ରହିଲେ ।

 

ମଧ୍ୟାହ୍ନ ବେଳକୁ ନବ ଆଖି ଖୋଲିଲା । ଦେହରେ ଅତି କଷ୍ଟ । ଘୋଳାବିନ୍ଧା, ପୋଡ଼ାର ଏକ ମିଶ୍ରିତ ଯନ୍ତ୍ରଣା । ତା’ର ମନେହେଲା, ଦେହଟା କେମିତି ବିସ୍ଫୋରଣ ହେଲାପରି ଫାଟିପଡ଼ୁଛି, ଖଣ୍ଡ ଖଣ୍ଡ ହୋଇଯାଉଛି । ମୁଣ୍ଡ ଭୀଷଣ ଓଜନିଆ ହୋଇ ଭାଙ୍ଗିପଡ଼ୁଛି । ଚାରିଆଡ଼େ ଘେରିରହି ସଭ୍ୟମାନେ ତାକୁ ହିଁ ଚାହିଁଛନ୍ତି ।

 

ଅଳ୍ପ ସମୟ ପରେ ଫାର୍ମରେ ଆଉଗୋଟିଏ କୋଳାହଳ ଶୁଣାଗଲା । କେନ୍ଦୁପଦରରୁ ବ୍ରଜ, ଦେବ, ନରେଶ, ଫେରିଆସି ଘର ଭିତରେ ପଶୁ ପଶୁ ଦେବ ପାଟି କମ୍ପେଇଲା, “କୁଆଡ଼େ ଗଲା ନବ ? ମୂର୍ଖ କାହିଁକା । ଆଜି, ଏଇଲାଗେ ତାକୁ ଘରୁ ନିକାଲିବିକୁ ପଡ଼ିବ । ଏଠି ଭେସ ଲଗେଇଛି, ବଦ୍‌ମାସ ।”

 

ରାଗରେ ଦେବ ଫୁଲିଉଠୁଥିଲା । ତମ ତମ ହୋଇ ଘର ଭିତରକୁ ପଶିଆସି ଦେହସାରା ବ୍ୟାଣ୍ଡେଜ୍ ବନ୍ଧା ନବକୁ ଦେଖି ଚମକିପଡ଼ିଲା । ତା’ର ଖଟିଆ ଚାରିପଟେ ସଭ୍ୟମାନେ ପ୍ରଶ୍ନୀଳ ମୁହଁରେ ଚାହିଁ ରହିଥିଲେ ।

 

–“କ’ଣ ହେଲା ଦେବ ?” ନିତ୍ୟାନନ୍ଦ ପଚାରିଲେ ।

 

ଦେବ ଉତ୍ତର ଦେଲା–“ବାରଣ୍ଡାକୁ ଯାଇ ଦେଖ ।”

 

ବାରଣ୍ଡା ପାହୁଚ ତଳେ ବସିଥିଲେ କୁସୁମଗୁଡ଼ାର ଗାଁ ନାୟକ ବୁଢ଼ା ଲଛମନ ଓ ତା’ର ଝିଅ ପଦ୍ମା । କାନ୍ଦି କାନ୍ଦି ସେମାନଙ୍କର ଆଖିଗୁଡ଼ିକ ଫୁଲିଯାଇଥିଲା । ଲଛମନକୁ ଫାର୍ମ ସଭ୍ୟମାନେ ଭଲରୂପେ ଜାଣନ୍ତି । ଘର ଭିତରୁ ନିତ୍ୟାନନ୍ଦ ଓ ଅନ୍ୟମାନେ ବାରଣ୍ଡାକୁ ବହାରିବାକ୍ଷଣି ଲଛମନ ତଳୁ ଉଠି ଛିଡ଼ାହେଲା ଏବଂ ନିତ୍ୟାନନ୍ଦଙ୍କ ପାଦ ଧରିବାକୁ ଆଗେଇ ଗଲାବେଳେ କହୁଥିଲା, “ହେ ମହାପ୍ରୁ, ତୋର ପାଦତଳେ ପଡ଼ୁଛୁ, ରକ୍ଷା କରିଦେ ।”

 

ବଳଭଦ୍ର ସିଂ ଅଫିସ୍ ଘରୁ ଦଉଡ଼ିଆସିଲେ । ସେତେବେଳକୁ ଲଛମନ ନିତ୍ୟାନନ୍ଦଙ୍କ ପାଦ ଛୁଇଁ ପଦ୍ମା ପାଖକୁ ଚାଲିଆସିଥିଲା । ପଦ୍ମାର ପିଠିରେ ହାତ ଥାପୁଡ଼େଇ ସେ କହିଲା ଯେ, ନବଘନ ବହୁତଦିନ ହେଲା ପଦ୍ମାକୁ ବିଭା ହେବ ବୋଲି କଥାଦେଇଛି । ପଦ୍ମାର ମଧ୍ୟ ମନ ପାଇଛି-। ତେଣୁ ସେମାନଙ୍କୁ ଅବାଧରେ ମିଶିବାପାଇଁ କୌଣସି କଟକଣା ରଖାଯାଇନଥିଲା । କିନ୍ତୁ ଦୁଃଖର କଥା କାଲି ରାତି ନବଘନ ମନାକରିଦେଲା । ଏବେ ଗାଁ ଲୋକେ ପଦ୍ମାକୁ କୁଳଟା ତାଲିକାରେ ଥୋଇ ଲଛମନ ଓ ତା’ ଝିଅକୁ ବାଡ଼େଇବାକୁ ବସିଛନ୍ତି । ଏହାର ପ୍ରତିକାର ନିମନ୍ତେ ସେମାନେ ନିତ୍ୟାନନ୍ଦଙ୍କ ଶରଣାପନ୍ନ ।

 

–“ରାମ, ରାମ ! କି କଥା ଏ କର୍ଣ୍ଣ ଶୁଣିଲା ! କି ପାପ, କି ପାପ !” ଆଖି ମିଟି ମିଟି କରି ବଳଭଦ୍ର ସିଂ କହିଲେ ।

 

ନିତ୍ୟାନନ୍ଦ ରାଗିଆସୁଥିଲେ । ସେ କହିଲେ, “ଓ, ବୁଝିଲି । ତମେ ସବୁ ନବକୁ ବାଡ଼େଇଛ । ଆରେ, ବାଡ଼େଇ ବାଡ଼େଇ ତାକୁ ତ ଦରମରା କରିଛ, ସେତିକିରେ ମଧ୍ୟ ତୁମେ ସନ୍ତୁଷ୍ଟ ନୁହେଁ ? ଶେଷର ମିଛ କଥାଗୁଡ଼ାଏ ମନରୁ ଫାନ୍ଦି ଭଦ୍ରଲୋକକୁ ନ ହବା କଥାରେ ପୂରଉଛ । ତୁମେ ସବୁ ପାଗଳ ନା କ’ଣ ?”

 

ନିତ୍ୟାନନ୍ଦଙ୍କ କଥା ଶୁଣି ବଳଭଦ୍ର ବାବୁ ଆନନ୍ଦରେ କୁରୁଳିଉଠିଲେ । ସେ ନିତ୍ୟାନନ୍ଦଙ୍କୁ ଗୋଟିଏ କୋଣକୁ ଡାକିନେଇ ଫୁସ୍ ଫାସ୍ କରି ମନ୍ତ୍ରଣା ଫୁଙ୍କିଲେ ।

 

ଲଛମନର ଅବସ୍ଥା କାନ୍ଦୁଣି ମାନ୍ଦୁଣି । ସେ ବାହୁନୁଥାଏ, “ଏମ୍‌ତା (ଏମିତି) ନାଇକ (କହନା) ମା’ପ୍ରୁ । ଧରମ୍‌କୁ ସାକ୍ଷୀ କରି ସତ୍ କହୁଛି । ତୋର ପିଲା ନବଘନ ବିଭା ହେବି ବୋଲି ପର୍‌ମାଣ କରିଥିଲା । ଗାଁ ଲୋଗ୍ ମଧ୍ୟ ତାଙ୍କୁ ଏକଲା କୁପୁଲି ଉପରେ ଦେଖି ରଇଲାଇ (ଦେଖିଥିଲେ) ।”

 

ନିତ୍ୟାନନ୍ଦ ଗର୍ଜିଉଠିଲେ, “ଚୁପ୍ କର, ସଇତାନ୍ ! ଏଠି ସମସ୍ତଙ୍କୁ ମୂର୍ଖ ପାଇଲୁ କିରେ ? କେଉଁଠୁ ଫାଦ୍ରୀ (ବାରନାରୀ) ଟୋକୀକୁ ଧରିଆଣି ଗମାତ ଲଗେଇଛୁ ?”

 

ଫାଦ୍ରୀ ନା ଶୁଣି ଲଛମନ ଚିହିଁକିଉଠିଲା । ଦୁଃଖ ଭିତରେ ବି ପ୍ରଚଣ୍ଡ ରାଗ ତା’ ମୁଣ୍ଡକୁ ବିଗାଡ଼ି ହେବାର ଉପକ୍ରମ କଲା । ଢିଗା ଢିଗା ଆଖିରେ ସେ ଚାରିଆଡ଼େ ଚାହିଁଲା । ଦାନ୍ତ କଟମଟ କଲା । ପଦ୍ମା କୁକୁର ଛୁଆ ଭଳି କୁଁ କୁଁ ହୋଇ କାନ୍ଦିଉଠିଲା । ଲଛମନ ଝିଅର ପିଠି ଆଉଁସିଲା । ତା’ ମୁହଁଟା ପୁଣିଥରେ ଦୁଃଖ ଓ କାରୁଣ୍ୟରେ ନରମିଗଲା । ଲୁହ ଛଳ ଛଳ ଆଖିରେ କହିଲା, “ତୁମେ ଜାଣିବା ଶୁଣିବାର ବାବୁମନ୍ । ତୁଇ କୋପ କଲେ ଆମେ କେନ୍ ବାଟେ ଯିବୁ ?

 

ମୋର ଗୋଟେକ୍ ବୋଲି ଟୋକି ପଦୁଆଁ । ଏବେ ତାକୁ ଆଉକିଏ ବିଭା ହେଇସି ? ମୋର କଥା ଘେନା କର ବାବୁ । ନ ହେଲେ ମରିଯିବୁ । ମୋର କଥା ମିଛ୍ ହେଲେ ତୋର ପୁଅକୁ ପଚାର ।”

 

–“ବକ୍‌ବାସ୍ ବନ୍ଦ କର, ଗ୍ୟାଳ୍ପ ଫଟାକାର୍ । ନବ ମରିବ କି ଜିଇଁବ ଠିକଣା ନାହିଁ, ତାକୁ କ’ଣ ପଚରାଯିବ ? ପୁଣି କହିଦଉଛି, ମୁଁ ତୋ କଥାକୁ ବିଶ୍ୱାସ କରେ ନାହିଁ । ଏ ଗାଁଗୁଡ଼ାକରେ ପକ୍‌କା ଦଗଲବାଜି ଭର୍ତ୍ତି ଦେଖୁଛି ।”

 

ପଦ୍ମା କାନ୍ଦି କାନ୍ଦି ନିତ୍ୟାନନ୍ଦଙ୍କ ଗୋଡ଼ତଳେ ପଡ଼ିଗଲା ।

 

–“ଏ ଟୋକୀ, ଯା, ଯା । ପଳା, ଯା ଏଠୁ । କୁଆଡ଼ୁ ଆସି ଏଠି ତାମ୍‌ସା ଲଗେଇଛନ୍ତି ।”

 

ଲଛମନ ଖାଲି କାନ୍ଦୁଥିଲା–“ମହାପ୍ରୁ ! ତୋର ଗୁ’ ଖାଇବୁ ପ୍ରଭୁ । ଆମେ ଭାସିଯିବୁ, ରକ୍ଷା କରିଦେ ।”

 

–“ଯା, ଯା, ଭାସି ଯା । ଅନ୍ୟକୁ କାହିଁକି ଭସେଇବା ପାଇଁ ଚେରେଷ୍ଟା ? ଯା ପଳା ।”

 

ପଦ୍ମାର ବିକଳ କାନ୍ଦରେ ଫାର୍ମ ଗୃହଟି ଫାଟିପଡ଼ୁଥିଲା । କିଛି ସମୟ ପରେ ଲଛମନ ଆଖି ପୋଛିଲା । ଝିଅର ପିଠି ଥାପୁଡ଼େଇ ଆଶ୍ୱାସନା ଦେବା ଭଙ୍ଗୀରେ କ’ଣ କହିଲା । ତା’ ପରେ ଝିଅ ପିଠିରେ ହାତରଖି ସେ ଧୀରେ ଧୀରେ ଫାର୍ମରୁ ନିଷ୍କ୍ରାନ୍ତ ହେଲା ।

Unknown

 

ସେମାନଙ୍କ ଯିବା ପଥକୁ ସମସ୍ତେ ବଲ ବଲ କରି ଚାହିଁଥିଲେ । ଏ କ’ଣ ହେଲା ? ନବଘନ ପୁଣି ଏଡ଼େ କାଣ୍ଡ କରିପାରେ ? ଏହି ସମୟରେ ଘର ଭିତରୁ ନବର ଯନ୍ତ୍ରଣାଜନିତ ଉଃ ଆଃ ଭାସିଆସିଲା । ସମସ୍ତେ ସେ ଆଡ଼କୁ ମୁହାଁଇଲେ । ଦେବ ବାପାଙ୍କ ପାଖକୁ ଯାଇ କହିଲା ଯେ, ଲଛମନ ପ୍ରତି କରାଯାଇଥିବା ବ୍ୟବହାର ଠିକ୍ ହେଲା ନାହିଁ । ଅନତଃ ତା’ କଥାର ସତ୍ୟାସତ୍ୟ ନବଠୁ ବୁଝିନେବା ଉଚିତ ।

 

–“କ’ଣ ? କ’ଣ ହେଲା ? ତୁ ଗାଁ ଗଣ୍ଡାର ଲୋକଙ୍କ କଥା ମୋଟେ ଜାଣିନୁ । ଦୁଶ୍ଚରିତ୍ରା ସ୍ତ୍ରୀମାନଙ୍କୁ କେଉଁଠି ବୋକା ଲୋକ ପାଇଲେ ଧରେଇଦେବା ପାଇଁ ଗାଁ ଲୋକେ ଏମିତି ଫନ୍ଦି କରନ୍ତି । ଏ କ’ଣ ନୂଆ ହୋଇଛି ? ନା କ’ଣ କହୁଛନ୍ତି ସିଂ ବାବୁ ?”

 

ସିଂ ବାବୁ ନୀରବରେ ମୁଣ୍ଡ ଲାଡ଼ିଲେ ।

 

ଦେବ ଆଉ କିଛି କହିଲା ନାହିଁ । ଲଛମନ ଯିବା ଦିଗକୁ ସାଇକେଲ୍ ଛୁଟାଇଲା । ଅଳ୍ପ ଦୂରରେ ସେମାନଙ୍କୁ ଭେଟି କହିଲା, “ଶୁଣ ଲଛମନ ! ମନରେ ଦୁଃଖ କରନାହିଁ । ରାଗରେ ବାପା ତୁମକୁ କ’ଣ ସବୁ କହିଗଲେ । ତାକୁ ମନରୁ ପୋଛିଦିଅ । ନବ ଭଲହେଲା ପରେ ମୁଁ ସବୁ କଥା ପଚାରି ବୁଝିବି । ତା’ପରେ ଯାହା ଉଚିତ ମନେକରାଯିବ କରିବା ।”

 

–“ତୋର ଇଷ୍ଟ । ହେଲେ ମୋର ଝିଅ ଛାଡ଼ିରୀ (ପରିତ୍ୟକ୍ତା) କି ଫାଦ୍ରୀ ହୋଇନାହିଁ ବାବୁ । ଆମର ବି ଇଜ୍ଜତ୍ ଅଛି । ଆମକୁ ତିନିଫୁଲିଆ (ମୂଲ୍ୟହୀନ) ଭାବ ନାହିଁ ।”

 

ଦେବକୁ ନ ଶୁଣି ଲଛମନ୍ କ’ଣ ଗୁଡ଼ାଏ ଗପି ତରତର ହୋଇ ଚାଲିଯାଉଥିଲା । ପଦ୍ମା କଇଁ କଇଁ ହୋଇ କାନ୍ଦୁଥିଲା । ଦେବ ଆଖିରେ ବି ଲୁହ ଜକେଇ ଆସୁଥିଲା ।

 

ସତେଇଶ

 

ଚଡ଼୍ ଚାଡ଼୍ ଶବ୍ଦ ଶୁଣି ବିଜୟ ଚମକିପଡ଼ି ନିଦରୁ ଉଠିଲା । ଆଶ୍ଚର୍ଯ୍ୟ, ରାତି ଅଧଟାରେ ଘରସାରା ଦିନ ପରି ଆଲୁଅ ହୋଇଯାଇଛି । ସେ ହାତଘଡ଼ି ଦେଖି ଜାଣିଲା ଯେ ଗୋଟାଏ ବାଜିଛି-। ରାତି ଦଶଟାରୁ ଲେଖୁ ଲେଖୁ କେତେବେଳେ ଟେବୁଲ ଉପରେ ମୁଣ୍ଡ ରଖି ଶୋଇଯାଇଛି । କାଳ ବିଳମ୍ବ ନ କରି ସେ ଦୌଡ଼ିଯାଇ ଝରକା ମେଲାକଲା । ସେଠି ସେ ଯାହା ଦେଖିଲା ସେଥିରେ ତା’ର ପିଳେହି ପାଣି ହୋଇଗଲା ।

 

ବିଜୟର ଆଖିଆଗରେ ନିଜ ରକ୍ତକୁ ପାଣିକରି ଉତ୍ପାଦନ କରିଥିବା ଶସ୍ୟଗୁଡ଼ାକ ଜଳିଯାଉଛି । ମାତ୍ର ଦୁଇଦିନ ତଳେ ମୁଗ, ବିରି, ଗହମ, ମାଣ୍ଡିଆ କଟାଯାଇ ଅମଳ କରିବାପାଇଁ ପାହାଡ଼ ପରି ଶସ୍ୟଗୁଡ଼ାକ ପାଞ୍ଚଟି ସ୍ଥାନରେ ଗଦା କରାଯାଇଥିଲା । ତାକୁ ଦେଖିଲେ ପେଟ ପୁରିଉଠୁଥିଲା । ଏବେ କି ଭୀଷଣ ତା’ର ଦୃଶ୍ୟ । ଅନ୍ଧାର ଅମାବାସ୍ୟା ରାତିର ଛାତି ଚିରି ବିରାଟ ନିଆଁ ହୁଳାମାନ ହୁ ହୁ ହୋଇ ଉପରକୁ ଉଠିଯାଉଥିଲା । ନିଆଁ ହୁଳାର ଲହଡ଼ି ଉପରେ ଲହଡ଼ି । ତା’ ଉପରେ ସଫେଦ ଧୂଆଁର ସମୁଦ୍ର । ଠୋ ଠା ଶବ୍ଦ କରି ନିଆଁର ଝୁଲମାନ ଚତୁର୍ଦ୍ଦିଗରେ ଛିଞ୍ଚାଡ଼ି ହୋଇପଡ଼ିଥିଲା । ଗରମ ଝାଞ୍ଜି ପବନ ଚାଇଁ ଚାଇଁ ହୋଇ ଦେହରେ ବାଜୁଥିଲା ।

 

ବିଜୟର ରକ୍ତ ଟବ୍ ଟବ୍ ହୋଇ ଫୁଟିଲା । ଝରକା ବନ୍ଦ କରି ସଂଲଗ୍ନ ବଖରାକୁ ସେ ଦୌଡ଼ିଲା । ଆଲମୀରାରୁ ବନ୍ଧୁକ ଓ କେତେକ କ୍ୟାଟ୍ରିଜ୍‌ ବାହାର କଲା । ଶ୍ରୀକାନ୍ତ ଏତେବେଳଯାଏ ଘୁଁଘୁଡ଼ି ମାରି ଶୋଇଥିଲା । ତାକୁ ନିଦରୁ ଉଠେଇ ଏଣୁତେଣୁ କ’ଣ ଦି ପଦ ଧମକ ଦେବା ଭଙ୍ଗୀରେ କହି ସେ ଶସ୍ୟଗଦା ଆଡ଼କୁ ଦୌଡ଼ିଲା ।

 

ଶସ୍ୟ ସ୍ତୂପ ଆଖପାଖରେ କେହିନଥିଲେ । ଚାରିଆଡ଼େ ଟର୍ଚ୍ଚ ଆଲୁଅ ପକାଇ ବିଜୟ ଆବିଷ୍କାର କଲା ଯେ ଚନ୍ଦ୍ରାବତୀ ନଈ କୂଳେ କେତେକ ଲୋକ ଦୌଡ଼ୁଛନ୍ତି । ସେମାନଙ୍କୁ ଲକ୍ଷ୍ୟ କରି ବିଜୟ ଦୁଇଥର ଫାୟାର କଲା । କିନ୍ତୁ ସେତେବେଳକୁ ସେମାନେ ଅଦୃଶ୍ୟ ହୋଇଯାଇଥିଲେ । ଆଗପଛ ନ ବିଚାରି ବିଜୟ ସେ ଆଡ଼କୁ ଦୌଡ଼ିଲା । ନଈ କୂଳରେ ମଧ୍ୟ ସେ କାହାକୁ ପାରିଲା ନାହିଁ । ପାହାଡ଼ିଆ ନଈର କୂଳ ପାହାଡ଼ ପରି । ଭୂଇଁର ପତ୍ତନଠାରୁ କୋଡ଼ିଏ ତିରିଶ ଫୁଟ ତଳେ ପାଣି । ତେଣୁ ଆଉ ସେମାନଙ୍କୁ ଖୋଜି ବାହାରକରି ହେବ ନାହିଁ । ଆଃ, ଏବେ ଯଦି ହିରୋ ଥାନ୍ତା ନା !

 

ବିଜୟ ଆଗକୁ ଯିବ କି ଫାର୍ମକୁ ଫେରିଆସିବ ଭାବୁଛି, ଏହି ସମୟରେ ଅଳ୍ପ ଦୂରରେ ଭୂଇଁ ଉପରେ ଗୋଟିଏ ଝକମକ ଜିନିଷ ପଡ଼ିଥିବାର ସେ ଦେଖିଲା । ତାକୁ ଉଠେଇଆଣି ବିଜୟ ତନ୍ନ ତନ୍ନ କରି ପରୀକ୍ଷା କଲା । ଦେଖୁ ଦେଖୁ ତା’ ଆଖିଗୁଡ଼ାକ ତେଜିଉଠିଲା ଏବଂ ସେ ରାଗରେ ତାତିଗଲା । ଜିନିଷଟି ପକେଟରେ ପୂରେଇ ସେ ନଈ କୂଳେ କୂଳେ କେନ୍ଦୁପଦର ଆଡ଼କୁ ଚାଲିଲା ।

 

ସେତେବେଳକୁ ସଭ୍ୟମାନେ ଜଳି ଯାଉଥିବା ଶସ୍ୟ ଆଗରେ ଉପସ୍ଥିତ ହୋଇସାରିଥିଲେ । କୂଅରୁ ପାଣି ପମ୍ପକରି ନିଆଁ ଲିଭାଇବାକୁ ଯତ୍ନ କରାଯାଉଥିଲା । ବ୍ୟଗ୍ରତା ଭିତରେ ଦେବ କିନ୍ତୁ ବିଜୟକୁ ଖୋଜୁଥିଲା । ଟର୍ଚ୍ଚ ଆଲୁଅରେ ସେ ଦେଖିଲା ଯେ, ଦୂରରେ ଚନ୍ଦ୍ରାବତୀ କୂଳେ କୂଳେ ବିଜୟ ଦୌଡ଼ୁଛି । ତା’ ହାତରେ ବନ୍ଧୁକ । ଆଗରୁ ଦୁଇଥର ଫୁଟାଇ ସାରିଲାଣି । ଦେବ ମନେମନେ ପ୍ରମାଦ ଗଣିଲା । ଉଚ୍ଚସ୍ୱରରେ ‘ବିଜି, ବିଜି’ ବୋଲି ଡାକଛାଡ଼ି ସେ ତୀର ବେଗରେ ଦୌଡ଼ିଲା । ବିଜୟ କିନ୍ତୁ ଏକ ଲୟରେ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ନଦୀର ଅଙ୍କାବଙ୍କା ତଟ ଦେଶରେ ଛପିଛପିକା ଚାଲିଥିଲା । ଦେବ ଧଇଁସଇଁ ହୋଇ ତା’ ପାଖକୁ ଆସି କହିଲା, “ବିଜି, ସେଠି ଠିଆ ହ’ । ଆଗକୁ ଯାଆନା ।”

 

ବିଜୟ ପଛକୁ ଚାହିଁଲା । ହଠାତ୍ କାହିଁକି ଦେବ ପ୍ରତି ତା’ର ଘୃଣା ଆସିଗଲା । ଏଇ ମଣିଷଟି ତା’ର ଉତ୍ସାହ ଓ ସ୍ପିରିଟ୍‌କୁ ଦବାଇ ଦେବାପାଇଁ ସବୁବେଳେ ଗୋଡ଼ରେ ଗୋଡ଼ରେ ଲାଗିଛି-। ସେତେବେଳକୁ ଦେବ ତା’ର କାନ୍ଧରେ ହାତ ପକାଇ ପଛକୁ ଟାଣି ସାଣିଲାଣି ।

 

ଦେବର ହାତକୁ ଯୋର୍‌ରେ ଛିଞ୍ଚାଡ଼ିଦେଇ ବିଜୟ କହିଲା, “ମୁଁ ବରଂ ତୋତେ କହୁଛି ଯେ ତୁ ଏଇଲାଗେ କୁସୁମଗୁଡ଼ା ଲଛମନ ଘରକୁ ଯାଇ ଦେଖ୍, ସେ ବଦ୍‌ମାସ୍ ଅଛି ନା ନାହିଁ । ମୋ ପିଛା ଛାଡ଼ । ମୁଁ ଆଉଜଣେ ବ୍ୟକ୍ତିର ସନ୍ଧାନରେ ଅଛି । ଅତି ବେଶିହେଲେ ଦୁଇଘଣ୍ଟା ଭିତରେ ଆଇୱିଲ୍ କିଲ୍ ଦାଟ ବାଷ୍ଟାର୍ଡ଼ ।”

 

–“ବିଜି ! ତୁ ହୋସରେ ଅଛୁ ନା ନାହିଁ ? ତେଣେ ନିଆଁ ଲିଭାଇବାରେ ମନ ନ ଦେଇ ନରହତ୍ୟା କରିବାକୁ ବାହାରିଛୁ ? ତୁ ଦୁର୍ବୃତ୍ତଙ୍କୁ ଜାଣୁ ?”

 

ସଙ୍ଗେ ସଙ୍ଗେ ବିଜୟ ପକେଟ୍‌ରୁ ସେଇ ଚକ୍‌ଚକିଆ ଜିନିଷଟି ଦେବକୁ ଦେଖାଇ କହିଲା ଯେ, ସିଗାରେଟ୍ ଲାଇଟରଟି ବଳଭଦ୍ର ସିଂଙ୍କର । ନିର୍ବାଚନବେଳେ ଦରକାର ଆସିବ ବୋଲି ଦୁଇଦିନ ତଳେ ତାକୁ କିଣାଯାଇଛି । ତେଣୁ ପୋଡ଼ାଜଳାର ଅସଲ ନାୟକ ଠାବ କରିବାରେ କୌଣସି ଅସୁବିଧା ନାହିଁ । ତାକୁ ଏଇ ରାତିରେ ହିଁ ଶାସ୍ତି ଦେବାକୁ ବିଜୟ ବଦ୍ଧପରିକର ।

 

ଦେବ ଆଶ୍ଚର୍ଯ୍ୟ ହେଲା । ଅଳ୍ପ ଭାବି କହିଲା, “ତଥାପି ଫାର୍ମର ତଥା ସଭ୍ୟଙ୍କର ମଙ୍ଗଳ ଦୃଷ୍ଟିରୁ ତୋତେ ଏ ପଥରୁ ନିଷ୍କ୍ରାନ୍ତ ହେବାକୁପଡ଼ିବ ।”

 

–“ଆରେ ଯାଃ । ଭା’ରି ପଥ ଦେଖାଇଲା ବାଲା । ଦିନ ତମାମ୍ ଟ୍ରାକ୍ଟର ଚଲା, ଜାଣିବୁ କେମିତି କଷ୍ଟରେ ଶସ୍ୟ ଉତ୍ପାଦନ ହୁଏ । ତୁ ତ ଶଳା ଜଣେ ବାକ୍ୟବୀର, କଥା କହି କହି ଲିଡ଼ର ସାଜିଛୁ । କିମିତି ଜାଣିବୁ, ଶସ୍ୟ ପୋଡ଼ିଗଲେ ମନରେ କି ଦୁଃଖ ହୁଏ ? ତୁ ଜାଣିରଖ୍, ଟୁଡ଼େ ଆଇ ଏମ୍ ନଟ୍ ଗୋଇଙ୍ଗ୍ ଟୁ ହିଅର ୟୁ । ବଳିଆ ଆଜି ମଲା ବୋଲି ଜାଣ୍ । କେବଳ ଗୋଟିଏ ନୁହେଁ, ମୋ ଭଳି ବେକାର ଲୋକର ଧନ୍ଦାରେ ପ୍ରତିବନ୍ଧକ ସୃଷ୍ଟି କଲେ ଶହ ଶହ ବଳିଆକୁ କତଲ କରିବି । ନିଜର ପ୍ରତିପତ୍ତି ବିସ୍ତାର ପାଇଁ ଏଇ ନ୍ୟାଷ୍ଟି ପରାନ୍ନଭୋଜି ଟାଉଟର୍ ଏବଂ ଧନୀ ସାହୁକାରମାନେ କ’ଣ କରୁଛନ୍ତି ? ଏମାନେ ନିଜେ କିଛି ନ କରି ଓଡ଼ଶଙ୍କ ପରି ଅନ୍ୟର ରକ୍ତ ଶୋଷି ଫୁଟାଣିମାରନ୍ତି-। ସେଥିରେ କେହି ବାଧାଦେଲେ ସ୍ୱାର୍ଥ ସାଧନ ପାଇଁ ଏପରି ନୀଚ ହୃଦୟହୀନ କାର୍ଯ୍ୟ କରି ନିଜର ପରାକ୍ରମ ଦେଖାନ୍ତି । ….”

 

–“ଉତ୍ତେଜନାରେ ନକ୍‌ସଲାଇଟଙ୍କ ଭଳି କ’ଣ ସବୁ ଗପିଯାଉଛୁ ? ଯେଉଁ ଗୋଷ୍ଠୀର ନାଁ ତୁ ତୁଣ୍ଡରେ ଧରୁଛୁ ସେମାନଙ୍କୁ ତୁ ଏ ପ୍ରକାରେ ଦବେଇ ଦେଇ ପାରିବୁନି । ତା’ପାଇଁ ଅନ୍ୟ ବାଟ ଅଛି । ଯେପରି କି ଏଇଲାଗେ କାହାକୁ ଅନୁମାନ କରି ମାରିଗୋଡ଼ାଇବା ଅପେକ୍ଷା ଜଳିଯାଉଥିବା ଶସ୍ୟକୁ ରକ୍ଷାକରିବା ପ୍ରଥମ କର୍ତ୍ତବ୍ୟ ।”

 

–“କର୍ତ୍ତବ୍ୟ, ଭଲ ମନ୍ଦ ବାଣୀ ଆଉ କାହା ଆଗରେ କହିବୁ, ମୋତେ ନୁହେଁ । ଶଳା ତୁ ତ ବୁର୍ଜ୍ଜିଆ ଗୋଷ୍ଠୀର । ଦୁଃଖ କଷ୍ଟ ଅଙ୍ଗେ ନିଭା, ତା’ ପରେ ପାଟି ଫିଟେଇବୁ ।”

 

–“ଫାର୍ମର ସବୁତକ କ୍ରେଡ଼ିଟ୍ ତୋର ବୋଲି ଭାବନା । ଅନ୍ୟମାନେ ବି କଷ୍ଟ ପଡ଼ିଛନ୍ତି । ମୋ କଥା ମାନ । ତୁ କାହାକୁ ହତ୍ୟା କଲେ ଆମକୁ ବି ସେମାନେ ମାରିଦେବେ । ତୋ ଜଣକର ଗୋଟାଏ ଖିଆଲ ପାଇଁ ଅନ୍ୟମାନେ କାହିଁକି ଦଣ୍ଡ ଭୋଗିବେ ?”

 

–“ତୁନି ହ’ବେ ମାଷ୍ଟର୍ କା ବଚ୍ଚେ । ଶଳା ବୁଡ଼୍‌ବକ, ମୋ ସାମ୍‌ନାରୁ ହଟୋ ଜଲ୍‌ଦି ।”

 

–“ବାପ ମା ନାଁ ତୁଣ୍ଡରେ ଧରନା କହୁଛି । ତୁ ଆଗକୁ ଯାଇପାରିବୁନି ।” ଦେବ ଦୃଢ଼ତାର ସହିତ କହିଲା ।

 

–“କ’ଣ କହିଲୁ ? ଯାଇପାରିବିନି ? ନନ୍‌ସେନ୍‌ସ୍, ଇଡ଼ିଏଟ୍, ରାସ୍କେଲ୍ ।” ବିଜୟ ରାଗର ଶେଷ ସୀମାରେ ଯାଇ ପହଞ୍ଚିଲା, “ଶଳା ତୋ’ପରି ନୀଚ ସାଧକୁ ପ୍ରଥମେ କତଲ୍ କରିବାକୁ ପଡ଼ିବ ।”

 

ଏତକ କହି ବିଜୟ ବନ୍ଧୁକ ପଛପଟ ଦେବଆଡ଼କୁ ଲକ୍ଷ୍ୟ କରି ପକାଇଲା ଗୋଟିଏ ପାହାର । ଦେବ ଆଗକୁ ଟିକିଏ ଘୁଞ୍ଚି ଯାଇଥିଲା । ତଥାପି ବନ୍ଧୁକ ଯାଇ ବାଜିଲା ବାଁ ହାତର କହୁଣିରେ, ତା’ପରେ ଢୋକିନା ବାଡ଼େଇ ହେଲା ଥୋମଣିରେ । ତତ୍‌କ୍ଷଣାତ ଦେବର ଦୁଇଟି ଦାନ୍ତ ଝଡ଼ିପଡ଼ିଲା ଏବଂ ସେ ରକ୍ତାକ୍ତ ଅବସ୍ଥାରେ ଗଁ ଗଁ ହୋଇ ତଳେ ପଡ଼ିଗଲା । ତା’ର ଅବସ୍ଥାକୁ ତିଳେମାତ୍ର ଭ୍ରୂକ୍ଷେପ ନକରି ବିଜୟ ତାକୁ ଡେଇଁ ଆଗକୁ ମାଡ଼ିଗଲା ।

 

ମାଡ଼ରେ ଦେବର ଆଖିରୁ ସତେଯେମିତି ନିଆଁହୁଳାମାନ ଖସିପଡ଼ିଲା । ତା’ପରେ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା । ଚନ୍ଦ୍ରାବତୀକୁ ମୁହଁକରି କହୁଣିରେ ଭରାଦେଇ ସେ ଉଠିବାକୁ ଚେଷ୍ଟା କରୁଥିଲା । ହଠାତ୍ ତା’ର ମନେହେଲା, ଦୂର କଳାପାହାଡ଼ ସନ୍ଧିରୁ ପଦ୍ମା କଇଁ କଇଁ ହୋଇ କାନ୍ଦି କାନ୍ଦି ତା’ଆଡ଼କୁ ଦୌଡ଼ିଆସୁଛି । ପଛରୁ ଫାର୍ମ ସଭ୍ୟମାନେ ଠେଙ୍ଗା ବାଡ଼ି ଧରି ତାକୁ ଗୋଡ଼ାଉଛନ୍ତି ।

 

ପଦ୍ମା ଦେବଆଡ଼କୁ ହାତ ବଢ଼େଇ କାନ୍ଦି କାନ୍ଦି କହୁଛି, “ତୁମେ ବାବୁମାନେ ମତେ କ’ଣ କଲ ? ରାଣ ନିୟମରେ ଭୁଲେଇ ମୋ ଦେହର ଶସକୁ ଶୋଷିନେଲା ପରେ ମୋତେ ଗୋଇଠାମାରି ତଡ଼ିଲ । ଉପକାର ନାଁରେ ଆମର ଇଜ୍ଜତ୍ ଲୁଟିନେଉଛ ! ଏବେ ମୋ ଅବସ୍ଥା କ’ଣ ହେବ ?”

 

ଦେବ ଅବାକ୍ ହୋଇ ଦେଖୁଥିଲା, ପଦ୍ମା ଉଭେଇସାରିଛି ଏବଂ ତା’ରି ସ୍ଥାନରେ ରୋଗ ଓ ଅନାହାରକ୍ଲିଷ୍ଟ ଗୁରୁବାରୀ ଛଟପଟ ହେଉଛି । କାହିଁ ସୁନ୍ଦରୀ ପଦ୍ମା, କାହିଁ କୁତ୍ସିତା ଗୁରୁବାରୀ । ପଦ୍ମା ପୁଣି ଗୁରୁବାରୀ ପାଲଟିଯାଏ ? ଅଳ୍ପ ସମୟ ପରେ ଗୁରୁବାରୀ ଉଠି ଛିଡ଼ା ହେଉଛି ଗୋଟିଏ ଯୋଗିନୀ ରୂପରେ । କୋଇଲା ପରି କଳା ଦେହ, ମୁଣ୍ଡର ବାଳ ମୁକୁଳା, ଦେହର ହାଡ଼ ଗଣି ହୋଇଯାଉଛି, ସମ୍ପୂର୍ଣ୍ଣ ଉଲଗ୍ନ । ହାତେ ଲମ୍ବର ଜିଭ ପଦାକୁ ବାହାର କରି ଦେବଆଡ଼କୁ ଦୌଡ଼ିଆସୁଛି । ନିଜ ଦେହର ଯନ୍ତ୍ରଣାଠୁ ଯୋଗିନୀର ରୂପରେ ଦେବ ଅତିଷ୍ଠ ହୋଇପଡ଼ିଲା । ପ୍ରାଣ ଭୟରେ ସେ ଅତି ଉଚ୍ଚ ଗଳାରେ ଡାକ ଛାଡ଼ିଲା, “ମା ଚନ୍ଦ୍ରାବତୀ, ରକ୍ଷା କର । ମା’ ଚନ୍ଦ୍ରାବତୀ, ମା’ ଚଦ୍ରା, ଚନ୍ଦ୍ରା, ମା’ ମା’........” ଅନେକ ବେଳଯାଏଁ ତା’ ପାଟି ମାଛ ପରି ପାକୁ ପାକୁ ହୋଇ ଶେଷରେ ଜାବ ପଡ଼ି ରହିଲା ।

 

ବିଜୟ ବେଶି ଦୂର ଆଗେଇନଥିଲା । ଅନ୍ଧକାରମୟ ଭୌତିକ ପରିବେଶ ମଧ୍ୟରେ ତା’ କାନରେ ଆସି ପଡ଼ିଲା, “ଚନ୍ଦ୍ରା, ଚନ୍ଦ୍ରା, ଚନ୍ଦ୍ରା….. ।” ତା’ର ପାଦ ଆଉ ଆଗକୁ ବଢ଼ିଲା ନାହିଁ । କିଏ ଏହି ନିଷାର୍ଦ୍ଧରେ ତା’ର ପ୍ରେମିକାର ନାମ ଉଚ୍ଚାରଣ କରୁଛି ? ଯୁବକ ପାଖରେ ପ୍ରେମିକାର ଆକର୍ଷଣ କେତେ କେଜାଣି ! ବିଜୟ ମନ୍ତ୍ରମୁଗ୍‌ଧ ପରି ପଛକୁ ଲେଉଟିଆସିଲା । ଟର୍ଚ୍ଚ ପକେଇ ଦେଖିଲା, ଦେବର ତୁଣ୍ଡରୁ ମେଞ୍ଚା ମେଞ୍ଚା ଲାଳ ଓ ରକ୍ତ ବୋହିପଡ଼ୁଛି ଏବଂ ଆଖିବୁଜି କ୍ଷୀଣ ଗଳାରେ ସେ କହୁଛି “ଚନ୍ଦ୍ରା, ଚନ୍ଦ୍ରା…… ।” ତା’ପରେ ଦେବ ନିଶ୍ଚଳ ହୋଇ ଭୂଇଁରେ ଗଡ଼ିପଡ଼ିଛି ।

 

ନିର୍ବାକ୍ ନିଷ୍ପଦ ହୋଇ ବିଜୟ ଦେବପାଖରେ ଛିଡ଼ାହେଲା ।

 

–ନା, ତା’ର ପ୍ରାଣର ପ୍ରିୟା ଚନ୍ଦ୍ରା କେବେ ଭୁଲ୍ ପଥ ଦେଖାଇନପାରେ । ଦେବ ଯେତେବେଳେ ତା’ର ପ୍ରେମିକାକୁ ପ୍ରାଣରକ୍ଷା ପାଇଁ ପାର୍ଥନା କରୁଛି ସେ ନିଶ୍ଚୟ ତାକୁ ସାହାଯ୍ୟ କରିବ । ତା’ର ଉତ୍ତୋଳିତ ବନ୍ଧୁକ ବାହୁ ତଳକୁ ଖସିଗଲା । ଦେବକୁ କାନ୍ଧରେ ପକାଇ ସେ ନଈଆଡ଼କୁ ଦୌଡ଼ିଲା । ଆଞ୍ଜୁଳା ଆଞ୍ଜୁଳା ପାଣି ତା’ ମୁହଁରେ ଛାଟିଲା । ଦେବର ଟିକିଏ ହୋସ୍ ଆସିଲା ପରେ ତାକୁ ପୂର୍ବପରି କାନ୍ଧରେ ପକାଇ ଫାର୍ମଆଡ଼କୁ ଚାଲିଲା । ସେତେବେଳଯାଏଁ ନିଆଁ ଲିଭିନଥିଲା । ବିରାଟ ବିରାଟ ନିଆଁ ହୁଳାମାନ ଅନ୍ଧାର ଆକାଶକୁ ତଥାପି ଚାଟିଯାଉଥିଲା ।

 

ସକାଳ ଆଠଟା ବେଳକୁ ନିଆଁ ଲିଭି ସାରିଥିଲା । ପର୍ବତ ପରି ଗଦା ହୋଇଥିବା ପାଞ୍ଚଟିଯାକ ଶସ୍ୟ ସ୍ତୂପ ଗଦାଏ ଧଳା ପାଉଁସରେ ପରିଣତ ହୋଇଥିଲା । ଗୋଟାଏ ବି ଶସ୍ୟକେଣ୍ଡା ନିଆଁରୁ ରକ୍ଷା ପାଇନାହିଁ । ପୋଡ଼ା ଶସ୍ୟ ସ୍ତୂପ ଭିତରୁ ଗୋଟିଏ ତୀବ୍ର ଗନ୍ଧ ଭାସିଆସୁଥିଲା । ପ୍ରଚୁର ପାଣି ପଡ଼ି ଭୂଇଁଟା କଳା କାଦୁଅରେ ଭର୍ତ୍ତି ହୋଇଥିଲା ।

 

ତଥାପି ସେଇ ପୋଡ଼ାଜଳାର ରୂପକୁ ଦେଖିବାକୁ କିମ୍ବା ସେଇ ସ୍ଥାନ ସଫା କରିବାକୁ କେହିହେଲେ ସଭ୍ୟ ସେ ପାଖରେ ନ ଥିଲେ । ପାହାନ୍ତିଆରୁ ସେମାନେ ଦେବର ଖଟ ଚାରିପଟେ ଘେରି ରହିଥିଲେ । ଦେବର ହାତରେ ବ୍ୟାଣ୍ଡେଜ ବନ୍ଧା ହୋଇଥିଲା ଏବଂ ମୁହଁ ଫୁଲିଯାଇଥିଲା । ଦୁଇଟି ଛାମୁ ଦାନ୍ତ ଭାଙ୍ଗିଯାଇଥିବାରୁ ସେ କୁତ୍ସିତ ଦେଖାଯାଉଥିଲା । ଦେବ ଯନ୍ତ୍ରଣାରେ ଛଟପଟ ହେଉଥିଲା ଏବଂ ବେଳେବେଳେ ଆଖିବୁଜି ଶୋଇବାକୁ ଚେଷ୍ଟା କରୁଥିଲା । ଥରେଥରେ ସ୍ୱପ୍ନରେ ବିଳିବିଳେଇଲା ପରି ଚିତ୍କାର କରୁଥିଲା । ସେ କହୁଥିଲା ଯେ, ପଦ୍ମାକୁ ଚଞ୍ଚଳ ଆଣିବାକୁ ହେବ । ନବ ତାକୁ ବିବାହ କରୁ । ନହେଲେ ପଦ୍ମା ଗୋଟିଏ ପିଶାଚୀ ହୋଇ ସଭ୍ୟମାନଙ୍କୁ ଖାଇ ଗୋଡ଼ାଇବ । ତା’ ହାବୁଡ଼ରୁ କେହି ଖସିପାରିବେ ନାହିଁ ।

 

–“ମୋ କଥାମାନ । ଗରିବ ଘରର ଝିଅ ବୋଲି ତାକୁ ହେୟ ଭାବ ନାହିଁ । ସେମାନେ ଇଜ୍ଜତକୁ ବେଶି ମୂଲ୍ୟ ଦିଅନ୍ତି । ସେମାନେ ରାଗିଗଲେ ରକ୍ତର ତାଣ୍ଡବ ସୃଷ୍ଟି ହେବ । ଏବଂ ସେମାନଙ୍କର ବିଷଦୃଷ୍ଟିରେ ଫାର୍ମଟି ସମ୍ପୂର୍ଣ୍ଣ ଜଳିଯିବ । ଏଇ ତ ମୁଁ ଦେଖୁଛି ଏହି ଘରଟା ବି ଜଳିଯାଉଛି ।” ବାରମ୍ବାର ଦେବ ଏପରି ବାଉଳି ହେଉଥିଲା । ନିତ୍ୟାନନ୍ଦ ଯେତେ ବୁଝାଇଲେ ବି ସେ ବୁଝୁନଥିଲା । ସେତେବେଳକୁ ଅନ୍ୟମାନଙ୍କ ମନରେ ମଧ୍ୟ ଏଇ ଧାରଣା ବଦ୍ଧମୂଳ ହୋଇସାରିଥିଲା ଯେ, ପଦ୍ମାକୁ ଗ୍ରହଣ ନ କରିଥିବାରୁ କୁସୁମଗୁଡ଼ା ଲୋକେ ଏ କାଣ୍ଡ କରିଛନ୍ତି । ଫାର୍ମ ଉପରେ କୌଣସି ଏକ ବିପଦ ପଡ଼ିବ ବୋଲି ଆଗରୁ ଅନୁମାନ କରାଯାଇଥିଲା । ସେଦିନ ଲଛମନକୁ ଅପମାନ ଦେଇ ତଡ଼ିଦେଲା ପରେ ନବ ଓ ପଦ୍ମା ଉଭୟଙ୍କ ବିଷୟରେ ଗାଁ ଗାଁରେ କୁତ୍ସାରଟନା ହେଲା । ଫାର୍ମ ସଭ୍ୟମାନେ ମଧ୍ୟ ଅପବାଦରୁ ବର୍ତ୍ତିଗଲେ ନାହିଁ । ଗାଁ ଲୋକେ ସେମାନଙ୍କୁ ଘୃଣ୍ୟ ଚକ୍ଷୁରେ ଦେଖୁଛନ୍ତି, କାହାକୁ ବିଶ୍ୱାସ କରୁନାହାନ୍ତି । ଏଣେ ନବର ସ୍ୱୋପାର୍ଜିତ ଅପକର୍ମ ବିଷୟରେ ମଧ୍ୟ ପ୍ରମାଣ ମିଳିଲାଣି । କୁସୁମଗୁଡ଼ାର ଅନେକ ଲୋକ ଏ ଦୁହିଙ୍କୁ ଏକୁଟିଆ ଦେଖିଛନ୍ତି ।

 

ତେଣୁ ପଦ୍ମାକୁ ନବ ବିବାହ କରିବା ଉଚିତ । ସଭ୍ୟମାନେ ନିଜ ନିଜ ଭିତରେ ଫୁସ୍ ଫାସ୍ ହୋଇ ଏଇ କଥା ଆଲୋଚନା କଲେ । ପଦ୍ମା ମନ୍ଦ ଝିଅ ନୁହେଁ । ଦେଖିବାକୁ ସୁନ୍ଦରୀ । ଅର୍ଚ୍ଚନାଙ୍କୁ ସାହାଯ୍ୟ କରିବା ପାଇଁ ତାକୁ ନର୍ସିଂ ଶିକ୍ଷା ଦିଆଯାଇପାରେ । ତାକୁ ପାଠ ବି ପଢ଼େଇ ହବ । ଫାର୍ମରେ ପଦ୍ମା ରହିଲେ ଗ୍ରାମବାସୀଙ୍କ ସହିତ ଉତ୍ତମ ବନ୍ଧୁତା କରାଯାଇପାରିବ । ସଭ୍ୟଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇବ । ସଭ୍ୟମାନେ ଏକ ସଙ୍ଗରେ ପ୍ରସ୍ତାବଟି ନିତ୍ୟାନନ୍ଦଙ୍କ ପାଖରେ ପକାଇଲେ । ପଦ୍ମାକୁ ଏବେ ଫାର୍ମକୁ ଆଣି ଦୁଇ ତିନିବର୍ଷ ଟ୍ରେନିଂ ଦିଆଯିବ । ତା’ପରେ ନବ ତାକୁ ବିବାହ କରିବ । ସମସ୍ତଙ୍କର ଚାପ, ରାତିର ଶସ୍ୟ ପୋଡ଼ି ଓ ଦେବର ବାଉଳି ନିତ୍ୟାନନ୍ଦଙ୍କ ମୁଣ୍ଡରେ ଏପରି ପ୍ରତିକ୍ରିୟା ସୃଷ୍ଟି କଲା ଯେ, ସେ ସମ୍ମତ ହେବାକୁ ବାଧ୍ୟ ହେଲେ ।

 

ସଭ୍ୟମାନେ ଆଲୋଚନା କରି ସ୍ଥିର କଲେ ଯେ, ସେହିଦିନ ଆରତି, ବ୍ରଜ ଓ ମାଙ୍ଗତା ବାବୁ କୁସୁମଗୁଡ଼ା ଯାଇ ସନ୍ଧ୍ୟା ସୁଦ୍ଧା ପଦ୍ମାକୁ ନେଇଆସିବେ ।

 

ଆରତି ଓ ବ୍ରଜ ମାଙ୍ଗତା ମାଝିଙ୍କୁ ଡାକିବା ପାଇଁ ସଙ୍ଗେ ସଙ୍ଗେ କେନ୍ଦୁପଦର ଚାଲିଗଲେ-। ସଭ୍ୟମାନେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନକୁ ସଫା କରିବାରେ ଲାଗିଲେ । ଚନ୍ଦ୍ରାବତୀରେ ସ୍ନାନ ସାରି ଘରକୁ ଫେରିଆସିଲା ବେଳକୁ ମଧ୍ୟାହ୍ନ ହୋଇଯାଇଥିଲା ।

 

ଅର୍ଚ୍ଚନା ତରତର ହେଲେ । ଏଇଲାଗେ ଶ୍ରୀମତୀ ସିଂଙ୍କୁ ସେ ଜୟନ୍ତୀନଗରକୁ ନେଇ ହସ୍‌ପିଟାଲରେ ଏଡ଼୍‌ମିସନ୍ କରାଇବେ । ଶ୍ରୀମତୀ ସିଂଙ୍କର ପେଟ ଅପରେସନ ହେବ ।

 

ଦିନ ଗୋଟାଏ ବେଳକୁ ସିଂ ବାବୁ ଗୋଟିଏ ଜିପ୍‌ରେ ବସି ଫାର୍ମକୁ ଆସିଲେ । ବିଜୟ ଯେପରି ତାଙ୍କୁ ଛକି ବସିଥିଲା, ଦେଖୁ ଦେଖୁ ଝୁଣି ଦେବାପାଇଁ । ଅଗଣାକୁ ଦୌଡ଼ିଯାଇ ଜିପ୍‌ରୁ ସିଂ ବାବୁଙ୍କୁ ଏକପ୍ରକାର ଟାଣି ଟାଣି ଅଫିସ୍ ଘର ଭିତରକୁ ନେଇଗଲା । ସିଂ ବାବୁ ଖାଲି “ହରି, ହରି” ଡାକ ଛାଡ଼ୁଥାନ୍ତି । ବିଜୟ ତାଙ୍କୁ ଗୋଟିଏ ଚୌକିରେ ବସାଇ ଦେଉ ଦେଉ କହିଲା, “ଆପଣଙ୍କ ସେବାପାଇଁ ଅର୍ଚ୍ଚନା ଦେବୀ ପ୍ରସ୍ତୁତ ହୋଇ ବସିଛନ୍ତି ଆଜ୍ଞା । କିଛି ବ୍ୟସ୍ତ ହୁଅନ୍ତୁ ନାହିଁ । ଏବେ ଟିକିଏ ଫାର୍ମ ଖବର ଶୁଣନ୍ତୁ । ଆପଣ ଶୁଣି ଖୁସିହେବେ ଯେ, ଗତ ରାତିରେ ଆମ ଫାର୍ମରେ ନିଆଁ ଲାଗିଗଲା । ସବୁ ଶସ୍ୟ ପୋଡ଼ିଯାଇଛି । ଦୁର୍ବୃତ୍ତମାନେ ଧରାପଡ଼ି ନାହାନ୍ତି ।”

 

ଦୁଇ କାନରେ ହାତ ଥାପି ସିଂ ବାବୁ ତଟସ୍ଥ ହୋଇ କହିଲେ, “ହେ ହରି, କି ବିପତ୍ତି ! ଏ ଦୁଃଖ ବଚନ ଏ କାନ ଶୁଣିବାକୁ ଥିଲା । ଆହା, ଆହା, ସବୁ ପୋଡ଼ିଗଲା ? ଚାଲନ୍ତୁ ତ ଟିକିଏ ଦେଖିବା ।”

 

–“ଦେଖିବେ କ’ଣ ? ଆହୁରି ମନ କଷ୍ଟ ହେବ । ଦେଖିବାକୁ ଏତେ ମନ ବଳୁଛି ତ ଦେଖନ୍ତୁ ଏଇଟାକୁ । ଦୁର୍ବୃତ୍ତମାନେ ଛାଡ଼ି ଯାଇଛନ୍ତି ।”

 

ବିଜୟ ପକେଟରୁ ସିଗାରେଟ୍ ଲାଇଟର୍ ବାହାର କରି ସିଂ ବାବୁଙ୍କ ନାକପାଖରେ ଟେକିଧରିଲା ଏବଂ ହଠାତ୍ ତୀକ୍ଷ୍‌ଣ କଣ୍ଠରେ କହିଲା, “ଚିହ୍ନି ପାରୁଛନ୍ତି ? ଦିସ୍ ଇଜ୍ ଇଓର୍‌ସ । ତିନିଦିନ ତଳେ ଆପଣ ଏହାକୁ କିଣିଥିଲେ । ମନେଅଛି ?”

 

ସିଂ ବାବୁ କାବ୍‌ବା ହୋଇଗଲେ । ଥଙ୍ଗମଙ୍ଗ ହୋଇ କହିଲେ, “ଏହା ବଡ଼ ଆଚମ୍ବିତ କଥାରେ ବାପା । ନ ହେଲେ ମୋ ଜିନିଷ ଏଠାକୁ ଆସିଲା କିମିତି ?”

 

–“ତେବେ କୁହନ୍ତୁ, କାହାକୁ ଆପଣଙ୍କର ଲାଇଟର୍ ଦେଇଥିଲେ ? କିଏ ନେଇଥିଲା ? ଆମ ଶସ୍ୟ ପୋଡ଼ିବା ପଛରେ ଆପଣଙ୍କର ମତଲବ୍ କ’ଣ ? ନିର୍ବାଚନ ଆଗରେ ଆପଣଙ୍କୁ ସାହାଯ୍ୟ କରନ୍ତୁ ବୋଲି ? ନା ଆଉ କ’ଣ ?

 

ସିଂ ବାବୁଙ୍କ ମୁଣ୍ଡ ଉପରେ ଅକାଳ ଚଡ଼କ ପଡ଼ିଲା । ଦେହରୁ ଝାଳ ବୋହିଗଲା । ସତେଯେମିତି ତାଙ୍କର ନିଃଶ୍ୱାସ ବନ୍ଦ ହୋଇଗଲା ।

 

–“କି କଥା କହୁଛ ହୋ ବିଜୟ ବାବୁ ! ମୋ ପରି ନିର୍ମାୟା ଲୋକକୁ ଏମନ୍ତ ନିର୍ଦ୍ଦୟ କଥା କହୁଛ କିପରି ? କାଲିଯାକେ ସେଇ ନିଆଁ ଯନ୍ତ୍ର ମୋପାଖେ ଥିଲା । କାଲି ସନ୍ଧ୍ୟାରେ ମୁଁ ଜିପୁ ଠିକଣା କରିବାପେଇଁ ଜୟନ୍ତୀନଗର ଯାଇଥିଲି । ଏବେ ତ ଏଠାକୁ ଫେରୁଛି । ଘରକୁ ମଧ୍ୟ ଯାଇନାହିଁ । କୋଉ ମାରଣା ୟାପ ଚୋରି କରି ନେଇଥିବ । ମୁଁ ତ କିଛି ଜାଣିନି । ଚାଲ ଯିବା, ପୁଲିସରେ ଏବେ ଏକା ରିପୋର୍ଟ କରିଦେବା, ତେଣ୍ଟା ଛଣ୍ଡିଯିବ । ମହାପ୍ରଭୁଙ୍କ ରାଣ, ସତ କହୁଛି ବିଜୟ ବାବୁ, ମୁଁ ଏ ବିଷୟରେ କିଛି ଜାଣି ନାହିଁ । ସଂସାର ବଡ଼ ଅଦ୍ଭୁତ ହୋ । ୟାପ କି ଦଣ୍ଡ !”

 

ମନରେ ରାଗଥିଲେ ମଧ୍ୟ ବିଜୟ ସିଂ ବାବୁଙ୍କ ବୁଦ୍ଧିକୁ ତାରିଫ୍ କରିବାକୁ ବାଧ୍ୟହେଲା । ତଥାପି ରାଗରେ ଆଉ କ’ଣ କହିବ ବୋଲି ଭାବୁଛି ଏହି ସମୟରେ ଅର୍ଚ୍ଚନା ଦେବୀ ବଡ଼ପାଟିରେ ସିଂ ବାବୁଙ୍କୁ ଡାକିଲେ । ଗାଡ଼ିର ହର୍ଣ୍ଣ ଶୁଭିଲା । ସିଂ ବାବୁ ଛାଟିପିଟି ହୋଇ ଚାଲିଗଲେ ।

 

ବିଜୟ ବାରଣ୍ଡାକୁ ଆସି ଦେଖିଲା ସିଂ ବାବୁଙ୍କୁ ବହନ କରି ଜିପ୍ ଗାଡ଼ିଟି ଧୂଳିଉଡ଼ାଇ ଚାଲିଯାଉଛି । ତାକୁ ଜଣାଗଲା ସତେଯେପରି ସିଂ ବାବୁ ସିଗାରେଟ ଲାଇଟର୍‌ଟିଏ ତା’ଆଡ଼କୁ ଦେଖାଇ ୟୋ ୟୋ କରି ଖତେଇ ହେଉଛନ୍ତି । ବିଜୟର ମନେହେଲା, ତା’ର କଲିଜାରେ କିଏ ଗୋଟିଏ ସରୁ ପିନ୍ କଣ୍ଟା ଫୋଡ଼ିଦେଉଛି । ଦାନ୍ତ କଟମଟ କରି ଅନୁଚ୍ଚ ସ୍ଵରରେ ସେ କହିଲା, “ନନ୍‌ସେନ୍‌ସ୍” ।

 

ଅଠେଇଶ

 

ସେଦିନ ସନ୍ଧ୍ୟାରେ ଫାର୍ମ ନିକଟସ୍ଥ ନଈକୂଳରେ ଛିଡ଼ାହୋଇ ସଭ୍ୟମାନେ ଦେଖୁଥିଲେ, କୁସୁମଗୁଡ଼ା ଲୋକେ ପାହାଡ଼ ଉପରେ ପହଞ୍ଚିଲାବେଳକୁ ଉତ୍ତାପ ସାରି ଆସିଥିବା ଲାଲ ସୂର୍ଯ୍ୟର ବଳୟଟା ମଧ୍ୟ ପାହାଡ଼ ଶିଖକୁ ସ୍ପର୍ଶ କରିଛି । ସେଇ ନାଳିଆ ପେଣ୍ଡୁ ଦେହରୁ ଯେପରି କେତୋଟି କଳା କଳା ମଣିଷ ନିଷ୍କ୍ରାନ୍ତ ହେଉଛନ୍ତି । ଦୂରରୁ ସେମାନଙ୍କର ସୁଲଳିତ ଗୀତର ଝଙ୍କାର ସମଗ୍ର ଉପତ୍ୟକାରେ ଶିହରଣ ଖେଳାଇ ଦୂରକୁ ଚହଲିଯାଉଛି । ଚନ୍ଦ୍ରାବତୀର ସଙ୍ଗୀତ ଆହୁରି ଛନ୍ଦମୟ ହୋଇଉଠିଛି ।

 

ସେମାନେ ପାଖେଇ ଆସିଲେଣି । କୁସୁମଗୁଡ଼ାର ଅନେକ ଯୁବତୀ ମେଳରେ ଆରତୀ, ଆଉ ତା’ପାଖରେ ସେଇ । ସେଠି ସବୁଗୁଡ଼ାକ ଆଖି ଲାଖିଯାଉଛି । ତା’ର ଗୋରା ତକତକ ଦେହରେ ହଳଦିର ପ୍ରଲେପ, ଲମ୍ବା ଲମ୍ବା ହରିଣୀର ଆଖି, ବିରାଟ ବାଙ୍କ ଖୋସା ଉପରେ ମଲ୍ଲୀମାଳ । ଉଜ୍ଜ୍ୱଳ ଡୋଳା ଭିତରେ କେତେ ସ୍ଵପ୍ନ ଲହଡ଼ି ଭାଙ୍ଗୁଛି । ନାଲି କଇଁ ପରି ଓଠ ଦୁଇଟିରେ କେତେ ଯେ ବାସନା ଲୁଚି ରହିଛି । ଓସାର ନାଲି ଧଡ଼ିର ଧଳା ଲୁଗାଟି ଚମ୍ପାଫୁଲ ପରି ଦେହକୁ ଛାତିରୁ ଆଣ୍ଠୁଯାଏଁ ଟାଣ କରି ଗୁଡ଼େଇ ଧରିଛି । ତା’ଉପରେ ଫୁଟିଉଠୁଛି ପ୍ରସ୍ଫୁଟିତ ଯୌବନର ଆକୃତି ।

 

ଫାର୍ମ ଭିତରକୁ ଗଲାବେଳେ ପଦ୍ମାବତୀ ଲାଜେଇଗଲା ।

 

ଅଣତିରିଶ

 

ପଦ୍ମା ଫାର୍ମକୁ ଆସିବାର ଏକବର୍ଷ ପରେ । ଅର୍ଥାତ୍ ଫାର୍ମ ପ୍ରତିଷ୍ଠା ହୋଇ ସାତବର୍ଷ ବିତିଗଲା ପରେ–

 

କେନ୍ଦୁପଦର ଗାଁ ଆଖପାଖ ଶହେ ବର୍ଗ ମାଇଲ ବ୍ୟାପୀ ଅଞ୍ଚଳରେ ପାଞ୍ଚଟି ଫାର୍ମ କାର୍ଯ୍ୟକାରୀ ହୋଇଛି । ପ୍ରଗତି ଫାର୍ମକୁ ଆଦର୍ଶ ଓ ପଥପ୍ରଦର୍ଶକ କରି ଅନ୍ୟାନ୍ୟ ଫାର୍ମ ଆଗେଇଚାଲିଛି । ଫାର୍ମଗୁଡ଼ିକ ଚାରି ପାଞ୍ଚ ମାଇଲ ବ୍ୟବଧାନରେ ଅବସ୍ଥିତ । ଜୟନ୍ତୀନଗର ଡାଇରି ଫାର୍ମ ଛଡ଼ା ଅନ୍ୟଗୁଡ଼ିକ ବହୁମୁଖୀ କୃଷି ଫାର୍ମ । ପାଞ୍ଚଟି ଫାର୍ମରେ ସମୁଦାୟ ପଚାଶ ଜଣ ଶିକ୍ଷିତ ଲୋକ ଏବଂ ପଚାଶ ଜଣ ମଜୁରିଆ ଦୈନିକ ଧନ୍ଦା ପାଇଛନ୍ତି ।

 

ନୂଆ ତିନୋଟି ଫାର୍ମରୁ ଉତ୍ପାଦନ ଆରମ୍ଭ ହୋଇଗଲାଣି । ନୂତନ ଫାର୍ମଗୁଡ଼ିକର ସୁପରିଚାଳନା ଓ ଅସୁବିଧା ଦୂରୀକରଣ ପାଇଁ ପ୍ରଗତି ଫାର୍ମର ସଭ୍ୟମାନେ ବେଳେବେଳେ ଗସ୍ତ କରନ୍ତି । ସମସ୍ତ ଫାର୍ମରେ ଏକପ୍ରକାର ଫଳଗଛ ଲଗାଯାଇଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଆହୁରି ଦଶଟି ଫାର୍ମ କାର୍ଯ୍ୟକାରୀ କରାଯିବାର ଯୋଜନା ଅଛି । ସେଥିପାଇଁ ଉପଯୁକ୍ତ ଅନାବାଦୀ ଜମି ଖୋଜାଚାଲିଛି । ପନ୍ଦରଟି ଫାର୍ମର ଉତ୍ପାଦିତ ଫଳ ଓ ଅନ୍ୟାନ୍ୟ ଶସ୍ୟକୁ ନେଇ କେତେକ ଉପାଦେୟ କାରଖାନା ଗଢ଼ାଯାଇପାରିବ ।

 

ପ୍ରଗତି ଫାର୍ମ ମଧ୍ୟ ଯଥେଷ୍ଟ ଆଗେଇଚାଲିଛି । ସରକାରଙ୍କଠାରୁ ଆଣିଥିବା ଋଣରୁ ଅଧିକାଂଶ ପରିଶୋଧ କରାଗଲାଣି । ଗୃହଗୁଡ଼ିକ ପକ୍‌କା ହୋଇଗଲାଣି । ନରେଶ, ବ୍ରଜ, ଜାନି, ବିଜୟ ଓ ଶ୍ରୀକାନ୍ତ ପାଇଁ ସ୍ୱତନ୍ତ୍ର ଘରମାନ କରାଯାଇଛି । ଫାର୍ମ ଭିତରେ ପକ୍‌କା ମୁରମ୍ ରାସ୍ତା, ଗୋଟିଏ ପୋଲ, ମାଛ ଚାଷ ପାଇଁ ପୋଖରୀଟିଏ ନିର୍ମିତ ହୋଇଛି । ଗାଈ ସଂଖ୍ୟା ପନ୍ଦରକୁ ଓ କୁକୁଡ଼ା ସଂଖ୍ୟା ତିନି ହଜାରକୁ ବୃଦ୍ଧିପାଇଛି । ବର୍ଷେହେଲା ପଚିଶଟି ଜାତିଆ ଛେଳି ପୋଷାଯାଇଛି-। ମାଂସପାଇଁ ବିଦେଶୀ ଘୁଷୁରି ପାଳନ କରାଯିବାର ପ୍ରସ୍ତାବ ରହିଛି ।

 

ଫାର୍ମର ଉତ୍ପାଦନ ବୃଦ୍ଧି ଓ ସଭ୍ୟଙ୍କ ସେବା ମନୋଭାବ ଅନେକ ଗ୍ରାମବାସୀଙ୍କୁ ଆକୃଷ୍ଟ କରିପାରିଛି । ଦରିଦ୍ର, ଧନୀ ଉଭୟଙ୍କୁ । ସଭ୍ୟଙ୍କ ତତ୍ତ୍ୱାବଧାନରେ ଅନେକ ଚାଷୀ ଉନ୍ନତଧରଣର ଚାଷ କରୁଛନ୍ତି । ବର୍ତ୍ତମାନ ସମୁଦାୟ ଦେଢ଼ହଜାର ଏକର ଜମିରେ ଦୁଇଟି ଫସଲ ଚାଷ କରାଯାଉଛି । ବ୍ୟକ୍ତିଗତ ଚେଷ୍ଟାରେ ମଧ୍ୟ କେତେକ ଗାଁରେ ଲୋକେ ନିଜେ ଉନ୍ନତଧରଣର ଚାଷ କଲେଣି । ଜମି ମାଲିକର ସ୍ୱତ୍ତ୍ଵ ଉପରେ କୌଣସିପ୍ରକାରେ ହସ୍ତକ୍ଷେପ କରାଯାଉନାହିଁ । ବ୍ୟାଙ୍କରୁ ଋଣ ଆଣିବାରେ ସଭ୍ୟମାନେ କୃଷକଙ୍କୁ ସାହାଯ୍ୟ କରୁଛନ୍ତି । ସେପରି କୃଷି ଋଣ ଆଣି ଔଷଧ, ସାର, ଭଲ ବିହନ ଆଦି ଫାର୍ମ ତତ୍ତ୍ୱାବଧାନରେ କିଣାଯାଉଛି । ଜମି ମରାମତି ଓ ଇଚ୍ଛୁକ ଚାଷୀଙ୍କ ଜମିରେ ଟ୍ରାକ୍ଟର ଚାଳନ ସଭ୍ୟମାନେ କରୁଛନ୍ତି ।

 

ପ୍ରଥମାବସ୍ଥାରେ ଯେଉଁ କେତେଜଣ କୃଷକଙ୍କ ଜମିରେ ଫାର୍ମ ତତ୍ତ୍ୱାବଧାନରେ ଚାଷ କରାଗଲା, ତା’ର ବାର୍ଷିକ ହାରାହାରି ଆୟ ଆଗରୁ ହିସାବ କରାଯାଇଥିଲା । ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଯେଉଁ ଅଧିକା ଲାଭ ମିଳିଲା, ତାହା ଋଣ ପରିଶୋଧରେ ଖର୍ଚ୍ଚ କରାଗଲା । ଏପରି ବର୍ଷରେ ଦୁଇଥର ଚାଷ କରି ଋଣ ପରିମାଣ କ୍ରମଶଃ କମେଇ ଦିଆଗଲା । ଦୁଇ ତିନୋଟି ବର୍ଷ ଏକାଦିକ୍ରମେ ଦୁଇଟି ଚାଷ କଲେ ସେଣିକି ଆଉ ମୋଟେ ଋଣ ଦରକାର ପଡ଼ିବ ନାହିଁ । ଲାଭବାନ ହୋଇଥିବା ଚାଷୀଙ୍କ ପଦାଙ୍କ ଅନୁସରଣ କରି ଅନ୍ୟମାନେ ସେଇପଥରେ ଆଗେଇଲେ-। ଯେଉଁମାନଙ୍କର ପ୍ରଚୁର ଜମି ଅଛି, ଶ୍ରମପିଛା ବ୍ୟୟ କମେଇବା ପାଇଁ, ସେଥିର କେତେକାଂଶରେ ସ୍ଥାୟୀ ଫଳଗଛମାନ ଲଗାହେଲା ।

 

ଦ୍ୱିତୀୟ ବର୍ଷ ପରେ ଇଚ୍ଛୁକ ଚାଷୀଙ୍କୁ ନେଇ କେତେକ ଗାଁରେ ସମିତିମାନ ଗଠନ କରାଗଲା । ଅଧିକା ଉତ୍ପାଦନରୁ ମିଳିଥିବା ଲାଭ ବ୍ୟାଙ୍କ୍‌ରେ ଗଚ୍ଛିତ ହେଲା । ଯିଏ ଯେତେ ଟଙ୍କା ଦେଲା ତା’ନାଁରେ ସେତକ ରହିଲା । ସମିତିସଭ୍ୟଙ୍କ ବ୍ୟକ୍ତିଗତ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ କରାଯାଉଛି । ମୁଖ୍ୟତଃ ନୂତନ ଗୃହ ନିର୍ମାଣ, ଜମି ମରାମତି, କୂପଖନନ, ସାମାଜିକ ଉତ୍ସବ, ପାଣିଉଠାଇବା ପମ୍ପ୍ ଓ ଚାଷୋପଯୋଗୀ ଜିନିଷ କ୍ରୟ ଇତ୍ୟାଦିରେ ଖର୍ଚ୍ଚହୁଏ । ବ୍ୟାଙ୍କ୍ ପରି କମ୍ ହାର ସୁଧରେ ଏହି ଟଙ୍କା ଦିଆଯାଏ । ଇଚ୍ଛୁକ ସଭ୍ୟଙ୍କ ଆବେଦନ କମିଟିଦ୍ଵାରା ମଞ୍ଜୁର ହେଲା ପରେ ଟଙ୍କା ଉଠାଣ ହୁଏ । କମିଟି ଆବଶ୍ୟକତା ଓ ବ୍ୟକ୍ତିର ଆର୍ଥିକ ସ୍ୱଚ୍ଛଳତାକୁ ଆଖିରେରଖି କାଟଛାଣ୍ଟ କରିପାରେ ଏବଂ କମିଟିର ସୁପାରିଶ ଅନୁଯାୟୀ ଖର୍ଚ୍ଚ କରିବାକୁ ହୁଏ । ଏପରି ସମିତିର କଳେବର ଓ ଚାହିଦା ବୃଦ୍ଧିପାଇବାକୁ ଲାଗିଲା ।

 

ପ୍ରତି ଗ୍ରାମ ସକାଶେ କୃଷିର କ୍ରମବିକାଶ ଏକ ମାଷ୍ଟର ପ୍ଲାନ୍ ଜରିଆରେ କରିବାକୁ ସ୍ଥିରୀକୃତ ହେଲା । ସମିତିର ମୂଳଧନ ଓ ଲାଭ ବୃଦ୍ଧି ପାଇଲେ କ୍ରମେ ସମସ୍ତ ଜମି ପାଇଁ ଉଠା ଜଳସେଚନର ବ୍ୟବସ୍ଥା, ମାର୍କେଟିଂ ପାଇଁ ସଂସ୍ଥା ଗଠନ, ଅଟାକଳ, ଗ୍ରେନ୍‌ଗୋଲା, ଟ୍ରାକ୍ଟର ଆଦିର ବନ୍ଦୋବସ୍ତ କରାଯିବ । ତିରିଶରୁ ପଚାଶଟି ଗ୍ରାମକୁ ନେଇ କୃଷି କାର୍ଯ୍ୟକ୍ରମ ଅନୁଯାୟୀ ଗୋଟିଏ ଗୋଟିଏ ୟୁନିଟ୍ କରାଯିବ । ପ୍ରତି ୟୁନିଟ୍‌ରେ ଏକ ବା ତତୋଽଧିକ ଧାନକଳ, ଫଳ କାରଖାନା, ଆଖୁକଳ, ସରକାରୀ ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନ ଖୋଲାଯିବ ।

 

ବ୍ୟକ୍ତିଗତ ଉନ୍ନତି ସଙ୍ଗେ ସଙ୍ଗେ ଗାଁଗୁଡ଼ିକର ସାମୂହିକ ଉନ୍ନତି ମଧ୍ୟ ଆଖିରେପଡ଼ୁଛି । ଗୋଟିଏ ସମାଜର ଜାଗରଣ ସ୍ପଷ୍ଟ ହୋଇଉଠିଛି । ଗାଁଟା ଆଉ ମାନ୍ଦା ଲାଗୁନାହିଁ । ସବୁବେଳେ ଲୋକଙ୍କ ହାତରେ କୌଣସି ନା କୌଣସି କାମ ରହିଛି, ପୁରୁଷ ସ୍ତ୍ରୀ ଉଭୟଙ୍କର । କେତେ ଲୋକ ଗାଈ, କୁକୁଡ଼ା, ବତକ, ଛେଳି, ଘୁଷୁରୀ ପୋଷିଲେଣି । କେତେକ ଗ୍ରାମରେ ନୂଆ ନୂଆ ସଂସ୍ଥା, ଯଥା–କମାର ଓ କୁମ୍ଭାରଶାଳ, ବଢ଼େଇ କାରଖାନା, ଛୋଟିଆ ଯନ୍ତ୍ରପାତି ମରାମତ କାରଖାନା, ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ବିକ୍ରୟ ପାଇଁ ଦୋକାନ, ସିଲେଇ ଦୋକାନ ଆଦି ଗଢ଼ିଉଠୁଛି ।

 

ପିଲାମାନେ ପ୍ରତି ରବିବାର ଦିନ ଗାଁ ସଫେଇ କରୁଛନ୍ତି । ଗାଁର ମଇଳା ଓ ପୋଖରୀର ପଙ୍କ ଓ ଦଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇ କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଉଛି । ଯେଉଁମାନଙ୍କର ବାଡ଼ି ବଗିଚା ଅଛି ସେଠି ପନିପରିବା ବଗିଚା କରାଯାଉଛି ।

 

ଚାଷ ନ ଥିବା ଦିନଗୁଡ଼ିକରେ ସାମୂହିକଭାବେ ନିର୍ମାଣ କାର୍ଯ୍ୟମାନ କରାଯାଉଛି । ଲୋକେ ମିଳିମିଶି ଦଦରା ଘରଗୁଡ଼ିକ ପୁନନିର୍ମାଣ କରୁଛନ୍ତି । ପାହାଡ଼ ଉପରୁ ଓ ପଥର ଫଟାଇ ଛୋଟ ଛୋଟ ପଥର ଖଣ୍ଡ ଓ ଗେଟି ଯୋଗାଡ଼ କରି ରାସ୍ତା କରୁଛନ୍ତି । ସ୍ୱାସ୍ଥ୍ୟପ୍ରଦ ଅଥଚ ଶସ୍ତା ପାଇଖାନା, ପିଇବା ପାଇଁ କୂପ ଖନନ ଆଦି କରାଯାଉଛି । ବୈଷୟିକ ସାହାର୍ଯ୍ୟ ଓ କାର୍ଯ୍ୟ ତଦାରଖ ଫାର୍ମର ଇଞ୍ଜିନିୟରମାନେ କରନ୍ତି ।

 

ବିଶେଷ ଉଲ୍ଲେଖନୀୟ ଘଟଣା ହେଉଛି ଜୟନ୍ତୀନଗରରୁ କେନ୍ଦୁପଦର ଯାଏଁ ବିଜୁଳିଶକ୍ତି ଅଳ୍ପଦିନ ହେଲା ଆସିଯାଇଛି । ଏଥର ଚନ୍ଦ୍ରାବତୀ ନଦୀ ଓ ପୋଖରୀଗୁଡ଼ିକରୁ ଅଳ୍ପ ବ୍ୟୟ ଓ ସୁବିଧାରେ ପାଣି ଉଠାଯାଇ ପାରୁଛି । ଜୟନ୍ତୀନଗରରୁ କେନ୍ଦୁପଦର ଯାଏଁ ପ୍ରାୟ ପାଞ୍ଚଟି ଗ୍ରାମରେ ବିଜୁଳି ବ୍ୟବସ୍ଥା ହୋଇପାରିଛି । କେନ୍ଦୁପଦରରେ କେତୋଟି ସରକାରୀ ସଂସ୍ଥା ମଧ୍ୟ କାର୍ଯ୍ୟକାରୀ ହେଲାଣି । କୃଷି ଅଫିସ୍, ଗ୍ରାମ୍ୟ ଇଞ୍ଜିନିୟରିଂ ଅଫିସ୍ ଏବଂ ପଶୁ ଡାକ୍ତରଖାନା ପାଇଁ ଘର ତିଆରି ଚାଲିଛି । ନାରୀଗାଁ ପାଖ ତେଲିଙ୍ଗି ନଦୀରେ ଗୋଟିଏ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ଆଠଶହ ଏକର ଜମିରେ ପାଣି ମାଡ଼ିବ । ତେଲିଙ୍ଗି ଯୋଜନା ଏବଂ ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ସମସ୍ତ ଗ୍ରାମବାସୀ, ଫାର୍ମ ସଭ୍ୟ ଓ ଏମ୍. ଏଲ୍. ଏ. ସମବେତ ଭାବେ ଚେଷ୍ଟା କରିଥିଲେ ।

 

ଉପର୍ଯ୍ୟୁକ୍ତ କେତୋଟି ୟୁନିଟ୍‌କୁ ନେଇ ଭବିଷ୍ୟତରେ ଗୋଟିଏ ଗୋଟିଏ ବ୍ଲକ୍ କରାଯିବ-। ଏପରି ବ୍ଲକ୍‌ର ସର୍ବାଙ୍ଗୀନ ପ୍ରଗତି ପାଇଁ ପଚାଶବର୍ଷିଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି । ରାଜଧାନୀରେ ଇଞ୍ଜିନିୟର ଯୋଗେଶ ଚନ୍ଦ୍ର ଦାସ ଏ ଦିଗରେ ସାହାଯ୍ୟ କରୁଛନ୍ତି । ଜନସଂଖ୍ୟା ଯେପରି ବଢ଼ୁଛି, ବେକାର ଓ ଅନ୍ୟାନ୍ୟ ସମସ୍ୟା ଯେପରି ଲୋକଙ୍କୁ ବ୍ୟତିବ୍ୟସ୍ତ କଲାଣି ତା’ ପ୍ରତି ଦୃଷ୍ଟିଦେଲେ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ସୁନିର୍ଦ୍ଦିଷ୍ଟ ପଥ ବର୍ତ୍ତମାନଠୁ ସ୍ପଷ୍ଟ କରିଦେବା ଦରକାର ।

 

ଚନ୍ଦ୍ରାବତୀ ଯୋଜନାର ଜଳସେଚିତ ଅଞ୍ଚଳକୁ ଚାରୋଟି ବ୍ଲକ୍‌ରେ ବିଭକ୍ତ କରିଯିବ । ତା’ଉପରେ ମାଷ୍ଟର ପ୍ଲାନ୍‌ର ଠିକା ଠିକା ଟିପ୍‌ପିଣୀ ଲେଖିଲାବେଳକୁ ଯୋଗେଶ ବାବୁ ଦଶ ମାସ ପାଇଁ ବିଦେଶ ଯାତ୍ରାରେ ଚାଲିଗଲେ । ଉନ୍ନତ ଦେଶଗୁଡ଼ିକର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସେ ଅନୁଧ୍ୟାନ କରି ଆସିବେ । ଯୋଗେଶ ବାବୁଙ୍କ ଅଭିଜ୍ଞତା ଯୋଜନା ପ୍ରଣୟନରେ ସାହାଯ୍ୟ କରିବ । ମାଷ୍ଟର ପ୍ଲାନ୍ ତିନୋଟି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବ, ବେକାର ଲୋକଙ୍କୁ ନେଇ ନିଭୃତ ଅଞ୍ଚଳରେ ଫାର୍ମ ପ୍ରତିଷ୍ଠା, ଜଳସେଚନ, କୃଷି, ଗ୍ରାମ୍ୟ ଶିଳ୍ପ, ଅତ୍ୟାବଶ୍ୟକ ରାସ୍ତା ଓ ଗୃହ ନିର୍ମାଣ, ପଶୁପକ୍ଷୀର ସମୃଦ୍ଧି ଓ ବିକାଶ, ସ୍ୱାସ୍ଥ୍ୟରକ୍ଷା ଶିକ୍ଷାର ପ୍ରସାର । ଦ୍ୱିତୀୟ ପର୍ଯ୍ୟାୟରେ ଜମି ଓ ଜଙ୍ଗଲଜାତ ପଦାର୍ଥର ଶିଳ୍ପୀକରଣ, ଅନ୍ୟାନ୍ୟ ଗ୍ରାମ୍ୟଶିଳ୍ପ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ ଶକ୍ତିର ଉପଯୋଗ ଇତ୍ୟାଦି । ତୃତୀୟ ପର୍ଯ୍ୟାୟର ଖଣିଜ ସମ୍ପଦର ବିନିଯୋଗ ଏବଂ ବଡ଼ ବଡ଼ କାରଖାନା ନିର୍ମାଣ । ମାଷ୍ଟର ପ୍ଲାନ୍‍କୁ ଆଗେଇନେବାରେ ମୁଖ୍ୟ ଅଂଶଗ୍ରହଣ କରିବ ଶିକ୍ଷିତ ବେକାରଙ୍କୁ ନେଇ ଗଠିତ ଫାର୍ମମାନ । ଚନ୍ଦ୍ରାବତୀର ଭାବୀ ଜଳସେଚିତ ଅଞ୍ଚଳରେ ପ୍ରାୟ ଶହେଟି ଫାର୍ମ ପ୍ରତିଷ୍ଠା କରାଯିବ, ଠିକ୍ ପ୍ରଗତି ଫାର୍ମ ଭଳି । ଏହିପ୍ରକାରେ ଗଠିତ ପ୍ରତ୍ୟେକ ଫାର୍ମ ଦଶ ପନ୍ଦରଟି ଗାଁର ଉନ୍ନତି କରିପାରିବ ।

 

ଅଦୂର ଭବିଷ୍ୟତରେ ସରକାରଙ୍କ ତାରଫରୁ ଯଥେଷ୍ଟ ନିର୍ମାଣ କାମ ହେବାର ପରିକଳ୍ପନା ରହିଛି । ତା’ଛଡ଼ା ଗାଁ ଲୋକେ ନିଜେ ଅନେକ ନିର୍ମାଣ କରୁଛନ୍ତି । ତେଣୁ ପ୍ରତି ଗ୍ରାମରେ ଗୋଟିଏ ନିର୍ମାଣ ସମିତି ଗଠନ କରାଯିବ । ଫାର୍ମର ଇଞ୍ଜିନିୟରମାନେ ଇଚ୍ଛୁକ ବ୍ୟକ୍ତିଙ୍କୁ କାମ ସମୟରେ ତାଲିମ ଦେବେ । ଯେକୌଣସି ନିର୍ମାଣ କାମ ନିର୍ମାଣ ସମିତିମାନ ହାତକୁ ନେଇ ଶୀଘ୍ର, ସୁବିଧା ଓ ମଜଭୁତରେ କରିପାରିବେ ।

 

ବର୍ତ୍ତମାନର ଅବସ୍ଥାରେ ଯଥେଷ୍ଟ ପାଣିର ଯୋଗାଣ ନ ହେଲେ ଆଉ ବିଶେଷ ଆଗେଇ ହେବନାହିଁ । ଗାଁ ଲୋକେ ଇଚ୍ଛାକଲେ ମଧ୍ୟ ଦୁଇ ତିନିଟା ଚାଷ ସୁଚାରୁରୂପେ କରିପାରୁନାହାନ୍ତି । କେବଳ ନଈ ତଟ ଜମିରେ ଯାହା ଉଠା ଜଳସେଚନ ହେଉଛି । ଅଳ୍ପ କେତୋଟି ସ୍ଥାନରେ କୂଅ ଖୋଳି କମ ଗଭୀରରୁ ପାଣିଉଠାଇ ଜଳସେଚନ କରାଯାଇଛି । ଅନ୍ୟାନ୍ୟ ଜମି ଅଦ୍ୟାବଧି ବର୍ଷାଜଳ ଉପରେ ନିର୍ଭର କରୁଛି । ଖରାଦିନେ ତ ପାଣିପାଇଁ ଅକଥନୀୟ କଷ୍ଟ । ତେଣୁ ଚନ୍ଦ୍ରାବତୀ ବନ୍ଧ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବା ପ୍ରୟୋଜନ । ବର୍ତ୍ତମାନ ଗ୍ରାମବାସୀମାନେ ପାଣିର ଉପଯୋଗିତା ସମ୍ପୂର୍ଣ୍ଣ ବୁଝିଗଲେଣି । ନିକଟ ଭବିଷ୍ୟତରେ ଆହୁରି ଅନେକ ଫାର୍ମ ପ୍ରତିଷ୍ଠିତ ହେଲେ ହଜାର ହଜାର ଗ୍ରାମରେ କେନ୍ଦୁପଦର ଅବସ୍ଥା ସୃଷ୍ଟିହେବ । ଚନ୍ଦ୍ରାବତୀ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦୁପଦରରେ ଅନେକଥର ଆଲୋଚନା ହୋଇଗଲାଣି ।

 

ଦିନେ ଫାର୍ମ ସଭ୍ୟ ଓ କେତେକ ସରକାରୀ କର୍ମଚାରୀଙ୍କ ଭିତରେ ଯୋଜନା ବିଷୟରେ ଆଲୋଚନା ଚାଲିଥିବାବେଳେ କଥାପ୍ରସଙ୍ଗରେ ବି. ଡି. ଓ. ବାବୁ ପଚାରିଲେ, “ଅନ୍ୟାନ୍ୟ ଅଞ୍ଚଳଠାରୁ କେନ୍ଦୁପଦରର ପ୍ରଗତି ଆଖିଦୃଶିଆ ନିଶ୍ଚୟ । ଅନ୍ତତଃ ଏଠାରେ ଲୋକଙ୍କ ଭିତରେ ଗୋଟିଏ ଚେତନା ଆସିଗଲାଣି । ଆପଣମାନଙ୍କ ପରି ଉଚ୍ଚଶିକ୍ଷିତ ଲୋକେ ନିଭୃତ ପଲ୍ଲୀ ଅଞ୍ଚଳରେ ଫାର୍ମ କରି ସେମାନଙ୍କର ପଥପ୍ରଦର୍ଶକ ହୋଇଛନ୍ତି । କିନ୍ତୁ ମୁଁ ଭାବେ, ସରକାରୀ ସ୍ତରରେ ତ ଆହୁରି ବଡ଼ ବଡ଼ ଯୋଜନା ଅଛି । ସେଗୁଡ଼ିକ ଆପଣଙ୍କଠୁ ଆହୁରି ବିସ୍ତୃତ ଏବଂ ଏମ୍ବିଶସ୍ । କାର୍ଯ୍ୟକାରୀ କରିବାପାଇଁ ଅନେକ ଅଫିସର, ଅଜସ୍ର ଟଙ୍କା, ଯନ୍ତ୍ରପାତି ଇତ୍ୟାଦି ସବୁ ରହିଛି । ଏହା ସତ୍ତ୍ୱେ ସରକାରୀ ଯୋଜନାମାନ କାହିଁକି ଲାଭପ୍ରଦ ହେଉନାହିଁ ?”

 

ଦେବ କହିଲା, “ସରକାରୀ ଫାର୍ମ ଯେ ପରିଚାଳନା କରେ ସେ ଜଣେ ଦରମାପ୍ରାପ୍ତ ଅଫିସର । ସରକାରୀ ଫାର୍ମର ପ୍ରଗତି ପ୍ରତି ସେ ସଚେଷ୍ଟ ନ ହେବା ସମ୍ଭବ, କାରଣ କଷ୍ଟ କରି ବେଶି ଉତ୍ପାଦନ ବଢ଼ାଇଲେ ସେ ପୁରସ୍କୃତ ହେବେନାହଁ । ଏଠି କିନ୍ତୁ ଭିନ୍ନ । ଫାର୍ମର ଉନ୍ନତି ହେଉଛି, ଦଶଜଣ ଶିକ୍ଷିତ ଯୁବକଙ୍କ ଏକମାତ୍ର ଭବିଷ୍ୟତ । ଦୂରଦୂରାନ୍ତରୁ ଆସି ଯେତେବେଳେ ସବୁଦିନ ପାଇଁ ଏଠାରେ ରହିବୁ, ପାଖାପାଖି ଅଞ୍ଚଳକୁ ଉନ୍ନତ କରିବା ଆମର ଏକ ନୈତିକ ଦାୟିତ୍ୱ….. ।”

 

–“ଭୁଲ୍” । ବିଜୟ କହିଲା, “ମୋ ମତରେ ଆମେ ଗ୍ରାମୋନ୍ନତି ପାଇଁ ଲାଗିଛୁ, ନିଜ ସ୍ୱାର୍ଥ ସକାଶେ । ଦଶଜଣ ପାଇଁ ସତୁରୀ ଏକର କିମ୍ବା ଟ୍ରାକ୍ଟର ରଖି ଚାଳିଶ ଏକର ଜମିରେ ଚାଷ କରିବା କଦାପି ଲାଭଜନକ ନୁହେଁ । ସେହିପରି ୱାର୍କସପ୍ । ଗ୍ରାମବାସୀଙ୍କୁ ଏହି ଫାର୍ମର ଅଧିକ ଉତ୍ପାଦନରେ ଆକୃଷ୍ଟ କରାଇ, ସେଇ ପଥ ଅନୁସରଣ କରିବାକୁ ପ୍ରକାରାନ୍ତରେ କୁହାଯାଉଛି । ଏତଦ୍ଦ୍ୱାରା ସେମାନେ ଲାଭବାନ ହେଉଛନ୍ତି, ଆମର ବି ଦି’ପଇସା ଅଧିକ ଆୟ ହେଉଛି ।”

 

ବ୍ରଜ କହିଲା, “ଟିକିଏ କଥାରେ ସରକାରକୁ ଅପେକ୍ଷା ନ କରି ପଢ଼ିଥିବା ଜ୍ଞାନ, ମୁଣ୍ଡର ବୁଦ୍ଧି ଓ ଦେହର ବଳକୁ ନେଇ ଆଗେଇଯିବା ପ୍ରଗତିର ମୂଳମନ୍ତ୍ର । ଏଠି ଏହି ପନ୍ଥା ଅନୁସତ ।”

 

–“ଏଠି ଲାଭ କ୍ଷତିକୁ ତଉଲି ସାବଧାନତା ସହକାରେ ଯୋଜନା ପ୍ରଣୀତ ହୁଏ, କାରଣ ଟିକିଏ କେଉଁଠି ଭୁଲ୍ ରହିଗଲେ ଓଲଟି ନିଜ ହାତରୁ ବାଜିଯିବ । କିନ୍ତୁ ସରକାରରେ ପଙ୍ଖାତଳେ ହାୱା ଖାନେବାଲେ ଫାଇଲ ଭିତରେ ଯୋଜନା କରନ୍ତି । ତା’ର କାର୍ଯ୍ୟକାରିତାକୁ କିଏ ପଚାରେ ?” ରବି ମନ୍ତବ୍ୟ ଦେଲା ।

 

ତିରିଶ

 

ଗୋଡ଼ ଦୁଇଟିକୁ ଲମ୍ବେଇ, ପେଟ ଉପରେ ହାତ ସାଉଁଳେଇ ଶ୍ରୀମତୀ ସିଂ ଯନ୍ତ୍ରଣାରେ କୁନ୍ଥୋଉଥିଲେ । ପଦ୍ମା ଶ୍ରୀମତୀ ସିଂଙ୍କୁ ପିଠିଆଡ଼ୁ ଯୋର୍‌ରେ ଭିଡ଼ିଧରି ଆଶ୍ୱାସନା ଦେଉଥିଲା । ଏ ଭିତରେ ଅର୍ଚ୍ଚନା ଦେବୀ ପଦ୍ମାକୁ ନର୍ସିଂର ଅନେକ କଥା ଶିଖାଇଛନ୍ତି । ପିଲା ଡେଲିଭରିର କେତେକ ବିଷୟ ମଧ୍ୟ ସେ ଶିକ୍ଷା କରିଛି ।

 

ଅପରେସନ ଛ’ମାସ ପରେ ଶ୍ରୀମତୀ ସିଂ ସତକୁସତ ଗର୍ଭବତୀ ହେଲେ । ଶ୍ରୀମତୀ ସିଂଙ୍କ ପେଟର ଭାର ବଢ଼ିବା ସଙ୍ଗେ ସଙ୍ଗେ ଅର୍ଚ୍ଚନା ଦେବୀଙ୍କ କାମ ମଧ୍ୟ ବଢ଼ିଗଲା । ପ୍ରତିଦିନ ସେ ତିନିଥର ସିଂ ବାବୁଙ୍କ ଘରକୁ ଯାଅନ୍ତି । ପଦ୍ମା ମଧ୍ୟ ଅନେକ ସମୟ ସିଂ ବାବୁଙ୍କ ଗହଣରେ କଟାଏ । ଛୁଆ ଭଲରେ ବଢ଼ିବାପାଇଁ ଶ୍ରୀମତୀ ସିଂଙ୍କୁ ଅନେକ ପ୍ରକାର ସୁସ୍ୱାଦୁ ଖାଦ୍ୟ ଓ ଟନିକ ଦିଆଯାଉଛି-

 

ପାଖ ବାରଣ୍ଡାରେ ଶ୍ରୀମାନ୍ ବଳଭଦ୍ର ସିଂ ପତ୍ନୀଙ୍କ କାନ୍ଦଣା ଶୁଣୁଥିଲେ ନୂତନ ଆଗନ୍ତୁକର ଆଗମନୀ ତାଙ୍କୁ ଏପରି ଉଲ୍ଲସିତ କରିଦେଇଥିଲା ଯେ, ଶ୍ରୀମତୀ ସିଂଙ୍କ ବିକଳ ରଡ଼ି ନନ୍ଦ ଦୁଲାଳଙ୍କୁ ତୁରି ବଜେଇ ସ୍ୱାଗତ କଲା ପରି ଜଣାଯାଉଥିଲା ।

 

ବଳଭଦ୍ର ସିଂ ଆଖି ମିଟି ମିଟି କରି କଳ୍ପନା ରାଇଜରେ ପହଁରୁଥିଲେ । ଆହା, ସତକୁସତ ଏ ଘରେ କ’ଣ ବାଳକୃଷ୍ଣ ଲୀଳା ଖେଳା ଲାଗେଇବେ ? ସତରେ କ’ଣ ସେ ଜୁଳୁ ଜୁଳୁ ଚାହିଁ, ଗାଲୁରୁ ଗାଲୁରୁ ହସି ହସିକା ତାଙ୍କୁ ଆଲ୍ହାଦରେ ଫଟେଇବେ ? ହେ ହରି ! ହେ ବାଳକୃଷ୍ଣ, ତୁମର ଏ କି ଲୀଳା ପ୍ରଭୁ ! ମର୍ତ୍ତ୍ୟକୁ ଆସିବାପାଇଁ ଏ କି ଅଝଟ ପ୍ରଭୋ ! ଏଇ ତ ଘଣ୍ଟ ମୃଦଙ୍ଗ ବଜାଇ ସେ ଆସୁଛନ୍ତି । କବାଟ ବାଡ଼େଇ କହିଲେଣି–ଖୋଲ ଜଲ୍‌ଦି । ଅନ୍ଧାର ଆଉ ଭଲଲାଗୁନି । ମତେ ଆଲୁଅକୁ ନିଅ ।

 

–“ବାବୁ, ଅର୍ଚ୍ଚନା ନାନୀଙ୍କୁ ଡକେଇପଠା । ମା’କୁ ବଡ଼ କଷ୍ଟ ହେଉଛି ।” ହାତୀଅନ୍ଧପାଖରେ ଛିଡ଼ାହୋଇ ପଦ୍ମା କହିଲା ।

 

ସିଂ ବାବୁ କାକୁର୍ତ୍ତି ହୋଇ ହଳିଆଙ୍କୁ ଡାକଛାଡ଼ିଲା ଏବଂ ତୁରନ୍ତ ଜଣେ ଚାକର ଅର୍ଚ୍ଚନା ଦେବୀଙ୍କୁ ଡାକିବା ସକାଶେ ଦୌଡ଼ିଲା ।

 

ପୁଣିଥରେ ସିଂ ବାବୁ ବସି ସ୍ୱପ୍ନ ଦେଖିଲେ, ଆହା ବିଚାରୀ, କି କଷ୍ଟ ପାଉଛି ! ହଁ ହେ, କଷ୍ଟ ପାଇବନି ତ ମା’ ହବ କିମିତି ? ଏଇ କଷ୍ଟ ଟିକକ ପାଇଁ ତ ଆଗରୁ କେତେ ହଇରାଣ ହରକତ, କେତେ ହୋମ, ଯଜ୍ଞ କରୁଥିଲା । ହେ ବାଳଗୋପାଳ ! ୟାପ ନାରୀକୁ ରକ୍ଷା କରିଦିଅ ପ୍ରଭୁ । ବଡ଼ କଷ୍ଟ ପାଇଲାଣି, ଆଉନୁହେଁ ।

 

କ’ଣ ଗୋଟାଏ ମନେପଡ଼ିବାରୁ ସିଂ ବାବୁ ଦୁଃଖରେ ମୁହଁ ଶୁଙ୍ଘା କରି ଭାବିଲେ–ମନ୍ଦ ଭାଗ୍ୟ ! ନ ହେଲେ କି ବାଳ ଗୋପାଳ ଏମିତି ନିରାଡ଼ମ୍ବରରେ ତାଙ୍କ ଘରକୁ ଆସନ୍ତେ ? ଗତ ନିର୍ବାଚନରେ ପୁଣିଥରେ ହାରିଗଲେ ବୋଲି ସିନା ! ଜିଣିଥିଲେ ତ ମନ୍ତ୍ରୀପଦ ଥୁଆହୋଇଥିଲା । ଟିକକରେ ହାତ ମୁଠାରୁ ମନ୍ତ୍ରୀତ୍ଵ ନାଳୁଆ ମାଛ ପରି ସଟ୍ କରି ଖସି ପଳେଇଲା । ମନ୍ତ୍ରୀ ହୋଇଥିଲେ………କେତେ ତୁରି, କେତେ ମହୁରି, ତୁର୍‌ର ତୁର୍‌ର କରି ବାଜିଉଠିଥାନ୍ତା । ଢୋଲର ଢାଉଁ ଢାଉଁ ତେଲିଙ୍ଗି ବାଜାର ରମ୍ପ ରମ୍ପ ଶବ୍ଦରେ କାନଅତଡ଼ା ପଡ଼ିଯାଇଥାନ୍ତା । କେତେ ଲୋକବାକ, କେତେ ଯାନ–ବାହନ, କେତେ ଗୀତ ନାଚ….ଆ ହା ହା…ହେଲେ ସେ ଭାଗ୍ୟ କାହିଁ ଏ ପୋଡ଼ା କପାଳରେ ? ଆଃ ଛାଡ଼, ଭାବି ଲାଭ ନାହିଁ, ଗଲା ପୁତ୍ର ଗଲା । ତା’ପାଇଁ ଶୋଚନା କରିବା ଅନୁଚିତ । ସମ୍ପତ୍ତି ଯେମିତି ଆସିଥିଲା ସେମିତି ଯିବ । ବହୁତ ଯାଇ ତା’ବଦଳରେ ବାଳଗୋପାଳ ଆସୁଛନ୍ତି । ସେଇ ସିଂ ବାବୁଙ୍କ ନାଁ ରଖିବେ । ହେ ବାଳକୃଷ୍ଣ ! ତୁମେ ନ ଆସିଥିଲେ ସବୁଯାକ ସମ୍ପତ୍ତି ହାଡ଼ି ଖାଇଥାନ୍ତା ପ୍ରଭୁ !

ଅର୍ଚ୍ଚନା ଦେବୀ ଆସିଗଲେ । ଶ୍ରୀମତୀ ସିଂଙ୍କୁ ପରୀକ୍ଷା କରି କିଛି ଔଷଧ ଦେଲେ । ତା’ପରେ ସିଂ ବାବୁଙ୍କୁ କହିଲେ, “ସମୟ ହୋଇଗଲା ଆଜ୍ଞା, ଦିନେ ଦୁଇଦିନ ଭିତରେ ଛୁଆ ଜନ୍ମ ହେବ ।”

ହାତ ମନ୍ଥି ସିଂ ବାବୁ କହିଲେ, “ହେ ହରି !”

–“ଆଉ ଶୁଣନ୍ତ । ଛୁଆଟା ବଡ଼ ହୋଇଛି । ଏଠି ଡେଲିଭରି କଲେ ଅସୁବିଧା ହେବ । ତେଣୁ ଜୟନ୍ତୀନଗର ନେଇଯିବାକୁ ପଡ଼ିବ ।”

–“ତମେ ନ ଗଲେ କିମିତି ହବ ? ଦୟାକରି…. ।”

–“ହଉ । ମୁଁ ଯିବି ।”

–“ତମର ବଡ଼ ଦୟା ଆଜ୍ଞା ।”

ସେଇଦିନ ଶ୍ରୀମତୀ ଓ ଶ୍ରୀ ସିଂ ଏବଂ ଅର୍ଚ୍ଚନା ଦେବୀ ଜୟନ୍ତୀନଗର ଚାଲିଗଲେ । ଶ୍ରୀମତୀ ସିଂ ହସ୍‍ପିଟାଲରେ ଆଡ଼୍‌ମିସନ୍ ହୋଇଗଲେ । ଦୀର୍ଘ ଦୁଇଦିନ ଧରି ସେ ଯନ୍ତ୍ରଣାରେ ଛଟପଟ ହେଲେ । ସେ କାନ୍ଦୁଥିଲେ, ରଡ଼ୁଥିଲେ, କୁନ୍ଥୋଉଥିଲେ ଏବଂ ଟିକିଏ ଭଲଲାଗିଲେ ଅନାଗତ ଶିଶୁ ପ୍ରତି ସ୍ନେହ ଜଣାଇବା ପାଇଁ ପେଟକୁ ଆଉଁସୁଥିଲେ ।

ବାହାରେ ସିଂ ବାବୁ ମୌନାବତାରରେ ଜାକିଜୁକି ହୋଇ ଅନାଗତ ଶିଶୁକୁ କୋଳାଗ୍ରତ କରିବା ଭଙ୍ଗିରେ ବସି ରହିଥିଲେ ।

ଅବଶେଷରେ ସେଇ ବହୁପ୍ରତୀକ୍ଷିତ ମୁହୂର୍ତ୍ତଟି ଆସିଗଲା । ଚଡ଼ ଚଡ଼ ଢାଇ କରି ଘଡ଼ଘଡ଼ ମାରିଲା ବେଳକୁ ଭୂଇଁ ଫାଡ଼ି ଶ୍ରାବଣ ଛତୁ ଫୁଟିଲା ପରି, ସିଂ ବାବୁଙ୍କୁ କେତେଦିନର କଳ୍ପନା କଳ୍ପନା ଶ୍ରୀମତୀ ସିଂଙ୍କ ପେଟ ବିଦାରି ଗୋଟିଏ ପୁତ୍ର ସନ୍ତାନ ରୂପରେ ଭୂମିଷ୍ଠ ହେଲା । କାଳପାତ୍ରକୁ ଦୃଷ୍ଟି ନ ଦେଇ ସିଂ ବାବୁ 'ନିତାଇ ଗୌର ରାଧେଶ୍ୟାମ’ ଲୟରେ ଶୂନ୍ୟକୁ ହାତ ଉଠାଇ ବହେ ନାଚିଗଲେ । ଆଖିରୁ ଆନନ୍ଦାଶ୍ରୁ ବହିର୍ଗତ ହୋଇଗଲା । ଏମିତି ତାଇ ଥିନ୍ ଥିନ୍ ହୋଇ ସେ ବହୁ ସମୟ ନାଚିଥାନ୍ତେ, କିନ୍ତୁ ଅର୍ଚ୍ଚନା ଦେବୀ ରୁମ୍ ଭିତରୁ ଆସି ସିଂ ବାବୁଙ୍କୁ ଖବରଦେଲେ ଯେ ଶ୍ରୀମତୀ ସିଂ ସିରିଏସ୍ । ଅପରେଶନ୍ ହୋଇଛି, ବହୁତ ବ୍ଳିଡ଼ିଂ ହେଉଛି । ଶ୍ରୀମତୀ ସିଂ ବେହୋସ୍ ହୋଇଛନ୍ତି । ସିଂ ବାବୁଙ୍କ ମୁଣ୍ଡ ଉପରେ କିଏ ଯେମିତି କଷି କରି ଠେଙ୍ଗାଏ ପକାଇଲା ସେ ଥକ୍‌କା ମାରି ବସିପଡ଼ିଲେ-

ଦୁଇଦିନ ଅକ୍ଳାନ୍ତ ଚେଷ୍ଟା ଓ ଦେହରେ ଚାରି ବୋତଲ ରକ୍ତ ଦେବା ପରେ ଶ୍ରୀମତୀ ସିଂଙ୍କୁ ଟିକିଏ ଭଲଲାଗିଲା । ପିଲାଟିର ତତ୍ତ୍ୱ ନେବାରେ ଅସୁବିଧା ହେବାରୁ ସମସ୍ତେ କେନ୍ଦୁପଦର ଚାଲିଆସିଲେ ।

ବର୍ତ୍ତମାନ ସିଂ ବାବୁଙ୍କ ସମସ୍ତ ଚିନ୍ତା ଶିଶୁ ଉପରୁ ଯାଇ ପତ୍ନୀଙ୍କ ଉପରେ ପଡ଼ିଲା । ଶ୍ରୀମତୀ ସିଂ ଭଲ ନ ହେଲେ ସେ କିପରି ଏକୁଟିଆ ରହିପାରିବେ ? ଏଣେ ଅଣ୍ଡା ବକଟେ ଛୁଆ । ତାକୁ ସମ୍ଭାଳିବ କିଏ ? ସିଂ ବାବୁଙ୍କୁ ଦଶଦିଗ ଅନ୍ଧାର ଦିଶିଲା । ଅର୍ଚ୍ଚନା ଦେବୀଙ୍କ ପାଖରେ ସେ କାନ୍ଦ କାନ୍ଦ ହୋଇ କାକୁତିମିନତି ହୁଅନ୍ତି । କେମିତି ହେଲେ ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ ଶ୍ରୀମତୀ ସିଂଙ୍କୁ ସେ ଭଲକରି ଦେବାକୁ ଅନୁରୋଧ କରନ୍ତି । ଶେଷରେ ଅବସ୍ଥା ଅସମ୍ଭାଳ ହେଲା । ଶ୍ରୀମତୀ ସିଂଙ୍କ ଦେହ କ୍ରମେ ଖରାପଆଡ଼କୁ ଗତିକଲା । ମା, ଛୁଆ ଓ ଘରକଥା ବୁଝିବ କିଏ ? ଆଜି ପର୍ଯ୍ୟନ୍ତ ଶ୍ରୀମତୀ ସିଂ ରନ୍ଧାବଢ଼ାରେ ଅନ୍ୟ କାହାକୁ ରଖିନଥିଲେ । ନିଜ ହାତରେ ହିଁ ରୋଷେଇବାସ କରନ୍ତି । ଆଗରୁ ଶ୍ରୀମତୀ ସିଂଙ୍କ ଦେହ ଖରାପ ସମୟରେ ବୀରଭଦ୍ରୁଡ଼ୁର ବିଧବା ଭଉଣୀଟିଏ ରନ୍ଧା କାର୍ଯ୍ୟ ନିର୍ବାହ କରୁଥିଲା । ଏବେ ସେ ମଧ୍ୟ କେନ୍ଦୁପଦରରେ ନାହିଁ ।

 

ଏପରି ବିପତ୍ତି ସମୟରେ ଫାର୍ମର ସଭ୍ୟମାନେ ସିଂ ବାବୁଙ୍କୁ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଲେ । ପଦ୍ମା ନର୍ସିଂ ବିଷୟରେ କିଛି ଶିକ୍ଷା କରିଥିବାରୁ ଶିଶୁ ଓ ମା’ର ତତ୍ତ୍ୱାବଧାନ ନିମିତ୍ତ ରହିଲା । ଆରତି ରନ୍ଧା ବଢ଼ା ଓ ପଥ୍ୟ ପ୍ରସ୍ତୁତିରେ ସାହାଯ୍ୟ କଲା । ଅର୍ଚ୍ଚନା ବି ଅନେକ ସମୟ ସିଂ ବାବୁଙ୍କ ଘରେ ରହିଲେ ।

 

ଦୀର୍ଘ ସାତଦିନ ପରେ ଶ୍ରୀମତୀ ସିଂ ଆଖିଖୋଲି ଟିକିଏ କଥାବାର୍ତ୍ତା ହେଲେ । ସେତେବେଳକୁ ସେ ଅତି ଦୁର୍ବଳ, ମୁହଁ ପାଣ୍ଡୁର, ମୁଣ୍ଡରେ ବାଳ ଫୁରୁ ଫୁରୁ ଉଡ଼ୁଛି, ଆଖିମାନ କୋଟରଗତ, କଥାବାର୍ତ୍ତା ଅତି ଧୀର ।

ଶ୍ରୀମତୀ ସିଂ ଆଖିଆଗରେ ଦେଖୁଥିଲେ, ସଂସାରରେ ତାଙ୍କର କେହି ସାହାଭରଷା ନାହିଁ ! ସେ ନିଃସହାୟ । ଏ କିଏ ? ପଦ୍ମା ! ପଦ୍ମା ତ ତାଙ୍କର ଜ୍ଞାତି କୁଟୁମ୍ବ ଭିତରୁ କେହି ନୁହେଁ । ଗୋଟାଏ ନଗଣ୍ୟ ଆଦିବାସୀ ଝିଅ । ତାଙ୍କ ଘରେ ଖଟୁଥିବା ପୁଞ୍ଚା ପୁଞ୍ଚା ହଳିଆଙ୍କ ପରି ଜଣେ ନିକୃଷ୍ଟ ଲୋକର ଝିଅ । ସେ କାହିଁକି ତାଙ୍କର ଏତେ ସେବା ଶୁଶ୍ରୂଷା କରୁଛି ? ସେ କେତେ କଡ଼ା କଡ଼ା କଥା କହିପକାଉଛନ୍ତି । ତଥାପି ତା’ର ଟିକିଏ ହେଲେ ଛଳ ନାହିଁ । ଛୁଆର ସମସ୍ତ ତତ୍ତ୍ଵ ନେଉଛି । ବେଳେବେଳେ ତାଙ୍କ ନିଜର ଘୁଅ ମୂତ ବି ସଫା କରିଦେଉଛି । ଯନ୍ତ୍ରଣାରେ ଛଟପଟ ହେଲାବେଳେ ପଦ୍ମା ନିଜେ ଗୋଡ଼ ହାତ ଚିପି ମା’ର ତତ୍ତ୍ୱ ନେଉଛି । ଆହା, ପଦ୍ମା କେଡ଼େ ସୁନ୍ଦର ଝିଅଟିଏ । ମା’ ଭଳି ଅଳି ଅର୍ଦ୍ଦଳି ସହୁଚି, ଝିଅଭଳି ସେବା କରୁଛି । ଅସହାୟ ଶିଶୁଭଳି ସେ କାନ୍ଦିଉଠିଲାବେଳେ ପଦ୍ମା ମା’ର ହୃଦୟ ନେଇ ସାମ୍ନାରେ ଛିଡ଼ା ହେଉଛି । କୋଳରେ ଜାକିଧରି ମୁଣ୍ଡ ଚିପିଦଉଛି । ଛୁଆଟା କାନ୍ଦିଲେ ତାକୁ ବୁଝେଇ ସୁଝେଇ ହସେଇଲା ପର୍ଯ୍ୟନ୍ତ ଲାଗିରହୁଛି ।

 

–“ପଦମା……” ଥରିଲା କଣ୍ଠରେ ଶ୍ରୀମତୀ ସିଂ ଡାକିଲେ

 

–“ମୁଁ ଏଇ ପାଖରେ ଅଛି ମା’, ତୋ ଗୋଡ଼ ପାଖରେ ।”

 

–“ମୋ ମୁହଁପାଖକୁ ଆସିଲୁ ।”

 

–“କ’ଣ ଦେହ ଦୁଃଖ କରୁଛି ?” ପଦ୍ମା ଶ୍ରୀମତୀ ସିଂଙ୍କ ପାଖକୁ ଆସିଲା ।

 

–“ହଁ ଲୋ ମା । ଦେହ ନାଇଁ ଯେ ମନଟା । ତୁ ମୋର ଝିଅ ହେଲୁନି ବୋଲି । ଏବେହେଲେ ମୋର ଧରମ ଝିଅ ହ’ । କ’ଣ ବାବୁ କହ, ତୁନିହେଲୁ ଯେ ?”

 

ପଦ୍ମା ପିଲାଦିନରୁ ମା’କୁ ହରାଇଥିଲା । ମାତୃସ୍ନେହ କ’ଣ ସେ ଜାଣେନାହିଁ । କେଉଁ ଏକ ଅଜଣା ପୁଲକରେ ତା’ର ଦେହ ଉଲ୍ଲସିତ ହୋଇଉଠିଲା । ସେ ଶ୍ରୀମତୀ ସିଂଙ୍କ ଛାତି ଉପରେ ମୁଣ୍ଡଗୁଞ୍ଜି କଇଁ କଇଁ ହୋଇ କାନ୍ଦିପକାଇଲା । ଶ୍ରୀମତୀ ସିଂଙ୍କ ଆଖିରୁ ମଧ୍ୟ ଲୁହ ଦୁଇଧାର ବୋହିଗଲା ।

 

କାନ୍ଦଣା ଶୁଣି ଆଉ ଘରୁ ବଳଭଦ୍ର ବାବୁ ଓ ଆରତି ଦୌଡ଼ିଆସିଲେ । ଶ୍ରୀମତୀ ସିଂ କହୁଥିଲେ–“ମୁଁ ଆଉ ବେଶିଦିନ ବଞ୍ଚିପାରିବି ନାଇଁ ଲୋ ପଦୁଆ । ଏ ବୁଢ଼ୀଟାକୁ ବୋଉ ବୋଲି ଡାକିଦେଲେ ମୋର ଆତ୍ମା ଶୀତଳ ହୋଇଯିବ । ତେଣିକି ପୁଅକୁ ତୋ ହାତରେ ପକେଇ ଦେଇ ମୁଁ ଶାନ୍ତିରେ ସେ ପୂରକୁ ଚାଲିଯିବି । ତାକୁ ତୁ ନିଜର ସାନ ଭାଇ ଭଳି ପାଳିବୁ । ଆଉ ତା’ର କିଏ ଅଛି-? ତୁ ତା’ର ମା, ତା’ର ଭଉଣୀ, ସବୁ ।”

 

ଶ୍ରୀମତୀ ସିଂ ଉତ୍ତେଜନାରେ ଏତେଗୁଡ଼ାଏ କଥା କଷ୍ଟେମଷ୍ଟେ କହି ହାଲିଆ ହୋଇଗଲେ । ସଁ ସଁ ନିଃଶ୍ଵାସ ମାରିଲେ ।

 

ବଳଭଦ୍ର ସିଂ ସବୁ ଶୁଣୁଥିଲେ । ପତ୍ନୀଙ୍କ ମୁଣ୍ଡରେ ହାତ ବୁଲାଇ ଆଶ୍ୱାସନା ଦେଲେ, “ହଁ ହଁ, ପଦୁଆ ତମର ଝିଅ ହେବ । ତୁମେ ବ୍ୟସ୍ତ ହୁଅନି । ଶୋଇପଡ଼ । ହେ ହରି ! ରକ୍ଷା କର ପ୍ରଭୁ ।”

 

କିନ୍ତୁ ପ୍ରଭୁ ରକ୍ଷା କଲେନାହିଁ । ସେଦିନ ଅର୍ଦ୍ଧରାତ୍ରିରେ ବଳଭଦ୍ର ବାବୁ ଓ ସଂସାର ସହିତ ସମ୍ବନ୍ଧଟାକୁ ଛିଣ୍ଡାଇଦେଇ ସେ ଚିରଦିନ ପାଇଁ ଆଖିବୁଜିଲେ ।

 

ଆରଦିନ ପ୍ରତ୍ୟୁଷରେ ସମଗ୍ର ଗ୍ରାମବାସୀଙ୍କ ମେଳରେ ଅହ୍ୟ ଡେଙ୍ଗୁରା ପିଟି ପିଟି ଶ୍ରୀମତୀ ସିଂ ଚଦ୍ରାବତୀ ନଈ କୂଳରେ ମହାଯାତ୍ରା କଲେ । ସନ୍ତାନ ପାଇଁ ସେ ଜଡ଼ି ଦେହଟାରେ ପୀଡ଼ାନଥିଲା, ଥିଲା କେବଳ ଚନ୍ଦ୍ରାବତୀର କଳ କଳ ସ୍ୱର ଲହରୀ ସବୁଦିନ ଶୁଣିବାକୁ ଏବଂ ତା’ର ତଟ ଦେଶର ମାଟି ମଟାଳରେ ପାଉଁଶ ହୋଇ ମିଶିଯିବା ପାଇଁ ବ୍ୟାକୁଳତା ।

 

ସେଦିନଠୁ ଶ୍ରୀମାନ୍ ବଳଭଦ୍ର ସିଂଙ୍କଠାରୁ ସଂସାରର ସମସ୍ତ ଅନୁରାଗ କୁଆଡ଼େ ଉଭେଇଯିବାକୁ ବସିଲା । ଏହା ସତ କଥା ଯେ, ସେ ପତ୍ନୀଙ୍କୁ ଘୃଣା କରୁଥିଲେ । କିନ୍ତୁ ତା’ ପଛରେ ଯେ ଲୁକ୍‌କାୟିତ ଭାବେ ବନ୍ଧନ ଗଣ୍ଠିଟା ଏଡ଼େ ଟାଣ ହୋଇଯାଇଥିଲା, ସେ ଏବେ ତାହା ମର୍ମେ ମର୍ମେ ଅନୁଭବ କଲେ । ପତ୍ନୀ ବିନା ସଂସାର ତାଙ୍କୁ ଅସାର ଲାଗିଲା । କାହାଲାଗି କ୍ଷମତା, କାହାଲାଗି ଧନ ସମ୍ପତ୍ତି, କିଏ ତାଙ୍କ ବଡ଼ିମା ଓ ଗାରିମାକୁ ଦେଖିବ ? ସିଂ ବାବୁ ଭାବିବାରେ ଲାଗିଲେ ସଂସାରଟା ଗୋଟିଏ ଛଳନା ମାତ୍ର । ଏଥିରୁ ମୁକ୍ତି ପାଇବା ପାଇଁ ସେ ରାସ୍ତା ଖୋଜିବୁଲିଲେ । ଅନେକ ଚିନ୍ତାକରି ସେ ସ୍ଥିର କଲେ, ସଂସାର ଭେଳିକିରେ ଭଳି ଭେଳା ବୁଡ଼ାଇବା ବଦଳରେ ବରଂ ବାବାଜି ହୋଇଯିବା ଭଲ । ଜୀବନର ଅବଶିଷ୍ଟାଂଶ ଦେଶ ଦେଶାନ୍ତର ବୁଲି ହରିନାମ ଜପିଲେ ମୁକ୍ତି ମିଳିବ । ଝକମକ ସଂସାରରେ ଶାନ୍ତି ନାହିଁ, ବରଂ କାମନା ବଢ଼ି ବଢ଼ି ଗୁଡ଼େ ଦୁଃଖ ଟାଣିଆଣୁଛି ।

 

ଏମିତି ଭାବିଲାବେଳକୁ ତେଣେ ପୁଅଟା ପେଁ କରି ରଡ଼ିଛାଡ଼େ । ରାହାଧରେ । ମୁହଁ ନାଲିରୁ ନୀଳ ପଡ଼ିଯାଏ । କେଉଁଠି ଥାଏ ପଦ୍ମା, ଦଉଡ଼ିଆସି ପୁଅକୁ ଗେଲ କରି ବୁଝାଇ ଶୁଆଏ ।

 

ବଳଭଦ୍ର ସିଂଙ୍କ ମନରେ ପାର୍ଥିବ ଚେତନା ଫେରିଆସେ । ପୁଣି ସଂସାରର କର୍ତ୍ତବ୍ୟ । ପିଲାଟାକୁ ତ ପୁଣି ମଣିଷ କରିବାକୁ ପଡ଼ିବ । ସେ ତାଙ୍କର ଏକମାତ୍ର ଭବିଷ୍ୟତ ବଂଶଧର । ପତ୍ନୀଙ୍କୁ ହରାଇ ସେ ପୁତ୍ରଲାଭ କରିଛନ୍ତି । ସେ କୁଳନନ୍ଦନ, କୂଳର ଏକମାତ୍ର ପ୍ରଜ୍ଜ୍ଵଳିତ ଆଲୋକବର୍ତ୍ତିକା । କିନ୍ତୁ ଏଇ ପଦ୍ମା ? କେଉଁ ଏକ ମ୍ଳେଛ ଅନାର୍ଯ୍ୟ ଆଦିବାସୀର ଝିଅ । ତଥାପି ଭଗବାନଙ୍କର କି ଲୀଳା–ପଦ୍ମାର ଟିକିଏ ଅନୁପସ୍ଥିତିରେ ସେ ଆଲୋକବର୍ତ୍ତିକା ଥର ଥର ହୋଇ କମ୍ପିଉଠୁଛି । ପଦ୍ମା ବିନା ଜ୍ଵଳନ ଅସମ୍ଭବ ।

 

ବେଶି ସମୟ ଶୂନ୍ୟକୁ ଚାହିଁ ଭାବି ଭାବି ସିଂ ବାବୁ ନିଜ ଦେହପ୍ରତି ମୋଟେ ଦୃଷ୍ଟି ଦେଲେନାହିଁ । ମାଣ୍ଡିଆ, ସ୍ନାନ, ଶୟନ କେଉଁଥିରେ ସ୍ପୃହା ରହିଲା ନାହିଁ । ମାତ୍ର ପନ୍ଦରଟା ଦିନ ଭିତରେ ତାଙ୍କ ରୂପ କୁତ୍ସିତ ହେବକୁ ଲାଗିଲା । ମନଭିତରେ ଉଦାସୀନତା ଭରିଗଲା ।

 

ସିଂ ବାବୁଙ୍କର ଏପରି ଦୈହିକ ଓ ମାନସିକ ପୀଡ଼ାକୁ କିଛି ପରିଣାମରେ ଦୂର କରିବାପାଇଁ ଦିନେ ଫାର୍ମ ସଭ୍ୟମାନେ ତାଙ୍କ ଘରେ ପହଞ୍ଚିଲେ । ସଭ୍ୟମାନଙ୍କୁ ଦେଖୁ ଦେଖୁ ସିଂ ବାବୁ ଗ୍ରାମୋଫୋନ ରେକଡ଼୍ ଭଳି ତାଙ୍କର ସଂସାରବୈରାଗ୍ୟ ମନୋଭାବ ବଖାଣିଲେ ।

 

ସବୁ ଶୁଣି ସାରିଲା ପରେ ଦେବ କହିଲା–“ଗୋଟିଏ ଗୋଟିଏ ଘଟଣାରେ ସଂସାର ପ୍ରତି ବିତସ୍ପୃହା ହୋଇ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିବା ଅନୁଚିତ । ଆପଣ ସଂସାରି ଲୋକ । ଆପଣଙ୍କର ପୁଅ ମାତ୍ର କୋଡ଼ିଏ ଦିନର । ଗୁଡ଼ାଏ ଜମିବାଡ଼ି ପଡ଼ିରହିଛି । ଅନେକ ଲୋକ ଆପଣଙ୍କ ସେବାକୁ ଚାହିଁ ରହିଛନ୍ତି । ସେ କ୍ଷେତ୍ରରେ ଆପଣ ଉଦାସୀନ ହୋଇ ଘରେ ବସି ରହିବା ସୁନ୍ଦର ନୁହେଁ । ଅନ୍ତତଃ ପୁଅ ପାଇଁ ଆପଣଙ୍କୁ ସଂସାରରେ ଧନ୍ଦି ହେବାକୁ ପଡ଼ିବ । ଆଛା ସିଂ ବାବୁ, ଆପଣଙ୍କର କେହି ଜ୍ଞାତିକୁଟୁମ୍ବ ନାହାନ୍ତି ?”

 

–“ଆଃ । ସେ କଥା ଆଉ କାହିଁକି ପକାଉଛ ଦେବ ବାବୁ ! ଥିଲେ କୋଉକାଳେ । ଏବେ ଆଉ ନାହାନ୍ତି । ଆମର ପଇତୃକ ଲୋକେ ଚିଲିକା କୂଳ ଗ୍ରାମମାନଙ୍କରେ ଥିଲେ । ବାପାଙ୍କୁ ଦଶବର୍ଷ ହୋଇଥିଲା, ସେ ୟାଡ଼େ ଆସି ଜୟନ୍ତୀନଗର ରାଜାଙ୍କ ପାଖରେ ଆଶ୍ରା ପାଇଁ ପହଁଞ୍ଚିଲେ । ରାଜାଙ୍କୁ ଟେକାଟେକି କରି ସେ ଗୀତମାନ ଲେଖୁଥିଲେ । ରାଜା ଖୁସିହୋଇ ତାଙ୍କୁ କେନ୍ଦୁପଦରର କେତେକ ଜମି ଦାନ ଦେଇଥିଲେ । ସେଦିନଠୁ ବାପା ଏଠାରେ ରହି ବୁଦ୍ଧି ବଳରେ ଜମି ବଢ଼େଇ ମହାଜନ ହୋଇଥିଲେ । ତାଙ୍କ ଅନ୍ତେ ତ ମୁଁ । ଆମର କେହି ଜ୍ଞାତିକୁଟୁମ୍ବ ଥିବାର ଜାଣିନାହିଁ । ହଁ ଥରେ ଦୂର ସମ୍ପର୍କୀୟ ଭାଇ ବୋଲି ପରିଚୟ ଦେଇ ଜଗା ବାଣପୁରରୁ ଆସିଥିଲା । ଆମର ଅପୁତ୍ରିକ ଅବସ୍ଥା ଦେଖି ବେଳେବେଳେ ଏଠାକୁ ଆସି ତା’ ସାନ ପୁଅକୁ ପୌଷ୍ୟପୁତ୍ର ହିସାବରେ ରଖିବାକୁ କହେ । ହେଲେ ସେ କି ସମ୍ପର୍କ ? ମୋ ଭୟରେ ନାହିଁ ଯେ, ତା’ ଆଖି ମୋ ସମ୍ପତ୍ତି ଉପରେ ।”

 

–“ତା’ହେଲେ ଆପଣଙ୍କ ପୁଅର ଭବିଷ୍ୟତ ପାଇଁ କ’ଣ ଭାବୁଛନ୍ତି ? ଆପଣଙ୍କ ଚଳିବା ନିମନ୍ତେ ମଧ୍ୟ କି ଉପାୟ ସ୍ଥିର କରିଛନ୍ତି ?”

 

–“ସତ କହିବି ? ହଉ ତା’ହେଲେ । ସବୁ ଦାନ ଧର୍ମରେ ଖର୍ଚ୍ଚ କରିଦେଇ, ଅଳ୍ପ କିଛି ପୁଅ ପାଇଁ…….” ସିଂ ବାବୁ ଆଉ କିଛି କହିପାରିଲେ ନାହିଁ, କାରଣ ପ୍ରକୃତିରେ ସେ କୌଣସି କଥା ସ୍ଥିର କରିପାରିନାହାନ୍ତି ।

 

–“ଦାନ କରିଦେବେ ଯେ ଆପଣ ଚଳିବେ କିମିତି ?”

 

ହଠାତ୍ ସିଂ ବାବୁଙ୍କ ଆଖିଦୁଇଟି ଉଜ୍ଜ୍ୱଳ ହୋଇଗଲା । ଗୋଟିଏ ବିସ୍ମୃତ କଥା ସ୍ମରଣକୁ ଆସିଗଲା । ସେ ଥର ଥର ଗଳାରେ କହିଲେ, “ମୋର ସ୍ତ୍ରୀ ପଦୁଁଆକୁ ଧରମ କରିସାରିଛି । ଆଉ ଭୟ କ’ଣ ? ପୁଅକୁ ତା’ପାଖରେ ଛାଡ଼ିଦେଇ ମୁଁ ଚାଲିଯିବି ।”

 

ଦେବ କହିଲା, “ଆପଣ ବି ନିର୍ବାଚନବେଳେ କହିଥିଲେ, ଦେଶ ଓ ନିଷ୍ପେଷିତ ଜନତାର ସେବା କରିବା ଆପଣଙ୍କର ଲକ୍ଷ୍ୟ । ଭଗବାନଙ୍କ କୃପାରୁ ସେଇଦିନ ଏବେ ଆସିଛି । ଆମ ଗାଁ ଗଣ୍ଡାର ଉନ୍ନତି ଏବଂ ନ ଥିଲା ଲୋକର ସେବାରେ ଆପଣ ଏଥର ନିଃସ୍ୱାର୍ଥପରଭାବେ ଲାଗନ୍ତୁ । ଏମାନଙ୍କ ସେବା କରିବା ହେଲା ପ୍ରକୃତ ଦେବକାର୍ଯ୍ୟ । ଆପଣ ନିଶ୍ଚୟ ଐଶ୍ୱରିକ ଆନନ୍ଦଲାଭ କରିବେ, ସନ୍ୟାସୀ ହୋଇ ହରିନାମ ଜପିବାଠାରୁ ମଧ୍ୟ ବେଶି । ଆପଣ ବୃଦ୍ଧ ହେଲେଣି । ନିଜର ଦେଖାଚାହାଁ ପାଇଁ କେହିଜଣେ ମଧ୍ୟ ରହିବା ଆବଶ୍ୟକ । ଆପଣ ତ ନିଜେ କହୁଛନ୍ତି ପଦ୍ମା ଆପଣଙ୍କର ଧରମ ଝିଅ । ତେଣୁ ଚାଲନ୍ତୁ ଏଥର ଆମ ଫାର୍ମରେ ଆପଣ ରହିବେ । ସେଠି ପଦ୍ମା ଆପଣଙ୍କର ସମସ୍ତ ସେବା ଯତ୍ନ କରିବ । ଆଉ ଦୁଇବର୍ଷ ପରେ ତା’ର ନବ ସହିତ ବିବାହ କରାଯିବ । ଏ ଭିତରେ ତାକୁ ବିଭିନ୍ନ ବିଷୟରେ ତାଲିମ ଦିଆଯାଉଛି । ଆପଣ ଫାର୍ମରେ ରହିଲେ ଏହି ଘରକୁ ଗୋଟିଏ ବଡ଼ ହସପିଟାଲରେ ପରିଣତ କରିବା । ଦରକାରପଡ଼ିଲେ ରୋଗୀଙ୍କ ରହିବାପାଇଁ ନୂତନ ଗୃହ ନିର୍ମାଣ କରିବା । ଆପଣଙ୍କର ସମସ୍ତ ଜମିବାଡ଼ି, ସମ୍ପତ୍ତି ସବୁ ଟିକିପୁଅ ନାମରେ ରହିବ । ଯୋଜନା କରି ସେହି ଜମିରେ କୃଷି କରିବା ଏବଂ ସେଥିରୁ ମିଳୁଥିବା ଲାଭ ଗାଁର ଉନ୍ନତିରେ ଖଟେଇବା । ଆଖପାଖ ଗାଁରେ ସ୍କୁଲ ନାହିଁ, ରାସ୍ତା ନାହିଁ, ଅନେକ ଦରକାରୀ ଜିନିଷ ନାହିଁ । ନିହାତି କମ୍‌ରେ ଗରିବ ଲୋକଙ୍କୁ ଚାଷବାସରେ ସାହାଯ୍ୟ କରିପାରିବା । ଆପଣଙ୍କର ବିଭିନ୍ନ ଦିଗରେ ଅନୁଭୂତି ଅଛି; ଜ୍ଞାନ ବି ଅଛି । ଯୋଜନା ସଫଳ କରିବାରେ ଆପଣ ଲୀଡ଼୍ ନିଅନ୍ତୁ ।”

 

ଏତିକିବେଳେ ପିଲାଟା ଘର ଭିତରୁ କାନ୍ଦିଉଠିଲା । ସଙ୍ଗେ ସଙ୍ଗେ ପଦ୍ମା ପୁଅକୁ ଛାତି ଉପରକୁ ଟାଣି ଗୀତ ଗାଇକା ବୁଝେଇବାରେ ଲାଗିଲା । ତଥାପି କାନ୍ଦ ବନ୍ଦ ହେଲାନାହିଁ । ସେମିତି ଛାତିରେ ପୁଅକୁ ଭିଡ଼ି ସେ ବାହାରକୁ ଚାଲିଆସିଲା । ଅଗଣାରେ ଫାର୍ମ ସଭ୍ୟମାନଙ୍କୁ ଦେଖି ପଦ୍ମା ଥମ୍ ମାରି ଛିଡ଼ାହେଲା । ପିଲା କାନ୍ଦୁଥାଏ । ଏକ ସଙ୍ଗରେ ଦଶଜଣଙ୍କର କୋଡ଼ିଏଟି ହାତ ପିଲାଆଡ଼କୁ ବଢ଼ିଗଲା । ସେମାନେ ଏକ ସ୍ୱରରେ କହିଲେ–“ଆ, ଆ, ଆସ, ଆସ ।” ଏତେଜଣଙ୍କର ପାଟି ଶୁଣି ପିଲାଟିର କାନ୍ଦ ବନ୍ଦ ହେଲା । ସେ ଜୁଳୁଜୁଳୁ କରି ଚାହିଁଲା । ମନେମନେ ସେ ଗର୍ବ ଅନୁଭବ କଲା ବୋଧହୁଏ । ଏତିକିଟିକିଏ ପିଲା ପାଇଁ ଏତେଜଣ ଭେଣ୍ଡିଆ ହାତ ପାତିଛନ୍ତି । ସିଂ ବାବୁଙ୍କର ମନେହେଲା, ସତେଯେମିତି ହସର ଫୁଆରାଟିଏ ତାଙ୍କରି ପୁଅର ମୁହଁରେ ଫୁଟିଉଠିଛି । ସେ ବି ଫିକ୍ କରି ହସିଦେଲେ ।

 

“କ’ଣ କହୁଛନ୍ତି ସିଂ ବାବୁ ? ଦେଖନ୍ତୁ, ଆପଣଙ୍କ ପୁଅ ଅସହାୟ ନୁହେଁ । ଆମେ ସମସ୍ତେ ତା’ର ଭାଇ ଭଉଣୀ । ସେ ଆମର ଟିକି ସାନ ଭାଇ । ଆମେ ତାକୁ ନିଶ୍ଚୟ ମଣିଷ କରିବୁ-। କେବଳ ଆପଣ ସମ୍ମତ ହେଲେ….. ।”

 

ଉତ୍ତର ଦେବା ପୂର୍ବରୁ ସିଂ ବାବୁ ଆଖିବୁଜିଲେ । ଅନ୍ଧାର ଭିତରେ ସେ ନିଜକୁ ପ୍ରଥମେ ଦେଖିଲେ ରାଜନୀତିର ବେଦି ଉପରେ, ମନ୍ତ୍ରୀ ହେବାପାଇଁ ମନ୍ତ୍ର ଜପ କରିବା ମୁଦ୍ରାରେ । ତାଙ୍କର ତୁଣ୍ଡରୁ ଅବାରିତ ଭାବେ ସ୍ଖଳିତ ହେଉଛି ମିଥ୍ୟା, ପ୍ରଲୋଭନ, ଲୋଭ ଓ କପଟତାର ଚାଟୁକ୍ତି । ପ୍ରତିହିଂସା ଓ କ୍ଷମତା ଲୋଭରେ ଦେହ ଓ ମନ ଜର୍ଜ୍ଜରିତ । ମନ୍ତ୍ର ଜପୁ ଜୟ ସେ ରୂପାନ୍ତରିତ ହୋଇଯାଉଛନ୍ତି ଗୋଟିଏ କଙ୍କଡ଼ା ବିଛାରେ । ସେଇ କଙ୍କଡ଼ାବିଛାର ବିଷଦୃଷ୍ଟିରେ ଜଳିଯାଉଛି ଫାର୍ମ-। ତା’ର ଦଂଶନର ଜ୍ୱାଳାରେ ସଭ୍ୟମାନେ ଛଟପଟ ହେଉଛନ୍ତି । ତା’ପରେ ଶୁଣାଯାଉଛି, ଯୁବତୀ ନାରୀର ବିକଳ କ୍ରନ୍ଦନ, ଲାଠିମାଡ଼ ଏବଂ ବନ୍ଧୁକର ଆବାଜ ।

 

କିନ୍ତୁ ଏ କ’ଣ ହେଲା ? ଶତ ଦଂଶନ ସତ୍ତ୍ୱେ ବି ବିଛାଟା ପରାଜୟର ଗ୍ଲାନିରେ ନିଜେ ଛଟ ଛଟ ହେଉଛି ଯେ । ତାକୁ ସଭ୍ୟମାନେ ଭୂଇଁରୁ ସାଉଁଟିଆଣି ଗେହ୍ଲା କରୁଛନ୍ତି । ଗୋଟିଏ ଧଳା ଗୋଲାପ ଫୁଲ ଶୁଙ୍ଗାଇ ବିଛାଟାକୁ ପୁଣିଥରେ ମଣିଷର ପରିଣତ କରିଛନ୍ତି । ତା’ପରେ ବଳଭଦ୍ର ସିଂ ଦେଖିଲେ, ବିଛା ସ୍ଥାନରେ ରହିଛନ୍ତି ସେ ନିଜେ ଏବଂ ଧଳା ଗୋଲାପଟି ହେଉଛି ତାଙ୍କର ନିଜ ପୁଅ ।

 

ସିଂ ବାବୁ ଚମକିପଡ଼ିଲେ । ଆଖିଖୋଲି କହିଲେ, “ହଉ, ମୁଁ ରାଜି ।”

 

ଆନନ୍ଦର ଗୋଟିଏ କୋଳାହଳ ସୃଷ୍ଟି ହେଲା । ସିଂ ବାବୁ ଅନୁଭବ କଲେ ଯେ, ଆଜି ପର୍ଯ୍ୟନ୍ତ ସେ ଘୋର ତିମିର ଭିତରେ କାଳ କାଟି ଆସିଛନ୍ତି । ଏବେ ଦୂର ଦିଗ୍‌ବଳୟ ତଳେ ସିନ୍ଦୂରା ଫାଟୁଛି । ପାହାନ୍ତି ତାରା ଝିକିମିକି ହୋଇ ସାମନାରେ ଆଖି ମିଟିକା ମାରୁଛି । ଘୋର ନିଦ୍ରାରୁ ତାଙ୍କୁ ଉଠେଇଦେବା ପାଇଁ ଫାର୍ମର ସଭ୍ୟମାନେ ପକ୍ଷୀ ପରି କଳରବ କରୁଛନ୍ତି । ସେ ତ ଚେଇଁଲେଣି, ହେଇ ଆଗରେ ସେ ଶତ୍ରୁ ତାରାକୁ ଦେଖିପାରୁଛନ୍ତି । ତଥାପି ପକ୍ଷୀମାନେ ଉଡ଼ୁଛନ୍ତି ।

 

–“ଚେଇଁଲେ ହବନି, ଉଠ ।”

 

ଏକତିରିଶ

 

ବଳଭଦ୍ର ସିଂଙ୍କ ପୁଅ ଜନ୍ମ ହେବାର ଏକମାସ ହେଲା । ଶେଷଦିନ ଗୋଟିଏ ନୈଶ୍ୟ ଭୋଜିର ବନ୍ଦୋବସ୍ତ କରାଗଲା । କେନ୍ଦୁପଦର ଓ ଆଖପାଖ ଗାଁର ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତା’ଛଡ଼ା ଜୟନ୍ତୀନଗର, କୁନ୍ଦୁଲୁଗୁମ୍ମା ଆଦି ପାଞ୍ଚଟି ନିର୍ବାଚନମଣ୍ଡଳୀର ଏମ୍.ଏଲ୍.ଏ, ପଞ୍ଚାୟତ ସମିତି ଚେୟାରମ୍ୟାନ୍, ସରପଞ୍ଚ ଓ ମୁଖିଆ ଲୋକେ ଘଟଣାକ୍ରମେ କେନ୍ଦୁପଦର ଆସିଥିଲେ । ଏହି ଦିବସରେ ଚନ୍ଦ୍ରାବତୀ ଯୋଜନା କାର୍ଯ୍ୟକାରୀ କରିବାପାଇଁ କର୍ମପନ୍ଥା ସ୍ଥିର କରିବାକୁ ଏକ ସଭାର ବନ୍ଦୋବସ୍ତ କରାଗଲା ।

 

ସନ୍ଧ୍ୟାରେ ଭାଗବତ ଟୁଙ୍ଗି ନିକଟରେ ସଭା ହେଲା । ନିକଟବର୍ତ୍ତୀ ଗ୍ରାମଗୁଡ଼ିକରୁ ବହୁତ ଲୋକ ରୁଣ୍ଡ ହୋଇଥିଲେ । ସରକାରଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ଆଗରୁ ଦରଖାସ୍ତ ପ୍ରସ୍ତୁତ ହୋଇସାରିଥିଲା । ଗାଁ ଗାଁ ବୁଲି ଏହି ଦରଖାସ୍ତ ଉପରେ ପ୍ରାୟ ଏକ ଲକ୍ଷ ଲୋକଙ୍କର ଦସ୍ତଖତ ନିଆଯାଇଥିଲା ।

 

ଚନ୍ଦ୍ରାବତୀ ଯୋଜନାର ଉପକାରିତା ବିଷୟରେ ଲୋକଙ୍କୁ ବୁଝାଇ କହିବାର ବିଶେଷ ଆବଶ୍ୟକତା ନ ଥିଲା । ଅନେକ ଲୋକ ବୁଝିସାରିଲେଣି ଯେ ସବୁ ଉନ୍ନତିର ମୂଳ ହେଉଛି ପାଣି । ପାଣି ବିନା ସମୃଦ୍ଧି ଅସମ୍ଭବ । ଚନ୍ଦ୍ରାବତୀ ନଈର ପ୍ରତ୍ୟେକ ବିନ୍ଦୁ ପରିମିତ ପାଣି ସେମାନଙ୍କ ଦେହରେ ପ୍ରବାହିତ ରକ୍ତ ପରି ମୂଲ୍ୟବାନ ।

 

ଅନେକ ବକ୍ତା ଭାଷଣଦେଲେ । ମଝିରେ ଦେବକୁ ମଧ୍ୟ କହିବାକୁ ସୁଯୋଗ ଦିଆଗଲା-

 

ଦେବ କହିଲା, “ଭଗବାନ ମଣିଷର ଉପକାର ପାଇଁ ଏବଂ ଜୀବନ ରକ୍ଷାପାଇଁ ନଈ ସୃଷ୍ଟି କରିଛନ୍ତି । ଆମରି ପାଦ ପାଖରେ ଗୋଟିଏ ନଈ ବହିଯାଉଥିବ, ଅଥଚ ଆମେ ପାଣିପାଇଁ ଆକାଶକୁ ଚାହିଁ ରହି ଦୁର୍ଭିକ୍ଷରେ ମରିବୁ–ଏ କଥା ଅସହ୍ୟ । ଚନ୍ଦ୍ରାବତୀ ବନ୍ଧ ନିର୍ମାଣ ପାଇଁ ପନ୍ଦର ବର୍ଷ ହେଲା ସର୍ଭେ ରିପୋର୍ଟ ପ୍ରଣୟନ ଶେଷ ହୋଇଛି । ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ ଚାରିଆଡ଼େ ସ୍ଲୋଗାନ ଶୁଣାଯାଉଛି । କର୍ମକ୍ଷେତ୍ରରେ କିନ୍ତୁ ଆମ ଅଞ୍ଚଳ ଅତ୍ୟନ୍ତ ଅନୁନ୍ନତ ଏବଂ ଯଦିଓ ଚନ୍ଦ୍ରାବତୀ ବନ୍ଧ ଅନ୍ୟାନ୍ୟ ଯୋଜନାଠାରୁ ଅତି ଶସ୍ତା, ତଥାପି ତାହା କରାଯାଉ ନାହିଁ । ବହୁବାର ଏସେମ୍ବ୍ଲି ଗୃହରେ ଆଲୋଚିତ ହୋଇ ମଧ୍ୟ କୌଣସି ଲାଭ ହୋଇନାହିଁ । ବର୍ତ୍ତମାନ ମୂଳରୁ ବିଧିବଦ୍ଧ ଭାବେ କର୍ମପନ୍ଥା ସ୍ଥିର କରି ସମବେତଭାବେ ଯୋଜନା ପାଇଁ ଲାଗିବାକୁ ପଡ଼ିବ । ଆମ ଅଞ୍ଚଳର ଅବସ୍ଥା ଏପରି ହେଲାଣି ଯେ, ଅନ୍ତତଃ ଆଉ ଛ’ବର୍ଷ ଭିତରେ ଚନ୍ଦ୍ରାବତୀ ବନ୍ଧ ସମ୍ପୂର୍ଣ ନ ହେଲେ ଆମର ବହୁ କାର୍ଯ୍ୟକ୍ରମ ଅକାମି ହୋଇଯିବ ।

 

ଦେଶର ଆର୍ଥିକ ଦୁଃସ୍ଥିତିକୁ ଚାହିଁ ଆମେ ପ୍ରସ୍ତାବ ଦେଇଛୁ ଯେ, ଚନ୍ଦ୍ରାବତୀ ଯୋଜନାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଉ । ପ୍ରଥମ ପର୍ଯ୍ୟାୟରେ ବନ୍ଧ ଉଚ୍ଚତା କମ୍ କରି କେବଳ ଜଳସେଚନ ପାଇଁ ପାଣି ଯୋଗେଇ ଦିଆଯାଉ । ଦ୍ଵିତୀୟ ପର୍ଯ୍ୟୟରେ ବିଦ୍ୟୁତ୍ ଉତ୍ପାଦନ କରି ଯୋଜନାକୁ ସମ୍ପୂର୍ଣ୍ଣ କରାଯାଉ । ଆମେ ପୁନଶ୍ଚ ଉଲ୍ଲେଖ କରିଛୁ କି, ଅଧିକାଂଶ କେନାଲ ଖୋଳା କାମ ଗ୍ରାମବାସୀମାନେ ଇଂଜିନିୟରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିନା ପଇସାରେ କିମ୍ବା କମ୍ ମଜୁରୀରେ କରିବେ । ତାକୁ ଆଖିରେ ରଖି ଆମେ କେତେକ ଗ୍ରାମରେ ନିର୍ମାଣ ସମିତିମାନ ଗଠନ କରିଛୁ । ମୁଁ ଆଶାକରୁଛି, ଆସନ୍ତା ଚାରି ପାଞ୍ଚବର୍ଷରେ ଚନ୍ଦ୍ରାବତୀର ଜଳସେଚିତ ଅଂଚଳରେ ‘ପ୍ରଗତି ଫାର୍ମ’ ଭଳି ପଚାଶ ଷାଠିଏଟି ଫାର୍ମ ଗଢ଼ିଉଠିବ । ସେଇ ସମୟରେ ବେକାର ଲୋକ ସମବାୟ ନିର୍ମାଣ ସଂସ୍ଥା ଗଠନ କରି ଗ୍ରାମବାସୀଙ୍କ ସହାୟତାରେ କଠିନ ନିର୍ମାଣ କାମମାନ ହାତକୁ ନେଇପାରିବେ । ଫାର୍ମ ଓ ନିର୍ମାଣ ସଂସ୍ଥା ଦ୍ୱାରା ଚନ୍ଦ୍ରାବତୀ ଯୋଜନା ଶୀଘ୍ର ଓ କମ୍ ପଇସାରେ ହୋଇଯିବ ।”

 

ଗୋଟାକ ପରେ ଗୋଟିଏ ଭାଷଣ ଶେଷ ହେଲା । ପରିଶେଷରେ ସ୍ଥିର କରାଗଲା ଯେ, ଏମ୍. ଏଲ୍. ଏ.ମାନେ ଆସେମ୍ବ୍ଲି ମାଧ୍ୟମରେ ଓ ମନ୍ତ୍ରୀମାନଙ୍କ ସାକ୍ଷାତ କରି ଯୋଜନାକୁ ଅନୁମୋଦନ କରାଇବେ । ଫାର୍ମ ସଭ୍ୟ ଓ ଆଉ କେତେକଙ୍କୁ ନେଇ ଗଠିତ ଦ୍ଵିତୀୟ ଦଳ ଅଫିସରଙ୍କୁ ଭେଟି ଯୋଜନା ସୁପାରିଶ କରାଇବେ । ଦ୍ଵିତୀୟ ଦଳର ମୁଖ୍ୟ ହୋଇ ଦେବ ରହିଲା । କାର୍ଯ୍ୟାରମ୍ଭ ହେବ ଆସନ୍ତାକାଲି ସକାଳରୁ । ରାତି ପାହିଲେ ଦଶଜଣିଆ ପ୍ରତିନିଧି ଦଳ ଜୟନ୍ତୀନଗରରେ ଥିବା ବିଭାଗୀୟ ଅଫିସରଙ୍କୁ ଭେଟିବେ ।

 

ସଭା ଶେଷରେ ସିଂ ବାବୁଙ୍କ ଘରେ ତାଙ୍କ ପୁଅର ନାମକରଣ ପାଇଁ ଗହଳି ଜମିଲା । ବଳଭଦ୍ରଙ୍କ ଇଛାନୁଯାୟୀ ପୁଅର ନାଁ ରହିଲା ବାଳକୃଷ୍ଣ । ରାତିରେ ଆୟୋଜିତ ଭୋଜିରେ ପ୍ରାୟ ଏକ ହଜାର ଲୋକ ଖାଇଥିଲେ ।

 

ତା’ପରେ ଆରମ୍ଭ ହେଲା ନାଚ ଓ ଗୀତ । ଦଳଦଳ ହୋଇ କେନ୍ଦୁପଦରର ମୁଖ୍ୟ ରାସ୍ତାରେ ଧାଂଡ଼ା ଧାଂଡ଼ୀମାନେ ନାଚ କଲେ । ଡୁଙ୍ଗଡ଼ୁଙ୍ଗା, ମାଦଲ, ଢୋଲ, ତୁରି, ପେଁକାଳି ବାଜିଉଠିଲା । ଆଦିବାସୀ ନାଚ କଲାବେଳେ ମତୁଆଲା ହୋଇଉଠେ କିନ୍ତୁ ଶୃଙ୍ଖଳାର ଡୋରିରେ ବନ୍ଧାହୋଇ । ଟୋକୀମାନେ ବାହାକୁ ବାହା ଛନ୍ଦି ଏକ ଲୟରେ ଟୋକାପଲ ଭିତରକୁ ମାଡ଼ିଯାଉଥିଲେ । ପୁଣି ପଛକୁ ଦେହ ଦୋହଲାଇ ହଟି ଆସୁଥିଲେ । ସେମାନଙ୍କ ଦେହରେ ଢେଉ ଖେଳୁଥିଲା । ଧାଡ଼ି ଧାଡ଼ିକା ମଣିଷର ତରଙ୍ଗ, ସେ ପୁଣି ଜୁଆର ପରି ଭୂଇଁରେ ଲୋଟିଯାଏ । ମଝିରେ ମଝିରେ ପାଟିରୁ “ହିଲ୍ଲିରେ ଏ…ଏ…” ଶବ୍ଦର ହିଲ୍ଲିଳ ବହୁ ଦୂର ଯାଏଁ ଏବଂ ଅନେକ ସମୟ ଧରି ଲମ୍ବିଯାଏ ।

 

ପରସ୍ପରର ପ୍ରାଣଖୋଲା ପ୍ରଶଂସାରେ ମୁଖର ତାଙ୍କରି ଗୀତ । କେନ୍ଦୁପଦରର ପ୍ରତି କୋଣ ଅନୁକୋଣରେ ସେ ଗୀତ ଅନୁରଣିତ ହୋଇଉଠିଲା–

 

‘ଝିଲିକି ଝିପା, ଝିଲିକି ଝିପା ଝିଲିକିଡ଼ା ବଡ଼େ ନିକା,

ଆମେ ଟଇଁଲା ମାରି କଇଁଲା ଗୀତୁ ଶୁଣୁକେ ନିକା । ୧ ।

 

ତୁଇଁ ଗଡ଼ା ଲାଡ଼ି ଲାଡ଼ି ନାଚଲେ ନୋନୀ,

ତୁଇଁ ହାତୁ ଲାଡ଼ି ଲାଡ଼ି ନାଚଲେ ଗୋରୀ,

ତୁମେ ବେକୁ ଲାଡ଼ି ଲାଡ଼ି ନାଚଲେ ସାରିଆ,

ଚିନୁକେ ବଡ଼େ ନିକା । ୨ ।

 

ପାରା ଜୁଡ଼ି ପରା ଜୁଡ଼ିକେ ଜୁଡ଼ି,

ହଁସ ଜୁଡ଼ି ପରା ଜୁଡ଼ିକେ ଜୁଡ଼ି,

ନାଚୁଲି ବଞ୍ଜଡ଼ି, ନାଚୁଲି ରିଞ୍ଜଡ଼ି ଦିସୁଲି ବଡ଼ ନିକା,

ଝିଲିକି ଝିପା, ଝିଲିକି ଝିପା ଝିଲି କିଡ଼ା ବଡ଼େ ନିକା । ୩ ।

 

ଯୁବକ ଯୁବତୀଙ୍କ ସ୍ୱର ଲହରୀ ପାହାଡ଼ ଦେହରୁ ପ୍ରତିଧ୍ୱନିତ ହେଇ ଅନ୍ୟ ପାହାଡ଼ ସନ୍ଧି ଝୋଲା ଭିତରେ ଲୀନ ହୋଇଯାଏ । ଡୁଙ୍ଗଡ଼ୁଙ୍ଗା ବଜାଉଥିବା ଦୁଇ ତିନିଜଣ ଧାଂଡ଼ା ଚାରିପଟେ ପଞ୍ଝାଏ ଟୋକୀ ନାନା ପ୍ରକାର ନାଚର ଛଇଦେଖାନ୍ତି । ଧାନବୁଣାଠୁ ଆରମ୍ଭ କରି ଶସ୍ୟ ଅମଳ ପର୍ଯ୍ୟନ୍ତ ପ୍ରତି ସ୍ତରର କାର୍ଯ୍ୟକଳାପ ନୃତ୍ୟଶୈଳୀରେ ଚମତ୍କାରଭାବେ ପ୍ରଦର୍ଶିତ ହୁଏ ।

 

ଆଦିବାସୀ ନାଚର ଛତ୍ରେ ଛତ୍ରେ ପ୍ରକଟିତ ହେଉଥିଲା ଯୌବନ ଓ ଜୀବନର ରୂପ, ଲାଳିତ୍ୟ ଏବଂ ଉଦ୍ଦାମତା । ସେମାନଙ୍କର ଧ୍ୱନୀ ଓ ଅଙ୍ଗଭଙ୍ଗୀ କେତେବେଳେ ହୁଏ ଦ୍ରୁତ କେତେବେଳେ ବା ବିଳମ୍ବିତ । ନୃତ୍ୟଚପଳା ନରନାରୀମାନେ ସମସ୍ତ ସ୍ନାୟୁକୁ ହାଲୁକା କରି, ଗୋଡ଼ ହାତ ଥରେଇ, ଛାତି ନଚେଇ, ଆଖି ତରାଟି ବସୁଧାକୁ ଦଳି ଚକଟି ପକାଉଥିଲେ । ରାତିସାରା ଅବିରାମ ନାଚ । ତଥାପି ଏତେସମୟ ଧରି ପ୍ରତ୍ୟେକଙ୍କ ମୁହଁରେ ରହିଥିଲା ଯଥେଷ୍ଟ ଔଜ୍ଜ୍ୱଲ୍ୟ, ଆଖିରେ ଚାଞ୍ଚଲ୍ୟ ଏବଂ ଦେହରେ ବିଜୁଳିର ଚମକ । ରାତି ବାରଟାବେଳକୁ ଦେବ, ନବ, ବିଜୟ ଓ ପଦ୍ମା ବିଭିନ୍ନ ସ୍ଥାନରେ ନାଚରେ ଯୋଗଦେଲେ । ପାହାନ୍ତିଆ କିମିତି ଆସିଗଲା ଜଣାପଡ଼ିଲା ନାହିଁ । ତିନିଟାବେଳେ ଦେବ ଓ ବିଜୟ ନାଚରୁ ଓହରିଗଲେ । ଫାର୍ମକୁ ଚଞ୍ଚଳ ଫେରିଯିବାକୁ ପଡ଼ିବ । କାରଣ ଦଶଟାରେ ସେମାନେ ଚନ୍ଦ୍ରାବତୀ ଯୋଜନା ପାଇଁ ଜୟନ୍ତୀନଗର ଯିବେ । ସମୟ ହାତରେ ବହୁତ କମ୍ । କାଗଜ କଲମରେ କେତେକ ପ୍ରସ୍ତୁତି ମଧ୍ୟ ଦରକାର ।

 

ଘରକୁ ଲେଉଟି ଆସିଲାବେଳକୁ ଅନ୍ୟମାନେ ଉଠିସାରିଥିଲେ । ଦେବର ବାପା ଓ ବୋଉ ତିନିମାସ ହେଲା ଫାର୍ମରେ ସ୍ଥାୟୀ ଭାବରେ ରହିବାକୁ ଆରମ୍ଭ କରିଥିଲେ । କେବଳ ଦେବ ଓ ବିଜୟକୁ ଦେଖି ଅନ୍ୟମାନଙ୍କ ବିଷୟରେ ଦେବବୋଉ ପଚାରିଲେ ।

 

–“ନବ ଆଉ ପଦ୍ମା ନାଚ କରୁଥିଲେ । ଏଇଲାଗେ ବୋଧହୁଏ ଫେରିବେ ।”

 

–“ଆରତି କାହିଁ ?” ନିତ୍ୟାନନ୍ଦ ପଚାରିଲେ ।

 

–“ମୁଁ ତ ତାକୁ ଦେଖିନାହିଁ । ରାତି ଆଠଟାରେ ଖାଇସାରି ଆରତି ସିଂ ବାବୁଙ୍କ ସହିତ ଏଠାକୁ ଚାଲିଆସିବ ବୋଲି କହୁଥିଲା । ତା’ପରେ ମୁଁ ଆଉ ତାକୁ ଦେଖିନାହିଁ ।”

 

–“ସିଂ ବାବୁ ରାତିରେ ଏକୁଟିଆ ଫେରିଲେ । ଆରତି ଆଉ କୁଆଡ଼େ ଗଲା ?”

 

ଦେବବୋଉ ମନେମନେ ଗୁଣୁଗୁଣୁ ହେଲେ, “ସେ ପୁଅ ନୁହେଁ ମ, ଦିଣ୍ଡା (ଯୁବତୀ) ଝିଅଟି ! ଆସି ବାଇଶି ବର୍ଷ ହେଲାଣି, ଏମିତି ରାତିଟା ସାରା ଲଗାମଛଡ଼ା ହୋଇ ମନଇଚ୍ଛା ବୁଲିବ-? ସେ ହାରାମଜାଦୀକୁ….ଛି ଛିରେ ତୁଣ୍ଡ….. ।”

 

ନିତ୍ୟାନନ୍ଦ ବାବୁ ବିକଳ ହୋଇ ପତ୍ନୀଙ୍କୁ ଚାହିଁ ଗୋଟିଏ ହାତରେ ଛାତିର ବାଳ ଓ ଅନ୍ୟଟିରେ ପେଟକୁ ସର୍‌ର ସାର୍‌ର ରାମ୍ପିବାରେ ଲାଗିଲେ । ପତ୍ନୀଙ୍କୁ ଗୋଟିଏ କୋଣକୁ ଡାକିନେଇ ଧୀର ଗଳାରେ କହିଲେ, “ଏତେ ଲୋକରେ ହାଲ୍ଲା କରୁଛ କାହିଁକି ? ସବୁ ତ ଠିକ୍ ହୋଇଛି । ଆଉ ମଝିରେ ମୋଟେ ଦଶଦିନ ରହିଲା । ଟିକିଏ ଥୟଧର ।”

 

ଟିକିଏ ଦୂରରୁ ବିଜୟ ସେମାନଙ୍କ କଥା ଶୁଣି ଲାଜେଇଗଲା । କାରଣ ଦଶଦିନ ପରେ ତା’ ସହିତ ଆରତିର ବିବାହ ହେବ । ନିମନ୍ତ୍ରଣପତ୍ର ସୁଦ୍ଧା ଛପା ସରିଲାଣି ।

 

ଦେବ ଆରତି ବିଷୟରେ ଚିନ୍ତା କରି କରି ନିଜ ଶୋଇବା ବଖରା ଭିତରେ ପଶିଲା । ଏମିତି ତ ହବାକଥା ନୁହେଁ । ଆରତି କେବେ ରାତିରେ ବାହାରେ ରହିନାହିଁ । କିଛି ଗୋଟିଏ ଅଘଟଣ ଘଟିଛି ନିଶ୍ଚୟ ।

 

ଦେହରୁ ପୋଷାକ ବାହାର କଲାବେଳେ ଦେବ ଦେଖିଲା, ଟେବୁଲ ଉପରେ ଦୁଇଟି ଲଫାପା ଥୁଆହୋଇଛି । ଗୋଟିଏ ଖୋଲି ପଢ଼ିଲା । ପଢ଼ୁ ପଢ଼ୁ ତା’ ମୁଣ୍ଡ ଘୂରେଇବାକୁ ଲାଗିଲା । କାନପାଖରେ ଭାଁ ଭାଁ ଶୁଭିଲା । ଥକ୍‌କା ମାରି ଦେବ ଗୋଟିଏ ଦୁର୍ବଳ ରୋଗୀ ପରି ଖଟଉପରେ ବସିପଡ଼ିଲା । ତା’ପରେ ହଠାତ୍ ବଡ଼ ପାଟିରେ ଚିତ୍କାର କଲା, “ତୁମେମାନେ ଶୁଣୁଛ ? ଶୁଣୁଛ କି ? ଓ ମାଇ ଗଡ଼୍ ! ସେମାନେ ଚାଲିଗଲେ ! !”

 

ଦେବର ଚିତ୍କାର ଶୁଣି ସମସ୍ତେ ତା’ ବଖରାକୁ ଚାଲିଆସିଲେ । ଦେବ ସେତେବେଳକୁ ସକ ସକ ହେବା ଉପରେ । ସେ ବାକ୍‌ରୁଦ୍ଧ ହୋଇସାରିଥିଲା । ତେଣୁ କାଗଜ ଖଣ୍ଡିକ ନୀରବରେ ବାପାଙ୍କ ହାତକୁ ବଢ଼ାଇଦେଲା ।

 

ରବି ଲେଖିଛି ଯେ ସେ ଗୋଟିଏ କଲେଜରେ ଅଧ୍ୟାପକ ଚାକିରି ପାଇଛି । ଜଏନ୍ କରିବା ଦିନ ଆଗତ ପ୍ରାୟ । ଫାର୍ମ ଧନ୍ଦା ତାକୁ ଆଉ ଭଲ ନ ଲାଗିବାରୁ ସେ ଚାଲିଯାଉଛି । ତା’ର ପ୍ରାପ୍ୟ ଯଥାଶୀଘ୍ର ପଠେଇଦେବାକୁ ପଡ଼ିବ । ତା’ସହିତ ଆରତି ମଧ୍ୟ ଯାଉଛି । ଦୁହିଁଙ୍କର ବିବାହ ଚଞ୍ଚଳ ହେବ ।

 

ରବିକୁ ଏତେବେଳଯାଏଁ ସମସ୍ତେ ଭୁଲିଯାଇଥିଲେ । ସତେ ତ, ରବିର ମଧ୍ୟ ଦେଖାନାହିଁ-! ଜଣା ନାହିଁ, ଶୁଣା ନାହିଁ, ଭାବ କି ପୀରତି କିଛି ନାହିଁ, କ’ଣ ନା ଦୁଇଜଣଯାକ ଏକା ରାତିକେ ମାମୁଁ ମାଇଁ ବନିଗଲେ ? ସମସ୍ତଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଦେବ ବୋଉ ତ କନ୍ଦାକଟା ଆରମ୍ଭ କରିଦେଲେ । ବହୁ ସମୟ ଧରି ଶୂନ୍ୟକୁ ଲକ୍ଷ୍ୟ କରି ସମ୍ପିଲେ, ଝିଅକୁ ଗାଳିଦେଲେ । ତେଣେ ବିଜିବୋଉ ଖମ୍ବ ପରି ଛିଡ଼ାହୋଇ ଆଖିରୁ ଲୁହ ଗଡ଼େଇ ଭାବୁଥିଲେ–କେତେ ଆଶା ସେ କରିନଥିଲେ ଆରତିଠାରେ । ଶେଷରେ କ’ଣ ହେଲା ? ଧନ୍ୟ କହିବ ଆଜିକାଲିର ଟୋକାଟୋକୀଙ୍କୁ । ବାପ ମା’ଙ୍କୁ ବି ଟିକିଏ ଖାତିର ନାହିଁ । ସେ ଯାହାହେଉ ବିଜୟ ବାହା ହୋଇପାରିବ ନାହିଁ କି ସେ ନାତି ମୁହଁ ଦେଖିବେ ନାହିଁ । ଆଉ ଗୋଟିଏ କନିଆ ଠିକଣା କରିବା କ’ଣ ଏତେ ଚଞ୍ଚଳ ହୋଇଯିବ, ଏ ଅପନ୍ତରା ସ୍ଥାନରେ ?

 

କୋଳାହଳ ଭିତରେ ବିଜୟ ଟେବୁଲ ଉପରେ ପଡ଼ିଥିବା ଦ୍ଵିତୀୟ ଲଫାପା ଖୋଲି ପଢ଼ିଲା । ସେଥିରେ ଥିଲା ତିନୋଟି ଚିଠି । ସେଗୁଡ଼ାକ ପଢ଼ିବା ସଙ୍ଗେ ସଙ୍ଗେ ବିଜୟ ହୋ ହୋ ହୋଇ ବଡ଼ପାଟିରେ ହସିଲା । କହୁଥାଏ, “ବ୍ରେଭୋ, ବ୍ରେଭୋ ରବି ! ଥ୍ରୀ ଚିଏର୍ସ ଫର୍ ୟୁ ।”

 

ଦୁଃଖବେଳେ ବିଜୟର ହସ ଯଦିଓ ଶ୍ରୁତିକଟୁ ଜଣାଗଲା ତଥାପି ସମସ୍ତେ ତା’ଆଡ଼କୁ କୌତୂହଳରେ ଦେଖିଲେ ।

 

–“ଏଥର ପଢ଼ ଆରତିର ଚିଠି । ରିଡ଼୍ ଇଟ୍ । ଏ ୱାଣ୍ଡରଫୁଲ୍‌ ଲଭ୍ ଷ୍ଟୋରି । ତୁମେ ପଢ଼ୁଥା’, ମୁଁ ଏଇଲାଗି ଆସୁଛି ।” ଏତକ କହି ସେ ୱାର୍କସପ୍ ସଂଲଗ୍ନ ତା’ ନିଜ ବସାଆଡ଼କୁ ଦୌଡ଼ିଲା ।

 

ଅନେକେ ପଢ଼ିବାର ଅବସ୍ଥାରେ ନ ଥିଲେ । ଅର୍ଚ୍ଚନା ପଢ଼ି ଶୁଣାଇଲେ ।

 

“ଦେବ ଭାଇନା,

 

ବାପା ବୋଉଙ୍କୁ ସମ୍ବୋଧନ କରି ଲେଖିବାର ସାହସ ନାହିଁ । ତେଣୁ ତୁମ ଜରିଆରେ ମୋ ଅବସ୍ଥା ଜଣେଇଦବାକୁ ଚାହୁଁଛି । ଆଜି ଅପ୍ରତ୍ୟାଶିତ ଭାବେ ଫାର୍ମରୁ ବିଦାୟ ନେଇ ରବି ବାବୁଙ୍କ ସହିତ ଚାଲିଯାଉଛି । ମୁଁ ଜାଣେ, ତୁମେମାନେ ଦୁଃଖିତ ହେବ । ମୋର କିନ୍ତୁ ଅନ୍ୟ ବାଟ ନ ଥିଲା । ବିଜୟ ବାବୁଙ୍କୁ ମୁଁ ସମ୍ମାନ ଦିଏ । ମୋ ଚକ୍ଷୁରେ ସେ ବିରାଟ, ଅମାୟିକ, ମହାନ ପୁରୁଷ ଏବଂ ଜଣେ ସଚ୍ଚା ପ୍ରେମିକା ମଧ୍ୟ ।

 

ବିଜୟ ବାବୁ ଜୟନ୍ତୀନଗରର ଚନ୍ଦ୍ରିକା ନାମ୍ନୀ ଜଣେ ସୁନ୍ଦର ନର୍ତ୍ତକୀ ଗାୟିକାଙ୍କୁ ଭଲପାଆନ୍ତି । ସେମାନଙ୍କ ଭଲପାଇବା ଅତି ଗାଢ଼ । ଏହାର ଏକାଧିକ ପ୍ରମାଣ ମୋ ପାଖରେ ଅଛି । ତୁମର ଅବଗତି ନିମନ୍ତେ ଉଭୟଙ୍କର ଗୋଟିଏ ମାତ୍ର ଉତ୍ତର ପ୍ରତ୍ୟୁତ୍ତରର ନକଲ ଏଥିସହିତ ସଂଲଗ୍ନ ରଖୁଛି । ଚନ୍ଦ୍ରିକାର ଇଚ୍ଛା ମୁତାବକ ବିଜୟ ବାବୁ ଯେ କାମ ମୁଁ ବିଜୟ ବାବୁଙ୍କୁ ବିବାହ କରିଥିଲେ ଆମ ତିନିଜଣଙ୍କ ଜୀବନ ଛାରଖାର ହୋଇନଥାନ୍ତା କି ?

 

ଆମ ଉପରେ ରାଗିବ ନାହିଁ । ରବି ବାବୁ ମୋତେ ଭଲପାଆନ୍ତି । ଆମେ ବିବାହ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇସାରିଛୁ । ତାଙ୍କରି ଇଙ୍ଗିତରେ ହିଁ ମୁଁ ଯାହା କିଛି କରିଛି । ରବି ବାବୁଙ୍କ ସହିତ ମୋର ପ୍ରାପ୍ୟ ମଧ୍ୟ ସୁବିଧା ଦେଖି ପଠାଇଦେବ ।

 

ଭାବୁଛି, ଫାର୍ମରେ ମୁଁ ମୋର କର୍ତ୍ତବ୍ୟ ଯଥାଶକ୍ତି ସମ୍ପାଦନ କରିଛି । କେଉଁଠି ତ୍ରୁଟି ଥିଲେ କ୍ଷମା କରିବ । ମୋର ଅନୁପସ୍ଥିତିରେ କୌଣସି ଅସୁବିଧା ହେବନାହିଁ ବୋଲି ମୁଁ ନିଶ୍ଚିତ ।

 

ସମସ୍ତଙ୍କୁ ନମସ୍କାର

 

ଇତି

ଆରତି”

 

ଲଫାପା ଭିତରେ ଥିବା ଅନ୍ୟଦୁଇଟି ଚିଠି ହେଲା ଚନ୍ଦ୍ରିକା ବିଜୟକୁ ଦେଇଥିବା ପତ୍ର ଓ ବିଜୟ ଚନ୍ଦ୍ରିକାକୁ ଦେଇଥିବା ଉତ୍ତର । ସେଗୁଡ଼ାକ ମଧ୍ୟ ଅର୍ଚ୍ଚନା ପଢ଼ି ଶୁଣାଇଦେଲା ।

 

ଏହି ସମୟରେ ହାତରେ ବିଡ଼ାଏ କାଗଜ ଧରି ବିଜୟ ଧଇଁସଇଁ ହୋଇ ଘର ଭିତରକୁ ପଶିଆସିଲା । ପୂର୍ବରୁ ବେପରୁଆ ହସ ତା’ ଓଠରେ ସେମିତି ଲାଖି ରହିଥିଲା । ଡ୍ରାମାରେ ଏକ୍ଟିଂ କଲାପରି ତା’ର ବକ୍ତବ୍ୟ ଆରମ୍ଭ କଲା ।

 

–“ଯାହେଉ ଆଜି ମୋର ବଡ଼ ସୌଭାଗ୍ୟର ଦିନ । ସୌଭାଗ୍ୟ ଏଇ ଦୃଷ୍ଟିରୁ ଯେ ମୋର କଳ୍ପନାର ଚନ୍ଦ୍ରିକା, ମୋର ପ୍ରିୟ ଚନ୍ଦ୍ରା ଆଜି ପ୍ରାଣପ୍ରାଚୁର୍ଯ୍ୟରେ ହସିଉଠିଛି, ଚାଲବୁଲ କରୁଛି । ସି ମୁଭସ୍ ଆଣ୍ଡ୍ ହ୍ୟାଜ୍ ମୁଭଡ଼୍ ଅଲ୍ । ମୋର ବହୁଦିନର ଶ୍ରମ ସାର୍ଥକ ହୋଇଛି ।”

 

ଦେବ କହିଲା, “ନାଟକ ବନ୍ଦ୍ କର । କହ ସେ ଚିଠିଗୁଡ଼ାକ ସତ ନା ନାହିଁ ?”

 

“ତୁ ଘବରେଇ ଯାଉଛୁ କାହିଁକି ? ରହ, ମୁଁ ତୋ ପଏଣ୍ଟକୁ ଆସୁଛି । ସେ ସବୁ ଚିଠିପତ୍ର ସତ୍ୟ । ଖାଣ୍ଟି ସତ । ଆରତି ମୋତେ ଅବିଶ୍ୱାସ କରି ମୋଟେ ଭୁଲ୍ କରିନାହିଁ । ସବୁ ନାଟର ଗୋବର୍ଦ୍ଧନ ହେଉଛି ରବି । ମୁଁ କେବେ କଳ୍ପନା ବି କରିନଥିଲି କଥାଟା ଏତେ ଥ୍ରିଲିଂ ହେବ ବୋଲି । ଯା’ ହଉ, ହେଲା ତ ।

 

ଏବେ ଶୁଣନ୍ତୁ ସମ୍ପୂର୍ଣ୍ଣ କାହାଣୀ । ମୁଁ ଗତ ତିନିବର୍ଷ ଧରି ଗୋଟିଏ ଉପନ୍ୟାସ ଲେଖୁଛି । ତାହା ଅଦ୍ୟାବଧି ମନମୁତାବକ ସମ୍ପୂର୍ଣ୍ଣ ହୋଇନାହିଁ । ଥର ଥର କରି ତିନିଥର ଲେଖିଲାଣି । ତଥାପି ମୋ ମନକୁ ପାଉନି । କାରଣ କାହାଣୀର ଅନ୍ତିମ ଅବସ୍ଥା କ’ଣ ହେବ ଜାଣିପାରୁ ନାହିଁ । ତେଣୁ ମୁଁ ନିଶ୍ଚିୟ କରିଥିଲି ଯେ, ମନମୁତାବକ ନ ହେଲା ପର୍ଯ୍ୟନ୍ତ କାହାକୁ ଉପନ୍ୟାସ କଥା କହିବି ନାହିଁ ।

 

ଉପନ୍ୟାସର ବିଷୟବସ୍ତୁ, ନାୟକ ନାୟିକା ଆହୁରି ଚମତ୍କାର । ମୁଁ ତ ସବୁବେଳେ ଚନ୍ଦ୍ରାବତୀ ନଈ କୂଳରେ ରହିଲି । ତା’ରି ପାଖରେ ବସୁଛି, ଉଠୁଛି, ଶୋଉଛି । ଦିନେ ମୁଁ ସ୍ୱପ୍ନରେ ଦେଖିଲି, ଗୋଟିଏ ସୁନ୍ଦରୀ ଯୁବତୀ ମୋତେ ନିଦରୁ ଉଠାଉଛି । ଆଖି ଖୋଲି ଦେଖିଲି, ଆଃ ସେ ଯେ ଗୋଟିଏ ନୀଳ ପରୀ । ଗାଢ଼ ନୀଳ କେଶ, ନୀଳ ଆଖି, ନୀଳ ଶିଲ୍‌କ ଶାଢ଼ୀ, ନୀଳ ଦେହ, ସବୁ ନୀଳ । ତାକୁ ପଚାରିଲି, ‘ତୁମ ନାଁ କ’ଣ ? ସେ ଖିଲ୍ ଖିଲ୍ ହୋଇ ହସିଲା । ତା’ର ହସଗୁଡ଼ାକ ଧାବମାନ ଜଳରାଶି ପରି କଳ କଳ ହୋଇ ବହିଗଲା । ସେମିତି ହସି ହସି କହିଲା, ‘ମୋ ନାଁ ଚନ୍ଦ୍ରାବତୀ ଚନ୍ଦ୍ରିକା ଡାକିପାର କିମ୍ବା ଡାକିପାର ଚନ୍ଦ୍ରା ।’ ମୁଁ ଦେଖେ ସେ ଆକାଶରେ ନୀଲିମା ପରି ଉଦାର, ସାଗରର ନୀଳିମା ପରି ଗଭୀର ।

 

ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ମନୋଭାବ ନେଇ ମୋ ମନରାଇଜରେ ପହଞ୍ଚେ । ସେ ଆସେ ଦୂର ପାହାଡ଼ର କାଳିଆ ଝୋଲା ଭିତରୁ ନାଚି ନାଚି, କୁଦି କୁଦି, ଗୀତ ଗାଇ ଗାଇ । ତା’ର ଚଲାପଥରେ ନୀଳ କଇଁ ଫୁଟିଉଠେ । ସବୁବେଳେ ତା’ର ନାଚ ଓ ଗୀତ କନ୍‌ଷ୍ଟାଣ୍ଟ୍, ବଦଳେ କିନ୍ତୁ ତା’ର ମୁହଁର ବର୍ଣ୍ଣଛଟା । ମୁଁ ଚନ୍ଦ୍ରାବତୀ କୂଳରେ ଟ୍ରାକ୍ଟର ଚଲାଇ ହାଲିଆ ହୋଇପଡ଼ିଲେ ଦୂରରୁ ସେ ହାତ ହଲେଇ କହେ, ‘ଏତେ ଚଞ୍ଚଳ ବେଦମ୍ ହୋଇଗଲ ? କେତେ କାମ ଆଗରେ ପଡ଼ିଛି । ଉଠ, ଉଠ, ଜଲ୍‌ଦି ଚଲାଅ ।’ ମୋ ରକ୍ତରେ ଚମକ ସୃଷ୍ଟିହୁଏ । କ୍ଳାନ୍ତି ଭୁଲି ମୁଁ ପୁଣି କାମରେ ମାଡ଼ିଯାଏ ।

 

ମଧ୍ୟରାତ୍ରୀର ନିଃଶବ୍ଦ ପରିବେଶରେ ସେ ଭିନ୍ନ ରୂପରେ ଦେଖାଯାଏ । ବେଳେବେଳେ କଇଁ କଇଁ ହୋଇ କାନ୍ଦି କହେ, ‘ମୋତେ ତୁମ ଫାଶରେ ବାନ୍ଧିରଖୁନା କାହିଁକି ? ମୁଁ କ’ଣ ସବୁଦିନେ ଏମିତି ଦୌଡ଼ୁଥିବି ?’ ସ୍ଵପ୍ନ ଉଭେଇଗଲେ ଭାବେ, ଚନ୍ଦ୍ରା ଗୋଟିଏ ନଈ । ତାକୁ ମୁଁ କ’ଣ ବାନ୍ଧିରଖିବି ? ଭାବି ଭାବି ଦିନେ ଅର୍ଥ ବୁଝିଗଲି । ବାନ୍ଧିବା ଅର୍ଥ ହେଲା ବନ୍ଧ ବାନ୍ଧିବା । ମୁଁ ବା କିପରି ଏଡ଼େବଡ଼ ନଈଟାକୁ ବାନ୍ଧିବି ? ତେଣୁ ଦିନେ ମୁଁ ଉତ୍ତର ଦେଲି, “ତୁମେ ଅପେକ୍ଷା କର । ନୂଆ ନୂଆ ଗୀତ ଗାଇ ଲୋକଙ୍କୁ ଆହୁରି ମୁଗ୍‌ଧ କର । ଦିନ ଆସିବ ଯେତେବେଳେ ତୁମକୁ ନ ବାନ୍ଧିଲେ ଲୋକଙ୍କର ଆଉ ଭରସାନଥିବ ।”

 

ଆଉ ବେଶି ବର୍ଣ୍ଣନା କରୁନାହିଁ । ସେ ସବୁ ବଡ଼ ବୋରିଂ ।

 

ତେବେ ସେ ଯେଉଁ ରୂପରେ ମୋ କଳ୍ପନା ରାଇଜକୁ ଆସେ ଓ ସେଇ ସମୟରେ ସେ ଯାହା କହେ ସେ ସବୁ ମୁଁ ଟିପି ରଖେ । ମୁଁ ଦେଇଥିବା ଉତ୍ତର ମଧ୍ୟ ଟିପେ । ସବୁଗୁଡ଼ାକ ପ୍ରେମିକ ପ୍ରେମିକାର ପତ୍ରପରି ସଜ୍ଜିତ । ନିଅ, ଇଚ୍ଛାଥିଲେ ପଢ଼ ।”

 

ଟେଗ୍‌ରେ ଗୁନ୍ଥା ହୋଇଥିବା ପୁଳାଏ କାଗଜ ସମସ୍ତଙ୍କ ସାମନାରେ ବିଜୟ ଟେକିଧରିଲା । ତା’ପରେ ଭାବାବେଗରେ ଆଖି ଛଳ ଛଳ କରି କହିଲା, ମୋର ପ୍ରିୟ ଚନ୍ଦ୍ରା ମୋତେ କରିଦେଇଛି ଗୋଟିଏ ଚିନ୍ତାଗ୍ରସ୍ତ ସାଧକ । ତିନିବର୍ଷ ଧରି ସେ ମୋ ପାଖରେ ଅବବାହିକାଟିର କେତେ ଯୁଗରେ ଇତିହାସ, ଭୂଗୋଳ, ଦର୍ଶନ, ବିଜ୍ଞାନ ଆଦି ଗପିଛି । ତା’ରି କୋଳରେ କେତେ ଯୁଦ୍ଧ, କେତେ ହତ୍ୟା, କେତେ ବନ୍ୟା, ବାତ୍ୟା, ମରୁଡ଼ି, କେତେ ଲୋମହର୍ଷଣକାରୀ କାଣ୍ଡମାନ ଘଟିଯାଇଛି । ଦୁଃଖ ପରେ ତା’ଠାରୁ ହିଁ ମଣିଷ ସୁଖକୁ ପାଇଛି । ତା’ରି କୋଳରେ କେତେ ଧ୍ଵଂସ ଓ ସର୍ଜନା, କେତେ ସଭ୍ୟତାର ଉତ୍‌ଥାନ ପତନ ହୋଇଛି । ସେ ଅବାରିତ ଭାବେ ଜୀବଜନ୍ତୁଙ୍କୁ ଜୀବନ ଦେଇ ବଞ୍ଚେଇ ରଖିଛି । କିନ୍ତୁ ହାୟ, ତା’ରି ଇଙ୍ଗିତ ଓ ତା’ରି ପ୍ରଦର୍ଶିତ ପଥରେ ମଣିଷ ଅଦ୍ୟାବଧି ଚାଲିପାରି ନାହିଁ । ଆମେ କି ଅଭାଗା ସତେ !

 

ହଁ, ଲେଟ୍ ମି କମ୍ ଟୁ ଦି ପଏଣ୍ଟ୍ । ରବି ଆରତିକୁ ନିଜର କରିବାପାଇଁ ଗୋଟିଏ କୂଟନୀତି ପ୍ରୟୋଗ କରିଛି । ନଭେଲ୍‌ରେ ମୁଁ ଚନ୍ଦ୍ରାକୁ ସମ୍ଭୋଧନ କରି ଲେଖିଥିବା ଗୋଟିଏ ପତ୍ର ସେ କୌଶଳକ୍ରମେ ମୋଠାରୁ ପଢ଼ିବ ବୋଲି ହାତପଇଠ କରିଥିଲା । ଚନ୍ଦ୍ରିକାର ନାମରେ ପ୍ରଥମ ଚିଠିଟି ବିଜୟକୁ ସମ୍ୱୋଧନ କରି ଏପରି ବାଗରେ ଲେଖାଯାଇଛି ଯେ, ନଭେଲର ଚିଠି ତା’ର ଉତ୍ତର ହୋଇପାରିବ ।”

 

ଗୋଟିଏ ମୋଡ଼ାମୋଡ଼ି କାଗଜକୁ ଟ୍ୟାଗ୍ ଭିତରୁ ବାହାର କରି ବିଜୟ ଦେଖାଇଲା–“ଦେଖନ୍ତୁ । ଏହି ପୃଷ୍ଠାଟି ସେ ମୋଠାରୁ ଦିନେ ପଢ଼ିବ ବୋଲି ନେଇଥିଲା ।”

 

ଏଥର ସମଗ୍ର କଥାଟା ପ୍ରାଞ୍ଜଳ ହୋଇଗଲା । ସେତେବେଳକୁ ସକାଳ ଆଠଟା ବାଜିଥାଏ । ତଥାପି କେହିହେଲେ ପ୍ରାତଃ କର୍ମରେ ମନ ନ ଦେଇ ନୀରବରେ ମନମାରି ବସିଥିଲେ-। ଦେବବୋଉ ଏରୁଣ୍ଡି ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥିଲେ । ବିଜିବୋଉ ଭାବୁଥିଲେ–କି କାଳ ହେଲା, ନଈଟା ଟୋକୀ ରୂପ ନେଇ ନାଟ ଲଗେଇଦେଲା !

 

ଦେବର ମନ ଭିତରଟା ପୋଡ଼ି ପୋଡ଼ି ଯାଉଥିଲା । ଏମିତି ସଭ୍ୟମାନେ ଯେ ଯାହାର ମନ ମୁତାବକ ଚାଲିଗଲେ ଫାର୍ମ ଚାଲିବ କିମିତି ? ନା, ଗଲା ଏ ଫାର୍ମ । ନୈତିକ ଅଧଃପତନ ଆରମ୍ଭ ହୋଇଗଲାଣି ।

 

ବିଜୟ ଦେବକୁ ଝାଙ୍କିଦେଇ କହିଲା, “କିରେ, ଆଜି ଦଶଟାରେ ପରା ଜୟନ୍ତୀନଗର ଯିବାର ଅଛି । ମନେପଡୁ଼ ନାହିଁ ? ହଠ୍ ଜଲ୍‌ଦି ।”

 

ଦେବ ଉଠିଲାବେଳକୁ ଅନୁଭବ କଲା, ମନର ସରାଗ ମରିଯାଇଛି, ଦେହଟା ଓଜନିଆ ଲାଗୁଛି, କେଉଁଥିରେ ଆଗ୍ରହ ଆସୁନାହିଁ । ମାତ୍ର କେଇଘଣ୍ଟା ମଧ୍ୟରେ ଏତେ ପରିବର୍ତ୍ତନ ? ଆରତିର ସତେ କି ଅଲୌକିକ ପ୍ରଭାବ !

 

ସେଦିନ ଦେବ ଚନ୍ଦ୍ରାବତୀ ନଈକୁ ଗାଧୋଇବାକୁ ଗଲା । ତାକୁ ଲାଗିଲା ବାଟରେ ଯାହାକୁ ଦେଖୁଛି ସେ ଯେପରି ନିର୍ଜୀବ, ପ୍ରାଣହୀନ । ଆରତି ବିନା ଫାର୍ମଟା କି ହତଶ୍ରୀ ଦେଖାଯାଉଛି । ଗଛପତ୍ର, ପଶୁପକ୍ଷୀ ସମସ୍ତେ ଯେପରି ମ୍ରିୟମାଣ । ଚତୁର୍ଦ୍ଦିଗ ହାହାକାରମୟ । ଦେବର ଆଖିରୁ ଦି ଟୋପା ଲୁହ ବାହାରିପଡ଼ିଲା ।

 

+ ଜୁଳୁଜୁଳିଆ ପୋକ ପରି ତୁ ଏଣେତେଣେ ଝଲମଲ ହୋଇ ନାଚିବା ଯେପରି ସୁନ୍ଦର, ଆମେ ଆମର ଟୈଲା ବାଦ୍ୟ ବଜାଇ ଗାଇବା ଗୀତ ମଧ୍ୟ ଶୁଣିବାକୁ ସେପରି ମଧୁର । ୧ ।

 

ଲୋ ଗୋରୀ ! କି ସୁନ୍ଦର ତୁ ଗୋଡ଼, ହାତ ଓ ଦେହକୁ ହଲେଇ ନାଚ କରୁଛୁ । ତୋର ଏହି ଚମତ୍କାର ରୂପକୁ ଦେଖିଲେ କିଏ ବିଭୋର ହୋଇନଯିବ ? । ୨ ।

 

ହେ ବନ୍ଧୁ ! ତୁମର ସୁନ୍ଦର ସୁଠାମ ନୃତ୍ୟରତ ଗୋଡ଼ଗୁଡ଼ିକର ଉପମା ନାହିଁ । ତୁମ୍ଭର ତରଙ୍ଗାୟିତ ଅଙ୍ଗଭଙ୍ଗୀ ମନେପକାଇଦିଏ ନୀଳ ଆକାଶରେ ଉଡ଼ିଯାଉଥିବା ଦଳଦଳ କପୋତ ପକ୍ଷୀ ଏବଂ ସାଗର ବକ୍ଷରେ ସନ୍ତରଣରତ ରାଜହଂସୀ । ୩ ।

 

ବତିଶ

 

ଦେବ ଚନ୍ଦ୍ରାବତୀର ବାଲୁକା ଶଯ୍ୟାରେ ଠିଆହେଲା । ଖରାଦିନର ଗୋଟିଏ ଶୀର୍ଣ୍ଣ ଜଳଧାରା ଚନ୍ଦ୍ରାବତୀ ନାମ ନେଇ ସୂର୍ଯ୍ୟକିରଣରେ ଝଲ ଝଲେଇ ନାଚି କୁଦି ଆଗକୁ ମାଡ଼ିଚାଲିଛି । ଏଇ ନାଳଟା ବିଜୟକୁ ଏତେ କଥା କହିପାରିଛି ? ଏଇ ଶୁଷ୍କ ଜଳଧାର ନା ଗୋଟାଏ ଲୋକକୁ ପ୍ରେରଣା ଦେଇ ଦେଇ ଚବିଶ ଘଣ୍ଟା ଯନ୍ତ୍ରପରି ଖଟେଇପାରିଛି ? ଏହାକୁ କହନ୍ତି ନା ସଭ୍ୟତା ଓ ପ୍ରଗତିର ଚାବିକାଠି ? ଯେଉଁଠି ନଦୀ ସେଠି ସଭ୍ୟତା, ସେଠି ବଡ଼ ବଡ଼ ନଗରୀ, କଳକାରଖାନା ।

 

ଯଦି ସବୁର ଉତ୍ତର ଏଇ ଛୋଟିଆ ନାଳଟା ଦେଇପାରିଛି ତେବେ ତା’ରି ସୂଚିତ ପଥରେ ଆଗେଇ ଗଲାବେଳେ ପ୍ରତିବନ୍ଧକ ପଡ଼ିଲେ ପରିତ୍ରାଣ ପାଇଁ ଉପାୟ କହୁନି କାହିଁକି ? ଏଇ ନଦୀଟିର ମୋହରେ ତ ସେମାନେ କୁଆଡ଼ୁ ଉଡ଼ିଆସି ଏଠି ଫାର୍ମ କରି ବସା ବାନ୍ଧିଥିଲେ । ଏବେ ରବି ଓ ଆରତିର ବିଦାୟ ଯୋଗୁଁ ଫାର୍ମଟା ଯାହା ଭୁଶୁଡ଼ି ପଡ଼ୁଛି ତାକୁ ସମ୍ଭାଳିବାକୁ ନଈଟାର ଭାଷା ସ୍ଫୁରୁ ନାହିଁ କାହିଁକି ?

 

ଟିକିଏ ପରେ ନଈର କଳ କଳ ଧ୍ଵନି ହଠାତ୍ ଯେପରି ମଣିଷର ସ୍ୱର ନେଲା, “ଏଇ ମତେ ଦେଖ । ବର୍ଷାଦିନେ ମୁଁ କ’ଣ ଏମିତି ଥିଲି ? ଦୁଇ କୂଳ ଖାଇ କିମିତି ମାଡ଼ି ଯାଉଥିଲି ? ଖରାଦିନଟା ଚାଲିଗଲେ ପୁଣି ଗଣ୍ଡି ବଢ଼େଇବି । ତୁ ଯେମିତି ଇଂଜିନିୟରିଂ ପାଶ୍ ପରେ ବେକାରି ନିଆଁ ହୁଳା ଭିତରେ ପଡ଼ି ଛଟପଟ ହେଉଥିଲୁ । ତା’ପରେ, ଆଉ ତା’ପରେ ମୋ ସାମନାରେ ଧନ, ଜନ, ମାନ ବଢ଼ାଇଛୁ । ବଢ଼ିବା ଛିଡ଼ିବା ତ ଲାଗିଛି । ତେଣୁ ଜାଣିଶୁଣି କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବୁ କାହିଁକି ? ଆରତି କି ରବି ଚାଲିଗଲେ ଦୁଃଖ କ’ଣ ? ସେମାନଙ୍କ ବଦଳରେ ଆସିଛନ୍ତି ପଦ୍ମା, ବାପା, ବୋଉ, ଓ ବଳଭଦ୍ର । ସମବେତ କାର୍ଯ୍ୟରେ ଜଣେ ଦୁଇଜଣ ଲୋକ ଚାଲିଗଲେ କିଛି କ୍ଷତି ନାହିଁ । ସେ ସ୍ଥାନ ପୂରଣ ହୋଇଯିବ । କିନ୍ତୁ ପ୍ରଧାନ କଥାହେଲା ମନ, କର୍ତ୍ତବ୍ୟ ପ୍ରତି ଆଗ୍ରହ, ଅଗ୍ରଗତି ପାଇଁ ଇଚ୍ଛା ।”

 

ଦେବ ଚମକିପଡ଼ିଲା । କଥା ଗୁଡ଼ାକ ନିଜେ ଭାବୁଥିଲା କି ଚନ୍ଦ୍ରାବତୀ ତା’ କାନ ପାଖରେ ଗପୁଥିଲା ସେ ଜାଣିପାରିଲା ନାହିଁ । ଦେବ ନଈ ଭିତରେ ପଶି ଡୁବ ପକାଇଲା । ପାଣି ଭିତରୁ ମୁହଁ କାଢ଼ି ଚାରିପଟେ ଦେଖିଲା । ପାହାଡ଼ ସନ୍ଧିରୁ ସକାଳର ଝୁରୁ ଝୁରୁ ଶୀତଳ ପବନ ତା’ ଦେହରେ ଆସି ବାଜୁଥିଲା । ଦେବ ସତେଜ ହୋଇଉଠିଲା । ତାକୁ ଲାଗୁଥିଲା, ସେ ନୂଆ କରି ନିଜକୁ ନିଜେ ଆବିଷ୍କାର କରିଛି । ଜୀବନଟା ଆଉ ଗତାନୁଗତିକ ନୁହେଁ । ଏତେ ଦିନର ସଂଗ୍ରାମରେ ବିଶାଳ ପ୍ରଗତି ହର୍ମ୍ୟର ଭିତ୍ତି ପ୍ରସ୍ତର ମାତ୍ର ପଡ଼ିପାରିଛି । ସମୃଦ୍ଧି ପାଇଁ ଆହୁରି ଅନେକ ପରିଶ୍ରମ ଦରକାର । ଏଥର ଚନ୍ଦ୍ରାବତୀ ବନ୍ଧ ନିର୍ମାଣ ପାଇଁ ନୂତନ ଉତ୍ସାହରେ ଆଗେଇଯିବାକୁ ପଡ଼ିବ । ଏଥିପାଇଁ ମଧ୍ୟ ଫାର୍ମପରି ସମଗ୍ର ଅଞ୍ଚଳରେ ଲୋକଙ୍କ ସମବେତ ଚେଷ୍ଟା ଦରକାର । ଉଦ୍ଦେଶ୍ୟ ଭଲଥିଲେ, ଉଦ୍ୟମ ଠିକ୍ ଦିଗରେ ପରିଚାଳିତ ହେଲେ ସମବାୟ କେବେ ବିଫଳ ହୋଇନପାରେ ।

 

ଠିକ୍ ଏହି ସମୟରେ ନରେଶ ଦୌଡ଼ିଆସି ବଡ଼ପାଟିରେ କହିଲା, “ଦେବ ବାବୁ ! ଯୋଗେଶ ବାବୁ ତୁମ ପାଖକୁ ଟେଲିଗ୍ରାମ୍ ପଠେଇଛନ୍ତି । ସେ ବିଦେଶରୁ ଫେରିଆସିଲେଣି । ମୁଁ ପଢ଼ିଦେଉଛି ଶୁଣ ।” ନରେଶ ହାତରେ ଧରିଥିବା ଟେଲିଗ୍ରାମକୁ ପଢ଼ିଲା, “ଅର୍ଜେଣ୍ଟ ୱାର୍କସ୍ ୱିତ୍ ୟୁ-। କମ୍ ଟୁ କ୍ୟାପିଟାଲ ଇମିଡ଼ିଏଟ୍‌ଲି ।” ନୂତନ ଫାର୍ମ ପ୍ରତିଷ୍ଠା ଓ ମାଷ୍ଟର ପ୍ଲାନ୍ ବିଷୟରେ ନିଶ୍ଚୟ କିଛି ଜରୁରୀ କାମ ଥିବ । ତେଣୁ ତୁମେ ଚଞ୍ଚଳ ରାଜଧାନୀକୁ ବାହାରିପଡ଼ । ମାଙ୍ଗତା ବାବୁ ଓ ମୁଁ ଜୟନ୍ତିନଗର ଯିବୁ ।” ଏତକ ଏକ ନିଃଶ୍ୱାସରେ କହିଦେଇ ନରେଶ ଦୌଡ଼ି ପଳାଇଲା ।

 

ଯୋଗେଶ ବାବୁ ତ କେବେ ଟେଲିଗ୍ରାମ ଦିଅନ୍ତି ନାହିଁ; ଆଗରେ କିଛି ଗୋଟାଏ ବିପତ୍ତି ଥୁଆହୋଇଛି ନିଶ୍ଚୟ । ଭାବନାରେ ବୁଡ଼ିରହି ଦେବ ଧୀରେ ଧୀରେ ପାଦ ପକାଉଥିଲା । ଘର ସମ୍ମୁଖସ୍ଥ ବଗିଚା ପାର ହେଲାବେଳେ ଆଗରେ ଦେଖିଲା ଫାର୍ମର ସ୍ମୃତିଫଳକ ଏବଂ ତା’ଉପରେ ଲିଖିତ–‘ଆଗେଇ ଚାଲ’ । ଦେବ ଛିଡ଼ାହେଲା । ଅନେକ ଦିନ ପରେ ହଠାତ୍ ଏହି ଦୁଇଟି ପଦ ତା’ଦେହରେ ନୂତନ ଶିହରଣ ଖେଳାଇଦେଲା । ଫାର୍ମ ପ୍ରାରମ୍ଭରେ ସ୍ମୃତି ଫଳକକୁ ଦେଖିବାମାତ୍ରେ ସେ ଠିକ୍ ଏପରି ଉନ୍ମାଦନା ଅନୁଭବ କରୁଥିଲା । ପୁରୁଣା ଭାବନା ଜୀବନ୍ତ ହୋଇଉଠିଲା–ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଅନେକ ଦୂର, ଅନେକ କଷ୍ଟ; କିନ୍ତୁ ତା’ପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ ପଥ ପାଇସାରିଛନ୍ତି । ଆଗରେ ଯେତେ ପ୍ରତିବନ୍ଧକ ପଡ଼ୁ ପଛେ ସେଇ ପଥରେ ହିଁ ସେ ମାଡ଼ିଚାଲିବ । ତା’ର ପ୍ରିୟ ଫାର୍ମ କେବେ ଭାଙ୍ଗି ନ ପାରେ । ବରଂ ତାହା ଅଧିକ ସମୃଦ୍ଧିଶାଳୀ ହେବ । କେବଳ ସେତିକି ନୁହେଁ, ଏପରି ଶତ ଶତ ସମୃଦ୍ଧ ଫାର୍ମ ଚନ୍ଦ୍ରାବତୀ ଆୟକଟ୍ ସାରା ବିଛେଇ ହୋଇ ପଡ଼ିବ-

 

ଉତ୍ପାଦନ ଓ ନିର୍ମାଣ କାର୍ଯ୍ୟରେ ହଜାର ହଜାର ପୁରପଲ୍ଲୀ କର୍ମମୁଖର ହୋଇଉଠିବ । ସମଗ୍ର ଉପତ୍ୟକା ସୁନାଥାଳିରେ ପରିଣତ ହେବ । ସେ ରାଜଧାନୀରୁ ଯୋଗେଶ ବାବୁଙ୍କଠାରୁ ମନ୍ତ୍ରଣା ନେଇ ଆସିଲା ପରେ ଆହୁରି ଉତ୍ସାହରେ କାର୍ଯ୍ୟ କରିବ । ଆରତି ଓ ରବି ସୁଖରେ ଥାଆନ୍ତୁ-

 

ଦେବର ନିଃଶ୍ୱାସ ଖର ହେଲା । ସେ ଆଉ ଛିଡ଼ା ହୋଇ ରହିପାରିଲା ନାହିଁ, ଘରଆଡ଼କୁ ଦୌଡ଼ିଲା । ତା’ର ମନେହେଉଥିଲା ଶୂନ୍ୟ ଆକାଶରେ ସେ ଉଡ଼ିଯାଉଛି, ଯୋଗେଶ ବାବୁଙ୍କଠାରୁ ଯୋଜନା ଓ ମନ୍ତ୍ରଣା ଘେନି ଆସିବାକୁ । ଅନ୍ଧକାର ଭିତରେ ବହୁ ଦୂରରୁ ତାକୁ ମୁହଁ କରି ସତେଯେପରି ସୂର୍ଯ୍ୟଙ୍କର ସପ୍ତ–ଅଶ୍ୱଚାଳିତ ରଥ ଅତି ଯୋରରେ ଆଗେଇଆସୁଛି । ଦିଶୁଛି ଗୋଟିଏ ଅସ୍ପଷ୍ଟ ସବୁଜ ଆଲୋକ ପିଣ୍ଡୁଳା ମାତ୍ର । କିନ୍ତୁ ଦେବର କାନରେ ସ୍ପଷ୍ଟ ହୋଇ ବାଜୁଛି ଘୋଡ଼ା ପାଦର ଟାପୁ ଶବ୍ଦ–ଠପାସ୍–ଠପାସ୍–ଠପାସ୍–ଠପାସ୍…… ।

Image